ସେଆର କରନ୍ତୁ

ତୁଳସୀ

ତୁଲସୀ ବୃକ୍ଷ ଚାଷ କିପରି କରିବେ ସେ ସମ୍ବନ୍ଧିତ ତଥ୍ୟ ।

ଉପକ୍ରମ

ତୁଲସୀ ବୃକ୍ଷ ଭାରତୀୟ ଧର୍ମ ଓ ସଂସ୍କୃତିରେ ଏକ ପବିତ୍ର ସ୍ଥାନ ଅଧିକାର କରିଛି  । ପ୍ରତ୍ୟେକ ଚଉଡ଼ା ସ୍ଥାପିତ ହୋଇ ପୂଜିତ ହେଉ ଥିବାର ଦେଖାଯାଏ । କେବଳ ସେତିକି ନୁହେଁ ହିନ୍ଦୁ ଜଗତର ଆରାଧ୍ୟ ଦେବତା ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ସେବା ପୂଜାରେ ତୁଲସୀର ବ୍ୟବହାର ଏକ ଅତ୍ୟକ୍ତ ମହତ୍ତ୍ଵପୂର୍ଣ୍ଣ ପ୍ରଥାରେ ପରିଣତ ହୋଇଛି । ତେବେ ତୁଳସୀର ବ୍ୟବହାର ଏକ ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ ପ୍ରଥାରେ ପରିଣତ ହୋଇଛି  । ତେବେ ତୁଳସୀର ଏହି ଆଧାତ୍ମିକ ଉପାଦେୟତା ମୂଳରେ ରହିଛି ଏହାର ପବିତ୍ରତା ଓ ଔଷଧୀୟ ଗୁଣ  । ବହୁ ପ୍ରାଚୀନ କାଳରୁ ତୁଲସୀର ବହୁ ଉପାଦେୟ ଔଷଧୀୟ ମହତ୍ତ୍ଵ ସମ୍ବନ୍ଧରେ ଆମ ଦେଶର ସାଧାରଣ ଜନତା ପରିଚିତ । ସମ୍ପ୍ରତି ଆୟୁର୍ବେଦୀୟ ଔଷଧ ନିର୍ମାଣ ଉଦ୍ୟୋଗ , ସୁଗନ୍ଧତତୈଳ ଉଦ୍ୟୋଗ ଏବଂ ହାର୍ବାଲ ଟି ପ୍ରସ୍ତୁତକାରୀ ସଂସ୍ଥାମାନେ ତୁଲସୀ ବହୁଳ ମାତ୍ରାରେ ଆବଶ୍ୟକ କରୁଥିବାରୁ ଏହାର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଛି  । ତେଣୁ ଏହାକୁ ଉନ୍ନତ ପ୍ରଣାଳୀରେ ବ୍ୟବସାୟିକ ଭିତ୍ତିରେ ଚାଷ କଲେ ଏହା କୃଷକମାନଙ୍କୁ ଆର୍ଥିକ ଦୃଷ୍ଟିରୁ ଲାଭବାନ କରାଇପାରିବ  ।

ତୁଲସୀର ଗଛର ବିଭିନ୍ନ ନାମ -

  • ବୈଜ୍ଞାନିକ ନାମ  : ଓସିମମ ସାଙ୍କଟମ
  • ବଂଶ : ଲାବିଏଟି

ଆଞ୍ଚଳିକ ଭାଷାଗତ ନାମ :

  • ଓଡିଶା – ତୁଳସୀ
  • ସଂସ୍କୃତ – ତୁଳସୀ, ସୁରସା, ବହୁମଞ୍ଜରୀ
  • ତେଲୁଗୁ- ଗଗେରଚେଟ୍ଟୁ
  • ଗୁଜୁରାଟୀ – ତୁଲସୀ
  • ଇଂରାଜୀ – holy basil
  • ହିନ୍ଦୀ- ତୁଳସୀ
  • ବଙ୍ଗଳା- ତୁଳସୀ
  • ତାମିଲ- ତୁଲଶୀ
  • ମରାଠୀ – ତୁଟ୍ଟସ

ଉଦ୍ଭିଦ ପରିଚୟ

ତୁଲସୀ ୧ରୁ ୨ ଫୁଟ ଉଚ୍ଚତା ବିଶିଷ୍ଟ ଗୁଳ୍ମ ଜାତୀୟ ବନସ୍ପତି  । ଏହା ସମଗ୍ର ଭାରତରେ ବନପ୍ରାନ୍ତ , ଶ୍ମଶାନ ଭୂମି , ଦେବାଳୟ ପରିସର ଏବଂ ଗୃହ ଅଗଣାରେ ଦେଖିବାକୁ ମିଳେ । ସମଗ୍ର ତୁଲସୀ ବୃକ୍ଷରୁ ଏକ ପ୍ରକାର ତୀବ୍ର ସୁଗନ୍ଧ ଆସେ  । ଏହାର ଶାଖାଗୁଡିକ ସିଧା ଏବଂ ବିସ୍ତାରିତ ହୋଇଥାନ୍ତି । ପତ୍ରଗୁଡିକ ୧ରୁ ୨ ଇଞ୍ଚ ପର୍ଯ୍ୟନ୍ତ ଲମ୍ବ , ଅଣ୍ଡାକାର ତଥା ସୁଗନ୍ଧିତ ଶାଖାଗୁଡିକର ଶେଷ ଭାଗରେ ମଞ୍ଜରି ହୋଇଥାଏ । ଏହାର ସମସ୍ତ ଅଂଶ ଚିକିତ୍ସାରେ ବ୍ୟବହୃତ ହୁଏ  ।

ପତ୍ରର ରଙ୍ଗଭେଦରେ ତୁଲସୀ ବୃକ୍ଷ ଦୁଇ ପ୍ରକାରର ଯଥା – ଶ୍ଵେତ ତୁଲସୀ , ଓ କୃଷ୍ଣ ତୁଲସୀ । ଶ୍ଵେତ ତୁଲସୀର ପତ୍ର ଶ୍ଵେତ ଓ ସବୁଜ ମିଶ୍ରିତ ବର୍ଣ୍ଣ ହୋଇଥିବାବେଳେ କୃଷ୍ଣ ତୁଲସୀର ପତ୍ରର ବର୍ଣ୍ଣ ଈଷତ କଳା ବା ଈଷତ ବାଇଗଣୀ ରଙ୍ଗ ହୋଇଥାଏ  ।

ରାସାୟନିକ ସଂଗଠନ

ତୁଲସୀ ଗଛରୁ ମିଳୁଥିବା ମୁଖ୍ୟ ଔଷଧୀୟ ଉପାଦାନ ଗୁଡିକ ହେଲା ଫିନଲସ , ଏଲଡିହାଇସ , ଟେନିନ , ସେପୋନିନସ   ।  ଏହାର ପତ୍ରରୁ ୦.୧ ରୁ ୦.୨୩ ପ୍ରତିଶତ ଏକ ଉଦବାୟୀ ତେଲ ମିଳିଥାଏ । ଏହି ତେଲରୁ ୭୧ ପ୍ରତିଶତ ଇଉଜିନାଲ,୨୦ ପ୍ରତିଶତ ଇଉଜିନାଲ ମିଥାଇଲ ଇଥର , ୩ ପ୍ରତିଶତ ମେରାଳ ସିନିନିନ ତଥା କାର୍ବୋକୋଲ ମିଳିଥାଏ । ଏହାର ମଞ୍ଜିରେ ସବୁଜ ହଳଦିଆ ରଙ୍ଗର ୧୭.୮ ପ୍ରତିଶତ ତେଲ ରହିଥାଏ  ।

ଔଷଧୀୟ ଗୁଣ ଓ ପ୍ରୟୋଗ

ଔଷଧୀୟ ଗୁଣ ଓ ପ୍ରୟୋଗ ଦୃଷ୍ଟିରୁ ତୁଲସୀ ବୃକ୍ଷ ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ ଅଟେ  । ଏହାର ଔଷଧୀୟ ଗୁଣ ବିଷୟରେ ଆୟୁର୍ବେଦ ଶାସ୍ତ୍ରମାନଙ୍କରେ ବିସ୍ତୁତ ଭାବେ ବର୍ଣ୍ଣନା କରାଯାଇଛି  । ଏହାର ପତ୍ରର ସ୍ଵରସ ଉଷ୍ଣ ,ଋକ୍ଷ କଫନିଃସାରକ, ଶୀତହର , ବାତହର, ସ୍ଵେଦଜନନ , ଦୀପନ , କୃମିଘ୍ନ , ଦୁର୍ଗନ୍ଧନାଶକ ଓ ଜୀବାଣୁନାଶକ ଅଟେ  । କାସ, ଶ୍ଵାସ , ପାର୍ଶ୍ଵଶୂଳ , ବିଷମ ଜ୍ଵର ବା ମ୍ୟାଲେରିଆ ବିଷବିକାର ଏବଂ ପାଚନଗତ ବିକାର ଚିକିତ୍ସା କ୍ଷେତ୍ରରେ ଏହାର ଉପଯୋଗ କରାଯାଏ  । ଏହିସବୁ ରୋଗମାନଙ୍କରେ ଅନ୍ୟ ଔଷଧିସହ ଏହାର ସ୍ଵରସକୁ ଅନୁପାନ ରୂପେ ପ୍ରୟୋଗ କରାଯାଏ । ଏହାର ବୀଜ ମଧୁର ସ୍ନିଗ୍ଧ , ଶୀତ ଏବଂ ମୁତ୍ରଜନନ ହୋଇଥିବାରୁ ମୁତ୍ରକ୍ରଚ୍ଚ ବା ମୁତ୍ରକଷ୍ଟ ରୋଗରେ ସେବନ କରାଯାଏ । ଏହାଛଡା କିଡନୀ ଷ୍ଟୋନ ରୋଗ ଏବଂ ହୃଦଯନ୍ତ୍ର ସମ୍ବନ୍ଧୀୟ ରୋଗରେ ବ୍ୟବହାର ହୋଇଥାଏ । ଏହାର ରସ ସେବନରେ ରକ୍ତରୁ କୋଲେଷ୍ଟେରୋଲର ମାତ୍ରା କମିଥାଏ । ଏହା ମଧ୍ୟ anti stress agent ଭାବରେ ବ୍ୟବହୃତ ହୋଇଥାଏ । ଚର୍ମରୋଗ, କୃମିରୋଗ , କୀଟଦଂସନ , କର୍ଣ୍ଣଶୂଳ ଓ ବ୍ରଣ ପ୍ରକ୍ଷାଳନ ନିମିତ୍ତ ମଧ୍ୟ ଏହାକୁ ବ୍ୟବହାର କରାଯାଇଥାଏ  । ଏହା ଛଡା, ସମ୍ପ୍ରତି ବଡ ବଡ ଆୟୁର୍ବେଦ ଔଷଧ ନିର୍ମାଣକାରୀ ସଂସ୍ଥାମାନେ କାଶ ନିବାରକ ସିରପ ଔଷଧରେ ମଧ୍ୟ ତୁଳସୀ ସ୍ଵରସ ବ୍ୟବହାର କରୁଛନ୍ତି । କେତେକ ହାର୍ବାଲ ଟି ପ୍ରସ୍ତୁତକାରୀ ସଂସ୍ଥାମାନେ ମଧ୍ୟ ହାର୍ବାଲ ଡ୍ରିଙ୍କସ ଓ ହାର୍ବାଲ ଟିରେ ତୁଳସୀ ସ୍ବରସ ପ୍ରୟୋଗ କରୁଛନ୍ତି । ଏସବୁର ଚାହିଦା ଓ ଆଦର ଦିନକୁ ଦିନ ବୃଦ୍ଧି ପାଉଥିବାରୁ ବ୍ୟବସାୟିକ ଭିତ୍ତିରେ ଉନ୍ନତ ପ୍ରଣାଳୀରେ ତୁଳସୀ ଚାଷ କରାଗଲେ ରପ୍ତାନି ମାଧ୍ୟମରେ ଏଥିରୁ ପ୍ରଚୁର ଆର୍ଥିକ ଲାଭ ମିଳିପାରିବ  ।

ଚାଷ ପ୍ରଣାଳୀ

ତୁଳସୀ ବୃକ୍ଷ ୧ରୁ ୩ ବର୍ଷ ପର୍ଯ୍ୟନ୍ତ ରହୁଥିଲେ ମଧ୍ୟ ଏହାକୁ ୧ ବର୍ଷୀୟ ଫସଲ ରୂପେ ଅମଳ କରାଯାଇଥାଏ  । ଏକବର୍ଷ ମଧ୍ୟରେ ଏହାକୁ କିମ୍ବା ୬ ମାସ ବ୍ୟବଧାନରେ କଟାଜାଇ ପତ୍ର ଅମଳ କରାଯାଇଥାଏ  ।

ଜଳବାୟୁ ଓ ମୃତ୍ତିକା

ତୁଳସୀ ବୃକ୍ଷ ଚାଷ ପାଇଁ ଆଦ୍ର ଓ ଉଷ୍ଣ ଜଳବାୟୁ ଉପଯୁକ୍ତ  । ଅର୍ଥାତ ଅତ୍ୟଧିକ ଆଦ୍ର ଜଳବାୟୁ ଓ ଅତ୍ୟଧିକ ତାପମାନ ଥିବା ସ୍ଥାନରେ ଏହି ଗଛ ଭଲ ଭାବରେ ବିକଶିତ ହୋଇଥାଏ ।

ଏହା ଅତ୍ୟନ୍ତ ସନ୍ତସନ୍ତିଆ ପାଣି ଜମି ରାହୁନଥିବା ସ୍ଥାନକୁ ଛାଡି ପ୍ରୟୋ ସମସ୍ତ ପ୍ରକାର ମାଟିରେ ଏହି ଗଛ ଚାଷ କରଯାଇପାରିବ  ।

ଜମି ପ୍ରସ୍ତୁତ ଓ ରୋପଣ

ଜମିକୁ ଦୁଇଥର ଭଲ ଭାବରେ ହଳକରି ଏକର ପିଛା ୬ ଟନ ହିସାବରେ ଗୋବର ଖତ ବା କମ୍ପୋଷ୍ଟ ଭଲ ଭାବରେ ମିଶାଇ ୧.୫ x ୧.୫ ଫୁଟ ଦୂରତାରେ ରୋପଣ କରାଯାଏ । ପ୍ରଥମେ ୩-୩ ଦିନ ଅନ୍ତରରେ ଏବଂ ୭ରୁ ୧୦ ଦିନ ବ୍ୟବଧାନରେ ଜଳ ସିଞ୍ଚନ କଲେ ଗଛର ବୃଦ୍ଧି ଠିକ ଭାବରେ ହୋଇଥାଏ । ଏହାପରେ ପ୍ରତିମାସ ଅନ୍ତରରେ ଏକର ପିଛା ୮ କିଗ୍ରା ବାୟୋଜାଇମ ଗ୍ରାନ୍ୟୁଲସ ପ୍ରୟୋଗ କଲେ ଗଛ ଭଲ ବଢିଥାଏ । ୩ ମାସର ହେବା ପରେ ଦେଖି ଏହାର ଡାଳ କାଟିନିଆଯାଏ । ଏହାର ୭୦-୭୫ ଦିନ ପରେ ଦ୍ଵିତୀୟ ଥର ଏବଂ ପୁଣି ଏହାର ୭୦-୭୫ ଦିନ ପରେ ତୃତୀୟ ଥର ଅମଳ କରାଯାଏ । ଏକ ଏକରରେ ୩୦୦ରୁ ୪୦୦ ଚାରା ଲଗାଯାଇପାରିବ   ।

ଉନ୍ନତ କିସମ

ସାରା ବିଶ୍ଵରେ ତୁଳସୀର ପ୍ରାୟ ୧୫୦ ପ୍ରଜାତି ଦେଖାଯାଇଥାଏ ଯାହାର ସାଧରଣତଃ ପ୍ରକୃତି ପ୍ରାୟତଃ ସମାନ କିନ୍ତୁଳ ରସାୟନିକ ସଂଗଠନରେ ଭିନ୍ନତା ଥାଏ । ଓଡିଶାରେ ନିମ୍ନଲିଖିତ ତୁଳସୀର ପ୍ରଜାତିର ଗଛ ଦେଖିବାକୁ ମିଳିଥାଏ  ।

