ହୋମ / କୃଷି / କୃଷି ସରଞ୍ଜାମ / ଜଳ ଉତ୍ତୋଳନ ଯନ୍ତ୍ର
ସେଆର କରନ୍ତୁ

ଜଳ ଉତ୍ତୋଳନ ଯନ୍ତ୍ର

ଜଳ ଉତ୍ତୋଳନ ଯନ୍ତ୍ର ର ସୂଚନା

ବୃଷ୍ଟି  ଜଳର  କିଛି  ଅଂଶ  ମୃତ୍ତିକା   ଭେଦକରି  ମୃତ୍ତିକା  ତଳେ  ଥିବା   ଜଳସ୍ତର  ସହିତ  ମିଶିଯାଏ   । ଏହି  ଜଳକୁ  ଭୂନିମ୍ନ   ଜଳ  କୁହାଯାଏ   । ଏହି  ଜଳକୁ  ମାଟି  ଉପରକୁ  ଉଠାଇ  ସେଚନଲାଗି  ବ୍ୟବହାର  କରାଯାଇପାରେ   । ମାଟିତଳୁ  ଏହି   ଜଳକୁ  ବିଭିନ୍ନ  ଉପାୟରେ   ଉପରକୁ  ଉଠାଇ  ସେଚନ   କରାଯାଉଥିବାରୁ   ଏହାକୁ  ଉଠାଜଳସେଚନ   କହନ୍ତି   ।  ଭୂନିମ୍ନ  ଜଳସ୍ତରର  ପତ୍ତନ  ଅନୁସାରେ  ସ୍ଥାନେ  ସ୍ଥାନେ  ଗଭୀର   ନଳକୂପ, ଅଗଭୀର  ନଳକୂପ, ସାଧା  କୂପ  ଓ  ବଡ  ବଡ  କୂଅ   ଖୋଳି  ଜଳ  ଉତ୍ତୋଳନ    କରାଯାଏ  । ଏପରି   ଜଳସେଚନ   ମଧ୍ୟ  ଉଠାଜଳସେଚନର  ଅନ୍ତର୍ଗତ   । ଜଳର   ଉତ୍ସ, ଉତ୍ତୋଳନ  କରାଯାଉଥିବା  ଜଳର   ପରିମାଣ, ଜଳର  ଗଭୀରତା, ମିଳୁଥିବା  ଶକ୍ତିର   ପ୍ରକାର  ଓ  ପରିମାଣ  ଏବଂ  ଚାଷୀର   ଆର୍ଥିକ  ଅବସ୍ଥା  ଅନୁସାରେ   ବିଭିନ୍ନ   ପ୍ରକାର  ଜଳ  ଉତ୍ତୋଳନ   ଯନ୍ତ୍ର   ବ୍ୟବହାର   କରାଯାଏ   ।  ଜଳପତ୍ତନ ୧.୨  ମିଟରରୁ  କମ୍, ୧.୨ – ୧୦ ମିଟର  ଓ  ୧୦ ମିଟର  ଓ  ୧୦ ମିଟରରୁ  ବେଶି  ଗଭୀରରେ  ଥିଲେ   ଏହାକୁ  ଅଗଭୀର, ମଧ୍ୟମ   ଗଭୀର  ଓ  ଗଭୀର  ଓ  ଜଳସ୍ତର   ବୋଲି  କୁହାଯାଏ   । ଏହି  ଅନୁସାରେ   ବ୍ୟବହୃତ  ଉତ୍ତୋଳନ   ଯନ୍ତ୍ରମାନ   ମଧ୍ୟ  ଭିନ୍ନ  ହୋଇଥାଏ   ।

ସେଣା

ଏହା  ଏକ  ଅତି  ପୁରାତନ   ଜଳ  ଉତ୍ତୋଳନ  ଯନ୍ତ୍ର   । ଏହା  ବାଉଁଶ   ପାତିଆରେ  ବୁଣା  ଯାଇଥାଏ   । ଏହାର  ଆଗ  ପଟ   ମେଲା  ଓ  ଓସାରିଆ  ଏବଂ  ପଛପଟ   ଗୋଜିଆ   ଓ  ବନ୍ଦ   । ତେଲଟିଣକୁ   କାଟି   ମଧ୍ୟ   ସେଣା   ତିଆରି   କରାଯାଇଥାଏ    । ସେଣାର   ଦୁଇ   ପାର୍ଶ୍ଵରେ  ଦୁଇଖଣ୍ଡ  ଲେଖାଏଁ   ଦଉଡି  ବନ୍ଧାଯାଇଥାଏ   । ପାଣି   ନାଳର   ଦୁଇପଟେ   ଦୁଇଜଣ   ଲୋକ   ସାମନା ସାମନି ଛିଡା   ହୋଇ   ସେଣାର   ଦଉଡିକୁ   ହାତରେ   ଧରି  ସେଣାକୁ   ଝୁଲାଇ  ପଣି  ଭରି   କରନ୍ତି  ଏବଂ   ଉପରକୁ   ଉଠାଇ   କିଆରୀ ବା  ନଳୀକୁ   ପାଣି  ଛାଡନ୍ତି   । ସେଣାଦ୍ଵାରା  ୦.୮ରୁ ୧.୫ ମିଟର   ଗଭୀରତାରୁ  ପାଣି  ଉଠାଯାଏ   । ଅନେକ  ସମୟରେ   ଦୋହରା   ସେଣା  ବ୍ୟବହାର   କରି  ମଧ୍ୟ  ଜଳ   ଉତ୍ତୋଳନ   କରାଯାଏ   । ସେନାର  ଥରକୁ  ୮ରୁ  ୧୨ ଲିଟର  ଏବଂ  ଘଣ୍ଟାକୁ  ୧,୪୦୦ -୪,୮୦୦  ଲିଟର  ପାଣି  ଉଠେ   ।

ସୋଢୁଅ

ଏହା  କାଠରେ   ତିଆରି   ଖଣ୍ଡେ  ଲମ୍ବ   ଅଳ୍ପ  ଚଉଡା   କାଠକୁ  ଖୋଳାଯାଇ   ପ୍ରାୟ   ୧୫ ସେ.ମି.  ଗଭୀର   କରି  ସୋଢୁଅ  ତିଆରି  କରାଯାଏ   । ସୋଢୁଅର   ଆଗପଟ   ମେଲା  ଓ  ଓସାରିଆ   ଏବଂ   ପଛପଟ   ଗୋଜିଆ   ଓ  ବନ୍ଦ   । ସୋଢୁଅରେ   ଗୋଟିଏ   ଦଉଡି   ଲାଗିଥାଏ   । ଗୋଟିଏ   ହାତରେ  ଦଉଡି  ଓ  ଅନ୍ୟ   ହାତରେ  ସୋଢୁଅର   ବେଣ୍ଟକୁ   ଧରି   ଗୋଟିଏ   ଜାଗାରୁ   ପାଣି   ସୋଢୁରେ  ଭରି   କରି  ଅନ୍ୟ  ଜାଗାକୁ   ଛାଟି   ଦିଆଯାଏ   । ଫସଲ  ବୁଣା   ପରେ  ଗଜା   ହେବାପାଇଁ   ପାଣି  ନ  ମଡାଇ  ଅନେକ  ସମୟରେ  ଛୋଟ  ଛୋଟ  ନାଳୀରେ   ପାଣି  କିଆରୀ   ଭିତରକୁ   ନେଇ  ସୋଢୁଅ  ଦ୍ଵାରା   ଛଟାଯାଏ   । ଏହାଦ୍ଵାରା  ୧୦ – ୧୫ ସେଣ୍ଟିମିଟର   ଗଭୀର   ଖାଲରୁ  ୬-୭  ମିଟର   ଦୂରତା  ପର୍ଯ୍ୟନ୍ତ   ପାଣି   ଛଟା   ଯାଇପାରେ   ।

