ସେଆର କରନ୍ତୁ

ଭୁଇଁନିମ୍ବ

ଭୁଇଁନିମ୍ବ ଭାରତୀୟ ଜଳବାୟୁ ରେ ପ୍ରାକୃତିକ ଭାବରେ ଦେଖାଯାଉଥିବା ଏକ ବହୁପୋଯୋଗୀ ଔଷଧୀୟ ଗୁଳ୍ମ । ବୈଦିକ ଯୁଗରେ ଭାରତୀୟ ମୁନିଋଷି ଓ ଆୟୁର୍ବେଦ ଚିକିତ୍ସକ ମାନେ ଏହାର ମହତ୍ଵପୂର୍ଣ୍ଣ ଔଷଧୀୟ ଗୁଣ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛନ୍ତି ।

ବୈଜ୍ଞାନିକ ନାମ  : ଆଣ୍ଡ୍ରୋଗ୍ରାଫିସ ପାନିକୁଲାଟା

ବଂଶ : ଆକନେନ୍ଥିସି :

ଆଞ୍ଚଳିକ ଭାଷାଗତ ନାମ :

ଓଡିଆ : ଭୁଇଁନିମ୍ବ

ସଂସ୍କୃତ : କାଲମେଘ

ହିନ୍ଦୀ : କାଲମେଘ

ବଙ୍ଗଳା : କାଲମେଘ

ଉପକ୍ରମ

ଭୁଇଁନିମ୍ବ ଭାରତୀୟ ଜଳବାୟୁ ରେ ପ୍ରାକୃତିକ ଭାବରେ ଦେଖାଯାଉଥିବା ଏକ ବହୁପୋଯୋଗୀ ଔଷଧୀୟ ଗୁଳ୍ମ । ବୈଦିକ ଯୁଗରେ ଭାରତୀୟ ମୁନିଋଷି ଓ ଆୟୁର୍ବେଦ ଚିକିତ୍ସକ ମାନେ ଏହାର ମହତ୍ଵପୂର୍ଣ୍ଣ ଔଷଧୀୟ ଗୁଣ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛନ୍ତି  । ସାଧାରଣ ଜନତାଙ୍କ ମଧ୍ୟରେ ଦେଶୀୟ ଚିକିତ୍ସାରେ ମଧ୍ୟ ବହୁ ପ୍ରାଚୀନ କାଳରୁ ବ୍ୟବହୃତ ହୋଇଆସୁଛି  । ଆଧୁନିକ ଚିକିତ୍ସାରେ ଯକୃତ ସମ୍ବନ୍ଧୀୟ ରୋଗର ଉପଚାର କ୍ଷେତ୍ରରେ ଏହାର ବହୁଳ ଉପଯୋଗୀତା ଦୃଷ୍ଟିରୁ ଏହାର ଚାହିଦା କ୍ରମାଗତ ଭାବରେ ବୃଦ୍ଧି ପାଉଛି  । ତେଣୁ ଏହାକୁ ବ୍ୟବଶାୟିକ ଭିତ୍ତିରେ ଚାଷ କରାଗଲେ ଚାଷୀମାନଙ୍କର ଆର୍ଥିକ ଅବସ୍ଥାରେ ଉନ୍ନତି ଆଣିବାରେ ଏହା ନିଶ୍ଚିତ ଭାବରେ ସହାୟକ ହୋଇପାରିବ  ।

ଆକୃତି ଓ ବର୍ଣ୍ଣନା

ଭୁଇଁନିମ୍ବ ୩୦ ରୁ ୯୦ ସେମି ଉଚ୍ଚତା ବିଶିଷ୍ଟ ଏକବର୍ଷୀୟ ତୃଣ ଜାତୀୟ ଉଦ୍ଭିଦ । ଏହାର ପତ୍ରର ଲମ୍ବ ୭.୫ ସେମି ଏବଂ ଓସାର ୨.୫ ସେମି  ।  ଏଥିରେ ଧଳାରଙ୍ଗର ଫୁଲ ଫୁଟିଥାଏ ଏବଂ ଫୁଲର ପାଖୁଡାରେ ବାଇଗଣି ରଙ୍ଗର ଦାଗ ପଡିଥାଏ । ଫଳଗୁଡିକ,  ଲମ୍ବା କୃତି  ପାଚିଗଲେ ଶୁଖି ଫାଟିଯାଏ । ଏଥିରେ କ୍ଷୁଦ୍ରାକୃତି ହଳଦିଆ ବର୍ଣ୍ଣର ମଞ୍ଜି ଥାଏ  ।

ପରିବ୍ୟାପ୍ତି

ଭୁଇଁନିମ୍ବ ଭାରତର ଦକ୍ଷିଣ- ପୂର୍ବ , ରାଜ୍ୟ ସମୂହ ଯଥା- ପଶ୍ଚିମବଙ୍ଗ  , ଓଡିଶା, ବିହାର, ଝାଡଖଣ୍ଡ  ,  ଆସାମ, କେରଳ , କର୍ଣ୍ଣାଟକରେ ପ୍ରାକୃତିକ ରୂପେ ଜଙ୍ଗଲ ଓ ବାଡିବଗିଚାରେ ଉତ୍ପନ୍ନ ହୋଇଥାଏ  । ଏହାଛଡା , ଉତ୍ତରପ୍ରଦେଶର ଜଙ୍ଗଲମାନଙ୍କରେ ମଧ୍ୟ ଏହା ପ୍ରାକୃତିକ ରୂପରେ ପ୍ରଚୁର ପରିମାଣରେ ମିଳିଥାଏ । ବର୍ତ୍ତମାନ ଏହାକୁ ପ୍ରାୟ ଭାରତର ସମସ୍ତ ଅଞ୍ଚଳରେ ବ୍ୟବସାୟିକ ଭିତ୍ତିରେ ଚାଷ କରିବା ପାଇଁ ପ୍ରଯତ୍ନ କରାଯାଉଛି ।

ଔଷଧୀୟ ଗୁଣ ଓ ପ୍ରୟୋଗ

ଭୁଇଁନିମ୍ବ ଗଛର ପଞ୍ଚଙ୍ଗାରେ ଆଣ୍ଡ୍ରୋଗ୍ରାଫୋଲାଇଡ ୨ରୁ ୨.୫ ପ୍ରତିଶତ ମାତ୍ରାରେ ଏହାଏ  । ଏହା ବ୍ୟତିତ, ଏହିଗଛରେ ଫ୍ଲେବନାଇଡସ , ଫିନାଇଲପ୍ରୋ ପେଟାଇଡସ  ଥାଏ ଏହିସବୁ କ୍ଷାରାଭ ତତ୍ତ୍ଵ ଯୋଗୁଁ ଏହାର ଔଷଧୀୟ ଗୁଣ ଶୀର୍ଷରେ ଥାଏ  ।

ଆୟୁର୍ବେଦୀୟ ଚିକିତ୍ସାରେ ଏହାକୁ ମୁଖ୍ୟତଃ ଯକୃତ ସମ୍ବନ୍ଧୀୟ ରୋଗ , କୃମିରୋଗ , ରକ୍ତହୀନତା , ଜ୍ଵର ଓ ପେଟ ରୋଗରେ ବ୍ୟବହାର କରାଯାଏ । ଶୁଷ୍କ ପଞ୍ଚାଙ୍ଗ ବ୍ୟତୀତ ବଜାରରେ kalmegh mother tincture ମଧ୍ୟ ମିଳିଥାଏ  ।

କାଲମେଘ ଓ ଚିରେଇତା ମଧ୍ୟରେ ପ୍ରଭେଦ

ଭୁଇଁନିମ୍ବ ଓ ଚିରେଇତାକୁ ଅଧିକାଂଶ ଲୋକ ଓ ବେପାରୀମାନେ ଗୋଟିଏ ଗକ ବୋଲି ଭୁଲ ବୁଝିଥାନ୍ତି  । କିନ୍ତୁ ଏହା ଦୁଇଟି ଅଲଗା ଗଛ । ଏହି ଗଛଦ୍ୱୟ ସମାନ ଭାବରେ ପିତା ଲାଗେ କିନ୍ତୁ ଡିଟିର ରାସାୟନିକ ସଂଗଠନ ଓ ଔଷଧୀୟ ଗୁଣ ଭିନ୍ନ ଅଟେ  । ଚେରିଇତା ଗଛ ଏକରୁ ଦେଢ ମିଟର ଉଚ୍ଚତା ବିଶିଷ୍ଟ ଏକ ପ୍ରକାର କ୍ଷୁପ ଅଟେ । ଏହାର କାଣ୍ଡର ପ୍ରତ୍ୟେକ ଗଣ୍ଠିରୁ ପୋଡି ପୋଡି ହୋଇ ଏବଂ ପରସ୍ପର ବିପରୀତ ଦିଗରେ ପତ୍ରଗୁଡିକ ବାହାରିଥାଏ  । ପତ୍ରଗୁଡିକ ସରୁ , ଲମ୍ବା ଏବଂ କୋମଳ  ।  ପତ୍ରରେ ଡେମ୍ଫ ନଥାଏ  । ଏହାଛଡା , ଯେଉଁଠାରେ ଚିରେଇତା ଗଛ ହୋଇଥାଏ ତା ଆଖପାଖରେ ବହୁତ ଚିରେଇତା ଗଛ ନିଶ୍ଚିତ ଭାବରେ ବଢିଥାଏ । ବୀଜବିକ୍ଷେପ ପ୍ରାକୃତିକ ପ୍ରଣାଳୀରେ ହେଉଥିବା ଏହି ଉଦ୍ଭିଦ ବହୁଳ ଭାବରେ ଉକ୍ତ ସ୍ଥାନରେ ମାଡିଯାଏ  । ଭୁଇଁନିମ୍ବରୁ  ଆଣ୍ଡ୍ରୋଗ୍ରାଫୋଲାଇଡ  ମିଳିଥାଏ  । କିନ୍ତୁ ଚିରେଇତା ଚିତାରିନ ନାମକ ଆଲକାଲଏଡ ମିଳିଥାଏ । ତେଣୁ ଉଭୟ ଗଛ ଭିନ୍ନ ପ୍ରଜାତିର ଅଟନ୍ତି  ।

ଚାଷପ୍ରଣାଳୀ

ଜଳବାୟୁ ଓ ମୃତ୍ତିକା

ଭୁଇଁନିମ୍ବ କରିବା ପାଇଁ ଉଷ୍ମ କଟିବନ୍ଧୀୟ ଜଳବାଯୁ ଉପଯୁକ୍ତ । ତେଣୁ ଭାରତ ଏକ ଗ୍ରୀଷ୍ମପ୍ରଧାନ ଦେଶ ହୋଇଥିବାରୁ ଏହାକୁ ଭାରତର ଶୁଷ୍କ ପ୍ରଦେଶମାନଙ୍କରେ ଚାଷ କରାଯାଇପାରିବ  । ଏହାଛଡା, ଏହା ନରମ ହାଲକା ମାଟି ବିଶେଷତଃ ବାଲିଆ ଦୋରସା ମାଟିରେ ଛାଇ ଜାଗାରେ ଭଲ ବଢିପାରେ । ଏଥିପାଇଁ ମାଟିର ପି.ଏଚ. ୬.୫ ରୁ ୮.୫ ହୋଇଥିବା ଦରକାର  ।

ରୋପଣ ପଦ୍ଧତି ଓ ଚାରାର ଯତ୍ନ

ଭୁଇଁନିମ୍ବ ଚାଷ କରିବା ପାଇଁ ପ୍ରଥମେ ଜମିକୁ ଭଲଭାବରେ ଗଭୀର ଧାଡି ଓ ସିଧା ଚାଷ କରାଯାଇ ମାଟି ଗୁଣ୍ଡକରି  ସମତଳ କରାଯିବା ଆବଶ୍ୟକ । ଏକର ପ୍ରତି ୫ ଟନ ଗୋବର ଖତ ମିଶାଇ ପୁଣି ତା ଉପରେ ମଇ ଚଳାଇ ଦେବା ଆବଶ୍ୟକ  । ବର୍ଷାଋତୁରେ ୧-୧ ଫୁଟ ବ୍ୟବଧାନରେ ଚାରା ଗଛକୁ ରୋପଣ କରାଯାଏ । ଏକ ଏକରରେ ୩୦ରୁ ୩୫୦୦୦ ଚାରା ରୋପଣ କରାଯାଇପାରିବ  । ରୋପଣ କରିବାର ୨୦-୨୫ ଦିନ ମଧ୍ୟରେ ପ୍ରଥମ ଘାସ ବଛା ଓ ୪୦ ଦିନ ପରେ ଦ୍ଵିତୀୟ ଘାସ ବଛାବଛି କରିବା ଦରକାର । ଗଛ ଲଗାଇବା ପୂର୍ବରୁ ଜମିରେ ଘାସମରା ଔଷଧ ପ୍ରାୟଗ କରାଗଲେ ଏହା ଫଳପ୍ରଦ ହେବ  ।

ଜଳସେଚନ ଓ ସାର ପ୍ରୟୋଗ

ବର୍ଷା ଋତୁରେ ରୋପଣ ଫସଲ ହେତୁ ଏହାର ଜଳସେଚନର ଅବଶ୍ୟକତା ନାହିଁ । କିନ୍ତୁ ଯଦି ବର୍ଷାନହୁଏ  ତେବେ ୧୫-୨୦ ଦିନ ବ୍ୟବଧାନରେ ଜଳ ସିଞ୍ଚନ କରାଯିବା ଉଚିତ  । ଏହା ଛଡା ଗଛର ଭଲ ଅଭିବୃଦ୍ଧି ପାଇଁ ଗଛ ଲଗାଇବାର ୩୦-୪୦ ଦିନ ମଧ୍ୟରେ ଏକର ପ୍ରତି ୧୨ କିଗ୍ରା ବାଇଓଜାଇମ ଗ୍ରେନୁଲସ ଦିଆଯିବା ଉଚିତ । ଏହି ଗଛ ଅତିରିକ୍ତ ତିକ୍ତ ହୋଇଥିବାର ଏଥିରେ ପ୍ରାୟ ପୋକ ଲାଗନ୍ତି ନାହିଁ  ।

ଅନ୍ତଃ ଫସଲ

ଏହାକୁ ଅଁଳା , ସଫେଦ ମୁସଳୀ ସହ ମିଶାଇ ଚାଷ କଲେ କୃଷକ ଅଧିକ ଲାଭବାନ ହୋଇପାରିବ  ।

ଉତ୍ପାଦନ : ଚାରା  ରୋପଣର ୬୫ ଦିନ ପରେ ଏଥିରେ ଧଳାରଙ୍ଗର ଫୁଲ ଧରେ ଏବଂ ପ୍ରଥମ ଏହି ଗଛରେ ପତ୍ରାଧିକ୍ୟ ଦେଖାଯାଏ କିନ୍ତୁ ଗଛରେ ଫୁଲ ଫଳ ଧରିବା ପରେ ଉପର ପତ୍ରସବୁ ଝଡିଯାଏ । କେବଳ ଗଛ ତଳ ଅଂଶରେ ପତ୍ର ଥାଏ । ଫୁଲ ଫଳ ଧରିବା ଆରମ୍ଭ ହେଲେ ଗଛଗୁଡିକ ଉପାଡି ଅମଳ କରିବା ଉଚିତ  । କାରଣ ଏହି ଅବସ୍ଥାରେ ଗଛର ପଞ୍ଚାଙ୍ଗ ମିଳିଥାଏ । ଏହାକୁ ସେପ୍ଟେମ୍ବର – ଅକ୍ଟୋବର ମାସରେ ଅମଳ କରାଯାଏ । କିନ୍ତୁ ଯଦି କୃଷକ ମଞ୍ଜି ଅମଳ କରିବାକୁ ଇଚ୍ଛା କରେ ତେବେ ଏହାକୁ ଫେବୃୟାରି – ମାର୍ଚ୍ଚରେ ମଞ୍ଜି ପାଚିଲା ପରେ ଅମଳ କରାଯାଏ । କିନ୍ତୁ ଏଥିରେ କମ ପରିମାଣର ଅମଳ ମିଳିଥାଏ । ସେପ୍ଟେମ୍ବର – ଅକ୍ଟୋବର ମାସରେ ଏକର ପ୍ରତି ୧୦ କ୍ଵିଣ୍ଟାଲ ଶୁଖିଲା ପଞ୍ଚାଙ୍ଗ ମିଳିପାରିବ କିନ୍ତୁ ମାର୍ଚ୍ଚରେ ଅମଳ ଲରେ ୮.୫ କ୍ଵିଣ୍ଟାଲ ପଞ୍ଚାଙ୍ଗ ଓ ୨୦ କିଗ୍ରା ମଞ୍ଜି ମିଳିପାରିବ  ।

ଯଦି ଜଳସେଚନର ସୁବିଧା ଥାଏ ତେବେ ସେପ୍ଟେମ୍ବର ଅକ୍ଟୋବରରେ ଗଛଗୁଡିକୁ ନ ଉପାଡି ମାଟି ଉପରେ କାଟିଦିଆଯାଏ ଏହାର ପଞ୍ଚାଙ୍ଗକୁ ଶୁଖାଯାଏ । ତା ପରେ ଜମିରେ ଜଳସେଚନ କଲେ ଚେରରୁ ପୁଣି ନୂତନ ଶାଖା ବାହାରିଥାଏ ଓ ୫୦ -୬୦ ଦୋମ ମଧ୍ୟରେ ଫୁଲ ଫଳ ଧରିଥାଏ । ଏହି ଅବସ୍ଥାରେ ଗଛକୁ ଉପାଡି ମାର୍ଚ୍ଚ ମାସରେ ଅମଳ କରାଯାଏ । ଏହିପରି କୃଷକ ୧ ବର୍ଷରେ ୨ ଥର ଫସଲ ଅମଳ କରିପାରିବ ଓ ଫଳରେ (୧୫ କ୍ଵିଣ୍ଟାଲ ଫସଲ )  ପ୍ରତି ଏକର ପିଛା ପାଇପାରିବେ  ।

ବଜାର ସୁବିଧା ଓ ଆର୍ଥିକ ଲାଭ

ଏହାକୁ ତିନି ପ୍ରକାର ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନକୁ ବିକ୍ରୟ କରାଯାଇପାରିବ , ଯଥା (୧) ଆୟୁର୍ବେଦିକ ସଂସ୍ଥା  (୨) ସାଧାରଣ ବୈଦ୍ୟ  (୩) ଆଲକାଲଏଡ ଉତ୍ପନ୍ନ କରୁଥିବା ସଂସ୍ଥା  । ଏହାକୁ କାନପୁର, ଇନ୍ଦୋର , ଦିଲ୍ଲୀ , ର ବଜାରରେ ବିକ୍ରି କରାଯାଇପାରିବ । ମଞ୍ଜି ପୁନଃକ୍ରୟର ସୁବିଧା ମଧ୍ୟ ଅନେକ ସଂସ୍ଥାମାନେ କରୁଛନ୍ତି  ।

୬ ମାସର ଫସଲରେ ଏକର ପ୍ରତି ୨୦ କ୍ଵିଣ୍ଟାଲ ଶୁଖିଲା ପଞ୍ଚାଙ୍ଗ ଅମଳ ହେଲେ କ୍ଵିଣ୍ଟାଲ ପ୍ରତି ୧୩୦୦ ଟଙ୍କା ହିସାବରେ ୨୬,୦୦୦ ଟଙ୍କା ମିଳିପାରିବ ବ୍ୟୟ ଯଦି ୬୦୦୦ ଟଙ୍କା ହୁଏ ତେବେ ଲାଭ ପ୍ରାୟ ୨୦ ହଜାର ଟଙ୍କା ହୋଇଥାଏ  ।

ଭୁଇଁନିମ୍ବ ଚାଷ ପାଇଁ ଏକର ପ୍ରତି ଆୟବ୍ୟୟ ବିବରଣୀ

( ୧ ବର୍ଷର ଫସଲ : ବର୍ଷରେ ଦୋଫସଲି ପାଇଁ)

ବ୍ୟୟ

  1. ଜମି ପ୍ରସ୍ତୁତି -   ୫୦୦/-
  2. ଚାରା ରୋପଣ – ୩୫୦୦/-
  3. ବାଇଓଜାଇମ – ୫୦୦/-
  4. ଜଳସେଚନ ଓ ଘାସ ବଛାବଛି – ୫୦୦/-
  5. ଫସଲ ସୁଖାଇବା -୫୦୦/-
  6. ପୁନଃ ଉତ୍ପାଦନ – ୧୫୦୦/-

ଆୟ

୨୦ କ୍ଵିଣ୍ଟାଲ ପଞ୍ଚାଙ୍ଗ ବିକ୍ରିରୁ ଆୟ- ୨୬୦୦୦/-

ଆଧାର : ଡାକ୍ତର ଦୀନବନ୍ଧୁ ମହାରଣା

2.96296296296
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top