অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପାଷାଣଭେଦୀ

ବୈଜ୍ଞାନିକ ନାମ : କୋଲିଅସ ଫର୍ସଖୋଲି

ବଂଶ : ଲାମିଏସି

ଆଞ୍ଚଳିକ ଭାଷାଗତ ନାମ :

ଓଡିଆ – ପାଷାଣଭେଦୀ :

ସଂସ୍କୃତ – ପାଷାଣଭେଦ , ବଟପତ୍ରୀଭେଦ

ହିନ୍ଦୀ- ପାଷାଣଭେଦ , ପଥର ଚୂର

ମରାଠୀ – ପାଷାଣଭେଦ

ପାଷାଣ ଭେଦୀ ଭାରତୀୟ ବନୌଷଧିମାନଙ୍କ ମଧ୍ୟରେ ଏକ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି  । ଏହା ଏକ ଚିରହରିତ କ୍ଷୁପଜାତୀୟ ବନସ୍ପତି ଯାହାକି ମୁଖ୍ୟତଃ କାଶ୍ମୀର, ନେପାଳ ତଥା ହିମାଳୟ ମଧ୍ୟଭାଗରେ ପ୍ରାୟ 5000 ଫୁଟ ଉଚ୍ଚତା ବିଶିଷ୍ଟ ସ୍ଥାନମାନଙ୍କରେ ଏବଂ ପଥର ଫାଟ ଥିବା ସ୍ଥାନଗୁଡିକରେ ଅଧିକ ହୋଇଥିବାର ଦେଖାଯାଏ  ।ଏହି ଉଦ୍ଭିଦଟି ଯାହାର ଚେର ପାଇଁ ପ୍ରସିଦ୍ଧ ଅଟେ  ।ଏହାର ଚେରକୁ ମୁଖ୍ୟତଃ ମୁତ୍ର ସଂସ୍ଥାନଗତ ରୋଗ ବିଶେଷ କରି ମୂତ୍ରାଶୟ ପଥୁରୀ ପିତ୍ତଶୟ ପଥୁରୀ ଓ ମୁତ୍ରନଳୀରେ ପଥୁରୀ ବା ଷ୍ଟୋନ ରୋଗରେ ଚିକିତ୍ସାରେ ପ୍ରୟୋଗ କରାଯାଉଥିବାରୁ ଏହାର ଆଦର ବେଶୀ । ପ୍ରାକୃତିକ ଭାବରେ ଏହା ଅବଶ୍ୟକତା ଅନୁସାରେ ଉପଲ୍ଲବ୍ଧ ହେଉନଥିବାରୁ ଏବେ ଏହାର କୃଷିକରଣ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି  । ଆର୍ଥିକ ଲାଭ ଓ ବଜାର ଚାହିଦାକୁ ବିଚାରକୁ ନେଲେ ଏହାର କୃଷିକରଣ ଏକ ସ୍ଵାଗତଯୋଗ୍ୟ  ପଦକ୍ଷେପ ଅଟେ  ।

