ସେଆର କରନ୍ତୁ

ଆଖୁଚାଷ

ଆଖୁ ଆମ ରାଜ୍ୟର ଏକ ମୁଖ୍ୟ ଅର୍ଥକାରୀ ଫସଲ । ଅଧିକ ଲାଭ ପାଇଁ ଆଖୁ ଚାଷ ।

ଅର୍ଥକାରୀ ଫସଲ ଆଖୁ

ଆଖୁ ଆମ ରାଜ୍ୟର ଏକ ମୁଖ୍ୟ ଅର୍ଥକାରୀ ଫସଲ । ଆମ ରାଜ୍ୟରେ ମୁଖ୍ୟତଃ ଅବିଭକ୍ତ ପୁରୀ, କଟକ, ଗଞ୍ଜାମ, କୋରାପୁଟ, ଢେଙ୍କାନାଳ, ସମ୍ବଲପୁର, ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାରେ ପ୍ରାୟ ୪୧,୦୦୦ ହେକ୍ଟର ଜମିରେ ଏହା ଚାଷ କରାଯାଇ ଥାଏ (୨୦୧୦-୧୧) । ଆମ ରାଜ୍ୟର ଜଳବାୟୁ ଓ ମୃତ୍ତିକା ଆଖୁଚାଷ ପାଇଁ ଅତ୍ୟନ୍ତ ଅନୁକୁଳ ହୋଇଥିଲେ ମଧ୍ୟ ଆମେ ପାରମ୍ପରିକ ପ୍ରଣାଳୀରେ ଆଖୁଚାଷ କରି ବିଶେଷ ଲାଭବାନ ହୋଇପାରିନାହିଁ । କିଛି ବର୍ଷ ଧରି ଆଖୁର ବଜାର ଦର ବୃଦ୍ଧି ପାଇବା ଯୋଗୁଁ ଆଖୁଚାଷର ଆୟତନ ବୃଦ୍ଧି ପାଇବାରେ ଲାଗିଛି । କିନ୍ତୁ ଆମ ରାଜ୍ୟରେ ଆଖୁର ହାରାହାରି ଅମଳ ହେକ୍ଟର ପ୍ରତି ୭୧ ଟନ୍ ପାଖାପାଖି ରହୁଛି, ଫଳରେ ଚାଷୀଭାଇମାନେ ଆଖୁଚାଷରୁ ଆଶାନୁରୂପ ଲାଭ ପାଇ ପାରୁନାହାନ୍ତି । ବିଭିନ୍ନ କ୍ଷେତ୍ର ପରୀକ୍ଷଣ ଓ ପ୍ରଦର୍ଶନରୁ ଜଣାଯାଇଛି ଯେ ଉନ୍ନତ ଚାଷ ପଦ୍ଧତି ଯଥା : ଅଧିକ ଅମଳକ୍ଷମ କିସମ ବିହନ ବ୍ୟବହାର, ନୂତନ ବିହନ ଲଗାଇବା ପ୍ରଣାଳୀ, ଉନ୍ନତ ଯନ୍ତ୍ରପାତିର ବ୍ୟବହାର, ସମନ୍ୱିତ ଖତସାର ପ୍ରୟୋଗ, ଉପଯୁକ୍ତ ଘାସ ଓ ରୋଗପୋକ ନିୟନ୍ତ୍ରଣ, ସଠିକ୍ ଜଳସେଚନ କରି ଆଖୁ ଫସଲରୁ ହେକ୍ଟର ପ୍ରତି ୧୦୦ ରୁ ୧୨୦ ଟନ୍ ପର୍ଯ୍ୟନ୍ତ ଅମଳ ମିଳିପାରିବ । ସ୍ଥାନ ବିଶେଷରେ ଅଧିକ ଯତ୍ନ ନେଲେ ହେକ୍ଟର ପ୍ରତି ୧୫୦ ଟନ୍ ପର୍ଯ୍ୟନ୍ତ ଅମଳ ମଧ୍ୟ ମିଳିପାରିବ ଓ ଆଖୁଫସଲରୁ ଅନ୍ୟାନ୍ୟ ଫସଲ ଅପେକ୍ଷା ଅଧିକ ଲାଭ ପାଇପାରିବା ।

ଆଖୁ ଫସଲରୁ ଅମଳ କମିବାର ଆଉ ଏକ ପ୍ରମୁଖ କାରଣ ହେଉଛି ମୂଳି ଆଖୁ ଫସଲରେ ଯତ୍ନର ଅଭାବ । ଆମ ରାଜ୍ୟରେ ଆଖୁଚାଷ ହେଉଥିବା ମୋଟ ଜମିର ପ୍ରାୟ ଅଧା ଜମିରେ ମୂଳି ଆଖୁଚାଷ କରାଯାଇଥାଏ । ଚାଷୀଭାଇମାନେ ମୂଳି ଆଖୁ ଫସଲକୁ ଉପଯୁକ୍ତ ଧ୍ୟାନ ଦେଇନଥାନ୍ତି କିନ୍ତୁ ପରୀକ୍ଷଣ ଓ କ୍ଷେତ୍ର ପ୍ରଦର୍ଶନରୁ ଜଣାଯାଇଛି, ମୂଳି ଆଖୁ ଫସଲର ଉପଯୁକ୍ତ ଯତ୍ନ, ଯଥା : ପ୍ରଥମ ଫସଲ କାଟିବା ସମୟ ଓ ପ୍ରଣାଳୀ, ଜମିରେ ଶୂନ୍ୟସ୍ଥାନ ପୂରଣ, ହୁଡ଼ାଭାଙ୍ଗି ସମନ୍ୱିତ ଖତସାର ପ୍ରୟୋଗ, ଉପଯୁକ୍ତ ରୋଗପୋକ ଓ ଘାସ ନିୟନ୍ତ୍ରଣ କରିପାରିଲେ ମୂଳିଆଖୁ ଫସଲରୁ ମଧ୍ୟ ପ୍ରଥମ ଫସଲ ପରି ଅମଳ ଓ ଲାଭ ମିଳିପାରିବ ।

ଆଖୁଚାଷ ପାଇଁ ବାର୍ଷିକ ଅନ୍ୟୁନ ୧୦୦୦ ରୁ ୧୨୦୦ ମିଲିମିଟର ବୃଷ୍ଟିପାତ ଦରକାର । ଆମ ରାଜ୍ୟରେ ବାର୍ଷିକ ହାରାହାରି ବୃଷ୍ଟିପାତ ୧୪୫୬ ମିଲିମିଟର ଅଟେ ଯାହାକି ଆଖୁଚାଷ ପାଇଁ ଉପଯୁକ୍ତ । ଆଖୁଗଛର ବୃଦ୍ଧି ପାଇଁ ୨୦°ସେଲ୍‌ସିଅସ ରୁ ଅଧିକ ଓ ୫୦° ସେଲ୍‌ସିଅସ୍‌ରୁ କମ୍ ଉତ୍ତାପ ଆବଶ୍ୟକ । ସେହିପରି ଆଖୁବିହନ ଗଜାହେବା ପାଇଁ ହାରାହାରି ୨୫° ରୁ ୩୨° ସେଲ୍‌ସିଅସ୍ ଉତ୍ତାପ ଉପଯୁକ୍ତ ଅଟେ । ଆଖୁଗଛର ବୃଦ୍ଧି ପାଇଁ ପର୍ଯ୍ୟାପ୍ତ ସୂର୍ଯ୍ୟାଲୋକ ସାଙ୍ଗକୁ ଅଧିକ ଜଳ ଆବଶ୍ୟକ ହୋଇଥାଏ । ଆଖୁଗଛର ପାକଳ ଅବସ୍ଥାରେ ଅପେକ୍ଷାକୃତ କମ୍ ଉତ୍ତାପ ରହି ଲେ ଗଛରେ ଶର୍କରା ଅଂଶ ଅଧିକ ରହିଥାଏ ।

ଆଖୁଗଛ ପାଇଁ ନିଗିଡା ଦୋରସା ବା ମଟାଳ ଦୋରସା ମାଟି ଭଲ । କିନ୍ତୁ ସନ୍ତ ସନ୍ତିଆ ମାଟିରେ ଆଖୁ ଲଗାଇବା ଅନୁଚିତ୍ । ଆମ ରାଜ୍ୟରେ ବିଭିନ୍ନ ପ୍ରକାର ମାଟିରେ ଆଖୁଚାଷ କରାଯାଇଥାଏ । ଆଖୁଚାଷପାଇଁ ମାଟିର ଅମ୍ଳତା ୬.୫ ରୁ ୭.୦ ରହିବା ଉଚିତ୍ । ଅଧିକ କ୍ଷାରଯୁକ୍ତ, ଲୁଣିଆ କିମ୍ବା ଅମ୍ଳମାଟିରେ ଆଖୁଚାଷ କରିବା ଉଚିତ୍ ନୁହେଁ । ଧାନଚାଷ ବେଳେ କାଦୁଅ କରାଯିବା ଦ୍ଵାରା ମାଟି ଟାଣ ଧରିଥାଏ । ସେହି ଜମିରେ ଆଖୁଚାଷ କଲେ ଜମିକୁ ଗଭୀର ଚାଷ କରି ଅନୁମୋଦିତ ଜୈବିକ ଖତ ପ୍ରୟୋଗ କରିବା ଉଚିତ୍ ।

