ହୋମ / କୃଷି / ଔଷଧୀୟ ବୃକ୍ଷ ଚାଷ / ପାଞ୍ଚ ଆଙ୍ଗୁଳିଆ
ସେଆର କରନ୍ତୁ

ପାଞ୍ଚ ଆଙ୍ଗୁଳିଆ

ପାଞ୍ଚ ଆଙ୍ଗୁଳିଆ ଏକ ମୃଦୁ , ଆରୋହଣଶୀଳ ସୁନ୍ଦର ଲତା ଉଦ୍ଭିଦ ଅଟେ । ଯାହାକି ପ୍ରାକୃତିକ ରୂପରେ ଛୋଟ ଛୋଟ ଗଛ ଉପରେ ଛାଡିଥିବାର ଦେଖାଯାଏ ।

ବୈଜ୍ଞାନିକ  ନାମ  : ଗ୍ଲୋରିଓସା ସୁପରବା

ବଂଶ : ଲିଲୀଏସୀ

ଆଞ୍ଚଳିକ ଭାଷାଗତ ନାମ :

ଓଡିଆ – ପାଞ୍ଚଆଙ୍ଗୁଳିଆ ,  ଶାକ୍ରପୁଷ୍ପି , ଲାହଲଗୁଲିଆ

ହିନ୍ଦୀ- କାଲିହାରି , କରିୟାରି ,

ବଙ୍ଗଳା – ବିଷଳାଙ୍ଗୁଳୀ

ତାମିଲ – କାଣ୍ଟାଲ

ମରାଠୀ – କଲଲାବି , ନାଗକରିଆ

ସଂସ୍କୃତ – ଶାକ୍ରପୁଷ୍ପୀ , ଲାଙ୍ଗଳୀ, ବିଶଲ୍ୟା

ତେଲୁଗୁ – ଅଗ୍ନିଶିଖା

ଗୁଜୁରାଟୀ – କଲଗାରି

ଇଂରାଜୀ – The glory lily

ଉପକ୍ରମ

ପାଞ୍ଚ ଆଙ୍ଗୁଳିଆ ଏକ ମୃଦୁ , ଆରୋହଣଶୀଳ ସୁନ୍ଦର ଲତା ଉଦ୍ଭିଦ ଅଟେ  । ଯାହାକି ପ୍ରାକୃତିକ ରୂପରେ ଛୋଟ ଛୋଟ ଗଛ ଉପରେ ଛାଡିଥିବାର ଦେଖାଯାଏ । ଏହା ଭାରତବର୍ଷର ପ୍ରାୟତଃ ସବୁ ସ୍ଥାନରେ ୧୮୦୦ ମିଟର ଉଚ୍ଚସ୍ଥାନ ପର୍ଯ୍ୟନ୍ତ ପାହାଡିଆ ଜଙ୍ଗଲରେ ଆପେଆପେ ଉଠିଥିବାର ଦେଖାଯାଇଥାଏ । ପତ୍ରଝଡା ଜଙ୍ଗଲରେ ମଧ୍ୟ କେତେକ ଜାଗାରେ ଦୃଷ୍ଟିଗୋଚର ହୋଇଥାଏ । ଦୁର୍ଭାଗ୍ୟବଶତଃ କିଛି ପ୍ରଚଳିତ ଅନ୍ଧବିଶ୍ଵାସ ଓ ଅବୈଜ୍ଞାନିକ କାରଣରୁ ଏହା ପ୍ରକୃତିକ ଜଙ୍ଗଲରୁ ଲୋପ ପାଇବାକୁ ବସିଲାଣି । ବହୁ ପ୍ରାଚୀନ କାଳରୁ ଏହାର ଔଷଧୀୟ ବ୍ୟବହାର ହୋଇଆସୁଥିବାରୁ ସମ୍ପ୍ରତି ଏହାର ଅଭାବ ପରିଲିଖିତ ହେଉଛି । ତେଣୁ ଏହାର କୃଷିକରଣ ପ୍ରତି ଏବେ ଧ୍ୟାନ ଦିଆଯାଉଛି  ।