ଉଦ୍ଭିଦ ପରିଚୟ

ଏହି ୨ଫୁଟ ଉଚ୍ଚତା ବିଶିଷ୍ଟ କ୍ଷୁପଜାତୀୟ ବନସ୍ପତିଟି ବର୍ଷସାରା ସବୁଜ ରହେ  । ଏହାର ମୂଳସ୍ତମ୍ଭ ରକ୍ତାଭ ଏବଂ ଭିତର ପାର୍ଶ୍ଵ ଶ୍ଵେତାଭ ଏବଂ ପ୍ରାୟ ୧ ଇଞ୍ଚ ମୋଟା ହୋଇଥାଏ । ଏହାର ମାଂସାଳ , ଚିକ୍କଣ, ଅଣ୍ଡାକାର ଏବଂ ୩-୫ ଇଞ୍ଚ ବ୍ୟାସ ବିଶିଷ୍ଟ ଅଟେ  । ଏହାର ପତ୍ରଧାର ଦନ୍ତୁର ଏବଂ ପତ୍ରର ନିମ୍ନ ପୃଷ୍ଠଭାଗ ପ୍ରାୟ ଗୋଲାପୀ ରଙ୍ଗଯୁକ୍ତ ହୋଇଥାଏ  । ଗୋଟିଏ ସ୍ଥାନରେ ୩ କିମ୍ବା ୪ ରୁ ଅଧିକ ପତ୍ର ବାହାରିନଥାଏ । ଏହାର ପତ୍ର କିମ୍ବା ଚେରରୁ ଭିନ୍ନ ଭିନ୍ନ ସ୍ଵାଦଗନ୍ଧ ବାରିହୁଏ । ଏହାର କାଣ୍ଡ ଗୋଲାକାର ଓ ଚିକ୍କଣ ହୋଇଥାଏ । ଫୁଲ ଗୁଡିକ ଛୋଟ ଧଳା ଗୋଲାପୀ କିମ୍ବା ଜାମୁକୋଳି ରଙ୍ଗଯୁକ୍ତ ହୋଇଥାଏ । ଏହାର ଚେର ଛୋଟ ଛୋଟ ଗାଜର କିମ୍ବା ଜାମୁକୋଳି ରଙ୍ଗଯୁକ୍ତ ହୋଇଥାଏ । ଏହାର ଚେର ଛୋଟ ଛୋଟ ଗାଜର ପରି ହୋଇଥାଏ ଓ ଅଦାପରି ବାସ୍ନା ହୁଏ  ।

ପ୍ରୟୋଗନୀୟ ଅଂଶ

ଚେର

ରସାୟନିକ ସଂଗଠନ

ଏହି ଗଛରୁ ମୁଖ୍ୟତଃ ବାବୁଟୁସିନ,ପ୍ଲୋକଟନାନ-ଏ , କୋଲିୟୋଲ , ଏସିଟୋଜାଇ କୋଲିସୋଲ, କୋଲିୟୋନୋନ , କ୍ରୋସିଟିନ , ନେପଥୋପାଇରେନସ ତଥା ଫର୍ସକୋଲୀନ ନାମକ ତତ୍ତ୍ଵ ମିଳିଥାଏ  ।

ଔଷଧୀୟ ଗୁଣ ଓ ପ୍ରୟୋଗ

ଏହାର ଚେର ଔଷଧୀୟ ଉପଯୋଗୀ ଏବଂ ଫୋର୍ସକୋଲିନ ଏହାର ତତ୍ତ୍ଵ । ଗୁଣ ଧର୍ମ ଦୃଷ୍ଟିରୁ ଏହା ମୂତ୍ରଜନନ, ଅଶ୍ମିରୀଭେଦନ , କୃମିଘ୍ନ ଏବଂ ବେଦନାହର ଅଟେ  । ତେବେ ମୁଖ୍ୟତଃ ମୁତ୍ର ସଂସ୍ଥାନଗତ ରୋଗ ଓ ମୁତ୍ର ପଥୁରୀ ରୋଗର ଚିକିତ୍ସାରେ ଏହାକୁ ବହୁଳଭାବେ ପ୍ରୟୋଗ କରାଯାଏ  ।  ହୃତପିଣ୍ଡ ସମ୍ବନ୍ଧୀୟ ରୋଗ , ଉଚ୍ଚ ରକ୍ତଚାପ ଓ ପ୍ଲେଟଲେଟ ଆକ୍ଟିଭେସନ କ୍ଷେତ୍ରରେ ମଧ୍ୟ ଏହାକୁ ପ୍ରୟୋଗ କରାଯାଏ  ।

