ସେଆର କରନ୍ତୁ

ଗୁଗୁଳ

ଗୁଗୁଳ ଭାରତୀୟ ବନୌଷଧିମାନଙ୍କ ମଧ୍ୟରେ ଏକ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି

ଉପକ୍ରମ

ବୈଜ୍ଞାନିକ ନାମ

:

କମିଫୋର ଉଇଟି

ବଂଶ

:

ବର୍ଷେରାସୀ

ଆଞ୍ଚଳିକ ଭାଷାଗତ ନାମ :

ଓଡିଆ

:

ଗୁଗୁଳ

ସଂସ୍କୃତ

:

ଗୁଗୁଳ , ଦେବଧୁମ ,ପୁର

ହିନ୍ଦୀ

:

ଗୁଗୁଳ

ବଙ୍ଗଳା

:

ଗୁଗୁଲ

ଗୁଗୁଳ ବୃକ୍ଷର କାଣ୍ଡ ନିର୍ଯ୍ୟାସ ବା ଅଠା ମୁଖ୍ୟତଃ ଗୁଗୁଳ ରୂପେ ବ୍ୟବହୃତ ହୋଇଥାଏ । ଆୟୁର୍ବେଦୀୟ ଚିକିତ୍ସାରେ ମୁଖ୍ୟତଃ ବାଟପ୍ରଧାନ ରୋଗର ଉପଚାର କ୍ଷେତ୍ରରେ ଶୋଧିତ ଗୁଗୁଳ ଉପଯୁକ୍ତ ବିଧିରେ ସେବନ କରିବା ପାଇଁ ପରାମର୍ଶ ଦିଆଯାଇଥାଏ । ଏହା ବେଦନାହାର ପ୍ରଭାବ ଯୁକ୍ତ । ସାମ୍ପ୍ରତିକ ପରିସ୍ଥିତିରେ ଆଧୁନିକ ଚିକିତ୍ସାରେ ମଧ୍ୟ ଗୁଗୁଳର ବ୍ୟବହାର ଆଦୃତ ହେଉଥିବାରୁ ଏହାର କୃଷିକରଣ ଉପରେଗୁରୁତ୍ଵ ଦିଆଯାଉଛି । ଏହା ଭାରତର ୨୦ ଟି ମୁଖ୍ୟ ଔଷଧୀୟ ବୃକ୍ଷ ମଧ୍ୟରେ ସ୍ଥାନ ପାଇଛି ।

ଉଦ୍ଭିଦ ପରିଚୟ

ଗୁଗୁଳ ଏକ ବହୁ ବର୍ଷୀୟ କଣ୍ଟାଯୁକ୍ତ ସ୍ୱଳ୍ପ ଉଚ୍ଚତା ବିଶିଷ୍ଟ ବୃକ୍ଷ । ପତ୍ର ଯୌଗିକ, ୧-୩ଟି ଉପପତ୍ର ବିଶିଷ୍ଟ । ଏହାର କାଣ୍ଡରେ କ୍ଷତ ହେଲେ ସୁଗନ୍ଧ ଅଠାରସ ନିର୍ଗତ ହୁଏ ଯାହାକି ଗୁଗୁଳ ରୂପେ ବ୍ୟବହୃତ ହୋଇଥାଏ । ଏହି ବୃକ୍ଷର ବଳକଳ ସବୁଜ- ହଳଦିଆ । ପ୍ରତ୍ୟେକ ଶାଖା କଣ୍ଟାଗ୍ରରେ ଶେଷ ହୁଏ । ପୁଷ୍ପ ବାଲି ରଙ୍ଗର , ଫଳ ମାଂସାଳ ଲମ୍ବାଗୋଲ , ପାଚିଲେ ନାଲି ରଙ୍ଗର ହୋଇଥାଏ । ଗୁଗୁଳର ପ୍ରାୟ ୧୬୫ ପ୍ରଜାତିର ବୃକ୍ଷ ଦେଖାଯାଏ । ଭାରତରେ ଦେଖାଯାଉଥିବା ବିଭିନ୍ନ ପ୍ରଜାତିର ଗୁଗୁଳ ମଧ୍ୟରେ କମିଫୋରା ଉଇଟି ଔଷଧ ଉପଯୋଗୀ ଅଟେ । ଏଥରେ ନିର୍ଗତ ଅଠା ସର୍ବୋତ୍ତମ ଅଟେ । ଭାରତବର୍ଷରେ ଏହି ପ୍ରଜାତିର ଗୁଗୁଳ ମୁଖ୍ୟତଃ ରାଜସ୍ଥାନ, ଆସାମ, ତାମିଲନାଡୁ, ମଧ୍ୟପ୍ରଦେଶ , ମହାରାଷ୍ଟ୍ର ତଥା କର୍ଣ୍ଣାଟକ ରେ ପ୍ରାକୃତିକ ରୂପରେ ଦେଖାଯାଏ ।

ଔଷଧୀୟ ଗୁଣ ଓ ପ୍ରୟୋଗ

ଗୁଗୁଳ ମୁଖ୍ୟ ପ୍ରଭାବ ଏହାର ବ୍ୟଥା ନିବାରଣ ଗୁଣ ହେତୁ ଅଟେ । ଆୟୁର୍ବେଦୀୟ ଚିକିତ୍ସାରେ ମୁଖ୍ୟତଃ ବାତପ୍ରଧାନ ରୋଗ ଯଥା ଆମବାତ, ସନ୍ଧିବାତ, କଟିଶୂଳବାତ ପ୍ରଭୃତି ରୋଗର ଚିକିତ୍ସା ପାଇଁ ଗୁଗୁଳଘଟିତ ଔଷଧ ପ୍ରୟୋଗ କରାଯାଇଥାଏ । ଏହାଛଡା ଏହା ଶ୍ଵାସକଷ୍ଟ ନିବାରକ,ଯକ୍ଷ୍ମା ନିବାରକ ଓ ଥାଇରୟେଦ ଗ୍ରନ୍ଥି ଉତ୍ତେଜକ ଅଟେ । ଏହା ରକ୍ତରୁ କୋଲେଷ୍ଟରଲ କମ କରିଥାଏ । ହୃଦଘାତ ଓ ହୃଦରୋଗ ପାଇଁ ମଧ୍ୟ ଏହା ବିଶେଷ ହିତକର । ଆୟୁର୍ବେଦର ଅନେକ ଶାସ୍ତ୍ରୀୟ ଔଷଧ ଯଥା – ବୃହତ ଯୋଗରାଜ ଗୁଗୁଳ, ସିଂହନାଦ ଗୁଗୁଳ, କୋଗୋର ଗୁଗୁଳ ପ୍ରଭୁତି ଔଷଧ ଗୁଗୁଳରୁ ପ୍ରସ୍ତୁତ ହୋଇଥାଏ । ସେହିପରି ଅନେକ ପ୍ୟାଟେଣ୍ଟ ଔଷଧରେ ମଧ୍ୟ ଗୁଗୁଳକୁ ବ୍ୟବହାର କରାଯାଇଥାଏ । ଆହୁରି ମଧ୍ୟ ହୃଦଧମନୀ ରୋଗର ନିରାକରଣ ପାଇଁ ଏହା ଅତ୍ୟନ୍ତ ଉପଯୋଗୀ । ତେଣୁ ଏହାର ଚାହିଦା ଯଥେଷ୍ଟ ବେଶୀ ଥିବାରୁ ଏହାକୁ ବ୍ୟବସାୟିକ ଭିତ୍ତିରେ ଚାଷ କରିବା ଉଚିତ ।

ଚାଷ ପ୍ରଣାଳୀ

ଗୁଗୁଳ ଚାଷ ଅତ୍ୟଧିକ ବ୍ୟୟସାପେକ୍ଷ ହୋଇଥିବାରୁ ଏପର୍ଯ୍ୟନ୍ତ ବଡ ଆକାରରେ ଏହାର କୃଷିକରଣ ହୋଇପରି ନାହିଁ । ବସ୍ତୁତଃ, ପ୍ରାକୃତିକ ଉପାୟରେ ମିଳୁଥିବା ଗୁଗୁଳ ଗଛର ସଂଖ୍ୟା ହ୍ରାସ ଦୃଷ୍ଟିରୁ ବର୍ତ୍ତମାନ ଏହି ଚାଷର ଆବଶ୍ୟକତା ଦେଖାଦେଇଛି ।

ମୃତ୍ତିକା ଓ ଜଳବାୟୁ

ଗୁଗୁଳ ଚାଷ ସମସ୍ତ ପ୍ରକାର ଜଳବାୟୁରେ ହୋଇପାରେ , କିନ୍ତୁ ଗରମ ବା ଉଷ୍ଣ ଜଳବାୟୁରେ ଏହି ଗଛରୁ ଅଧିକ ଅଠା ଉତ୍ପାଦନ ହୋଇଥାଏ । ମୃତ୍ତିକାକୁ ବିଚାର କଲେ ବାଲୁଆ ତଥା ଦୋରସା ମାଟି ଗୁଗୁଳ ଚାଷ ପାଇଁ ଉପଯୁକ୍ତ । କୃଷି ବୈଜ୍ଞାନିକମାନଙ୍କ ଦ୍ୱାରା ମରୁସୁଧା ନାମକ ଏକ ଉନ୍ନତ ପ୍ରଜାତିର ଗୁଗୁଳ ଗଛ ଉଦ୍ଭାବନ କରାଯାଇପାରିଛି ଯାହାକି ଅଧିକ ଅମଳକ୍ଷମ ଅଟେ ।

ଜଳସେଚନ ଓ ରୋଗପୋକ ନିୟନ୍ତ୍ରଣ

ଗୁଗୁଳ ସାଧାରଣତଃ ଶୁଷ୍କ ଅଞ୍ଚଳର ଗଛ ହୋଇଥିବାରୁ ଅଧିକ ଜଳସେଚନ ଆବଶ୍ୟକ କରେନାହିଁ । କିନ୍ତୁ ଗଛ ଶୀଘ୍ର ବଢିବା ପାଇଁ ଖରାଦିନେ ଜଳସେଚନ କରିବା ଆବଶ୍ୟକ ହୋଇଥାଏ । ଉଈପୋକ ଏହି ଗଛର ପ୍ରଧାନ ଶତ୍ରୁ । ତେଣୁ ଗଛ ଲଗାଇବା ସମୟରେ ଉଈପୋକ ନିୟନ୍ତ୍ରଣ କରିବା ପାଇଁ ବ୍ୟବସ୍ଥା କରିବା ଉଚିତ । ଏଥିପାଇଁ ଗାତରେ ଗଛ ଲଗାଇବା ସମୟରେ ନିମ୍ବପିଡିଆ କିମ୍ବା ଗ୍ୟାମାକସିନ କିମ୍ବା ଏଲଡ୍ରିନ ୫% କିମ୍ବା ୩% ହେପଟାଫେନ ପ୍ରୟୋଗ କରାଯିବା ଦରକାର । ଉଈ ଆକ୍ରମିତ ହେଲେ ଏଲଡ୍ରେକ୍ସ (୩୦%) ସିଞ୍ଚନ କରାଯାଇପାରିବ । ଉଈ ବ୍ୟତୀତ ଏହି ଗଛ ପତ୍ର ଦାଗ ରୋଗ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥାଏ । ଏହାମଧ୍ୟ କ୍ୟାଟରପିଲର୍ସ ଓ ଧଳା ମାଛି ଦ୍ୱାରା କ୍ଷତିଗ୍ରସ୍ତ ହୋଇଥାଏ ।

ଅମଳ : (ଗଛରୁ ଅଠା ନିଷ୍କାସନ)

ଆଠବର୍ଷର ଗଛଟି ଗୁଗୁଳ ଉତ୍ପାଦନକ୍ଷମ ହୋଇଥାଏ । ଅଠା ପାଇବା ପାଇଁ ଗଛର କାଣ୍ଡରେ ଗୋଟିଏ କିମ୍ବା ଦୁଇଟି ଜାଗାରେ ଛୁରୀରେ କାଟିଦିଆଯାଏ । ଏହି ଅଠା ପ୍ରଥମେ କ୍ଷୀର ପରି ଦେଖାଯାଏ , କିନ୍ତୁ କିଛି ସମୟ ପରେ ଏହା ଟାଣ ହୋଇଥାଏ । ଏହି ପ୍ରକ୍ରିୟାରେ ଏହାର ରଙ୍ଗ ବଦଳିବାରେ ଲାଗିଥାଏ । ପ୍ରଥମେ ଏହା ହଳଦିଆ ଲାଲ ହୋଇଥାଏ, ତା,ପରେ ପୂରା ଲାଲ ହୋଇଯାଏ ଏବଂ ସଂପୂର୍ଣ୍ଣ ଭାବେ ଶୁଖିଗଲେ ଗାଢ ଲାଲ ରଙ୍ଗ ହୋଇଯାଏ । ଏକ ସୁସ୍ଥ ଗଚରୁ ପ୍ରାୟ ୨୫୦ରୁ ୫୦୦ ଗ୍ରାମ ଅଠା ମିଳିଥାଏ । ଡିସେମ୍ବରରୁ ଫେବୃୟାରି ମାସ ଅଠା ପାଇବାର ଉପଯୁକ୍ତ ସମୟ ଅଟେ ।

ଅଠା (ରେଜିନ) ବାହାର କରିବା ପାଇଁ ସଂଗ୍ରହକାରୀ ଅନେକ ଉପାୟ ଅବଲମ୍ବନ କରନ୍ତି । ଏହା ମଧ୍ୟରୁ ଗୁଗୁଳ ଅଠାର ବ୍ୟବହାର ଅନ୍ୟତମ । ଗୁଗୁଳର ତାଜା ରେଜିନକୁ ମାଟି ପାତ୍ରରେ ରଖି ସେଥିରୁ ପାଣି ମିଶାଇ ଭଲ ଭାବରେ ମିଶାଇ ଘୋଳ କରାଯାଏ । ଏହି ଘୋଳରେ ଛୁରୀକୁ ବୁଡାଇବା ପରେ ଗଛରେ କଟା ଦାଗ ଦେଖାଯାଇଥାଏ । ଏହିପରି କରିବା ଦ୍ୱାରା ଅଠା ବାହାରିବା ପ୍ରକ୍ରିୟା ସୁବିଧା ହୁଏ ଏବଂ ଅଠାର ପରିମାଣ ବଢିଥାଏ । ଗଛର କାଣ୍ଡ କଟିବାର ପ୍ରାୟ ୧୫-୨୦ ଦିନ ପରେ ଅଠା ପତ୍ର କରି ସଂଗ୍ରହ କରାଯାଏ । ପୁଣି ୧୦-୨୫ ଦିନପରେ ସଂଗ୍ରହ କରାଯାଏ । ଗୋଟିଏ ଗଛରେ ୨-୪ଟି ଜାଗାରେ କାଟି ରେଜିନ ଅଠା ସଂଗ୍ରହ କରଯାଇପାରିବ । କଟାଜାଗାର ଗଭୀରତା ୦.୫ ସେମିରୁ ୧.୫ ସେମି ପର୍ଯ୍ୟନ୍ତ ହେବା ଦରକାର । ମୋଟା ଡାଳରେ ମଧ୍ୟ କଟାଦାଗ କରାଯାଇ ଅଠା ସଂଗ୍ରହ କରାଯାଇପାରିବ ।

ଆର୍ଥିକ ଲାଭ

ଗୋଟିଏ ଗଛରୁ ଯଦି ପ୍ରାୟ ୫୦୦ ଗ୍ରାମ ଗୁଗୁଳ ଅଠା ମିଳିବ , ତେବେ ଏକର ପ୍ରତି ୫୦,୦୦୦ ଟଙ୍କା ମିଳିପାରିବ । ଗଛ ଲଗାଯାଇବାର ୮ ବର୍ଷ ପରଠାରୁ ଅନେକ ବର୍ଷ ଛାଡି ବହୁତ ବର୍ଷ ପର୍ଯ୍ୟନ୍ତ ଅଠା ଆମଦାନୀ କରଯାଇପାରିବ ।

ଯଦିଓ ଏହାର ପ୍ରଥମ ଅମଳ ପାଇବା ପାଇଁ ଦୀର୍ଘ ସମୟ (ଆଠବର୍ଷ) ଅପେକ୍ଷା କରିବାକୁ ପଡେ , ଏହି ସମୟରେ ଅନ୍ୟ ଫସଲ ମଧ୍ୟ ଅନ୍ତଃଫସଲ ରୂପେ କରାଯାଇପାରିବ । କମ ପାଣିଥିବା ଜମି ଓ କମ ଉପାର୍ଜ୍ଜ୍ନନ ମିଳୁଥିବା ଜମିରେ ମଧ୍ୟ ଏହା ଚାଷ କରାଯାଇପାରିବ । ଏହି ଚାଷରୁ ୮ରୁ ୨୫ ବର୍ଷ ମଧ୍ୟରେ ଏକ ଏକରରୁ ୪ ଲକ୍ଷରୁ ୫ ଲକ୍ଷ ଟଙ୍କା ମିଳିପାରିବ ।

ଗୁଗୁଳ ଚାଷ ଏକର ପିଛା ଆୟ ବ୍ୟୟ ବିବରଣୀ

ବ୍ୟୟ :

1

ମୁଖ୍ୟ ଜମିର ପ୍ରସ୍ତୁତି

୨,୫୦୦

2

ମୁଖ୍ୟ ଜମିରେ ସାର ପ୍ରୟୋଗ

୩,୦୦୦

3

ଘାସ ବଛାବଛି, ସିଞ୍ଚନ (ଆଠବର୍ଷ)

୧୭,୦୦୦

4

୮ରୁ ୨୫ ବର୍ଷ ଗଛର ଯତ୍ନ

୫୦,୦୦୦

5

ଅନ୍ୟ ଖର୍ଚ୍ଚ ସଂଗ୍ରହ

୧୦,୦୦୦

ଆୟ :

1

୮ ରୁ ୨୫ ବର୍ଷ ମଧ୍ୟରେ ୧୦ ଥର ଅଠା ସଂଗ୍ରହ (୫୦୦୦ କିଗ୍ରା,୧୦୦ ଟଙ୍କା ଦରରେ )

୫,୦୦,୦୦୦

2

ମଞ୍ଜି ବିକ୍ରି କରି ଆୟ

୬,୦୦୦/-

ଆଧାର : ଓଡିଶା କୃଷି ବୈଷୟିକ ବିଶ୍ଵବିଶ୍ୱବିଦ୍ୟାଳୟ ଭୁବନେଶ୍ଵର

2.84615384615
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top