ହୋମ / କୃଷି / ଔଷଧୀୟ ବୃକ୍ଷ ଚାଷ / ମାଟି ଓ ଗଛଲତାର ବୃଦ୍ଧି
ସେଆର କରନ୍ତୁ

ମାଟି ଓ ଗଛଲତାର ବୃଦ୍ଧି

ମାଟି ଓ ଗଛଲତାର ବୃଦ୍ଧି ର ସୂଚନା

ସୂର୍ଯ୍ୟକିରଣର ଆବଶ୍ୟକତା

ବଢିବା ଲାଗି ଗଛଲତାମାନେ ସୂର୍ଯ୍ୟକିରଣ , ପାଣି ଓ ନାନା ଜାତିର ଖଣିଜ ଲବଣ ଦରକାର କରନ୍ତି । ବାଲିରେ ଗଛଲଟା ଭଲ ବଢିପାରେ ନାହିଁ । କାରଣ ସେମାନେ ସେଠୁ ଯଥେଷ୍ଟ ପାଣି ପାଆନ୍ତି ନାହିଁ । ଆମେ ଜାଣିଛୁ ଯେ , ବାଲି ଭିତର ଦେଇ ପାଣି ଖୁବ ଶୀଘ୍ର ଗଳିଯାଏ । ତେଣୁ ସେଥିରେ ଖୁବ କମ ପାଣି ରହେ ତାଛଡା, ବାଲିରେ ମଧ୍ୟ କମ ଜୈବସାର ଥାଏ । ଫଳରେ ବାଲିରେ ଗଛ ଉଧେଇବା କଷ୍ଟକର ହୁଏ ।

ଜଳଭୁଇଁ

କାଦୁଅରେ ବି ଗଛଲତା ଭଲ ବଢିପାରନ୍ତି ନାହିଁ  । କାଦୁଅ ମାଟି ପାଣି ପଚପଚ ହୋଇଥିବାରୁ ତାକୁ ଜଳଭୂଇଁ କହନ୍ତି । ଚାରିପାଖେ ଅଧିକ ପାଣି ଲାଗି ରହିଲେ ଗଛର ଚେରସବୁ ପଚିଯାଏ । କାଦୁଅ କଣିକା ମଧ୍ୟରେ ଯେଉଁ ଫାଙ୍କ ଥାଏ, ସେଥିରେ ପାଣି ଭର୍ତ୍ତି ହୋଇଥାଏ । ତେଣୁ ସେଥିରେ ବାୟୁ ରହିବା ଲାଗି ଜାଗା ହୁଏନାହିଁ  । ଗଛର ଚେରଗୁଡିକ ଠିକ ଭାବରେ ନିଃଶ୍ଵାସ ମାରିପାରନ୍ତି ନାହିଁ  । ପାଣି କାଦୁଅ ମାଟିରେ ଜୈବସାର ଖୁବକମ ଥାଏ । ସେହି କାରଣରୁ ଏ ମାଟିରେ ମଧ୍ୟ ଗଛ ଭଲ ବଢିପାରେନି  ।

ଦୋରସା ମାଟି ସବୁଠାରୁ ଭଲ ମାଟି । କାରଣ ସେଥିରେ ଗଛ ସୁସ୍ଥ ସବଳ ହୋଇ ବଢିବା ଲାଗି ଯଥେଷ୍ଟ ପାଣି , ପବନ ଓ ଜୈବସାର ଥାଏ । ଉଦ୍ଭିଦର ଜୈବ ସାର ଖୁବ ଦରକାର , କାରଣ ସେଥିରେ ଖଣିଜ ଲବଣ ଥାଏ । ତେଣୁ ଗଛର ବୃଦ୍ଧି ଭଲ ହୋଇଥାଏ ।

ନିଜେ ପରୀକ୍ଷା କରିବା ଆବଶ୍ୟକ

ଗଛଲତା ବଢିବା ଲାଗି କେଉଁ ମାଟି ସବୁଠୁ ଭଲ, ତାହା ଆମେ ପରୀକ୍ଷା କରି ଦେଖିପାରିବା   ।  ତିନୋଟି କୁଣ୍ଡ ନିଅ । ଗୋଟିକରେ ବାଲି ଭର୍ତ୍ତିକର  । ଅନ୍ୟ ଦୁଇଟିରେ କାଦୁଅ ଓ ଦୋରସା ମାଟି ଭର୍ତ୍ତିକର  ।