ପ୍ରମୁଖ ପ୍ରଜାତି

ପାଷାଣଭେଦୀ ଗଛର ଅନେକ ପ୍ରକାର ପ୍ରଜାତି ଦେଖିବାକୁ ମିଳେ । କିନ୍ତୁ coleus forskholi ଔଷଧୀୟ ଗୁଣଯୁକ୍ତ ହୋଇଥିବାରୁ ଏହାକୁ ବ୍ୟବସାୟିକ ଭିତ୍ତିରେ ଚାଷ କରାଯାଉଛି । ନିମ୍ନରେ ପାଷାଣଭେଦୀ ଗଛର କେତେକ ପ୍ରମୁଖ ପ୍ରଜାତି ବିଷୟରେ ବର୍ଣ୍ଣନା କରାଗଲା । ପ୍ରୟୋଗ ଅଂଶ ରାସାୟନିକ ତତ୍ତ୍ଵ ଔଷଧୀୟ ଉପଯୋଗ

ପାଷାଣଭେଦୀ ବା ପଥରଚୂର ନାମର ଯଥାର୍ଥତା

ଔଷଧ ଜଗତର ଏହି ଗଛକୁ ପାଷାଣଭେଦୀ , ପଥରଚୂର କୁହାଯାଏ ଯାହା ଶରୀରର ବିଭିନ୍ନ ଅଙ୍ଗ ଯଥା କିଡନୀ , ବ୍ଲାଡର ଆଦି ଅଙ୍ଗରେ ତିଆରି ହୋଇଥିବା  ପଥରକୁ ମିଳାଇବାରେ ସାହାଯ୍ୟ କରେ  । ଆଶ୍ଚର୍ଯ୍ୟଜନକଭାବେ ଆମ ଦେଶରେ ୮-୧୦ ପ୍ରକାର ଗଛ ଏହିପରି ରୋଗର ଉପଚାର ପାଇଁ ବ୍ୟବହାର କରାଯାଏ ଓ ଏଗୁଡିକ “ ପଥରଚୂର “ବୋଲି କୁହାଯାଏ । ଏହି ଗଛଗୁଡିକ କିନ୍ତୁ ମୂଳଗୁଣରେ ପରସ୍ପରଠାରୁ ଭିନ୍ନ ଅଟେ  ।

ଚାଷ ପ୍ରଣାଳୀ

ପାଷାଣ ଭେଦୀ ଗଛ ଚାଷର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏହାର ଚେର ଅମଳ କରିବା । ଏହା ଏକ ୬ ମାସର ଫସଲ ଅଟେ କାରଣ ୬ ମାସରେ ଏହାର ଚେରରେ ଔଷଧୀୟ ତତ୍ତ୍ଵ ବିକଶିତ ହୋଇଥାଏ  ।

ଜଳବାୟୁ ଓ ମୃତ୍ତିକା

ସାଧାରଣତଃ ଉଷ୍ଣ ଓ ଆଦ୍ର ଜଳବାୟୁରେ ଏହା ଚାଷ କରାଯାଇଥାଏ  । ଜଳସେଚନର ସୁବିଧା ଥିବା ଜମିରେ ଚାଷ କଲେ ଭଲ ହେବ  । କିନ୍ତୁ ପ୍ରାକୃତିକ ଭାବେ ୧୦୦ରୁ ୧୬୦ ସେମି ପର୍ଯ୍ୟନ୍ତ ବର୍ଷା ହେଉଥିବା ଜମିରେ ମଧ୍ୟ ଏହି ଫସଲ ଚାଷ କରାଯାଇପାରିବ । ନରମ ତଥା ହଳଦିଆ ମାଟି ୫.୫ ରୁ ୭ ପି.ଏଚ.ନିଗିଡା , ବାଲିଆ ନିଗିଡା ମାଟି , ହାଲକା କର୍ପାସ ମାଟି ଏହାର ଚାଷ ପାଇଁ ଉପଯୁକ୍ତ  ।