ଆକୃତି ବର୍ଣ୍ଣନା

ପାଞ୍ଚଆଙ୍ଗୁଳିଆ ଏକ ମୃଦୁ, ଆରୋହଣଶୀଳ ସୁନ୍ଦର ଲତା ଉଦ୍ଭିଦ ଅଟେ  । ଏହାର କାଣ୍ଡ ପତାଳା , କଲମର ମୋଟା, ଗୋଲାକାର, ମୃଦୁ ଓ ସବୁଜ ରଙ୍ଗଯୁକ୍ତ ଅଟେ  । ଏହି କାଣ୍ଡ ୧ରୁ ୨ ଫୁଟ ବଢିବା ପରେ ଭୂମି ଆଡକୁ ନଇଁପଡେ , କିନ୍ତୁ ଯଦି ଅନ୍ୟ ବୃକ୍ଷର ଆଶ୍ରୟ ମିଳେ ତେବେ ୮-୧୦ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ବଢିଥାଏ । ଏହାର ମୂଳରେ ଗୋଲାକାର ମୁଦା ଭଳି କନ୍ଦ ହୋଇଥାଏ । ପତ୍ରଗୁଡିକ ଗୋଲାକାର ଏବଂ ଲତା ସହ ପତ୍ରଗୁଡିକ ମାଡିଥାଏ । ଏହାର ଫୁଲଗୁଡିକ ଦେଖିବାକୁ ସୁନ୍ଦର , ପ୍ରଥମବସ୍ଥାରେ ନୀଳରଙ୍ଗ ଧାରଣ କରିଥାଏ ଏବଂ ପରେ ପରେ ହଳଦିଆ ମିଶା ଲାଲ ରଙ୍ଗରେ ପରିଣତ ହୁଏ । ଏହା ଗୋଟିକିଆ ଫୁଲ ରୂପେ ଫୁଟିଥାଏ । ଫୁଲଗୁଡିକ ଲମ୍ବାଳିଆ ମୋଟା ଓ ପେଟୁଆ ହୋଇଥାଏ । ଫଳ ମଧ୍ୟରୁ ବହୁତ ଗୁଡିଏ ଗୋଲ ବୋଲ ନଡା ରଙ୍ଗର ମଞ୍ଜି ବାହାରିଥାଏ  ।

ପ୍ରୟୋଗନୀୟ ଅଂଶ

ଏହାର କନ୍ଦ ଓ ମଞ୍ଜି ମୁଖ୍ୟତଃ ପ୍ରୟୋଗନୀୟ ଅଂଶ ଅଟେ  । ତେବେ ଏହାକୁ ଶୋଧନ କରିବାକୁ ପଡେ । ଏଥିପାଇଁ ଆୟୁର୍ବେଦୀୟ ପଦ୍ଧତି ଅନୁସାରେ ଏହାର କନ୍ଦକୁ ଛୋଟ କରି କାଟି ଚାରି- ପାଞ୍ଚ ଦିନ ପର୍ଯ୍ୟନ୍ତ ସୈନ୍ଧବ ଲବଣ ମିଶ୍ରିତ ଦହିରେ ବୁଡାଇ ରଖିବାକୁ ହୁଏ । ଏଥିପାଇଁ ପ୍ରତିଦିନ ଦହି ବଦଳାଇବା ଆବଶ୍ୟକ  । ଏହାପରେ ଏହାକୁ ଗରମ ଜଳରେ ଧୋଇ ଶୁଖାଇଦେଲେ ବିଷ କମ ହୋଇଯାଏ । ଏହାଛଡା, ଏକ ଦିନ ଗୋମୁତ୍ରରେ ବୁଡାଇ ରଖିଲେ ଏହାର ବିଷ ପ୍ରଭାବ ନଷ୍ଟ ହୋଇଥାଏ  ।

ରାସାୟନିକ ସଂଗଠନ

ଏଥିରେ ଷ୍ଟାର୍ଚ୍ଚତଥା ଟାନିନ , ସୁପର୍ବାଇନ , କାଲିରେନିନ , ଗ୍ଲୋରିଓସିନ ମିଳିଥାଏ  । ଏହାର ଔଷଧୀୟ ଗୁଣ ମୁଖ୍ୟତଃ ଏହାର କନ୍ଦରେ ଥିବା କୋଲଚିସନ, ଗ୍ଲୋରିଓସିନ ଓ ସୁପର୍ବାଇନ କାରଣରୁ ଥାଏ  ।

