অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବୋର୍ଡକସ ମିଶ୍ରଣ ଓ ବୋର୍ଡକସପେଷ୍ଟ ତିଆରି କରିବା ପ୍ରଣାଳୀ

ବୋର୍ଡକସ ମିଶ୍ରଣ ଓ ବୋର୍ଡକସପେଷ୍ଟ ତିଆରି କରିବା ପ୍ରଣାଳୀ

ଫଳଗଛର ଅଧିକାଂଶ ଫଙ୍ଗସ ଦ୍ଵାରା ଉତ୍ପନ୍ନ ରୋଗ ପାଇଁ ବୋର୍ଡକସ ମିଶ୍ରଣ ଓ ବୋର୍ଡକସ ପେଷ୍ଟ ଗୋଟିଏ ଆମୋଘ ଔଷଧ । ବୋର୍ଡକସ ମିଶ୍ରଣ ଗାଁ ଗହଳିରେ ମଧ୍ୟ ଖୁବ୍ ସହଜରେ ତିଆରି କରି ହେବ । କାରଣ ଏହା ତିଆରି କରିବା ପାଇଁ ତୁତିଆ ଓ ଚୂନ ଦରକାର । ତିଆରି କରିବା ପ୍ରଣାଳୀ ନିମ୍ନରେ ଦିଆଗଲା ।

ବୋର୍ଡକସ ମିଶ୍ରଣ ପ୍ରସ୍ତୁତି

ବୋର୍ଡକସ ମିଶ୍ରଣ ପ୍ରସ୍ତୁତ କରିବା ପାଇଁ ୧କେଜି ତୁତିଆ ଓ ଏକ କେଜି ଚୂନ ଓ ୧୦୦ ଲିଟର ପାଣି ଦରକାର । ୫୦ ଲିଟର ପାଣିରେ ଏକ କେଜି ଚୂନ ମିଶାଇ ତାକୁ ପତଳା କନାରେ ଛାଣି ରଖନ୍ତୁ । ପାଣି ଟିକିଏ ଉଷୁମ ଥିଲେ ତୁତିଆ ଶୀଘ୍ର ପାଣିରେ ମିଶିଯାଏ । ତୁତିଆ ମିଶା ପାଣି ଓ ଚୂନ ପାଣିକୁ ଆସ୍ତେ ଆସ୍ତେ ଆଉ ଗୋଟିଏ ପାତ୍ରକୁ ଏକା ବେଳେ ଢାଳନ୍ତୁ ବା ତୁତିଆ ମିଶା ପାଣିକୁ ଚୂନ ପାଣିରେ ମିଶାନ୍ତୁ । ତୁତିଆ ପାଣି ଢାଳୁଥିବା ବେଳେ ଗୋଟିଏ କାଠିରେ ମିଶ୍ରିତ ପାଣିକୁ ଚୂନ ପାଣିରେ ମିଶାନ୍ତୁ  ଓ  ଘାଣ୍ଟୁଥିବେ । ଦୁଇଟି ଯାକ ମିଶ୍ରିତ ପାଣି ମିଶି ବୋର୍ଡକସ ଦ୍ରବଣ ପ୍ରସ୍ତୁତ ହୁଏ । ଏହି ବୋର୍ଡକସ ଦ୍ରବଣ ଠିକ ଭାବରେ ପ୍ରସ୍ତୁତ ହୋଇଛି କି ନାହିଁ ଜାଣିବା ପାଇଁ ସେଥିରେ ଗୋଟିଏ ଛୁରୀ ବା ବ୍ଲେଡ ବୁଡାଇ ଉଠାଇ ଆଣନ୍ତୁ । ଛୁରୀ ବା ବ୍ଲେଡରେ ଯଦି କଷରା ବା ନାଲି ପରସ୍ତ ପଡେ, ତାହାହେଲେ ତୁତିଆ ଅଂଶ ଅଧିକ ଅଛି ବୋଲି ଜାଣିବାକୁ ହେବ । ଏହି ଅବସ୍ଥାରେ ଗଛରେ ପକାଇଲେ ତାହା ଗଛ ପାଇଁ କ୍ଷତିକାରକ । ତେଣୁ ସେଥିରେ ଆଉ ଚୂନ ପାଣି ମିଶାଇ ଘାଣ୍ଟି ପରୀକ୍ଷା କରାଯାଏ । ଯେତେବେଳେ ଛୁରୀ ଉପରେ ନାଲି ପରସ୍ତ ନ ବସିବ, ସେତେବେଳେ ବୋର୍ଡକସ ଦ୍ରବଣ ଠିକ୍ ପ୍ରସ୍ତୁତ ହୋଇଛି ବୋଲି ଜାଣିବାକୁ ହେବ । ବୋର୍ଡକସ ଦ୍ରବଣ ସଦାବେଳେ ମାଟିପାତ୍ର, କାଠପାତ୍ର ବା ତମ୍ବାପାତ୍ରରେ ତିଆରି କରିବେ । ଲୁହା କିମ୍ବା ବାଲଟି ଇତ୍ୟାଦିରେ ତିଆରି କଲେ ସେ ସବୁ କଳା ପଡିଯାଏ । ପ୍ଲାଷ୍ଟିକ ପାତ୍ର ବ୍ୟବହାର କରାଯାଇ ପାରେ ।

