ସେଆର କରନ୍ତୁ

ଅନନ୍ତମୂଳ

ଅନନ୍ତମୂଳ ଏକ ବହୁବର୍ଷୀୟୁ , ପତଳା, ଗୁଳ୍ମଜାତୀୟ ଆରୋହଣଶୀଳ ଲଟା ଅଟେ । ଏହା ଲଟା ସଦୃଶ ଉଦ୍ଭିଦଟି ଜାତୀୟ ସମଗ୍ର ପ୍ରାନ୍ତରେ ବିଶେଷତଃ ବିହାର , ପଶ୍ଚିମବଙ୍ଗ , ସୁନ୍ଦରବନ , ପଶ୍ଚିମଘାଟ , ମଧ୍ୟପ୍ରଦେଶ ଏବଂ ଦାକ୍ଷଣାତ୍ୟ ପ୍ରଦେଶମାନଙ୍କରେ ପ୍ରାକୃତିକ ରୂପରେ ଜଙ୍ଗଲରେ ଦେଖାଯାଇଥାଏ ।

ବୈଜ୍ଞାନିକ ନାମ : ହେମିଡେସମସ ଇଣ୍ଡିକସ

ବଂଶ : ଏସକ୍ଳେପିଏଡେସୀ

ଆଞ୍ଚଳିକ ଭାଷାଗତ ନାମ :

ଓଡିଆ – ଅନନ୍ତମୂଳ

ସଂସ୍କୃତ – ଅନନ୍ତମୂଳ, ଶ୍ଵେତସାରିବା

ଗୁଜୁରାଟୀ  – ଉପଲସରୀ

ତେଲୁଗୁ – ସୁଗନ୍ଧିପଳ

ଇଂରାଜୀ – Indian sarsaparilla

ହିନ୍ଦୀ – ଅନନ୍ତମୂଲ , ସାଲସା

ବଙ୍ଗଳା – ଅନନ୍ତମୂଲ

ମରାଠୀ – ଉପଲସର

ତାମିଲ – ନନ୍ନାରୀ

ଉପକ୍ରମ

ଅନନ୍ତମୂଳ ଏକ ବହୁବର୍ଷୀୟୁ , ପତଳା, ଗୁଳ୍ମଜାତୀୟ ଆରୋହଣଶୀଳ ଲଟା ଅଟେ  ।  ଏହା ଲଟା ସଦୃଶ ଉଦ୍ଭିଦଟି ଜାତୀୟ ସମଗ୍ର ପ୍ରାନ୍ତରେ ବିଶେଷତଃ ବିହାର , ପଶ୍ଚିମବଙ୍ଗ , ସୁନ୍ଦରବନ , ପଶ୍ଚିମଘାଟ , ମଧ୍ୟପ୍ରଦେଶ ଏବଂ ଦାକ୍ଷଣାତ୍ୟ ପ୍ରଦେଶମାନଙ୍କରେ ପ୍ରାକୃତିକ ରୂପରେ ଜଙ୍ଗଲରେ ଦେଖାଯାଇଥାଏ । ଆୟୁର୍ବେଦୀୟ ଔଷଧ ପ୍ରସ୍ତୁତିରେ ଏହା ଏକ ପ୍ରମୁଖ ବନୌଷଧି ଭାବରେ ମାନ୍ୟତା ଲାଭ କରିଛି । ଆୟୁର୍ବେଦର ପ୍ରସିଦ୍ଧ ଶାସ୍ତ୍ରୀୟ ଔଷଧ “ ସାରିବାଦ୍ୟାସବ” (ରକ୍ତ ପରିଷ୍କାର କରିବା ନିମିତ୍ତ ଉଦ୍ଧିଷ୍ଟ )ର ମୁଖ୍ୟ ଘଟକ ଦ୍ରବ୍ୟ ହେଉଛି ଅନନ୍ତମୂଳ । ପୂର୍ବେ ଏହା ପ୍ରାକୃତିକ ଭାବରେ ପ୍ରଚୁର ପରିମାଣରେ ଉପଲ୍ଲବ୍ଧ ହେଉଥିଲା । କିନ୍ତୁ ସମ୍ପ୍ରତି ବନ୍ୟ ସମ୍ପଦର ଅବକ୍ଷୟ ଯୋଗୁଁ ଏହା ଦୁଷ୍ପ୍ପାପ୍ୟ ପ୍ରାୟ ହେବାକୁ ବସିଲାଣି । ଏହି କାରଣରୁ ଏହାର ଔଷଧୀୟ ଚାହିଦା ନିମିତ୍ତ ଏହି ଔଷଧୀୟ ବନସ୍ପତିର କୃଷିକରଣ ଅନିର୍ବାର୍ଯ୍ୟ ହୋଇପଡିଛି  ।

ଆକୃତି ବର୍ଣ୍ଣନା (ଉଦ୍ଭିଦ ପରିଚୟ)

ଅନନ୍ତମୂଳ ଲତା ବହୁବର୍ଷାୟୁ ପତଳା , ପ୍ରସାରୀ – ଆରୋହଣଶୀଳ ଏବଂ ଗୁଳ୍ମଜାତୀୟ ଉଦ୍ଭିଦ ଅଟେ । ମୂଳସ୍ତମ୍ଭ କାଷ୍ଠମୟ ଏବଂ କାଣ୍ଡ ପତଳା , ଗୋଲ ଚିକ୍କଣ , ସୂକ୍ଷ୍ମ ରୋମଯୁକ୍ତ ଏବଂ ଲମ୍ବରେ ସୂକ୍ଷ୍ମଙ୍କରଯୁକ୍ତ ଏବଂ ପବ ଅଂଶ ସାମାନ୍ୟ ମୋଟା ହୋଇଥାଏ  । ପତ୍ର- ରେଖାକାର ଭାଲାକାର , ବିପରୀତ ୨ ରୁ ୪ ଇଞ୍ଚ ଲମ୍ବ , ୩ ରୁ ୧.୫ ଇଞ୍ଚ ଓସାର ଉପରିଭାଗ ଚିକ୍କଣ , ଗାଢ ସବୁଜ ବର୍ଣ୍ଣଯୁକ୍ତ ଏବଂ ପୃଷ୍ଠଭାଗରେ ଧଳାଚିହ୍ନ ଥାଏ । ପତ୍ର ଗୁଡିକ ପରସ୍ପରଠାରୁ ଯଥେଷ୍ଟ ବ୍ୟବଧାନରେ ଥାଏ  । ଫୁଲ ଗୁଡିକ ଛୋଟ , ବାହ୍ୟଭାଗରୁ ସବୁଜ ବର୍ଣ୍ଣବିଶିଷ୍ଟ ଏବଂ ଭିତରପଟୁ ବାଇଗଣୀ ରଙ୍ଗର ପତ୍ର କୋଣୀୟ ଗୁଚ୍ଛରେ ଆସିଥାଏ । ଫଳଗୁଡିକ ୪ରୁ ୬ ଇଞ୍ଚ ଲମ୍ବା , ପତାଳା, ଗୋଲ ଅଗ୍ରଭାଗକୁ କ୍ରମଶଃ ସଙ୍କୁଚିତ ଏବଂ ଯୋଡା ହୋଇ ଆସୁଥାଏ । ଏହାର ମଞ୍ଜି ୬ ରୁ ୮ ମିମି, ଲମ୍ବ , ଅଣ୍ଡାକାର , ଚେପଟା କଳାରଙ୍ଗ ଏବଂ ଶ୍ଵେତ ରୋମଗୁଚ୍ଛ ଦ୍ଵାରା ଆଚ୍ଛାଦିତ ହୋଇଥାଏ  ।

ପ୍ରୟୋଜ୍ୟାଙ୍ଗ

ଏହାର ମୂଳକୁ ଚିକିତ୍ସାରେ ବ୍ୟବହାର କରାଯାଇଥାଏ । ଏହା ପରିପକ୍ଵ ଅବସ୍ଥାରେ ପ୍ରାୟ ୧୨ ଇଞ୍ଚ ଲମ୍ବ, ୩-୬ ମିମି ମୋଟା, ଗୋଲ କଠୋର , ବାହ୍ୟଭାଗ ଗାଢ ବାଦାମି ରଙ୍ଗଯୁକ୍ତ ଏବଂ ମଧ୍ୟଭାଗ ହଳଦିଆ ବର୍ଣ୍ଣଆରଏଲ ଏବଂ କାଷ୍ଠମୟ ଅଟେ । ମୂଳର ଛାଲରୁ କର୍ପୁର ଭଳି ମଧୁର ଗନ୍ଧ ଆସିଥାଏ । ପୁରୁଣା ଗନ୍ଧହୀନ ମୂଳ ବ୍ୟବହାର କରିବା ଅନୁଚିତ୍ । ଏହାର ମୂଳରେ ଗନ୍ଧଯୁକ୍ତ , ଉଡନଶୀଳ , କ୍ରିୟାଶୀଳ ତତ୍ତ୍ଵ ହେବା କାରଣରୁ ଏହାର କ୍ଵାଥ ନକରି ଫାଣ୍ଟ ପ୍ରସ୍ତୁତ କରି ବ୍ୟବହାର କରାଯାଏ  । ଏହି ତତ୍ତ୍ଵ ବିଶେଷତଃ ଏହାର ଛାଲିରେ ରହିଥାଏ  । ଏଥିପାଇଁ ଏହାର ପତଳା ମୂଳ କିମ୍ବା ମୂଳର ଛାଲି ବ୍ୟବହାର କରିବା ଉଚିତ  ।

ରାସାୟନିକ ସଂଗଠନ

ଏହାର କଞ୍ଚା ମୂଳରେ ୦.୨୨୫ପ୍ରତିଶତ ମାତ୍ରାରେ ଏକ ଉଡ଼ନଶୀଳ ତୈଳ ଥାଏ ଯାହାର ୮୦ ପ୍ରତିଶତ ଭାଗ ଏକ କଉମାରିନ ସଦୃଶ ଗନ୍ଧଯୁକ୍ତ ପଦାର୍ଥ ଥାଏ  । ଏହାଛଡା ଦୁଇଟି ସ୍ଟେରୋଲ , ରାଳ, କଷାୟ ଦ୍ରବ୍ୟ , ଶର୍କରା ଏବଂ କିଛି ଗ୍ଲାଇକୋସାଇଡ ଉପାଦାନ ରହିଥାଏ  ।

ଔଷଧୀୟ ଗୁଣ ଓ ପ୍ରୟୋଗ

ଆୟୁର୍ବେଦର ଦ୍ରବ୍ୟଗୁଣ ଶାସ୍ତ୍ରରେ ବର୍ଣ୍ଣିତ ତଥ୍ୟ ଅନୁସାରେ ଅନନ୍ତମୂଳ, ମୁତ୍ରବିରେଚନୀୟ , ଅଗ୍ନିବର୍ଦ୍ଧକ

ଚର୍ମଦୋଷହର,ଗୁଣଯୁକ୍ତ ଅଟେ  । ଏହାର ପ୍ରୟୋଗ ଜ୍ଵର , କୁଷ୍ଠ, ପ୍ରଭୁତିଳ ଚର୍ମ ରୋଗ , ଫିରଙ୍ଗ , ଜୀର୍ଣ୍ଣଆମବାତ , ପ୍ରଦର,  ଅତିସାର ପ୍ରମେହ ଏବଂ ଶ୍ଵାସ କାସାଦିରେ ପ୍ରୟୋଗ କରାଯାଏ । ଏହା ସହିତ ଗୁଳ୍ମଟି ଏବଂ ସୁଗନ୍ଧି ଦ୍ରବ୍ୟ ମିଶାଇ ଔଷଧ ପ୍ରସ୍ତୁତ କାଲେ ତାହା ଅଧିକ ପ୍ରଭାବଶାଳୀ ହୋଇଥାଏ  ।ଫିରଙ୍ଗ ର ଦ୍ଵିତୀୟବସ୍ଥାରେ ତଥା ଅନ୍ୟ ଚର୍ମରୋଗରେ ଏହାର ଗୁଳୁଚି ସହ ଦେଲେ ବିଶେଷ ଲାଭ ମିଳିଥାଏ  ।

ଛୋଟ ପିଲାମାନଙ୍କର ଦୁର୍ବଳତା ତଥା ପାଣ୍ଡୁ ରୋଗରେ ଏହାକୁ ବାଇବିଡଙ୍ଗ ସହିତ ଦେଲେ ବିଶେଷ ଉପକାର ମିଳିଥାଏ । ଆହୁରି ମଧ୍ୟ ପ୍ରଦତ୍ତ ରୋଗର ଦେଶୀୟ ଚିକିତ୍ସାରେ ଏହାର ପ୍ରୟୋଗ କରାଯାଇଥାଏ । ବ୍ରଣ ଉପରେ ଏହାର ମୂଳର ଲେପ ଦିଆଯାଏ । ନେତ୍ରାଭିଷ୍ୟନ୍ଦରେ ଏହାର ଦୁଧ ଆଖିରେ ପକାଯାଏ  । ଆହୁରି ମଧ୍ୟ ଏହାର ସ୍ଵେଦଜନନ ପ୍ରଭାବ ହେତୁ ଏହା ସହିତ ଅନ୍ୟ ଜ୍ଵରଘ୍ନ ଔଷଧଗୁଡିକ ପ୍ରୟୋଗ କଲେ ମ୍ୟାଲେରିଆ , ପିତ୍ତଜ୍ଵର , ପାଳିଜ୍ଵର ସମେତ ଅନେକ ପ୍ରକାର ଜ୍ଵର ରୋଗକୁ ବିଶେଷ ଉପଶମ ମିଳିଥାଏ  ।

ଚାଷ ପ୍ରଣାଳୀ

ମୃତ୍ତିକା ଓ ଜଳବାୟୁ

କମ୍ପୋଷ୍ଟ  ବା “ଖତ” ମିଶ୍ରିତ ଦୋରସା ମାଟି ଏହାର ଚାଷ ପାଇଁ ଉପଯୁକ୍ତ । ଏହା ବିବିଧ ପ୍ରକାର ଜଳବାଯୁରେ ବଢିପାରେ  ।

ରୋପଣ ପଦ୍ଧତି

ଏହାର ମଞ୍ଜିକୁ ୨୪ ଘଣ୍ଟା ପାଇଁ ପାଣିରେ ଭିଜାଯାଏ । ତାପରେ ପଟାଳି ପ୍ରସ୍ତୁତ କରି ବୁଣାଯାଏ । ପ୍ରାୟ ୯୫ ପ୍ରତିଷ୍ଟ ଭାଗ ମଞ୍ଜିରୁ ଗଜା ବାହାରେ ଓ ଗଜା ବାହାରିବାକୁ ୧୦-୧୪ ଦିନ ଲାଗେ । ୪-୬ ପତ୍ର ହୋଇଗଲେ ପଲିଥିନ ମୁଣାରେ ମାଟି ଭର୍ତ୍ତି କରି ଲଗାଯାଏ । ୨ ମାସ ପରେ ଚାରାଗଛକୁ ୩୦ ସେମି x ୩୦ସେମି x ୩୦ସେମି ର ଗାତ ଖୋଳି ପୋତାଯାଏ ।

ଅଙ୍ଗୀୟ ଜନନ

ଏହାର କନ୍ଦଳ ମୂଳକୁ ପ୍ରାୟ ୧୦ ସେମି ଲମ୍ବରେ ଖଣ୍ଡ ଖଣ୍ଡ କରି ପଲିଥିନ ମୁଣାରେ ଲଗାଯାଏ । ପ୍ରାୟ ୧୫-୨୦ ଦିନ ଭୀତରେ ଚେର ଅଙ୍କୁରିତ ହୋଇଥାଏ  । ଶତକଡା ୪୦ ଭାଗ କଟା ଚେରରୁ ଗଛ ବାହାରିଥାଏ । କଟା ଡାଳକୁ ମଧ୍ୟ ନୋରିକ ଅମ୍ଳ (୨୫୦ ପି.ପି. ଏମ) ଓ  ଆଇ.ବି. ଏ. (୧୦୦ ପି.ପି. ଏମ) ରେ ୧୨ ଘଣ୍ଟା ବୁଡାଇ ରଖି ଲଗାଇଲେ ଗଜା ବାହାରେ  ।

ରୋପଣ ପରବର୍ତ୍ତୀ ଯତ୍ନ

ଚାରାଗଛ ରୋପଣ ପରେ ଗାଈଗୋରୁଙ୍କ ଦାଉରୁ ରକ୍ଷା କରିବା ପାଇଁ ଗୋଲାକାର ବାଦଦେବା ଉଚିତ । ଗ୍ରୀଷ୍ମ ଦିନେ , ମଝିରେ ମଝିରେ ସିଞ୍ଚା ଜଳସେଚନ ବ୍ୟବସ୍ଥା କରିବା ଦ୍ଵାରା ଗଛ ଖୁବ ଶୀଘ୍ର ବଢିଯାଏ ।

ବ୍ୟବସାୟିକ ସୂଚନା

ଜାତୀୟ ସ୍ତରରେ ଏହାର ମୂଳ କିଗ୍ରା ପ୍ରତି ୧୨ ଟଙ୍କାରୁ ୪୫ ଟଙ୍କା ଅଟେ । ୧୯୯୯ -୨୦୦୦ ମସିହା ମୂଲ୍ୟ ଅନୁସାରେ ଏହାର ଚେରର ମୂଲ୍ୟ ହାଇଦ୍ରାବାଦରେ କିଗ୍ରା ପ୍ରତି ୪୦ ଟଙ୍କା , କଲିକତା କିଗ୍ରା ପ୍ରତି ୩୭ ଟଙ୍କା , ନୂଆଦିଲ୍ଲୀରେ କିଗ୍ରା ୧୨ ଟଙ୍କାରୁ ୪୦ ଟଙ୍କା , ମୁମ୍ବାଇରେ କିଗ୍ରା ପ୍ରତି ୩୦ ଟଙ୍କାରୁ ୬୦ ଟଙ୍କା , ଚେନ୍ନାଇରେ କିଗ୍ରା ପ୍ରତି ୨୫ , ତୁତିକୁରିନରେ କିଗ୍ରା ପ୍ରତି ୪୫ ଟଙ୍କା , ବାଙ୍ଗାଲୋରରେ କିଗ୍ରା ପ୍ରତି  ୪୫ ଟଙ୍କାରୁ ୪୫ ଟଙ୍କା  । ଆନ୍ଦ୍ରପ୍ରଦେଶର ଗିରିଜନ ସମବାୟ ସମିତି ୩୦୯ କିଗ୍ରା ଅନନ୍ତ ମୂଳ ୧୯୯୭ରେ ଆମଦାନୀ କରିଥିଲେ  ।

ଆଧାର : ଡାକ୍ତର ଦୀନବନ୍ଧୁ ମହାରଣା

3.25
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top