ବୈଜ୍ଞାନିକ ନାମ : ବାକୋପା ମୋନିଏରି
ବଂଶ : ସ୍କ୍ରୋଫୁଲାରିଆସ
ଓଡିଆ – ବ୍ରାହ୍ମୀ ,
ସଂସ୍କୃତ – ନୀରବ୍ରାହ୍ମୀ , ସୋମବଲ୍ଲୀ
ତେଲୁଗୁ – ଶମ୍ବ୍ରେନୀ, ଚେଟତୁ
ହିନ୍ଦୀ – ବ୍ରାହ୍ମୀ
ବଙ୍ଗଳା – ବ୍ରାହ୍ମୀ ;
ତାମିଲ – ନିରାବ୍ରାହ୍ମୀ
ବ୍ରାହ୍ମୀ ସମଗ୍ର ଭାରତବର୍ଷରେ ସନ୍ତସନ୍ତିଆ ଓ ଆଦ୍ରଭୂମିରେ ଦେଖାଯାଉଥିବା ଏକ ଭୁଇଁପ୍ରସାରୀ ମାଂସଳ କ୍ଷୁପଜାତୀୟ ଉଦ୍ଭିଦ । ଏହା ଏକ ମେଧାକାରକ ବନୌଷଧି ଭାବରେ ପ୍ରସିଦ୍ଧ । ଆୟୁର୍ବେଦ ଚିକିତ୍ସାଶାସ୍ତ୍ରମାନଙ୍କରେ ବ୍ରାହ୍ମୀକୁ ମସ୍ତିସ୍କ ପାଇଁ ଅତ୍ୟନ୍ତ ହିତକାରକ ବୋଲି ବର୍ଣ୍ଣନା କରାଯାଇଛି । ମୁଖ୍ୟତଃ ମସ୍ତିସ୍କ ସମ୍ବନ୍ଧୀୟ ରୋଗ, ଯଥା ସ୍ତୁତିଶକ୍ତିହୀନତା, ଉନ୍ମାଦ ବା ପାଗଳାମି ରୋଗର ଚିକିତ୍ସା ନିମିତ୍ତ ଏହାକୁ ସେବନ କରାଯାଇଥାଏ । ସୁତରାଂ ଏହାର ମହତ୍ତ୍ଵପୂର୍ଣ୍ଣ ଔଷଧୀୟ ଗୁଣ ଦୃଷ୍ଟିରୁ ଏହାର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଛି । ତେଣୁ ଏହାର କୃଷିକାରଣ ଦ୍ଵାରା କେବଳ ଯେ ଏହାର ଚାହିଦା ପୂରଣ ହୋଇଥାଏ ତା ନୁହେଁ ଅଧିକିନ୍ତୁ ଏହା କୃଷକମାନଙ୍କୁ ଆର୍ଥିକ ଲାଭ ପ୍ରଦାନ କରିଥାଏ ।
ବ୍ରାହ୍ମୀ ଏକ ଭୁଇଁ ପ୍ରସାରୀ ମାଂସଳ କ୍ଷୁପ ଜାତୀୟ ଉଦ୍ଭିଦ । ଏହା ଏକ ପ୍ରକାର ଧାବକ । ବିଶେଷତଃ ସନ୍ତସନ୍ତିଆ ଓ ଓଦା ଭୁଇଁରେ ଏହା ବିକଶିତ ହୁଏ । ଏହାର ଚେରସବୁ କାଣ୍ଡରେ ପବ ବା ଗଣ୍ଠିରୁ ବାହାରିଥାଏ । ଚେରସବୁ ମାଟିକୁ ଜାବୁଡି ଧରିବାରେ ସାହାଯ୍ୟ କରେ । ଏହିପରି ଭାବରେ କାଣ୍ଡ ମାଟି ଉପରେ ମାଡିଯାଇଥାଏ । ପତ୍ରଗୁଡିକ ଛୋଟ ଛୋଟ ଓ ମାଂସଳ । ପତ୍ରରେ ଡେମ୍ଫ ଥାଏ । ଫୁଲ ପତ୍ରର କକ୍ଷ ରେ ହୁଏ । ଫୁଲରେ ପଞ୍ଚୋଟି ପାଖୁଡା ଥାଏ । ତା ମଧ୍ୟରୁ ଗୋଟିକର ଆକାର ବଡ । ଦଳମଣ୍ଡଳ ବା ପାଖୁଡାଗୁଡିକ ପରସ୍ପରକୁ ଲାଗିରହିଥାନ୍ତି । ଫୁଲର ରଙ୍ଗ ସାମାନ୍ୟ ନୀଳମିଶା ଧଳା । ବ୍ରାହ୍ମୀକୁ ଶାଗ କରି ଲୋକେ ଖାଆନ୍ତି ।
ବ୍ରାହ୍ମୀର ପାଞ୍ଚଙ୍ଗ ଔଷଧୀୟ ପ୍ରୟୋଗରେ ବ୍ୟବହୃତ ହୁଏ । ଏଥିରେ (ବ୍ରାହ୍ମୀନ 0.01-0.02%) ଏକ ଖାରାଭ ମୁଖ୍ୟତଃ ମିଳିଥାଏ । ଏହି ଖାରାଭ ହୃଦରୋଗରେ ବିଶେଷ ଲାଭଦାୟକ । ବ୍ରାହ୍ମୀ ବାତ ନାଡୀ –ସଂସ୍ଥାନ ପାଇଁ ବଳକାରକ, ମୁତ୍ରଳ ଏବଂ ବିରେଚକ ଅଟେ । ପୁନଶ୍ଚ , ଏହାର ମେଧାବର୍ଦ୍ଧକ ଗୁଣ ଯୋଗୁଁ ଏହାକୁ ସ୍ମରଣଶକ୍ତିହୀନତା ସ୍ଥିତିରେ ସେବନ କରାଯାଏ । ଏହାଛଡା , ଅପସ୍ମାର, ଉନ୍ମାଦ ତଥା ସ୍ଵରଭଙ୍ଗରେ ମଧ୍ୟ ଏହାକୁ ସେବନ କରାଯାଏ । ମାନସିକ ଦୁର୍ବଳତା , ଅବସାଦରେ ଏହାର ପତ୍ରଚୂର୍ଣ୍ଣ ଉପଯୋଗୀ । ଏହାଛଡା ଛୋଟପିଲାଙ୍କର ସର୍ଦ୍ଦି ଓ କାଶ ଆଦି ରୋଗରେ ଏହାର ସ୍ଵରସ ଏକ ଚାମଚ ଦେଲେ ବିଶେଷ ଉପଶମ ମିଳେ । ଆମବାତ ରୋଗରେ ଏହାର ସ୍ଵରସକୁ ବାହ୍ୟ ପ୍ରୟୋଗ କରାଯାଏ ।
ଜଳବାୟୁ
ବ୍ରାହ୍ମୀ ପ୍ରାୟତଃ ଏକବର୍ଷୀୟ ଗୁଳ୍ମ ଏବଂ ଆଦ୍ର ଓ ସନ୍ତସନ୍ତିଆ ସ୍ଥାନମାନଙ୍କରେ ବଢିଥାଏ । ବିଶେଷତଃ ନଦୀ ଓ ଜଳାଶୟ କୂଳ ସ୍ଥାନରେ ଏହା ପ୍ରଚୁର ମାତ୍ରାରେ ଦେଖିବାକୁ ମିଳିଥାଏ । ଗାଙ୍ଗେୟ ସମତଳ ଭୂମି ଅନ୍ତର୍ଗତ ଗଙ୍ଗା ନଦୀର ତଟବର୍ତ୍ତୀ ଉର୍ବର ଅଞ୍ଚଳରେ ବହୁଳ ପରିମାଣରେ ବ୍ରାହ୍ମୀ ପ୍ରାକୃତିକ ଭାବରେ ଦେଖାଯାଏ । ଅତ୍ୟାଧିକ ଉଷ୍ମ ସ୍ଥାନ ଏବଂ ଯେଉଁଠାରେ ତାପମାତ୍ରା ୩୩ ରୁ ୪୦ ଡିଗ୍ରୀ ସେଲସିୟମ ଏବଂ ଆଦ୍ରତା ୬୦ ରୁ ୬୫% ସେହି ସ୍ଥାନ ବ୍ରାହ୍ମୀଚାଷ ପାଇଁ ଉପଯୁକ୍ତ । ଅମ୍ଳଯୁକ୍ତ ମାଟିରେ ଏହା ଅଧିକ ପରିମାଣରେ ବଢିଥାଏ ।
ଚାରା ରୋପଣ ପଦ୍ଧତି : ବ୍ରାହ୍ମୀ ଚାଷ ପାଇଁ ସର୍ବପ୍ରଥମେ ଜମିକୁ ଭଲ ଭାବରେ ହଳ କରି ପ୍ରତି ଏକରରୁ ୫ ଟନ ଗୋବର ଖତ ଏବଂ ୫୦ କିଗ୍ରା ଚୂନ ମିଶାଇ ଦିଆଯାଏ । ରୋପଣ କରିବାର ପୂର୍ବଦିନ ଜମିକୁ ଭଲ ଭାବରେ ପାଣି ମଡାଇ କାଦୁଆ କରିଦିଆଯାଏ । ଏହାକୁ ପ୍ରାୟ ୨୦,୨୦ ସେମି ଦୂରତାରେ ରୋପଣ କରିଦିଆଯାଏ । ରୋପଣ ପାଇଁ ମାର୍ଚ୍ଚ ଜୁନ ମାସ ଉପଯୁକ୍ତ ସମୟ ଅଟେ । ଏକ ଏକରରେ ହାରାହାରି ୩୫,୦୦୦ ଚାରା ରୋପଣ କରାଯାଇପାରିବ ।
ଜଳସେଚନ ଓ ଚାରାର ଯତ୍ନ
ବ୍ରାହ୍ମୀ ଫସଲ ପାଇଁ ପର୍ଯ୍ୟାପ୍ତ ପରିମାଣର ଜଳ ଆବଶ୍ୟକ ହେତୁ ପ୍ରତି ୭-୮ ଦିନ ବ୍ୟବଧାନରେ ପାଣି ମଡାଇବା ଆବଶ୍ୟକ ହୋଇଥାଏ । ପ୍ରଥମ ୧୫ରୁ୨୦ ଦିନ ଘାସ ବଛାବଛି ଦରକାର ପଡିଥାଏ । ଫସଲର ବୃଦ୍ଧି ସହିତ ଏହାର ଅବଶ୍ୟକତା କମିଆସିଥାଏ ।
ଉନ୍ନତ କିସମ : କିସମ ଓ ପ୍ରକାରଭେଦ ଦୃଷ୍ଟିରୁ ଏହା ଦୁଇ ପ୍ରକାରର ଯଥା (୧)ଯଜ୍ଞଶକ୍ତି ଏବଂ (୨) ସୁବୋଧକ । ପ୍ରଜ୍ଞାଶକ୍ତି କିସମ ଓଡିଶାରେ ବିକଶିତ ହୋଇଛି ।
ରୋଗ ପୋକ ପରିଚାଳନା : ଗ୍ରାସହୋପର ଏବଂ ଟବାକୋ କାଟ ୱାର୍ମ ଏହାର ପ୍ରଧାନ ଶତ୍ରୁ ଅଟନ୍ତି । ଏମାନେ ବ୍ରାହ୍ମୀର ପତ୍ରସବୁ ଖାଇଥାନ୍ତି । ଗ୍ରୀଷ୍ମ କାଳରେ ଏମାନଙ୍କର ଉପଦ୍ରବ ବଢିଯାଇଥାଏ । ରାସାୟନିକ କୀଟନାଶକ ଯଥା ଡିମୋକ୍ରୋନ ସମ୍ମିଶ୍ରଣରୁ ୧ ଗ୍ରାମ ମିଶାଇ ସିଞ୍ଚନ କଲେ ଏହାର ନିୟନ୍ତ୍ରଣ ହୋଇଥାଏ । ସେହିପରି ନିମ୍ବ ଆଧାରିତ ଜୈବିକ କୀଟନାଶକ ମଧ୍ୟ ପ୍ରୟୋଗ କରଯାଇପାରେ ।
ଅମଳ
ରୋପଣ କରିବାର ପ୍ରାୟ ୪-୫ ମାସ ପରେ ଡାକରେ ଫୁଲ ଆସିବା ଆରମ୍ଭ ହେଲେ ନିମ୍ନ ଭାବରୁ ୪ରୁ ୫ ସେମି ଛାଡି ଏହାକୁ କଟିନିଆଯାଏ । ଆକ୍ଟୋବର ଓ ନଭେମ୍ବର ମାସରେ ଅମଳ କରାଯାଏ । ଛାଡିଯାଇଥିବା ମୂଳରୁ ପୁନଃ ଅଙ୍କୁରିତ ହୋଇଥିବା ଫସଲକୁ ପୁନଶ୍ଚ ଜୁନ ମାସରେ କଟାଜାଇଥାଏ । ଉତ୍ପାଦନ ଦୃଷ୍ଟିରୁ ଅକ୍ଟୋବର- ନଭେମ୍ବର ମାସ ସର୍ବୋକୃଷ୍ଟ ସମୟ ଅଟେ ଏବଂ ଏହି ସମୟରେ ଫସଲରେ ଆଲାକାଲଏଡିସର ମାତ୍ରା ଅଧିକ ଥାଏ । କଟାସରିବାପରେ ଏହାକୁ ଛାଇରେ ସୁଖାଯାଏ ଏବଂ ମଝିରେ ମଝିରେ ଓଲଟପାଲଟ କରି ଉତ୍ତମ ରୂପେ ସୁଖାଯାଏ । ଏକ ଏକର ଜମିରୁ ପ୍ରଥମଥର ପ୍ରାୟ ୯୦ କ୍ଵିଣ୍ଟାଲ ପର୍ଯ୍ୟନ୍ତ ବ୍ରାହ୍ମୀଶାଗ ମିଳିଥାଏ ଏବଂ ଶୁଖିଗଲା ପରେ ଏହାର ପ୍ରାୟ ୨୦% ରହିଥାଏ । ଦ୍ଵିତୀୟ ଅମଳରେ ପ୍ରାୟ ୬୦ କ୍ଵିଣ୍ଟାଲ ମିଳିଥାଏ ଏବଂ ଶୁଖିଗଲା ପରେ ଏଥିରେ ୧୨ କ୍ଵିଣ୍ଟାଲ ରହିଥାଏ ।
ବ୍ରାହ୍ମୀ ଫସଲର ଏକର ପ୍ରତି ଆୟବ୍ୟୟର ବିବରଣୀ : ଏକ ଏକର କ୍ଷେତରୁ ପ୍ରାୟ ୩୦ କ୍ଵିଣ୍ଟାଲ ଶୁଖିଲା ବ୍ରାହ୍ମୀଶାଗ ମିଳୁଥିବାବେଳେ ଏକ କ୍ଵିଣ୍ଟାଲ ପ୍ରତି ଟ୨୦୦୦/- ରେ ବିକ୍ରି ହୋଇପାରେ । ଏକ ଏକରରୁ ୬ ମାସ ମଧ୍ୟରେ ୭୦ ହଜାର ଟଙ୍କା ମିଳିପାରିବ ।
ଏକର ପ୍ରତି ବ୍ୟୟ :
୪୦ କ୍ଵିଣ୍ଟାଲ ଶୁଖିଲା ବ୍ରାହ୍ମୀ (୨୦୦୦ ଟଙ୍କା କ୍ଵିଣ୍ଟାଲ) ଦରରେ ୮୦,୦୦୦ ଟଙ୍କା ।
ଆଧାର : ଡାକ୍ତର ଦୀନବନ୍ଧୁ ମହାରଣା
Last Modified : 8/17/2019