ସେଆର କରନ୍ତୁ

ଗୁଡମାରୀ

ଗୁଡାମାରୀ ଏକ ମୃଦୁଲୋମଶ, ବହୁଶାଖାୟିତ କାଠୁଆ ଲଟା ଅଟେ । ଏହି ଲଟା ମୁଖ୍ୟତଃ ଶୁଷ୍କ ପତ୍ରମୋଚୀ ଓ ବୁଦୁବୁଦିଆ ଜଙ୍ଗଲରେ ଦେଖାଯାଏ । ଏହାର ପତ୍ର ଅନ୍ତ୍ୟନ୍ତ ତିକ୍ତ ଅଟେ ।

ବୈଜ୍ଞାନିକ ନାମ : ଜିମନେମା ସିଲଭେଷ୍ଟ୍ରି

ବଂଶ : ଆସକ୍ଲିପିଆଡାସ

ଆଞ୍ଚଳିକ ଭାଷାଗତ ନାମ :

ଓଡିଆ – ଗୁଡମାରୀ

ସଂସ୍କୃତ – ମଧୁନାଶୀନୀ , ମେଷଶୃଙ୍ଗୀ

ତେଲୁଗୁ – ପୋଡାପତ୍ରୀ

ମରାଠୀ – ମେଢାଶିଙ୍ଗୀ

ହିନ୍ଦୀ – ଗୁଡମାରୀ , ମେଢାଶିଙ୍ଗୀ

ବଙ୍ଗଳା – ମେଷସିଙ୍ଗୀ

ତାମିଲ – ଶିରକୁରଂଜ

କନ୍ନଡ – କଢାସିଗେ ଓ ମଧୁନାଶା

ଉପକ୍ରମ

ଗୁଡାମାରୀ ଏକ ମୃଦୁଲୋମଶ, ବହୁଶାଖାୟିତ କାଠୁଆ ଲଟା ଅଟେ  । ଏହି ଲଟା ମୁଖ୍ୟତଃ ଶୁଷ୍କ ପତ୍ରମୋଚୀ ଓ ବୁଦୁବୁଦିଆ ଜଙ୍ଗଲରେ ଦେଖାଯାଏ  । ଏହାର ପତ୍ର ଅନ୍ତ୍ୟନ୍ତ ତିକ୍ତ ଅଟେ । ଏହାର ପତ୍ରକୁ ଚୋବାଇଲେ ବିଭର ସ୍ଵାଦ ଗ୍ରହଣ ଶକ୍ତି ନଷ୍ଟହୋଇଯାଏ , ଯାହାଫଳରେ ୧ରୁ୨ ଘଣ୍ଟା ପର୍ଯ୍ୟନ୍ତ ମଧୁର ତଥା ତିକ୍ତର ସର ସ୍ଵାଦ ଜଣାପଡେ ନାହିଁ  ।ତେଣୁ ଏହାକୁ ଗୁଡମାରୀ ବା ମଧୁନାଶିନୀ କୁହାଯାଏ  । ଯାହାର ଅର୍ଥ ଇଂରାଜୀରେ ସୁଗାର ଡେଷ୍ଟ୍ରୟର ଏହି କାରଣରୁ ମଧୁମେୟ ରୋଗ ଚିକିତ୍ସା ପାଇଁ ଏହା ଏକ ପ୍ରସିଦ୍ଧ ବନୌଷଧି ଭାବରେ ମାନ୍ୟତା ଲାଭ କରିଛି । ଆୟର୍ବେଦ ଓ ହୋମିଓପ୍ୟାଥିକ ଚିକିତ୍ସାରେ ମଧୁମେୟ ରୋଗ ନିୟନ୍ତ୍ରଣ ପାଇଁ ଏହାର ପତ୍ରର ସ୍ବରସ , ଚୂର୍ଣ୍ଣ କିମ୍ବା ଅର୍କ ସେବନ କରିବା ପାଇଁ ପରାମର୍ଶ ଦିଆଯାଯାଇଥାଏ  । ପୂର୍ବରୁ ଏହା ଭାରତୀୟ ଜଙ୍ଗଲମାନଙ୍କରେ ପ୍ରାକୃତିକ ରୂପରେ ପ୍ରଚୁର ପରିମାଣରେ ମିଳୁଥିଲା  । କିନ୍ତୁ କାଳକ୍ରମେ ଜଙ୍ଗଲ ସମ୍ପଦର ଦ୍ରୁତ ଅବକ୍ଷୟ ଫଳରେ ଏହା ନଷ୍ଟ ହେବାକୁ ଲାଗିଲା  । ସାଂପ୍ରତିକ ପରିସ୍ଥିତିରେ ଏହାର ଔଷଧୀୟ ଚାହିଦା କ୍ରମଶଃ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଏହାର କୃଷିକରଣ ଏକ ଲାଭଜନକ ବ୍ୟବସାୟ ଭାବରେ ପରିଗଣିତ ହେଉଛି  ।

ଆକୃତି ଓ ବର୍ଣ୍ଣନା

ଗୁଡମାରି ଏକ ଚକ୍ରାରୋହୀ , ପତଳା କାଣ୍ଡ ବିଶିଷ୍ଟ , କାଷ୍ଠମୟ , ରୋମଶ ଲଟା ଉଦ୍ଭିଦ ଅଟେ  । ଏହାର ପତ୍ର ମୃଦୁରୋମଶ ୧-୨ ଇଞ୍ଚ ଲମ୍ବ , ଅଣ୍ଡାକାର- ଆୟତାକାର ଓ ତିକ୍ଷଣାଗ୍ର ବିଶିଷ୍ଟ  । ଫୁଲଗୁଡିକ ଛୋଟ ଛୋଟ ହଳଦୀ ରଙ୍ଗର ଓ ସସିମ , କକ୍ଷୀୟ ସ୍ତବକରେ ସଜ୍ଜିତ ହୋଇ ରହିଥାନ୍ତି  । ଫଳଗୁଡିକ ୨ରୁ ୩ ଇଞ୍ଚ ଲମ୍ବ ୨ରୁ ୩ ଇଞ୍ଚ ମୋଟା କଠୋର ଭାଲାକାର ସଦୃଶ , କ୍ରମଶଃ  ଗୋଜିଆ ହୋଇ ତିକ୍ଷଣାଗ୍ରରେ ପରିବର୍ତ୍ତୀତ  ହୋଇଥାଏ  । ଏହାର ସର୍ବାଙ୍ଗରେ ଧଳାକ୍ଷୀର ସଦୃଶ୍ୟ ନିର୍ଯ୍ୟାସ  ଥାଏ  । ମୂଳ ୧ ଇଞ୍ଚ ମୋଟା ବାହ୍ୟଭାଗ କୋମଳ ଏବଂ ଏହା ଉପରେ ମଝିରେ ମଝିରେ ଗାଡୁଆ ସିଧା ଗାର ପଡିଥାଏ  ।

ପ୍ରୟୋଗ ନୀୟ ଅଙ୍ଗ : ପତ୍ର ଓ ଚେର ।

ଔଷଧୀୟ ଗୁଣବିଶେଷ ଓ ପ୍ରୟୋଗ

ଏହାର ପତ୍ରର ରାସାୟନିକ ବିଶ୍ଲେଷଣରୁ ଜଣାଯାଇଛି ଯେ ଏଥିରେ ଜିମ୍ନେମିକ ଏସିଡ ନାମକ ଏକ ପଦାର୍ଥ ଏବଂ ଆନ୍ଥାକ୍ଵିନୋନ କମ୍ଫାଉଣ୍ଡ ଥାଏ  । ଏହାର ପତ୍ର ମଧୁମେୟ ରୋଗର ଚିକିତ୍ସା ପାଇଁ ଅତ୍ୟନ୍ତ ଫଳପ୍ରଦ ଅଟେ  । ମଧୁମେୟ ରୋଗୀ ଏହାର ପତ୍ରକୁ ଚୋବାଇଲେ କିମ୍ବା ଏହାର ଚୂର୍ଣ୍ଣ ୪ ଗ୍ରାମ ମାତ୍ରାରେ ଗୋଦୁଗ୍ଧ ସହ ସେବନ କର ଏହା ରୋଗ ନିୟନ୍ତ୍ରଣ ଦିଗରେ ସାହାଯ୍ୟ କରିଥାଏ । ଏହାଛଡା ଏହାକୁ ଜ୍ଵର , ରକ୍ତବିକାର , ବିସର୍ପ , ବିଷବିକାର ଏବଂ କଣ୍ଠବିକାରରେ ପ୍ରୟୋଗ କରାଯାଏ । ସର୍ପଦଂସ ବା ସାପ କାମୁଡିଥିଲେ ଯଥାଶୀଘ୍ର ଏହାର ମୂଳର କ୍ଵାଥ ରୋଗକୁ ସେବନ କରାଇବା ସହ ଦଂସନ ସ୍ଥାନରେ ଲେପୀଦିଅନ୍ତୁ  । ଏହା ଫଳରେ ରୋଗୀର ବାନ୍ତି ଓ ଝାଡା ହୋଇ ବିଷ ପ୍ରଭାବ ନଷ୍ଟ ହୋଇଥାଏ । ପତ୍ରକୁ ବାଟି ଫୁଲା ଓ ବ୍ରଣ ସ୍ଥାନରେ ମଧ୍ୟ ଲେପ ଦିଆଯାଏ  । ଏହାକୁ ଅଧିକ ସେବନ କରିବା ଦ୍ଵାରା ବାନ୍ତି ହୋଇଯାଏ  । ଏହାଛଡା , ଏହାର କଫନାଶକ ଗୁଣ ଯୋଗୁଁ ଏହା ଛୋଟ  ପିଲାଙ୍କ କାଶ ରୋଗରେ ବିଶେଷ ଉପଯୋଗୀ ଅଟେ  ।

ଚାଷ ପ୍ରଣାଳୀ

ଜଳବାୟୁ ଓ ମୃତ୍ତିକା

ଉଷ୍ଣ ଓ ଶୁଷ୍କ ଜଳବାୟୁରେ ଗୁଡମାରି ଚାଷ କଲେ ଭଲ ଅମଳ ମିଳିଥାଏ । ଜାମ୍ମୁକାଶ୍ମୀର,ହିମାଚଳ ପ୍ରଦେଶ , ଅରୁଣାଚଳ ପ୍ରଦେଶ ପ୍ରଭୁତି ହିମାଳୟ ପର୍ବତର ନିକଟବର୍ତ୍ତୀ ଥଣ୍ଡାପ୍ରବଣ ରାଜ୍ୟଗୁଡିକ ବ୍ୟତୀତ ଭାରତର ଅନ୍ୟ ସମସ୍ତ ଉଷ୍ଣ ଜଳବାୟୁ ବିଶିଷ୍ଟ ରାଜ୍ୟଗୁଡିକରେ ଗୁଡମାରି ଚାଷ କରାଯାଇପାରିବ । ଏଥିପାଇଁ ଖତ ମିଶ୍ରିତ ଦୋରସା ମାଟି ଓ ଛାଇଛାଇଆ ଜାଗା ଅଧିକ ଉପଯୋଗୀ ଅଟେ  ।

ରୋପଣ ପଦ୍ଧତି

ଫେବୃୟାରିରୁ ଅପ୍ରେଲ ମାସ ମଧ୍ୟରେ ମଞ୍ଜି ସଂଗ୍ରହ କରାଯାଏ  ।

  1. ମଞ୍ଜି
  2. ଜୁନ ମାସରେ ସବୁ ବାଲିରେ ମଞ୍ଜି ମିଶାଜାଇ ପଲିଥିନ ମୁଣାରେ ଲଗାଯାଏ  ।  ଏହା ପୂର୍ବରୁ ପଲିଥିନ ମୁଣାରେ ଉପଯୁକ୍ତ ପରିମାଣଆରଆର କମ୍ପୋଷ୍ଟ ଖତ , ବାଲି ଓ ମାଟି ମିଶାଜାଇ ଭର୍ତ୍ତି କରାଯାଏ । ସାତରୁ ଦଶଦିନ ମଧ୍ୟରେ ଶତକଡା ୪୦ ଭାଗ ମଞ୍ଜି ଗଜା ବାହାରେ  ।

  3. ଅଙ୍ଗୀୟ ବିସ୍ତାର

ଅଗ୍ରସ୍ଥ ୧୫-୨୦ ସେମି ରେ ଡାଳ କଟାଜାଇ ପଲିଥିନ ମୁଣାରେ କିମ୍ବା ସିଧାସଳଖ ମାଟିରେ ପୋତାଯାଏ ।  କଟାଯାଇଥିବା ଡାକରୁ ସାପ୍ତାହିକ ମଧ୍ୟରେ ଚେର ବାହାରେ , ଯଥେଷ୍ଟ ଚେର ବାହାରିଲାପରେ ମାଟିରେ ଲଗାଯାଏ  । ବର୍ଷାଋତୁ ଆରମ୍ଭରୁ ଅଙ୍କୁରିତ ଚାରା ଲଗାଯାଇବାର ପ୍ରକୃଷ୍ଟ ସମୟ ଅଟେ । ଗଛ ମୂଳରେ ଯେପରି ପାଣି ଜମି ନରହେ ସେଥିପ୍ରତି ଦୃଷ୍ଟି ଦେବା ଦରକାର  । ଏହାଛଡା , ଅଗ୍ରମୁକୁଳକୁ ମଧ୍ୟ “ ମିଷ୍ଟ ଚେମ୍ବର “ ରେ ଅଙ୍କୁଋଟ କରାଯାଇ ଚାରା ରୂପେ ହୋଇ ମାଡିଥାଏ  ।

ଫସଲର ଯତ୍ନ ଓ ଜଳସେଚନ ବ୍ୟବସ୍ଥା

ଗୁଡମାରୀ ଶୁଷ୍କ ଜଳବାୟୁକୁ ସହନ କରିବାର କ୍ଷମତା ଧାରଣା କରିଥିଲେ ମଧ୍ୟ ଗ୍ରୀଷ୍ମ ଋତୁ ରେ ଓ ଶୀତ ଋତୁରେ ମାସକୁ ଦୁଇଥର ଲେଖାଏଁ ପ୍ରତି ମାସରେ ପାଣି ଦେବାର ବ୍ୟବସ୍ଥା କରିବା ଉଚିତ  । ଏହାଛଡା , ଏହି ଗଛରେ ଯେପରି ରୋଗପୋକ ନ ଲାଗନ୍ତି ସେଥିପ୍ରତି ଧ୍ୟାନ ଦେବା ଅବଶ୍ୟକ  ।  ଏହି ଫସଲରେ ପାଓଡରୀ ମିଲଡିଉ ଦ୍ଵାରା ରୋଗ ହୋଇଥାଏ । ଏହାକୁ ଦୂର କରିବା ପାଇଁ ମୋନୋକ୍ରୋଟୋପଠସ ୧ ମିଳି କୁ ୧ଲି ପାଣିରେ ମିଶାଇ ସିଞ୍ଚନ କରାଯାଏ  ।

ଫସଲ ଉତ୍ପାଦନ

ଗଛ ୫-୬ ଫୁଟ ଉଚ୍ଚତା ବିଶିଷ୍ଟ ହୋଇଗଲେ ୧-୫ ବର୍ଷ ପରେ ଗଛର ଅଗ୍ରଭାଗକୁ କାଟି ଟ୍ରିମିଙ୍ଗ ପ୍ରତିବର୍ଷ କରାଯାଏ । ଏହାଫଳରେ ବେଶୀ ଶାଖା ବାହାରି ସେଥିରେ ଅଧିକ ସଂଖ୍ୟକ ପତ୍ର ବାହାରିଥାଏ  । ୨ ବର୍ଷ ପରେ ଗୁଡମାରିର ପ୍ରଥମ ଫସଲ ଅମଳ କରାଯାଏ । ପ୍ରତ୍ୟେକ ବର୍ଷ ଗଛରେ ଖତ ଓ ପାଣି ଦେବାର ବ୍ୟବସ୍ଥା କରାଯାଏ  ।

ଦୁଇବର୍ଷଠାରୁ ଆରମ୍ଭ କରି ୨୦-୨୫ ବର୍ଷ ପର୍ଯ୍ୟନ୍ତ ଫସଲ ଅମଳ କରାଯାଇପାରିବ  । ପତ୍ରଗୁଡିକ ସଂଗ୍ରହ କରି ୫ ଦିନ ଛାଇରେ ଶୁଖାଇ ଅଖାରେ ବାନ୍ଧି ରଖାଯାଏ । ତୃତୀୟ ବର୍ଷ ଫସଲରେ ପ୍ରାୟ ଗଛରୁ ୨ ରୁ ୨.୫ କିଗ୍ରା ପତ୍ର ମିଳିପାରେ । ବର୍ଷକୁ ୨ ଥର ପତ୍ର ସଂଗ୍ରହ କରାଯାଏ । ଗଛ ପ୍ରତି ୫୦୦ ଗ୍ରାମ ଶୁଖିଲା ପତ୍ର ହିସାବରେ ଏକ ଏକରରୁ ୧୭୫୦ କିଗ୍ରା ପତ୍ର ମିଳିପାରିବ  ।

ଆର୍ଥିକ ଲାଭ

ଏହି  ପତ୍ରର ଦାମ ଋତୁ ଅନୁସାରେ ଅଲଗା ହୋଇଥାଏ । ପ୍ରାୟ ଜୁଲାଇ – ଅଗଷ୍ଟରେ ଶୁଖିଲା ପତ୍ରର ଦାମ କିଗା ପ୍ରତି ୧୦ରୁ ୧୨ ଟଙ୍କା ହୋଇଥାଏ ଓ ମାର୍ଚ୍ଚ-ଏପ୍ରିଲରେ ଏହା ୨୫ ଟଙ୍କାରେ ବିକ୍ରି ହୋଇଥାଏ  । ଏକ ଏକରରୁ ୨୭,୦୦୦ ଟଙ୍କା ମିଳିଥାଏ । ଏକ ଏକର ଗଛଲଗାଇବା, ଗାତ ଖୋଲିବା ଇତ୍ୟାଦି ଖର୍ଚ୍ଚ ୭,୦୦୦ ଟଙ୍କା ହୋଇଥାଏ , ତେବେ ଏକ ଏକରରୁ ୨୦,୦୦୦ ଟଙ୍କା ପ୍ରତିବର୍ଷ ଲାଭ ମିଳିଥାଏ । ଏହା ୨୦-୨୫ ବର୍ଷ ପର୍ଯ୍ୟନ୍ତ ମିଳିଥାଏ  ।

ବ୍ୟବସାୟିକ ସୂଚନା

ଗୁଡାମାରୀ ପତ୍ରର ବିକ୍ରି ପାଇଁ ଔଷଧ ଉତ୍ପାଦନକାରୀ ସଂସ୍ଥାକୁ ଦେଇହେବ  । ଗୁଡମାରୀ ବ୍ୟବସାୟିକ ବଜାର ପ୍ରଶସ୍ତ ଅଛି । ଏହା ମୁଖ୍ୟତଃ ହାଇଦ୍ରାବାଦ , କଲିକତା ଓ ମୁମ୍ବାଇ ପଠାଯାଇପାରିବ । ଜାତୀୟ ସ୍ତରରେ ଏହି ଗଛର ପତ୍ରର ମୂଲ୍ୟ କିଗ୍ରା ପ୍ରତି ୧୫ ଟଙ୍କାରୁ ୫୦ ଟଙ୍କା ଅଟେ । ୧୯୯୯-୨୦୦୦ ମସିହା ଦର ଅନୁସାରେ ଏହାର ପତ୍ରର ମୂଲ୍ୟ କିଗ୍ରା ପ୍ରତି ହାଇଦ୍ରାବାଦରେ ୨୫ ଟଙ୍କାରୁ ୩୦ ଟଙ୍କା , କଲିକତାରେ ୩୨ ଟଙ୍କା ମୁମ୍ବାଇରେ ୩୮ ଟଙ୍କାରୁ ୫୫ ଟଙ୍କା , ଦିଲ୍ଲୀରେ ୨୫ ଟଙ୍କାରୁ ୩୫ ଟଙ୍କା ବାଙ୍ଗାଲୋରରେ ୬୦ ଟଙ୍କାରୁ ୮୦ ଟଙ୍କା , ଚେନ୍ନାଇରେ ୨୧ ଟଙ୍କାରୁ ୩୦ ଟଙ୍କା ଥିଲା  ।

ମୁଖ୍ୟତଃ ଏହାର କଞ୍ଚାମାଲ ହାଇଦ୍ରାବାଦ ମାର୍କେଟକୁ ତାମିଲନାଡୁ ଓ ଉତ୍ତରପ୍ରଦେଶରୁ ଆସିଥାଏ । ଆନ୍ଧ୍ରପ୍ରଦେଶ ଗିରିଜନ ସମବାୟଲ ସମିତି ୧୫ ହଜାର ୯୪୦ କିଲୋଗ୍ରାମ ଗୁଡାମାରୀ ବିକ୍ରିକରି ୧୯୯୮ ମସିହାରେ ୧ ଲକ୍ଷ ୯୧ ହଜାର ୨୮୦ ଟଙ୍କା ପାଇଥିଲେ ।

ଆଧାର : ଡାକ୍ତର ଦୀନବନ୍ଧୁ ମହାରଣା

3.12121212121
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top