ବୈଜ୍ଞାନିକ ନାମ : ଆରିସ୍ଟୋଲୋଚିଆ ଇଣ୍ଡିକା
ବଂଶ : ଆରିସ୍ଟୋଲୋକିଏସୀ
ଆଞ୍ଚଳିକ ଭାଷାଗତ ନାମ :
ଓଡିଆ – ପାନ ଅଇରୀ
ସଂସ୍କୃତ – ଈଶ୍ଵରମୂଳ , ନାକୁଳୀ
ତେଲୁଗୁ- ଈଶ୍ଵରବେର
ଗୁଜୁରାଟୀ – ନୋଲବେଲ
ହିନ୍ଦୀ- ଈଶ୍ଵରମୂଲ , ରୁଦ୍ରଜଟା
ବଙ୍ଗଳା- ଈଶ୍ଵରମୂଲ
ତାମିଲ- ଇଚରୁରାମୂଳି
ପାନ ଅଇରୀ ଏକ ଲଟା ଜାତୀୟ ଉଦ୍ଭିଦ । ଏହି ଭାରତର ସମସ୍ତ ଭାଗରେ ବିଶେଷତଃ ଦକ୍ଷିଣ କୋଙ୍କଣ ଅଞ୍ଚଳରେ ଅଧିକ ସଂଖ୍ୟା ଉତ୍ପନ୍ନ ହୋଇଥାଏ । ସାଧାରଣତଃ କଞ୍ଚା ବାଡମାନଙ୍କରେ ଏହା ଦେଖାଯାଏ । ବହୁ ପ୍ରାଚୀନ କାଳରୁ ଆୟୁର୍ବେଦୀୟ ଚିକିତ୍ସାରେ ଏହାକୁ ବ୍ୟବହାର କରାଯାଉଛି ।
ଏହା ଏକ ଚିରହରିତ ଲତା ଅଟେ । ଏହାର କାଣ୍ଡ ଲମ୍ବା ୨-୪ ଇଞ୍ଚ ମୋଟା , ଗୋଲ ଚିକ୍କଣ ତଥା ଲମ୍ବରେ ଧାରାଯୁକ୍ତ ଏବଂ ସେଥିରୁ କର୍ପୁରବତ ଗନ୍ଧ ଆସିଥାଏ । ପତ୍ର- ସବୁଜ ଅଗ୍ରଭାଗ ତୀକ୍ଷଣ ବିଭିନ୍ନ ଆକାରର ତଥା ପାଞ୍ଚ ଶିରା ବିଶିଷ୍ଟ । ଫୁଲ ସବୁଜିମା ଧଳା ବା ହାଲକା ବାଇଗଣୀ ରଙ୍ଗଯୁକ୍ତ ଓ କକ୍ଷୀୟ , ସସୀମ, ଗୁଚ୍ଛ ଗୁଚ୍ଛ ସ୍ତବକରେ ସଜ୍ଜିତ ହୋଇଥାଏ । ଫୁଲର ମୂଳଭାଗ ସ୍ପୀତ, କିନ୍ତୁ ମଧ୍ୟ ଭାଗରୁ କାହାଳୀ ସଦୃଶ୍ୟ ବା ବତକ ଭଳି ଦେଖାଯାଏ । ଫଳ ଆୟତାକାର , ଷଟକୋଣୀ ଓ ଛଅଟି କପାଟଯୁକ୍ତ । ଏହା ମୂଳରୁ ଉପରକୁ ଖୋଲିଥାଏ । ମଞ୍ଜି ଚେପଟା ବା ଅଣ୍ଡାକାର ଓ ପକ୍ଷଯୁକ୍ତ ଅଟେ । ମୂଳ ଗଣ୍ଠିପୂର୍ଣ୍ଣ, ଶାଖାଯୁକ୍ତ , ମୋଟାଭାଗ, ୪-୬ ଇଞ୍ଚ ହାଲକା ବାଦାମି ରଙ୍ଗଯୁକ୍ତ ତଥା ମୂଳତ୍ଵକ ମୋଟା । ଏହି ମୂଳ ମାଟିର ବେଶ ଭିତରକୁ ଯାଇଥାନ୍ତି । ମୂଳର ସ୍ଵାଦ ତିକ୍ତ ଓ କଟୁ ଅଟେ ।
ଏହାର ପଞ୍ଚାଙ୍ଗ ବ୍ୟବହୃତ ହୁଏ ।
