ସେଆର କରନ୍ତୁ

ଅଶୋକ

ଭାରତୀୟ ଧର୍ମ ଓ ସଂସ୍କୃତିରେ ଅଶୋକ ବୃକ୍ଷର ମହତ୍ତ୍ଵ ପ୍ରତିଫଳିତ ହୋଇଥାଏ । ବିଭିନ୍ନ ପୌରାଣିକ ଓ ଐତିହାସକ ଆଖ୍ୟାନରୁ ଏହାର ସ୍ପଷ୍ଟ ଉଦାହରଣ ମିଳେ ।

ବୈଜ୍ଞାନିକ ନାମ : ସାରକା ଇଣ୍ଡିକା

ବଂଶ : ଲେଗୁମିନୋସି

ଆଞ୍ଚଳିକ ଭାଷାଗତ ନାମ :

ଓଡିଆ – ଅଶୋକ , ସୀତା ଅଶୋକ

ସଂସ୍କୃତ – ଅଶୋକ, ହେମପୁଷ୍ପା

ତେଲୁଗୁ – ଅଶୋକାମୁ , ବଞ୍ଜଲାମୁ

କନ୍ନଡ – ଅଶୋକ,  ସିତୋମାରୀ , ଅଶୋକାଡା

ହିନ୍ଦୀ- ଅଶୋକ

ବଙ୍ଗଳା- ଅଶୋକ

ତାମିଲ – ଅଚୋକମ

ଉପକ୍ରମ

ଭାରତୀୟ ଧର୍ମ ଓ ସଂସ୍କୃତିରେ ଅଶୋକ ବୃକ୍ଷର ମହତ୍ତ୍ଵ ପ୍ରତିଫଳିତ ହୋଇଥାଏ  । ବିଭିନ୍ନ ପୌରାଣିକ ଓ ଐତିହାସକ ଆଖ୍ୟାନରୁ ଏହାର ସ୍ପଷ୍ଟ ଉଦାହରଣ ମିଳେ । ରାମାୟଣ, ପୌରାଣିକ କଥାବସ୍ତୁରେ ବର୍ଣ୍ଣିତ ତଥ୍ୟ ଅନୁଯାୟୀ ସୀତାଙ୍କୁ ଅପହରଣ କରିନେବା ପରେ ରାବଣ ସୀତାଙ୍କୁ ନିଜର ସୁରମ୍ୟ ଅଶୋକ ବାଟିକାରେ ନଜରବନ୍ଦୀ କରି ରଖିଥିଲେ । ଏହାଛଡା ଗୌତମବୁଦ୍ଧ ଙ୍କ ମାତା ମାୟାଦେବୀ ବୁଦ୍ଧଙ୍କୁ ଜନ୍ମ ଦେବା ପୂର୍ବରୁ ଅଶୋକ ବୃକ୍ଷର ବଗିଚାରେ ବିଶ୍ରାମ ନେବାକୁ ଇଚ୍ଛା କରିଥିଲେ । ବୋଧହୁଏ ଏହାର କାରଣ ମୂଳ ଏହି ବୃକ୍ଷର ଅସୀମ ଔଷଧୀୟ ସୁପ୍ରଭାବ ନିହିତ  । ସମସ୍ତ ପ୍ରକାର ସ୍ତ୍ରୀରୋଗର ଉପଚାର ପାଇଁ ଅଶୋକ ବୃକ୍ଷକୁ ସର୍ବୋତ୍ତମ ବୋଲି ଆୟୁର୍ବେଦ ଶାସ୍ତ୍ରମାନଙ୍କରେ ବର୍ଣ୍ଣନା କରାଯାଇଛି  ।

ପରିବ୍ୟାପ୍ତ

ଅଶୋକ ବୃକ୍ଷଲ ହିମାଳୟର ମଧ୍ୟ ଏବଂ ପୂର୍ବାଞ୍ଚଳ , ପଶ୍ଚିମ ବଙ୍ଗ, ଦକ୍ଷିଣ ଭାରତର ଚିରହରିତ ଜଙ୍ଗଲମାନଙ୍କରେ ଦେଖାଯାଏ । ଏହାଛଡା ନିଜ ନିଜର ବଟିକାରେ ମଧ୍ୟ ଲୋକେ ଏହାକୁ ଲଗାଇଥିବା ଦେଖିବାକୁ ମିଳେ  । ପଶ୍ଚିମବଙ୍ଗରେ ଏହି ବୃକ୍ଷର ଆଦର ବେଶୀ । ସେଠାରେ ପ୍ରାୟ ଅନେକ ଦେବାଳୟ ପରିସର ଓ ବଟିକାମାନଙ୍କରେ ଲୋକମାନେ ଏହି ବୃକ୍ଷ ଲଗାଇଥାନ୍ତି  ।

ଉଦ୍ଭିଦ ପରିଚୟ

ଅଶୋକ ଏକ ମଧ୍ୟମାକୃତି ବିଶିଷ୍ଟ ଚିରହରିତ ବୃକ୍ଷ  । ବର୍ଷସାରା ସବୁଜ ଓ ସଦୁଶ୍ୟ ରହିଥିବା ଏହି ବୃକ୍ଷଟି ପ୍ରାୟ ୯ ମିଟର ଉଚ୍ଚତା ପର୍ଯ୍ୟନ୍ତ ବଢିଥାଏ  । ଏହି ବୃକ୍ଷର କାଷ୍ଠ ହାଲକା କିଞ୍ଚିତ ଲାଲ ରଙ୍ଗଯୁକ୍ତ ଏବଂ ତାମ୍ରବର୍ଣ୍ଣଯୁକ୍ତ । ଏଥିପାଇଁ ଏହି ବୃକ୍ଷକୁ “ ତାମ୍ରପଲ୍ଲବ “ କୁହାଯାଏ  । ବସନ୍ତ ଋତୁରେ ଏହି ବୃକ୍ଷରେ ଫୁଲ ତଥା ଶରତ ଋତୁରେ ଏଥିରେ ଫଳ ଆସିଥାଏ । ଫୁଲଗୁଡିକ ସଘନ ଗୁଚ୍ଛରେ ଆସିଥାଏ ଏବଂ ନାରଙ୍ଗୀ ବର୍ଣ୍ଣଠାରୁ ରକ୍ତଯୁକ୍ତ ତଥା ମନୋହର ଦେଖାଯାଏ  । ଏହାର ଫଳଗୁଡିକ ୬ରୁ ୧୦ ଇଞ୍ଚ ଲମ୍ବ, ଚେପଟା,୧ରୁ ୨ ଇଞ୍ଚ ଓସାର ତଥା ଦୁଇମୁଣ୍ଡ ସାମାନ୍ୟ ବକ୍ର ହୋଇଥାଏ । ପ୍ରତ୍ୟେକ ଫଳୀରେ ୪ରୁ ୮ଟି ପର୍ଯ୍ୟନ୍ତ ବୀଜ ଥାଏ  । ବୀଜଗୁଡିକ ୧ ଇଞ୍ଚ ଲମ୍ବ ଓ ଚେପଟା ହୋଇଥାଏ   ।

ପ୍ରୟୋଗନୀୟ ଅଂଶ

ଏହି ବୃକ୍ଷର ଛାଲିକୁ ଚିକିତ୍ସାରେ ବ୍ୟବହାର କରାଯାଏ । ଏହାର ଛାଲ ଦେଖିବାକୁ ପତଳା, ୬ ମିମି ମୋଟା , ବାହ୍ୟଭାଗ ଧୂସର ରଙ୍ଗ, ଚିକ୍କଣ, ଶୁଖିଗଲା ରକ୍ତାଭ ଧୂସର ରଙ୍ଗ ହୋଇଥାଏ । ଏହାର ସ୍ଵାଦ ତିକ୍ତ ଅଟେ । ବଜାରରେ ଶୁଖିଲା ଛାଲି ବିକ୍ରୟ କରାଯାଏ  ।

ରାସାୟନିକ ସଂଗଠନ : ଏହାର ଛାଲିରେ ହିମାଟିକ୍ସଲିନ ନାମକ ତତ୍ତ୍ଵ ପ୍ରଚୁର ପରିମାଣ ଥାଏ । ଏହାଛଡା ଏଥିରୁ ଟାନିନ , ଗ୍ଲାଇକୋସାଇଡ , ସୌପୋସିୟମ , ଫସଫେଟ , ମ୍ୟାଗ୍ଣେସିୟମ ଆଦି ମିଳିଥାଏ  ।

ଔଷଧୀୟ ଗୁଣ ଓ ପ୍ରୟୋଗ

ଅଶୋକ ବୃକ୍ଷର ଛାଲି ଗୁଣରେ ଲଘୁ ଓ ଋକ୍ଷ, ରସରେ କଷାୟ ଓ ତିକ୍ତ , ବିପାକରେ କଟୁ ଅଟେ । ଏହା ବେଦନାସ୍ଥାପକ , ଗ୍ରାହୀ ଓ ରକ୍ତସଂଗ୍ରାହକ ଅଟେ । ଅଶୋକ ଛାଲିରେ କ୍ଵାଥ ସେବନ କରିବା ଦ୍ଵାରା ଗର୍ଭାସାୟ ଶିଥିଳତା ଦୂରହୁଏ ତଥା ଅନ୍ତଃକଳା ଏବଂ ଅଣ୍ଡାଶୟ ଉପରେ ଏହାର କିଛି ଉତ୍ତେଜକ ପ୍ରଭାବ ପଡିଥାଏ  । ତେଣୁ ସମସ୍ତ ପ୍ରକାର ସ୍ତ୍ରୀ ରୋଗ ଯଥା –କଷ୍ଟପ୍ରଦ ଋତୁସ୍ରାବ , ଶ୍ଵେତପ୍ରଦର ବା ଲ୍ୟୁକୋରିଆ , ଗର୍ଭାଶୟ ଦୋଷ , ଅତ୍ୟଧିକ ରୋଗର ଚିକିତ୍ସାରେ ଏହାକୁ ଉପଯୋଗ କରାଯାଇଥାଏ । ରକ୍ତପ୍ରଦର ରୋଗରେ ଏହାର ଛାଲିର କ୍ଷୀରପାକ ସକାଳୁ ସେବନ କରାଯାଏ । ସୁତରାଂ ଏହାର ଛାଲିରୁ ପ୍ରସ୍ତୁତ ପ୍ରସିଦ୍ଧ ଶାସ୍ତ୍ରୀୟ ଔଷଧ “ ଅଶୋକାରିଷ୍ଟ “ ବିଭିନ୍ନ ପ୍ରକାର ସ୍ତ୍ରୀ ରୋଗର ଚିକିତ୍ସାରେ ପ୍ରୟୋଗ କରାଯାଇଥାଏ  ।

ଉପରୋକ୍ତ ଔଷଧୀୟ ଚାହିଦା ଦୃଷ୍ଟିରୁ ଅଶୋକ ଗଛକୁ ଅନେକ ପସନ୍ଦ କରିଥାନ୍ତି । ବହୁ ପ୍ରାଚୀନ କାଳରୁ ଏହା ବ୍ୟବହାର କରାଯାଇଆସୁଥିଲେ ମଧ୍ୟ ସାମ୍ପ୍ରତିକ ସ୍ଥିତିରେ ବହୁ ଆୟୁର୍ବେଦ ଔଷଧ ନିର୍ମାଣକାରୀ ସଂସ୍ଥାମାନେ କଞ୍ଚାମାଲ ରୂପେ ଅଶୋକ ଛାଲି ବହୁଳ ମାତ୍ରାରେ ଆବାସିକ କରୁଛନ୍ତି , ଯାହାକି ପ୍ରାକୃତିକ ଭାବରେ ଦେଖାଯାଉଥିବା ଏବଂ ସ୍ୱଳ୍ପ ସଂଖ୍ୟାରେ ଲଗାଯାଇଥିବା ଅଶୋକ ଗଛରୁ ଚାହିଦା ପୂରଣ ହୋଇପାରିବ ନାହିଁ  । ଏହି କାରଣରୁ ଏହି ଗଛକୁ ବ୍ୟବସାୟିକ ଭିତ୍ତିରେ ଉନ୍ନତ ପ୍ରଣାଳୀରେ ଅଧିକ ସଂଖ୍ୟାରେ ରୋପଣ କରାଗଲେ ଏହା ହିତାଧିକାରୀକୁ ଦୀର୍ଘକାଳୀନ ଆର୍ଥିକ ଲାଭ ଦେଇପାରିବ  ।

ଚାଷ ପ୍ରଣାଳୀ

ଜଳବାୟୁ ଓ ମୃତ୍ତିକା

ଏହି ଗଛ ବିଭିନ୍ନ ଜଳବାୟୁରେ ବଢିପାରେ  । ତେବେ ଉଷ୍ମ ଓ ଆଦ୍ର ଜଳବାୟୁ ଏହି ଗଛର ବୃଦ୍ଧି  ପାଇଁ ଉପଯୁକ୍ତ । ଏହି ଗଛକୁ ସାରା ଭାରତବର୍ଷରେ ସମୁଦ୍ରପତ୍ତନଠାରୁ ୭୨୦ ମିଟରରୁ କମ ଉଚ୍ଚତା ବିଶିଷ୍ଟ ଜାଗାରେ ଚାଷ କରାଯାଇପାରେ  ।

ଏହି ଗଛ ପ୍ରାୟ ସବୁ ପ୍ରକାର ମାଟିରେ ବଢିପାରେ । କିନ୍ତୁ ଗଭୀର ମାଟିଥିବା ଜମି (୧୫୦ ସେମି ରୁ ୧୮୦ ସେମି ପର୍ଯ୍ୟନ୍ତ ପଥର ଚଟାଣ ନଥିବା ଜମି ) ଏବଂ ବାଲିଆ ଦୋରସା ମାଟି, ଲାଲ ମାଟି ଏବଂ କୃଷ୍ଣକର୍ପାସ ମାଟି ଏହି ଗଛର ଚାଷ ପାଇଁ ଉପଯୁକ୍ତ । ବିଶେଷ କରି ଖତରେ ମିଶ୍ରିତ ମୃତ୍ତିକାରେ ଭଲ ଏହି ଗଛର ଚାଷ ପାଇଁ ଉପଯୁକ୍ତ । ବିଶେଷ କରି ଖତରେ ମିଶ୍ରିତ ମୃତ୍ତିକାରେ ଭଲ ବୃଦ୍ଧିହୁଏ  ।

ଜମି ପ୍ରସ୍ତୁତ

ଅଶୋକ ଗଛକୁ କ୍ଷେତ କଡରେ , ବାଡ ପାଖରେ ସଡକ କଡରେ ଏବଂ ପତିତ ଜମିରେ ଲଗାଯାଇପାରିବ । ଏଥିପାଇଁ ମେ-ଜୁନ ମାସରେ ଜମିରେ ୫x ୫ ମିଟର ବ୍ୟବଧାନରେ ଗାତ ଖୋଲାଯାଇ ଏଥିରେ ୫ କିଗରା କମ୍ପୋଷ୍ଟ ଖତ କିମ୍ବା ୩-୪ କିଗ୍ରା ଜିଆ ଖତ ଓ ୫୦୦ ଗ୍ରାମ ପିଡିଆ ଭର୍ତ୍ତି କରିଦିଆଯାଏ । ଏକ ଏକରରେ ୩୦୦ ରୁ ୪୦୦ ଚାରା ଲଗାଯାଇପାରିବ  ।

ରୋପଣ ପଦ୍ଧତି

ସେପ୍ଟେମ୍ବର ମାସରେ ପକ୍ଵ ଫଳରୁ ମଞ୍ଜି ସଂଗ୍ରହ କରାଯାଏ ।  ନଭେମ୍ବର ମାସ ପର୍ଯ୍ୟନ୍ତ ମଞ୍ଜିର ଅଙ୍କୁରୋଦଗମ କ୍ଷମତା ରହେ । ସଦ୍ୟ ସଂଗୃହୀତ ମଞ୍ଜିକୁ ପଟାଳିରେ କିମ୍ବା ପଲିଥିନ ମୁଣାରେ ଲଗାଯାଏ । ୧୫ରୁ ୨୦ ଦିନ ମଧ୍ୟରେ ଶତକଡା ୮୦ ଭାଗ ମଞ୍ଜିରୁ ଗଜା ବାହାରେ । ବର୍ଷ ଭିତରେ ଚାରା ୨୫ ରୁ ୩୫ ସେମି ହୋଇଥାଏ । ୪୫ ଘନ ସେମି ଗାତ ପ୍ରସ୍ତୁତ କରି ବର୍ଷା ଋତୁରେ ଚାରା ଲଗାଯାଏ । ପ୍ରଥମ ଦୁଇବର୍ଷରେ ମନ୍ଥର ବୃଦ୍ଧି ହୁଏ । ତୃତୀୟ ବର୍ଷଠାରୁ ସନ୍ତୋଷଜନକ ବୃଦ୍ଧି ଘଟେ । ନିୟମିତ ଚାରା ଏବଂ ରୋଗପୋକ ଦାଉରୁ ସୁରକ୍ଷା ଦେଲେ ହୃଷ୍ଟପୁଷ୍ଟ ଗଛ ମିଳେ ।

ଉତ୍ପାଦନ

ଅଶୋକ ଗଛ ୧୦ ବର୍ଷ ହେବାପରେ ଏହାର ମୁଖ୍ୟ ଗଣ୍ଡିରୁ ଛେଲି ସଂଗ୍ରହ କରାଯାଏ । ପ୍ରତି ୨ ବର୍ଷରେ ଥରେ ଏହାର ଛେଲି ସଂଗ୍ରହ କରିହେବ । ଛେଲିଗୁଡିକୁ ଭଲ ଭାବରେ ଶୁଖାଇ ବିକ୍ରି କରିବା ପାଇଁ ପ୍ରସ୍ତୁତ କରାଯାଏ  ।

ଆର୍ଥିକ ଲାଭ : ଏ ପର୍ଯ୍ୟନ୍ତ ଅଶୋକ ଛାଲି ପ୍ରାକୃତିକ ଭାବରେ ପ୍ରାପ୍ତ ହେଉଥିବାରୁ ଏହାର ସଠିକ ବ୍ୟବସାୟିକ ହିସାବ କରାଯାଇନାହିଁ  । ତେବେ ଆନୁମାନିକ ଭାବରେ ଏକ ଏକର ପ୍ରତି ୧୫ କ୍ଵିଣ୍ଟାଲ ଛେଲି ମିଳିପାରିବ । ଯଦି ଛେଲି କିଗ୍ରା ପ୍ରତି ମୂଲ୍ୟ ୧୦ ଟଙ୍କା ହୁଏ ତେବେ ୧୫୦୦୦ ଟଙ୍କା ମିଳିବ । ପ୍ରତି ୨ ବର୍ଷ ଅନ୍ତରାଳରେ ଆଗାମୀ ୫୦-୫୫ ବର୍ଷ ପର୍ଯ୍ୟନ୍ତ ଏହି ଗଛରୁ ଛେଲି ସଂଗ୍ରହ କରାଯାଇପାରିବ । ଏହା ସଙ୍ଗେ ଲଗାଯାଇଥିବା ମିଶ୍ରଣ ଫସଲରୁ ମଧ୍ୟ ଅତିରିକ୍ତ ଆୟ ଆଦାୟ କରାଯାଇପାରିବ  ।

ବ୍ୟବସାୟିକ ସୂଚନା : ଜାତୀୟ ସ୍ତରରେ ଏହାର ଛେଲିର ମୂଲ୍ୟ କିଲୋପ୍ରତି ୮ ଟଙ୍କା ୧୯୯୯-୨୦୦୦ ମସିହାରେ ଏହାର କିଲୋପ୍ରତି ମୂଲ୍ୟ କିଲୋପ୍ରତି  ମୂଲ୍ୟ କଲିକତାରେ ୧୫ ଟଙ୍କାରୁ ୨୪ ଟଙ୍କା , ହାଇଦ୍ରାବାଦରେ ୧୫ ଟଙ୍କା, ଚେନ୍ନାଇରେ ୨୨ ଟଙ୍କା , ନୂଆଦିଲ୍ଲୀରେ ୮ ଟଙ୍କାରୁ ୪୨ଟଙ୍କା ବିକ୍ରି ହେଉଥିଲା  ।

ଆଧାର : ଡାକ୍ତର ଦୀନବନ୍ଧୁ ମହାରଣା

2.8125
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top