ସାଧାରଣତଃ ବଜାରରେ ୯ଲିଟର ଓ ୧୨ଲିଟରର ସ୍ପେୟାର ମିଳେ । ୧୨ଲିଟର ସ୍ପ୍ରେୟରରେ ୧୦ଲିଟର ଦ୍ରବଣ ଦେଇ ସ୍ପ୍ରେ କରାଯାଏ । ତେଣୁ ୧୦ଲିଟର ଦ୍ରବଣ ପାଇଁ ୧୦୦ଗ୍ରାମ ତୁତିଆ ଓ ୧୦୦ ଗ୍ରାମ ଚୂନ ଦରକାର ହୋଇଥାଏ । ଯେଉଁ ଦ୍ରବଣ ପ୍ରସ୍ତୁତହେଲା ତାକୁ ମିଶ୍ରଣ ୧% କହନ୍ତି ।

ବୋର୍ଡକସ ମିଶ୍ରଣ ୫.୫:୫୦ ପାଇଁ ୨କିଗ୍ରା ତୁତିଆ, ୨କିଗ୍ରା ଚୂନ ଓ ୨୨୫ ଲିଟର ପାଣି ନେଇ ମିଶ୍ରଣ ପ୍ରସ୍ତୁତ କରାଯାଏ । ପ୍ରଥମେ ଅଳ୍ପ ପରିମାଣର ପାଣିରେ ଚୂନ ଓ ତୁତିଆରେ ପିଣ୍ଡି ତିଆରି କରାଯାଏ । ଦୁଇଟି ମାଟି ହାଣ୍ଡିରେ ୪ଲିଟର ଲେଖାଏଁ ପାଣି ନିଅନ୍ତୁ । ଗୋଟିକରେ ୫୦୦ଗ୍ରାମ ଚୂନ ମିଶାଇ ପତଳା କନାରେ ଛାଣି ରଖନ୍ତୁ । ଅନ୍ୟ ହାଣ୍ଡିରେ ୪ଲିଟର ପାଣି ନେଇ ସାମାନ୍ୟ ଗରମ କରି ସେଥିରେ ୫୦୦ଗ୍ରାମ ତୁତିଆ ମିଶାନ୍ତୁ । ଅନ୍ୟ ଏକ ମାଟି ହାଣ୍ଡିକୁ ଚୂନ ଓ ତୁତିଆ ପାଣିକୁ ଏକ ସମୟରେ ଢାଳି ମିଶାନ୍ତୁ ଓ ଅବଶିଷ୍ଟ ୪୮ଲିଟର ପାଣି ମିଶାନ୍ତୁ । ଏହି ମିଶ୍ରଣରେ ଏକ ସଫା ଲୁହା କଣ୍ଟା ବା ବ୍ଲେଡ ବୁଡାଇ ପରୀକ୍ଷା କରି ଦେଖନ୍ତୁ ଯେପରି କଣ୍ଟାଟିରେ ତମ୍ବା ରଙ୍ଗର ଆବରଣ ନ ଲାଗେ ।

ବର୍ଷା ଦିନରେ ବୋର୍ଡକସ ଦ୍ରବଣ ତିଆରି କଲେ ସେଥିରେ ଲୁଗାଧୁଆ ସୋଢା ଓ କିଛି ଝୁଣା ମିଶାଇଲେ ଦ୍ରବଣ ଟିକିଏ ଅଠାଳିଆ ହୁଏ ଓ ଗଛରେ ଔଷଧ ଭଲ କାମ ଦିଏ । ସେଥିପାଇଁ ୧୦୦ଲିଟର ପାଣିରେ ଅଲଗା ରଖାଯାଏ । ମାଟି ପାତ୍ରରେ ୧୦ଲିଟର ପାଣିକୁ ଫୁଟାଇ ସେଥିରେ ୫୦୦ଗ୍ରାମ ଲୁଗାଧୁଆ ସୋଢା ପକାଯାଇ ଫୁଟାଯାଏ । ପାଣିର ରଙ୍ଗ ସାମାନ୍ୟ କଳା ଦେଖାଗଲା ପରେ ଏକ କେଜି ଝୁଣା ମିଶାଯାଇ ପୁଣି ନିଆଁରେ ବସାଯାଏ । ୫/୧୦ ମିନିଟ ପରେ ନିଆଁରୁ ଉତ୍ତରା ଯାଇ ଥଣ୍ଡା କରାଯାଏ । ଯେତେବେଳେ ଦ୍ରବଣ ୪୫ଡିଗ୍ରୀ ସେଣ୍ଟିଗ୍ରେଡ ଉତ୍ତାପକୁ ଆସିଥାଏ, ତାକୁ ଆଗରୁ ପ୍ରସ୍ତୁତ ହୋଇଥିବା ୯୦ଲିଟର ବୋର୍ଡକାସ ଦ୍ରବଣରେ ମିଶାଯାଇ ଭଲ ଭାବରେ ଫେଣ୍ଟାଜାଏ । ଗୋଟିଏ ଦିନରେ ଯେତିକି ବୋର୍ଡକସ ଦ୍ରବଣ ବ୍ୟବହାର କରିବେ ସେତିକି ପ୍ରସ୍ତୁତ କରିବା ଉଚିତ୍ । କାରଣ ଦ୍ରବଣ ରହିଗଲେ କାମ ଦିଏ ନାହିଁ । ତେବେ ଅଳ୍ପ ଗୁଡ ଉକ୍ତ ମିଶ୍ରଣରେ ମିଶାଇଲେ ରହିଯାଇଥିବା ମିଶ୍ରଣ ବ୍ୟବହାର ଉପଯୋଗୀ ହୋଇଥାଏ ।

ବୋର୍ଡକସ ପେଷ୍ଟ ତିଆରି ପ୍ରଣାଳୀ

୧୦୦ଗ୍ରାମ ତୁତିଆକୁ ଅଧ ଲିଟର ପାଣିରେ ଓ ୧୦୦ ଗ୍ରାମ ଚୂନକୁ ଅଧ ଲିଟର ପାଣିରେ ଅଲଗା ମାଟି ପାତ୍ରରେ ଭିଜାନ୍ତୁ । ଏହି ଦ୍ରବଣକୁ ଏକାଠି ମିଶାଇଲେ ଗୋଟିଏ ଲିଟର ବୋର୍ଡକସ ପେଷ୍ଟ ପ୍ରସ୍ତୁତ ହୁଏ । ଏହାଛଡା ଆଉ ୩ ପ୍ରକାରର ମଧ୍ୟ ବୋର୍ଡକସ ପେଷ୍ଟ ତିଆରି ହୁଏ । ପ୍ରଥମ କିସମରେ ତୁତିଆ ୪ପାଉଣ୍ଡ ଚୂନ ୮ପାଉଣ୍ଡ ଓ ପାଣି ୮ ଗ୍ୟାଲେନ ନିଆଯାଏ । ସେହି ପେଷ୍ଟକୁ ୪:୮:୮ କୁହାଯାଏ । ସେହିପରି ୪ପାଉଣ୍ଡ ତୁତିଆ, ୮ ପାଉଣ୍ଡ ଚୂନ ଓ ଗ୍ୟାଲେନ ପାଣିରେ ୪:୮:୬ ବୋର୍ଡକସ ପେଷ୍ଟ ତିଆରି କରାଯାଏ ।

ଯେଉଁ ପେଷ୍ଟ ତିଆରି କରିବାରେ ୪ପାଉଣ୍ଡ ତୁତିଆ, ୬ପାଉଣ୍ଡ ଚୂନ ଓ ୮ଗ୍ୟାଲେନ ପାଣି ବ୍ୟବହାର କରାଯାଏ ତାକୁ ୪:୬:୮ ବୋର୍ଡକସ ପେଷ୍ଟ କହନ୍ତି ।

ଆଧାର : ଡାକ୍ତର ସୂର୍ଯ୍ୟ ନାରାୟଣ ବେହେରା

Last Modified : 1/11/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate