ହୋମ / କୃଷି / କୃଷି ଉଦ୍ୟୋଗ / ଅଙ୍ଗୁର ଚାଷ
ସେଆର କରନ୍ତୁ

ଅଙ୍ଗୁର ଚାଷ

ଅଙ୍ଗୁର ଏକ ଲତା ଜାତୀୟ ଉଦ୍ଭିଦ । ଏହା ଅତି ଲୋକପ୍ରିୟ ଫଳ (କୋଳି)।

ଅଙ୍ଗୁର ଏକ ଲତା ଜାତୀୟ ଉଦ୍ଭିଦ । ଏହା ଅତି ଲୋକପ୍ରିୟ ଫଳ (କୋଳି)। ଏହାର ପାଚିଲା ଫଳକୁ ଅଙ୍ଗୁର କୁହାଯାଏ ଓ ଶୁଖିଲା ଫଳକୁ କିସମିସ। ଏହାକୁ ସିଧା ସେବନ କରାଯାଏ କିମ୍ବା ରସ, ଜାମ ବା ଏହାର ମଞ୍ଜିରୁ ତେଲ ବାହାର କରି ବ୍ୟବହାର କରାଯାଇଥାଏ । ଅଙ୍ଗୁର ଏକ ସୁସ୍ଵାଦୁ ଓ ପୃଷ୍ଟିକର ଫଳ । ପାଚିଲା ଅଙ୍ଗୁର ସହଜରେ ଜୀର୍ଣ୍ଣ ହୁଏ । ସେଥିପାଇଁ ଏହା ସାଧାରଣତଃ ରୋଗୀମାନଙ୍କର ପଥ୍ୟ ହିସାବରେ ବ୍ୟବହୃତ ହୁଏ । ଏଥିରେ ଅଧିକ ପରିମାଣର ଚିନି ଜାତୀୟ ଖାଦ୍ୟ ଓ ଧାତବ ଲବଣ ଥାଏ । ଅଙ୍ଗୁର ପାଚିଲେ ଖିଆଯାଏ । ଅଙ୍ଗୁରର କେତେକ କିସମ ଅଛି ଯାହାର ମଞ୍ଜି ନାହିଁ । ତାକୁ ଶୁଖାଇ କିସମିସ ପ୍ରସ୍ତୁତ କରାଯାଏ । କେତେକ କିସମ ଅଛି ଯାହାର ଫଳରୁ ରସ ବାହାର କରି ଖିଆଯାଏ ଏବଂ ରସରୁ ମଧ୍ୟ ମଦ ତିଆରି ହୁଏ ।

ଉତ୍ପତ୍ତି

କାସ୍ପିଆନ ସାଗର ତୀରବର୍ତ୍ତୀ ଆର୍ମେନିଆରାଜ୍ୟ ଓ ନିକଟବର୍ତ୍ତୀ ଅଞ୍ଚଳ ।

ଜଳବାୟୁ

ଶୁଷ୍କ, ଅର୍ଦ୍ଧଶୁଷ୍କ ତଥା ମରୁପ୍ରାନ୍ତିୟ ଜଳବାୟୁରେ ଖୁବ୍ ଭଲ ହୁଏ । ବର୍ଷା ଋତୁ ନ ଥାଇ କେବଳ ଶିତ ଓ ଗ୍ରୀଷ୍ମ ଦୁଇ ମୁଖ୍ୟ ଋତୁ ଥିବା ଅଞ୍ଚଳରେ ଅଙ୍ଗୁର ଚାଷ ଖୁବ୍ ଭଲ ହୁଏ ।  ଅଧିକ ଓ ଗୁଣାତ୍ମକ ଫଳ ପାଇଁ ଅତ୍ୟଧିକ ଶୀତ ଓ ଅତ୍ୟଧିକ ଗ୍ରୀଷ୍ମ ଋତୁ ଆବଶ୍ୟକ । ଫଳ ଧାରଣ ଦିନଠାରୁ ଫଳ ପାଚିବା ପର୍ଯ୍ୟନ୍ତ ପାଗ ଶୁଖିଲା ଓ ନିର୍ମଳ ରହିଲେ ଫଳ ଉତ୍କୃଷ୍ଟ ଧରଣର ହୋଇଥାଏ । ଗଛରେ ଫୁଲ ଫଳ ଥିବା ସମୟରେ ବର୍ଷା ହେଲେ ପତ୍ର, ଫୁଲ ଓ ଫଳରେ ବିଭିନ୍ନ ରୋଗ ଦେଖାଯାଏ ଓ ଫଳ ପାକଳ ଅବସ୍ଥାରେ ବର୍ଷା ହେଲେ ଫଳ ଫାଟି ନଷ୍ଟ ହୋଇଯାଏ । ସମୁଦ୍ରପତ୍ତନ ଠାରୁ ୬୦୦ମିଟର ଉଚ୍ଚତା ପର୍ଯ୍ୟନ୍ତ ଅଙ୍ଗୁର ଚାଷ ଭଲଭାବରେ କରାଯାଏ । ଯେଉଁ ଜାଗାମାନଙ୍କରେ ବାର୍ଷିକ ବର୍ଷା ୭୫ସେମି ରୁ କମ ସେ ଅଞ୍ଚଳରେ ଅଙ୍ଗୁର ଚାଷ ଭଲ ହୁଏ ।

ମୃତ୍ତିକା

ନାଲି, କଳାଦୋରସା ମାଟିରେ ଅଙ୍ଗୁର ଚାଷ ଭଲହୁଏ, କିନ୍ତୁ ହାଲୁକା ଓ ସହଜରେ ଜଳ ନିଷ୍କାସିତ ହୋଇପାରୁଥିବା ଜମି ଅଙ୍ଗୁର ଚାଷ ପାଇଁ ସର୍ବୋତ୍କୃଷ୍ଟ । ଜଳ ନିଷ୍କାସନର ସୁବ୍ୟବସ୍ଥା ଥିଲେ ଏପରିକି ରୁଗୁଡିଆ, ଅନୁର୍ବର ଓ ସ୍ୱଳ୍ପ ଗଭୀର ବିଶିଷ୍ଟ ମୃତ୍ତିକାରେ ମଧ୍ୟ ଅଙ୍ଗୁର ଚାଷ ଲାଭଜନକ ଭାବେ କରାଯାଇପାରେ । କଠିନ ଚିକିଟା ମାଟି ଯଦି ବିଶେଷ ଚୂନଯୁକ୍ତ ହୋଇଥାଏ ତେବେ ତାହା ଅଙ୍ଗୁର ଚାଷ ପାଇଁ ଅନୁପଯୁକ୍ତ । ମାଟିର ଅମ୍ଳତା ୬.୫ ରୁ ୭.୫ରେ ଏ ଚାଷ ଭଲ ହୁଏ ।

କିସମ

ଅଙ୍ଗୁରର ପ୍ରାୟ ୨୦ କିସମ ଚାଷ କରାଯାଏ । ତେବେ ପ୍ରାୟ ୧୨ କିସମର ଭାରତବର୍ଷରେ ଚାଷ ହେଉଛି । ମଞ୍ଜି ଓ ରଙ୍ଗ ନେଇ ଅଙ୍ଗୁର କିସମକୁ ୪ଭାଗରେ ବିଭକ୍ତ କରାଯାଏ ।

୧ ମଞ୍ଜି ଥାଇ ରଙ୍ଗିନ କିସମ – ବାଙ୍ଗାଲୋର ବ୍ଲୂ, ଗୁଲାବି, କାଳିସାହେବି, ବାଙ୍ଗାଲୋର ପରପୁଲ, ବ୍ଲାକ ପ୍ରିନ୍ସ

୨ ମଞ୍ଜି ନଥାଇ ରଙ୍ଗିନ କିସମ – ବିୟୁଟି ସିଡଲେସ, ସାରଦା ସିଡଲେସ

୩ ମଞ୍ଜି ଥାଇ ଧଳା କିସମ – ଅନାବ-ଇ-ସାହି, ଦିଲଖୁସ, ସିଲେକସନ -୭, ଭୋକ୍ରି

୪ ମଞ୍ଜି ନଥାଇ ଧଳା କିସମ – ପରଲେଟ, ପୁଷା ସିଡଲେସ, ଥମ୍ପସନ ସିଡଲେସ, ଗଣେଷ, ସୋନୋକ, ମାଣିକ, ଚମନ

ବଂଶବିସ୍ତାର

ଅଙ୍ଗୁରର ବଂଶବିସ୍ତାର ସାଧାରଣତଃ ଡାଳ କଲମୀ ଦ୍ଵାରା କରାଯାଏ । ଓଡିଶାର ଅଙ୍ଗୁର ଚାଷ ପାଇଁ ଦୁଇଥର ଡାଳ କଟାଜାଏ । ଠାରେ ଏପ୍ରିଲ ମାସରେ ଓ ଆଉଥରେ ଅକ୍ଟୋବର ମାସରେ । ଡାଳକଟା ସମୟରେ ପାକଳ ଡାଳରୁ ଚେରହେବା ସକାଶେ ଡାଳ ବଛାଯାଏ । ଡାଳକୁ ୩୦ ରୁ ୪୫ ସେମି ଲମ୍ବରେ କଟାଜାଇ ବେଡରେ ପୋତାଜାଏ । ମାଟିରେ ୧୦ସେମି ପର୍ଯ୍ୟନ୍ତ ପୋତାଜାଏ ଓ ମାଟି ଭିତରେ ୨ଟି ଗଣ୍ଠି ରହିବା ବାଞ୍ଛନୀୟ । ଡାଳ ପୋତିବା ପୂର୍ବରୁ ୩:୩.୫୦ ବୋର୍ଡମିକଶ୍ଚରରେ ବୁଡାଇ ପୋତିବା ଉଚିତ । ୩ମାସ ପରେ ଗଛ ଲଗାଇବାକୁ ପ୍ରସ୍ତୁତ ହୋଇଯାଏ ।

ରୋପଣ ଓ ପରବର୍ତ୍ତୀ ଯତ୍ନ

ଗଛକୁ ଗଛ ଓ ଧାଡିକୁ ଧାଡି କେତେ ଦୂରରେ ଲଗାଇବା କଥା ତାହା ମୃତ୍ତିକା, ଜଳବାୟୁ, କିସମର ଲଟେଇବାର କ୍ଷମତା, କାଟଛାଣ୍ଟ ଓ ତାଲିମୀର ପ୍ରଣାଳୀ ଉପରେ ନିର୍ଭର କରେ । ଟେଲିଫୋନେ ପ୍ରଣାଳୀରେ ୩ମିଟର ବ୍ୟବଧାନରେ ଲଗାଯାଏ । ନିଫିନ ସିଷ୍ଟମରେ ୩ମିଟର ବ୍ୟବଧାନରେ ଲଗାଯାଏ । ଅଙ୍ଗୁର ଗଛ ଜାନୁୟାରୀ ଫେବୃୟାରୀ ମାସରେ ଲଗାଯାଏ । ଗାତର ମାପ ଅତିକମରେ ୬୦ସେମି ରେ ୬୦ସେମି ହେବା ଉଚିତ୍ । ଭାଡିସିଷ୍ଟମରେ ଏକ ମିଟର ଗୋଲେଇ ଓ ଏକ ମିଟର ଗଭୀର ଗାତ କରାଯାଏ । ପ୍ରତି ଗାତରେ ଦୁଇ ଟୋକେଇ ଖତ ସହ ୨କେଜି ଜୈବିକସାର ଓ ୫୦ ଗ୍ରାମ କ୍ଲୋରପାଇରିଫସ ଗୁଣ୍ଡ ଦେଇ ଗଛ ଲଗାଯାଏ । ଗଛ ବଢିଲା ପରେ ଅଧିକ ଖତ ଓ ସାର ଦିଆଯାଏ ।

ଖତ ଓ ସାର

ଅଙ୍ଗୁର ଗଛ ବହୁତ ଖତସାର ଦରକାର କରିଥାଏ । ଗୋଟିଏ ଗଛ ବର୍ଷକୁ ୧.୫ କେଜି ରୁ ୩କେଜି ଯବକ୍ଷାରଜାନ ସାର ୭୫୦ଗ୍ରାମ ରୁ ୧.୫ କେଜି ଫସଫରସ ସାର ଓ ୧କେଜି ରୁ ୨.୫ କେଜି ପଟାସ ସାର ଗଛର କିସମ ଓ ମଡାଇବା ପ୍ରଣାଳୀ ଦର୍କାର କରିଥାଏ । ଡାଳ କାଟିବା ପରେ ସାର ଦିଆଯାଏ ।

ଜଳସେଚନ

ଅଙ୍ଗୁର ଚାଷ ପାଇଁ ଜଳସେଚନ ଅପରିହାର୍ଜ୍ୟ । ପୃନିଂ ଓ ଖତସାର ଦେଇ ସାରିବା ପରେ ଦରକାର ଅନୁଯାୟୀ ଜଳସେଚନ ଦେବ । ଓଡିଶା ପାଇଁ ଖରା ଓ ଶୀତ ଦିନ ମାନଙ୍କରେ ୮/୧୦ ଦିନ ବ୍ୟବଧାନରେ ଜଳସେଚନ ଦର୍କାର କରିଥାଏ । ଫଳ ପାଚିବାର ୧୫ ଦିନରୁ ଏକ ମାସ ପୂର୍ବରୁ ଜଳସେଚନ କରାଯାଏନି ।

ତାଲିମ ଓ କାଟଛାଣ୍ଟ

ଅଙ୍ଗୁରର ତାଲିମ ପ୍ରଣାଳୀ ଓ କାଟଛାଣ୍ଟ ଉପରେ ଅଙ୍ଗୁର ଫଳିବା ନିର୍ଭର କରେ । ଆଶ୍ରୟ ଦେଇ ଲତାକୁ ମଡାଇବା, ଲତାର ଆକାରର ସୀମିତ ଏବଂ ଏହାର ବାହୁମାନଙ୍କୁ ନିର୍ଦ୍ଧାରିତ ଦିଗରେ ନିୟନ୍ତ୍ରଣ କରି ବଢାଇବାକୁ ତାଲିମ କୁହାଯାଏ ।

ବିଭିନ୍ନ ପ୍ରକାରର ତାଲିମ ଗୁଡିକ ହେଲା

  • ଖମ୍ବାରୂଢ ପ୍ରଣାଳୀ
  • ସମାନ୍ତରାଳ ତାର ଭାଡି ପ୍ରଣାଳୀ
  • ମଣ୍ଡପ ବା ମଞ୍ଚ ପ୍ରଣାଳୀ
  • ଛତ୍ରକ ବା ଶୀରାକୃତି ପ୍ରଣାଳୀ
  • ଘେରାକୃତି ପ୍ରଣାଳୀ

ଓଡିଶାରେ ଦୁଇଥର ଡାଳ କଟାଜାଏ । ଥରେ ମାର୍ଚ୍ଚ ଏପ୍ରିଲ ମାସରେ । ଆଉ ଥରେ ଅକ୍ଟୋବର ନଭେମ୍ବର ମାସରେ । ଫଳ ତୋଳା ସରିବା ପରେ ଗଛ ଭଲ ବଢିବା ପାଇଁ ମାର୍ଚ୍ଚ ଏପ୍ରିଲ ମାସରେ ଡାଳ କଟାଯାଏ । ମାର୍ଚ୍ଚ ଏପ୍ରିଲ ମାସରେ ଯେଉଁ ଡାଳ କଟାଯାଏ, ତାହା ଏପରି କଟାଯାଏ ଯେ ନୂଆ ଡାଳରେ ଫୁଲ ଓ ଫଳ ନ ଆସି କେବଳ ନୂଆ ନୂଆ ଡାଳ ପତ୍ର କଅଁଳେ ।  ଅକ୍ଟୋବର-ନଭେମ୍ବର ମାସରେ ଯେଉଁ ଡାଳ କଟାଯାଏ, ଯେଉଁ ନୂଆଡାଳ ସବୁ ବାହାରେ ସେଥିରେ ଫୁଲ, ଫଳ ସବୁ ଆସେ ।

ରୋଗ, ପୋକ ଓ ତା’ର ପ୍ରତିକାର

ରୋଗ

ଅଙ୍ଗୁରରେ ଡାଉନି ମିଲିଡର, ପାଉଡରି ମିଳିଡ଼ିଊ ଆନ୍ଥାକନୋଜ ଓ ବ୍ରାଉନ ଲିଫ୍ଟ ସ୍ପଟ ଇତ୍ୟାଦି ରୋଗ ହୁଏ । ଯଦି ଅତ୍ୟଧିକ ବୃଷ୍ଟି ଓ ଆଦ୍ର ଜଳବାୟୁ ଲାଗିରହେ ତେବେ ଏ ରୋଗ ସବୁ ବ୍ୟାପେ ଓ ପ୍ରଭୃତ କ୍ଷତି ସାଧନ କରେ ।

ଡ଼ାଉନି ମିଲିଡିଉ

ବୋର୍ଡ଼ୋମିକଶ୍ଚର ୩:୩.୫୦ ଲତାରେ ୪ଥର ପ୍ରୟୋଗ କରିବ । ବୋର୍ଡ଼ୋମିକଶ୍ଚର ବ୍ୟତୀତ ବ୍ଳାଇଟକ୍ସ -୫୦ ଓ ଇଣ୍ଡୋଫିଲ ଏମ-୪୫ ମଧ୍ୟ ସ୍ପ୍ରେ କରାଯାଇପାରେ ।

ପାଉଡରି ମିଲଡିଉ

ୱେଟବଲ ସଲଫର ସ୍ପ୍ରେ କାଲେ ରୋଗ ଆୟତ ହୁଏ ।

ଆନ୍ଥାକୋନୋଜ

ଲତାର ଗଣ୍ଡି ଓ ବାହୁରେ ବୋର୍ଡ଼ୋ ପେଷ୍ଟ ଲଗାଯାଏ ଓ ଲତାର ବୋର୍ଡ଼ୋମିକଶ୍ଚର ସ୍ପ୍ରେ କରାଯାଏ ।

ପୋକ

ପୋକ ଭିତରେ ଥ୍ରୀପ୍ସ, ଫ୍ଲି ବିଟଲ, ମାଇଟସ, ଭାଇନ ଗାର୍ଡଲର ଓ ଜାସିତ ଇତ୍ୟାଦି ପ୍ରଧାନ ।

ବ୍ରାଉନ ଲିଫ ସ୍ପଟ

କପର ଫଞ୍ଜିସାଇଡ ସ୍ପ୍ରେ କରାଯାଏ ।

ଥ୍ରୀପସ

ଶତକଡା ୦.୧ ଭାଗ ଏଣ୍ଡରିନ ବା ୦.୦୧ ଭାଗ ଡି.ଡି.ଟି ସ୍ପ୍ରେ କରନ୍ତୁ ।

ଫ୍ଲି ବିଟଲ : ଶତକଡା ୦.୧ ଭାଗ କ୍ଳୋରୋପାଇରିଫସ ଗୁଣ୍ଡ କିମ୍ବା ଶତକଡା ୦.୦୨ ଭାଗ ପାରାଥିଅନ ସ୍ପ୍ରେ କରନ୍ତୁ ।

ମିଲିବଗ

ଶତକଡା ୦.୧ ଭାଗ ମାଲାଥିଅନ ସ୍ପ୍ରେ କରନ୍ତୁ ।

ମାଇଟସ

ଶତକଡା ୦.୦୮ ଭାଗ ଟ୍ରିଥିଆନ ସ୍ପ୍ରେ କରନ୍ତୁ ।

ଭାଇନ୍ ଗାର୍ଡଲର

ଗଣ୍ଡିର ମୂଳଭାଗ ଓ ବାହୁକୁ କ୍ଲୋରପାଇରିଫସ ଦ୍ରବଣର ପ୍ରଲେପ ଦେଇ ପୋକ ଦାଉରୁ ରକ୍ଷା କରାଯାଏ ।

ଜାସିଡ

ସିଷ୍ଟେମିକ ଔଷଧ ପକାଇ ପୋକକୁ ଆୟତ କରାଯାଏ । ମେଟାସିଷ୍ଟକ ସବୁଠାରୁ ଭଲ ।

ଅମଳ

ଗଛ ଲଗାଇବାର ୨ବର୍ଷ ପରେ ଫଳ ମିଳେ କିନ୍ତୁ ୩ବର୍ଷ ଠାରୁ ପୂରାଦମରେ ଫଳ ମିଳେ । ଗଛରେ ଫଳ ପାଚିବା ପରେ ଅଙ୍ଗୁର ତୋଳାଯାଏ, କାରଣ ଅନ୍ୟ ଫଳ ପରି ଫଳ ତୋଳା ସରିଲା ପରେ ଅଙ୍ଗୁର ମିଠା ହୁଏନି । ହେକ୍ଟର ପିଛା ୨୦୦ ରୁ ୫୦୦ କୁଇଣ୍ଟାଲ ପର୍ଯ୍ୟନ୍ତ ଅଙ୍ଗୁର ମିଳେ । ହେକ୍ଟର ପିଛା ଆୟ ପ୍ରାୟ ଟ ୫୦,୦୦୦ ରୁ ୮୦,୦୦୦ ମିଳେ ।

ଆଧାର : ଡାକ୍ତର ସୂର୍ଯ୍ୟ ନାରାୟଣ ବେହେରା

2.25
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top