  1. ଓସିମମ ବେସିଲକମ ମରୁବକ , ଅଜଗଠଧିକା ବୋବଇ ତୁଳସୀ  ।
  2. ଓସିମମ କିଲିମଣ୍ଡସ୍ରକମ କର୍ପୁର ତୁଳସୀ
  3. ଓସିମମ କେନମ / ଓସିମମ ଆମେରିକାନମ ଗଙ୍ଗାତୁଳସୀ
  4. ଓସିମମ ଗ୍ରାଟିସିମମ ବଣ ତୁଳସୀ / ରାମ ତୁଳସୀ
  5. ଓସିମମ ଭିରଡି
  6. ଓସିମମ ସାଙ୍କଟମ ଧଳାତୁଳସୀ /ଶ୍ରୀ ତୁଳସୀ/ ଶ୍ୟାମା ତୁଳସୀ  ।

ଉପରୋକ୍ତ ଶ୍ରେଣୀ ମଧ୍ୟରୁ ଓସିମମ  ସାଙ୍କଟମ ବା ଶ୍ରୀତୁଳସୀକୁ ପବିତ୍ର ତୁଳସୀ ହିସାବରେ ଗଣନା କରାଯାଏ । ଏହା ସୁଗନ୍ଧଯୁକ୍ତ ଅଟେ  । ଏହା ମୁଖ୍ୟତଃ ଦୁଇ ପ୍ରକାରର ଯଥା କଳାତୁଳସୀ ଓ ଧଳା ତୁଳସୀ  । କଳାତୁଳସୀକୁ ମୁଖ୍ୟତଃ ଔଷଧୀୟ ଦ୍ରବ୍ୟ ହିସାବରେ ବ୍ୟବହାର କରାଯାଏ   ।

ଫସଲ ରୋଗ :ପାଉଡର ମିଲଡିଉ ବ୍ଲାଇଟ ଏବଂ ରଟରାଣ୍ଡ ତୁଳସୀ ମୁଖ୍ୟ ରୋଗ । ଏହି ରୋଗ ନିରାକରଣ ପାଇଁ ସଲଫର ୪ ଗ୍ରାମ ପ୍ରତି ଲିଟର ପାଣିରେ ସିଞ୍ଚନ କଲେ କିମ୍ବା ନିମ୍ବପତ୍ରର ଅର୍କ ବ୍ୟବହାର କଲେ ରୋଗର ନିରାକରଣ ହୋଇଥାଏ ।

ଆର୍ଥିକ ଲାଭ

ତୁଳସୀ ଚାଷରୁ ମୁଖ୍ୟତଃ ଦୁଇପ୍ରକାର ଲାଭ ହୋଇଥାଏ । ପ୍ରଥମତଃ , ଏହାର ପତ୍ର ବିକ୍ରି ଦ୍ଵାରା ଏବଂ ଦ୍ଵିତୀୟତଃ , ଏହାର ତେଲ ନିଷ୍କାସନ ଦ୍ଵାରା । ଏକ ଏକର କ୍ଷେତରୁ ତିନିଥର ଅମଳରେ ପ୍ରାୟ ୨୦ କ୍ଵିଣ୍ଟାଲ ଡାଳ ଓ ୧୦ କ୍ଵିଣ୍ଟାଲ ପତ୍ର ମିଳିଥାଏ  । ଡାଳ ଦର ୮-୧୦ ଟଙ୍କା ହିସାବରେ ଏବଂ ପତ୍ର ବିକ୍ରି ଦର ୧୫ ଟଙ୍କା ହିସାବରେ ପ୍ରାୟ ୧୫୦୦୦ ଟଙ୍କା ମିଳିଥାଏ । ଏଥିରୁ ତେଲ ନିଷ୍କାସନ କଲେ (୦.୧ରୁ ୦.୨୩ )ହିସାବରେ ପ୍ରାୟ ୨୦ରୁ ୨୫ କିଗ୍ରା ପର୍ଯ୍ୟନ୍ତ ଏସେନସିଆଲ ଅଏଲ ମିଳିପାରିଥାଏ  ।

ଲେଖା ଏବଂ ପ୍ରାପ୍ତି - ଡାକ୍ତର ଦୀନବନ୍ଧୁ ମହାରଣା

3.03125
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top