ସେଆର କରନ୍ତୁ

କମଳା ଚାଷ

କମଳା ଚାଷ ର ସୁଚନା

କମଳା ଗୋଟିଏ ସୁସ୍ଵାଦୁ ଫଳ । କମଳା ରସରେ ବିଭିନ୍ନ ଜୀବନିକା ଓ ଧାତବ ଲବଣ ଥିବାରୁ ଏହା ଏକ ଅତ୍ୟନ୍ତ ଉପାଦେୟ ପାନୀୟ । ଏହାକୁ ରୋଗୀର ପଥି ଭାବରେ ବ୍ୟବହାର କରାଯାଏ । ସାଧାରଣତଃ କମଳା ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । କମଳା ଚାଷ ଏକ ଲାଭଜନକ ବ୍ୟବସାୟ ।

ପ୍ରକାର ଭେଦ

ସାଧାରଣତଃ ଦୁଇ ପ୍ରକାରର କମଳା ଦେଖାଯାଏ । ଢିଲା ଚୋପା ଓ ଟାଣ ଚୋପା । ନାଗପୁରର କମଳା,ପାରଳା ଖେମୁଣ୍ଡିର ପାଟ କମଳା , ଖସି କମଳା,ଦାର୍ଜିଲିଂ, ସାତସୁମା, ସିଲହଟ କମଳା ଢିଲା ଚୋପା ଜାତୀୟ । ଢିଲା ଚୋପା ଜାତୀୟ କମଳାକୁ ମାଣ୍ଡାରିନ କମଳା କହନ୍ତି ଓ ଏହା ଟାଣ ଚୋପା କମଳା ଠାରୁ ଅଧିକ ମିଠା ଓ ଏହା ପଚି ଗଲେ ଏହାର କୋଷା ଚୋପାଠାରୁ ସହଜରେ ଅଲଗା ହୋଇଯାଏ ।

ମାଲଟା, ମୋଜାମ୍ବି, ସାତଗୁଡି ବାଟାଭିଆ, ଭାଳେନସିଆ, ପାଇନଆପଲ, ଜାଫା, ହାମଲିନ, ୱାସିଙ୍ଗଟନ ନାଭାଲା, ଇତ୍ୟାଦି ଟାଣ ଚୋପା ଜାତୀୟ । ବର୍ତ୍ତମାନ ଢିଲା ଚୋପା ଓ ଟାଣ ସମିଶ୍ରଣରେ ଶଙ୍କର ଜାତୀୟ କମଳା ବାହାରିଲାଣି । ସାତସୁମା ଓ କିନ୍ନୋ ଏହି ଶ୍ରେଣୀରେ । ଏହା ବାଦେ ଓଡିଶାରେ ଖଟା କମଳା ଓ କାନ୍ଧିଆରର ଆଦର ଗାଁ ଗହଳରେ ବହୁତ ବେଶୀ , ଗ୍ରେପ ଫୁଟ ମଧ୍ୟ ଗାଁ ଗହଳରେ ଦେଖାଯାଏ ।

ଜଳବାୟୁ

କମଳା ଚାଷ ପାଇନ ନାତିଶୀତୋଷ୍ମ ଜଳବାୟୁ ଉତ୍କୃଷ୍ଟ ଅଟେ । କରକା ପାତ ହେଉନଥିବା ଅଞ୍ଚଳରେ ସମୁଦ୍ର ପତନ ଠାରୁ ୧୫୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ୧୦-୩୦ ଡିଗ୍ରୀ ସେଲସିୟସ ଉତ୍ତାପରେ କମଳା ଚାଷ ଭଲ ହୁଏ । ଯେଉଁ ସ୍ଥାନ ମାନଙ୍କରେ ଗ୍ରୀଷ୍ମଦିନ ଓ ଶୀତଦିନର ପ୍ରଭାବ ବେଶ ଅନୁଭବ କରିହୁଏ, ସେହି ସ୍ଥାନ ଗୁଡିକ କମଳା ଚାଷ ପାଇଁ ଉପଯୋଗୀ । ମାଲଟା ଓ ମୋଜାମ୍ବି ଜାତୀୟ କମଳା ପାଇଁ କମ ବୃଷ୍ଟିପାତ ଅଞ୍ଚଳ ବେଶ ଉପଯୋଗୀ, କିନ୍ତୁ ଢିଲା ଚୋପା କମଳା, ଅପେକ୍ଷାକୃତ ଅଧିକ ଆଦ୍ରଜଳବାୟୁରେ ଭଲ ବଢିଥାଏ ଓ ଏହା ଅଧିକ ଥଣ୍ଡାଦରକାର କରେ । ଅନେକ ସ୍ଥାନରେ ମଧ୍ୟ ଉଭୟ ଜାତିର କମଳା ପାଖାପାଖି ହେଉଥିବାର ଦେଖାଯାଏ , ଏପରିସ୍ଥଳେ ଉଚ୍ଚ ପତନରେ ଢିଲାଚୋପା ବିଶିଷ୍ଟ କମଳା ଲଗାଇ ନିମ୍ନ ପତ୍ତନରେ ଟାଣଚୋପା ବିଶିଷ୍ଟ କମଳା ଲଗାଇବା ଉଚିତ ।

ମୃତ୍ତିକା

କମଳା ଗଛ ପ୍ରାୟତଃ ସବୁ ପ୍ରକାର ମାଟିରେ ଚାଷ ହେଉଥିଲା ବେଳେ ଆସାମର ବାଲିଆ ତଥା ପାହାଡର ଗଡାଣିଆ ରୁଗୁଡିଆ ଲାଟେରାଇଟ ମାଟିରେ ମଧ୍ୟ ଭଲ ହେଉଛି । ତେଣୁ ଅନୁର୍ବାର ଟାଣୁଆ ମାଟିଠାରୁ ଆରମ୍ଭ କରି ଫସଫସିଆ ବା ହାଲକା ମାଟି କମଳା ଚାଷ ପାଇଁ ଉପଯୁକ୍ତ । ଚିକିଟା ସନ୍ତସନ୍ତିଆ ମାଟି କମଳା ଚାଷ ପାଇଁ ଅନୁପଯୁକ୍ତ । ଚିକିଟା ସନ୍ତସନ୍ତିଆ ମାଟି କମଳା ଚାଷ ପାଇଁ ଅନୁପଯୁକ୍ତ । ତେବେ ଏହି ଚାଷ ପାଇଁ ଉର୍ବର ଓ ଦୋରସା , ନିଗିଡା ମାଟି ବିଶେଷ ଭାବେ ଉପଯୁକ୍ତ । ମାଟିର ଅମ୍ଳତା ୫.୫ ରୁ ୭.୫ କମଳା ଚାଷ ପାଇଁ ଉପଯୁକ୍ତ । ସାଧାରଣତଃ ଦେଖାଯାଇଛି ଗଜପତି ଜିଲ୍ଲାର ରାମଗିରି ଓ ଉଦୟଗିରି, ଅନୁଗୁଳର ଟିକରପଡା ଅଞ୍ଚଳ ଓ ପାଲ୍ଲହଡାର ଅଞ୍ଚଳରେ ଥିବା ଛୋଟ ନଦୀ ନାଳର ଦୁଇ ପାଖରେ ଥିବା ମାଟିରେ ଭଲ କମଳା ଚାଷ ହେଉଛି ।

କମଳା ଚାଷ ପାଇଁ ଚାରା ପ୍ରସ୍ତୁତି

କମଳାରେ ସାଧାରଣତଃ ଆଖି କଲମି କରାଯାଏ । ସେଥିପାଇଁ ମୂଳ ଗଛ ଭାବେ ଜାମ୍ବେରି, କର୍ଣ୍ଣାଖଟା, ଟ୍ରାଇଫଲିଏଟ ଅରେଞ୍ଜ ଓ ରଙ୍ଗପୁର ଲାଇମ ଗଛକୁ ବ୍ୟବହାର କରାଯାଏ । ସାଧାରଣତଃ ଏପ୍ରିଲ, ମେ ମାସରେ ଚାରା ଉତରାଯାଏ । ଏବଂ ସେହି ଚାରାକୁ ଡିସେମ୍ବର ଠାରୁ ଫ୍ରେବୁୟାରୀ ମାସ ମଧ୍ୟରେ କଲମୀ କରାଯାଏ । କଲମୀ ହେବାର ୬ ମାସ ପରେ ଗଛ ଲଗାଇବା ପାଇଁ ପ୍ରସ୍ତୁତ ହୋଇଯାଏ । କଲମୀ ଗଛ ଲଗାଇଲେ ୨ବର୍ଷରୁ ବେଶି ବୟସର ଗଛ ଲଗାଇବା ଉଚିତ ନୁହେଁ ।

ମଞ୍ଜି ଗଛରୁ ମଧ୍ୟ ଉତ୍କୃଷ୍ଟ କମଳା ବଗିଚା ଉତୁରା ଯାଇପାରେ । ଗୋଟିଏ କମଳା ମଞ୍ଜିରୁ ଏକାଧିକ ଗଛ ବାହାରିଥାଏ । ଏହା ମଧ୍ୟରୁ ଗୋଟିକୁ ବାଦ ଦେଲେ ଅନ୍ୟଗୁଡିକ ଅଙ୍ଗଜ ପ୍ରଣାଳୀରେ ଉତ୍ପନ୍ନ ହୋଇଥାଆନ୍ତି ।

କମଳା ଚାଷ ପାଇଁ ଚାରା ପ୍ରସ୍ତୁତି

କମଳାରେ ସାଧାରଣତଃ ଆଖି କଲମି କରାଯାଏ । ସେଥିପାଇଁ ମୂଳ ଗଛ ଭାବେ ଜାମ୍ବେରି, କର୍ଣ୍ଣାଖଟା, ଟ୍ରାଇଫଲିଏଟ ଅରେଞ୍ଜ ଓ ରଙ୍ଗପୁର ଲାଇମ ଗଛକୁ ବ୍ୟବହାର କରାଯାଏ । ସାଧାରଣତଃ ଏପ୍ରିଲ, ମେ ମାସରେ ଚାରା ଉତରାଯାଏ । ଏବଂ ସେହି ଚାରାକୁ ଡିସେମ୍ବର ଠାରୁ ଫେବୃୟାରୀ ମାସ ମଧ୍ୟରେ କଲମୀ କରାଯାଏ । କଲମୀ ହେବାର 6ମାସ ପରେ ଗଛ ଲଗାଇବା ପାଇଁ ପ୍ରସ୍ତୁତ ହୋଇଯାଏ । କଲମୀ ଗଛ ଲଗାଇଲେ 2ବର୍ଷରୁ ବେଶି ବଯସର ଗଛ ଲଗାଇବା ଉଚିତ ନୁହେଁ ।

ମଞ୍ଜି ଗଛରୁ ମଧ୍ୟ ଉତ୍କୃଷ୍ଟ କମଳା ବଗିଚା ଉତରା ଯାଇପାରେ । ଗୋଟିଏ କମଳା ମଞ୍ଜିରୁ ଏକାଧିକ ଗଛ ବାହାରିଥାଏ । ଏହା ମଧ୍ୟରୁ ଗୋଟିକୁ ବାଦ ଦେଲେ ଅନ୍ୟଗୁଡିକ ଅଙ୍ଗଜ ପ୍ରଣାଳୀରେ ଉତ୍ପନ୍ନ ହେଉଥିବା କମଳା ଗଛ ମା’ ଗଛ ପରି ଫଳେ । ଓଡିଶାର ପାହାଡିଆ ଅଞ୍ଚଳ ମାନଙ୍କରେ ବିଶେଷ କରି ମଞ୍ଜି ଗଛ ବ୍ୟବହାର କରାଯାଏ ।

ମଞ୍ଜି ବାହାର କରିବା ପାଇଁ ପାଚିଲା ଫଳକୁ ଦୁଇଫାଳ କରି କାଟି ଦେବ । ଫଳଟିକୁ ଏକା ଥରକେ କାଟି ଦେଲେ ମଞ୍ଜି କଟିଯିବାର ଆଶଙ୍କା ଥାଏ । ତେଣୁ କମଳାର କେବଳ ଚୋପାକୁ କାଟି ଦୁଇ ହାତରେ ମୋଡି ଦେଲେ, ସହଜରେ ଦୁଇଫାଳ ହୋଇଯାଏ । ତା’ପରେ ମଞ୍ଜିକୁ ଗୋଟି ଗୋଟି କରି କାଢିନେଇ ପାଣିରେ ଧୋଇ ଦିଆଯାଏ ଓ ଛାଇରେ ଏକ ପରସ୍ତ କରି ଶୁଖାଇ ଦିଆଯାଏ । ମଞ୍ଜି ଶୁଖିଗଲା ପରେ ସେଥିରେ ସେରେସାନ ଗୁଣ୍ଡ ଓ ଭଲ କାଠ ପାଉଁଶ କିଛି ଗୋଳାଇ ଥଣ୍ଡା ଜାଗାରେ ରଖାଯାଏ । ଫଳରୁ ବାହାର କରିବାର ୨/୩ ସପ୍ତାହ ମଧ୍ୟରେ ମଞ୍ଜିଗୁଡିକ ତଳି ପଟିରେ ବୁଣି ଦିଆଯାଏ ।

ତଳି ଘରା ପାଇଁ ଉର୍ବର ଓ ନିଗିଡା ମାଟି ଦେଖି ସ୍ଥାନ ବାଛିବା ଦରକାର । ମାଟିକୁ ୨/୩ ଥର ହାଣି ଭଲଭାବେ ଗୁଣ୍ଡକରି ତା’ପରେ ଏକ ମିଟର ଓସାର ଓ ୩ମିଟର ଲମ୍ବର ପଟାଳି ପ୍ରସ୍ତୁତ କରନ୍ତୁ । ପ୍ରତି ପଟାଳିରେ ୨ଟୋକେଇ ସଢା ଗୋବରଖତ ବା କମ୍ପୋଷ୍ଟ ସହିତ ୨୦୦ଗ୍ରାମ ସୁପର ଫସଫେଟ ସାର ଭଲଭାବରେ ମିଶାଇ ଦିଅନ୍ତୁ । ପଟାଳିରେ ୧୦ ସେମି ବ୍ୟବଧାନରେ ଧାଡି କରି ପ୍ରତି ଧାଡିରେ ୨.୫ ସେମି ବ୍ୟବଧାନରେ ମଞ୍ଜି ଲଗାନ୍ତୁ । ମଞ୍ଜି ଲଗାଇବା ପୂର୍ବରୁ ସିଧାକରି ୧ସେମି ଗଭୀରର ଗାର ଟାଣି ମଞ୍ଜି ପକାଇ ଗୁଣ୍ଡ ମାଟି , ଖତ ଓ ବାଲି ଘୋଡାଇ ନଡା ଘୋଡାଇ ପାଣି ଦିଅନ୍ତୁ । ନିୟମିତ ଭାବେ ପାଣିମଡାଇ ମାଟିର ବତର ରଖନ୍ତୁ । ମାସକ ମଧ୍ୟରେ ଗଜା ବାହାରିଯାଏ । ଗଛ ୫/୧୦ ସେମି ହୋଇଗଲା ପରେ ସେଗୁଡିକୁ ଅନ୍ୟ ଏକ ପଟାଳିକୁ ଉଠାଇ ନେବା ଉଚିତ । ଏ ପଟାଳିରେ ଧାଡିକୁ ଧାଡି ୩୦ ସେମି ବ୍ୟବଧାନ ଓ ଗଛକୁ ଗଛ ୧୫ସେମି ବ୍ୟବଧାନରେ ଲଗାନ୍ତୁ । ଗଛ ୪୫ସେମି ଉଚ୍ଚ ହେଲା ପର୍ଯ୍ୟନ୍ତ ରଖାଯାଇ ପାରିବ ।

ଅନେକ ସମୟରେ ପ୍ରଥମ ପଟାଳିରେ ୬ମାସରୁ ୯ମାସ ପର୍ଯ୍ୟନ୍ତ ଚାରା ଗଛକୁ ଛାଡି ଦିଆଯାଏ । ତା’ପରେ ସେଗୁଡିକୁ ଗୋଟି ଗୋଟି କରି ଉପାଡି ଅନ୍ୟ ତଳି ଘରାରେ ଲଗାଯାଏ । ଗଛ ଲଗାଯିବା ପରେ ପରେ ପାଣି ମଡାଇବା ଦରକାର । ଗଛ ବଢିଗଲା ପରେ ଧାଡି ମଝିରେ ଥିବା ଫାଙ୍କା ଜାଗାକୁ ହାଣି ମାଟିକୁ ହାଲକା ରଖନ୍ତୁ ଓ ଅନାବନା ଘାସ ବାଛନ୍ତୁ । ଆବଶ୍ୟକ ମୁତାବକ ପାଣି ମଡାନ୍ତୁ ଓ ରୋଗ ପୋକ ନିରାକରଣ ବ୍ୟବସ୍ଥା କରନ୍ତୁ । ରୋଗ ପାଇଁ ବେଭିଷ୍ଟିନ ଡିଥେନ ଏମ ୪୫ ଓ ବ୍ଳାଇଟକସ ଓ ପୋକ ପାଇଁ ମାଲାଥିଆନ ରୋଗର ଇତ୍ୟାଦି ପକାଯାଇ ପାରେ ।

ଗଛ ଗୁଡିକୁ ମୂଳରୁ ସିଧା ଭାବରେ ବଢିବାକୁ ଦିଅନ୍ତୁ । ଅନ୍ତତଃପକ୍ଷେ ୨୦ ରୁ ୩୦ ସେମି ପର୍ଯ୍ୟନ୍ତ ଗଛ ମୂଳରେ କୌଣସି ପ୍ରକାରର ଡାଳ ବାହାରିବାକୁ ଦିଅନ୍ତୁ ନାହିଁ । ଗଛ ୪୫ ସେମି ଉଚ୍ଚର ହୋଇଗଲେ ବଗିଚାରେ ଲଗାଇବା ପାଇଁ ଉପଯୁକ୍ତ ହୋଇଯାଏ ।

ବଗିଚାରେ ଗଛ ଲଗାଇବା

ପାହାଡିଆ ଅଞ୍ଚଳରେ ପାହାଡର ଗଡାଣି ଓ ଖୋଲ ମାନଙ୍କରେ ସାଧାରଣତଃ ଗଛ ଲଗାଯାଏ । ସାଧାରଣତଃ ପାହାଡର ଉତ୍ତର, ପୂର୍ବ ଓ ଉତ୍ତର ପୂର୍ବ ଦିଗରେ ବଗିଚା କରାଯାଇଥାଏ । ଉର୍ବର ଓ ଅଧିକ ସମୟ ବତର ରହି ପାରୁଥିବା ଜମିରେ ଗଛ ଲଗାଯାଏ । ପତ୍ର ପଢି ସଢିଥିବାରୁ ମାଟିରେ ଯଥେଷ୍ଟ ପରିମାଣରେ ଜୈବିକ ଅଂଶ ଥାଏ । ପାହାଡିଆ ଭୂମିରେ ଟେରାସ ବା ସମପତ୍ତନ କିଆରି କରି ଗଛ ଲଗାଇବା ଉଚିତ । ସମତଳ ଅଞ୍ଚଳରେ ଜମିକୁ ଭଲ ଭାବରେ ସଫାକରି ୪/୫ ଓଡ ହଳକରି ସମପତ୍ତନ କରି ଗଛ ଲଗାଯାଏ । ବଡ ତୋଫାନ ଓ ଝାଞ୍ଜି ପବନରୁ ରକ୍ଷା ପାଇବା ପାଇଁ ବଗିଚାର ଚାରିପଟେ ବିଶେଷ କରି ଦକ୍ଷିଣ ପଶ୍ଚିମ ପଟେ ବାୟୁ ନିରୋଧକ ଗଛ ଲଗାଇବା ଉଚିତ ।

ଗଛକୁ ଗଛ ଓ ଧାଡିକୁ ଧାଡି ୬ମିଟର ବ୍ୟବଧାନରେ ଗାତ ଖୋଳିବା ଦରକାର । ମାଟି ନେଇ ଗାତର ଗୋଲେଇ ଓ ଗଭୀର ଅଧେ ମିଟରରୁ ଏକ ମିଟର ପର୍ଯ୍ୟନ୍ତ ହେବା ଉଚିତ । ଖରାଦିନେ ଗାତ ଖୋଳି ମାଟିକୁ ୧୦/୧୨ ଦିନ ଖରା ଖୋଇ ଦେବା ଉଚିତ । ଖରାଦିନେ ଗାତ ଖୋଳି ମାଟିକୁ ୧୦/୧୨ ଦିନ ଖରା ଖୋଇ ଦେବା ଉଚିତ । ମାଟିରେ ଦୁଇ ଟୋକେଇ ସଢା ଗୋବର ଖତ ଓ ଦୁଇ କେଜି ସୁପର ଫସଫେଟ ବା ହାଡଗୁଣ୍ଡି ଓ ୫୦୦ ଗ୍ରାମ ପଟାସ ସାର ଦେଇ , ମାଟି ସଙ୍ଗେ ଭଲ ଭାବରେ ମିଶାଇ ଗାତ ଭର୍ତ୍ତି କରିଦେବ । ଖତ ସହ କେବଳ ୨/୩ କେଜି ଷ୍ଟେରାମିଲ ବା ହିନ୍ଦଓମିଲ ବା ରାଲିମିଲ ଦେଲେ ଚଳିବ । ଗାତ ଭର୍ତ୍ତି କରିବା ପୂର୍ବରୁ ମାଟିରେ ଓ ଗାତରେ ୫୦ ଗ୍ରାମ କ୍ଳୋରୋପାଇରିଫସ ଗୁଣ୍ଡ ଦେଲେ ଗଛରେ ଉଈ ଲାଗନ୍ତିନି । ମାଟି ଭରି କରି ପାଣି ୨/୪ ବାଲଟି ଢାଳି ଦେଲେ ମାଟି ବସିଯିବ ଓ ଖତସାର ମାଟିରେ ମିଶିଯିବ ବା ୨/୩ ଥର ବର୍ଷା ହୋଇ ଗଲାପରେ ଗଛ ଲଗାଇବା କଥା । କଲମି ଗଛ ହେଉ କି ମଞ୍ଜି ଗଛ ହେଉ ଗଛ ଲଗାଇବା ପରେ ଗଛ ଚାରିପଟେ ମାଟିକୁ ଭଲ ଭାବରେ ଦାବିଦେଇ ଗଛ ମୂଳରେ ମାଟି ଦେଇ ମାନ୍ଦା କରି ପାଣି ମଡାଇବାରେ ବନ୍ଦୋବସ୍ତ କରିବ । କଲମି ଗଛ ହୋଇଥିଲେ ଯୋଡସ୍ଥାନ ଭୂମି ପତ୍ତନରୁ ୧୫ ରୁ ୨୦ ସେମି ଉପରେ ରହିବା ଉଚିତ । ନର୍ସରୀରେ ଗଛ ଯେଉଁ ପତ୍ତନରେ ଥିଲେ ଯେପରି ସେହି ପତ୍ତନରେ ଗଛ ଲଗାଯାଏ ସେଥିପ୍ରତି ଦୃଷ୍ଟି ଦେବ । ଅଧିକ ଗଭୀରରେ ଗଛ ଲଗାଇଲେ ଗଛ ନଷ୍ଟ ହେବାର ଆଶଙ୍କା ଥାଏ । ସାଧାରଣତଃ ଉପରବେଳା ଗଛ ଲଗାଇବା ଭଲ । କୋହଲା ଓ ମେଘୁଆ ପାଗରେ ମଧ୍ୟ ଗଛ ଲଗାଯାଇ ପାରେ ।

ଲଗାଇବା ପରେ ଯତ୍ନ

ଗଛ ଗଛ ମଧ୍ୟରେ ଥିବା ଫାଙ୍କା ସ୍ଥାନକୁ ନିୟମିତ ଭାବେ ଚାଷ କରିବା ଉଚିତ । ପ୍ରଥମେ ୩/୪ ବର୍ଷ ପର୍ଯ୍ୟନ୍ତ ଏହି ସ୍ଥାନ ମାନଙ୍କରେ ଝୁଡଙ୍ଗ, ମଟର, ବିନ, ମୁଗ, ବିରି,ଇତ୍ୟାଦି ଫସଲ କରାଯାଇପାରେ । ଏହା ଦ୍ଵାରା ଜମି ସଫା ରହେ ଓ ଚାଷୀଙ୍କୁ ମଧ୍ୟ କିଛି  ଆୟ ମିଳେ । ଯଦି କିଛି ଫସଲ ନ କରୁଛନ୍ତି ତେବେ ସନହେମ୍ପ ବୁଣି ଚଷିଦେଲେ ମାଟିର ଉର୍ବରତା ବହୁତ ବଢେ ।

ପାହାଡିଆ ଅଞ୍ଚଳରେ ବିନା ଚଳସେଚନରେ କମଳା ଚାଷ କରାଯାଏ । କିନ୍ତୁ ସମତଳ ଅଞ୍ଚଳରେ ଜଳସେଚନ କରିବା ନିତାନ୍ତ ଆବଶ୍ୟକ । ଜମିର ବତର ଦେଖି ଆବଶ୍ୟକତା ଅନୁସାରେ ପାଣି ମଡାଇବା ଉଚିତ । ଛୋଟ ଅବସ୍ଥାରେ ଗଛର ଚାରିପଟେ ମାନ୍ଦା କରି ପାଣି ମଡାଯାଏ । ଗଛ ବଡ ହୋଇଗଲା ପରେ ଗଛ ମୂଳରୁ ଅଧେ ମିଟର ