ହୋମ / କୃଷି / ଔଷଧୀୟ ବୃକ୍ଷ ଚାଷ / ପିପ୍ପଳିମୂଳା
ସେଆର କରନ୍ତୁ

ପିପ୍ପଳିମୂଳା

ଏହି ପୋର୍ଟାଲରେ ପିପ୍ପଳିମୂଳା ସମ୍ବନ୍ଧରେ ସୂଚନା ଦିଆ ଯାଇଛି ।

ବୈଜ୍ଞାନିକ ନାମ : ପାଇପର ଛାବା

ବଂଶ :    ପାଇପେରାସି

ଆଞ୍ଚଳିକ ଭାଷାଗତ ନାମ :

ଓଡିଶା-  ପିପଳିମୂଳା, ଛାଇନା

ସଂସ୍କୃତ- ଚବ୍ୟ , ଊଷଣ

ତେଲୁଗୁ- ସେବାମୁ

ହିନ୍ଦୀ- ଛାବ

ବଙ୍ଗଳା- ଚେଈ

ତାମିଲ – ଚବ୍ୟ

ଉପକ୍ରମ

ପିପ୍ପଳି ମୂଳା ଏକ ଲତାଜାତୀୟ ଔଷଧୀୟ ବନସ୍ପତି । ଆମ ଦେଶରେ ପାରମ୍ପରିକ ଦେଶୀୟ ଔଷଧ ପ୍ରସ୍ତୁତିରେ ବୈଦ୍ୟ ଓ କବିରାଜମାନେ ଏହାକୁ ବହୁଳ ଭାବରେ ବ୍ୟବହାର କରିଥାନ୍ତି । ଏହା ଛଡା ମସଲା ପ୍ରସ୍ତୃତି ଶିଳ୍ପରେ ମଧ୍ୟ ଏହାର ଅବଶ୍ୟକତା ରହିଛି । ତେଣୁ ବ୍ୟବସାୟିକ ଦୃଷ୍ଟିରୁ ଏହାର ଚାଷ ଅତ୍ୟନ୍ତ ଲାଭଦାୟକ ହୋଇପାରିବ ।

ଉଦ୍ଭିଦ ପରିଚୟ

ପିପ୍ପଳା ମୂଳ ଏକ ଲତାଜାତୀୟ ବନସ୍ପତି । ଏହାର କାଣ୍ଡ ଅନ୍ୟ କୌଣସି ବୃକ୍ଷର ଡାଳକୁ ଆଶ୍ରୟ କରି ଗୁଡାଇ ହୋଇ ବଢିଥାଏ । ସୁଖିବା ପରେ ଏହି ଲତା କାଣ୍ଡର ବର୍ଣ୍ଣ ଈଷତ ହଳଦିଆ ହୋଇଥାଏ । ଏହାର ପତ୍ର ୫ରୁ ୭ ଇଞ୍ଚ ଲମ୍ବା, ୨ରୁ ୩ ଇଞ୍ଚ ଚଉଡା ଉପବୃତ୍ତାକାର ବା ଅଣ୍ଡାକାର, ୩ରୁ ୫ ଶିରା ବିଶିଷ୍ଟ ଏବଂ ଛୋଟ ଡେମ୍ଫ ବଳିଷ୍ଠ ଅଟେ । ପତ୍ର ଶୁଖିଯିବା ପରେ ଈଷତ ହଳଦିଆ ରଙ୍ଗର ହୋଇଥାଏ । ଏଥିରେ ଲାଲ ବର୍ଣ୍ଣର ଫୁଲ ଏବଂ ଫଳ ଗୁଚ୍ଛ ହୋଇଥାଏ । ଏହି ଗୁଚ୍ଛ ୧ରୁ ୩ ଇଞ୍ଚ ଲମ୍ବ ଏବଂ ୧/୪ ଇଞ୍ଚ ମୋଟା ହୋଇଥାଏ ଏହାର ଫଳ ବହୁତ ଛୋଟ ଓ ଅଣ୍ଡାକୃତି ତଥା ଏକ ମଞ୍ଜିବିଶିଷ୍ଟ ।

ପ୍ରୟୋଗନୀୟ ଅଂଶ

ଚେର ଓ ଡାଳ

ପରିବ୍ୟାପ୍ତି

ଭାରତର ଅନେକ ସ୍ଥାନରେ ପିପ୍ପଳି ମୂଳା ଚାଷ କରାଯାଏ । ବିଶେଷକରି ଇଷ୍ଟର୍ଣ୍ଣଘାଟ , ନୀଳଗିରି ଓ କେରଳର ପାଶ୍ଚାତ୍ୟ ଅଞ୍ଚଳରେ ଦେଖାଯାଏ । ବର୍ତ୍ତମାନ ଏହା ଓଡିଶା, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକ ରାଜ୍ୟରେ ବହୁଳ ପରିମାଣରେ ଚାଷ କରାଯାଉଛି ।

ରାସାୟନିକ ସଂଗଠନ

ଏଥିରେ କେତେକ କଟୁ ସ୍ଵାଦ ଧର୍ମଯୁକ୍ତ ଜୈବିକ ଖାରାଭ ତତ୍ତ୍ଵ ଥାଏ ।

ଔଷଧୀୟ ଗୁଣ ଓ ପ୍ରୟୋଗ

ପିପ୍ପଳିମୂଳା କଫ- ବାତ ଶାମକ, ଉତ୍ତେଜକ, ଅଗ୍ନିବର୍ଦ୍ଧକ , କୃମିନାଶକ ଓ ଦୁର୍ଗନ୍ଧନାଶକ ଅଟେ । ଏହା ଉତ୍ତେଜକ ଓ ପାଚକ ଗୁଣଯୁକ୍ତ ହୋଇଥିବାରୁ ଶୂଳ , ବୃକକରୋଗ ଏବଂ କାଶ , ସର୍ଦ୍ଦି ଓ ଗଳାରୋଗର ଚିକିତ୍ସାରେ ଉପଯୋଗ କରାଯାଇଥାଏ । ବିଶେଷକରି ପାଚନ ତନ୍ତ୍ରର ଦୁର୍ବଳତା କ୍ଷେତ୍ରରେ ଏହାକୁ ସେବନ କରିବା ବିଶେଷ ଲାଭଦାୟକ ଅଟେ । ଅର୍ଶ, କାଶ, ଶ୍ଵାସ, ଓ ହୃଦୟ ଦୋର୍ବଲ୍ୟ ପ୍ରଭୃତି ରୋଗର ଉପଚାର ପାଇଁ ଏହାକୁ ମୂଳଚୂର୍ଣ୍ଣକୁ ମହୁ ସହ ସେବନ କରାଯାଏ । ଏହି ସବୁ ଔଷଧୀୟ ଗୁଣ ଯୋଗୁଁ ଆଜିକାଲି ଆୟୁର୍ବେଦ ଔଷଧ ନିର୍ମାଣକାରୀ ସଂସ୍ଥା ଗୁଡିକ ସେମାନଙ୍କର ଔଷଧରେ ଏହାକୁ ଉପଯୋଗ କରୁଥିବାରୁ ଏହାର ଯଥେଷ୍ଟ ବ୍ୟବସାୟିକ ଚାହିଦା ରହିଛି ।

ଚାଷ ପ୍ରଣାଳୀ

ଜମି ପ୍ରସ୍ତୁତି ଓ ରୋପଣ ପଦ୍ଧତି

ପ୍ରଥମେ ଜମିକୁ ୧ ଫୁଟ ଗଭୀରର ହଳ କରାଯାଇ ମାଟିକୁ ଭଲ ରୂପେ ଗୁଣ୍ଡ କରାଯାଏ । ଏକର ପିଛା ୧୦ ଗାଡି ଗୋବର ପକାଇ ଭଲ ରୂପେ ମିଶାଇଦିଆଯାଏ । ୪୫ ସେମି ଡାଳଖଣ୍ଡ ଗୁଡିକ ସଂଗ୍ରହ କରି ଅଗଷ୍ଟ ମାସରେ ଜମିରେ ପୋତଯାଇଥାଏ । ଗଛ ମଧ୍ୟରେ ଦୂରତା ୧୦ ସେମି ଓ ଧାଡି ମଧ୍ୟରେ ଦୂରତା ୩୦ ସେମି ରଖାଯାଏ । ପ୍ରଥମେ ଜମିକୁ ହୁଡା ଭଳି ଧାଡି କରି ଦିଆଯାଏ । ଏହି ହୁଡାରେ ଡାଳ ଖଣ୍ଡଗୁଡିକର ୩୦ ସେମି ଲମ୍ବ ଡାଳ ମାଟି ଭିତରେ ସାମନ୍ତରାଳ ଭାବରେ ରଖି ପୋତି ଦିଆଯାଏ ଶୁଖିଲା ପାଗରେ ଡାଳପତ୍ର ପୋତିବା ଦରକରା । ଡାଳ କଅଁଳିଆ ଅକ୍ଟୋବର ମାସରେ କଞ୍ଚା ଗୋବର ପ୍ରୟୋଗ କରାଯାଏ ଏବଂ କୋଡାଖୁସା କରାଯାଇଥାଏ ।

ରୋପଣ ପରବର୍ତ୍ତୀ ଯତ୍ନ

ରୋପଣର ପ୍ରାୟ ୧ ବର୍ଷ ୬ ମାସ ପରେ ଡିସେମ୍ବର ମାସରେ ପ୍ରଥମ ଫସଲ ଅମଳ କରାଯାଏ । ଅମଳ ପରେ ମଧ୍ୟ ମାଟିରେ ଥିବା ମୂଳରୁ ଗଛ ବାହାରିଥାଏ । ଏଣୁ ଥରେ ଲଗାଇଲେ ୨୦ ବର୍ଷ ପର୍ଯ୍ୟନ୍ତ ଏହାକୁ ଅମଳ କରାଯାଇପାରିବ ।

ଆଧାର :ଡାକ୍ତର ଦୀନବନ୍ଧୁ ମହାରଣା

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top