ନାଲିମାଟିରେ ସାଧାରଣତଃ ଅମ୍ଭ ଅଂଶ ଅକା ଥାଏ ଓ ଆଖୁ ଲଗାଇଲା ପରେ ଜଳସେଚନ ଠିକ୍ ନ କଲେ ଉପର ସ୍ତର ଟାଣ ହୋଇ ଆଖୁ ଗଜା ବାହାରିବାରେ ଅସୁବିଧା ହୁଏ, ଗଛର ଚେର ଭିତରକୁ ଯାଇପାରେ ନାହିଁ, ଫଳରେ ଗଛ ଠିକ୍ ଭାବରେ ବଢ଼ି ପାରେ ନାହିଁ, ଅମଳ କମିଯାଏ ଓ ଅଳ୍ପ ପବନରେ ଆଖୁ ଗଛ ଶୋଇଯାଏ । ଅମ୍ଳମାଟିରେ ଆଖୁ ଚାଷ କଲେ ହେକ୍ଟର ପ୍ରତି ଅଢ଼େଇ ଟନ୍ ରୁ ଆଠଟନ୍ ଚୂନ ପ୍ରୟୋଗ ସହ ଉପଯୁକ୍ତ ପରିମାଣରେ । ଜୈବିକ ଖତ ପ୍ରୟୋଗ କରିବା ଉଚିତ୍ । ସେହି ପରି ବାଲିଆ ମାଟିରେ ଆଖୁଚାଷ କଲେ ହେକ୍ଟର ପ୍ରତି ୨୫ ଟନ୍ ଗୋବର ଖତ ଓ ୧୦ ଟନ୍ ଆଖୁକଳ ମଇଳା ପ୍ରୟୋଗ କରିବା ଉଚିତ୍।

ଆଖୁ କିସମ

ଆଖୁ ଫସଲର ଅନେକ ଅଧିକ ଅମଳକ୍ଷମ କିସମ ରହିଛି । ଜଳବାୟୁ, ଜମି କିସମ ଏବଂ ମାଟିର ପ୍ରକାର ଅନୁସାରେ କିସମ ନିର୍ବାଚନ କରାଯାଏ । ଉଚ୍ଚ ଓ ନିଗିଡ଼ା ଜମିରେ ସଅଳ କିସମ ଓ ମଧ୍ୟମ ଜମିରେ ମଧ୍ୟମ କିସମର ଆଖୁ ଲଗାଇବା ଭଲ । ଆମ ରାଜ୍ୟପାଇଁ ଉପଯୁକ୍ତ କିସମ ଗୁଡ଼ିକ ନିମ୍ନ ସାରଣୀରେ ଦିଆଯାଇଛି ।

ସଅଳ କିସମ (୧୦ ମାସରେ ଅମଳ ହୁଏ)

ଆଖୁର କିସମ

ହାରାହାରି ଅମଳ ଟନ୍ / ହେକ୍ଟର

ଶର୍କରା ପ୍ରତିଶତ

ନାଲିସଢ଼ା ରୋଗ ସହଣୀ ଶକ୍ତି

ସି.ଓ. ୬୯୦୭

୧୦୩

୧୬.୩

ମଧ୍ୟମ ସହଣୀ

ସି.ଓ. ୭୫୦୮

୯୮

୧୭.୧

ମଧ୍ୟମ ସହଣୀ

ସି.ଓ. ୮୭୦୦୨

୯୨

୧୭.୭

ମଧ୍ୟମ ସହଣୀ

ସି.ଓ.୮୭୨୬୩(ସରଜୁ)

୧୧୦

୧୭.୪

ମଧ୍ୟମ ସହଣୀ

ସି.ଓ.ଏ.୯୨୦୮୧

୯୮

୧୯.୦

ମଧ୍ୟମ ସହଣୀ

ସି.ଓ.ଏ.୮୯୦୮୧

୧୦୪

୧୭.୩

ମଧ୍ୟମ ସହଣୀ

ସି.ଓ.ଏ.୮୯୦୮୫

୯୫

୧୮.୨

ଅଧିକ ସହଣୀ

ସି.ଓ.ସି. ୮୫ ୦୩୬

୧୧୦

୧୬.୦

ସହଣୀ ନାହିଁ

ସି.ଓ.ସି. ୯୨୦୬୧

୯୭

୧୬.୭

ମଧ୍ୟମ ସହଣୀ

ସି.ଓ. ଏ. ୯୫୦୮୧

୯୨

୧୯.୪

ଅଧିକ ସହଣୀ

ସି.ଓ.ଏ. ୯୫୦୬୧

୯୩

୧୮.୫

ଅଧିକ ସହଣୀ

ସି.ଓ.ଏ. ୯୭୦୬୧

୯୭

୧୬.୯

ଅଧିକ ସହଣୀ

ସି.ଓ.ଓ.ଆର ୦୩ – ୧୫୧(ସବିତା)

୧୧୦

୧୬.୨

ଅଧିକ ସହଣୀ

ସି.ଓ.ଓ.ଆର୍ ୦୩ – ୧୫୨ (ନୀଳମାଧବ)

୧୦୬

୧୬.୫

ମଧ୍ୟମ ସହଣୀ

 

ନୟାଗଡ଼ ଆଖୁ ଗବେଷଣା କେନ୍ଦ୍ର ଦ୍ଵାରା ଉଦ୍ଭାବିତ ।

ମଧ୍ୟମ କିସମ (୧୨ ମାସରେ ଅମଳ ହୁଏ)

ଆଖୁର କିସମ

ହାରାହାରି ଅମଳ ଟନ୍  / ହେକ୍ଟର

ଶର୍କରା ପ୍ରତିଶତ

ନାଲିସଢ଼ା ରୋଗ ସହଣୀ ଶକ୍ତି

ସି.ଓ. ୭୨୧୯

୯୯

୧୯.୦

ମଧ୍ୟମ ସହଣୀ

ସି.ଓ. ୬୩୦୪

୯୮

୧୯.୦

କମ୍ ସହଣୀ

ସି.ଓ. ୮୭୦୪୩

୧୦୭

୧୯.୦

ମଧ୍ୟମ ସହଣୀ

ସି.ଓ.୮୭୦୪୪(ଉତ୍ତରା)

୧୦୭

୧୯.୦

ମଧ୍ୟମ ସହଣୀ

ସି.ଓ.୮୬୨୪୯(ଭବାନୀ)

୧୦୭

୧୮.୧

ମଧ୍ୟମ ସହଣୀ

ସି.ଓ.ସି.୯୬୦୬୩

୯୧

୧୬.୯

ଅଧିକ ସହଣୀ

୮୯ ଭି.୭୪

୧୦୩

୧୭.୬

ସହଣୀ ନାହିଁ

ସି.ଓ.୮୬୦୩୨ (ନୟନା)

୧୦୦

୧୯.୦

ମଧ୍ୟମ ସହଣୀ

୮୭ ଏ ୨୯୮(ବିଶ୍ଵାମିତ୍ର)

୧୨୫

୧୮.୫

ଅଧିକ ସହଣୀ

ଗବେଷଣାଗାରରୁ ଆଖୁର ଅନେକ ନୂ ଆ କିସମ ବାହାରୁଛି । ତେଣୁ ଚାଷୀଭାଇମାନେ ନିଜ ଜମିକୁ ଦେଖି କିସମ ଚୟନ କରିବା ଦରକାର । ଗୋଟିଏ କିସମ କିଛି ବର୍ଷ ଚାଷକଲେ ନୂଆ କିସମ ଚାଷ କରିବା ଉଚିତ୍ ନଚେତ୍ କିସମର ରୋଗପୋକ ସହଣୀ ଶକ୍ତି କମି ଫସଲ ଆଶାନୁରୂପ ହୋଇପାରେ ନାହିଁ । ଉପଯୁକ୍ତ କିସମ ବାଛିବା ପାଇଁ ଚାଷୀଭାଇମାନେ ନିକଟସ୍ଥ କୃଷି ଅଧିକାରୀ, କୃଷି ବିଜ୍ଞାନ କେନ୍ଦ୍ର ଓ ଆଖୁ ଗବେଷଣା କେନ୍ଦ୍ର, ନୟାଗଡ଼ ସହ ଯୋଗାଯୋଗ କଲେ ଉନ୍ନତ କିସମ ସମ୍ବନ୍ଧରେ ଅଧିକ ସୂଚନା ପାଇପାରିବେ ।

ଜମି ପ୍ରସ୍ତୁତି

ଆଖୁଚାଷ ପାଇଁ ଜମିକୁ ଭଲଭାବରେ ଗଭୀର ଚାଷକରି ମାଟିକୁ ଗୁଣ୍ଡ ଓ ସମତୁଲ କରିବା ଦରକାର । ଗଭୀର ଚାଷ ନହେଲେ ଆଖୁ ଗଛର ଚେର ମାଟି ଭିତରକୁ ଯାଇପାରେ ନାହିଁ ଓ ଅଳ୍ପ ପବନ ହେ ଲେ କିମ୍ବା ପାଣି ମଡ଼ାଇବା ପରେ ତଳକୁ ନଇଁଯାଏ । ମଟାଳ ମାଟିରେ ଆଖୁ ଚାଷ କଲେ ଗଭୀର ଚାଷ ନିହାତି ଦରକାର । ମାଟିକୁ ଭଲଭାବେ ଗୁଣ୍ଡ ଚାଷ କରି ଜମିରୁ ଅନାବନା ଘାସ ଓ ଫସଲ ମୂଳ ଆଦି ବାଛି ଶେଷ ଓଡ଼ ଚାଷ ପୂର୍ବରୁ ହେକ୍ଟର ପ୍ରତି ୨୫ ଗାଡ଼ି ଗୋବର ଖତ ବା କମ୍ପୋଷ୍ଟ ପକାଇ ମାଟିରେ ଭଲଭାବରେ ମିଶାଇ ଦେବା ଦରକାର । ଜମି ପ୍ରସ୍ତୁତିରେ ହଳ ଲଙ୍ଗଳ ଅପେକ୍ଷା ଟ୍ରାକ୍ଟର ଦ୍ଵାରା ଚାଷକରି ସିଆର ଖୋଳା ଯନ୍ତ୍ର ବ୍ୟବହାର କଲେ ଖର୍ଚ୍ଚ କମିବା ସହ ଅଧିକ ଅମଳ ମିଳେ ।

ଲଗାଇବା ସମୟ

ଆମ ରାଜ୍ୟର ଜଳବାୟୁ ଅନୁସାରେ ନଭେମ୍ବର ଠାରୁ ଫ୍ରେବୃୟାରୀ ମାସ ଶେଷ । ପର୍ଯ୍ୟନ୍ତ ଆଖୁ ଲଗାଯାଇପାରିବ । ଆଖୁଚାଷ ପାଇଁ ଜୁନ୍ ମାସରେ ଉଚ୍ଚ ନିଗିଡ଼ା ଜମିରେ ଆଖୁ ଲଗାଯାଇ ଜାନୁୟାରୀ-ଫ୍ରେବୃୟାରୀ ମାସ ବେଳକୁ ୭-୮ ମାସର ଆଖୁଫସଲକୁ ବିହନ ରୂପେ ବ୍ୟବହାର କରାଯାଇପାରିବ । ଫ୍ରେବୃୟାରୀ ମାସପରେ ଆଖୁ ଲଗାଇଲେ ଗଜା କମ୍ ହେବାର ସମ୍ଭାବନା ଥିବାରୁ ବିହନ ପରିମାଣ ବଢ଼ାଇବାକୁ ପଡ଼ିଥାଏ ।

ବିହନ ନିର୍ବାଚନ ଓ ବିଶୋଧନ

ଫସଲର ବୟସ ୬-୮ ମାସ ହୋଇଥିଲେ ପୁରା ଆଖୁକୁ ବିହନ ରୂପେ ବ୍ୟବହାର କରିବା ଭଲ । ବିହନ ନିର୍ବାଚନ ବେଳେ ରୋଗପୋକ ଲାଗି ନଥିବା ସୁସ୍ଥସବଳ ଫସଲକୁ ବାଛିବା ଉଚିତ୍ । ଆଖୁ ଫସଲ ୮ ମାସରୁ ଅଧିକ ହୋଇଥିଲେ ଆଖୁଗଛର ଦୁଇତୃତୀୟାଂଶକୁ ବିହନ ପାଇଁ ବ୍ୟବହାର କରିବା ଦରକାର। ତଳ ଏକ ତୃତୀୟାଶକୁ ବିହନ ରୂପେ ବ୍ୟବହାର କରିବା ଉଚିତ୍ ନୁହେଁ । କାରଣ ଏଥିରୁ ଭଲ ଗଜା ବାହାରେ ନାହିଁ । ଆଖୁ ଫସଲରେ ଫୁଲ ଆସିଗଲେ କିମ୍ବା ଗଛ ଜମିରେ ପଡ଼ି ଗଣ୍ଠିରୁ ଚେର ଆସିଗଲେ ଏହାକୁ ବିହନ ରୂପେ ବ୍ୟବହାର କରିବା ଉଚିତ୍ ନୁହେଁ ।

ସାଧାରଣତଃ ମୂଳ ଫସଲରୁ ବିହନ ସଂଗ୍ରହ କରିବା ଉଚିତ୍ ନୁହେଁ । ଆବଶ୍ୟକ ସ୍ଥଳେ ମୂଳି ଫସଲର ବିଶେଷ ଯତ୍ନ ନେଇ ରୋଗ ଓ ପୋକ ନିୟନ୍ତ୍ରଣ କରି ୭-୮ ମାସର ଫସଲରୁ ବିହନ ସଂଗ୍ରହ କରି ଲଗାଇଲା ବେଳେ ଆଖୁ ବିହନରେ ୮୦ ଶତାଂଶରୁ ଅଧିକ ଜଳୀୟ ଅଂଶ ରହିବା ଦରକାର । ଆଖୁ ବିହନ ଲଗାଇବା ପୂର୍ବରୁ ବିଶୋଧନ କରିବା ନିହାତି ଆବଶ୍ୟକ । ରୋଗ ଓ ପୋକ ଆକ୍ରମଣରୁ ରକ୍ଷା କରିବା ପାଇଁ ଆଖୁ ଖଣ୍ଡ ଗୁଡ଼ିକୁ ୧୦୦ ଲିଟର ପାଣିରେ ୧୫୦ ଗ୍ରାମ୍ କାର୍ବେଣ୍ଡାଜିମ୍, ୨୦୦ ମି.ଲି. କ୍ଲୋରୋପାଇରିଫସ୍ ଓ ୧ କିଲୋଗ୍ରାମ୍ ୟୁରିଆ ମିଶ୍ରିତ ଦ୍ରବଣରେ ୧୫-୨୦ ମିନିଟ୍ ପର୍ଯ୍ୟନ୍ତ ବୁଡ଼ାଇ ରଖି ତାପରେ ଦ୍ରବଣରୁ କାଢ଼ି ଜମିରେ ଲଗାଯାଏ । ଏହାଦ୍ୱାରା ନାଲିସଢ଼ା ରୋଗ ଅନେକାଂଶରେ ଦମନ ହୋଇଥାଏ ଓ ବିହନ ଗଜାହେବା ପୂର୍ବରୁ ଉଇ ଆକ୍ରମଣରୁ ରକ୍ଷା ପାଇଥାଏ ।

ଆଖୁ ଲଗାଇବା ପ୍ରଣାଳୀ

ଆଖୁ ଫସଲ ଅମଳର ପ୍ରାୟ ୧୦ ଭାଗରୁ ୧ ଭାଗ ବିହନ ପାଇଁ ବ୍ୟବହାର ହୁଏ ଯାହାକି ଆଖୁଚାଷ ପାଇଁ ହେଉଥିବା ଖର୍ଚ୍ଚର ଏକ ବଡ଼ଭାଗ ଅଟେ । ତେଣୁ ପାରମ୍ପରିକ ଆଖୁ ଲଗାଇବା ପ୍ରଣାଳୀକୁ ବଦଳାଇ ଉନ୍ନତ ଆଖୁ ଲଗାଇବା ପ୍ରଣାଳୀ ଦ୍ୱାରା ଆମେ ବିହନର ପରିମାଣକୁ କମାଇ ଖର୍ଚ୍ଚ କମାଇବା ସହ ଅଧିକ ଲାଭ ପାଇପାରିବା ।

ଆଖୁଗଛ ଜମିରେ ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ରହୁଥିବାରୁ ଓ ୪ ରୁ ୫ ମିଟର ଉଚ୍ଚତା ହେଉଥିବାରୁ ଆଖୁ ବିହନ ଲଗାଇଲା ବେଳେ ଆମକୁ କେତେଗୁଡ଼ିଏ ବିଷୟ ପ୍ରତି ଧ୍ୟାନ ଦେବାକୁ ପଡ଼ିବ, ଯଥା – ଧାଡ଼ି ମଧ୍ୟରେ ବ୍ୟବଧାନ, ସିଆରର ଗଭୀରତା ଓ ବିହନ ଲଗାଇବାର ଗଭୀରତା ଇତ୍ୟାଦି । ପାରମ୍ପରିକ ପ୍ରଣାଳୀରେ କମ୍ ଦୂରତାରେ ଲଙ୍ଗଳ ସିଆରରେ ବିହନ ଲଗାଇଲେ ବିହନ ଲଗାଇବା ଖର୍ଚ୍ଚ କମ୍ ହେଲେ ମଧ୍ୟ । ଅଧିକ ବିହନ ଲାଗିଥାଏ । ଅଧିକ ଗଛସଂଖ୍ୟା ଯୋଗୁଁ ଆଖୁଗଛ ଠିକ୍ ଭାବେ ବଢ଼ିପାରେ ନାହିଁ । ବିହନ ଅଳ୍ପ ଗଭୀରରେ ପୋଡୁଥିବା ଯୋଗୁଁ ଗଛର ମୂଳ ଦୃଢ଼ ହୋଇପାରେ ନାହିଁ ଫଳରେ ପବନ କିମ୍ବା ଜଳସେଚନ ଯୋଗୁଁ ଗଛ ନଇଁଯାଏ କିମ୍ବା ତଳେ ପଡ଼ିଯାଏ ।

ଆଖୁ କାଣ୍ଡକୁ ଏକ, ଦୁଇ କିମ୍ବା ତିନି ଗଣ୍ଠି ବିଶିଷ୍ଟ ଖଣ୍ଡ କରି ମାଟିରେ ପୋତିଲେ ପ୍ରତି ଗଣ୍ଡିରେ ଥିବା ଆଖୁରୁ ଗଜା ବାହାରି ଗଛ ହୁଏ । ଗଣ୍ଡିରେ ଥିବା ସୁପ୍ତଚେର ଜାଗ୍ରତ ହୋଇ ବୃଦ୍ଧି ପାଇଥାଏ । ମାଟିରୁ ଜଳ ଓ ଖାଦ୍ୟସାର ଗ୍ରହଣ କରି ଗଛକୁ ଯୋଗାଏ ।

ଆଖୁ ଫସଲକୁ ସିଆର କିମ୍ବା ମନ୍ଦା ପ୍ରଣାଳୀରେ ଲଗାଇଲେ ଅଧିକା ଅମଳ ମିଳିଥାଏ । ସିଆର ପ୍ରଣାଳୀରେ ଆଖୁଚାଷ କଲେ ଧାଡିକୁ ଧାଡ଼ି ଅଢ଼େଇଫୁଟ ବ୍ୟବଧାନ ରଖି ଏକଫୁଟ ଚଉଡ଼ା ଓ ୬ ଇଞ୍ଚ ଗଭୀର ସିଆର କରିବାକୁ ପଡ଼ିଥାଏ, ଯେପରିକି ଗୋଟିଏ ସିଆରର ମଧ୍ୟଭାଗରୁ ତା’ ପାଖ ସିଆରର ମଧ୍ୟଭାଗ ମଧ୍ୟରେ ଦୂରତା ଅଢେଇ ଫୁଟ ରହିବ । ତେଣୁ ଲଙ୍ଗଳ ଦ୍ୱାରା ସିଆର କରୁଥିଲେ ସିଆରକୁ ଆଉ କିଛି ଅଧିକ ଗଭୀର କରି ସିଆର ମଧ୍ୟରେ ବ୍ୟବଧାନ ଠିକ୍ ରଖିଲେ ଗଛ ଠିକ୍ ବଢ଼ିବ ଓ ଅମଳ ଅଧିକ ମିଳିବ । ସିଆର ପ୍ରଣାଳୀରେ ଏକ, ଦୁଇ କିମ୍ବା ତିନୋଟି ଗଣ୍ଡି ଅବା ଆଖୁ ଖଣ୍ଡକୁ ବିହନ ରୂପେ ବ୍ୟବହାର କରାଯାଇପାରେ ।

ସଠିକ୍ ଗଛ ସଂଖ୍ୟା ଓ ଅମଳ ପାଇବାକୁ ହେଲେ ପ୍ରତି ମିଟର ସିଆରରେ ୧୨ ଗୋଟି ଗଣ୍ଠି (ତିନିଆଖିଆ ଚାରିଖଣ୍ଡ ବା ଦୁଇ ଆଖିଆ ଛଅଖଣ୍ଡ) ଲାଗିବା ଆବଶ୍ୟକ । ସିଆର ମଧ୍ୟରେ ଆଖୁ ଖଣ୍ଡ ଗୁଡ଼ିକୁ ଆଖୁକୁ ଆଖୁ ମଡ଼ାଇ ରଖାଯାଏ ଯେପରିକି ଆଖୁ ଖଣ୍ଡର ଆଖୁଗୁଡ଼ିକ ଧାଡ଼ିର ଦୁଇପଟରେ ରହେ । କାରଣ ଆଖୁ ତଳ ଉପର ହୋଇଗଲେ ତଳେ ଥିବା ଆଖୁରୁ ଗଜା ବାହାରି ପାରେ ନାହିଁ ଓ ଜମିରେ ଗଛ ସଂଖ୍ୟା କମିଯାଏ ଓ ଅମଳ କମ୍ ହୁଏ । ଜମିରେ ଆଖୁ ଖଣ୍ଡ ଗୁଡ଼ିକୁ ଲଗାଇ ତା ଉପରେ ୧ ରୁ ୨ ଇଞ୍ଚ ମାଟି ଘୋଡ଼ାଇ ଦିଆଯାଏ । ଆଖୁ ଲଗାଇବା ପାଇଁ ଟ୍ରାକ୍ଟର ଚାଳିତ ସିଆର ଖୋଳା ଯନ୍ତ୍ର ବ୍ୟବହାର କଲେ ଖର୍ଚ୍ଚ କମିଥାଏ ଓ ଅଳ୍ପ ସମୟ ମଧ୍ୟରେ ସିଆର ଖୋଳା ହୋଇଯାଏ । ଉନ୍ନତ ସିଆର ଖୋଳା ଯନ୍ତ୍ର ସହିତ ବିହନ ଲଗାଇବା ଓ ସାର ପ୍ରୟୋଗ ମଧ୍ୟ ଏକ ସମୟରେ କରାଯାଇ ପାରୁଛି । ଆଖୁ ଲଗାଇଲା ପରେ କୋଡ଼ାଖୁସା ସମୟରେ ସିଆର ମଧ୍ୟରେ ରେ ରେ ମାଟି ପୋତି ସିଆର ହୁଡ଼ାରେ ପରିଣତ ହୁଏ ଓ ଦୁଇ ସିଆର ମଧ୍ୟ ନାଳିରେ ପାଣି ମଡ଼ାଯାଏ ।

ମନ୍ଦା ପ୍ରଣାଳୀରେ ଆଖୁ ଚାଷ, ନିଶ୍ଚିତ ଜଳସେଚନ ଥିବା ମଧ୍ୟମ ଜମିରେ କରାଯାଏ । ଏହି ପ୍ରଣାଳୀରେ ସାମାନ୍ୟ ଗଡ଼ାଣିଆ ଜମିରେ ଆଖୁଚାଷ କରାଯାଇପାରେ । ମନ୍ଦାକୁ ମନ୍ଦା ବ୍ୟବଧାନ ୪ ଫୁଟ x ୨ ଫୁଟ, ୩ ଫୁଟ x ୨ ଫୁଟ ରଖାଯାଏ ଏବଂ ଏକ ଫୁଟ ଲମ୍ବ ଏକ ଫୁଟ ଓସାର କିମ୍ବା ଏକ ଫୁଟ ବ୍ୟାସ ବିଶିଷ୍ଟ, ଏକ ଫୁଟ ଗଭୀରର ଗୋଲାକାର ଗାତ ଖୋଳାଯାଏ । ଏହି ଉପାୟରେ ଏକ ହେକ୍ଟର ଜମିରେ ପ୍ରାୟ ୧୩୫୦୦ ରୁ ୧୮୦୦୦ ପର୍ଯ୍ୟନ୍ତ ମନ୍ଦା ରହେ । ସିଆର ପ୍ରଣାଳୀରେ ହେକ୍ଟର ପ୍ରତି ୧୦ ଟନ୍ ବିହନ ଲାଗୁଥିବା ବେଳେ ମନ୍ଦା ପ୍ରଣାଳୀରେ ପ୍ରତି ମନ୍ଦାରେ ଏକ ଆଖିଆ ତିନିଖଣ୍ଡ କିମ୍ବା ଦୁଇଆଖିଆ ଏକ ଖଣ୍ଡ ସହ ଏକ ଆଖିଆ ଏକ ଖଣ୍ଡ ବା ଦୁଇ ଆଖିଆ ଦୁଇଖଣ୍ଡ ହିସାବରେ ହେକ୍ଟର ପ୍ରତି ୨ ରୁ ୩ ଟନ୍ ପର୍ଯ୍ୟନ୍ତ ବିହନ ଲାଗିଥାଏ । ହାଲକା ମାଟିରେ କୋଡ଼ି, କୋଦାଳ ଦ୍ୱାରା ମନ୍ଦା ଖୋଳା ଯାଇପାରେ କିନ୍ତୁ ଏଥିରେ ଅଧିକ ଶ୍ରମ ଓ ସମୟ ଲାଗିଥାଏ । ମନ୍ଦାଖୋଳା ଯନ୍ତ୍ର ବ୍ୟବହାର କଲେ କମ୍ ଖର୍ଚ୍ଚରେ କମ୍ ସମୟରେ ଅଧିକ ମନ୍ଦା ଖୋଳାଯାଇ ପାରିବ । ଆଜିକାଲି ଟ୍ରାକ୍ଟର ଚାଳିତ ଓ ପାୱାର ଟିଲର ଚାଳିତ ମନ୍ଦାଖୋଳା ଯନ୍ତ୍ର ବାହାରିଲାଣି । ତାକୁ ମଧ୍ୟ ବ୍ୟବହାର କରାଯାଇପାରେ । ଅନୁମୋଦିତ ସାର ପ୍ରୟୋଗ ପାଇଁ ପ୍ରତି ମନ୍ଦାରେ ବିହନ ଲଗାଇବା ପୂର୍ବରୁ ୨ କିଲୋଗ୍ରାମ୍ ଗୋବର ଖତ ସହିତ ୧୫ ଗ୍ରାମ୍ ଡିଏପି ସାର ମୂଳ ସାର ହିସାବରେ ପ୍ରୟୋଗ କରି ମାଟିରେ ଭଲଭାବେ ମିଶାଇବା ଦରକାର । ଆଖୁ ଖଣ୍ଡ ଗୁଡ଼ିକୁ ଆଖୁ ଉପରକୁ କରି ରଖି ଅଳ୍ପ ମାଟି ଘୋଡ଼ାଇ ଝରା ସାହାଯ୍ୟରେ ହାଲକା ଜଳସେଚନ କରାଯାଏ । ସୁବିଧା ଥିଲେ ଏକ ଆଖୁ ବିଶିଷ୍ଟ ଆଖୁଖଣ୍ଡକୁ ପଲିଥିନ ମୁଣାରେ ଚାରା ଉତାରି ମନ୍ଦାରେ ଲଗାଯାଇ ପାରେ । ପ୍ରାରମ୍ଭିକ ସମୟରେ ଉଇ ଆକ୍ରମଣରୁ ରକ୍ଷା ପାଇବା ପାଇଁ ମନ୍ଦା ପ୍ରତି କ୍ଲୋରୋପାଇରିଫସ୍ (୧.୫%) ଗୁଣ୍ଡ ୩ ଗ୍ରାମ୍ ହିସାବରେ ବ୍ୟବହାର କରିବାକୁ ପଡ଼େ । ୨୫ ରୁ ୩୦ ଦିନରେ ଘାସବାଛି ମନ୍ଦା ପ୍ରତି ୧୫ ଗ୍ରାମ୍ ୟୁରିଆ ଓ ୧୦ ଗ୍ରାମ୍ ପଟାସ ସାର ଓ ୬୦ ଦିନରେ ଏବଂ ୯୦ ଦିନରେ ମନ୍ଦା ପ୍ରତି ୧୦ ଗ୍ରାମ୍ ଲେଖାଏଁ ୟୁରିଆ ପ୍ରୟୋଗ କରାଯାଏ । ପ୍ରତି ମନ୍ଦାରେ ଗଛଠାରୁ ସାମାନ୍ୟ ଦୂରତାରେ କାଠି ସାହାଯ୍ୟରେ ଗାତକରି ସାର ଦେଲେ ଗଛି ଅଧିକ ସାର ଗ୍ରହଣ କରିଥାଏ କାରଣ ସାର ଆଖୁ ଗଛର ଚେର ପାଖରେ ପହଞ୍ଚିଥାଏ । ଆଖୁଫସଲରେ ଦିଆଯାଇଥିବା ରାସାୟନିକ ସାରରୁ ସିଆର ପ୍ରଣାଳୀରେ ଶତକଡ଼ା ୪୦ ରୁ ୫୦ ଭାଗ ସାର ଗଛ ଗ୍ରହଣ କରୁଥିବା ବେଳେ ମନ୍ଦା ପ୍ରଣାଳୀରେ ୬୦ ରୁ ୮୦ ଭାଗ ସାର ଗ୍ରହଣ କରିଥାଏ । ମନ୍ଦା ପ୍ରଣାଳୀରେ ୯୦ ଦିନ ପରେ ସିଆର କରି ଧାଡ଼ି ଧାଡ଼ି ହୁଡ଼ା ଟେକି ସିଆରରେ ପାଣି ମଡ଼ାଇ ହୁଏ । ମନ୍ଦା ପ୍ରଣାଳୀରେ ବୁନ୍ଦା ଜଳସେଚନ ପଦ୍ଧତିରେ ମଧ୍ୟ ଆଖୁ ଫସଲରେ ପାଣି ମଡ଼ାଇହେବ । ବୁନ୍ଦା ଜଳସେଚନରେ କମ୍ ଜଳ ଲାଗିବା ସହ ସାରର ଗ୍ରହଣିୟତା ବଢ଼ିଥାଏ ଓ ଶତକଡ଼ା ୨୫ ରୁ ୩୦ ଭାଗ ସାରି ସଞ୍ଚୟ ହୁଏ । ବୁନ୍ଦା ଜଳସେଚନରେ ମଧ୍ୟ ଜଳ ସହ ଆଖୁ ଫସଲର ବିଭିନ୍ନ ଅବସ୍ଥାରେ ଆବଶ୍ୟକ ରାସାୟନିକ ସାରକୁ ମିଶାଇ ପ୍ରୟୋଗ କରାଯାଇପାରିବ ।

ମନ୍ଦାଖୋଳା ଖର୍ଚ୍ଚ ଓ ପ୍ରାଥମିକ ଅବସ୍ଥାରେ ଜଳସେଚନର ଅସୁବିଧା ପାଇଁ ଚାଷୀଭାଇମାନେ ମନ୍ଦା ପ୍ରଣାଳୀକୁ ଆପଣେଇ ନ ପାରିଲେ ନୟାଗଡ଼ ଆଖୁ ଗବେଷଣା କେନ୍ଦ୍ର ଦ୍ଵାରା ଗୃହୀତ ମିଶ୍ରିତ ସିଆର-ମନ୍ଦା ପ୍ରଣାଳୀରେ ଜମିକୁ ଗଭୀର ଚାଷ କରି ୩-୪ ଫୁଟ ବ୍ୟବଧାନରେ ଲଙ୍ଗଳ ଦ୍ଵାରା ସିଆର କରି ତା ମଧ୍ୟରେ ୨ ଫୁଟ ବ୍ୟବଧାନରେ କୋଡ଼ି ବା ଫାଉଡ଼ା ସାହାଯ୍ୟରେ ଥରେ ମାଟି କାଢ଼ିଦେଲେ ସିଆର ମଧ୍ୟରେ ୪ ରୁ ୬ ଇଞ୍ଚ ଗଭୀର ବିଶିଷ୍ଟ ଗୋଟିଏ ଗୋଟିଏ ମନ୍ଦା ସୃଷ୍ଟି ହେବ । ସେହି ମନ୍ଦାରେ ଖତ ଓ ସାର ମିଶାଇ ମନ୍ଦା ପ୍ରଣାଳୀ ପରି ଆଖୁ ବିହନ ଲଗାଇ ସିଆରର ଗଭୀରତା ପର୍ଯ୍ୟନ୍ତ ମାଟି ଘୋଡ଼ାଇ ସିଆରରେ ହାଲକା ଜଳସେଚନ କଲେ ଉଭୟ ସିଆର ପ୍ରଣାଳୀ ଓ ମନ୍ଦା ପ୍ରଣାଳୀର ଲାଭ ମିଳିଥାଏ ଓ ମନ୍ଦା ଖୋଳା ଜନିତ ଖର୍ଚ୍ଚ କମିଥାଏ । ଉକ୍ତ ପ୍ରଣାଳୀରେ ଚାଷୀଭାଇମାନେ ମନ୍ଦା ପ୍ରଣାଳୀ ପରି ସାର ଦେଇ କୋଡ଼ାଖୁସା କରି ଯନେଲେ ମନ୍ଦା ପ୍ରଣାଳୀ ପରି ଅମଳ ପାଇବା ସହ କମ୍ ଖର୍ଚ୍ଚରେ ଅଧିକ ଲାଭ ପାଇପାରିବେ ।

ସମନ୍ୱିତ ଖତସାର ପ୍ରୟୋଗ

ଆଖୁଫସଲ ଅଧ୍ୟକ ପରିମାଣର ଖାଦ୍ୟସାର ଗ୍ରହଣ କରୁଥିବାରୁ ଏହି ଫସଲକୁ ଉପଯୁକ୍ତ ପରିମାଣର ରାସାୟନିକ ଓ ଜୈବିକ ସାର ଯୋଗାଇବା ନିହାତି ଆବଶ୍ୟକ। ଜମିର କିସମ ଅନୁସାରେ ଉର୍ବରତା ଭିନ୍ନ ଭିନ୍ନ ହୋଇଥିବାରୁ ପ୍ରଥମେ ମାଟି ପରୀକ୍ଷା କରି ଖତସାର ପ୍ରୟୋଗ କଲେ ଅଧିକ ଅମଳ ଓ ଲାଭ ମିଳିଥାଏ । ଯଦି ଆଖୁ ଫସଲ ଲଗାଇବା ପୂର୍ବରୁ ମାଟି ପରୀକ୍ଷା ହୋଇ ନଥାଏ, ତେବେ ଆମ ରାଜ୍ୟ ପାଇଁ ଅନୁମୋଦିତ ପରିମାଣର ଖତସାର ଯଥା : ହେକ୍ଟର ପ୍ରତି ୧୦ ଟନ୍ ସଢ଼ା ଗୋବର ଖତ ବା କମ୍ପୋଷ୍ଟ ସହିତ ୨୫୦ କିଲୋଗ୍ରାମ୍ ଯବକ୍ଷାରଜାନ, ୧୦୦ କିଲୋଗ୍ରାମ୍ ଫସ୍‌ଫରସ୍ ଓ ୬୦ କିଲୋଗ୍ରାମ୍ ପଟାସିୟମ୍ ସାର ଦରକାର ହୁଏ ଯାହାକି ପ୍ରାୟ ୫୫୦ କିଲୋଗ୍ରାମ୍ ୟୁରିଆ, ୬୨୫ କିଲୋଗ୍ରାମ୍ ସିଙ୍ଗଲ ସୁପର ଫସ୍‌ଫେଟ୍ ଓ । ୧୦୦ କିଲୋଗ୍ରାମ୍ ମ୍ୟୁରେଟ୍ ଅଫ୍ ପଟାସ୍ କିମ୍ବା ୨୧୮ କିଲୋଗ୍ରାମ୍ ଡିଏପି, ୧୮୪ କିଲୋଗ୍ରାମ୍ ୟୁରିଆ ଓ ୧୦୦ କିଲୋଗ୍ରାମ୍ ମ୍ୟୁରେଟ୍ ଅଫ୍ ପଟାସ୍ ସାର ପ୍ରୟୋଗ କଲେ ମିଳିଥାଏ । ଶେଷ ଓଡ଼ ଚାଷ ସମୟରେ ଗୋବର ଖତ ବା କମ୍ପାଷ୍ଟକୁ ପ୍ରୟୋଗ କରି ଆଖୁ ବିହନ ଲଗାଇବା ବେଳେ ସମୁଦାୟ ଫସ୍‌ଫରସ ଓ ଅଧା ପଟାସ ସାର ସିଆରରେ ମାଟି ସହ ମିଶାଇ ଦିଆଯାଇ ତା ଉପରେ ୨– ୩ ଇଞ୍ଚ ମାଟି ଘୋଡ଼ାଇ ଆଖୁ ବିହନ ଲଗାଯାଏ । ଯବକ୍ଷାରଜାନ ସାରକୁ ୩ ଭାଗ କରି ବିହନ ଲଗାଇବାର ୩୦ ରୁ ୪୫ ଦିନ ମଧ୍ୟରେ, ୬୦ ରୁ ୭୫ ଦିନ ମଧ୍ୟରେ ଓ ୯୦ ରୁ ୧୦୫ ଦିନ ମଧ୍ୟରେ ଗୋଟିଏ ଭାଗ ହିସାବରେ ପ୍ରୟୋଗ କରାଯାଏ । ମୂଳି ଆଖୁ ଫସଲରେ ଅଧିକ ୫୦ ରୁ ୧୦୦ କିଲୋଗ୍ରାମ୍ ଯବକ୍ଷାରଜାନ ସାର ପ୍ରୟୋଗ କରିବା ଆବଶ୍ୟକ । ଶେଷଥର ଯବକ୍ଷାରଜାନ ସହ ବାକି ଅଧା ପଟାସିୟମ ସାର ପ୍ରୟୋଗ କରାଯାଏ ।

ଆଖୁ ଫସଲରେ ଯବକ୍ଷାରଜାନର ଆବଶ୍ୟକତା ଅଧିକ ଥିବାରୁ ଏହାର ପ୍ରୟୋଗ ବେଳେ ସାବଧାନତା ଅବଲମ୍ବନ କରିବାକୁ ପଡ଼େ । ଅନୁମୋଦିତ ପରିମାଣ ଠାରୁ କମ୍ ସାର ପ୍ରୟୋଗ କଲେ ଅମଳ କମିଯାଏ ଓ ଅଧିକ ପ୍ରୟୋଗ କଲେ ଅମଳ ସମୟ ବଢ଼ିବା ସହିତ ଗଛର ବୃଦ୍ଧି ଅଧିକ ହୁଏ, ରୋଗ ପୋକ ଆକ୍ରମଣ ଅଧିକ ହେବାସହ ଆଖୁରେ ଶର୍କରା ଅଂଶ କମିଥାଏ । ଯବକ୍ଷାରଜାନ ସାରକୁ ବିଳମ୍ବରେ (୧୨୦ ଦିନ ପରେ) ପ୍ରୟୋଗ କଲେ ଆଖୁରେ ଶର୍କରା ଅଂଶ କମ୍ ରହିଥାଏ । ଆଖୁ ଅମଳ ହେବାର ୬ ମାସ ପୂର୍ବରୁ କୌଣସି ମତେ ଯବକ୍ଷାରଜାନ ସାର ପ୍ରୟୋଗ କରିବା ଉଚିତ୍ ନୁହେଁ । ସେହିପରି ଅନୁମୋଦିତ ପରିମାଣର ଫସ୍‌ଫରସ୍ ପ୍ରୟୋଗ କଲେ ଆଖୁଗଛର ଚେର ଭଲ ବଢିବା ସହ ଗଛକ ଅଧିକ ଖାଦ୍ୟ ସାର ମିଳେ ଓ ଗଛ ଦୃଢ ହୁଏ । ପଟାସ ସାର ପ୍ରୟୋଗ ଫଳରେ ଗଛର ରୋଗପୋକ ସହଣୀଶକ୍ତି ବଢ଼ିବା ସହ, ଶର୍କରା ଅଂଶ ବଢ଼ିଥାଏ  ଏବଂ ମରୁଡ଼ି ଓ ବନ୍ୟା ସହଣି ଶକ୍ତି ଅଧିକ ହୋଇଥାଏ ।

ରାସାୟନିକ ସାର ବିଶେଷ କରି ଯବକ୍ଷାରଜାନ ସାର ପ୍ରୟୋଗ ବେଳେ ଏହାକୁ ମାଟି ଉପରେ ନ ପକାଇ ଗଛର ଦୁଇ କଡ଼ରେ ୩-୪ ସେ.ମି. ଗଭୀରତାରେ ପ୍ରୟୋଗ କରି ମାଟି ଘୋଡ଼ାଇ ଦେଲେ ଯବକ୍ଷାରଜାନ ସାର ବେଶୀ ନଷ୍ଟ ହୁଏ ନାହିଁ ଓ ଗଛି ଅଧିକ ସାର ଗ୍ରହଣ କରିପାରେ । ଯବକ୍ଷାରଜାନ ସାରକୁ ୟୁରିଆ ସାର ହିସାବରେ ବ୍ୟବହାର କଲେ ୟୁରିଆ ସହିତ ନିମ ପିଡ଼ିଆ ମିଶାଇଲେ ଯବକ୍ଷାରଜାନ ସାରର ଉପଯୋଗିତା ବଢ଼ିଥାଏ । ଏଥିପାଇଁ ୫୦ କିଲୋଗ୍ରାମ୍ ୟୁରିଆ ସହ ୧୦ କିଲୋଗ୍ରାମ୍ ନିମ ପିଡ଼ିଆ କିମ୍ବା ୪୦୦ ଗ୍ରାମ୍ ନିମିନ୍ ମିଶାଇ ପ୍ରୟୋଗ କରିବା ଦରକାର ।

ଆଖୁ ଫସଲରେ ଜୈବିକ ସାର ପ୍ରୟୋଗ ବେଳେ ଆଖୁକଳର ମଇଳା ମିଳୁଥିଲେ ୫ ଟନ୍ ସଢ଼ା ଗୋବର ଖତ ସହ ୫ ଟନ୍ ଆଖୁ କଳର ମଇଳା ପ୍ରୟୋଗ କରାଯାଇପାରେ । ଆଖୁ ଫସଲରେ ରାସାୟନିକ ସାର ଜନିତ ଖର୍ଚ୍ଚକୁ କମାଇବା ପାଇଁ ସବୁଜ ଖତ ବା ଜୀବାଣୁ ସାର ମଧ୍ୟ ବ୍ୟବହାର କରାଯାଇପାରେ । ଧଣିବା, ଝୁଡ଼ୁଙ୍ଗ, ମୁଗ ଆଦି ଫସଲକୁ ଆଖୁ ଧାଡ଼ି ମଧ୍ୟରେ ଲଗାଇ ପ୍ରଥମ ଥର କୋଡ଼ାଖୁସା ବେଳେ ମାଟିରେ ମିଶାଇ ଦେଲେ ପ୍ରଚୁର ପରିମାଣର ଖାଦ୍ୟସାର ମିଳିଥାଏ । ଆଖୁ ଫସଲ ଲାଗିବା ପୂର୍ବରୁ ମଧ୍ୟ ସେହି ଜମିରେ ଉକ୍ତ ଫସଲକୁ ଚାଷକରି, ଫଳ ତୋଳି ସାରିବା ପରେ ଗଛକୁ ମାଟିରେ ମିଶାଇ ଦିଆଯାଇପାରେ । ଏହା ଫଳରେ ଯବକ୍ଷାରଜାନ ସାର ଆବଶ୍ୟକତା ଶତକଡ଼ା ୨୫ ଭାଗ ପର୍ଯ୍ୟନ୍ତ କମିଯାଏ ଓ ଆଖୁର ଉତ୍ପାଦନ ବଢ଼ିଯାଏ ।

ସେହିପରି ଜୀବାଣୁ ସାର ହିସାବରେ ହେକ୍ଟର ପ୍ରତି ୫ କିଲୋଗ୍ରାମ୍ ଆଜୋସିରିଲମ୍, ୫ କିଲୋଗ୍ରାମ୍ ପି.ଏସ୍.ବି. ଓ ୫୦୦ କି.ଗ୍ରା. ଗୁଣ୍ଡଖତ ସହିତ ମିଶାଇ ୩୦ ଦିନ ଓ ୬୦ ଦିନରେ ଦୁଇଥର ଜଳସେଚନ ପରେ ଜମିରେ ପ୍ରୟୋଗ କରାଯାଏ, ଫଳରେ ଆଖୁ ଫସଲରେ ଯବକ୍ଷାରଜାନ ଓ ଫସ୍‌ଫରସ୍ ସାରର ଆବଶ୍ୟକତା ଶତକଡ଼ା ୨୫ ଭାଗ କମିଥାଏ । ଜୀବାଣୁ ସାର ପ୍ରୟୋଗ ସମୟରେ ରାସାୟନିକ ସାର କିମ୍ବା କୀଟନାଶକ ପ୍ରୟୋଗ କରିବା ଉଚିତ୍ ନୁହେଁ କାରଣ ଏହାଦ୍ୱାରା ଜୀବାଣୁସାରରେ ଥିବା ଜୀବାଣୁ ସଂଖ୍ୟା ବହୁତ କମିଯାଇଥାଏ ଓ ଜୀବାଣୁ ସାରରୁ ଲାଭ ମିଳି ନଥାଏ ।

ଅନୁମୋଦିତ ପରିମାଣର ଖସାର ପ୍ରୟୋଗ କରି ମଧ୍ୟ ଅମଳ ବଢୁ ନଥିଲେ ମାଟି ପରୀକ୍ଷା କରି ଅନ୍ୟ କୌଣସାରର ଅଭାବକୁ ଅନୁଧ୍ୟାନ କରିବା ଦରକାର । ସାଧାରଣତଃ ଗୋଟିଏ ଜମିରେ ଧାନ ଓ ଆଖୁ ଫସଲ କ୍ରମାଗତ ଭାବେ କିଛି ବର୍ଷ ଚାଷ କଲେ ମାଟିରେ ଦସ୍ତା ଓ ଗନ୍ଧକର ପ୍ରୟୋଗ ନିହାତି ଦରକାର ହୋଇଥାଏ । ଦସ୍ତା ଅଭାବ ଦେଖାଦେଲେ ହେକ୍ଟର ପ୍ରତି ୨୫ କିଲୋଗ୍ରାମ୍ ଜିଙ୍କ୍ ସଲଫେଟ୍ ଓ ଗନ୍ଧକ ଅଭାବ ଥିଲେ ହେକ୍ଟର ପ୍ରତି ୩୦ କିଲୋଗ୍ରାମ୍ ଗନ୍ଧକ ପ୍ରୟୋଗ କରିବା ଦରକାର । ଘାସ ନିୟନ୍ତ୍ରଣ

ଆଖୁ ଫସଲରେ ରାସାୟନିକ ସାର ଓ ଜଳର ଅଧିକ ବ୍ୟବହାର ହେଉଥିବାରୁ ଘାସର ପ୍ରାଦୁର୍ଭାବ ବେଶୀ ହୋଇଥାଏ । ପ୍ରାରମ୍ଭିକ ଅବସ୍ଥାରେ ଘାସ ନିୟନ୍ତ୍ରଣ କରିପାରିଲେ ଆଖୁ ଅମଳ ହେକ୍ଟର ପ୍ରତି ୧୫ ରୁ ୨୦ ଟନ୍ ପର୍ଯ୍ୟନ୍ତ ଅଧିକ ହୋଇଥାଏ । ଚାଷୀଭାଇମାନେ ସାଧାରଣତଃ ଦୁଇରୁ ତିନି ଥର କୋଡ଼ାଖୁସା କରି ଜମିରୁ ଅନାବନା ଘାସକୁ ଦମନ କରିଥାନ୍ତି କିନ୍ତୁ ଆଜିକାଲି ଏହା ସମୟ ସାପେକ୍ଷ ଓ ବ୍ୟୟ ବହୁଳ ହେଉଥିବାରୁ ସେମାନେ ରାସାୟନିକ ଘାସମରା ଔଷଧ ବ୍ୟବହାର ବୃଦ୍ଧି କଲେଣି । ଆଖୁ ଲଗାଇବାର ୩ ଦିନ ଭିତରେ ଜମିରେ ବତର ଥାଇ ହେକ୍ଟର ପ୍ରତି ୪ କିଲୋଗ୍ରାମ୍ ଆଟ୍ରାଜିନ ବା ଆମିଟ୍ରିନ୍ (୫୦ ପ୍ରତିଶତ) (ଏକ ଲିଟର ପାଣିରେ ୪ ଗ୍ରାମ୍ ହିସାବରେ) ୧୦୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କଲେ ଆଖୁ ଫସଲ ୪୦ ଦିନ ପର୍ଯ୍ୟନ୍ତ ଘାସମୁକ୍ତ ରହିବ । ଜମିକୁ ୪୫ ଦିନରେ ଓ ୯୦ ଦିନରେ କୋଡ଼ାଖୁସା କରି ଘାସ ବାଛିଦେଲେ ଘାସ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିବ। ଆଖୁ ଫସଲରେ ପ୍ରଥମ ଚାରିମାସ ମଧ୍ୟରେ ଅନାବନା ଘାସର ପରିମାଣ ଅଧିକ ରହେ କାରଣ ସେତେବେଳେ ଆଖୁ ଗଛ ଛୋଟିଥାଏ ଓ ଘାସ ବଢ଼ିବା ପାଇଁ ପର୍ଯ୍ୟାପ୍ତ ସୂର୍ଯ୍ୟାଲୋକ, ପାଣି ଓ ଖାଦ୍ୟସାର ମିଳିଥାଏ । ଆଖୁଗଛ ବଡ଼ ହୋଇ ପିଲଦେବା ପରେ ଅନାବନା ଘାସର ବୃଦ୍ଧିହାର ରେ ରେ କମିଯାଏ । ତୃଣନାଶକ ଔଷଧ ବ୍ୟବହାର ନକଲେ ଆଖୁ ଗଛର ଶୁଖିଲା ପତ୍ରକୁ ହେକ୍ଟର ପ୍ରତି ୩ ଟନ୍ ହିସାବରେ (୧ ଇଞ୍ଚରୁ ୩.୫ ଇଞ୍ଚ ବହଳରେ) ସିଆର ମଧ୍ୟରେ ଘୋଡ଼ାଇ ଦେଲେ ମଧ୍ୟ ଅନାବନା ଘାସର ପ୍ରାଦୁର୍ଭାବ କମ୍ ରହେ ଓ ମାଟିରେ ବତର ଅଧିକ ଦିନ ରହେ । ମୂଳି ଆଖୁ ଫସଲରେ ମଧ୍ୟ ଖୁଣ୍ଟା ଗୁଡ଼ିକୁ ସଫାକରି, ହୁଡ଼ାଭାଙ୍ଗି ଜମିରେ ଶୁଖିଲା ପତ୍ର ବିଛାଇ ଜଳସେଚନ କରିବା ଉଚିତ୍ । ଜମିରେ ଶୁଖିଲା ପତ୍ର ବିଛାଇଲେ ସଅଳ କାଣ୍ଡବିନ୍ଧା ପୋକର ପ୍ରାଦୁର୍ଭାବ ମଧ୍ୟ କମ୍ ରହେ ।

ଅନ୍ତଃଚାଷ

ଆଖୁ ଲଗାଇବାର ୨ ରୁ ୩ ସପ୍ତାହ ମଧ୍ୟରେ ଗଜା ବାହାରିଥାଏ । ଏହି ସମୟରେ ହାଲ୍‌କା ଭାବେ ଖୁସାଇ ସିଆରକୁ ଅଳ୍ପ ମାଟି ଦ୍ୱାରା ଘୋଡ଼ାଇଦେଲେ ଘାସ ନିୟନ୍ତ୍ରଣ ସହ ଅଧିକ ପିଲଦିଏ । ଲଗାଇବାର ୪୫ ଦିନପରେ ଓ ୯ ୦ ଦିନପରେ ପୁଣି କୋଡ଼ାଖୁସା କରି ଘାସ ବାଛି, ସାରଦେଇ ହୁଡାଟେକି ପାଣି ମଡ଼ାଇବା ଦରକାର । ଆଖୁ ଗଛର ମୂଳକୁ ଭଲଭାବେ ମାଟି ଟେକିଦେଲେ ଆଖୁଗଛ ସହଜରେ ନଇଁଯାଏ ନାହିଁ ।

ଆଖୁଗଛ ୪ ରୁ ୫ ମାସର ହୋଇଗଲେ କାଣ୍ଡବିନ୍ଧା ପୋକଦ୍ଵାରା ଆକ୍ରାନ୍ତ ପିଲଗୁଡ଼ିକୁ ବାହାର କରି ତଳ ଶୁଖିଲା ପତ୍ରକୁ କାଢ଼ି ୨ ରୁ ୩ ଟି ଆଖୁ ଏକାଠି ବାନ୍ଧିବା ଆବଶ୍ୟକ । ଏହାପରେ ୬ ରୁ ୭ ମାସରେ ଆଉଥରେ ଗୋଟିଏ ଧାଡ଼ିର ଦୁଇ ବୁଦାକୁ ଏକାଠି ବନ୍ଧାଯାଏ । ଦୁଇଧାଡ଼ିର ସାମନା ସାମନି ଆଖୁ ବୁଦାକୁ ଭିଡ଼ି ଶୁଖିଲା ଓ ପାକଳ ପତ୍ର ଦ୍ଵାରା ଭେଳା ବାନ୍ଧି ଦିଆଯାଏ । ଆବଶ୍ୟକତା ଅନୁସାରେ ଦୁଇରୁ ତିନିଥର ଭେଳା ବନ୍ଧାଯାଏ । ଭେଳା ବାନ୍ଧିବା ଦ୍ଵାରା ଆଖୁଗଛର ବୃଦ୍ଧି ଭଲ । ହୁଏ ଓ ଗଛଗୁଡ଼ିକ ପବନରେ ଏଣେତେଣେ ପଡ଼ିଯିବାର ସମ୍ଭାବନା କମ୍ ରହେ । ଭେଳା ବାନ୍ଧିବା ପୂର୍ବରୁ ପୋକଦ୍ଵାରା ଆକ୍ରାନ୍ତ ଗଛଗୁଡ଼ିକୁ କାଟି ଦିଆଯାଏ । ଆଖୁଗଛ ତଳେ ପଡ଼ିଗଲେ କିମ୍ବା ନଇଁଗଲେ ଗଣ୍ଠିଗୁଡ଼ିକରେ ଥିବା ସୁପ୍ତ ଆଖୁରୁ ଗଜା ବାହାରେ ଓ ଚେର ବାହାରେ ଫଳରେ ଆଖୁରେ ଶର୍କରା ଅଂଶ କମିବା ସହ ବିହନ ପାଇଁ ଅନୁପଯୁକ୍ତ ହୋଇଥାଏ । ଆଖୁ ଫସଲରେ ବିଳମ୍ବରେ ଆସୁଥିବା ପିଲ ଆଖୁ ଅମଳ ବେଳକୁ ଛୋଟ ଛୋଟ ହୋଇଥିବାରୁ ଏଥିରେ ଶର୍କରା ଅଂଶ କମ୍ ଥାଏ, ତେଣୁ ଏହା ପେଡ଼ିବା ପାଇଁ ଅନୁପଯୁକ୍ତ ଅଟେ । ଆଖୁ ଫସଲରୁ ଅଧିକ ଅମଳ ପାଇବା ପାଇଁ ଏହି ବିଳମ୍ବ ପିଲଗୁଡ଼ିକୁ ନଷ୍ଟ କରିଦେଲେ ଭଲ ପତ୍ରକୁ ଗୋଖାଦ୍ୟ ରୂପେ ବ୍ୟବହାର କରିହେବ ଓ ସରୁ କାଣ୍ଡକୁ ବିହନ ପାଇଁ ବ୍ୟବହାର କରାଯାଇପାରିବ ।

ଅନ୍ତଃ ଫସଲ

ଆଖୁ ଏକ ବର୍ଷିକିଆ ଫସଲ ଓ ଧାଡ଼ିଧାଡ଼ି ମଧ୍ୟରେ ବ୍ୟବଧାନ ଅଢ଼େଇ ଫୁଟ ରହୁଥିବାରୁ ଆଖୁ ଲଗାଇଲା ବେଳେ ଆଖୁ ମରେ ମୁଗ, ବିରି, ଶାଗ, ଭେଣ୍ଡି, ଫୁଲକୋବି, ଆଳୁ ଇତ୍ୟାଦି ଅନ୍ତଃ ଫସଲ ଚାଷ କରାଯାଇ ପାରିବ । ଆଖୁ ଧାଡ଼ି ମଧ୍ୟରେ ବ୍ୟବଧାନ ଅଧିକ ରହି ଲେ ତା’ ମଧ୍ୟରେ ଚିନାବାଦାମ, ସୋରିଷ, ପିଆଜ ଆଦି ଫସଲ ଚାଷ କରାଯାଇପାରିବ । ଆଖୁ ଗଛ ପ୍ରଥମ ଅବସ୍ଥାରେ ୭୦ ରୁ ୮୦ ଦିନ ପର୍ଯ୍ୟନ୍ତ ଧିରେ ଧିରେ ବଢ଼େ ଓ ଆଖୁ ଫସଲରେ ଆରମ୍ଭରୁ ଅଧିକ ଖର୍ଚ୍ଚ ହେଉଥିବାରୁ ଅନ୍ତଃ ଫସଲ ଚାଷ କରି ଚାଷୀଭାଇମାନେ କିଛି ରୋଜଗାର କରିପାରିବେ । ଅନ୍ତଃ ଫସଲ ଚାଷ କଲେ ଡାଲିଜାତୀୟ ଫସଲ ବ୍ୟତୀତ ଅନ୍ୟ ଫସଲ ପାଇଁ ଗଛସଂଖ୍ୟାକୁ ଦେଖୁ ସାର ପ୍ରୟୋଗ କରିବା ଦରକାର । ଆଖୁ ଫସଲରେ ଅଧିକ ଜଳସେଚନର ଆବଶ୍ୟକତା ଥିବାରୁ ଅନ୍ତଃ ଫସଲ ଚାଷ କଲେ ଜଳସେଚନର ମାତ୍ରାକୁ କମାଇବାକୁ ପଡ଼େ ।

ଆଧାର - "ଓୟୁଏଟି"

3.17647058824
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top