ହୋମ / କୃଷି / କୃଷି ଉଦ୍ୟୋଗ / ଅମୃତ ଭଣ୍ଡା ଚାଷ
ସେଆର କରନ୍ତୁ

ଅମୃତ ଭଣ୍ଡା ଚାଷ

ଓଡିଶାର ସବୁ ଅଞ୍ଚଳରେ ଅମୃତ ଭଣ୍ଡା ଚାଷ କରାଯାଇ ପାରିବ ।

ପୃଥିବୀର ଗ୍ରୀଷ୍ମ ମଣ୍ଡଳୀୟ ଓ ଉପଗ୍ରୀଷ୍ମ ମଣ୍ଡଳୀୟ ଜଳବାୟୁରେ ଅମୃତଭଣ୍ଡା ଏକ ପ୍ରଧାନ ଫଳ । ତେଣୁ ଓଡିଶାର ସବୁ ଅଞ୍ଚଳରେ ଏହାର ଚାଷ କରାଯାଇ ପାରିବ । ଖାଦ୍ୟ ହିସାବରେ ଏହା ଅତ୍ୟନ୍ତ ପୃଷ୍ଟିକର । ଏହା କଞ୍ଚା ପରିବା ଓ ପାଚିଲା ଫଳ ହିସାବରେ ବ୍ୟବହାର କରାଯାଇଥାଏ । ବର୍ଷସାରା ଏଥିରୁ ଫଳ ମିଳିଥାଏ ଓ ଗଛ ଲଗାଇବାର ୬ମାସ ପରେ ଫଳ ମିଳିଥାଏ ।

ଏଥିରେ ଭିଟାମିନ ‘ଏ’ ଓ ‘ସି’ ପ୍ରଚୁର ପରିମାଣରେ ଅଛି । କଞ୍ଚା ଅମୃତଭଣ୍ଡାରୁ ଜାମ,ଜେଲି ମଧ୍ୟ ପ୍ରସ୍ତୁତ ହୁଏ । ଅଜିର୍ଣ୍ଣ,ଅର୍ଶ,ଅତିସାର,ରକ୍ତ,ପିତ୍ତ ଓ କାମଳ ପ୍ରଭୃତ୍ତି ରୋଗରେ ଏହା ପଥ୍ୟ ରୂପେ ବ୍ୟବହୃତ ହୁଏ ।

ଉତ୍ପତ୍ତି

ଆମେରିକାର ଗ୍ରୀଷ୍ମ ମଣ୍ଡଳୀୟ ଅଞ୍ଚଳରୁ ଏହାର ଉତ୍ପତ୍ତି । ଭାରତବର୍ଷକୁ ଏହା ୧୬୦୦ ଶତାବ୍ଦୀରେ ଆସିଥିଲା ।

ଜଳବାୟୁ

ଏହା ଗ୍ରୀଷ୍ମ ମଣ୍ଡଳୀୟ ଓ ଉପଗ୍ରୀଷ୍ମ ମଣ୍ଡଳୀୟ ଫଳ । ଏହା ବରଫ ପାତ ସହିପାରେ ନାହିଁ । ୧୦ ଡିଗ୍ରୀ ସେଣ୍ଟିଗ୍ରେଡ ରୁ ୪୦ ଡିଗ୍ରୀ ସେଣ୍ଟିଗ୍ରେଡ ଉତ୍ତାପ ଯାଗା ମାନଙ୍କରେ ଭଲ ହୁଏ । ସମୁଦ୍ର ପତ୍ତନରୁ ୧୦୦୦ ରୁ ୧୨୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ଯାଗାରେ ଏ ଚାଷ କରାଯାଇ ପାରେ ।

ମୃତ୍ତିକା

ଜଳ ନିଷ୍କାସନ ହୋଇପାରୁଥିବା ଦୋରସା ପଟୁମାଟି ଓ ଦୋରସା ବାଲିଆ ମାଟି ସର୍ବୋତ୍କୃଷ୍ଟ । ବାଲିଆ ମାଟିରେ ଉପଯୁକ୍ତ ଖତସାର ଦେଲେ ଭଲ ଭାବରେ ଚାଷ କରିହେବ । ମାଟିର ଅମ୍ଳତା ୫.୫-୭.୫ ମଧ୍ୟରେ ରହିବା ଉଚିତ୍ । ପାଣି ଧରି ରହୁଥିବା ଚିକିଟା ଓ ଖଳିମାଟି ଅନୁପଯୁକ୍ତ ।

ଉନ୍ନତ ବିହନ

ଅମୃତ ଭଣ୍ଡାର ବହୁତ କିସମ ଅଛି । ପ୍ରଧାନ କିସମ ଗୁଡିକ ହେଲା ହନିଡର,କୁର୍ଗ ହନିଡର,କୋଇମ୍ବାଟୁର,୧,୨,୩,୪,୫ଓ୭,

ୱାସିଙ୍ଗଟନ,ସାନରାଇଜସୋଲୋ,ରାଞ୍ଚି,ପୁଷା ଡେଲିସିଆସ,ପୁଷା ମେଜେଷ୍ଟି,ପୁଷାନନହା,ପୁଷା ଜ୍ୟାଣ୍ଟ,ପୁଷା ୱାର୍ଫ,ସୋଲୋ,ଫାର୍ମ ସିଲେକ୍ସନ,ମୁକୁନ୍ଦ ଫାଉଣ୍ଡେସନ,ମଧୁବିନ୍ଦୁ,ଟାଇୱାନ,ଟୋକିଟା ଇତ୍ୟାଦି ।

କେତେଗୁଡିଏ କିସମର ବିଶେଷ ବିବରଣୀ :

ହନିଡର

ଏହା ବିଶେଷତଃ ଉତ୍ତର ଭାରତ ପାଇଁ ଉପଯୁକ୍ତ । ଗଛରେ ବହୁତ ଫଳେ । ଫଳରେ ମଞ୍ଜି କମ୍ ଥାଏ ଏବଂ ଫଳଟି ସ୍ଵାଦଯୁକ୍ତ ।

କୁର୍ଗ ହନିଡର

ଏହା ହନିଡରର ଉନ୍ନତ କିସମ । ଏହା ଏକ ଉଭୟଲିଙ୍ଗୀ କିସମ । ଫଳଗୁଡିକ ଲମ୍ବାଳିଆ । ଗଛର ଉଚ୍ଚତା ଅପେକ୍ଷାକୃତ କମ ହୁଏ ଏବଂ ବହୁତ ଫଳେ । ଓଡିଶାରେ ଏହା ଖୁବ୍ ଭଲ ହୁଏ ।

କୋଇମ୍ବାଟୁର -୧

ରାଞ୍ଚି କିସମର ଏହି କିସମଟି କୋଇମ୍ବାଟୁର କୃଷି ବିଶ୍ଵବିଦ୍ୟାଳୟରେ ବାହାରିଛି । ଅନ୍ୟ ଗଛ ତୁଳନାରେ ଏହା ଛୋଟ । ଫଳ ଗୁଡିକ ଗୋଲ କିମ୍ବା ଅଣ୍ଡାକୃତି ଏବଂ ପାଚିଲା ଚୋପାର ରଙ୍ଗ ହଳଦିଆ ଦେଖାଯାଏ । ଏହା ଛଡା ୨,୩,୪,୭ ମଧ୍ୟ ଖୁବ ଭଲ କିସମ । ଆମ ଓଡିଶାରେ Co-୨ ଓ Co-୭ ଖୁବ୍ ଭଲ ହେଉଛି ।

ୱାସିଙ୍ଗଟନ

ଏହାର ଫଳଗୁଡିକ ତମ୍ବାକୃତି,ମଧ୍ୟମରୁ ବଡ ଧରଣର, ଲାମ୍ବା ୨୦ ସେ.ମି ଓ ଗୋଲେଇ ୪୦ ସେ.ମି । ଫଳ ଗୁଡିକର ଓଜନ ପ୍ରାୟ ୧ ରୁ ୨ କେଜି ଓ ବହୁତ ମିଠା ।

ପୁଷା ଡେଲିସିୟସ

ଏହି କିସମ ଗଛରେ ଅଣ୍ଡିରା ଫୁଲ ଓ ଉଭୟ ଲିଙ୍ଗୀ ଫୁଲ ଦେଖାଯାଏ । ଫଳଗୁଡିକ ମାଧ୍ୟମ ଆକାରର ଏବଂ ଖୁବ୍ ସ୍ଵାଦଯୁକ୍ତ ।

ପୁଷା ମାଜେଷ୍ଟି

ଏଥିରେ ମଧ୍ୟ ପୁଷା ଡେଲିସିୟସ ପରି ଫୁଲ ଦେଖାଯାଏ । ଫଳ ଗୁଡିକ ମଧ୍ୟମ ଆକାରର ଓ ଗୋଲ । ଏହି କିସମର ଭଲ ଗୁଣ,ଫଳଗୁଡିକ ପାଚିଲାପରେ ବେଶି ଦିନ ରହେ ଓ ଦୁରସ୍ଥାନକୁ ପଠାଯାଇ ପାରେ । ଏହି କିସମର ସାହେବି ରୋଗ ସହଣି ଶକ୍ତି ଅଛି ।

ପୁଷା ଜ୍ୟାଷ୍ଟ

ଏହା ଏକ ପୃଥକ ଲିଙ୍ଗା କିସମ । ଏଥିରେ ବହୁତ ଫଳେ । ପ୍ରାୟ ୨୫ ରୁ ୩୦ ସେ.ମି ଉଚ୍ଚରୁ ଫଳିବାକୁ ଆରମ୍ଭ କରିଥାଏ । ତେଣୁ ବତାସ ସହିପାରେ । ଫଳର ଓଜନ ୨.୫ କେଜି ରୁ ୩.୫ କେଜି ହୁଏ ।

ପୁଷା ୱାର୍ଫ

ଏହା ମଧ୍ୟ ପୃଥକ ଲିଙ୍ଗୀ କିସମ । ଏଥିରେ ବହୁତ ଫଳେ । ପ୍ରାୟ ୨୫ ରୁ ୩୦ ସେମି ଉଚ୍ଚରୁ ଫଳିବାକୁ ଆରମ୍ଭ କଲା । ଫଳ ଗୁଡିକ ଏକ କେଜି ହୁଏ ଓ ଅଣ୍ଡାକୃତି । ଏହି କିସମ କମ୍ ଦୂରତାରେ ଲଗାଯାଏ ।

ତାଇୱାନ

ଏହା ଏକ ଉନ୍ନତ କିସମ । ପାଚିଗଲା ପରେ ଅମୃତ ଭଣ୍ଡା ଭିତର ବାହାର ଖୁବ ସୁନ୍ଦର । ପାଚିଲାପରେ ବହୁତ ଦିନ ମଧ୍ୟ ଶସ ଟାଣ ରହେ । ଅମୃତ ଭଣ୍ଡା ୨ ରୁ ୩ କେଜି ହୁଏ । ମାଇଫୁଲ ଗଛରେ ବେଶି । କେନ୍ଦୁଝରରେ ଏହା ଖୁବ ଭଲ ହେଉଛି । ଆମ ଓଡିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଏହା ସେତେ ଭଲ ହେଉନି ।

ବଂଶ ବିସ୍ତାର

ଅମୃତ ଭଣ୍ଡା ସାଧାରଣତଃ ମଞ୍ଜି ଦ୍ଵାରା ବଂଶ ବିସ୍ତାର ହୋଇଥାଏ । ଭଲ ହୃଷ୍ଟ ପୁଷ୍ଟ ଅଧିକ ଫଳୁଥିବା ଗଛରୁ ମଞ୍ଜି ସଂଗ୍ରହ କରାଯାଏ । ମଞ୍ଜି ସଂଗ୍ରହ କରିବା ସଙ୍ଗେ ସଙ୍ଗେ ତଳି ପକାଇବା ଉଚିତ୍ । ନିର୍ଭର ଯୋଗ୍ୟ ନର୍ସରୀରୁ ମଧ୍ୟ ମଞ୍ଜି ସଂଗ୍ରହ କରାଯାଏ । ତେବେ ମଞ୍ଜି ତୋଳାଠାରୁ ଦୁଇମାସ ମଧ୍ୟରେ ତଳି ପକାଯାଏ । ମଞ୍ଜି ତୋଳା ଠାରୁ ଯେତେଦିନ ଡେରି ହୁଏ, ଗଛ ଉଠିବା ସେତେ କମ ହୁଏ । ଏକ ହେକ୍ଟର ଜମି ପାଇଁ ୫୦୦ଗ୍ରାମ ମଞ୍ଜି ଦରକାର ହୁଏ । ଏକ କେଜି ମଞ୍ଜି ପାଇଁ ୧ଗ୍ରାମ ବେଭିଷ୍ଟିନ ବା ୧ଗ୍ରାମ କ୍ୟାପ୍ଟାନ ବା ୨ ଗ୍ରାମ ଥିରାମ ଦ୍ଵାରା ବିଶୋଧନ କରାଯାଏ ।

ଚାରା ପ୍ରସ୍ତୁତି

ତିନି ମିଟର ଲମ୍ବ,ଏକମିଟର ପ୍ରସ୍ଥ ଓ ୧୫-୨୦ ସେମି ଉଚ୍ଚ ବିଶିଷ୍ଟ ତଳି ଘରା ପ୍ରସ୍ତୁତ କରାଯାଏ । ତଳି ଘରାରେ ଯଥେଷ୍ଟ ଖାତା ଦେଲେ ଚାରା ଗୁଡିକ ହୃଷ୍ଟ ପୁଷ୍ଟ ହୁଏ । ତଳି ଘରା ଗୁଡିକୁ ବିଶୋଧନ କରି ମଞ୍ଜି ବୁଣାଯାଏ । ବିଶୋଧିତ ମଞ୍ଜିକୁ ୧୫ସେମି ଛଡାରେ ଗାର ଟାଣି ମଞ୍ଜିକୁ ମଞ୍ଜି ୨.୫ସେମି ବ୍ୟବଧାନରେ ପକାଯାଏ । ମଞ୍ଜି ଉପରେ କମ୍ପୋଷ୍ଟ ଓ ଝୁରିଆ ମାଟି ଦେଇ ନଡା ଘୋଡାଇ ଝରାରେ ପାଣି ଦିଆଯାଏ । ୧୫-୨୦ ଦିନ ପରେ ମଞ୍ଜିରୁ ଗଯା ବାହାରିଲା ପରେ ନଡାକୁ କାଢି ଦିଆଯାଏ । ଏହା ପରେ ଚାରା ଗୁଡିକୁ ପଲିଥିନ ମୁଣିରେ ଲଗାଇ ବଢାଯାଏ । ୭/୮ ପତ୍ର ହେଲେ ବା ପଲିଥିନ ମୁଣାରେ ଗଛ ୧୫-୨୦ ସେମି ହେଲେ ଜମିରେ ଲଗାଯାଏ ।

ଚାଷ ପ୍ରଣାଳୀ

ଅମୃତଭଣ୍ଡା  ଚାଷ କରିବାକୁ ହେଲେ ପ୍ରଥମେ ଜମିକୁ ଭଲକରି ଚାଷ କରାଯାଏ । ତା’ପରେ ୩ମିଟର ବ୍ୟବଧାନରେ ୪.୫x୪.୫x୪.୫ ସେମିରେ ଗାତ କରିବାକୁ ପଡେ । କମ ଉଚ୍ଚତା କିସମ ପାଇଁ ୧.୮x୧.୮ ମିଟର ଦୂରତା ଦିଆଯାଏ । ଗାତ ଖୋଳିବା ପରେ ଗାଟର ଉପରମାଟି ଓ ଭଲ ସଢା ଗୋବର ଖତ ୩:୧ ଅନୁପାତରେ ଦେଲେ ଭଲ ହୁଏ । ପ୍ରତି ଗାରରେ ୫୦୦ ଗ୍ରାମ ଜୈବିକ ସାରା ଦେଲେ ଭଲ ଲାଭ ମିଳିବ ।

ସାଧାରଣତଃ ମେ-ଜୁନ,ସେପ୍ଟେମ୍ବର-ଅକ୍ଟୋବର ଏବଂ ଫେବୃୟାରୀ-ମାର୍ଚ୍ଚ ମାସ ମାନଙ୍କରେ ଚାରା ଲଗାଯାଏ । ପ୍ରତି ଗାତରେ ୩ଟି ଚାରା ତ୍ରିଭୁଜାକାରରେ ଲଗାଇବ । ଉଭୟ ଲିଙ୍ଗି ବା ମାଇଗଛ କିସମର ଅମୃତଭଣ୍ଡା ହୋଇଥିଲେ ଗୋଟିଏ ବା ୨ଟି ଚାରା ଲଗାନ୍ତୁ । ଉପରଓଳି ଗଛ ଲଗାଇବା ସବୁଠାରୁ ଭଲ । ୬ମାସରେ ଅମୃତଭଣ୍ଡାରେ ଫୁଲ ଧରେ ।  ପ୍ରତି ଗାତରେ ଗୋଟିଏ ମାଇଗଛ ରଖି ଅନ୍ୟ ଗଛକୁ ଉପାଡି ଦେବ । ୮/୧୦ ମାଇଗଛରେ ଗୋଟିଏ ଅଣ୍ଡିରା ଗଛ ରଖିବ ।

ଖତସାର

ଗଛପିଛା କମ୍ପୋଷ୍ଟ ଖତ ୨ଟୋକେଇ ସି.ଏ.ନ.ସାର ୪୦୦ ଗ୍ରାମ ବା ୟୁରିଆ ସାର ୨୦୦ଗ୍ରାମ ,ସୁପର ଫସଫେଟ ୨୫୦ଗ୍ରାମ ଦେବ । ଥରେ ଫଳ ତୋଳି ସାରିଲା ପରେ ଉପରୋକ୍ତ ସାରର ଅଧା ଦେବ । ଅମୃତଭଣ୍ଡା ଲଗାଇବା ଜାଗାରେ ଆଗରୁ ସବୁଜ ସାର ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇ ପାରେ । ଗଛ ଲଗାଇବା ପରେ ମୁଗ,ବିରି,ଝୁଡଙ୍ଗ ଇତ୍ୟାଦି ଲଗାଇ ମାଟିରେ ମଧ୍ୟ ମିଶାଇ ଦିଆଯାଏ ।

ଜଳସେଚନ

ବିନା ଜଳସେଚନରେ ଅମୃତଭଣ୍ଡାର ବ୍ୟବସାୟିକ ଚାଷ ଲାଭଜନକ ନୁହେଁ । ଗୋଟିଏ ଫଳନ୍ତି ଗଛ ଦିନକୁ  ପ୍ରାୟ ୧୦-୧୨ ଲିଟର ପାଣି ଦର୍କାର କରିଥାଏ । ମାଟିର ବତର ଓ ପାଗ ଦେଖି ଖରା ଦିନେ ୫-୭ ଦିନ ଓ ଶୀତ ଦିନେ ୧୦-୧୫ ଦିନ ବ୍ୟବଧାନରେ ଜଳସେଚନ କରାଯାଏ । ଗଛ ମୂଳକୁ ଉଚ୍ଚା କରି ଓ ଗଛ ଚାରିପଟେ ମଳା କରି ୩୦ ସେମି ଦୂରରେ ଜଳସେଚନ କାଲେ ଗଛ ଗୁଡିକ ଅଧିକ ଅମଳ ଦିଏ । ଅମୃତଭଣ୍ଡା ବହୁତ ଜଳ ଦର୍କାର କରୁଥିଲେ ମଧ୍ୟ ମୂଳରେ ପାଣି ଲାଗିଲେ ଗଛ ମରିଯାଏ । ସେଥିପ୍ରତି ବିଶେଷ କରି ବର୍ଷା ଦିନେ ଦୃଷ୍ଟି ଦେବ । ବୁନ୍ଦା ଜଳସେଚନ କଲେ ଅମୃତଭଣ୍ଡାରୁ ବେଶି ଲାଭ ମିଳେ ।

ରୋଗ ପୋକ ଓ ତା’ର ପ୍ରତିକାର

ମୂଳ ଓ ଗଣ୍ଡିପଚା ରୋଗ

ମାଟିର ଠିକ ଉପରେ ଭାଗରେ ଥିବା ଗଣ୍ଡିରେ ପାଣିଖିଆ ଦାଗମାନ ଦେଖାଯାଏ । ଆଗ ପତ୍ର ସବୁ ହଳଦିଆ ହୋଇଯାଏ ଓ ଝଡିପଡେ । ଫଳ ମଧ୍ୟ ମୋଚା ହୋଇ ଝଡିପଡେ । ସାଧାରଣତଃ ବର୍ଷାଦିନେ ମାଟିରେ ଲାଗୁଥିବା ଗଛର କାଣ୍ଡ ଅଂଶ ପାଣି ଧରି ପଚି ସଢିଯାଏ । କେତେକ ସ୍ଥଳରେ କାଣ୍ଡ ଫୁଲିବା ବା କାଣ୍ଡ ଫାଟିବା ମଧ୍ୟ ଦେଖାଯାଏ । ଗଣ୍ଡିରୁ ଛେଲି ମଧ୍ୟ ବାହାରି ପଡେ । ଏହା ମାଟିରେ ଥିବା ଦୁଇ ପ୍ରକାର କବକ ଦ୍ଵାରା ହୋଇଥାଏ । ଗୋଟିଏ ହେଲା Pythium aphanidermatum ଓ ଅନ୍ୟଟି Rhizoctonia solani ପାଇଥିଅମ କବକ ସାଧାରଣତଃ ବର୍ଷାଦିନେ ୨/୩ ବର୍ଷିଆ ଗଛକୁ ବେଶି ଆକ୍ରମଣ କରିଥାନ୍ତି ଓ ରିଗୋକ୍ଟୋନିଆ କବକ ଖରା ଓ ଶୁଖିଲା ପାଗରେ ବେଶି ଆକ୍ରମଣ କରିଥାନ୍ତି ।

ପ୍ରତିକାର

  • ଭଲରୂପେ ଜଳ ନିଷ୍କାସନ ହୋଇ ପାରୁଥିବା ଜମି ବାଛନ୍ତୁ ।
  • ରୋଗଣା ଗଛକୁ ବଗିଚାରୁ ବାହାର କରି ଦିଅନ୍ତୁ ।
  • ଗଛମୂଳ ମାଟିକୁ ଏମିସାନ (୦.୨%)କିମ୍ବା ରିଡୋମିଲ ବା କାଲିକସନ (୦.୧%) ବା ଡାକୋନିଲ (୦.୨%) ଦ୍ରବଣରେ ଦ୍ରବିଭୂତ କରନ୍ତୁ ।
  • ଗଛର ମୂଳରୁ ଗଣ୍ଡି ପର୍ଯ୍ୟନ୍ତ ଓ ମାଟିକୁ ମଧ୍ୟ ବୋର୍ଡେକସ ମିଶ୍ରଣରେ (୫.୫.୫୦)ସ୍ପ୍ରେ ଓ ଦ୍ରବିଭୂତ କରନ୍ତୁ ।

ତଳିପଚା ରୋଗ :

ଏହି ରୋଗରେ ତଳି ଘେରାରେ ତଳି ପଚିଯାଏ । ସାଧାରଣତଃ ବର୍ଷାଦିନେ ଏ ରୋଗ ବେଶି ହୁଏ । ଅଧିକ ଆର୍ଦ୍ରତା ୨୦ ଡିଗ୍ରୀ ରୁ ୨୫ ଡିଗ୍ରୀ ସେଲସିୟସ ଉତ୍ତାପ ଓ ମାଟିରେ ଅଧିକ ଜଳ ଜମିଲେ ଏହା ଅଧିକ ବ୍ୟାପେ ।

ପ୍ରତିକାର :

  • ତଳିପଟି ପାଇଁ ନିଚ୍ଚା ଜମି ବାଛନ୍ତୁ ନାହିଁ ।
  • ମଞ୍ଜି ବୁଣିବା ପୂର୍ବରୁ ୨% ଫରମାଲଡ଼ିହାଇଡ ପ୍ରୟୋଗ କରି ମାଟିକୁ ବିଶୋଧନ କରନ୍ତୁ ।
  • ବୁଣିବା ପୂର୍ବରୁ ସେରେସାନ ଗୁଣ୍ଡ ବା କ୍ୟାପଟାନ ବା ଡାକୋନିଲ ବା ବ୍ରାସିକଲ ବା ରିଡୋମିଲ ଔଷଧ ମଞ୍ଜି ବିଶୋଧିତ କରନ୍ତୁ ।
  • ରୋଗ ଦେଖାଗଲେ ତଳି ପଟିରେ ବେଭିଷ୍ଟିନ (୦.୧%) ସ୍ପ୍ରେ କରନ୍ତୁ ।

ପାଉଁଶିଆ ରୋଗ

ପତ୍ରର ଉଭୟ ପାର୍ଶ୍ଵରେ ଧଳା ପାଉଁଶିଆ ରଙ୍ଗର ଆସ୍ତର ଦେଖାଯାଏ । ଫଳ ଉପରେ ମଧ୍ୟ ଧଳା ଧଳା ଦାଗ ଦେଖାଯାଏ । ଆକ୍ରାନ୍ତ କଅଁଳିଆ ପତ୍ର ଝଡିପଡେ । ଫଳରେ ଅମଳ କମିଯାଏ । ଅଧିକ ଆଦ୍ରତା,ମଧ୍ୟମ ତାପମାତ୍ରା ଏବଂ ମେଘୁଆ ପାଗରେ ଏହି ରୋଗ ହେବାର ସମ୍ଭାବନା ଥାଏ ।

ପ୍ରତିକାର : ସଲଫେକସ (୦.୨%) ବା ୱେଟେସଲ (୦.୨%) ବା ବେଭିଷ୍ଟିନ (୦.୧%) ସ୍ପ୍ରେ କରନ୍ତୁ ।

ଆନଥ୍ରାକନୋଜ

ପତ୍ର ଓ ଫଳରେ ଏ ରୋଗ ଦେଖାଯାଏ । ପ୍ରଥମେ ବାଦାମୀ ଗୋଲାକାର ଦାଗମାନ ଦେଖାଯାଏ ଓ ପରେ ଦାଗ ଗୁଡିକ ଏକାଠି ହୋଇ ବଡ ଦେଖାଯାଏ । ଏହି ଦାଗର ଧାରରେ ଫିମ୍ପି ମାରିବାର ଦେଖାଯାଏ । ଫଳ ମୋଚା କୋଚା ହୋଇଯାଏ ଓ ପତ୍ର ଡେମ୍ଫରେ ଗାଡ଼ ଦାଗମାନ ଦେଖାଯାଏ । ଫଳ ପାଚୁଥିବା ଅବସ୍ଥାରେ ଏ ରୋଗ ବେଶି ଦେଖାଯାଏ ।

ପ୍ରତିକାର

ବାଭିଷ୍ଟିନ ବା ଜେକେଷ୍ଟିନ ବା ଟପସିନ ଏମ ୨୦ ଦିନ ବ୍ୟବଧାନରେ କିମ୍ବା ଡିଥେନ ଏମ ୪୫ ବା ଡାକୋନିଲ (୦.୨%) ୧୦ ଦିନ ବ୍ୟବଧାନରେ ଗଛରେ ପ୍ରୟୋଗ କଲେ ରୋଗ ନିୟନ୍ତ୍ରିତ ହୋଇଥାଏ । ଶେଷ ସ୍ପ୍ରେ ଅମଳର ୧୦ଦିନ ପୂର୍ବରୁ କରାଯିବା ଉଚିତ୍ ।

ପତ୍ରମୋଚା

ଏଥିରେ ପତ୍ର ମୋଚା ହୁଏ ଓ ଛୋଟ ହୋଇଯାଏ । ପତ୍ରର ଶିରା ଦେଖାଯାଏ । ପତ୍ର ଭିତରକୁ ଓ ତଳକୁ ମୋଡି ହୋଇଯାଏ । ପତ୍ରର ଡେମ୍ଫ ମଧ୍ୟ ମୋଡି ମୋଡି ହୋଇଯାଏ । ଏହା ଏକ ଭୂତାଣୁ ଜନିତ ରୋଗ । ଏହି ଭୂତାଣୁ ଏକ ପ୍ରକାର ଧଳା ମାଛି ଦ୍ଵାରା ବ୍ୟାପିଥାଏ ।

ପ୍ରତିକାର

ଆକ୍ରାନ୍ତ ଗଛକୁ ଓପାଡି ଦିଅନ୍ତୁ ବା ପୋତି ଦିଅନ୍ତୁ ।

ଔଷଧ ସ୍ପ୍ରେ ଦ୍ଵାରା ଧଳା ମାଛିକୁ ଦମନ କଲେ ଏ ରୋଗକୁ ନିୟନ୍ତ୍ରଣ କରାଯାଇପାରିବ ।

ଅମୃତଭଣ୍ଡା କିଆରି ପାଖରେ ଟମାଟୋ,ଧୂଆଁପତ୍ର,ଗୁଜବେରୀ ଓ ଜିନିଆ ଫୁଲଗଛ ଲଗାଇବା ଉଚିତ୍ ନୁହେଁ, କାରଣ ଏହି ସବୁ ଫସଲରେ ଭାଇରସ ରୋଗ ବେଶି ହୁଏ ।

ମୋଜାଇକ ରୋଗ

ଏ ରୋଗରେ ପତ୍ର ଅତ୍ୟଧିକ ମୋଡି ହୋଇଯାଏ, ହଳଦିଆ ପଡେ ଓ ଛୋଟ ଛୋଟ ହୁଏ । ପତ୍ରର ଶିରା ଦେଖାଯାଏ । ଗଣ୍ଡି ଓ ପତ୍ର ଡେମ୍ଫରେ ଲମ୍ବାଳିଆ ପାଣିଦାଗମାନ ଦେଖାଯାଏ । ଫଳ ଛୋଟ ଓ କମ ଆସେ । ଏହା ଏକ ଭୂତାଣୁ ଜନିତ ରୋଗ । ମୁଖ୍ୟତଃ ଏହା ଗୋଟିଏ ପ୍ରକାର ଆଫିଡ ଦ୍ଵାରା ବ୍ୟାପିଥାଏ ।

ପ୍ରତିକାର

  • ରୋଗା ଗଛକୁ ବଗିଚାରୁ ବାହାର କରି ଦିଅନ୍ତୁ ।
  • କାରିକା କଳିଫ୍ଲୋରା କିସମ ଅମୃତଭଣ୍ଡାରେ ଏ ରୋଗ ହୁଏନି । ତେଣୁ ଯେଉଁ ଜାଗାରେ ମୋଜାଇକ ରୋଗ ବେଶି ଦେଖାଯାଏ, ସେ ଯାଗାରେ ସହଣୀ କିସମ ଲଗାଇବା ଉଚିତ୍ ।

ଅମୃତଭଣ୍ଡାର ସୂତ୍ରଜୀବ

ଅମୃତଭଣ୍ଡାରେ ସୂତ୍ରଜୀବ ଲାଗିବାର ଦେଖା ଯାଇଥାନ୍ତି । ଗଛକୁ ଲଗାଇବା ପୂର୍ବରୁ ମଞ୍ଜିକୁ ବିଶୋଧନ କରି ଲଗାଇଲେ ଓ ପରେ ଗଛରେ ନିମ୍ବ କିମ୍ବା କରଞ୍ଜ ପିଡିଆ ବ୍ୟବହାର କଲେ ସୂତ୍ରଜୀବ ବିଶେଷ କ୍ଷତି କରିପାରନ୍ତିନି ।

ଅନ୍ତଃ ଫସଲ

ଗଛ ଲଗାଇବାର ୩ମାସ ପର୍ଯ୍ୟନ୍ତ ଗଛ ଶୀଘ୍ର ବଢି ନଥାଏ । ତେଣୁ ଏହି ସମୟରେ ଅନ୍ତଃ ଫସଲ ହିସାବରେ ମୁଗ,ବିରି,ବିଲାତି ବାଇଗଣ,ମୂଳା,ଶାଗ ଇତ୍ୟାଦି ନିଆଯାଇପାରେ । ଏହା ଦ୍ଵାରା ଜମିକୁ ଅନାବନା ଘାସରୁ ରକ୍ଷା କରାଯାଇ ପାରିବ । ଅମୃତଭଣ୍ଡାକୁ ମଧ୍ୟ ଆମ୍ବ,ଲିଚୁ,ସପେଟା ଇତ୍ୟାଦି ଫଳ ବଗିଚାରେ ପ୍ରଥମ ଅବସ୍ଥାରେ ଅନ୍ତଃ ଫସଲ ଭାବରେ ନିଆଯାଇ ପାରିବ ।

ଅମଳ

ଦୁଇ ବର୍ଷ ପର୍ଯ୍ୟନ୍ତ ଏହା ଖୁବ ଭଲ ଫଳ ଦିଏ । ଅମୃତଭଣ୍ଡା ୫-୭ ବର୍ଷ ପର୍ଯ୍ୟନ୍ତ ବଞ୍ଚେ ଓ ୩ବର୍ଷ ପର୍ଯ୍ୟନ୍ତ ଲାଭଦାୟକ ଉତ୍ପାଦନ ଦିଏ । ଫୁଲ ହେବାର ୩ମାସ ପରେ ଫଳ ତରକାରୀ ପାଇଁ ଉପଯୁକ୍ତ ହୁଏ ଓ ୫ମାସ ପରେ ଫଳ ଗୁଡିକ ସବୁଜରୁ ହଳଦିଆ ସବୁଜ ଅବସ୍ଥା ଆସେ । ଏହି ଅବସ୍ଥାରେ ତୋଳିଲେ ୫-୭ ଦିନରେ ପଚିଜାଏ । ୨୦ଡିଗ୍ରୀ ସେଣ୍ଟିଗ୍ରେଡରୁ କମ ତାପରେ ଏହାକୁ ଅଧିକ କିଛି ଦିନ ରଖାଯାଇ ପାରେ । ଗୋଟିଏ ଗଛରୁ ଅତି କମରେ ପ୍ରଥମ ବର୍ଷରେ ୧୫କେଜି ଦ୍ଵିତୀୟ ବର୍ଷରେ ୩୦କେଜି ଓ ତୃତୀୟ ବର୍ଷରେ ୩୦ କେଜି ପର୍ଯ୍ୟନ୍ତ ଅମଳ ମିଳେ ।

ପେପିନ

ଅମୃତଭଣ୍ଡାର କଞ୍ଚା ଫଳଗୁଡିକରୁ ଏକ ପ୍ରକାର ଧଳା ଅଠାଳିଆ ରସ ନିର୍ଗତ ହୁଏ । ଏହାକୁ ଶୁଖାଇ ପେପିନ ପ୍ରସ୍ତୁତ କରାଯାଏ । ଇଂଲଣ୍ଡ,ଆମେରିକା ପ୍ରଭୃତି ଆନ୍ତର୍ଜାତୀୟ ବଜାରରେ ଏହାର ଚାହିଦା ଅଧିକ । ଶିଳ୍ପ କ୍ଷେତ୍ରରେ ପେପିନ ଔଷଧ ବସ୍ତ୍ର ତଥା ଚମଡା ଶିଳ୍ପରେ ବ୍ୟବହାର କରାଯାଏ । ମାଂସକୁ ସିଝାଇବାରେ ମଦକୁ ସ୍ଵଚ୍ଛ କରିବାରେ ପ୍ରସାଧନ ସାମଗ୍ରୀ ତିଆରି କରିବାରେ ଏହା ସାହାଯ୍ୟ କରେ । ଗୋଟିଏ ଫଳରୁ ବାହାରୁଥିବା ପେପିନ ପରିମାଣ ଏହାର କିସମ,ଆକାର,ପରିପକ୍ଵତା ତଥା ଋତୁ ଉପରେ ନିର୍ଭର କରେ ।

ପେପିନ ପ୍ରସ୍ତୁତ କରିବା ପ୍ରଣାଳୀ

ପେପିନ ସାଧାରଣତଃ ୯୦ ରୁ ୧୦୦ ଦିନିଆ ଅମୃତଭଣ୍ଡା ଫଳରୁ ବାହାର କରାଯାଇଥାଏ । ସକାଳ ପ୍ରାୟ ୧୦ତା ସମୟରେ ଏହି ଫଳର ଚାରିକଡେ ଚାରୋଟି କଟାଦାଗ ଦେବାକୁ ପଡେ । ଏହି କଟା ଦାଗର ଗଭୀର ୩ସେମି ହେବା ଉଚିତ୍ । ଏହି କଟାଦାଗରୁ ବାହାରୁଥିବା କ୍ଷୀରକୁ ଆଲୁମିନିୟମ ଟ୍ରେ କିମ୍ବା କାଚ ପାତ୍ରରେ ସଂଗ୍ରହ କରାଯାଏ । ଏହାଛଡା ଅନ୍ୟ ପାତ୍ର ବ୍ୟବହାର କଲେ ରାସାୟନିକ ପ୍ରକ୍ରିୟା ଦ୍ଵାରା ପେପିନର ଗୁଣ ନଷ୍ଟ ହୋଇଯିବ । ୩/୪ ଦିନ ଛଡାରେ ୩/୪ ଥର ଫଳର କଟାଦାଗ ଦିଆଯାଇ ନଥିବା ସ୍ଥାନରେ ଏହିପରି କଟାଦାଗ ଦେଇ କ୍ଷୀର ସଂଗ୍ରହ କରାଯାଏ । ଏହି କ୍ଷୀରକୁ ଖରା କିମ୍ବା ୫୦ ରୁ ୫୫ ଡିଗ୍ରୀ ସେଣ୍ଟିଗ୍ରେଡରେ ଉତ୍ତାପରେ ସୁଖାଯାଏ । ୦.୦୫% ପୋଟାସିୟମ ମେଟାବାଇ ସଲଫେଟ ଯଦି ଏହି କ୍ଷୀରରେ ସୁଖାଇବା ପୂର୍ବରୁ ମିଶାଇ ଦିଆଯାଏ,ତାହାହେଲେ ଏହା ବେଶିଦିନ ପର୍ଯ୍ୟନ୍ତ ସାଇତି ରଖିହେବ । ପେପିନ ଖଣ୍ଡ ଖଣ୍ଡ ହୋଇ ଛାଡିବା ପର୍ଯ୍ୟନ୍ତ ଶୁଖାଇବାକୁ ପଡେ । ଏହି ଖଣ୍ଡ ପେପିନକୁ ଗୁଣ୍ଡକରି ସବୁ ଜାଲିରେ ଚଲାଇ ପଲି ବ୍ୟାଗରେ ସାଇତି ରଖାଯାଏ ।

ୱାସିଙ୍ଗଟନ କିସମର ଗୋଟିଏ ଅମୃତଭଣ୍ଡାରୁ ସବୁଠାରୁ ବେଶି ୭.୪୫ଗ୍ରାମ ପେପିନ ସଂଗ୍ରହ କରାଯାଇଥାଏ । ଗୋଟିଏ ଏକର ଅମୃତଭଣ୍ଡାରୁ ହାରାହାରି ୪୫-୮୦ କିଗରା ପେପିନ ସଂଗ୍ରହ କରାଯାଏ ।

ଅମୃତଭଣ୍ଡା ଚାଷରେ ଲାଭକ୍ଷତି

ଭଲ ଭାବରେ ଅମୃତ ଭଣ୍ଡା ଚାଷ କଲେ ହେକ୍ଟର ପିଛା ପ୍ରଥମ ବର୍ଷରେ ଟ ୩୨,୦୦୦,୨ୟ ବର୍ଷରେ ଟ ୧୯,୦୦୦ ଓ ତୃତୀୟ ବର୍ଷରେ ଟ ୧୯,୦୦୦ ଖର୍ଚ୍ଚ ହେବ । ପ୍ରଥମ ବର୍ଷ ୩ବର୍ଷରେ ଟ ୧,୮୭,୫୦୦ ମିଳିବ । ଖର୍ଚ୍ଚ ଯାଇ ୩ବର୍ଷରେ ଲାଭ ହେବ ଟ ୧,୧୭,୫୦୦୦ ।

ସଂଗୃହିତ: : ଡାକ୍ତର ସୂର୍ଯ୍ୟ ନାରାୟଣ ବେହେରା

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top