ତେଣ୍ଡା

କୂପ, ପୁଷ୍କରିଣୀ ନଦୀ   ତଥା   କେନାଲରୁ   ତେଣ୍ଡା  ସାହାଯ୍ୟରେ  ପାଣି   ଉଠାଯାଏ   । ତେଣ୍ଡା  ତିଆରି  କରିବା  ପାଇଁ   ଭୂମି   ଉପରେ  ଗୋଟିଏ  କେନା   ଥିବା   ବା  କେନା  କରାଯାଇଥିବା   ଖୁଣ୍ଟ   ପୋତାଯାଏ   । ଖୁଣ୍ଟ  ଉପରେ   ତେଣ୍ଡା  ବାହାଲ  ରଖାଯାଏ   । ବାହାଲର   ଜମି  ପଟକୁ   ଥିବା   ମୁଣ୍ଡରେ  କାଠ  ବା  ପଥର   ବାନ୍ଧି  ଓଜନିଆ   କରାଯାଏ   । ଅନ୍ୟ  ମୁଣ୍ଡରେ   ପାଣି   ଉଠାଇବା   ପାଇଁ   ତେଣ୍ଡା  ବାଉଁଶ   ବନ୍ଧାଯାଏ   । ବାଉଁଶ  ଅଗରେ   ଟିଣ   ବା  ବାଲଟି   ବନ୍ଧାଯାଏ   । ତେଣ୍ଡା  ବାଉଁଶକୁ   ତଳ  ଉପର  କରି   ଜଳାଶୟରୁ   ପାଣି   ଉଠାଯାଏ   ।  ତେଣ୍ଡା   ଦ୍ଵାରା  ୫-୬  ମିଟର   ଗଭୀରରୁ   ଜଳ   ଉତ୍ତୋଳନ   କରାଯାଇପାରେ  । ଟିଣ  ବା  ବାଲଟିର   ଆୟତନ   ଅନୁସାରେ   ତେଣ୍ଡା   ଦ୍ଵାରା   ଥରକେ  ୧୦-୨୫ ଲିଟର  ଓ  ଘଣ୍ଟାକୁ  ୬,୦୦୦-୧୦,୦୦୦  ଲିଟର  ପାଣି   ପଠାଯାଏ   ।

ଯନ୍ତ୍ର

ଏହା   କାଠ  ନିର୍ମିତ   ଡଙ୍ଗା  ସଦୃଶ   ଏକ  ଲମ୍ବ  ନାଳିଆ   ପାତ୍ର   । ଏହାର  ଗୋଟିଏ   ମୁଣ୍ଡ  ଖୋଲା  ଓ  ଅନ୍ୟ  ମୁଣ୍ଡଟି   ବନ୍ଦ   । ଖୋଲା  ମୁଣ୍ଡଟି   ବିଲ   ଆଡକୁ  ଓ  ବନ୍ଦ  ମୁଣ୍ଡଟି   ପାଣିଶାଳ  ଆଡକୁ  ଥାଏ   । ପାଣିଶାଳ  ନିକଟରେ  ଗୋଟିଏ  ଖୁଣ୍ଟ   ପୋତାଯାଏ   । ଏବଂ   ଏହା  ଉପରେ   ଗୋଟିଏ  ବାଉଁଶ   ଗୋଟିଏ   ଲମ୍ବ  ବାହାଲ   ରଖାଯାଏ   ବାହାଲର   ଜମିପଟିକୁ   ଥିବା  ଅଂଶଟି   କମ୍  ଲମ୍ବ   ରଖାଯାଏ  ଏବଂ  ତା’ର   ମୁଣ୍ଡରେ   ଓଜନିଆ   ଜିନିଷ   ବାନ୍ଧି   ଦିଆଯାଏ   । ଅନ୍ୟ   ମୁଣ୍ଡଟିକୁ   ଦଉଡି   ସାହାଯ୍ୟରେ   ଯନ୍ତ୍ରର   ମୁଦା  ମଙ୍ଗ   ସହିତ   ସଂଯୁକ୍ତ   କରାଯାଏ   ।  ଜଣେ  ଲୋକ   ପାଣିଶାଳ  ପାଖରେ  ଠିଆ   ହୋଇ  ଯନ୍ତ୍ରର   ମୁଦା   ମଙ୍ଗଟିକୁ   ଗୋଡରେ   ପାଣି   ଭିତରକୁ   ଦାବି   ଦିଏ  ଏବଂ  ଯନ୍ତ୍ରରେ  ପାଣି  ଭର୍ତ୍ତି  ହୋଇଗଲେ  ଦଉଡି  ସାହାଯ୍ୟରେ   ମୁଦା   ମଙ୍ଗଟିକୁ   ଉପରକୁ  ଟେକି  ଦିଏ  ଫଳରେ   ପାଣି   ଜମି  ଉପରକୁ   ଅଜାଡି   ହୋଇଯାଏ   । ଏହିପରି  ବାରମ୍ବାର  ତଳ  ଉପର  କରି  ଜମିକୁ   ପାଣି  ମଡାଯାଏ   । ଅନେକ  ଜାଗାରେ  ତାଲା  ଓ  ନଡିଆ  ଗଛର  ଗଣ୍ଡିକୁ  ଖୋଳି  ଯନ୍ତ୍ର   ତିଆରି  କରାଯାଏ   । ଯନ୍ତ୍ରଦ୍ଵାରା  ୦.୬ ରୁ  ୦.୯  ମିଟର  ଗଭୀରତାର  ପାଣି   ଉଠାଯାଏ  ଥରକୁ  ୩୦ – ୪୦ ଲିଟର  ଏବଂ  ଘଣ୍ଟାକୁ ୨୦୦୦ – ୩୦୦୦ ଲିଟର  ପାଣି  ଯନ୍ତ୍ର  ସାହାଯ୍ୟରେ  ଉଠାଯାଏ  ।