ଏଥିରେ ଆରିସ୍ଟୋଲୋଚୀନ ନାମକ ତିନୋଟି ବିଭିନ୍ନ କ୍ଷାର ରହିଥାଏ । ଆରିସ୍ଟୋଲୋଚୀନର କ୍ରିୟା ଆଲୋଇନ ସଦୃଶ ହୋଇଥାଏ । କିନ୍ତୁ ଏହା ଅପେକ୍ଷାକୃତ ଅଧିକ ବିଷତତ୍ତ୍ଵ ଯୁକ୍ତ ଅଟେ । ଏହା ଛଡା ଏଥିରେ ୩ ପ୍ରକାର ଅମ୍ଳତତ୍ତ୍ଵ ନାଇଟ୍ରୋଜେନସ ଏସିଡ ରହିଥାଏ । ଯଥା ଅରିସ୍ମିନିକ, ଅରିସ୍ମିଡ଼ିନିକ, ଆରିସ୍ଟୋଲିକ ଅମ୍ଳ ମଧ୍ୟ ରହିଥାଏ । ଆହୁରି ମଧ୍ୟ ଏଥିରେ ଏକ ଉଡଣଶୀଳ ତୈଳ , ରାଳ, ଟାନିନ ଏବଂ ଷ୍ଟାର୍ଚ୍ଚ ଆଦି ମିଳିଥାଏ ।
ଏହା ବଳକାରକ, ଉତ୍ତେଜକ , ଗର୍ଭାଶୟ ସଙ୍କୋଚନ ,ଜ୍ଵରହର , ଶୂଳହର ତଥା ବିଷହର ଅଟେ । ଅଳ୍ପ ମାତ୍ରାରେ ଏହା ଆମାଶୟ (ପାକସ୍ଥଳୀ) ପାଇଁ ଉତ୍ତେଜକ ଅଟେ,କିନ୍ତୁ ଅଧିକ ମାତ୍ରାରେ ଏହା ସ୍ଥାନିକ ପ୍ରକ୍ଷୋଭ ଉତ୍ପନ୍ନ କରି ହୁଲ୍ଲାସ, ପେଟ ମୋଦୀ ହେବା , ଶୂଳ ଯନ୍ତ୍ରଣା ଓ ବେଳେ ବେଳେ ବାନ୍ତି ହେବା ଲକ୍ଷଣ ଉତ୍ପନ୍ନ କରିଥାଏ । ସୁତରାଂ ଏଥିରେ ବିଷପ୍ରଭାବ ରହିଥିବାରୁ ଆୟୁର୍ବେଦ ଔଷଧ ବିଶେଷଜ୍ଞଙ୍କ ତତ୍ତ୍ଵାବଧାନରେ ଚିକିତ୍ସାରେ ପ୍ରୟୋଗ କରାଯାଇଥାଏ । ଏହାର ଚୂର୍ଣ୍ଣ ଜ୍ଵର, ଆମବାତ, ସନ୍ଧିସୋଥ ଏବଂ ଜଳୋଦରି ପ୍ରଭୃତି ରୋଗରେ ଲାଭଦାୟକ ଅଟେ । କେତେକ ସ୍ତ୍ରୀରୋଗ ଯଥା ଋତୁସ୍ରାବ ନହେବା , ଏବଂ ପ୍ରସବ ପରେ ମଧ୍ୟ ଏହାର ଉପଯୋଗଲ କରାଯାଏ । ଗର୍ଭପାତ କରିବା ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଏ । ଗୋଲମରୀଚ ସହ ଏହାକୁ ସେବନ କଲେ କୁପଚନ , ଅତିସାର ଓ ଶୂଳ ଆଦିରେ ବିଶେଷ ଲାଭ ମିଳିଥାଏ ।ସର୍ପ ବିଷ ତଥା ଅନ୍ୟ ବିଷ ପ୍ରଭାବକୁ ପ୍ରତିହତ କରିବା ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଇଥାଏ ।
ସର୍ପ ବିଷରେ ଏହାର ପତ୍ରର ରସ କିମ୍ବା ଚୂର୍ଣ୍ଣକୁ ଗୋଲମରିଚ ସହିତ ଖାଇବାକୁ ଦିଅନ୍ତି ତଥା ବାହ୍ୟ ଲେପ ମଧ୍ୟ କରିଥାନ୍ତି । ଶ୍ଵେତକୁଷ୍ଠଳ ବା ଲ୍ୟୁକୋଡର୍ମା ରୋଗରେ ମହୁ ସହ ଏହାର ପତ୍ରର ରସ ମିଶାଇ ମାଲିସ କରନ୍ତି । ଏହାଛଡା, ଆୟୁର୍ବେଦର ଅନେକ ଶାସ୍ତ୍ରୀୟ ଔଷଧ ପ୍ରସ୍ତୁତିରେ ଏହାକୁ ଏକ ସହାୟକ ବନୌଷଧି ରୂପେ ବ୍ୟବହାର କରାଯାଇଥାଏ ।
ଈଶ୍ଵରମୂଳ (ପାନ ଅଇରୀ) ର ପଞ୍ଚାଙ୍ଗ ଚୂର୍ଣ୍ଣ ୫ରୁ ୨୫ ରତି ଏବଂ ଅର୍କ ୧/୪/-୧/୨ ତୋଳାରୁ ଅଧିକ ମାତ୍ରାରେ ସେବନ କରିବା ଅନୁଚିତ ।
ଆଧୁନିକ ଆୟୁର୍ବେଦ ଚିକିତ୍ସାରେ ଅନେକ ଆୟୁର୍ବେଦ ଔଷଧ ନିର୍ମାଣକାରୀ ସଂସ୍ଥାମାନେ ଔଷଧ ନିର୍ମାଣ ପାଇଁ ପାନ ଅଇରୀକୁ କଞ୍ଚାମାଲ ରୂପେ ଆବଶ୍ୟକ କରିଥାନ୍ତି । ଏହାଛଡା ପାରମ୍ପରିକ କବିରାଜ ଓ ବୈଦ୍ୟମାନେ ଘରୋଇ ଭାବେ ଔଷଧ ପ୍ରସ୍ତୁତି ପାଇଁ ଏହାକୁ ଦରକାର କରିଥାନ୍ତି । ତେବେ ପୂର୍ବରୁ ଏହା ପ୍ରାକୃତିକ ଭାବରେ ଯଥେଷ୍ଟ ମାତ୍ରାରେ ଉପଲ୍ଲବ୍ଧ ହେଉଥିବାବେଳେ ସମ୍ପ୍ରତି ଏ ଜାତୀୟ ଉଦ୍ଭିଦ ଲୋପ ପାଇବାକୁ ବସିଲାଣି । ଏହି ଚାହିଦାକୁ ପୂରଣ କରିବା ପାଇଁ ଏହାକୁ କୃଷିକାର୍ଯ୍ୟ ଦ୍ଵାରା ଉତ୍ପାଦନ କରାଯାଉଛି ।
ଫଳ ଫାଟି ମଞ୍ଜି ବାହାରିବା ପୂର୍ବରୁ ପରିପକ୍ଵ ଫଳଗୁଡିକ ସଂଗ୍ରହ କରାଯାଇ ଖରାରେ ସୁଖାଯାଏ , ଜୈବଖତ ଓ ବାଲି ମିଶାଇ ପଟାଳି ପ୍ରସ୍ତୁତ ହୋଇଯାଏ (ଉଭୟ ମଞ୍ଜି ଓ ଛେଦ ) ଚାରାଗୁଡିକ ୩୦ ଘନ ସେମି ଗର୍ଭରେ ୧ ମି ବ୍ୟବଧାନରେ ଲଗାଯାଏ । ବଡ ଗଛ ବା ବୁଦା ନିକଟରେ ଗାତ ଖୋଳି ଲଗାଇଲେ , ଲଟତି ସେଥିରେ ଗୁଡାଇ ହୋଇ ମାଡିଥାଏ । ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟେକ ଦୁଇଦିନରେ ପାଣି ଦିଆଯିବା ଅବଶ୍ୟକ ।
୧୯୯୯-୨୦୦୦ ମସିହାରେ କୋଲକାତାରେ କିଗ୍ରା ପ୍ରତି ୧୦ ଟଙ୍କା , ନୂଆଦିଲ୍ଲୀରେ ୧୨ ଟଙ୍କା, ମୁମ୍ବାଇରେ ୨୦ ଟଙ୍କାରୁ ୩୫ ଟଙ୍କା , ବାଙ୍ଗାଲୋରରେ ୨୦ ଟଙ୍କା ଥିଲା ଏବଂ ଫୁଲ ନୂଆଦିଲ୍ଲୀରେ ୨୦ ଟଙ୍କାରୁ ୨୨ ଟଙ୍କା ଏବଂ ଚେନ୍ନାଇରେ ୪୦ ଟଙ୍କା ଥିଲା ।
ଆଧାର : ଡାକ୍ତର ଦୀନବନ୍ଧୁ ମହାରଣା
Last Modified : 1/26/2020