ବୈଜ୍ଞାନିକ ନାମ : ଏକ୍ଲିପଟା ଆଲବା
ବଂଶ : କମ୍ପୋଜିଟୀ
ଆଞ୍ଚଳିକ ଭାଷାଗତ ନାମ :
ଓଡିଆ – କେଶର୍ଦା , ବା କେଶତୁରା
ତେଲୁଗୁ – ଗାଲାଗରା , ଗୁଣ୍ଡିଗାଲିଜେରୁ
କନ୍ନଡ – ଗରବଡା ସୋପ୍ଳୁ
ହିନ୍ଦୀ – ଭାଙ୍ଗରା
ତାମିଲ- କେଇକେଶି
ଭୃଙ୍ଗରାଜ ବା କେଶତୁରା ଏକ ଭୁଇଁପ୍ରସାରୀ ବହୁଶାଖୀୟ ତୃଣ ଅଟେ । ଏହା ସମଗ୍ର ଭାରତ ରେ ଦେଖାଯାଏ । ଏହା ସାଧାରଣତଃ ବିଷୁବୀୟ , ଉପ- ବିଷୁବୀୟ ତଥା ଗ୍ରୀଷ୍ମ ମଣ୍ଡଳୀୟ ଅଞ୍ଚଳରେ ଦୃଷ୍ଟି ଗୋଚର ହୁଏ । ପତିତ ଜମି ରାସ୍ତା ପାର୍ଶ୍ଵ ଆଦ୍ର ଭୂମିରେ ମଧ୍ୟ ଏହା ବଢେ । ଏହାର ସ୍ଵରସ ଏବଂ ପଞ୍ଚାଙ୍ଗ ଆୟୁର୍ବେଦୀୟ ଚିକିତ୍ସାରେ ବ୍ୟବହୃତ ହୁଏ । ଏହାକୁ ସିଝାଇଲେ ଏହାର ଔଷଧୀୟ ଗୁଣ ନଷ୍ଟ ହୋଇଯାଉଥିବାରୁ ଏହାର କେବଳ ସ୍ବରସ ବା କଳକ ବ୍ୟବହାର କରାଯିବାର ବିଧି ରହିଛି । ମୁଖ୍ୟତଃ କେଶଗତ ରୋଗ ଯଥା କେଶ ପାଚିବା ଓ କେଶ ଝଡିବା ସମସ୍ୟାରେ ଏହାର ବାଧ୍ୟ ଉପଯୋଗ ବହୁଳ ପରିମାଣରେ ହୁଏ । ଏହାର ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ଉନ୍ନତ ପ୍ରଣାଳୀରେ ଏହି ବନୌଷଧିକୁ ଚାଷ କରଳେ କୃଷକମାନେ ଏହାକୁ ଉଦ୍ଦିଷ୍ଟ ବଜାରରେ ବିକ୍ରୟ କରି ପ୍ରଚୁର ଆର୍ଥିକ ଲାଭ ପାଇପାରିବେ ।
ଭୃଙ୍ଗରାଜ ବା କେଶତୁରା ଏକ ଭୁଇଁପ୍ରସାରୀ । ବହୁ ଶାଖାୟିତ ତୃଣ ; ଊର୍ଦ୍ଦ୍ଵଗାମୀ କାଣ୍ଡ ଓ ଗଣ୍ଡିରୁ ଚେର ବାହାରିଥାଏ । ପତ୍ର ଛୋଟ ବଡ ବିବିଧ ଆକାର ବିଶିଷ୍ଟ , ୨ ଇଞ୍ଚ ପର୍ଯ୍ୟନ୍ତ ଲମ୍ବ , ଆୟତ ବର୍ଚ୍ଛାକାର ଏବଂ କୋମଳ ଅଟେ । ଫୁଲଗୁଡିକ ଛୋଟ ବୃନ୍ତ ସହ ସଂଯୁକ୍ତ ଧଳା ରଙ୍ଗ ବିଶିଷ୍ଟ ଏବଂ ମୌଳି ସ୍ତବକରେ ସଜ୍ଜିତ ହୋଇଥାଏ । କେନ୍ଦ୍ରୀୟ ପୁଷ୍ପ ଘଣ୍ଟିକାକାର ଅଟେ ।
ଔଷଧୀୟ ଗୁଣ ଓ ପ୍ରୟୋଗ : ଭୃଙ୍ଗରାଜ ପଞ୍ଚାଙ୍ଗରେ ଅଧିକ ମାତ୍ରାରେ ରାଳ ତଥା ଏକ୍ଲିପ୍ଟାଇନ ଏବଂ ନିକୋଟିନ ନାମକ କ୍ଷାରଭା ରହିଛି । ଆୟୁର୍ବେଦ ଚିକିତ୍ସା ଶାସ୍ତ୍ରମାନଙ୍କରେ ଭୃଙ୍ଗରାଜକୁ ତିକ୍ତ , ଉଷ୍ଣ ଅଗ୍ନିବର୍ଦ୍ଧକ , ପାଚନ , ରସାୟନ , ଯକୃତ ରୋଗ , କାଶ , ରକ୍ତହୀନତା , ଶ୍ଵାସ, ଚର୍ମରୋଗ ଏବଂ ସର୍ବୋପରି କେଶଗତ ରୋଗ ଯଥା କେଶ ପ୍ରସ୍ତୁତିରେ ବ୍ୟବହାର କରାଯାଏ । ଯକୃତ ଉପରେ ଏହାର ବିଶେଷ କ୍ରିୟା ଓ ପ୍ରଭାବ ରହିଛି । ଯକୃତ ଡୋସା କାରଣରୁ ଉତ୍ପନ୍ନ ଯକୃତ ବୃଦ୍ଧି , ପ୍ଳୀହା ବୃଦ୍ଧି , କାମଳ ରୋଗ, ଅର୍ଶ ରୋଗ ରେ ଭୃଙ୍ଗରାଜ ସେବନ ଦ୍ଵାରା ଆରୋଗ୍ୟ ହୋଇଥାଏ । ଜୀର୍ଣ୍ଣ ଚର୍ମରୋଗ ଯଥା କୁଷ୍ଠ , ବ୍ରଣ, ଏବଂ ବିଛା ଦଂଶନ ସ୍ଥାନରେ ଏହାକୁ ଲେପ ଦେଲେ ବିଶେଷ ଉପଶମ ମିଳିଥାଏ । ଏହାକୁ ଅଧିକ ମାତ୍ରାରେ ସେବନ କରିବା ଦ୍ଵାରା ବାନ୍ତି ହୋଇଥାଏ । ତେଣୁ ଏହାର ସ୍ଵରସ ୧ ତୋଳାରୁ ଅଧିକ ସେବନ କରିବା ଅନାବଶ୍ୟକ ।
ଆୟୁର୍ବେଦରେ ପ୍ରସିଦ୍ଧ ଶାସ୍ତ୍ରୟ ତୈଳ ଔଷଧ “ ମହାଭୃଙ୍ଗ ରାଜ ତୈଳ “ ମୁଖ୍ୟତଃ ଭୃଙ୍ଗରାଜା ସହ ଅନ୍ୟ କେତେକ ବନୌଷଧିର ସମ୍ମିଶ୍ରଣ ପ୍ରସ୍ତୁତ ହୋଇଥାଏ । ଏହି ତୈଳ କେଶଗତ ରୋଗ ଯଥା କେଶ ପାଚିବା ଓ କେଶ ଝଡିବା ସମସ୍ୟାର ଉପଚାର ନିମିତ୍ତ ବ୍ୟବହାର ହୋଇଥାଏ । ଦେଶୀୟ ଚିକିତ୍ସାରେ ମଧ୍ୟ ଏହାକୁ ବିଭିନ୍ନ ଛୋଟ ବଡ ରୋଗର ଚିକିତ୍ସାରେ ଲୋକମାନେ ବ୍ୟବହାର କରିଥାନ୍ତି । ସମ୍ପ୍ରତି ଏହାର ଔଷଧୀୟ ଚାହିଦା ବୃଦ୍ଧି ପାଇଥିବାରୁ କୃଷିକରଣ ଆବଶ୍ୟକ ହେଉଛି ।
କର୍ଦ୍ଦମାକ୍ତ ମାଟି ଭୃଙ୍ଗରାଜ ଚାଷ ପାଇଁ ଉପଯୁକ୍ତ । କର୍ଦ୍ଦମାକ୍ତ ମାଟିରୁ ଏହା ଭଲ ବଢୁଥିବା ସତ୍ତ୍ୱେ ଜମି ଚୟନ ସମୟରେ ଏହା ଯେପରି ନାଲି, ଦୋରସା ଓ ଜୈବସାର ସମୃଦ୍ଧ ହୋଇଥିବ ସେଥିପ୍ରତି ଦୃଷ୍ଟି ଦେବା ନିହାତି ଆବଶ୍ୟକ । ଏହା ଛଡା ୧୦ ଡିଗ୍ରୀ ସେଣ୍ଟିଗ୍ରେଡରୁ ୧୫ ଡିଗ୍ରୀ ସେଣ୍ଟିଗ୍ରେଡ ତାପମାତ୍ରା ଥିବା ଅଞ୍ଚଳରୁ ଏହା ଦ୍ରୁତ ବେଗରେ ବୃଦ୍ଧି ପାଏ । ତେବେ ତାପମାତ୍ରାର ତାରତମ୍ୟରେ ମଧ୍ୟ ଏହି ତୃଣଜାତୀୟ ଉଦ୍ଭିଦଟୀ ଖାପଖୁଆଇପାରେ ।
ପାଲକ ମଞ୍ଜିଗୁଡିକ ଅଗଷ୍ଟରୁ ଡେସେମ୍ବର ମାସରେ ସଂଗ୍ରହ କରାଯାଏ ଏବଂ ସାଧାରତଃ ଫେବୃୟାରି ମାସର ଶେଷ ଭାଗ ଆଡକୁ ମଞ୍ଜି ବୁଣାଯାଏ । ମଞ୍ଜିକୁ ବୁଣିବା ପୂର୍ବରୁ ୨୪ ଘଣ୍ଟା ପାଣି ରେ ଭିଜଯାଏ । ଯଦି ବର୍ଷା ଋତୁରେ ମଞ୍ଜି ବୁନଯାଏ ,ଏ ତେବେ ପାତାଳୀରେ ଯେପରି ପାଣି ନ ଜମେ ସେଥିପ୍ରତି ଦୃଷ୍ଟି ଦେବାକୁ ହୁଏ । ଛଅରୁ ସାତ ଦିନ ମଧ୍ୟରେ ମଞ୍ଜିରୁ ଗଜା ବାହାରେ ଶତକଡା ୮୦ ରୁ ୯୦ଭାଗ ମଞ୍ଜି ଗଜା ପାଇଁ ସକ୍ଷମ ଅଟେ ।
୫ରୁ ୬ ଟୀ ଗଣ୍ଠି ଥିବା ଓ ୧୦ରୁ ୧୫ ସେମି ଲମ୍ବର ଅଗ୍ରସ୍ଥ ଡାଳକୁ କାଟି ପଲିଥିନ ମୁଣାରେ କିମ୍ବା ପାତାଳୀରେ ପ୍ରସ୍ତୁତ କରି ଲଗାଯାଏ ପ୍ରାୟ ୪ରୁ ୬ ସପ୍ତାହ ଭିତରେ ନୂତନ ଚାରାଗଛ ବାହାରିପଡେ । ମୂଳରୁ ବାହାରିଥିବା ଭୂସ୍ତାୟୀ ଚେରକୁ ମଧ୍ୟ ବଂଶ ବିସ୍ତାର ପାଇଁ ବ୍ୟବହାର କରାଯାଏ ।
ଚାରା ୪ ରୁ ୬ ପତ୍ର ବିଶିଷ୍ଟ ହୋଇଗଲେ ଜମିରେ ଲଗାଇବା ପାଇଁ ଉପଯୁକ୍ତ ହୋଇଥାଏ ।
୧୯୯୯-୨୦୦୦ ମସିହା ଅନୁଯାୟୀ ଏହି ଗଛର ମୂଲ୍ୟ କିଗ୍ରା ଚେନ୍ନାଇରେ ୮ ଟଙ୍କା , ଦିଲ୍ଲୀରେ ୨୫ ଟଙ୍କା, କଲିକତାରେ ୭ ଟଙ୍କା , ହାଇଦ୍ରାବାଦରେ ୪୦ ଟଙ୍କା, ତଥା ମୁମ୍ବାଇରେ ୩୦ ଟଙ୍କା ଥିଲା । କର୍ଣ୍ଣାଟକ ଓ କେରଳରୁ ମୁଖ୍ୟତଃ ଏହାର କଞ୍ଚାମାଲ ଆସିଥାଏ ।
ଆଧାର : ଡାକ୍ତର ଦୀନବନ୍ଧୁ ମହାରଣା
Last Modified : 8/4/2019