ହୋମ / କୃଷି / କୃଷି ସରଞ୍ଜାମ / ଚାଷ ଯନ୍ତ୍ରପାତି
ସେଆର କରନ୍ତୁ

ଚାଷ ଯନ୍ତ୍ରପାତି

ଚାଷରେ ଜମି ପ୍ରସ୍ତୁତିଠାରୁ ଆରମ୍ଭକରି ଫସଲ କାଟିବା ପର୍ଯ୍ୟନ୍ତ ବିଭିନ୍ନ ଯନ୍ତ୍ରପାତି ବ୍ୟବହୃତ ହୋଇଥାଏ ।

ଚାଷରେ   ଜମି  ପ୍ରସ୍ତୁତିଠାରୁ  ଆରମ୍ଭକରି   ଫସଲ  କାଟିବା  ପର୍ଯ୍ୟନ୍ତ   ବିଭିନ୍ନ  ଯନ୍ତ୍ରପାତି   ବ୍ୟବହୃତ   ହୋଇଥାଏ । ପ୍ରାଥମିକ  ଚାଷ  ଲାଗି   ବ୍ୟବହୃତ  ଯନ୍ତ୍ରପାତିଗୁଡିକୁ  ପ୍ରାଥମିକ   ଯନ୍ତ୍ରପାତି  ଏବଂ  ପରବର୍ତ୍ତୀ   କର୍ଷଣ   ପାଇଁ   ବ୍ୟବହୃତ  ଯନ୍ତ୍ରପାତିଗୁଡିକୁ  ଅନ୍ତଚାଷ   ଯନ୍ତ୍ରପାତି   ବୋଲି  କୁହାଯାଇଥାଏ । କିନ୍ତୁ   କେତେକ   ଯନ୍ତ୍ରପାତି   ସବୁ   ସମୟରେ   ବ୍ୟବହୃତ   ହୁଏ   । କୃଷି  ଲାଗି  ବ୍ୟବହୃତ   ବିଭିନ୍ନ   ଯନ୍ତ୍ରପାତିର  ବିବରଣୀ   ନିମ୍ନରେ  ପ୍ରଦତ୍ତ   ହେଲା   ।

ପ୍ରାଥମିକ  ଚାଷ   ଯନ୍ତ୍ରପାତି

  1. ଲଙ୍ଗଳ
  2. ଏହା  ସର୍ବପ୍ରଥମ  ଓ  ସର୍ବପ୍ରଧାନ   ଚାଷ  ଉପକରଣ   । ଏହା  ଚାଷଲାଗି  ଅପରିହାର୍ଯ୍ୟ   । ପୃଥିବୀର  ବିଭିନ୍ନ  ଦେଶରେ   ଏହି  ଲଙ୍ଗଳର  ଆକାର   ଓ  ପ୍ରକାର  ଭିନ୍ନ  ହେଲେହେଁ   ସର୍ବତ୍ର   ଏହାର  ସ୍ଥାନ  ପ୍ରଥମ  ଓ  ଉଦ୍ଦେଶ୍ୟ   ସମାନ   । କାଳକ୍ରମେ   ଏହାର  ପ୍ରକାର ଓ  କାର୍ଯ୍ୟକାରୀତା  ଶକ୍ତିର   ପରିବର୍ତ୍ତନ   ଅଣାଯାଇଛି   । ପ୍ରାଥମିକ  ବିଦାରଣ   ପାଇଁ  ଲଙ୍ଗଳ  ଏକମାତ୍ର  ଯନ୍ତ୍ର   । ଲଙ୍ଗଳ  ଦୁଇ  ପ୍ରକାର  - କାଠ  ଲଙ୍ଗଳ  ଓ  ଲୁହା  ଲଙ୍ଗଳ   । ଭାରତ  ତଥା  ପୂର୍ବ  ଏସୀୟ  ଦେଶମାନଙ୍କରେ  କାଠ  ଲଙ୍ଗଳ  ବହୁ  ପୁରାକାଳରୁ  କୃଷିଲାଗି   ଅପରିହାର୍ଯ୍ୟ  ସର୍ବପ୍ରଧାନ  ଓ  ପ୍ରଥମ  ଯନ୍ତ୍ର  ରୂପେ  ବ୍ୟବହୃତ  ହୋଇଆସୁଛି   ।

    ଲଙ୍ଗଳ  ପଡିଆ  ଜମି  ଚିରିବା, ମାଟି  ଗୁଣ୍ଡ  କରିବା, ମାଟିରେ  ଖତ ଓ  ସାର   ମିଶାଇବା , ବିହନ  ବୁଣିବା  ପରେ   ମାଟି   ଘୋଡାଇବା, ଅନାବନା   ଘାସ  ମାରିବା  ଇତ୍ୟାଦି   ବିଭିନ୍ନ  କାମ  ପାଇଁ  ବ୍ୟବହୃତ  ହୋଇଥାଏ   । ଏହା  ଏକ  ନାନାବିଧି  କର୍ମ  ସମ୍ପାଦନକାରୀ  ବହୁମୂଖୀ   କୃଷି  ଯନ୍ତା  ବିଭିନ୍ନ  କାମ  ପାଇଁ  ଏହାର  ଆକାର  ପ୍ରକାର  ଭିନ୍ନ  ହୋଇଥାଏ   ।

    • କାଠ  ଲଙ୍ଗଳର  ବିଭିନ୍ନ   ଅଙ୍ଗ
    • (୧) ମୁଣ୍ଡା ବା  ଗଣ୍ଡି, (୨) କଣ୍ଟି, (୩) ଈଷ, (୪) ଫାଳ, (୫) ଲଙ୍ଗଳ  ଲୁହା  । ଲଙ୍ଗଳ  ସଜପାଇଁ   ଆବଶ୍ୟକ  ଜୁଆଳି ଓ  ଦଉଡି  । ଜୁଆଳି   ମଧ୍ୟ  କାଠରେ   ତିଆରି  । ଓଡିଶାରେ   ମଧ୍ୟ  ଲଙ୍ଗଳର  ଆକାର  ବିଭିନ୍ନ  ଜାଗାରେ   ଭିନ୍ନ  ଭିନ୍ନ   ହୋଇଥାଏ  । ପାହାଡିଆ  ଅଞ୍ଚଳରେ  ଏହା   ଗୋଜିଆ  ଓ  ସରୁ  ଏବଂ   ଖଣ୍ଡିଏ  କାଠରେ   ତିଆରି  । ଉପକୂଳ  ଜିଲ୍ଲାରେ   ଏହା  ଦୁଇଜଣ  କାଠରେ   ତିଆରି   । ଅପେକ୍ଷାକୃତ   ବଡ ଓ  ଓଜନିଆ । ବ୍ୟବହାର  ଦୃଷ୍ଟିରୁ  ଏହାକୁ   ଗୋଡିଙ୍ଗା, ଅଧାପରି ଓ  ବଡ  ଲଙ୍ଗଳ  କୁହାଯାଏ ।

    • ଲୁହା  ଲଙ୍ଗଳ
    • ଏହା  ମୁଣ୍ଡା   ଲୁହାରେ   ତିଆରି   । ମୁଣ୍ଡା   ଡାହାଣ  ପାଖକୁ   ବକ୍ର   । ଏହି   ମୁଣ୍ଡାରେ  କାଠର  କଣ୍ଟି ଓ  ଈଷ  ଲାଗିଥାଏ   । ଏହି ଲଙ୍ଗଳକୁ   ଇଂରାଜୀରେ  ମୋଲଡ   ବୋର୍ଡ  ଲଙ୍ଗଳ  କୁହାଯାଏ   । ମୁଣ୍ଡାଟି   ଟାଣ   ଅଳ୍ପ  ପାଣିଦିଆ   ଲୁହାରେ  ତିଆରି   । ଏହାର  ଆଗରେ   ଗୋଟିଏ   ଗୋଜିଆ   ତିନିକଣିଆ  ଲୁହା   ଯୋଡା   ହୋଇଥାଏ   । କେତେକ   ଲଙ୍ଗଳରେ   ଲୁହା  ଓ  ମୁଣ୍ଡା  ଖଣ୍ଡିଏ  ଲୁହାରେ   ଗଢା   । ଏପରି  ଲଙ୍ଗଳ ଅ  ଭାଙ୍ଗିଗଲେ   ମୁଣ୍ଡାଟିକୁ   ସଂପୂର୍ଣ୍ଣ  ବଦଳେଇବାକୁ  ପଡେ   ।  ଏଥିରେ  ଆଉ  ଲୁହାଫାଳ   ଯୋଡି  କାମ  କରି   ହୁଏ   ନାହିଁ   ।

      ଲୁହା  ଲଙ୍ଗଳରେ   ଦେଶୀ  ଲଙ୍ଗଳ  ଅପେକ୍ଷା  ବେଶି   ଚାଷ  କରିହୁଏ   । ମାଟି   ସମ୍ପୂର୍ଣ୍ଣଭାବେ  କାଟି  ହୋଇଯାଏ   । କାଟି   ହୋଇଯାଉଥିବା   ମାଟି  ଅଚାରେ  ଡାହାଣ  ପଟକୁ   ପଡେ   ।  ଗୋଟିଏ   ଲୁହା   ଲଙ୍ଗଳର  ଓଜନ  ପ୍ରାୟ   ୬.୫  କିଗ୍ରା   ।ମଧ୍ୟମ   ପ୍ରକାର  ବଳଦ  ହଳେ  ଏହାକୁ  ସହଜରେ   ଟାଣି   ପାରିବେ   । ଦିନକୁ  ୮ ଘଣ୍ଟା   ହଳକରେ  ପ୍ରାୟ  ୫୦ – ୭୫ ଡେସିମିଲ  ଜମି  ଚାଷ   କରିହେବ   । କୁହା   ଲଙ୍ଗଳରେ   ଗୋଟିଏ   ଓଡ  ଚାଷ   ଦେଶୀ  ଲଙ୍ଗଳରେ  ପ୍ରାୟ  ୩ ଓଡ  ଚାଷ  ସହିତ  ସମାନ   ।

      ବୋଷ  ଲଙ୍ଗଳ , ସାମସ  ଲଙ୍ଗଳ , ୱାହାୱାହା   ଲଙ୍ଗଳ   ବିଭିନ୍ନ  କିସମର   ଲୁହାଲଙ୍ଗଳ    । ଏହି  ଲଙ୍ଗଳର  ଡାହାଣ  ପଟକୁ  ପତ୍ରିଥାଏ   । କିନ୍ତୁ  ଦ୍ଵିପତ୍ରିଆ  ଲଙ୍ଗଳର  ଦୁଇପଟକୁ  ପଟିଥାଏ    । ଏହା  ମାଟି   ଦୁଇପଟକୁ  କାଟେ   । ମଝିରେ   ପହଣି   ହୋଇଯାଏ   ।

    • ଭୀମ  ଲଙ୍ଗଳ
    • ଏହି  ଲଙ୍ଗଳ   ମଧ୍ୟ  ଗୋଟିଏ   ଲୁହା  ଲଙ୍ଗଳ   । ଏହା  କିନ୍ତୁ  ବୋଷା / ଲଙ୍ଗଳ   ଠାରୁ   ଓଜନିଆ   । ଏହାର ମୋଡ   ପତ୍ର   ଦୁଇପଟକୁ   ହୋଇଥିବାରୁ   ଦେଶୀ   ଲଙ୍ଗଳ   ଭଳି  କାମ   ଦିଏ   । ଏଥିରେ   ଗଭୀର  ଚାଷ  ହୋଇପାରିବ   । ଛୋଟ  ଛୋଟ  ହୁଡା  ଓ  ନାଳି  ମଧ୍ୟ  ହୋଇପାରିବ  । ସାଧାରଣ   ବଳଦ   ଟାଣି   ପାରିବେ   ।

  3. ବିଦା
  4. ଏହା  କାଠରେ   ତିଆରି   । ଏହାର   ମୁଖ୍ୟ  ଅଂଶକୁ  ଗଣ୍ଡି   କୁହନ୍ତି   । ଏହାର   ଲମ୍ବ ୧ ରୁ  ୨ ମିଟର  । ଏହା  ଦେହରେ   କଣା   କରି  ଲୁହାରେ   ତିଆରି   ଗୋଜା  ଓ  ବଙ୍କା  କାଠି  ୩’’  ଦୂରତାରେ   ଖଞ୍ଜା   ହୋଇଥାଏ   । ଏହି  କାଠିକୁ   ବିଦାକାଠି   କୁହନ୍ତି , ବିଦା  ଗଣ୍ଡି  ମଝିରେ   ଗୋଟିଏ   କାଠ  ବା  ବାଉଁଶର   ଈଷ  ମଞ୍ଜି   ହୋଇଥାଏ   । ଈଷ   ଆଗରେ   ଜୁଆଳି  ଲଗାଇ   ଏଥିରେ   ବଳଦ  ଯୋଚି   ବିଦା  ଟାଣି   ଦିଆଯାଏ   । ବିଦା  ଚାଲିଲେ   ବଙ୍କା  ବିଦାକାଠି   ଆଗରେ   ମାଟି  ଖୋଳି   ହୋଇଥାଏ   । ଉପର   ମାଟି   ଖୋଳପା   ଛାଡିଯାଏ  ଏବଂ   ମାଟି  ନରମ   ହୋଇଯାଏ   । ଛୋଟ  ଛୋଟ  ଅନାବନା   ଘାସ  ମଧ୍ୟ   ଉପୁଡିଯାଏ   । ବର୍ଷା  ହେଲେ   ବର୍ଷାପାଣି   ସହଜରେ   ମାଟି   ଭିତରକୁ   ଭେଦିପାରେ   । ଉପକୂଳ  ଜିଲ୍ଲାମାନଙ୍କରେ   ବିଆଳି   ବିଲରେ   ବିଦା  ଦେବା   ପୁରାତନ   ଅନ୍ତଃକମଣ   ପଦ୍ଧତି   ହିସାବରେ   ଚଳିଆସୁଛି   ।

  5. ଡିସ୍କ  ବିଦା
  6. ଏହା  ମଧ୍ୟ  ଏକ  ପ୍ରକାର  ବିଦା   । ଏହା  ମାଟି  ଗୁଣ୍ଡ  କରିବା   ପାଇଁ  ବ୍ୟବହୃତ  ହୁଏ   । ଗୋଟିଏ  ଲୁହା   ଅଖରେ  ୪ଟି ଥାଳିଆ   ଭଳି  ଲୁହାପଟି  ଯୋଡା   ହୋଇଥାଏ   । ଅଖଟିରେ  ଈଷ  ଲାଗିଥାଏ   । ବଳଦ  ଦ୍ଵାରା   ଏ  ବିଦା   ଟଣାଯାଇ   ମାଟି   ହଲ  ବା  ଯୋତ  କରାଯାଇପାରେ  ମାଟି   ବତର  ଥିଲେ  ଏଥିରେ  କାମ   କଲେ  ଜମି   ଭଲ  କମଣ   ହୋଇଥାଏ   । ପ୍ରତ୍ୟକ  ଥାଳିଆର  ବ୍ୟାସ  ୩୫ ସେ.ମି.  । ଗୋଟିଏ  ଥାଳିଆ  ବିଦାର   ଓଜନ  ପ୍ରାୟ  ୩୫ କି.ଗ୍ରା.  । ଏହା  ମଧ୍ୟ   ଟ୍ରାକ୍ଟର   ଦ୍ଵାରା   ଟଣାଯାଇପାରେ   । ଏହାଦ୍ଵାରା   ଦିନକୁ  ୮ ଘଣ୍ଟା  କାମ   କରି  ପ୍ରାୟ  ୨ ଏକର  ବତର  ଜମି  ବୁଣିବା  ପାଇଁ   ହଲ   କରାଯାଇପାରେ   । ଏହାଦ୍ଵାରା  ମଧ୍ୟ  କାଦୁଅ   କରାଯାଇପାରେ   । ଦିନକୁ  ୧ ଏକର   ଜମି   କାଦୁଅ  କରାଯାଇପାରେ    ।

  7. ଜମି  କାଦୁଅ  କରିବା  ଯନ୍ତ୍ର
  8. ଧାନ  ରୋଇବା   ପାଇଁ   ଜମି   କାଦୁଅ  କରିବା  ଆବଶ୍ୟକ   । ଏହା  ଯନ୍ତ୍ର  ସାହାଯ୍ୟରେ   କରାଯାଇପାରେ   । ଏହି   କାଦୁଅକରା   ଯନ୍ତ୍ର  ଲଘୁ  ଇସ୍ପାତରେ   ତିଆରି   ।

    ଏହା  ହଳେ   ବଳଦ   ଯୋଚି   କାମ  କରାଯାଇପାରେ   । ଏହାର  ଓଜନ   ପ୍ରାୟ  ୩୦ କି.ଗ୍ରା.  ଏବଂ   ସଜରେ  ଗୋଟିଏ  କିଆରୀରୁ  ଆଉ   ଗୋଟିଏ   କିଆରୀକୁ   ଦିଆଯାଇପାରେ   ।

    ଏହି  ଯନ୍ତ୍ର   ସାହାଯ୍ୟରେ   ଦିନକୁ   ୨ ଏକର  ଜମି  କାଦୁଅ  କରାଯାଇପାରେ   । ଏହାକୁ   ମଧ୍ୟ  ଧାନ  ଅମଳ   ପାଇଁ  ବ୍ୟବହାର   କରାଯାଇପାରେ   । ଦିନକୁ  ଏଥିରେ  ୬ – ୭ କ୍ଵିଣ୍ଟାଲ   ଧାନ  ଅମଳ   କରାଯାଇପାରିବ   ।

ଧାନ ରୁଆ ଯନ୍ତ୍ର

ଧାନରୁଆ  ସାଧାରଣତଃ  ହାତରେ   କରାଯାଇଥାଏ   । ଏହା  ଏକ  କଠିନ  କାମ  । ନଇଁପଡି  ବାଁ  ହାତରେ   ତଳିଧରି   ଡାହାଣ  ହାତରେ  ପୋତି   ପୋତି  ପଛକୁ  ପଛ   ଯିବାକୁ   ପଡେ   । ଏଥିରେ  ଅଣ୍ଟା  ପିଠି  ଲାଗିଯାଏ   । କିନ୍ତୁ  ଏ  କାମ ମଧ୍ୟ  ଯନ୍ତ୍ର  ସାହାଯ୍ୟରେ  କରାଯାଇପାରେ   । ତଳି   ଉପାଡି   ଭଲ  ଭାବରେ   ଧୋଇ   ସଜାଡି   ଏ  ଯନ୍ତ୍ରରେ  ରଖାଯାଏ   । ଯନ୍ତ୍ରରେ   ଲାଗିଥିବା  ହାତ  ଓ  ଆଙ୍ଗୁଠି  ସାହାଯ୍ୟରେ   ଥରକୁ  ୨-୩ଟି   ତଳି   ବାହାରକୁ   ବାହାରିଯାଏ  ଏବଂ   ଆଉ  ଗୋଟିଏ   ପୋତାଳି  କଣ୍ଟା  ସାହାଯ୍ୟରେ   ପୋତି   ହୋଇଥାଏ   । ଏହି  ଯନ୍ତ୍ରକୁ   ଆଗରୁ   ପଛକୁ   ଟାଣି  ଟାଣି  ନେବାକୁ   ପଡେ   ।  ଏହାଦ୍ଵାରା  ଦିନକୁ  ୧ ଏକର  ଜମି   ରୁଆଯାଇପାରେ   । ଏହି  ଯନ୍ତ୍ର   ଭଲ  ଭାବରେ  କାମ  କରିବା  ପାଇଁ   ଜମି  ଭଲ  ଭାବରେ  କାଦୁଅ   ହେବା  ଓ  ସମାନ  ହେବା   ଆବଶ୍ୟକ   । ଏହି  ଯନ୍ତ୍ରରେ  ଥିବା   ସାମାନ୍ୟ  ଅସୁବିଧା   ଦୂର   ହୋଇଗଲେ   ଏହାଦ୍ଵାରା   ଆମ୍ଭମାନଙ୍କର   ଅନେକ  ଉପକାର  ସାଧିତ   ହେବ   ।

ମଞ୍ଜିବୁଣା  ଯନ୍ତ୍ର

ବିଭିନ୍ନ  ପ୍ରକାର  ମଞ୍ଜି   ଯନ୍ତ୍ର  ସାହାଯ୍ୟରେ   ମଧ୍ୟ  ବୁଣାଯାଇପାରେ   । ଧାନ, ଗହମ,  ମୁଗ, ନଳିତା , ଚିନାବାଦାମ  ଇତ୍ୟାଦି  ଫସଲ  ମଞ୍ଜି   ଯନ୍ତ୍ର   ସାହାଯ୍ୟରେ   ଧାଡି ଧାଡି   କରି  ବୁଣାଯାଇପାରେ   । ଯନ୍ତ୍ର  ଓସାର  ଅନୁସାରେ   ଏକକାଳୀନ  ୩-୪ ଧାଡି   ବୁଣା  ମଧ୍ୟ   ହୋଇପାରେ   । ମଞ୍ଜି  ପରିମାଣ   ମଞ୍ଜି   ବୁଣିବା   ଗଭୀରତା   ମଧ୍ୟ  ଏ  ଯନ୍ତ୍ର  ସାହାଯ୍ୟରେ  ସ୍ଥିର  କରାଯାଇପାରେ   । ଏହି  ବୁଣାଯନ୍ତ୍ର  କାଠ, ପ୍ଲାଷ୍ଟିକ  ପାଇପ୍  ଓ  ଲୁହାରେ   ତିଆରି   । ଏହା   ଗୋଟିଏ   ମଞ୍ଜି  ବୁଣା  ଲଙ୍ଗଳ,  ଏଥିରେ   ଏକାବେଳକେ  ୩ ଧାଡି   ବୁଣାଯାଇପାରିବ   । ଲଙ୍ଗଳ   ଭଳି   କଣ୍ଟି ଓ ଈଷ  ଅଛି   ।  କଣ୍ଟି   ମଝି   ଭାଗରେ  ଗୋଟିଏ   ଅଖ  ଆଡୁଆ   ଯୋଡା   ହୋଇଛି   ।  ଏହି  ଅଖରୁ ୩ଟି   ଲୁହା   ମୁନ   ବାହାରିଛି   । ଲୁହା  ପଛକୁ  ୩ଟି   ପ୍ଲାଷ୍ଟିକ  ପାଇପ୍  ଲାଗିଛି   । ଏ  ପ୍ଲାଷ୍ଟିକ   ପାଇପ୍  ୩ଟିର   ମୂଳ  ଘୋଡା   ହୋଇଛି   । ଗୋଟିଏ   ମଞ୍ଜି  ବାୟୁ  ସହିତ  ମଞ୍ଜି  ବାୟୁରେ  ଭର୍ତ୍ତି   କରାଯାଏ   । ମଞ୍ଜିଗୁଡିକ   ଗୋଟିକ  ପରେ  ଗୋଟିଏ   ପ୍ଲାଷ୍ଟିକ   ପାଇପ   ଭିତର   ଦେଇ   ଲୁହାମୁନ   ପଛ   ପଟରେ  ପଡେ   । ଲଙ୍ଗଳ   ଚାଲିଲେ  ଦୁଇପଟରୁ   ଖୋଳି   ହୋଇ  ଯାଉଥିବା   ମାଟି   ପୁଣି   ବେରହା   ଉପରେ   ପଡେ   ଏବଂ  ମଞ୍ଜି   ମାଟିରେ   ଘୋଡେଇ   ହୋଇଯାଏ   । ଏହି  ଯନ୍ତ୍ରଟିକୁ   ହଳେ  ବଳଦ  ସହଜରେ  ଟାଣିପାରିବେ   । ଯନ୍ତ୍ରଦ୍ଵାରା   ବୁଣିଲେ   ମଞ୍ଜି   ସମାନ   ଭାବରେ   ପଡେ   ।  କିଆରୀରେ   ଯନ୍ତ୍ର  ସାହାଯ୍ୟରେ  ବୁଣିବା   ପାଇଁ  ମାଟି  ଭଲଭାବରେ   ଗୁଣ୍ଡ  ଓ  କିଆରୀ  ଖୁବ୍  ସମାନ  ହେବା   ଆବଶ୍ୟକ   ।  ଖାଲ   ଢିପ   ରହିଲେ   ଯନ୍ତ୍ର   ଚାଲିବାରେ   ଅସୁବିଧା  ହୁଏ   । ମଞ୍ଜି   ଠିକ୍ ଭାବରେ   ପଡେ   ନାହିଁ   । କିଆରୀରେ  ଡେଣୁଆ  ଥିଲେ  ଲୁହା   ପଛପଟ   ପ୍ଲାଷ୍ଟିକ   ପାଇପ୍  ମୁହଁରେ   ଡେଣୁଆ   ଲାଗି   ଯାଇ  ମୁହଁ   ବନ୍ଦ  ହୋଇଯାଏ  ଏବଂ  ମଞ୍ଜି   ତଳକୁ   ଖସେ  ନାହିଁ   । ଯନ୍ତ୍ରର   ଓଜନ   ବେଶୀ   ହେଲେ   ବଳଦ  ଟାଣି   ପାରନ୍ତି   ନାହିଁ   ।  କିଆରୀ   ବେଶି   ବତର  ଥିଲେ  ମଧ୍ୟ  ଏ  ଯନ୍ତ୍ର   କାମ  କରେ  ନାହିଁ   ।  ଏହିସବୁ   କାରଣରୁ   ଆମ  ରାଜ୍ୟରେ  ବୁଣା  ଯନ୍ତ୍ର   ବେଶି   ଆଦୃତ   ହୋଇପାରୁନାହିଁ   ।

ଚିତ୍ର ୨.୪ ରେ  ଦେଖାଯାଉଥିବା   ଯନ୍ତ୍ରଟିର   ଗୋଟିଏ  ୩ ଧାଡିଆ   ମଞ୍ଜି  ବୁଣା   ଯନ୍ତା   ଏହାକୁ   ହାତରେ   ଟାଣି   ମଞ୍ଜି  ବୁଣାଯାଇପାରେ   । ଏହା  ସାହାଯ୍ୟରେ  ଗହମ  ଧାନ  ବୁଣାଯାଇପାରିବ   । ବାକ୍ସରେ   ମଞ୍ଜି  ଭର୍ତ୍ତି  କରାଯାଏ   । ବାକ୍ସରେ  କଣା  ୩ଟା   । ପ୍ରତି   କଣାକୁ   ଗୋଟାଏ  ଲେଖାଏ  ପ୍ଲାଷ୍ଟିକ  ନଳୀ   ଖଞ୍ଜା  ହୋଇଥାଏ   । ପ୍ଲାଷ୍ଟିକ   ନଳୀର   ମୁହଁ   ଲୁହା  ପଛକୁ   ଲାଗିଥାଏ   । ମଝିରେ   ଗୋଟିଏ  ଈଷ  । ଈଷ  ଅଗକୁ   ଧରି  ଟାଣିବା  ପାଇଁ   ଗୋଟିଏ  ବେଣ୍ଟ    । ଯନ୍ତ୍ରଟି  ବିଲରେ   ଗଡିବା ପାଇଁ  ଅଖ   ଲାଗିଛି  ଓ  ଅଖର  ଦୁଇପଟେ  ୨ଟି  ଚକ   । ଏ  ଯନ୍ତ୍ରଟିରେ  କାମ  କରିବା   ସହଜ   । ମାଟି  ଭଲ  ଭାବରେ  ଗୁଣ୍ଡ   ହୋଇଥିଲେ  ଓ  ବିଲ  ସମତଳ  ଥିଲେ  ଏ  ମଧ୍ୟ  ଭଲ   କାମକରେ   ।

ମଞ୍ଜି  ଓ ସାରବୁଣା  ଯନ୍ତ୍ର

ଏ  ଯନ୍ତ୍ର  ସାହାଯ୍ୟରେ  ମଞ୍ଜି  ଓ  ସାର  ଏକାବେଳକେ  ବୁଣାଯାଇପାରିବ   । ଏହି  ଯନ୍ତ୍ରକୁ  ହାତରେ   ଟାଣି  ବା  ବଳଦ  ଦ୍ଵାରା  ଟାଣି  ମଞ୍ଜି  ଓ  ସାର  ବୁଣାଯାଇ   ପାରିବ   । ସାର  ଆଗ  ପଡିବ   । ତା’ପରେ   ମଞ୍ଜି   ଗୋଟି  ଗୋଟି   ହୋଇପଡିବ   । ଦୁଇପଟୁ  ପଡୁଥିବା  ଗୁଣ୍ଡ   ମାଟି  ଦ୍ଵାରା  ସାର  ଓ  ମଞ୍ଜି  ଘୋଡେଇ   ହୋଇଯିବ   । ଧାଡିକୁ   ଧାଡି  ୧୫ ସେ.ମି.  ବ୍ୟବଧାନରେ  ସାର ଓ  ମଞ୍ଜି  ବୁଣାଯାଇପାରିବ   । ହାତ  ଟଣା  ଯନ୍ତ୍ରର  ଓଜନ   ପ୍ରାୟ  ୧୫ କି.ଗ୍ରା.  ସହଜରେ  ଗୋଟିଏ   କିଆରୀରୁ   ଆଉ   ଗୋଟିଏ   କିଆରୀକୁ   ନେଇହେବ   । ଦିନକୁ  ୭୫ ଡେସିମିଲ   ଜମି   ବୁଣି  ହେବ   ।

ଚିନାବାଦାନ ଚୋପାଛଡା ଯନ୍ତ୍ର

ଚିନାବାଦାମ  ମଞ୍ଜି  ଛଡାଇବା  ପାଇଁ  ବହୁତ  ସମୟ  ଲାଗେ   । କିନ୍ତୁ  ଯନ୍ତ୍ର  ସାହାଯ୍ୟରେ  ଏହି  କାମ  ଶୀଘ୍ର   ହୋଇଯାଏ  । ଚିନାବାଦାମ  ଛୁଇଁ   ପୂରାଇବା   ପାଇଁ   ଗୋଟିଏ   ବାକ୍ସ   ଯନ୍ତ୍ରର   ଉପରିଭାଗରେ   ଖଞ୍ଜା  ଯାଇଥାଏ   । ଏହା  ତଳକୁ   ଗୋଟିଏ   ରୋଲର  ଥାଏ   । ରୋଲର  ତଳକୁ   ଗୋଟିଏ   ଆବୁଆବୁଆ   ତାର  ଜାଲି, ରୋଲର  ଓ  ତାରଜାଲି  ମଧ୍ୟରେ   ଥିବା  ଫାଙ୍କ  ଜାଗାରେ   ଚିନାବାଦାମ  ରାହିଜାଏ   । ରୋଲର  ବୁଲିଲେ   ଏହାର  ଛୋଟ  ଦାନ୍ତ  ଚିନାବାଦାମ   ଛୁଇଁକୁ   ଜାଲି   ଉପରେ   ଗଡେଇ   ଘୋଷାରି   ନିଏ   ଏହାଦ୍ଵାରା   ଚିନାବାଦାମ   ଛୁଇଁରୁ   ଚୋପା  ଛାଡିଯାଏ   ।ମଞ୍ଜିଗୁଡିକ  ତଳକୁ   ଗଳିଯାଏ   । ତଳେ  ଚିନାବାଦାମ   ମଞ୍ଜିଗୁଡିକୁ  ଗୋଟିଏ   ଛୋଟ   ଘର  ଭଳିଆ  ଜାଗାରେ   ପଡିଥାଏ   ।

ଏଥିରେ   ଘଣ୍ଟାକୁ   ୧୫ କି.ଗ୍ରା.  ଚିନାବାଦାମରୁ   ମଞ୍ଜି   ଛଡା  ଯାଇପାରେ   । ଏ  ଦୃଷ୍ଟିରୁ   ଏହା   ଅତ୍ୟନ୍ତ   ଦରକାରୀ   ଯନ୍ତ୍ର  । ହାତରେ  ଛଡାଇବା   ପାଇଁ  ଆବଶ୍ୟକ   ମୂଲ  ତୁଳନାରେ   ଏହି  ଯନ୍ତ୍ର   ସାହାଯ୍ୟରେ  ୯୦% ମୂଳ  କମିଯିବ   । ଶତକଡା  ୧ ଭାଗରୁ  କମ୍  ଚିନାବାଦାମ   ମଞ୍ଜି  ଏଥିରେ  ଗୁଣ୍ଡ   ହୋଇଯାଇଥାଏ   । ଏହି  ଯନ୍ତ୍ରର   ଓଜନ  ପ୍ରାୟ  ୧୪ କି.ଗ୍ରା  ଏହି   ଯନ୍ତ୍ରକୁ   ସହଜରେ   ଗୋଟିଏ   ସ୍ଥାନରୁ   ଆଉ  ଗୋଟିଏ   ସ୍ଥାନକୁ   ନେଇ   ବ୍ୟବହାର   କରାଯାଇପାରେ   । ଏହି  ଯନ୍ତ୍ରଟି   ଚିନାବାଦାମ  ଚାଷୀଙ୍କ   ପାଖରେ  ଅତ୍ୟନ୍ତ   ଆଦୃତ   ହେଲାଣି   ।

ଚିନାବାଦାମ  ଖୋଳା  ଓ ତୋଳା ଯନ୍ତ୍ର

ଚିନାବାଦାମ  ଖୋଳିବା  ଓ  ନାଡିରୁ   ଚିନାବାଦାମ   ତୋଳିବା   ପାଇଁ  ଯନ୍ତ୍ର   ଏବେ   ଉଦ୍ଭାବିତ   ହେଲାଣି   । ଯନ୍ତ୍ରଟି  ଖୋଲିବା  ସାଥି  ସାଥି   ଆଙ୍ଗୁଠିରେ   ନାଡିରୁ   ଚିନାବାଦାମ  ଛୁଇଁ   ଟାଣି   ଛିଣ୍ଡାଇଲା   ଭଳି  କାମ   କରିପାରୁଛି   ।  ଏହା  କାଠ   ଓ  ଲୁହାପାତ  ଏବଂ  ଜାଲିରେ   ତିଆରି   ।  କେତେକ  କ୍ଷେତ୍ରରେ   ଚିନାବାଦାମ   ଖୋଳିବା  ପାଇଁ  ଗୋଟିଏ   ଯନ୍ତ୍ର  ଓ  ଚିନାବାଦାମ   ତୋଳିବା   ପାଇଁ   ଆଉ  ଏକ  ଯନ୍ତ୍ର   ବ୍ୟବହାର   କରାଯାଏ   ।

ମକାଛଡା  ଯନ୍ତ୍ର

ଏହି  ଯନ୍ତ୍ରଟି  ଶାଳ   କାଠରେ   ତିଆରି, ମକାର   ଆକାର   ଅନୁସାରେ   ଏହି  ଯନ୍ତ୍ର   ମଧ୍ୟ  ସାନ  ଓ  ବଡ   ହୋଇଥାଏ   । ଏହି  ଯନ୍ତ୍ର   ସାହାଯ୍ୟରେ   ଗୋଟିଏ   ବଡ  ମକାରୁ   ମଞ୍ଜି   ଗୁଡିକୁ   ଛଡାଇବା  ପାଇଁ   ମାତ୍ର   ୨ ମିନିଟ୍ ଲାଗିଥାଏ   । ଏହି ଯନ୍ତ୍ରଟିର  ଓଜନ  ୨୫୦  ଗ୍ରାମ   ମାତ୍ର   ।

ଏହି  ପ୍ରକାର  ଯନ୍ତ୍ରଟି  ଟିଣ   ପତ୍ରରେ   ତିଆରି   । ଏଥିରେ   ଘଣ୍ଟାକୁ  ୧୫ – ୨୦ କି.ଗ୍ରା.  ମଞ୍ଜି   ଛଡା   ଯାଇପାରେ   । ଯନ୍ତ୍ରଟିର   ଓଜନ  ମାତ୍ର  ୩୫୦ ଗ୍ରାମ  ।ଏହାକୁ  ସହଜରେ   ବିଭିନ୍ନ   ଜାଗାକୁ  ନିଆଯାଇପାରେ   ।

ଏକ ଧାଡିଆ ମଞ୍ଜି ବୁଣା ଯନ୍ତ୍ର

ଏହି  ଯନ୍ତ୍ର  ସାହାଯ୍ୟରେ   ମାଣ୍ଡିଆ , ନଳିତା ଓ  ସୋରିଷ   ଭଳି   ଛୋଟ  ବିହନ  ସହଜରେ   ବୁଣା  ଯାଇପାରେ   ବିହନକୁ   ଧାଡିରେ  ଠିକ୍  ବ୍ୟବଧାନରେ   ଓ  ଗଭୀରତାରେ   ପକାଯାଇପାରେ   ।

ଏହି   ଯନ୍ତ୍ରରେ  ବିହନ   ରଖିବା  ପାଇଁ  ଖୋପଥାଏ   । ଆଗରେ   ଗୋଟିଏ   ଦୁଇ  ହାତରେ  ଧରି   ଚଳାଇବା  ପାଇଁ   ବେଣ୍ଟ  ମୁଠା   ଥାଏ   ।

ଖୋପରୁ   ମଞ୍ଜି  ପ୍ଲାଷ୍ଟିକ  ବା  ଟିଣ  ନଳୀ  ଭିତର  ଦେଇ   ଲୁହା   ମୁହଁ  ପଛରେ   ପଡେ   । ଲୁହା   ମୁନରେ   ଖୋଳି ହୋଇଯାଉଥିବା   ମାଟିରେ  ପଡୁଥିବା   ମଞ୍ଜି   ଘୋଡାଇ  ହୋଇଯାଏ   । ଯନ୍ତ୍ର  ସାହାଯ୍ୟରେ  ବୁଣିଲେ   ଅଳ୍ପ  ମଞ୍ଜି  ଖର୍ଚ୍ଚ   ହୁଏ  ଏବଂ  ବିଲରେ   ବିହନ   ସମାନ   ଭାବରେ   ପଡେ   ।

ଧାନ   ଅମଳ  ଯନ୍ତ୍ର

ଆମ  ରାଜ୍ୟରେ  ସାଧାରଣତଃ  ଧାନ  ହଳାକୁ  ବାଡେଇ, ବଳଦ   ଦ୍ଵାରା   ବେଙ୍ଗଳା   ପକେଇ   କିମ୍ବା   ଟ୍ରାକ୍ଟର   ଦ୍ଵାରା  ବେଙ୍ଗଳା   ପକେଇ   ଅମଳ  କରାଯାଇଥାଏ   । ବଳଦ  ବେଙ୍ଗଳାରେ   ବେଶି  ସମୟ  ନଷ୍ଟ  ହୁଏ   । ଟ୍ରାକ୍ଟର   ବେଙ୍ଗଳା   ପାଇଁ  ବେଶି  ହଲା   ଦରକାର   । ଖଳା  ମଧ୍ୟ  ଭଲ  ହେବା   ଦରକାର   ।

କିନ୍ତୁ   ଏହି  ଧାନ   ଅମଳ  ଯନ୍ତ୍ର  ଛୋଟ   । ଯେ  କୌଣସି   ଛୋଟ  ବଡ  ଚାଷୀ  ଏହାକୁ  ବ୍ୟବହାର   କରିପାରିବେ   । ଏହି ଯନ୍ତ୍ରଟି   ସାଇକେଲରେ  ବସି  ପେଡାଲ   ମାରିଲା  ଭଳି  ପେଡାଲ   ମାରି  ଚଳାଯାଇପାରେ   । କିମ୍ବା   ବିଜୁଳି   ଶକ୍ତି  ସାହାଯ୍ୟରେ  ଚଳାଯାଇ  ପାରେ   । ବିଦ୍ୟୁତ   ଚାଳିତ   ଯନ୍ତ୍ରଟି   ଏକ  ଅଶ୍ଵଶକ୍ତି  ବିଶିଷ୍ଟ   ବିଜୁଳି   ମୋଟର  ସାହାଯ୍ୟରେ   ଚାଳିତ  ହୁଏ  । ଜାପାନୀ  ଧାନ  ଅମଳ  ଯନ୍ତ୍ର  ଭଳି  ଏହି  ଯନ୍ତ୍ର  କାମ  କରେ   ।  ହଳାକୁ  ଅଳ୍ପ  ଅଳ୍ପ ଧାନ  ଗଛର  ଆଗ  ଏହି  ଯନ୍ତ୍ରର  ଦାନ୍ତି   ଉପରେ  ଦେଖାଇଲେ   କେଣ୍ଡାରୁ   ଧାନଗୁଡିକ  ଝଡିଯାଏ   । ବଡ  ବଡ  ଧାନ  ଅମଳ  ଯନ୍ତ୍ରରେ  ହଳାକୁ   ଗୋଟା   ଗୋଟା  କରି   ଭର୍ତ୍ତି   କରିଦିଆଯାଏ   । ଧାନ  ଗୋଟିଏ   ମୁହଁରେ , ପାଳ  ଅନ୍ୟାନ୍ୟ   ଗୁଣ୍ଡକୁଟା   ଆଉ  ଗୋଟିଏ   ମୁହଁରେ  ବାହାରେ   । ଯେଉଁଥିରେ   ପଙ୍ଖା  ଖଞ୍ଜା  ହୋଇଥାଏ, ସେ  ଯନ୍ତ୍ରରେ   ଧାନ  ଉଡା ହୋଇ  ସଫା  ଧାନ  ଆଉ   ଗୋଟାଏ  ମୁହଁରେ   ବାହାରେ  । ଏଇ  ମୁହଁରେ  ବସ୍ତା  ବାନ୍ଧି   ଦେଲେ  ସଫା  ଧାନ  ବସ୍ତାରେ  ପଶେ   । ବସ୍ତା  ପୁରିଗଲେ ,  ଖାଲି   ବସ୍ତା  ପୁଣି   ସେ  ମୁହଁରେ  ବାନ୍ଧି   ଦିଆଯାଏ   ।

ଛୋଟ  ମଧ୍ୟମ   ଧରଣର   ଶକ୍ତି   ଚାଳିତ  ଧାନ  ଅମଳ  ଯନ୍ତ୍ରର  ଓଜନ   ପ୍ରାୟ  ୯୦  କିଲୋଗ୍ରାମ   । ଏହାଦ୍ଵାରା  ଘଣ୍ଟାକୁ  ୨୪୦  କି.ଗ୍ରା.  ଧାନ  ଅମଳ  ହୋଇପାରେ   ।

ମାଟିର କଠିନତା ଭଙ୍ଗା ଯନ୍ତ୍ର

ନାଲି  ରୁଗୁଡିଆ  ମାଟି   ଯେତେ   ଚାଷ   ହୋଇଥିଲେ   ସୁଦ୍ଧା   ଛେଚା  ବର୍ଷା  ପରେ   ଉପର  ଭିଦେଇ  ଯାଏ   । କାଦୁଅ  ଜମିରେ  ମଧ୍ୟ   ଏପରି   ଗୋଟିଏ  ସର   ଉପରେ  ପଡିଯାଏ  । ମାଟି  ଉପରେ   ବାନ୍ଧି   ହୋଇଯାଏ   । ଗଜା  ଶୀଘ୍ର  ବାହାରେ   ନାହିଁ   । ବଙ୍କେଇ   ହୋଇ  ତଳେ  ରହିଯାଏ   । କ୍ରମେ  ଶୁଖିଯାଇ  ମରିଯାଏ  ଅଥବା   ଗଜା   ବହୁ   କଷ୍ଟରେ  ବାହାରି   ହଳଦିଆ  ପଡି  ଶୁଖିଯାଇ   ମରିଯାଏ   । ଏପରି  ଜମିରେ  ବର୍ଷା  ପରେ  ବତର   ଥିବା   ଅବସ୍ଥାରେ   ଏହି   ଯନ୍ତ୍ରକୁ  ଚଳାଇଲେ   ଉପର  ମାଟିରେ  କଠିନତା   ଭାଙ୍ଗିଯାଏ   । ମାଟି  ନରମ  ହୋଇଯାଏ   । ଗଜା  ଶୀଘ୍ର  ବାହାରି  ଆସେ   । ଏହି   ଯନ୍ତ୍ରକୁ   ଜଣେ   ଲୋକ  ସହଜରେ  ଟାଣି  ପାରେ  । ଏହାର ଓଜନ  ପ୍ରାୟ  ୧୧ କିଲୋଗ୍ରାମ   । ଏହି ଯନ୍ତ୍ର  ଦ୍ଵାରା  ଘଣ୍ଟାକୁ   ୨୦  ଡିସିମିଲ  ଜମିରେ   କଠିନତା  ଭଙ୍ଗା  ଯାଇପାରିବ   ।

ଧାନ ବିଲରେ ଇଉରିଆ ସାର  ପ୍ରୟୋଗ  ଯନ୍ତ୍ର

ଧାନ  ବିଲରେ   ଇଉରିଆ  ଜାତୀୟ  ସାର   ସହଜରେ   ମିଳେଇଯାଏ   ଏବଂ  ପାଣିରେ   ଧୋଇ  ହୋଇଯାଏ  । ୧୦୦ କି.ଗ୍ରା.  ଇଉରିଆରୁ  ପ୍ରାୟ   ୩୦ – ୩୫ କି.ଗ୍ରା.  ଇଉରିଆ  ସାରର  ଫଳ  ମିଳିଥାଏ   । ଏହି  ସାରକୁ  ନ ବିଞ୍ଚି  ଧାନ  ବୁଦା   ମଝିରେ  ୫-୧୦ ସେ.ମି. ତଳେ  ରଖିଦେଲେ   ଏ  ସାରର  ଉପଯୋଗୀତା  ବୃଦ୍ଧିପାଏ   । ଧାନ  ଚେର  ଏ  ସାର  ସହଜରେ  ଗ୍ରହଣ  କରିଥାଏ   ।

ଏହି  କାମଟି  ଯନ୍ତ୍ର  ସାହାଯ୍ୟରେ   କରାଯାଇପାରେ , ଏହାଦ୍ଵାରା   ଇଉରିଆ  ସାରର  ଦାନା  ଠିକ୍  ଜାଗାରେ   ରଖାଯାଇପାରେ    । ଏହି  ଯନ୍ତ୍ରର   ଓଜନ  ପ୍ରାୟ  ୪ କି.ଗ୍ରା.   । ଜଣେ   ଲୋକ   ଟାଣି   ଧାଡିରେ  ଥାଇ  ଠିକ୍  ମୁତାବକ   ପକାଇପାରିବା   । ଏହା  ଦ୍ଵାରା  ବଡ   ଦାନା  ଇଉରିଆ  ସାର  ମଧ୍ୟ  ପକାଯାଇ   ପାରିବ   ।

ଅନ୍ତଃ ଚାଷଲାଗି ଯନ୍ତ୍ରପାତି

ଫସଲ  ବୁଣିବା  ବା  ଲଗାଇବାଠାରୁ  ଅମଳ  କରିବା  ସମୟ  ଭିତରେ  କିଆରୀରେ  ଫସଲ  ଚାହିଦା  ଅନୁସାରେ  ଖୁସାଇବା,  କୋଡିବା , ହୁଡାଦେବା   ଇତ୍ୟାଦି   କାମ  ଆବଶ୍ୟକ   ହୋଇଥାଏ   । ଏହା  କେବଳ   ଛୋଟ  କୋଦାଳ,  କୋଡି  ଦ୍ଵାରା   ସମ୍ଭବ   ନୁହେଁ   । ଏହି   କାମକୁ  ସହଜରେ , ଅଳ୍ପ  ପରିଶ୍ରମରେ  ଓ  ଅଧିକ  ଫଳପ୍ରଦ   ଭାବେ  କରିବା   ପାଇଁ   ବିଭିନ୍ନ   ଛୋଟ   ଯନ୍ତ୍ରପାତି   ବାହାର  କରାଯାଇଛି   ।

  1. ଟ୍ରେଞ୍ଚ  ହୋ  (ଟ୍ରେଞ୍ଚ ଖୁସୁଣି)
  2. ଏହି  ଯନ୍ତ୍ରଟିର   ଗୋଟିଏ  ପଟ   ସରୁ   ନାଳ   ବା ସିଆର   କରିବା  ପାଇଁ   ଗୃହିତ   ପରି  ଏବଂ   ତାର  ଅନ୍ୟ  ପଟଟି   ହଣାହଣି  ଓ  ଖୁସାଖୁସି   କରିବା  ପାଇଁ   କୋଦାଳ   ପରି  ହୋଇଥାଏ   । ଏଥିରେ   ଗୋଟିଏ  ଲାମ୍ବା  ବେଣ୍ଟ   ଲାଗିଥାଏ   ।

    ବେଣ୍ଟକୁ  ଧରି   ଠିଆ  ହୋଇ  ବା  ଅଳ୍ପ   ନଇଁ  ପଡି   କୋଡା   ଖୁସା   କାମ   ସହଜରେ  କରିହୁଏ   ।  ଧାଡି   ଧାଡି   ହୋଇ   ଲଗାହୋଇଥିବା   ଫସଲରେ   କାମ  କରିବା  ପାଇଁ   ସୁବିଧା  ହୁଏ  । ବୁଣା  ଫସଲରେ  ମଧ୍ୟ  ଗଛ   ଉଠିବାର   20 – 25  ଦିନ   ଗଛ  ଛୋଟଥିବା   ଅବସ୍ଥାରେ   ଏହା  ବ୍ୟବହାର   କରାଯାଇପାରେ   ।

  3. ସାଧା   ଖୁସୁଣି
  4. ବଗିଚାରେ   ମାଟି   ଗୁଣ୍ଡ   କରିବା  ପାଇଁ , ଧାଡି  ବା  ସିଆର   ଟାଣି   ମଞ୍ଜି  ବୁଣିବା   ପାଇଁ   ଏହା  ଏକ  ଉପଯୁକ୍ତ  ଯନ୍ତ୍ର   । ଲୁହା   ଖଣ୍ଡେ – ପତଳା , ଚେପ୍ ଟା    । ଭିତର  ପଟକୁ  ସାମାନ୍ୟ  ବଙ୍କା   ।  ଏଥିରେ   ଗୋଟିଏ   ଲାମ୍ବା  ବେଣ୍ଟ   ଲାଗିଥାଏ  । ଏହି  ଛୋଟ  ଯନ୍ତ୍ରଟି   ଧରି   ଠିଆହୋଇ   ଧାଡି   ଟଣାଯାଇପାରେ   । ଅଳ୍ପ  ଖୁସାଖୁସି   କାମ  ମଧ୍ୟ  କରାଯାଇପାରେ   ।

ଚକ୍ର ଖୁସୁଣି ବିଦା

ଏହା   ଗୋଟିଏ  ଛୋଟ   ବିଦା   । ଗୋଟିଏ   ପତଳା  ଲୁହା  ଦସ୍ତାରେ  ୩ଟି   ଲୁହା   ଦାନ୍ତି ଲାଗିଥାଏ   । ଏହି  ଦଣ୍ଡାର   ଦୁଇ  ପଟୁ  ପଛକୁ   ଲମ୍ବ   ବେଣ୍ଟ   ୨ଟି   ଲାଗିଥାଏ   । ଲମ୍ବ  ବେଣ୍ଟ   ଦୁଇଟିକୁ   ଏକାଠି  ଯୋଡି   ଧରିବା   ପାଇଁ   ସିଡିରେ  କଇଁଆ   ଲାଗିଲା   ଭଳି   ଦୁଇବେଣ୍ଟ  ମଝିରେ  ଓ  ଶେଷ  ଆଡକୁ   ଦୁଇଟି   କଇଁଆ   ଲାଗିଥାଏ   ।

ବେଣ୍ଟର  ଶେଷରେ  ବଙ୍କୁଲି  ମୁଠା   । ଅଖ   ଦଣ୍ଡାର   ଆଗକୁ   ଗୋଟିଏ   ଚକ   ଲାଗିଥାଏ   । ବିଦାଟିକୁ   ଆଗକୁ   ଓ  ପଛକୁ   ସହଜରେ  ପେଲିବା   ପାଇଁ   ହକା  ସାହାଯ୍ୟ   କରେ   । ଲୁହା   ଦାନ୍ତି  ସାହାଯ୍ୟରେ   ମାଟି   ଖୋଳି  ହୋଇଯାଏ   । ଅନାବନା   ଘାସ   ଉପୁଡି   ପଡେ   । ଏହାର  ଓଜନ  ପ୍ରାୟ  ୪.୫  କି.ଗ୍ରା.  ଏହାକୁ  ଧରି  ୨ ହାତରେ  ଠିଆ   ହୋ   କାମ  କରିହୁଏ   ।

ରମ୍ପା ଖୁସୁଣି

ଧାଡି  ରୁଆ  ଫସଲରେ  ଧାଡିରୁ  ଘାସ  ବାଛିବା   ପାଇଁ   ଏହା  ଏକ  ସହଜ  ଓ ସରଳ  ଉପଯୋଗୀ  ଉପକରଣ   । ବିଆଳି  ଧାନ, ଗହମ, ସୋରିଷ, ଚିନାବାଦାମ ଇତ୍ୟାଦି  ଫସଲ  ଧାଡିରେ  ଲଗା  ହୋଇଥିଲେ  ଏ  ଉପକରଣ   ଦ୍ଵାରା   ଖୁସାଇବା  ସୁବିଧା  ହୋଇଥାଏ  ।

ଦାନ୍ତିଆ ରମ୍ପା ଖୁସୁଣି

ଏହି  ଉପକରଣ   ସାହାଯ୍ୟରେ  ପଟାଳିରୁ   ଘାସ, ପଥର, କୁଟା କାଠି  ଓ  ଅନ୍ୟାନ୍ୟ   ଅନାବନା  ପଦାର୍ଥ   ସହଜରେ  ଟାଣିଆଣି   ଏକାଠି   କରାଯାଇପାରେ   ।

ମଞ୍ଜି   ବୁଣିବା  ପୂର୍ବରୁ   ବୁଣା  ଫସଲର  ଗଜା  ଉଠିବା  ପରେ  ଏ  ଉପକରଣ   ସାହାଯ୍ୟରେ   ଅଳ୍ପଖୁସା  ଯାଇପାରେ   ।

ଏହାକୁ  ଟାଣି  ମଧ୍ୟ  ମାଟି   ଉପର  ସର  ବା  ବଳକା   ଭଙ୍ଗାଯାଇପାରେ   ।

ଗୁଜୁରାଟ ହାତ ଖୁସୁଣି

ଏହି  ଉପକରଣଟି  ଭଲ  ଦସ୍ତା  ପତରରେ   ତିଆରି   । ଏହା  ସାହାଯ୍ୟରେ  ଛୋଟ   ଛୋଟ   ପହଣି   ମଧ୍ୟ  ଟଣାଯାଇପାରେ   । ଏହାକୁ  ଟାଣିଲା   ବେଳେ  ଦୁଇ  ପଟର  ଦନ୍ତୁରିତ   ଧାରା  ସାହାଯ୍ୟରେ   ମାଟି  ଖୋଳି   ହୋଇଯାଏ   ଏବଂ   ହୁଡା  ମଧ୍ୟ  ଦିଆ  ହୋଇଯାଏ   ।  ଓସାରିଆ   ଧାଡିରେ  ଲଗାଯାଇଥିବା  ଫସଲ  କପା, ଆଳୁ, କୋବି  ଇତ୍ୟାଦି   ଫସଲରେ  ଅନ୍ତଃଚାଷ  ପାଇଁ  ଏହା  ଉପଯୁକ୍ତ   । ଏହି  ଉପକରଣଟିର  ଓଜନ   ପ୍ରାୟ  ୧.୨୫ କି.ଗ୍ରା.   ।

ଏହିସବୁ   ଉପକରଣ  ବ୍ୟତୀତ  ଦା,ଦାଇଲି, ଖୁରୁପି, ନେଡେଣି, କଟୁରୀ  କୋଦାଳ  କାଙ୍କ, ଗଇନ୍ତି, କୋଡି  ଇତ୍ୟାଦି   ସବୁ  ଅପରିହାର୍ଯ୍ୟ   କୃଷି  ଉପକରଣ   ଅଟେ   । ଏଗୁଡିକ   ଛୋଟ  ହେଲେହେଁ   ଅତି  ଉପକାରୀ , ଦରକାରୀ  ଓ  ଅପରିହାର୍ଯ୍ୟ   ଉପକରଣ  ଅଟେ   ।

ଆଧାର  - ଶିକ୍ଷକ  ଶିକ୍ଷା  ନିର୍ଦ୍ଦେଶାଳୟ ଓ ରାଜ୍ୟ  ଶିକ୍ଷା  ଗବେଷଣା  ଓ  ପ୍ରଶିକ୍ଷଣ  ପରିଷଦ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
Back to top