ଜମିପ୍ରସ୍ତୁତ ଓ ରୋପଣ

ପ୍ରଥମେ ମେ” ମାସରେ ଜମିକୁ ଗଭୀର ଚାଷ କରାଯିବା ଉଚିତ  । ଏକର ପ୍ରତି ୫ ଟନ ଶୁଖିଲା ଗୋବର ଖତ ଜମିରେ ମିଶାଇଲେ ଭଲ ଉତ୍ପାଦନ ହୋଇଥାଏ  ।

ବର୍ଷାଋତୁର ପ୍ରାରମ୍ଭରେ ଚାରାଗୁଡିକ ସଂଗ୍ରହ କରି ପୂର୍ବପ୍ରସ୍ତୁତ ଜମିରେ ଧାଡି ଧାଡି କରି ଲଗାଯାଏ । ଧାଡିରୁ ଧାଡି ୬୦ ସେମି ବ୍ୟବଧାନ ଓ ପ୍ରତ୍ୟେକ ଗଛରୁ ଗଛ ୨୦ ସେମି ବ୍ୟବଧାନରେ ଲଗାଯିବା ଦରକାର । ଏକର ପ୍ରତି ୩ରୁ ୪୦୦୦ ଚାରା ରୋପଣ କରାଯାଇପାରିବ  ।

ଫସଲର ଯତ୍ନ ଓ ସାର ପ୍ରୟୋଗ

ନିୟମିତ ଘାସ ବଛାବଛି କରିବା ଏହି ଫସଲ ପାଇଁ ନିହାତି ଅବଶ୍ୟକ । ଜମି ପ୍ରସ୍ତୁତି ସମୟରେ ଗୋବର ଖତ ପ୍ରୟୋଗ ସମ୍ଭବ ନ ହେଲେ ଗଛ ରୋପଣ ସମୟରେ ଏକର ପ୍ରତି ୧୬ କିଗ୍ରା ନାଇଟ୍ରୋଜେନ , ୨୦ କିଗ୍ରା, ପଟାସ ୨୪ କିଗ୍ରା ସୁପର ପ୍ରୟୋଗ କରାଯାଏ  । ନିୟମିତ ବର୍ଷା ହେଲେ ଏହି ଫସଲରେ ଜଳସେଚନର ବ୍ୟବସ୍ଥା କରିବାର ଆବଶ୍ୟକତା ପଡେନାହିଁ  ।

ରୋଗ ଓ ପୋକ ନିୟନ୍ତ୍ରଣ

କ୍ୟାଟରପିଲର୍ସ , ନିଶୋଟାଇଡସ ଏହି ଫସଲକୁ କ୍ଷତି ପହଞ୍ଚାଇଥାନ୍ତି । ଏହାର ନିରାକରଣ ପାଇଁ ମିଥାଇଲ ପୈରାଥିୟାନ ୦.୧ ପ୍ରତିଶତର ଘୋଳ ତିଆରି କରି ସିଞ୍ଚନ କରାଯାଏ । ବ୍ୟାକ୍ଟେରିଆଲ ରୋଗରୁ ମୁକ୍ତ କରିବା ପାଇଁ ଓଳଷ୍ଟାନ ଔଷଧ ୦.୨ ପ୍ରତିଶତ ଘୋଳ କରି ଥରେ ବା ଦୁଇଥର ସିଞ୍ଚନ କରାଯାଏ  ।

ଗଛଲଗାଇବାର ଦୁଇମାସ ପରେ ପାଷାଣଭେଦୀ ଗଛରେ ହାଲକା ନୀଳରଙ୍ଗର ଫୁଲ ଧରିଥାଏ । ଏହି ଫୁଲକୁ ନଖରେ ଛିଣ୍ଡାଇ ଦେବା ଉଚିତ କାରଣ ଏହା ଚେରର ବୃଦ୍ଧିରେ ବାଧା ସୃଷ୍ଟି କରେ  ।