ଶଗଡ

କୁଳ  କିମ୍ବା  ପାଣିଶାଳର  ଦୁଇପଟେ   ଦୁଇଟି   ଖୁଣ୍ଟ  ପୋତାଯାଏ   । ଖୁଣ୍ଟ  ଦୁଇଟି  ସହିତ  ଗୋଟିଏ   ବାଉଁଶ ବା  କାଠ  ଅଡୁଆ   ଭାବେ   ବନ୍ଧାଯାଏ   । କାଠ   ମଝିରେ   ଦୁଇଟି  କିଳା  ଦ୍ଵାରା  ଗୋଟିଏ   ଶଗଡି  ବା  ଚକ  ଲଗାଯାଏ   । ଶଗଡି  ତା’ର  ଅଖ  ଚାରିପଟେ  ଘୁରେ   ।  ଶଗଡି ଉପରେ   ଗୋଟିଏ   ଲମ୍ବ   ଦଉଡି   ଝୁଲୁଥାଏ   ।  ଦଉଡିର  ଦୁଇ   ମୁଣ୍ଡରେ   ଦୁଇଟି  ବାଲଟି   ବନ୍ଧାଯାଏ   ।  ଗୋଟିଏ   ବାଲଟି   କୂଅ   ଭିତରେ  ପାଣିରେ   ବୁଡିଥିଲାବେଳେ   ଅନ୍ୟ  ବାଲଟି   ଉପରେ  ଥାଏ   । ଜଣେ   ବା  ଦୁଇଜଣ   ଲୋକ   ନିଯୁକ୍ତ   ହୋଇ   ଶଗଡି   ଦ୍ଵାରା   ପାଣି  ଉଠାନ୍ତି   । ଶଗଡି   ଦ୍ଵାରା  ୫.୬  ମିଟର   ଗଭୀରତାରୁ  ପାଣି   ଉଠାଯାଇପାରେ   ଏବଂ  ଘଣ୍ଟାକୁ  ୧୪୦୦ – ୧୫୦୦ ଲିଟର  ପାଣି  ଉଠାଯାଏ   ।

