ସେଆର କରନ୍ତୁ

ପିପ୍ପଳୀ

ପିପ୍ପଳୀ ଏକ କୋମଳ, ଗନ୍ଧଯୁକ୍ତ ଲଟାର ଫଳ ଅଟେ । ପିପ୍ପଳୀ ମୁଖ୍ୟତଃ ଏକ ମସଲାଦ୍ରବ୍ୟ ରୂପେ ବ୍ୟବହୃତ ହୁଏ । ମସଲା ଶିଳ୍ପ ବ୍ୟତୀତ ଆୟୁର୍ବେଦ ଔଷଧ ନିର୍ମାଣ ଉଦ୍ୟୋଗରେ ମଧ୍ୟ ଏହାର ଯଥେଷ୍ଟ ଚାହିଦା ରହିଛି ।

ବୈଜ୍ଞାନିକ ନାମ : ପାଇପର ଲଙ୍ଗମ

ବଂଶ : ପାଇପରେସୀ

ଆଞ୍ଚଳିକ ଭାଷାଗତ ନାମ :

ଓଡିଶା- ପିପ୍ପଳୀ

ସଂସ୍କୃତ – ପିପ୍ପଳୀ , ମାଗଧୀ, କୃଷ୍ଣା

ଗୁଜୁରାଟୀ – ପୀପର

ତେଲୁଗୁ-  ପିପ୍ପଲୁ

ଇଂରାଜୀ – Long pepper

ହିନ୍ଦୀ – ପିପଲ , ପିପର ;

ବଙ୍ଗଳା – ପିପୁଲ

ତାମିଲ- ଟିପ୍ପୀ ଲୀ

ମରାଠୀ – ପିପଳୀ

ଉପକ୍ରମ

ପିପ୍ପଳୀ ଏକ କୋମଳ, ଗନ୍ଧଯୁକ୍ତ ଲଟାର ଫଳ ଅଟେ । ପିପ୍ପଳୀ ମୁଖ୍ୟତଃ ଏକ ମସଲାଦ୍ରବ୍ୟ ରୂପେ ବ୍ୟବହୃତ ହୁଏ  । ମସଲା ଶିଳ୍ପ ବ୍ୟତୀତ ଆୟୁର୍ବେଦ ଔଷଧ ନିର୍ମାଣ ଉଦ୍ୟୋଗରେ ମଧ୍ୟ ଏହାର ଯଥେଷ୍ଟ ଚାହିଦା ରହିଛି । ଏହି ଦୃଷ୍ଟିରୁ ଏହାକୁ ବ୍ୟବସାୟିକ ଭିତ୍ତିରେ ଚାଷ କଲେ କୃଷକମାନେ ଯଥେଷ୍ଟ ଆର୍ଥିକ ଲାଭ ପାଇବ ସହ ନିଯୁକ୍ତିର ଏକ ନୂତନ ଦିଗ ସୃଷ୍ଟି ହୋଇପାରିବ  । ପୂର୍ବରୁ ଭାରତର ଚିରହରିତ ଜଙ୍ଗଲମାନଙ୍କରେ ଏହା ପ୍ରାକୃତିକ ରୂପେ ଦେଖାଯାଉଥିଲା , କିନ୍ତୁ ବ୍ୟାପକ ଜଙ୍ଗଲ କ୍ଷୟ ଫଳରେ ଏହା ନଷ୍ଟ ହେବା କାରଣରୁ ଉପରୋକ୍ତ ଚାହିଦା ପୂରଣ ପାଇଁ ପଶ୍ଚିମବଙ୍ଗ , ଆସାମ, ବିହାର, ମଧ୍ୟପ୍ରଦେଶ ଓ ଦକ୍ଷିଣ ଭାରତର ରାଜ୍ୟଗୁଡିକରେ ଏହାକୁ ଏବେ ବ୍ୟବସାୟିକ ଭିତ୍ତିରେ ଚାଷ କରାଯାଉଛି । ଭାରତ ବ୍ୟତୀତ ଶ୍ରୀଲଙ୍କା, ଫିଲିପାଇନସ , ନେପାଳ ପ୍ରଭୁତି ଦେଶମାନଙ୍କରେ ମଧ୍ୟ ବହୁଳ ପରିମାଣରେ ପିପ୍ପଳୀ ଚାଷ କରାଯାଇଥାଏ  ।

ଉଦ୍ଭିଦ ପରିଚୟ

ପିପ୍ପଳୀ ଲଟା କୋମଳ, ଗନ୍ଧଯୁକ୍ତ ଓ ଅଳ୍ପ ସ୍ଥାନରେ ବିସ୍ତାର ଲାଭ କରିଥାଏ । ଏହାର ପତ୍ରଗୁଡିକ ପାନପତ୍ର ସଦୃଶ୍ ଏବଂ ୨ରୁ ୩ ଇଞ୍ଚ ଲମ୍ବ ଅଟେ । ଏଥିରେ ଦୁଇ ପ୍ରକାର ଫୁଲ ହୁଏ – ଅଣ୍ଡିରା ଓ ମାଈ ଫୁଲ । ଅଣ୍ଡିରା ଫୁଲ ସ୍ତବକ ଶାଗୁଆ ମୂଷା ହଳଦିଆ, ମାଂସଳ , ବର୍ତ୍ତୁଲାକାର ଓ ଏହା ଭୀତରେ ଛୋଟ ଛୋଟ ଫୁଲମାନ ଥାଏ । ମାଈ ଫୁଲ ସ୍ତବକ ହଳଦିଆ  । ଫଳଗୁଡିକ ଛୋଟ ଛୋଟ ଓ ପାଚିଲେ ବର୍ତ୍ତୁଳାକାର ହୋଇ ସଂପୂର୍ଣ୍ଣ ମାଂସଳ ସ୍ତବକ ଭୀତରେ ବୁଡିଯାଇଥାଏ  । ବର୍ଷାଋତୁ ସମୟରେ ଏଥିରେ ଫୁଲ ଆସେ ,ଶରତ ଋତୁ ବେଳକୁ ଫଳ ହୋଇଯାଇଥାଏ । ଫଳର ରଙ୍ଗ ପ୍ରଥମ ହଳଦିଆ ଓ ପରିପକ୍ଵ ସମୟରେ କୃଷ୍ଣାଭ ଧୂସର ରଙ୍ଗ ହୋଇଥାଏ  ।

ଅନ୍ୟ ଏକ ପ୍ରଜାତିର ପିପ୍ପଳୀକୁ ପାହାଡୀ ବା ବନ ପିପ୍ପଳୀ କୁହାଯାଏ । ଏହାର ଲାଟିନ ନାମ ପାଇବର ସିଲଭାଟିକମ ଏହା ଆସାମ ଓ ପଶ୍ଚିମବଙ୍ଗରେ ଅଧିକ ଉତ୍ପନ୍ନ ହୋଇଥାଏ  । ଏହାର ପତ୍ର ଅପେକ୍ଷାକୃତ ବଡ ଓ ଅଧିକ କଟୁ ଅଟେ  ।

ପ୍ରାୟୋଜନୀୟ ଅଂଶ : ଫଳ ଓ ମୂଳ

ଔଷଧି ବିଶେଷ

ଶୁଷ୍କ ପିପ୍ପଳୀ ଫଳରେ ୧ ପ୍ରତିଶତ ଉଡନଶୀଳ ତୈଳଥାଏ ଯେଉଁଥିରେ ପ୍ରାୟ ୫ରୁ ୬.୪ ପ୍ରତିଶତ ପାଇପରିନ ,  ପାଇପରୀଡୀନ ଏବଂ ଏକ କାଟୁ ରାଳ “ ଚାଭିସିନ “ ରହିଥାଏ । ଏହା ବ୍ୟତୀତ , ଏଥିରେ ଷ୍ଟାର୍ଚ୍ଚ ଓ ସ୍ନେହ ଉପାଦାନ ମଧ୍ୟ ମିଳିଥାଏ  ।

ଔଷଧୀୟ ଗୁଣ ଓ ପ୍ରୟୋଗ

ବହୂ ପ୍ରାଚୀନ କାଳରୁ ଆମ ଦେଶରେ ପିପ୍ପଳୀ ଏକ ଅତ୍ୟାବଶ୍ୟକ ବନୌଷଧି ଭାବରେ ବ୍ୟବହୃତ ହୋଇଆସୁଛି । ଔଷଧୀୟ ଗୁଣ ଦୃଷ୍ଟିରୁ ଏହାର ଶୁଖିଲା ଫଳ ତୀବ୍ରକଟୁ, ଉଷ୍ମ , ଅଗ୍ନିବର୍ଦ୍ଧକ ,  କଫନାଶକ , ଶକ୍ତିବର୍ଦ୍ଧକ ଓ ଜୀବାଣୁ ପ୍ରତିରୋଧ ଅଟେ । ଏହା ମୁଖ୍ୟତଃ କାଶ ଓ ଶ୍ଵାସ ପ୍ରଭୁତି ଶ୍ଵସନ ସଂସ୍ଥାନଗତ ରୋଗର ଚିକିତ୍ସାରେ ସେବନ କରାଯାଇଥାଏ । ଉପରୋକ୍ତ ଔଷଧୀୟ ଗୁଣ ଦୃଷ୍ଟିରୁ ଏହାକୁ ଆନାହ , ଅଗ୍ନିମାଦ୍ୟ , କାଶ, ଶ୍ଵାସ, ଉଦରଶୂଳ , ଆମବାତ ପ୍ରଭୁତି ଚିକିତ୍ସାରେ ବ୍ୟବହାର କରାଯାଏ  । ମହୁ ସହ ଏହାର ଚୂର୍ଣ୍ଣ ସେବଳ କଲେ ପୁରୁଣା କାଶ, ଶ୍ଵାସ , ସ୍ଵରଭଙ୍ଗ ଓ ହିକ୍କା ରୋଗ ଭଲ ହୋଇଥାଏ  ।  ଏହିସବୁ ବହୁବିଧ ଔଷଧୀୟ ଉପଯୋଗୀତା ଦୃଷ୍ଟିରୁ ଆୟୁର୍ବେଦୀୟ ଔଷଧ ନିର୍ମାଣ ଉଦ୍ୟୋଗରେ ଏହାର ଚାହିଦା ବେଶୀ । ଆୟୁର୍ବେଦରେ ବର୍ଣ୍ଣିତ ତ୍ରିକଟୁ “ ର ତିନିଗୋଟି ଉପାଦାନ ମଧ୍ୟରେ ଶୁଣ୍ଠି , ଗୋଲମରିଚ , ବ୍ୟତୀତ ପିପ୍ପଳୀ ଅନ୍ୟତମ ଅଟେ । ଏହାର ମୂଳକୁ ବିଷ ଖଣ୍ଡନକାରୀ ଔଷଧ ଭାବେ ପ୍ରସ୍ତୁତି କରାଯାଏ  ।

ଚାଷପ୍ରଣାଳୀ

ଜଳବାୟୁ ଓ ମୃତ୍ତିକା

ଭାରତରେ ଏହା ଏକ ବର୍ଷା ହେଉଥିବା ସ୍ଥାନରେ ଭଲ ବଢିଥାଏ । ତେଣୁ ଆଦ୍ର ଜଳବାୟୁ ଓ ଅଧିକ ବୃଷ୍ଟିପାତ ଅଞ୍ଚଳ ପିପ୍ପଳୀ ଚାଷ ପାଇଁ ଉପଯୁକ୍ତ । ଉର୍ବର ବାଲିଆ ୫.୫ ରୁ ୮.୫ ଅମ୍ଳ ଥିବା ନିଗିଡା ଜମି ପିପ୍ପଳୀ ଚାଷ ପାଇଁ ଅଧିକ ଉପଯୋଗୀ । ଏହି ଲଟା ଅଧିକ ଜୈବିକ ପଦାର୍ଥ ଥିବା ମୃତ୍ତିକାରେ ଓ ଛାଇ ଥିବା ଆଦ୍ର ଜଳବାୟୁରେ ଭଲ ବଢିଥାଏ । ଏଥିପାଇଁ ଜୀବାଶ୍ମଯୁକ୍ତ ନରମ ହାଲୁକା , କ୍ୟାଲିସିୟମଯୁକ୍ତ ଲାଲ ରଙ୍ଗର ନିଗିଡା ମାଟି ଉପଯୋଗୀ ପ୍ରମାଣିତ ହୋଇଛି  ।

ଜମି ପ୍ରସ୍ତୁତି

ଜମିକୁ ଏଥିପାଇଁ ୨-୩ ଥର ଭଲ ଭାବରେ ହଲକରି ଏକର ପ୍ରତି ୫ରୁ ୭ ଟନ ଗୋବର ବା କମ୍ପୋଷ୍ଟ ଖତ ଦିଆଯାଇ ଜମି ପ୍ରସ୍ତୁତି କରାଯାଏ  ।

ରୋପଣ ପ୍ରଣାଳୀ

ଜମି ପ୍ରସ୍ତୁତି ପରେ ତିନୋଟି ଗଣ୍ଠିଥିବା ୧୦ ସେମି ରୁ ୧୨ ସେମି ପର୍ଯ୍ୟନ୍ତ କଟାଡାଳଗୁଡିକ ଛାଇଛାଇଆ ଜାଗାରେ ପଟାଳି ପ୍ରସ୍ତୁତ କରାଯାଇ ୧୨ ସେମି ରୁ ୧୫ ସେମି ବ୍ୟବଧାନରେ ପୋତାଯାଏ  । ପୋତିବା ସମୟରେ ଉପର ଗଣ୍ଠିଟି ମାଟି ଉପରେ ରହେ । ୧୦ ରୁ ୧୫ ଦିନ ମଧ୍ୟରେ କଟାଡାଳରୁ ଗଛ ହୋଇଥାଏ । ଏହାର ସଫଳତା ପ୍ରାୟ ୬୦ରୁ ୭୦ ଭାଗ ପରିପକ୍ଵ ଗଛ ମୂଳରୁ ବାହାରିଥିବା ପିଲରୁ ମଧ୍ୟ ନୂତନ ଗଛ ସୃଷ୍ଟି ହୋଇଥାଏ  ।

ରୋପଣ ପରବର୍ତ୍ତୀ ଯତ୍ନ

୨୦X୨୦X୨୦ ସେମିଲ ଗାତରେ ଚାରାଗୁଡିକ ୨ ମିଟର ବ୍ୟବଧାନରେ ପୋତାଯାଏ । ଏହା ଏକ ଛାଇରେ ବଢିବା ଗଛ ହୋଇଥିଲେ ମଧ୍ୟ ଏହାକୁ ୫୦ ପ୍ରତିଶତ ଛାଇ ସ୍ଥାନରେ ରଖିବା ଶ୍ରେୟସ୍ମର  । ରୋପଣ ପରେ ପରେ ଅନାବନା ଘାସ ଓ ଛୋଟ ଛୋଟ ଗଛ ଉପାଡି ଦେବା ଉଚିତ  ।

ରୋଗ ପୋକ ନିୟନ୍ତ୍ରଣ

ମିଲିବଗ ଟିପା କୀଟ ଏହି ଫସଲର ପ୍ରଧାନ ଶତ୍ରୁ  । ମିଲିବଗ ପୋକ ପିପ୍ପଳୀ ଲଟାର ଚେରକୁ ଆକ୍ରମଣ କରେ ଏବଂ ଗ୍ରୀଷ୍ମ ଋତୁରେ ଏହାର ପ୍ରଭାବ ଅଧିକ ହୁଏ  । ଏହାକୁ ଦୂରକରିବା ପାଇଁ ମେ ମାସରେ ଏବଂ ଏହା ପରେ ପରେ ୨-୩ ବୋର୍ଡାକସ ମିକ୍ସରେ ସିଞ୍ଚନ କରିବା ଆବଶ୍ୟକ । ଏହାଛଡା ନିମ୍ବଛେଲି ସିଝା ପାଣି କିମ୍ବା ନିମ୍ବ ଛେଲିର ଘୋଳ ତିଆରି କରି ସିଞ୍ଚନ କଲେ ଏହାଲ ରୋଗ ପୋକ ନିୟନ୍ତ୍ରଣ ପାଇଁ ଲାଭକାରୀ ହୋଇଥାଏ  ।

ଉତ୍ପାଦନ

ପିପ୍ପଳୀ ଚାରା ରୋପଣର ପାଞ୍ଚ –ଛଅ ମାସ ପରେ ସେଥିରେ ଫଳ ହେବା ଆରମ୍ଭ ହୋଇଥାଏ ।  ସବୁଜ – କଳା ମିଶା ରଙ୍ଗ ଯୁକ୍ତ ହୋଇଗଲେ ଫଳଗୁଡିକ ତୋଳାଯାଏ । ଏହା ବର୍ଷରେ ଥରେ (ଜାନୁଆରୀ ମାସରେ ) ଏବଂ ଅନ୍ୟ କେତେକ ସ୍ଥାନରେ ପରିପକ୍ଵତା ଦେଖି ମଝିରେ ମଝିରେ ତୋଳାଯାଇଥାଏ । ତୋଳାସାରିବା ପରେ ୪-୫ ଇନ ଭଲ ଭାବରେ ସୁଖାଯାଇଥାଏ । ଫଳ ତୋଳିସାରିବା ପରେ ଉପଡାଳଗୁଡିକ କାଟିଦିଆଯାଏ ଏବଂ ସେହି ସ୍ଥାନରୁ ନୂତନ ଶାଖା ବାହାରିଥାଏ । ପାଞ୍ଚରୁ ଛଅ ବର୍ଷ ପର୍ଯ୍ୟନ୍ତ

ଫଳ ଅମଳ ପରେ ଏହାର ମୂଳକୁ ତାଡି ଦିଆଯାଏ ଏବଂ ଛୋଟ ଛୋଟ ଖଣ୍ଡରେ କାଟି ଶୁଖାଇ ବିକ୍ରି କରାଯାଇଥାଏ  ।

ଆର୍ଥିକ ଲାଭ

ପ୍ରଥମ ଦୁଇ ବର୍ଷ ଏକର ପ୍ରତି ହାରାହାରି ୪ କ୍ଵିଣ୍ଟାଲ ଫଳ ମିଳିଥାଏ । ତୃତୀୟ ବର୍ଷରୁ ପଞ୍ଚମ ବର୍ଷ ପର୍ଯ୍ୟନ୍ତ ୬ କ୍ଵିଣ୍ଟାଲ ମିଳିଥାଏ । ଷଷ୍ଠ ବର୍ଷରେ ୨୦୦ କିଗ୍ରା ପର୍ଯ୍ୟନ୍ତ ଚେରମୂଳ ମିଳିଥାଏ । ପିପ୍ପଳୀ ଫଳ ୬୦ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ଦରରେ ବିକ୍ରି ହୋଇଥାଏ  ଏବଂ ଚେର କିଗ୍ରା ପିଛା ୧୫୦ ଟଙ୍କା ଦରରେ ବିକ୍ରି ହୁଏ । ଏକ ଏକରରୁ ୧ ବର୍ଷରୁ ୫ ବର୍ଷ ମଧ୍ୟରେ ୨,୦୦,୦୦୦ ଟଙ୍କା ପର୍ଯ୍ୟନ୍ତ ମିଳିପାରିବ  ।

ବ୍ୟବସାୟିକ ସୂଚନା

୧୯୯୯-୨୦୦୦ ମସିହାରେ ଏହି ଫଳର ମୂଲ୍ୟ ବାଙ୍ଗାଲୋରରେ କିଗ୍ରା ପ୍ରତି ୨୪୦ ଟଙ୍କାରୁ ୨୫୦ ଟଙ୍କା, କଲିକତାରେ ୧୪୦ ଟଙ୍କା , ହାଇଦ୍ରାବାଦରେ ୧୬୦ ଟଙ୍କାରୁ ୧୭୦ ଟଙ୍କା , ନୂଆଦିଲ୍ଲୀରେ ୧୧୦ ଟଙ୍କାରୁ ୧୧୮ ଟଙ୍କା , ଚେନ୍ନାଇରେ ୧୫୫ ଟଙ୍କାରୁ ୧୮୦ ଟଙ୍କା ପର୍ଯ୍ୟନ୍ତ ଥିଲା । ସେହପରି ୧୯୯୯-୨୦୦୦ ମସିହାରେ ଏହାର ଚେର କିଗ୍ରା ପ୍ରତି ହାଇଦ୍ରାବାଦରେ ୫୦ ଟଙ୍କାରୁ ୬୦ ଟଙ୍କା ଏବଂ ମୁମ୍ବାଇରେ ୩୦୦/- ଟଙ୍କା ଥିଲା  । ସେହିବର୍ଷ ଚେନ୍ନାଇରେ ଏହାର ଡାଳ ଥିଲା କିଗ୍ରା ପ୍ରତି ୧୭୦ ଟଙ୍କା ଥିଲା  ।  କଞ୍ଚାମାଲଗୁଡିକ ହାଇଦ୍ରାବାଦକୁ ମୁଖ୍ୟତଃ କଲିକତା ବଜାରରୁ ଆସିଥାଏ  ।

ଆଧାର : ଡାକ୍ତର ଦୀନବନ୍ଧୁ ମହାରଣା

3.28571428571
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top