ଉତ୍ପାଦନ

ଗଛ ଲଗାଇବାର ୪-୫ ମାସ ମଧ୍ୟରେ ପାଷାଣଭେଦୀ ଫସଲକୁ ଉପାଡି ଦିଆଯାଏ । ଚେରର ବିକାଶ ବୃଦ୍ଧି ଉପରେ ଏହି ଫସଲର ଅମଳ ନିର୍ଭର କରିଥାଏ  । ଗଛ ଉପାଡିବା ପୂର୍ବରୁ ଜମିରେ ହାଲକା ଜଳ ସିଞ୍ଚନ କରାଯିବା ଉଚିତ । ଏହା ଚେରଗୁଡିକ ଅକ୍ଷତ ଅବସ୍ଥାରେ ଉପାଡିବା ପାଇଁ ସହାୟକ ହୋଇଥାଏ । ଗଛ ଉପଡିବା ପରେ ଏହାର ଚେରକୁ କାଟି ମାଟି , ବାଲି ଆଦି ସଫାକରି ଖରାରେ ସୁଖାଯାଏ ଏବଂ ଏହାକୁ ଛୋଟ ଛୋଟ ଖଣ୍ଡକରି ବିକ୍ରି ପାଇଁ ପ୍ରସ୍ତୁତ କରି ରଖାଯାଏ  ।

ଆର୍ଥିକ ଲାଭ

ଏକର ପ୍ରତି ୮ କ୍ଵିଣ୍ଟାଲ ଶୁଖିଲା ଚେର ମିଳିଥାଏ ଜାର ମୂଲ୍ୟ ୩୦୦୦ ଟଙ୍କା ହିସାବରେ ୨୪୦୦୦ ଟଙ୍କା ହୋଇଥାଏ । ଏହା ବ୍ୟତୀତ , ଡାଳଖଣ୍ଡ ବିକ୍ରିକରି ୬୦୦୦ ଟଙ୍କା ମିଳିପାରିବ । କୃଷି କାର୍ଯ୍ୟରେ ପ୍ରାୟ ଏକର ପ୍ରତି ୧୩,୫୦୦ ଟଙ୍କା ଖର୍ଚ୍ଚ ହୋଇଥାଏ  । ତେଣୁ ଏକର ପ୍ରତି ୫ ମାସରେ ୨୧,୬୦୦ ଟଙ୍କା ଲାଭ ମିଳିଥାଏ ।

ପାଷାଣ ଭେଦୀ ଚାଷ ପାଇଁ ଏକର ପ୍ରତି ଆୟ ବ୍ୟୟ ବିବରଣୀ

(୫ରୁ ୬ ମାସର ଫସଲ )

ବ୍ୟୟ

  1. ଚାରା ରୋପଣ                 ୭,୫୦୦/-
  2. ଜମି ପ୍ରସ୍ତୁତି                      ୧,୦୦୦/-
  3. ସାରା ପ୍ରୟୋଗ                  ୬୦୦/-
  4. କୀଟନାଶକ ଇତ୍ୟାଦି           ୨୦୦/-
  5. ଘାସ ବଛାବଛି                  ୧,୦୦୦/-
  6. ଜଳସେଚନ                      ୫୦୦/-
  7. ଫସଲ ଅମଳ                   ୧,୦୦୦/-
  8. ଫସଲ ସୁଖାଇବା ଇତ୍ୟାଦି    ୫୦୦/-
  9. ପ୍ୟାକିଂ ଓ ପରିବହନ           ୮୦୦

ଆୟ

ଟ୍ୟୁବର୍ସ ବିକ୍ରିକରି ଆୟ : ୨୪,୦୦୦/-

ମଞ୍ଜି ବିକ୍ରି କରି ଆୟ  : ୬,୦୦୦/-

ଆଧାର : ଡାକ୍ତର ଦୀନବନ୍ଧୁ ମହାରଣା

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate