ବୈଜ୍ଞାନିକ ନାମ : ଏଗେଲ ମାର୍ମେଲସ
ବଂଶ : ରୁଟାସ
ଆଞ୍ଚଳିକ ଭାଷାଗତ ନାମ :
ଓଡିଆ – ବେଲ
ସଂସ୍କୃତ – ବିଲ୍ଵ
ତେଲୁଗୁ- ବିଲ୍ଵ, ମାରେଡି
ହିନ୍ଦୀ- ବେଲ୍
ବଙ୍ଗଳା- ବେଲ
ତାମିଲ- ବିଲ୍ଵ, କୁଭିଲାମ୍
ଇଂରାଜୀ- Bael tree
ଭାରତୀୟ ଧର୍ମ ଓ ସଂସ୍କୃତିରେ ବେଲ ବୃକ୍ଷ ଏକ ପବିତ୍ର ବୃକ୍ଷ ଭାବରେ ପରିଗଣିତ ହୋଇଆସୁଛି । ବିଶେଷ କରି ଶୈବ ଧର୍ମାଲମ୍ବୀମାନଙ୍କ ମଧ୍ୟରେ ଏହି ବୃକ୍ଷ ପ୍ରତି ଯଥେଷ୍ଟ ଶ୍ରଦ୍ଧା ରହିଛି । ତେବେ କେବଳ ଯେ ଆଧାତ୍ମିକ ଦ୍ରୁଷ୍ଟିକୋଣରୁ ଏହି ବୃକ୍ଷର ମହତ୍ତ୍ଵ ପ୍ରତିପାଦନ ହୋଇଛି ତାହାନୁହେଁ , ଔଷଧୀୟ ଗୁଣ ଦୃଷ୍ଟିକୋଣରୁ ଏହି ବୃକ୍ଷଟି ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଏହାର ଔଷଧୀୟ ଉପଯୋଗୀତା ଯୋଗୁଁ ଆଜିକାଲି ଏହାର ଚାହିଦା ବୃଦ୍ଧି ପାଇଛି । ତେଣୁ ବ୍ୟବସାୟିକ ଭିତ୍ତିରେ ଏହାକୁ ଚାଷ କରାଗଲେ ତାହା ଦୀର୍ଘମିଆଦି ଆର୍ଥିକ ଲାଭ ଦେଇପାରିବ ।
ବେଲ ବୃକ୍ଷ ଏକ ଶକ୍ତ କଣ୍ଟାଯୁକ୍ତ ବହୁବର୍ଷୀୟ ବୃକ୍ଷ । ବେଲ ବୃକ୍ଷ ଆମ ଦେଶର ବିଭିନ୍ନ ପ୍ରାନ୍ତରେ ଦେଖାଯାଏ । ବିଶେଷ କରି ପାର୍ବତ୍ୟାଞ୍ଚଳ ମାନଙ୍କରେ ଏହି ବୃକ୍ଷ ବହୁଳ ଭାବରେ ଦେଖାଯାଏ ।
ବେକ ବୃକ୍ଷ ୮ରୁ ୧୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ବଢିଥାଏ । ପତ୍ରଗୁଡିକ ତ୍ରିପତ୍ରକ , ସୁଗନ୍ଧଯୁକ୍ତ, ପତ୍ରଗୁଡିକ ଅଣ୍ଡାକୃତି ବର୍ଚ୍ଛାକୃତି ଅଟେ । ଫୁଲଗୁଡିକ ସବୁଜିଆ ଧଳା, ମଧୁର ତଥା କଷିୟ ଶାଖାୟିତ ସ୍ତବକରେ ସଜ୍ଜିତ ହୋଇଥାଏ । ଫଳ ଗୋଳାକାର ଓ କାଠୁଆ ଶକ୍ତ ଆବରଣଯୁକ୍ତ । କଞ୍ଚା ଅବସ୍ଥାରେ ଏହାର ବର୍ଣ୍ଣ ସବୁଜ ଏବଂ ପାଚିଲା ଅବସ୍ଥାରେ ପୀତବର୍ଣ୍ଣ ହୋଇଥାଏ । ମଞ୍ଜିଗୁଡିକ ଅଣ୍ଡାକୃତି ଚେପଟା ଏବଂ ଅଠାଳିଆ ପରିଚ୍ଚଦକରେ ରହିଥାଏ ।
ବେଲ ଫଳ ମୁଖ୍ୟତଃ ଏହାର ମ୍ୟୁସିଲେଜ ଏବଂ ପେକଟିନ ପାଇଁ ଔଷଧୀୟ ଗୁଣ ଯୁକ୍ତ ଅଟେ । ଏହାର ଫଳରେ ୧୦୦ ଗ୍ରାମ ପଲପରେ , ୬୧.୫ ଗ୍ରାମ, ୧.୮ ଗ୍ରାମ ପ୍ରୋଟିନ, ୧.୭ ଗ୍ରାମ ଖଣିଜ ଲବଣ,୩୧.୦ ଗ୍ରାମ , ୫୫ ମିଗ୍ରା ତଥା ୭.୨୧ ମି.ଗ୍ରା ଭିଟାମିନ C ମିଳିଥାଏ ।
ପତ୍ର, ଛେଲି ମୂଳ ଉଭୟ କଞ୍ଚା ଓ ପାଚିଲା ଫଳ ।
ଏହାର ଚେର ମଧୁର, କଷାୟ ତିକ୍ତ ଓ ଜ୍ଵରଘ୍ନ । ଚେର ତରଳଝାଡା , ଅଗ୍ନିମାଦ୍ୟ , ପେଟଯନ୍ତ୍ରଣା , ବାତରୋଗ, ବାନ୍ତିମ ଆଦିରେ ବ୍ୟବହୃତ ହୁଏ । ବେଲ ପତ୍ର ଦୃଷ୍ଟି ଶକ୍ତି, ମୋତିଆବିନ୍ଦୁ, ମଧୁମେୟ ଓ ଶ୍ଵାସରୋଗରେ ମଧ୍ୟ ଉପଯୋଗୀ । ଏହା ସହିତ ପାଚିଲା ଫଳ, କଷାୟ, ସୁଗନ୍ଧଯୁକ୍ତ ଶୀତଳ, ବଳବର୍ଦ୍ଧକ, ମଳକାରକ , ଓ ହୃଦୟ ତଥା ମସ୍ତିସ୍କ ପାଇଁ ଅତ୍ୟନ୍ତ ଉପାଦେୟ ।
ବେଲଚାଷ ଏକ ଲାଭଦାୟକ ଫସଲ ହୋଇପାରିବ । ଉନ୍ନତ କିସମର ଗଛରେ ୫୦୦ ଗ୍ରାମରୁ ୨ କିଗ୍ରା ଓଜନର ବେଲ ଫଳ ଉତ୍ପାଦନ ହୋଇପାରିବ ।
ମୃତ୍ତିକା ଓ ଜଳବାୟୁ : ବାର୍ଷିକ ହାରାହାରି ୧୦୦ରୁ ୨୦୦ ମି.ମି ବୃଷ୍ଟିପାତ ହେଉଥିବା ଅଞ୍ଚଳରେ ଏହା ଭଲ ବଢେ । ଏହା ଟାଣ, ଶୁଷ୍କ, କାଦୁଅ, ଓ ପଟୁମାଟିରେ ଦୃଷ୍ଟିଗୋଚର ହୁଏ ।
ରୋପଣ ପଦ୍ଧତି : ବେଲ ଚାଷ ଆରମ୍ଭ ପାଇଁ ଜୁନ ମାସ ଉପଯୁକ୍ତ ସମୟ ଅଟେ । ମଞ୍ଜି ଗଛରୁ ଝଡିଥିବା ପାଚିଲା ବେଲ ସଂଗ୍ରହ କରାଯାଇ ଫଳରୁ ମଞ୍ଜି ଅଲଗା କରାଯାଏ । ମଞ୍ଜିରୁ ଅଠା ଭଲଭାବେ ଧୋଇ, ଖରାରେ ସୁଖାଯାଏ । ତେଣୁ ମଞ୍ଜିକୁ ଅଧିକ ଦିନ ସଂରକ୍ଷଣ କରାଯାଇପାରିବ ନାହିଁ । ତେଣୁ ମଞ୍ଜି ସଂଗ୍ରହର ୮/୧୦ ଦିନ ମଧ୍ୟରେ ପଟାଳି ପ୍ରସ୍ତୃତ କରି କିମ୍ବା ପଲିଥିନ ମୁଣାରେ ଲଗାଯିବା ଉଚିତ । । ମଞ୍ଜି କୁ ଲଗାଯିବା ପୂର୍ବରୁ ପ୍ରାୟ ୧୨ ଘଣ୍ଟା ଭିଜାଯାଏ । ୩ ମାସରୁ ୧୨ ମାସ ମଧ୍ୟରେ ଚାରା ଲଗାଇବା ପାଇଁ ପ୍ରସ୍ତୁତ ହୋଇଥାଏ । ପଲିଥିନ ମୁଣାରେ ମାଟି ଓ ଜୈବିକ ସାର ମିଶାଇ ପ୍ରତି ମୁଣାରେ ୧ରୁ ୨ ଟି କରି ମଞ୍ଜି ରୋପଣ କରାଯାଏ । ପ୍ରାୟ ୧ ମାସ ପରେ ମଞ୍ଜି ଅଙ୍କୁରିତ ହୋଇଥାଏ । ଚାରାଗୁଡିକ ୧ ବର୍ଷ ନର୍ସରୀରେ ରହିବା ଦରକାର ।
ଅଙ୍ଗୀୟ ଜନନ : ପଟାଳିରେ ବା ମୁଣାରେ ଥିବା ବାରରୁ ଅଠର ମାସର ପୋଷାକ ଚେର ସହିତ କକ୍ଷୀୟ , ପୋଷ୍ୟ ମୁକୁକକୁ କଲମୀକରଣ କରାଯାଇ ଚାରା ଉତ୍ପର୍ଣ୍ଣ କରାଯାଏ । ପୋଷାକ ଛାଡ଼ ପ୍ରାୟ ୦.୭୫ ସେମି ମୋଟା ହୋଇଥିବା ଆବଶ୍ୟକ । ପତ୍ର ଝଡା ଦେବା ପାରେ ପୋଷ୍ୟ ମୁକୁଳକୁ ସତର୍କତାର ସହିତ କଟାଜାଏ ପୋଷାକ ପୋଷାକରେ “ ରିଙ୍ଗ” କଲମୀ କରାଯାଏ । କଲମୀ କରିବାର ପନ୍ଦର ଦିନ ପରେ ପୋଷକର ଅଗ୍ରଭାଗକୁ କଟାଜାଏ ଯାହାକି ଶୀଘ୍ର ସଂଯୋଜନ ହେବାରେ ସହାୟକ ହୁଏ । ପ୍ରାୟ ୩୦ରୁ ୪୫ ଦିନ ପରେ ମୁକୁଳରୁ ପ୍ରରୋହ ବାହାରେ ।
ମଞ୍ଜିରୁ ଉତ୍ପର୍ଣ୍ଣ ଚାରା ପ୍ରାୟ ବର୍ଷକ ପରେ ଲଗାଯାଏ । କିନ୍ତୁ ନର୍ସରୀରେ ଦୁଇବର୍ଷ ପର୍ଯ୍ୟନ୍ତ ଚାରା ରଖି ଆବଶ୍ୟକ ଯତ୍ନ ନେଲେ ଦ୍ରୁତ ବୃଦ୍ଧି ଘଟେ । ୪୫ ଘନ ସେମି ଗାତ ଖୋଳି ବର୍ଷାଋତୁ ଆରମ୍ଭରେ ଚାରା ଲଗାଯାଏ ।
ସାର ପ୍ରୟୋଗ : ଗଛରେ ଫଳ ଆସିବା ପରେ ଗଛ ପିଛା ୫୦୦ ଗ୍ରାମ ଯବକ୍ଷାରଜାନ,୨୫୦ ଗ୍ରାମ ଫସଫରସ ଏବଂ ୫୦୦ ଗ୍ରାମ ପଟାସ ଦେଲେ ଗଛରୁ ଆମଦାନୀ ଆଶାତୀତ ହୋଇଥାଏ । ବେଲଗଛ ଅତ୍ୟଧିକ ସହନଶୀଳ ହେତୁ ଏଥିରେ କୌଣସି ଅତିରିକ୍ତ ଜଳ ସିଞ୍ଚନ ଦରକାର ହୋଇନଥାଏ । ଗଛର ସଠିକ ବୃଦ୍ଧି ପାଇଁ ପ୍ରଥମ ବର୍ଷାପରେ ଅଗଡାଳଗୁଡିକ କାଟିବା ଆବଶ୍ୟକ ହୋଇଥାଏ । ଏହି ଡାଳକଟା ବର୍ଷରେ ଦୁଇଥର ଯଥାକ୍ରମେ ଅପ୍ରେଲ- ମେ ଏବଂ ଅଗଷ୍ଟ ମାସରେ କରାଯାଇପାରେ । ଡାଳ କାଟିବା ଦ୍ଵାରା ଗଛଗୁଡିକ ଶାଖାପ୍ରଶାଖା ମେଲାଇ ବଢିଥାନ୍ତି ଓ ଉତ୍ପାଦନ ମଧ୍ୟ ବୃଦ୍ଧି ପାଇଥାଏ । କଲମୀ ଗଛରୁ ୪ ବର୍ଷଓ ମଞ୍ଜି ରୋପିତ ଗଛରୁ ୭ରୁ ୮ ବର୍ଷ ପରେ ଫୁଲ ଓ ଫଳ ମିଳିଥାଏ । ଏପ୍ରିଲ- ମେ ମାସରେ ଫଳ ପରିପକ୍ଵ ହୋଇଥାଏ ।
ଅମଳ : ପୂର୍ଣ୍ଣ ପରିପକ୍ଵ ଫଳ ଚଟାଣରେ ପଡି ଫାଟିଯିବାର ସମ୍ଭାବନା ଥିବାରୁ ଏହାକୁ ପାଚିଲା ପୂର୍ବରୁ ତୋଳାଜାଇ କୃତ୍ରିମ ପ୍ରକ୍ରିୟାରେ ପଚାଯାଇପାରେ । ଶୀତଳ ଭଣ୍ଡାରରେ ଏହାକୁ ୩ ମାସ ପର୍ଯ୍ୟନ୍ତ ସରଂକ୍ଷିତ କରାଯାଇପାରେ ।
ବ୍ୟବସାୟିକ ସୂଚନା : ୧୯୯୯-୨୦୦୦ ମସିହାରେ ବେଲ ଛେଲି କିଗ୍ରା ପ୍ରତି ନୂଆଦିଲ୍ଲୀରେ ୧୫ ଟଙ୍କା, କଲିକତାରେ ୧୮ ଟଙ୍କା, ଓ ମୁମ୍ବାଇରେ ୨୫ ଟଙ୍କା ଥିଲା । ଏହାର ଫଳ କିଗ୍ରା ପ୍ରତି ବାଙ୍ଗାଲୋରରେ ୧୫ ଟଙ୍କା, କୋଲକାତା ୬ ଟଙ୍କା, ନୂଆଦିଲ୍ଲୀରେ ୮ରୁ ୨୦ ଟଙ୍କା ଥିବାବେଳେ ଚେନ୍ନାଇରେ ୯ ଟଙ୍କା ଥିଲା ।
ଆଧାର :ଡାକ୍ତର ଦୀନବନ୍ଧୁ ମହାରଣା
Last Modified : 1/26/2020