ଗଛ ବଢିବା ପାଇଁ କେଉଁ କେଉଁ ମୃତ୍ତିକା ସବୁଠାରୁ ଭଲ, ତାର ପରୀକ୍ଷା

ପ୍ରତ୍ୟେକ କୁଣ୍ଡରେ କେତୋଟି ଶିମ୍ବ ମଞ୍ଜି ପୋତ । କୁଣ୍ଡଗୁଡିକ ବଗିଚାରେ ରଖି ପ୍ରତି କୁଣ୍ଡରେ ଦିନକୁ ଦୁଇଥର କରି ପାଣି ଦିଅ । ଦୁଇ ତିନି ଦିନ ମଧ୍ୟରେ ମଞ୍ଜିଗୁଡିକରୁ ଛୋଟ ଛୋଟ ଗଜା ବାହାରିବ । ଗଜାଗଛଗୁଡିକ ସେହିପରି ଆଉ ସପ୍ତାହେ ଛାଡିଦିଅ ଓ ସେଗୁଡିକ ନିୟମିତ ପଣି ଦେଉଥାଅ  ।

ତୁମେ ଦେଖିବ ଯେ , ବାଲି ଓ କାଦୁଅରେ ଉଠିଥିବା ଗଛଗୁଡିକ ଅତି ଦୁର୍ବଳ । ସେଗୁଡିକ ନରମ ଓ ହଳଦିଆ ଦିଶୁଛନ୍ତି । ସତେ ଯେପରି ଜୀବନ ନାହିଁ । ଦୋରସା ମାଟିରେ ଯେଉଁଗୁଡିକ ବଢିଛନ୍ତି , ସେଗୁଡିକ ବେଶ ସତେଜ ଓ ସବୁଜ ଦିଶୁଛନ୍ତି । ଏଥିରେ ଜଣାଯାଉଛି ଯେ , ଦୋରସାମାଟିରେ ଗଛ ସବୁଠାରୁ ଭଲ ବଢେ  ।

ଭୂମିତଳେ ଜୀବ ଓ ଜୀବନ

ତୁମେ ତୁମ ବଗିଚାରେ ମାଟିକୁ ଚାହିଁଲାବେଳେ ହୁଏତ ଭାବିପାର ଯେ ମାଟିରେ ଜିଅନ୍ତା ହୋଇ କିଛି ଜିନିଷ ନାହିଁ  । କିନ୍ତୁ ତୁମର ସେ ଧାରଣା ଭୁଲ । ମାଟିକୁ ଭଲ କରି ପରୀକ୍ଷା କଲେ ତୁମେ ସେଥିରେ କେତେ ଜାତି ସଜୀବ ବସ୍ତୁ ଖୋଜିପାରିବ  । ମାଟି ଭୀତରେ ନାନା ଜାତିର ପ୍ରାଣୀ ଓ ଉଦ୍ଭିଦ ଥା’ନ୍ତି  ।

ମାଟିଭୀତରେ ରହୁଥିବା କେତେକ ଓ ପ୍ରାଣୀ ଏତେ ଛୋଟ ଯେ, ଆମେ ସେମାନଙ୍କୁ ଖାଲି ଆଖିରେ ଦେଖିପାରୁ ନାହିଁ  । କେବଳ ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ସେମାନେ ଦେଖାଯାନ୍ତି । ଏହି କାରଣରୁ ଆମେ ତାଙ୍କୁ ଅଣୁବୀକ୍ଷଣୟ ଜୀବ କହୁ । ଜୀବାଣୁ ଓ ରୋଗର ଜୀବାଣୁମାନଙ୍କୁ ଅଣୁବୀକ୍ଷଣୟ ଜୀବ କୁହାଯାଏ  । ମାଟିରେ ଅନେକ ପ୍ରକାର ଜୀବାଣୁ ଅଛନ୍ତି  । ଏଥିମଧ୍ୟରୁ କେତେକ ରୋଗ ସୃଷ୍ଟି କରନ୍ତି । ସେଥିରୁ ଆଉ କେତେକ ଆମର ଭାରି ଦରକାରୀ କାରଣ ସେମାନେ ମଲା ପ୍ରାଣୀ ଓ ଉଦ୍ଭିଦମାନଙ୍କୁ ଖାଇ ବଞ୍ଚନ୍ତି । ଜୀବାଣୁ ବ୍ୟତୀତ ଆଉ କେତେକ ସୂତାଭଳି ଉଦ୍ଭିଦ ମାଟିରେ ରହନ୍ତି  । ସେମାନଙ୍କୁ ଆଲଗା କୁହନ୍ତି । ପ୍ରୋଟୋଜୋଆ ବୋଲି ଏକ ପ୍ରକାର ଅତି ସୂକ୍ଷ୍ମଦେହି ପ୍ରାଣୀ ମଧ୍ୟ ମାଟି ଭୀତରେ ଦେଖାଯାଆନ୍ତି  ।

ମାଟି ଭିତରେ ଅନେକ ପ୍ରକାର କୀଟପତଙ୍ଗ ବାସ କରନ୍ତି । ସେମାନଙ୍କ ଭିତରୁ କେତେକ ଯଥା ଉଇ , ମାଟିଭଅଁର ଇତ୍ୟାଦି ସାରା ଜୀବନ ମାଟି ଭୀତରେ ରହନ୍ତି । ଆଉ କେତେକ ବଡ ହେଲା ପରେ ଯାଇ ମାଟି ଭୀତରେ ରହନ୍ତି । ଝିଣ୍ଟିକା ଭଳି ପତଙ୍ଗମାନେ ମାଟିରେ ଗାତ ଖୋଲି ସେହି ଗାତରେ ଅଣ୍ଡା ଦିଅନ୍ତି । ନା ନା ଜାତିର ପିମ୍ପୁଡି ମଧ୍ୟ ମାଟିରେ ରହନ୍ତି । କେତେକ କୀଟ ଯେ କି ମାଟି ଖୋଳନ୍ତି, ତାଙ୍କ ଗୋଡ ବିଶେଷ କରି ମାଟି ଖୋଲିବା ପାଇଁ ଗଢା । ମାଟିଭଅଁର ଏହି ଜାତିର ଗୋଟିଏ ଜୀବ । ମାଟି ଭୀତରେ ରହୁଥିବା ଅଧିକାଂଶ କୀଟ ଉଦ୍ଭିଦ ଦେହର ମଲା ଅଂଶ , ଯଥା- ଶୁଖିଲା ପତ୍ର ଖାଇ ବଞ୍ଚନ୍ତି । ଦୋରସା ମାଟି ସେମାନଙ୍କ ଲାଗି ଖୁବ ଭଲ କାରଣ ଏଥିରେ ଉଦ୍ଭିଦ ମଲା ଅଂଶ ବହୁ ପରିମାଣରେ ଥାଏ  ।

ତେନ୍ତୁଳିଆ ବିଛା, କଙ୍କଡା ବିଛା , ତେଲୁଣିପୋକ ପ୍ରଭୁତି କେତେକ ଜୀବ ମଧ୍ୟ ମାଟି ଭୀତରେ ବାସ କରନ୍ତି  । ତେନ୍ତୁଳିଆ ବିଛା ଓ କଙ୍କଡା ବିଛା ସେମାନଙ୍କ ବିଶ ଦ୍ଵାରା ଅନ୍ୟ ସାନ ସାନ ଜୀବଙ୍କୁ ମାରି ଖାଇଯାଆନ୍ତି  । ମୃତ ଉଦ୍ଭିଦ ଅଂଶ ବିଶେଷ ଖାଇ ତେଲୁଣି ପୋକ ବଞ୍ଚେ  । ଏହି ତିନି ଜାତିର ପ୍ରାଣୀ ସମସ୍ତେ ଉଦ୍ଭିଦମାନଙ୍କର ବଡ ଉପକାରୀ  ।

ମାଟିରେ ନାନା ଜାତିର ଅନେକ କୃମି ରହନ୍ତି , ଯଥା- ଜିଆ, କେଞ୍ଚୁଆ, ବାଲିକୃମି ଓ ଚେପଟାକୃମି  ।

ଚୁଟିଆମୂଷା, ଚୁଚୁନ୍ଦା ଓ ଠେକୁଆ ଆଦି ପ୍ରାଣୀମାନେ ବି ମାଟି ଭୀତରେ ସେମାନଙ୍କ ଘର ତିଆରି କରି ରହନ୍ତି  ।

ଆଧାର : ଡାକ୍ତର ଦୀନବନ୍ଧୁ ମହାରଣା

3.125
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top