অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମେହେନ୍ଦି

ବୈଜ୍ଞାନିକ ନାମ

:

ଲସୋନିଆ ଇନରମିସ

ବଂଶ

:

ଲିଥ୍ରାଏସି

ଆଞ୍ଚଳିକ ଭାଷାଗତ ନାମ

ଓଡିଆ

:

ମଞ୍ଜୁଆତି

ସଂସ୍କୃତ

:

ମଦୟନ୍ତିକା , ନଖରଞ୍ଜକ

ବଙ୍ଗଳା

:

ମେନ୍ଦି, ମେଇଦି

ହିନ୍ଦୀ

:

ମେହେନ୍ଦି

ତେଲୁଗୁ

:

ଗୋରିଣ୍ଟା , ଚେଟ୍ଟୁ

ଉପକ୍ରମ

ମଞ୍ଜୁଆତି ଏକ ଗୁଳ୍ମ ଜାତୀୟ ଉଦ୍ଭିଦ । ଗାଁ ଦଣ୍ଡରେ ବାଡିବଗିଚାରେ ବାଡକଡରେ ଏହି ଗଛସବୁ ଲାଗିଥିବାର ଦେଖାଯାଏ । ଏହାର ଔଷଧୀୟ ଗୁଣ ଓ ଉପଯୋଗ ବିଷୟରେ ଆମ ଦେଶରେ ସାଧାରଣ ଲୋକେ ଅଳ୍ପବହୁତେ ଜାଣିଥାଆନ୍ତି । ଗ୍ରାମାଞ୍ଚଳର ଝିଅମାନେ ହାତକୁ ମେହେନ୍ଦି ରଙ୍ଗରେ ସଜାଇବା ପାଇଁ ଏହାର ପତ୍ରକୁ ବ୍ୟବହାର କରିଥାନ୍ତି । ଏହାଛଡା, ଏହାର ବହୁମୁଖୀ ଔଷଧୀୟ ଗୁଣ ବିଷୟରେ ମଧ୍ୟ ଆମ ଦେଶର ବୈଦ୍ୟ ଓ କବିରାଜମାନେ ଭଲ ଭାବରେ ପରିଚିତ । ସବୁଜ ସମ୍ପଦଗୁଡିକ ଧ୍ଵଂସ ପାଇଯାଉଥିବାରୁ ପୂର୍ବରୁ ପ୍ରାକୃତିକ ଭାବରେ ଗ୍ରାମାଞ୍ଚଳମାନଙ୍କରେ ଉପଲ୍ଲବ୍ଧ ହେଉଥିବା ଏହି ଗଛଟି ଏବେ ଏକ ବିରଳ ବୃକ୍ଷରେ ପରିଗଣିତ ହେଲାଣି । ସୁତରାଂ ଭବିଷ୍ୟତରେ ଏହାର ଔଷଧୀୟ ଉପଯୋଗୀତା ଓ ପ୍ରାକୃତିକ ରଙ୍ଗ ଲାଭ ଆସାରେ ଏହାର କୃଷିକରଣ କଥା ଚିନ୍ତା କରାଯାଉଛି ।

ଉଦ୍ଭିଦ ପରିଚୟ

ଏହା ଏକ ବହୁଶାଖାୟିତ ଗୁଳ୍ମ । ବେଳେବେଳେ ଏହା ଛୋଟ ଆକୃତିର ହୋଇଥାଏ । କାଣ୍ଡରେ ଲେନ୍ସ ଆକାର ଛୋଟ ଛୋଟ ସବୁଜ ପତ୍ରଗୁଡିକ କାଣ୍ଡର ଗଣ୍ଠିମାନଙ୍କରୁ ବାହାରିଥାଏ । ପତ୍ରର ଲମ୍ବ ୧.୫ ସେମିରୁ ୨.୫ ସେମି ଏବଂ କାଣ୍ଡର ପ୍ରତ୍ୟେକ ଗଣ୍ଠି ବା ପବରୁ ଦୁଇଟି ଲେଖାଏଁ ପତ୍ର ପରସ୍ପରକୁ ବିପରୀତ ଦିଗକରି ବାହାରିଥାନ୍ତି । ବକ୍କଳ ପାଉଁସିଆ- ନୀଳ, ଶାଖାଗୁଡିକ ଚତୁଃଶୋଣିକ ଏବଂ ଶାଖାର ଅଗ୍ରଭାଗ ସୂକ୍ଷ୍ମ ହୋଇଥାଏ । ପୁଷ୍ପ ଧବଳ କିମ୍ବା ଗୋଲାପି ରଙ୍ଗର ହୋଇଥାଏ । ଏହି ଗଛରେ ଫୁଲ ଅକ୍ଟୋବର- ନଭେମ୍ବର ମାସରେ ଏବଂ ଫଳ ନଭେମ୍ବର ମାସରେ ଦେଖାଯାଏ ।

ପ୍ରୟୋଗନୀୟ ଅଂଶ : ପତ୍ର ଏବଂ ଚେର

ଔଷଧୀୟ ଗୁଣ ଓ ପ୍ରୟୋଗ

ମଞ୍ଜୁଆତି ବା ମେହେନ୍ଦି ପତ୍ର ସ୍ଵରସ ଅଳ୍ପ କଷାୟ ମିଶ୍ରିତ, ସ୍ଵର ପରିଷ୍କାରକ ଏବଂ ଦେହର କାନ୍ତି ବର୍ଦ୍ଧିକାରକ ଅଟେ । ବ୍ରଣ, କୁଷ୍ଠ, କଣ୍ଡୁ, ବିସର୍ପ ପ୍ରଭୃତି ସମସ୍ତ ପ୍ରକାର ଚର୍ମରୋଗନାଶକ ଅଟେ । ଏହା ବ୍ୟତୀତ ଏହା ଜ୍ଵରନାଶକ । କାମଳରୋଗ ନିବାରକ, ରକ୍ତବିକାର ନାଶକ, କର୍ଣ୍ଣରୋଗହର ଏବଂ ଚକ୍ଷୁରୋଗହର ଅଟେ । ସାଧାରଣତଃ ଯେକୌଣସି ପ୍ରକାର ଚର୍ମରୋଗରେ ମଞ୍ଜୁଆତି ପତ୍ର ଓ ହଳଦୀ ସମପରିମାଣରେ ଏକତ୍ରିତ କରି ବାଟି ଚର୍ମରୋଗ ହୋଇଥିବା ଲୋକ ଦେହରେ ଲେପନ କାଲେ ଚର୍ମରୋଗ ବିନଷ୍ଟ ହୁଏ । କାମଳ ରୋଗରେ ମଞ୍ଜୁଆତି ଗଛର କଞ୍ଚା ଚେର ଚେର (ଆଙ୍ଗୁଳି ମୋଟର) ଖଣ୍ଡେ ଆଣି ଚାଉଳଧୁଆ ପାଣିରେ ଘୋରି ମହମ ପରି ବହଳିଆ କରି , ସେହି ଘୋରାରୁ ଦୁଇଚାମଚ ଆଣି ଦଶଚାମଚ ପାଣି ସହିତ ଖାଇଲେ କାମଳ ବା ଜଣ୍ଡିସ ରୋଗ ଭଲ ହୁଏ ।ଏହା ଛଡା, ଝାଡା କଠିନ ହେଲେ ମଞ୍ଜୁଆତି ଚେରକୁ ପାଣିରେ ସିଝାଇ ତାର ପାଣିକୁ ପିଇଲେ ମଳ ପରିଷ୍କାର ହୁଏ । ଆହୁରି ମଧ୍ୟ ଏହାର ଜ୍ଵରନାଶକ ଗୁଣ ରହିଛି । ମଞ୍ଜୁଆତି ଡାଳ ଓ ପତ୍ରକୁ ଏକତ୍ର କରି ଜଳରେ ସିଝାଇ ସେହି ଜଳ ସାଙ୍ଗରେ ଅଦାରସ ଓ ମହୁ ମିଶାଇ ସେବନ କାଲେ ଶ୍ଲେଷ୍ମ ଦୋଷ ଓ ତଦଜନିତ ଜ୍ଵର ନିବାରିତ ହୁଏ । ସେହିପରି ଏହି ଗଛର ମୂଳକୁ ମଧ୍ୟ ନେତ୍ରରେ ଅଞ୍ଜନ କରି ଲଗାଇବା ଦ୍ଵାରା ସମସ୍ତ ପ୍ରକାର ନେତ୍ରରୋଗ ଭଲ ହୋଇଯାଏ ଏବଂ ଦୃଷ୍ଟିଶକ୍ତି ବଢେ । ଆଜିକାଲି ପ୍ରସାଧନ ଦ୍ରବ୍ୟ ଭାବରେ ହାତକୁ ରଙ୍ଗ କରିବା ପାଇଁ ଝିଅମାନେ ମେହେନ୍ଦି ପାଉଡର କିଣି ହେଉଛନ୍ତି, ତେଣୁ ଏହାର ଯଥେଷ୍ଟ ବଜାର ଚାହିଦା ରହିଛି ।

ଚାଷ ପଦ୍ଧତି

ମଞ୍ଜୁଆତିକୁ ବ୍ୟବସାୟିକ ଭିତ୍ତିରେ ଚାଷକରି ଅଧିକ ପତ୍ର ଅମଳ କରିବା ପାଇଁ ନଭେମ୍ବର ମାସରେ ମଞ୍ଜି ସଂଗ୍ରହପରେ ତାକୁ ଭାବରେ ଶୁଖାଇ କାଚ ଜାରରେ ରଖାଯାଏ ।

ପ୍ରଥମେ ଚାରା ପଟାଳିକୁ ୧୫ ସେମି ଗଭୀରତାରେ ଖୁସାଇ ୨.୧.୧ ଅନୁପାତରେ ମାଟି,ବାଲି, ଜୈବଖତ ଭଲ ରୂପେ ମିଶାଇ ସମତଳ କରି ଦିଆଯାଏ । ଫେବୃୟାରି ମାସରେ ମଞ୍ଜିକୁ ବାଲି ସାଙ୍ଗରେ ୩.୧ ଅନୁପାତରେ ମିଶାଇ ଚାରା ପଟାଳିରେ ବିକ୍ଷିପ୍ତ ପ୍ରଣାଳୀରେ ବୁଣାଯାଏ । ତାପରେ ବହଳ ପରିମାଣର ବାଲି ଗୋଡାଇ ଦିଆଯାଏ ।ତା ଉପରେ ନଡା ଘୋଡାଇ ପ୍ରତିଦିନ ଦୁଇଥର ପାଣି ଦିଆଯାଏ । ମଞ୍ଜି ଗଯା ହେବାଆରଏଲ ଦେଖାଗଲେ ନଡା ବାହାର କରି ପୂର୍ବପରି ପାଣି ଦିଆଯାଏ । ଚାରାଗୁଡିକ ୨୦-୨୫ ସେମି ଉଚ୍ଚ ହୋଇଗଲେ ଜମିରେ ଲଗାଯାଇଥାଏ ।

ରୋପଣ ଜମିକୁ ଭଲ ଭାବରେ ହଲକରି ମାଟି ଖୁସାଇ ଜୈବଖତ ଦେଇ ସମତଳ କରାଯାଏ । ବର୍ଷାଋତୁ ଗୋଟିଏ ଦୁଇଟି ଭଲ ବର୍ଷା ହୋଇଗଲେ ଚାରାଗୁଡିକ ଯତ୍ନରେ ଚାରା ପଟାଳିରରୁ ଉପାଡି ୨x୨ ମିଟର ବ୍ୟବଧାନରେ ଜମିରେ ରୋପଣ କରାଯାଏ । ବର୍ଷା ନ ହେଲେ ଗଛରେ ପ୍ରଥମ ୭ ଦିନ ପର୍ଯ୍ୟନ୍ତ ପାଣି ଦେବା ଦରକାର ପଡେ । ପ୍ରତି ମାସରେ ଥରେ ମାଟିକୁ ଖୁସାଇ ଅନାବନା ଘାସ ବାହାର କରିଦିଆଯାଏ ।

ଆଧାର : ଡାକ୍ତର ଦୀନବନ୍ଧୁ ମହାରଣା

Last Modified : 12/21/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate