ସେଆର କରନ୍ତୁ

ଚାଷ କ’ଣ

ଚାଷ କ’ଣ ର ସୂଚନା

ଉପକ୍ରମ

ଫସଲ  ଉତ୍ପାଦନ  ପାଇଁ   ମୃତ୍ତିକା   ଏକମାତ୍ର   ଉପଯୁକ୍ତ   ମାଧ୍ୟମ  । ଅନ୍ୟାନ୍ୟ  ମାଧ୍ୟମ  କେବେ  ହେଲେ   ମୃତ୍ତିକାର  ସ୍ଥାନ  ଗ୍ରହଣ   କରିପାରିବ   ନାହିଁ   । ମୃତ୍ତିକାରେ  ଫସଲ   ବୃଦ୍ଧି   ପାଇଁ  ସର୍ବାନୁକୁଳ  ପରିବେଶ  ସ୍ଥାନ  ଗ୍ରହଣ  କରିପାରିବ  ନାହିଁ   । ମୃତ୍ତିକାରେ  ଫସଲ  ବୃଦ୍ଧି   ପାଇଁ   ସର୍ବାଣିକୁଳ   ପରିବେଶ   ସୃଷ୍ଟି   କରିବା   କ୍ରିୟାକୁ   ଚାଷ  ବା  କର୍ଷଣ  କୁହାଯାଏ  । ହଳ  କରିବା, ମଇ ଦେବା, ବିଦା  ଦେବା, ଖୁସାଇବା,  କୋଡିବା   ହୁଡାଦେବା , ବେଉଷଣ କରିବା   ଇତ୍ୟାଦି   କୃଷି  କର୍ମ   ଚାଷ  ବା  କର୍ଷଣ   ଶବ୍ଦ  ଅନ୍ତର୍ଗତ   ,

ଚାଷ   ହେତୁ   ସୃଷ୍ଟି   ହେଉଥିବା  ମୃତ୍ତିକାର   ଭୌତିକ   ଅବସ୍ଥାକୁ  କମଣ, ଯୋତ ବା  ପତନ   ଯୋଗ୍ୟତା    କୁହାଯାଏ   ।

ଉପକାରିତା

ଚାଷ  ହେତୁ  ମୃତ୍ତିକାର  ଗଛକୁ   ଭଲଭାବରେ  ଧରି   ରଖିବା  ଶକ୍ତି   ବୃଦ୍ଧିପାଏ   । ଫସଲ  ବା  ଗଛଲାଗି   ଆବଶ୍ୟକ   ଉପାଦାନ   ସହଜରେ   ମିଳେ   । ବାୟୁ  ଓ  ଜଳୀୟଅଂଶ ମୁକ୍ତ  ଭାବରେ   ସଞ୍ଚାଳିତ   ହୋଇଥାଏ   ।  ମୃତ୍ତିକାରେ  ଅଣୁ  ଜୀବାଣୁମାନଙ୍କର   ସଂଖ୍ୟା  ଏବଂ  ସେମାନଙ୍କର  କ୍ରିୟା  ବୃଦ୍ଧି  ପାଇଥାଏ   । କର୍ଷଣ   ହେତୁ   ନିମ୍ନଲିଖିତ   ଉପକାର  ସାଧିତ   ହୋଇଥାଏ   ।

୧. ଭୌତିକ  ପରିବର୍ତ୍ତନ

  1. ଚାଷ  ହେତୁ  ମୃତ୍ତିକାର  ଭୌତିକ  ଗଠନ  ବୃଦ୍ଧିପାଏ   । ମୃତ୍ତିକା  ହାଲୁକା  ହୁଏ   । ସ୍ଥୂଳ  ସାନ୍ଧ୍ରତା  ହ୍ରାସପାଏ   । ଅଣୁ  ଛିଦ୍ର  ସଂଖ୍ୟା  ବୃଦ୍ଧିପାଏ   । ଆକାର  ହ୍ରାସପାଏ   । ମୃତ୍ତିକାର  ଜଳଧାରଣ  ଶକ୍ତି ଓ  ଜଳ  ପ୍ରଚଳନ  ହାର  ବୃଦ୍ଧିପାଏ  । ମୃତ୍ତିକାର  ବାଷ୍ପୀଭବନ   ହାର  ପରିବର୍ତ୍ତିତ   ହୁଏ   । ଅନେକସ୍ଥଳେ   ଅତ୍ୟଧିକ  ବା  ଉଦ୍ ବୃତ୍ତ   ଜଳ  ଶୀଘ୍ର   ନିଷ୍କାସିତ   ହୋଇପାରେ   । ସୁକର୍ଷିତ  ଜମିରେ   ଅଙ୍କୁରୋଦଗମ   ଭଲ  ହୁଏ   ଏବଂ  ଶୀଘ୍ର  ହୁଏ   । ଗଛର  ଛେରା  ଶୀଘ୍ର  ବଢେ , ବହୁତ  ତଳକୁ   ଯାଇ   ଖାଦ୍ୟ   ପଦାର୍ଥ  ସଂଗ୍ରହ   କ୍ଷମ   ହୁଏ   । ମୃତ୍ତିକା   ଦାନାଗୁଡିକର  ସଂରଚନା   ପରିବର୍ତ୍ତନ   ସମ୍ଭବ   ହୋଇଥାଏ   ।
  2. ବିଲରୁ   ଅନାବନା   ଘାସ,  ବାଳୁଙ୍ଗା  ଓ  ପୋକ  ଜୋକ   ମରିଯାନ୍ତି   । ଗଛର  ବୃଦ୍ଧିଲାଗି   ପରିବେଶ  ନିର୍ମଳ   ରହେ   । ଏମାନଙ୍କ   ଦ୍ଵାରା   ବ୍ୟବହୃତ   ହେଉଥିବା   ଜଳ  ଓ  ଖାଦ୍ୟସାର   ସଂରକ୍ଷିତ   ହୋଇଥାଏ ଏବଂ   ସମୟାନୁକ୍ରମେ   ଫସଲକୁ  ମିଳିଥାଏ   ।
  3. ମୃତ୍ତିକା  ହାଲୁକା  ରହୁଥିବାରୁ  ମୃତ୍ତିକା  ବାହାର  ଓ  ଭିତର   ତାପମାନ   ତାରତମ୍ୟ   ହ୍ରାସ   ପାଇଥାଏ   । ବେଶୀ  ଗରମ  ବା  ଥଣ୍ଡା   ହୁଏନାହିଁ   ।

୨. ରାସାୟନିକ   ପରିବର୍ତ୍ତନ

କର୍ଷଣ   ହେତୁ  ମୃତ୍ତିକାରେ  ଅମ୍ଳଜାନ  ପରିମାଣ  ଓ  ସଞ୍ଚାଳନ  ବୃଦ୍ଧିପାଇଥାଏ   । ବିଭିନ୍ନ   ଉପାଦାନ  ଅମ୍ଳଜାନ   ସହିତ  ମିଶି   ଜାରିତ   ହୋଇଥାନ୍ତି  ଏବଂ ଏଗୁଡିକୁ   ଫସଲ  ବା   ଗଛ  ସହଜରେ  ଗ୍ରହଣ  କରିପାରେ  ।  ବିଭିନ୍ନ   ଜୈବିକ  ପଦାର୍ଥର   ବିଘଟନ   ହେତୁ  ଏଥିରେ   ଥିବା  ଯୌଗିକ  ପଦାର୍ଥଗୁଡିକ  ସରଲା  ମୌଳିକ   ଉପାଦାନରେ  ପରିଣତ ହୁଅନ୍ତି  ଏବଂ   ଗଛ  ଏଗୁଡ଼ିକୁ   ସହଜରେ   ଗ୍ରହଣ  କରିପାରେ   । ପ୍ରୋଟିନ – ଆମାଇନୋ ଅମ୍ଳ -  ନାଇଟ୍ରାଇଟ – ନାଇଟ୍ରେଟ  ସୃଷ୍ଟି   ହୁଏ   । ସବୁ  ପ୍ରକାର  ନାଇଟ୍ରେଟ   ଜଳରେ  ଦ୍ରବଣୀୟ   । ଏହାକୁ   ଚେର  ସହଜରେ   ଶୋଷିପାରେ   । ଗର  ପଦାର୍ଥ   ଜାରଣ   ହେତୁ   ଉଦ୍ଭିଦର   ଖାଦ୍ୟୋପଯୋଗୀ  ସରଳ  ଉପାଦାନରେ  ପରିଣତ   ହୋଇଥାଏ   । ଖତ, ଗୋବର ଓ  ସାର  ଚାଷ  ହେତୁ  ମାଟିରେ   ଭଲଭାବରେ   ମିଶିଯିବା  ଦ୍ଵାରା   ସେଗୁଡିକୁ  ଚେର   ସହଜରେ   ଗ୍ରହଣ  କରିଥାଏ   ।

୩.  ଜୈବିକ  ପରିବର୍ତ୍ତନ

ମୃତ୍ତିକାରେ  ବିଭିନ୍ନ  ପ୍ରକାର  ଛୋଟ  ବଡ  ପ୍ରାଣୀ ଓ  ଉଦ୍ଭିଦ   ଅଛନ୍ତି   । ସେମାନଙ୍କର   ଜୀବନଧାରଣ  ପାଇଁ  ଅମ୍ଳଜାନ   ଓ  ଖାଦ୍ୟ  ଆବଶ୍ୟକ   । କର୍ଷଣ  ହେତୁ   ସେମାନଙ୍କର   ସଂଖ୍ୟା  ଓ ସକ୍ରିୟତା   ବୃଦ୍ଧିପାଏ   । ବିଭିନ୍ନ   ପ୍ରକାର  ଶୈବାଳ , କବକ, କିରଣ  କବକ , ବ୍ୟାକ୍ଟେରିଆ ଓ  ଅନ୍ୟାନ୍ୟ   ଅଣୁଜୀବାଣୁଙ୍କ  ସଂଖ୍ୟା   ବୃଦ୍ଧିପାଏ   । ଜିଆ ଓ  ବିଭିନ୍ନ   ପ୍ରକାର  ସୂତ୍ରଜୀବଙ୍କ   ସଂଖ୍ୟା  ମଧ୍ୟ  ବୃଦ୍ଧିପାଏ   ।

କମଣ  ହେତୁ  ଫସଲକୁ  ବୃଦ୍ଧି  ଓ  ବିକାଶ   ଲାଗି  ଉପଯୁକ୍ତ   ପରିବେଶ   ସୃଷ୍ଟି   ହୁଏ   । ଫସଲ   ଶକ୍ତ ଓ  ହୁଷ୍ଟପୃଷ୍ଟ   ହୋଇ   ବଢେ   ।

ଚାଷକର୍ମ

ଯେକୌଣସି   ପ୍ରକାରେ   ମୃତ୍ତିକା  ଶରୀର  ବିଦାରଣ  ପ୍ରକ୍ରିୟାକୁ   କର୍ଷଣ   ଆଖ୍ୟା   ଦିଆଯାଇଥାଏ   । ଏହି  କର୍ଷଣକୁ  ସାଧାରଣଭାବେ  ଚାଷ   କୁହାଯାଏ   । ଚାଷ   ହେତୁ  ମାଟି  ଫସଫସିଆ  ଓ  ନରମ  ହୁଏ   । ଏହି  ଅବସ୍ଥାକୁ  ମାଟିର   ଭଲ  କମଣ   ଅବସ୍ଥା   ବୋଲି   କୁହାଯାଏ   । ଆଙ୍ଗୁଠିରେ   ଅନୁଭବ   କଲେ  ମାଟିର   ଦାନାଗୁଡିକ   ହାତକୁ   ନରମ  ଲାଗେ  । ଦାବିଦେଲେ  ଦାନାଗୁଡିକ   ଚୁରି   ହୋଇଯାଏ   । ଚାଷର  ପ୍ରକାର  ଓ  ପରିମାଣ   ଅନୁସାରେ   ମାଟିରେ  ବିଭିନ୍ନ  ପ୍ରକାର  କମଣ  ଅବସ୍ଥା  ସୃଷ୍ଟି   ହୋଇଥାଏ   । ଫସଲ  ଅନୁସାରେ   ମଧ୍ୟ   ଆବଶ୍ୟକ  କମଣ  ଅବସ୍ଥା   ଭିନ୍ନ   ହୋଇଥାଏ   । ସୋରିଷ , ମାଣ୍ଡିଆ, ପିଆଜ  ଭଳି  ଛୋଟ  ଚୋପା  ଓ  ପତଳା  ମଞ୍ଜି  ବୁଣିବା  ପାଇଁ  ମାଟି  ଅତ୍ୟନ୍ତ  ଚୂନା  ଓ  ନରମ  ହେବା   ଦରକାର   ।  ଧାନ, ହରଡ, ବରଗୁଡି, ଜଡା  ଭଳି  ବଡ ଓ  ମୋଟା   ଚୋପା   ମଞ୍ଜି   ପାଇଁ   ମାଟି   ବେଶୀ  ନରମ   ହେବା   ଆବଶ୍ୟକ   ନଥାଏ   । ଜମିରେ  ଛୋଟ  ଛୋଟ  ଟେକା  ଓ  ଡେଣୁଆ  ରହିଲେ   ଚଳେ   ।

ବାଲି, ସରୁବାଲି,  ପଟୁ,  କର୍ଦ୍ଦମ, ବିଭିନ୍ନ   ଜୈବ  ଓ  ରାସାୟନିକ  ବନ୍ଧନ   ଓ  ଯୋଡଣକାରୀ  ପଦାର୍ଥ   ଦ୍ଵାରା   ମୃତ୍ତିକାର   ଚୂର୍ଣ୍ଣ   କଣିକା, ଦାନା, ପିଣ୍ଡ, ଗୁଚ୍ଛ  ଡେଣୁଆ ଓ  ଢେଲା, ଛେଲା  ଇତ୍ୟାଦି   ସୃଷ୍ଟି   ହୋଇଥାଏ   । ମୃତ୍ତିକାର   ଗୁଣ ଓ  ଏଥିରେ  ବିଭିନ୍ନ  ପରିମାଣର   ଜଳୀୟ  ଅଂଶ   ଥିବା  ସମୟରେ   କର୍ଷଣ   ହେତୁ  ଏଗୁଡିକ  ଭିନ୍ନ  ଭିନ୍ନ   ଆକାର  ଓ  ପ୍ରକାର  ବିଶିଷ୍ଟ   ହୋଇ   ମୃତ୍ତିକା  ବୟନ  କୁ   ଭିନ୍ନ  କରିଥାନ୍ତି   ।

ତାଳି   ଘରାପାଇଁ   ବା  ତଳିପଟି   ଜମି  ତିଆରି  ମଧ୍ୟ  ସେହିପରି   ଫସଲ  ଅନୁସାରେ  ଭିନ୍ନ  ହୋଇଥାଏ   । ଧୂଆଁପତ୍ର  ଲାଗି   ତଳିଘରା , ଧାନ  ଲାଗି  ତଳିଘରା   ଏକପ୍ରକାର  କମଣ   ଆବଶ୍ୟକ   କରନ୍ତି   ନାହିଁ   । ଧୂଆଁପତ୍ର   ଲାଗି  ତଳିଘରା  ଧାନ  ଲାଗି  ତଳିଘରା   ତୁଳନାରେ  ଖୁବ୍  ନରମ , ଚୂନା  ଓ ଫସଫସିଆ   ହେବା  ଦରକାର   ।

ଫସଲ  ବୁଣିବାଠାରୁ   କାଟିବା   ସମୟ   ଭିତରେ  ଜମି   ଟାଣ   ହୋଇଯାଏ   । ପରବର୍ତ୍ତୀ  ଫସଲ  ପାଇଁ   ଜମିକୁ   ଚଷି  ମାଟି   ହାଲୁକା   କରିବାକୁ   ପଡେ   । ଟାଣ   ମାଟିରେ   ସ୍ଥୂଳ   ସାନ୍ଧ୍ରତା   ହାଲୁକା   ମାଟିର   ସ୍ଥୂଳ   ସାନ୍ଦ୍ରତାଠାରୁ   ବେଶୀ   । ମାଟିରେ  ଠିକ୍ ପରିମାଣର   ଜଳୀୟ  ଅଂଶ  ଥାଇ  ଚାଷ  କରାଗଲେ  ଲଙ୍ଗଳ  ଠକ୍  ଠକ୍   ହୁଏ  । ଲଙ୍ଗଳ  କାଟେ  ନାହିଁ   । ଜଳୀୟ  ଅଂଶ  ବେଶି  ଥାଇ  ଚାଷ  କଲେ   ମାଟି   ଛେଲା   ଚେଲା   ହୋଇ   କଟେ   । ଛେଲାଗୁଡିକ  ଶୁଖି  ଗଲେ  ଖୁବ୍  ଟାଣ   ହୋଇଯାଏ   । ପରବର୍ତ୍ତୀ   ଚାଷରେ   ଛେଲାଗୁଡିକ   ଭାଙ୍ଗେ  ନାହିଁ  କିମ୍ବା   ଅଳ୍ପ   ଅଳ୍ପ  ଭାଙ୍ଗିଯାଇ   କିଆରୀଯାକ   ଟାଣ   ଡେଣୁଆ   ହୋଇଯାଏ   । ଏପରି   ଜମିରେ   ଫସଲ   ବୁଣିଲେ  ଶୀଘ୍ର  ଗଜା  ହୁଏନାହିଁ   । ପାହି   ପଡିଆ   ହୁଏ   । ଜିଆଗଳା   ମାଟି  ଠିକ୍  ସମୟରେ   ଚାଷ  ନହେଲେ   ଶୁଖି   ଟାଣ  ହୋଇଯାଏ   । ପାଦରେ   ଛୁଞ୍ଚିଭଳି   ଗଳିଯାଏ   । ମାଟିରେ   କେତେ  ବତର  ବା  ଜଳୀୟଅଂଶ   ଥାଇ   ଚାଷ   କଲେ  ଭଲ  କମଣ   ହୋଇପାରିବ   ତାହା  ଜାଣିବା  ଓ  ସ୍ଥିର   କରିବା   ବହୁ  ବର୍ଷର   ଅଭିଜ୍ଞତା   ଉପରେ   ନିର୍ଭର  କରେ   । ଏଥିଲାଗି   କୌଣସି  ଗାଣିତିକ   ନିୟମ  ଏପର୍ଯ୍ୟନ୍ତ   ଉଦ୍ଭାବିତ   ହୋଇନାହିଁ   ।

ମଞ୍ଜି  ବୁଣିବାଠାରୁ   ଆରମ୍ଭ  କରି   ଫସଲ  କାଟିବା   ସମୟ   ଭିତରେ   ଫସଲର  ବୃଦ୍ଧି  ଓ  ବିକାଶ ଲାଗି   ବିଲରେ   ଅନେକ   ପ୍ରକାର  କମଣ   କରିବାକୁ   ପଡିଥାଏ  ଯଥା – ମଇଦେବା, ଘାସ  ବାଛିବା, ବିଦାଦେବା,  ଖୁସାଇବା,  କୋଡିବା,  ହୁଡା  ଦେବା  ଇତ୍ୟାଦି   । ମଞ୍ଜି   ବୁଣିବା , ଲଗାଇବା  ବା  ଚାଷ   ବା  ତଳି   ପାଇଁ   ଚାଷ   କରାଯାଏ  ତାହାକୁ   ମୂଳଚାଷ  ବା  ପ୍ରାଥମିକ   କର୍ଷଣ  କହନ୍ତି   । ହଳକରିବା ; ମଇଦେବା, ଜମି  ସମାନ  କରିବା, ରୋଇବା  ପାଇଁ  କାଦୁଅ  କରିବା  ଇତ୍ୟାଦି   କୃଷିକର୍ମ   ପ୍ରାଥମିକ  କର୍ଷଣ   ଅନ୍ତର୍ଗତ   । ପରେ   ବିଲରୁ   ଘାସ  ବାଛିବା , ବେଉଷଣ   କରିବା  ବତୁରିକାଳ  ଦେବା,  ଖୁସାଇବା, ହୁଡାଦେବା  ଇତ୍ୟାଦି   କୃଷି   ଜମିକୁ  ମାଧ୍ୟମିକ , ଅନ୍ତଃ  ବା  ପରବର୍ତ୍ତୀ   କର୍ଷଣ   କୁହାଯାଏ   ।

ପ୍ରାଥମିକ  ଚାଷ

କ’ଣ ଓ  କାହିଁକି  ? ହଲକରିବା  - ବିନା  ଚାଷରେ  କୃଷି  ଅସମ୍ଭବ   । ଚାଷ  ଲାଗି  ଭୂମି  ବିଦାରଣ  ଅନିବାର୍ଯ୍ୟ  । ସମ୍ଭବତଃ   ଆଦିମାନବ  ଖଣ୍ଡେ  ଡାଳ  ବା  କାଠ  ସାହାଯ୍ୟରେ  ଭୂମି   ବିଦାରଣ  କରି  ବୀଜ  ବପନ  କରିଥିଲା   । ବିଦାରଣ  ଯନ୍ତ୍ର  ସହିତ  ତାଳ  ମିଶାଇ  କୃଷି  ସଭ୍ୟତା   ବିକଶିତ   ହେଲା   । କାଠରେ  ଲୁହା   ଫାଳ  ଯୋଡା   ହେଲା  ଏବଂ  ଏହାର  ବିଦାରଣ  କ୍ଷମତା  ଓ  ଦକ୍ଷତା   ବୃଦ୍ଧି   ପାଇଲା   ।  ଏହି  ଯନ୍ତ୍ରଟିକୁ  କୁହାଗଲା – ଲଙ୍ଗଳ   । ଏହି  ପୁରାତନ  ଭୂମି  କର୍ଷଣ   ଯନ୍ତ୍ରଟି  ଭାରତୀୟ  କୃଷି  ସଭ୍ୟତାର  ପ୍ରତୀକ  ହୋଇ  ରହିଆସିଛି  - ଏଯାବତ୍  ଲଙ୍ଗଳ   ଦ୍ଵାରା  ଭୂମି  ବିଦାରଣ  ପ୍ରଣାଳୀକୁ  ଚାଷ  ବା  ହଳ  କୁହାଗଲା   । ପ୍ରଥମେ  ମଣିଷ  ତାର  ସମସ୍ତ  ଶକ୍ତି, ସାମର୍ଥ୍ୟ  ଓ  ସମୟ  ଖଟାଇ  ଅଳ୍ପ  ଜମି   ଚାଷ   କରିପାରୁଥିଲା   । ଲଙ୍ଗଳଟିକୁ  ନିଜେ  ଟାଣି  ମଞ୍ଜି  ବୁଣିଲା   । ଜଣେ  ଧରିଲା  ଓ  ଆଉ  ଜଣେ  ଟାଣିଲା   । କ୍ରମେ  ଏଥିଲାଗି  ବଳଦ, ମଇଁଷି, ଓଟ , ଘୋଡା  ଆଦି  ପଶୁର  ସାହାଯ୍ୟ  ନିଆଗଲା   । ବର୍ତ୍ତମାନ  ଶକ୍ତିଚାଳିତ  ଟ୍ରାକ୍ଟର  ସାହାଯ୍ୟରେ   ଲୁହା  ଲଙ୍ଗଳ  ଯୋଡି  ଅଳ୍ପ  ସମୟ  ମଧ୍ୟରେ  ଅନାୟାସରେ  ବହୁତ  ଜମି  ଉତ୍ତମରୂପେ  ଚାଷ  କରାଯାଉଛି   ।

ଯେକୌଣସି   ପ୍ରକାର  ଭୂମି   ବିଦାରଣ  ପ୍ରକ୍ରିୟାକୁ   କର୍ଷଣ   କୁହାଯାଏ   । ଲଙ୍ଗଳରେ   ଚାଷକୁ   ହଳ   କୁହାଯାଏ  । କିଆରୀରୁ  ଫସଲ  ଉଠାଗଲା   ପରେ   ପଡିଆ  କିଆରୀକୁ  ଲଙ୍ଗଳରେ   ଚିରି   ଦିଆଯାଏ  ଏହା  ଚାଷର  ପ୍ରଥମ  ସୋପାନ   । ଏହାଦ୍ୱାରା  ମାଟି  ଚିରି  ହୋଇଯାଏ   । ଅନାବନା   ଘାସ  ତାଡି  ହୋଇଯାଏ  ଏବଂ   ମାଟିରେ   ମିଶିଯାଏ   ।କେତେକ   ରୋଗାଣୁ  ଓ  କୀଟାଣୁ  ମରିଯାନ୍ତି   । ବାୟୁ  ଗତାଗତ   କରିପାରେ   । ଚାଷ  ହୋଇଥିବା   ଜମିରେ   ବର୍ଷା  ଜଳ   ଶୋଷି   ହୋଇଯାଏ   । ଚାଷ  ନହୋଇ  ପଡିଆ  ପଡିଥିବା   ଜମିରେ  ବର୍ଷାଜଳ   ଭେଦି   ନପାରି  ବୋହିଯାଏ  ବା  ବାଷ୍ପୀଭୂତ   ହୋଇଯାଏ   ।

୨.  ଡେଣୁଆ  ଭଙ୍ଗା  ଓ  ଘାସ  ବଛା

ଏହା  ପ୍ରାଥମିକ  ଚାଷର  ଦ୍ଵିତୀୟ  ପର୍ଯ୍ୟାୟ   । ହଳ  ପରେ  ମାଟିର  ଗୁଣ  ଓ  ବତର  ପରିମାଣ  ଅନୁସାରେ   କିଆରୀରେ  ଛୋଟ  ବଡ  ଡେଣୁଆ  ରହିଯାଏ   । ଡେଣୁଆ  ତଳିଆ  ମଞ୍ଜିରୁ  ଶୀଘ୍ର  ଗଛ  ହୁଏନାହିଁ   । ଗଜା  ମାଡଖାଏ   ।ଏଣୁ  ମଇ  ଦେଇ  ବା  ପିଟଣା  ସାହାଯ୍ୟରେ  ବାଡେଇ  ଡେଣୁଆ  ଭାଙ୍ଗି  ଗୁଣ୍ଡ  କରାଯାଏ   । ଏହାଦ୍ଵାରା  ବେରହା   ଭିତର  ଖାଲ  ଜାଗା  ସମତୁଲ  ହୋଇଯାଏ   । ଏହି  ସମୟରେ ମାଟି  ଉପର  ବା  ଭିତରେ  ରହିଯାଇଥିବା   ଅନାବନା  ଘାସ  ବାଛିବା  ଦରକାର  ପଡେ   ।

ଏହି   ଦୁଇକାମ   ଏବେ  ବିଭିନ୍ନ  ପ୍ରକାର  ଯନ୍ତ୍ର   ସାହାଯ୍ୟରେ  କରାଯାଇପାରୁଛି   ।  ଏଗୁଡ଼ିକୁ  ହାରୋ  ଓ  କଲ୍ ଟିଭେଟର   କୁହାଯାଏ   । ଏ  ହାରୋ  କଲ୍ ଟିଭେଟର   ସାହାଯ୍ୟରେ   ବଡ  ବଡ   ଫାର୍ମ  ଓ  ଜମି  ଚାଷ  କରିବା  ସହଜ  । ଛୋଟ  ଛୋଟ  କିଆରୀ   ପାଇଁ   ହାତଟଣା  ଓ  ବଳଦଟଣା   ହାରୋ  ଓ  କଲ୍ ଟିଭେଟର   ବ୍ୟବହାର   କରାଗଲାଣି   ।

୩. ଜମି  ସମତୁଲ  କରିବା

ଫସଲ  ଚାଷ  ପାଇଁ  ଜମି  ସମତୁଲ  କରିବା   ଦରକାର   । ଜମି  ସମତୁଲ   ହେଲେ   ଚାରିଆଡେ  ସମାନ   ଭାବରେ  ପାଣି   ମାଡିପାରେ   । ଖାଲ  ଢିପ   ରହିଲେ   ଫସଲ  ଏକ  ମଚ୍ଛା  ହୋଇ   ବଢେ  ନାହିଁ   । ଢିପ  ଜାଗାରୁ   ପାଣି   ଶୀଘ୍ର  ଛାଡିଯାଏ   । ଗଛ  ଶୁଖିଯାଏ   । ଖାଲ   ଜାଗାରେ   ପାଣି   ଜମି  ରହିବାକୁ   ଫସଲ  ପାଣି   ଗଇଁଆ  ହୋଇଯାଏ   ।

କୋରଡି   ଓ  ମଇ   ଦ୍ଵାରା  ଜମି  ସମାନ  କରାଯାଏ   । ବେଶି   ଖାଲ   ଢିପ  ଥିଲେ   କୋରଡି   ସାହାଯ୍ୟରେ   ମାଟି  ଢିପ  ଜାଗାରୁ  ବୋହି  ନେଇ  ଖାଲ  ଜାଗାରେ  ଭର୍ତ୍ତିକରି   ସମାନ  କରାଯାଏ   । ମଇ  ଅଚା  ଅଚା  କରିଦିଆଗଲେ  ବିଲ  ସମାନ  ହୋଇଥାଏ   । ମଇ  ତଳେ   ରହିଯାଉଥିବା , ଅନାବନା  ଘାସ  ଗୋଟେଇ   ଆଣିବା  ଶଜା  ହୁଏ   । ମଇ  ଦେବା   ହେତୁ   ଉପର   ସ୍ତର  ମାଟି   ଛିଦ୍ରଗୁଡିକ   ବନ୍ଦ   ହୋଇଯାଏ   । ବାଷ୍ପୀଭବନ   ହାର  ହ୍ରାସ   ପାଇଥାଏ   ଏବଂ  ବିଲରୁ   ଜଳୀୟ  ଅଂଶ  ଶୀଘ୍ର  ନଷ୍ଟ   ହୁଏନାହିଁ   । ମାଟି  ସହିତ   ମାଟି   ଘଷି  ହୋଇ   ମାଟି  ଧୁଳି   ହୋଇଯାଏ   ଏବଂ   ଦାନାଗୁଡିକର   ଅନୁପୃଷ୍ଟ   କ୍ଷେତ୍ରଫଳ  ବୃଦ୍ଧି  ପାଇଥାଏ   । ଏହି  ହେତୁ   ଉପରମାଟି   ବେଶି  ଜଳୀୟଅଂଶ   ଧରି   ରଖେ   । ଉପରମାଟି   ଦାବି  ହୋଇଯାଏ  ଏବଂ  ଛେଚା   ବର୍ଷା  ହେତୁ   ମାଟି  ଧୋଇ  ହୋଇଯାଏ   ନାହିଁ   । ମଞ୍ଜି   ମାଟିରେ   ଭଲଭାବେ  ଘୋଡେଇ   ହୋଇଯାଏ  ଏବଂ   ମାଟି  ଓ  ମଞ୍ଜି   ମଧ୍ୟରେ   ନିବିଡ   ସମ୍ପର୍କ   ସ୍ଥାପିତ   ହୋଇଯିବାରୁ   ମଞ୍ଜି   ମାଟିରୁ   ଜଳୀୟଅଂଶ   ଶୋଷି   ଫୁଲେ  ଓ  ଶୀଘ୍ର  ଗଜା   ହୁଏ   । ଏକ  ମଛା   ହୋଇ  ବଢେ   ।

ଧାନ, ମୁଗ, ବିରି, କୋଳଥ , ମାଣ୍ଡିଆ, ନଳିତା, ଧନିଆ, ସୋରିଷ   ଓ ଗହମ   ଆଦି   ଫସଲ  ବୁଣିସାରି , ଅଳ୍ପ   ଗହୀରିଆ  ଓଡେ   ହଳକରି   ମଇ  ଦିଆଯାଏ   । କିନ୍ତୁ  ଶାରଦ  ଧାନ  ବୁଣିସାରି   କେବଳ   ଓଡେ  ଚାଷ  କରି   ଘୋଡେଇ   ଦିଆଯାଏ   । ଏଥିରେ   ମଇ  ଦିଆଯାଏ   ନାହିଁ   । ପ୍ରାୟସବୁ  ରବି  ଫସଲ   ପାଇଁ  ମଇ  ଦେବା  ଆବଶ୍ୟକ   ହୋଇଥାଏ   ।

୪. ଖରାଟିଆ  ଚାଷ   କ’ଣ  କାହିଁକି   ?

ଏହା  ପ୍ରାଥମିକ  କର୍ଷଣର   ଏକ  ପର୍ଯ୍ୟାୟ   । ଓଡିଶାରେ  ସାଧାରଣତଃ  ଶାରଦ   ଧାନ   କଟା   ହେବା  ପରେ   ଜମି   ପଡିଆ   ପଡେ   କିମ୍ବା   ବତର   ଥିଲେ   ହଳ  କରାଯାଇ  ମୁଗ, ବିରି, ଧନିଆ, ଚଣା  ଇତ୍ୟାଦି   ରବି   ଫସଲ   ବୁଣାଯାଏ   ।  ଚୈତ୍ର  ଓ  ବୈଶାଖ   ମାସରେ   କିଛି  କିଛି  ବର୍ଷା   ହୁଏ   ।  ଏହାଦ୍ଵାରା   ମାଟି  ବତର   ହୁଏ   । ଏହି  ସମୟରେ   ଜମିକୁ  ୨ – ୩  ଓଡ  ଚାଷକରି   ଛାଡିଦିଆଯାଏ  । ଏହି  ଚାଷକୁ   ଖରାଟିଆ   ଚାଷ  କହନ୍ତି   ।

ଏହାଦ୍ଵାରା  ମୃତ୍ତିକାର  ଭୌତିକ, ରାସାୟନିକ  ଓ  ଜୈବିକ  ପରିବର୍ତ୍ତନ   ସାଧିତ   ହୋଇଥାଏ   । ପରବର୍ତ୍ତୀ   ଫସଲ   ଏଥିରୁ   ଯଥେଷ୍ଟ   ଉପକାର  ପାଇ   ଭଲ  ଅମଳ   ଦେଇଥାଏ   ।

ଭୌତିକ  ପରିବର୍ତ୍ତନ – ଖରାଟିଆ   ଚାଷ  ହେତୁ  ମାଟି  ହାଲୁକା  ରହେ   । କିଆରୀରେ  ଶାନବଦ  ଡେଣୁଆ  ଥାଏ   ।

ଡେଣୁଆଗୁଡିକ  ମଧ୍ୟରେ   ଫାଙ୍କ  ଥାଏ   । ଏହି  ଫାଙ୍କ  ଦେଇ  ବାୟୁ   ସହଜରେ  ଚଳାଚଳ  କରିପାରେ  । ତଳମାଟି   ଉପରକୁ   ଆସେ  ଓ  ଉପର   ମାଟି   ତଳକୁ  ଯାଏ   । ମାଟି  ଜ୍ୟେଷ୍ଠ  ମାସ   ଶେଷ  ଯାଏ   ପ୍ରଚଣ୍ଡ   ଖରାରେ   ଶୁଖି   ରହେ   । ଏହି  ସମୟରେ   ବାଯୁମଣ୍ଡଳର   ତାପମାନ  ୩୮ – ୪୦ ଡିଗ୍ରୀ   ଏବଂ  ମୃତ୍ତିକା   ତାପମାନ  ୪୨ – ୪୪ ଡିଗ୍ରୀ  ସେଲସିୟସ   ରହିଥାଏ   । ଏହି  ଖରାରେ   ମାଟି  ଆପେ  ଆପେ   ବିଶୋଧିତ   ହୋଇଯାଏ   । ମୃତ୍ତିକା  ଦାନାର   କର୍ଦ୍ଦମ   ଆକାର  ଗୋଲାକାର  ଥାଳିଆ   ଭଳି   । ଏହାର  ତିନି   ଦିଗରୁ   ସମ୍ପ୍ରସାରିତ  ଓ  ସଙ୍କୁଚିତ   ହେବାର   ଗୁଣଅଛି   । ଖରାରେ   ଶୁଖି  ଶୁଖି   ଦାନାଗୁଡିକ    ସଙ୍କୁଚିତ  ହୋଇ ରହିଥାନ୍ତି   । ବର୍ଷାପାଣି  ପାଇଲେ   ଏହାର  ଉପରେ  ଜଳବିନ୍ଦୁ   ସ୍ତର  ସ୍ତର   ହୋଇ   ଲାଖି  ରହିବା   ହେତୁ  ଦାନାର   ଆକାର  ବଡ   ହୁଏ,  ଦାନା  ଫୁଲେ  । ଛିଦ୍ର  ଭିତରେ   ପାଣି  ଭର୍ତ୍ତି   ହୋଇଯାଏ   । ଜଳ  ଶୋଷଣ  ହେତୁ   ଡେଣୁଆର  ଆକାର  ବଢିଯାଏ  ଏବଂ ଓଜନିଆ  ହୋଇଯାଏ   । କ୍ରମେ  ଦାନାଗୁଡିକ   ଡେଣୁଆ  ଦେହରୁ   ଝଡି   ପଡେ   । ମାଟି  ଝୁରୁ  ଝୁରିଆ  ହୋଇଯାଏ   ।

ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ

3.0
ରୋଲ୍ଲ ଓଵେର ସ୍ତର୍ସ, ଅନ୍ଦ ଥେନ ଲିକ ତୋ ରତେ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
Back to top