ମୋହଟ

୬- ୭ ମିଟରରୁ  ଅଧିକ   ଗଭୀର  କୂପ  ବା  ଅନ୍ୟାନ୍ୟ  ଜଳାଶୟରୁ  ତେଣ୍ଡା  ସାହାଯ୍ୟରେ   ପାଣି   ଉଠାଇବା   କଷ୍ଟକର  । ଏପରି   ଗଭୀର   ଜଳାଶୟରୁ  ମୋହଟ   ସାହାଯ୍ୟରେ   ପାଣି   ଉଠାଯାଏ   । କୂପ ବା  ଜଳାଶୟ   ନିକଟରେ   ଗୋଟିଏ   ଗଡାଣିଆ   ମଞ୍ଚା   ତିଆରି   କରାଯାଏ   । ଗୋଟିଏ  ବଡ  ବାଲଟି  ବା  ଚମଡା   ଥଳି  କୂଅ   ଭିତରୁ  ଉପରକୁ   ଓ  ଉପରୁ   ଭିତରକୁ   ଗଡାଣିଆ   ମଞ୍ଚରେ  ବଳଦ   ସାହାଯ୍ୟରେ   ଟଣାଯାଏ   ।  ବାଲଟି   ବା  ଥଳିଟି   ଦଉଡିରେ   ବନ୍ଧା   ହୋଇଥାଏ   । ଦଉଡିର   ଅନ୍ୟ  ମୁଣ୍ଡଟି   ଜୁଆଳିରେ   ବନ୍ଧା   ଯାଇଥାଏ   । କୁଳ   ମଝିରେ   ସୁବିଧା   ମୁତାବକ   ଗୋଟିଏ   ଶଗଡି   ଲାଗିଥାଏ    । ଦଉଡିଟି  ଶଗଡି   ଉପରେ  ତଳ – ଉପର   ହୁଏ   । ହଳେ   ବଳଦ   ସାହାଯ୍ୟରେ  ୬ – ୭ ମିଟର   ଗଭୀର   କୂଅରୁ  ମୋହଟ  ଦ୍ଵାରା  ପାଣି  ଉଠାଯାଏ   । କୂଅର   ଗଭୀରତା   ଅଧିକ   ହେଲେ  ଦୁଇହଳ   ବଳଦ  ସାହାଯ୍ୟରେ  ପାଣି   ଉଠାଯାଏ   । ଥଳିରେ  ୧୮୦ – ୨୨୫  ଲିଟର   ପାଣି  ଧରେ   । ଘଣ୍ଟାକୁ  ୪,୫୦୦ – ୬,୫୦୦  ଲିଟର   ପାଣି   ମୋହଟ  ସାହାଯ୍ୟରେ   ଉଠାଯାଇପାରେ    । ଉନ୍ନତ   ଧରଣର   ମଞ୍ଚା  ଗଡାଣିଆ  ନହୋଇ  ବୃତ୍ତାକାର  ହୋଇଥାଏ   । ଉତ୍ତର  ଭାରତର  କାନପୁର , ଆଗ୍ରା, ଦିଲ୍ଲୀ  ଓ  ଦକ୍ଷିଣ  ଭାରତରେ  କର୍ଣ୍ଣାଟକ   ଓ  ତାମିଲନାଡୁ  ଅଞ୍ଚଳରେ   ମୋହଟ   ଏକ  ସାଧାରଣ   ପାଣିଉଠା  ଯନ୍ତ୍ର   ।

ରହଟ

ଏହି  ଯନ୍ତ୍ର  ଭୂମି   ସହିତ  ସମାନ୍ତର   ଭାବେ ମାଟି   ଉପରୁ   କୂଅର   ମଧ୍ୟଭାଗ   ପର୍ଯ୍ୟନ୍ତ   ଗୋଟିଏ   ଅକ୍ଷଦଣ୍ଡ   ଥାଏ   । ଦଣ୍ଡଟିର  କୂଅପାଖ   ମୁଣ୍ଡଟି  ଗୋଟିଏ  ବଡ  ଚକ  ସହିତ   ଲାଗିଥାଏ   । ଚକ  ଉପରେ   ଗୋଟିଏ  ଲମ୍ବ  ଜଞ୍ଜିର   ଗୋଲ   ହୋଇ   ବୁଲି   ପାଣି  ଭିତରକୁ   ଲମ୍ବିଥାଏ   । ଜଞ୍ଜିର  ଦେହରେ  ଚକ  ଚାରିପଟେ   ଅନେକଗୁଡିଏ   ବାଲଟି   ଉପରୁ   ତଳକୁ   ଖଞ୍ଜା   ଯାଇଥାଏ  । ଅକ୍ଷ  ଦଣ୍ଡଟି  ଗିଅର  ଚକ   ଦ୍ଵାରା  ହଳେ  ବଳଦ  ସାହାଯ୍ୟରେ   ଘୂରେ   । ବଳଦ  ହଳକ  ବୃତ୍ତାକାର  ପଥରେ   ବେଙ୍ଗଳା  ପକାଇଲା   ପରି  ବୁଲନ୍ତି   । ଅକ୍ଷ  ଦଣ୍ଡଟି   ଘୂରିଲେ   କୂଅ  ଉପରେ  ଥିବା  ଚକଟି  ଘୂରେ  ଫଳରେ  ଚେନ ଓ  ଚେନ   ସହିତ  ସଂଯୁକ୍ତ   ଥିବା  ବାଲଟିଗୁଡିକ   ଘୂରନ୍ତି  । ବାଲଟିଗୁଡିକ  କୂଅ   ଭିତରୁ  ପାଣି  ଧରି  ଉପରକୁ   ଏବଂ  ପାଣି  ଗୋଟିଏ   ଡାଲା   ଉପରେ  ଢାଳି   ହୋଇ  ଜଳସେଚନ   ନାଳୀ   ଦେଇ  ବିଲକୁ   ଯାଏ   । ପ୍ରତି   ବାଲଟିରେ  ୭ – ୧୪ ଲିଟର  ପାଣି   ଧରେ   । ରହଟ  ସାହାଯ୍ୟରେ   ଘଣ୍ଟାକୁ  ୧୦,୦୦୦ – ୧୧, ୨୫୦  ଲିଟର  ପାଣି   ଉଠେ   । ରହଟ  ଦ୍ଵାରା  ୮ – ୧୦ ମିଟର   ଗଭୀରତାରୁ   ପାଣି  ଉଠାଯାଇପାରେ   । କିନ୍ତୁ  ୭.୫  ମିଟରରୁ   ଅଧିକ   ଗଭୀରତାରୁ   ପାଣି  ଉଠାଇଲେ   ବଳଦଙ୍କ   ଉପରେ   ଅଧିକ  ଚାପ   ପଡେ   ଏବଂ  ଯନ୍ତ୍ରର   କ୍ଷମତା   ଯଥେଷ୍ଟ   ପରିମାଣରେ  କମେ   । ପାଞ୍ଚ   ମିଟରରୁ   କମ୍  ଗଭୀରତାରୁ  ପାଣି   ଉଠାଇବାର  ଥିଲେ  ଗୋଟିଏ  ଅକ୍ଷଦଣ୍ଡ  ସହିତ  ଦୁଇଟି  ଚକ  ସଂଯୁକ୍ତ   କରି  ଦୁଇ ଧାଡି   ବାଲଟି  ମଧ୍ୟ   ବ୍ୟବହାର   କରାଯାଇପାରିବ   । ଏହି  ବ୍ୟବସ୍ଥା   ଦ୍ଵାରା  ପାଣି   ଉଠାଇବା   ପରିମାଣ  ପ୍ରାୟ  ଦ୍ଵିଗୁଣିତ   ହୋଇଯାଏ   ।

ପବନ  କଳ

ପବନର   ଶକ୍ତିକୁ  ବ୍ୟବହାର   କରି  ଏହି ଯନ୍ତ୍ର  ଚାଲୁଥିବାରୁ  ଏହାକୁ  ପବନ  କଳ  କୁହାଯାଏ  । ଏହି  ଯନ୍ତ୍ରରେ   ଗୋଟିଏ   ବଡ  ଚକ୍ର  ଥାଏ   । ଏବଂ  ଚକ୍ରରେ  ଅନେକ  ପକ୍ଷ  ସଂଯୁକ୍ତ   କରାଯାଇଥାଏ   । ଚକ୍ରଟି  ଗୋଟିଏ  ବଡ  ଖମ୍ବରେ  ଗୋଟିଏ  ପାଖକୁ  ଖଞ୍ଜା  ଯାଇଥାଏ   । ଖମ୍ବ   ତଳେ  ଗୋଟିଏ   ପମ୍ପଥାଏ   । ବାୟୁ  ଜୋରରେ  ବହିଲେ  ଚକ୍ରଟି  ଘୂରେ   ଏବଂ  ଏହାଦ୍ଵାରା  ପମ୍ପଟି  କାର୍ଯ୍ୟକ୍ଷମ  ହୋଇ  ପାଣି   ଉଠାଏ  । ପାଣି   ଗୋଟିଏ   ଜଳ  ଭଣ୍ଡାରରେ   ଗଚ୍ଛିତ   ହୋଇ  ରହେ  ଏବଂ   ଆବଶ୍ୟକତା  ବେଳେ  ସେଚନ   କରାଯାଏ   । ଅଗଭୀର   ଏବଂ  ମଧ୍ୟମ  ଗଭୀର   କୂପରୁ   ଜଳ   ଉତ୍ତୋଳନ   କରିବା  ପାଇଁ   ଏହା   ଉପଯୋଗୀ   । ପବନ   ଶକ୍ତିକୁ  ବ୍ୟବହାର   କରିବା  ଦ୍ଵାରା   ଜଳ  ଉଠାଇବା  ପାଇଁ   କିଛି  ଖର୍ଚ୍ଚ   କରିବାକୁ  ପଡେ   ନାହିଁ   ।  ବାୟୁବେଗ  ଘଣ୍ଟା  ପ୍ରତି  ୬.୭  କିଲୋମିଟରରୁ   ଅଧିକ   ହେଲେ   ପବନ  କଳ  ସନ୍ତୋଷଜନକ   ଭାବେ  କାର୍ଯ୍ୟ   କରେ   ।

ପମ୍ପ

ମଣିଷ  ଓ  ପଶୁଚାଳିତ   ଯନ୍ତ୍ର  ଦ୍ଵାରା  ବେଶି  ଜଳ   ଉଠାଯାଇପାରେ   ନାହିଁ   । ଜମିର   ପରିମାଣ  ବେଶି   ହେଲେ   ଏବଂ   ବେଶି  ପାଣି   ମଡାଇବାକୁ   ପଡିଲେ   ପମ୍ପର   ସାହାଯ୍ୟ  ନେବାକୁ   ପଡେ    । ପମ୍ପଗୁଡିକ   ଇଞ୍ଜିନ   ଦ୍ଵାରା  ପରିଚାଳିତ   ହୁଏ   । ପମ୍ପ   ପେଟ୍ରୋଲ , ଡିଜେଲ   କିମ୍ବା   ବିଜୁଳି   ଦ୍ଵାରା   ପରିଚାଳିତ   ହୁଏ   । ପମ୍ପର   ଶକ୍ତି   ଅଣୁଶକ୍ତି   ରୂପେ   ପ୍ରକାଶ   କରାଯାଏ   ।

କେନ୍ଦ୍ରାଭିସାରୀ  ପମ୍ପ   ମୁଖ୍ୟତଃ   ଜଳସେଚନ   ପାଇଁ   ବହୁଳ   ଭାବେ   ବ୍ୟବହୃତ   ହୁଏ   । ଜଳ  ପତ୍ତନ   ୬.୫ – ୭.୦  ମିଟର  ତଳେ   ଥିଲେ   ପମ୍ପ  ଭଲ  କାମ  କରେ  କିନ୍ତୁ   ଜଳପତ୍ତନ   ୮ ମିଟରରୁ   ବେଶି   ହେଲେ   ପମ୍ପର   ଦକ୍ଷତା   କମିଯାଏ   ।  ପମ୍ପ   ଦ୍ଵାରା  ଘଣ୍ଟାକୁ  ୪୦,୦୦୦ -୫୪ , ୦୦୦ ଲିଟର  ପାଣି  ଉଠାଯାଇପାରେ   । ଇଲେକ୍ଟ୍ରିକ   ମୋଟର   ସାହାଯ୍ୟରେ   ପାଣି  ପ୍ରାୟ  ୨୦ ମିଟର   ଉଚ୍ଚକୁ   ଉଠାଯାଇପାରେ    । ଇଲେକ୍ଟ୍ରିକ   ମୋଟର  ସାହାଯ୍ୟରେ   ପାଣି  ପ୍ରାୟ  ୨୦ ମିଟର   ଉଚ୍ଚକୁ   ଉଠାଯାଇପାରେ    ।

କେନ୍ଦ୍ରାଭିସାରୀ   ପମ୍ପ  ଦ୍ଵାରା   ଜଳ  ନ ଉଠିପାରୁଥିବା   ଗଭୀର   କୂପରୁ   ଟରବାଇନ   ପମ୍ପ  ସାହାଯ୍ୟରେ   ଜଳ   ଉଠାଯାଇପାରେ   । ଏହି  ପମ୍ପଗୁଡିକ   ସାଧାରଣତଃ  ବିଦ୍ୟୁତ   ଶକ୍ତି   ଦ୍ଵାରା   ପରିଚାଳିତ   ଅତି  ଗଭୀର   କୂପରୁ   ସାଧାରଣ  ଟରବାଇନ  ପମ୍ପ  ଦ୍ଵାରା  ଜଳ  ଉତ୍ତୋଳନ   ସମ୍ଭବ  ନୁହେଁ   । ଏପରି   ସ୍ଥଳେ  ନିମଜ୍ଜନଶାଳି  ଟରବାଇନ   ପମ୍ପ  ବ୍ୟବହାର   କରି   ଜଳ  ଉତ୍ତୋଳନ   କରାଯାଏ   । ନିମଜ୍ଜନଶାଳୀ   ଟରବାଇନ   ପମ୍ପ  ଦ୍ଵାରା  ୪୦୦  ମିଟରରୁ  ଅଧିକ   ଗଭୀର   କୂପରୁ   ମଧ୍ୟ  ଜଳ   ଉତ୍ତୋଳନ   କରିହୁଏ   ।

ପମ୍ପଗୁଡିକର   ଉପଯୁକ୍ତ   ବିନିଯୋଗ  ପାଇଁ   ବିଭିନ୍ନ  ଅବସ୍ଥା  ପାଇଁ   ଉପଯୁକ୍ତ  ପମ୍ପ   ବାଛିବା  ଦରକାର    । ପମ୍ପଦ୍ଵାରା  ଉତ୍ତୋଳିତ   ଜଳ  ପମ୍ପ  ଶକ୍ତି   ତୁଳନାରେ   କମ୍  ହେଲେ  ଏବଂ  ଶୀର୍ଷ   ଲମ୍ବ  ବୃଦ୍ଧି   ପାଇଲେ  ପମ୍ପର   ଦକ୍ଷତା  ହ୍ରାସ   ପାଇଥାଏ   । ସେହିପରି  ପମ୍ପର   ଦକ୍ଷତା   ଅନୁସାରେ   ଯେତିକି   ଉଚ୍ଚତାରୁ   ଜଳ   ଉତ୍ତୋଳିତ   ହେବା  କଥା  ତାଠାରୁ   କମ୍  ଉଚ୍ଚତାକୁ  ଉତ୍ତୋଳିତ   ହେଲେ   ପମ୍ପର   ଦକ୍ଷତା   ମଧ୍ୟ  ହ୍ରାସ  ପାଇଥାଏ   ।

ଗୋଟିଏ   ସାଧାରଣ  ୫ ଅଶ୍ଵଶକ୍ତି  ବିଶିଷ୍ଟ   ପମ୍ପ  ଦ୍ଵାରା  ୨୦ – ୨୫  ଫୁଟ   ଗଭୀରରୁ  ପାଣି   ଉଠାଯାଇପାରେ   । ଦିନକୁ  ଘଣ୍ଟା  କାମ   କରି  ୨ – ୨ ଏକର  ପନିପରିବା   ଜମି   ମଡାଯାଇପାରେ    । ଘଣ୍ଟାକୁ  ୪୦,୦୦୦ – ୫୪,୦୦୦ ଲିଟର   ପାଣି   ଉଠାଯାଏ   ।

ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ

2.57142857143
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
Back to top