ଔଷଧୀୟ ଗୁଣ ଓ ପ୍ରୟୋଗ

ଏହାର କନ୍ଦ ଉତ୍କଟ ଗନ୍ଧଯୁକ୍ତ ତାପବର୍ଦ୍ଧକ , ଗର୍ଭପାତକାରୀ , କାଟୁସ୍ଵାଦଯୁକ୍ତ , କୃମିନାଶକ, ହଜମ ବୁଦ୍ଧିକାରୀ ଉଦରବେଦନାହାରି , ବାନ୍ତିକାରକ , କ୍ଷୁଧାବର୍ଦ୍ଧକ , ଜ୍ଵର ବେଦନାଶକ ଓ ବାତ , ପିତ୍ତ କଫ ବିନାଶକାରୀ ଅଟେ  । ଏହାର ମଞ୍ଜି ଓ କନ୍ଦଯୁକ୍ତ ଚେର ଔଷଧୀୟ ଗୁଣରେ ପରିପୂର୍ଣ୍ଣ । ଏହାର ଚେର କୁଷ୍ଠ , ଚର୍ମରୋଗ କୁ ଏହା ଆରୋଗ୍ୟ କରିଥାଏ । କିନ୍ତୁ ଏହା ଗର୍ଭ ପାଇଁ ହାନିକାରକ ଅଟେ  । ଏହାର କନ୍ଦକୁ ବାଟି ଶୁଷ୍କ ଚର୍ମ ରୋଗରେ , ଫୁଲା ସ୍ଥାନରେ , କୁଷ୍ଠ ଓ ଅର୍ଶରେ ଲେପଦେଲେ ବିଶେଷ ଉପଶମ ମିଳେ । ଏହାର ମଞ୍ଜିଗୁଡିକ ରକ୍ତ ପରିଷ୍କାର ନିମିତ୍ତ, ଔଷଧୀୟ ପ୍ରସ୍ତୁତିରେ ବ୍ୟବହୃତ ହୁଏ । ତେବେ ଅନ୍ଧବିଶ୍ୱାସ (ଏହାକୁ ଲଗାଇଲେ ପରେ କଳହ ସୃଷ୍ଟି ହୁଏ )ଯୋଗୁଁ ଏହା ଲିପ୍ତ ହୋଇଛି । ସମ୍ପ୍ରତି ଏହାର ଔଷଧୀୟ ବିଶେଷତା ଯୋଗୁଁ ଏହାର ଚାହିଦା ବାଡିଥିବାର କୃଷିକରଣ ଅନିବାର୍ଯ୍ୟ ହୋଇପଡିଛି  ।

ଦରକାରୀ କୃଷି ଉପଯୋଗୀ ଉପବସ୍ଥା

ଏହି ଲଟାଟି ହାଲୁକା ଦୋରସା ମାଟିରେ ଓ ଯେଉଁ ଜାଗାରେ ବହୁତ ପାଣିର ସୁବିଧା ଥାଏ ସେଠାରେ ଭଲ ବଢିଥାଏ । ଏହା କାକର ସହିପାରେ ନାହିଁ । ଏହା ନାଲି ଓ କଳା ଫସଫସିଆ ମାଟି ଯାହାର କି ଜଳ ଧାରଣ କ୍ଷମତା ବହୁତ ବେସୀ ଓ ପାଣି ଯେଉଁ ଜମିରେ ଜମି ରହିନଥାଏ ସେ ଜାଗାରେ ଭଲ ବଢେ , ଯେଉଁ ମାଟିର ପି.ଏଚ. ରୁ 7 ଏବଂ ୬୦୦ ମିଟର ଉଚ୍ଚା ପର୍ଯ୍ୟନ୍ତ ଓ ବାର୍ଷିକ ୩୭୫ ସେମି ବର୍ଷା ହେଉଥିବା ଜାଗାରେ ଏହା ବର୍ଷସାରା ଚାରିଆଡେ ଏହିଭଳି ଉପବସ୍ଥାରେ ଦେଖାଯାଇଥାଏ  ।

ପ୍ରଜନନ

ସାଧାରଣତଃ ଏହାର ମଞ୍ଜି ଅକ୍ଟୋବର ମାସରେ ସଂଗ୍ରହ କରାଯାଇଥାଏ ଏବଂ ଏହାକୁ ଲଗାଇବା ପୂର୍ବରୁ ୨୪ ଘଣ୍ଟା ପାଣିରେ ବତୁରା ଯାଇଥାଏ । ଗଜା ବାହାରିବାକୁ ସାଧାରଣତଃ ୨୦ରୁ ୩୦ ଦିନ ପର୍ଯ୍ୟନ୍ତ ସମୟ ଲାଗିଥାଏ । ଏହି ପଦ୍ଧତିରେ ପ୍ରାୟ ୫୦ ପ୍ରତିଶତ ଗଛ ଉତୁରିଥାଏ । ଏହା ମଧ୍ୟ ମୂଳରେ ଥିବା ଆଳୁଜାତୀୟ କନ୍ଦରୁ ଗଛ ତିଆରି କରାଯାଇଥାଏ । ୫୦/୬୦ ଗ୍ରାମ ଓଜନର ଏହି କନ୍ଦ ଯାହାର କି ଅତି କମରେ ୨ ଟି ଆଖି ଥାଏ ତାହାକୁ ମାଟିରେ ୬ରୁ ୮ ସେମି ଗଭୀରତାରେ ପୋତି ଦିଆଯାଇଥାଏ । ଏହାର ଧାଡିକି ଧାଡି ବ୍ୟବଧାନ୪୫ ସେମି ଏବଂ ଗଛକୁ ଗଛ ବ୍ୟବଧାନ ଧାଡି ମଧ୍ୟରେ ୬୦ ସେମି ଏବଂ ଗଛକୁ ଗଛ ବ୍ୟବଧାନ ଧାଡି ମଧ୍ୟରେ ୬୦ସେମି ରଖାଯାଇଥାଏ । ମାର୍ଚ୍ଚ ଓ ଏପ୍ରିଲ ମାସ ଏହି ଚାଷ କରିବା ପାଇଁ ଉତ୍କୁଷ୍ଟ ସମୟ କିନ୍ତୁ ବାଙ୍ଗାଲୋର ଗଜାଗୁଡିକ “ମେ ରୁ ଅଗଷ୍ଟ “  ପର୍ଯ୍ୟନ୍ତ ବାହାରିଥାଏ  । ଲଗାହେବାର ପ୍ରାରମ୍ଭିକ ସମୟରେ ପ୍ରତି ୪ ଦିନ ଅନ୍ତରରେ ଏବଂ ପରବର୍ତ୍ତୀ ସମୟ ସପ୍ତାହକୁ ଥରେ ମାତ୍ର ଜଳସେଚନ ବ୍ୟବସ୍ଥା ଏକାନ୍ତ ଆବଶ୍ୟକ  ।

ଫସଲର ଯତ୍ନ ଓ ରୋଗ ପୋକ ନିୟନ୍ତ୍ରଣ

ପାଞ୍ଚ ଅଙ୍ଗୁଳିଆ ଏକ ଲତା ହୋଇଥିବାରୁ ଏହାର ସଂପୂର୍ଣ୍ଣ ବୃଦ୍ଧି ନିମିତ୍ତ ଶୁଖିଲା କାଠରେ ରଞ୍ଜା ଦେବାର ବ୍ୟବସ୍ଥା କରାଯାଏ । ପ୍ରତ୍ୟେକ ଦୁଇଧାଡି ଗଛର ମଝିରେ ରଞ୍ଜା ଦେଲେ ଦୁଇଟା ଗଛକୁ ସେଥିରେ ଛଡାଇ ବଢାଯାଇପାରିବ । ଏହା ଛଡା ହାତରେ ଘାସ ବଛାବଛି ଓ ମଡାଇ କିମ୍ବା ବୁନ୍ଦା ଜଳସେଚନ କରାଯିବ ଆବଶ୍ୟକ । କିନ୍ତୁ ଫୁଲ ଆସିବା ସମୟରେ ଜଳସେଚନ ବନ୍ଦ କରିବା ଉଚିତ । ଏହାଛଡା ରୋଗପୋକ ନିୟନ୍ତ୍ରଣ ଦିଗରେ ଧ୍ୟାନ ଦେବା ଉଚିତ  ।

ମୁଖ୍ୟତଃ ସଁବାଳୁଆ ଭଳି ପୋକ ଦ୍ଵାରା ଏହି ଗଛର କ୍ଷତି ହୋଇଥାଏ ।  Green ଓ lily caterpillar ଦାଉରୁ ରକ୍ଷା ପାଇବା ପାଇଁ ୦.୨ ପ୍ରତିଶତ ସାନ୍ଧ୍ରତା ବିଶିଷ୍ଟ ମେଟାସିଡକୁ  ୧୫ ଦିନ ବ୍ୟବଧାନରେ ଗଛରେ ସିଞ୍ଚନ କରାଯାଏ  । ଏହାଛଡା କବକଜନିତ ରୋଗରୁ ରକ୍ଷା ପାଇଁ ୦.୩ ପ୍ରତିଶତ ସାନ୍ଧ୍ରତା ବିଶିଷ୍ଟ ଡାୟମଥେନ ଏମ- ୪୫ କୁ ସିଞ୍ଚନ କରିବା ଲାଭଦାୟକ ମୃଦାଜନିତ ରୋଗରୁ ରକ୍ଷା ପାଇବା ପାଇଁ ବୋକାହାର୍ଟ କମ୍ପାନୀର ଡିଫେନସ ଏସ- ଏଫ ଉପଯୋଗୀ ଅଟେ  । ଗଛର କନ୍ଦ ନରମ ହୋଇ ହଳଦିଆ ହୁଏ ଓ ସଢିଯାଏ । ଏଥିରୁ ରକ୍ଷା କରିବାକୁ ୦.୨  ସାନ୍ଧ୍ରତା ବିଶିଷ୍ଟ ବାଇଓଷ୍ଟିନ ଅଥବା କୁପ୍ରାସୋଲ ଦ୍ଵାରା ଭୂମିକୁ ସିଞ୍ଚନ କରାଯାଏ  ।

ଉତ୍ପାଦନ

ଗଛ ରୋପଣ କରିବାର ୨ ମାସ ମଧ୍ୟରେ ସୁନ୍ଦର ଫୁଲ ଫୁଟିବା ଆରମ୍ଭ ହୋଇଥାଏ ଓ ଫଳ ଧାରଣ କରେ । ଏହାର ଫଳ ଗୋଲାକାର ଓ ଲମ୍ବା ହୋଇଥାଏ । ଅଧିକ ଫଳ ସୃଷ୍ଟି କରିବା ନିମନ୍ତେ କୃତ୍ରିମ ପରାଗସଙ୍ଗମ କରାଯାଇଥାଏ । ଫଳଗୁଡିକ ପାକଳ ହୋଇ ହଳଦିଆ ରଙ୍ଗ ହୋଇଗଲେ ଏଗୁଡ଼ିକୁ ସଂଗ୍ରହ କରାଯାଏ । ଏହାପରେ ଫଳଗୁଡିକ ଶୁଖାଇ ସେଥିରୁ ମଞ୍ଜି ସଂଗ୍ରହ କରାଯାଏ । ମଞ୍ଜି ଏହି ଫସଲର ମୁଖ୍ୟ ଅମଳ ଅଟେ । ମଞ୍ଜିଗୁଡିକୁ ପୁଣିଥରେ ଶୁଖାଇ ବିକ୍ରିପାଇଁ ପ୍ରସ୍ତୁତ କରାଯାଏ । ଅକ୍ଟୋବର – ନଭେମ୍ବର ମାସରେ ଲତାଟି ସଂପୂର୍ଣ୍ଣ ଭାବରେ ଶୁଖାଯିବା । କିନ୍ତୁ ଏହାର କନ୍ଦ ପରବର୍ତ୍ତୀ ବର୍ଷାଋତୁ ପର୍ଯ୍ୟନ୍ତ ମାଟିରେ ସୁପ୍ତାବସ୍ତାରେ ଥାଏ । ଏହି ସମୟରେ ସେହି ଜମିରେ କଲରା ପରି ଅନ୍ୟ ଫସଲ ମଧ୍ୟ କରିହେବ । ଏହିପରି ୫ ବର୍ଷ ପର୍ଯ୍ୟନ୍ତ ପ୍ରତିବର୍ଷ କନ୍ଦରୁ ଲତା ହୋଇଥାଏ ଓ ମଞ୍ଜି ସଂଗ୍ରହ କରାଯାଏ  । ୫ ବର୍ଷ ପରେ କନ୍ଦ ଗୁଡିକ ମାଟିରୁ ସଂଗ୍ରହ କରାଯାଏ । କନ୍ଦ ଗୁଡିକ ଛୋଟ ଛୋଟ ଖଣ୍ଡ କରି ଖରାରେ ଶୁଖାଇ ବିକ୍ରି କରାଯାଇଥାଏ  ।

ଆର୍ଥିକ ଲାଭ

ପ୍ରଥମ ବର୍ଷର ଅମଳଠାରୁ ପରବର୍ଷ ଗୁଡିକରେ ମଞ୍ଜିର ଅମଳ ଭଲ ହୋଇଥାଏ  । ଛୋଟ କନ୍ଦଠାରୁ  କନ୍ଦ ଲଗାଇଲେ କନ୍ଦ ଓ ମଞ୍ଜି ସଂଗ୍ରହର ପରିମାଣ ବଢିଥାଏ । ଏକର ପ୍ରତି ୧୫୦ କିଗ୍ରା ଶୁଖିଲା ମଞ୍ଜି ଦକ୍ଷିଣ ଭାରତରେ ମିଳୁଥାଏ କିନ୍ତୁ ମଧ୍ୟ ଭାରତରେ ୬୦-୮୦ କିଗ୍ରା ମଞ୍ଜି ମିଳିଥାଏ । ଏହିପରି  ୫ ବର୍ଷରେ ପ୍ରାୟ ୧୦୦୦ କିଗ୍ରା ବା ୧୦ କ୍ଵିଣ୍ଟାଲ କନ୍ଦ ଏକର ପ୍ରତି ମିଳିଥାଏ , ଯାହାର ମୂଲ୍ୟ ୨,୫୦,୦୦୦ ଟଙ୍କା ହୋଇଥାଏ । ତେଣୁ ଚାଷୀ ପାଞ୍ଚ ବର୍ଷରେ ଏକର ପ୍ରତି ପ୍ରାୟ ୨,୦୦,୦୦୦ ଟଙ୍କା ଲାଭ କରିଥାନ୍ତି  ।

ବ୍ୟବସାୟିକ ସୂଚନା

ଏହାର ମଞ୍ଜି ୧୯୯୯-୨୦୦୦ ବର୍ଷରେ ଟୁଟିକୋରିନରେ କେଜି ପ୍ରତି ୭୫୦ରୁ ୮୦୦/- ଟଙ୍କା , ବାଙ୍ଗାଲୋରରେ ୨୪୦/-ଟଙ୍କାରୁ ୩୬୦/- ଟଙ୍କା , ହାଇଦ୍ରାବାଦରେ ୪୦/- ଟଙ୍କା, ଚେନ୍ନାଇରେ ୪୦୦/- ରୁ ୧୦୦୦/- ଟଙ୍କାର ମୂଲ୍ୟ , ଦିଲ୍ଲୀରେ ୫୦/- ଟଙ୍କା , କଲିକତାରେ ୩୫/- ଟଙ୍କାରୁ ୧୨୦/- ଟଙ୍କା ମୂଲ୍ୟରେ କାରବାର ହୋଇଥିଲା ।  ଏହି ପ୍ରଜାତିତି ରେଡିଲିଷ୍ଟ ପୁସ୍ତିକାରେ ବିପଦସଙ୍କୁଳ ଭାବେ କର୍ଣ୍ଣାଟକ ଓ କେରଳ ରାଜ୍ୟପାଇଁ ଚିହ୍ନଟ କରାଯାଇଛି । କିନ୍ତୁ ତାମିଲନାଡୁରେ ଏହା ବହୁଳ ଭାବରେ ଏବେ ଉପଲ୍ଲବ୍ଧ  ।

ଆଧାର : ଡାକ୍ତର ଦୀନବନ୍ଧୁ ମହାରଣା

3.11111111111
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top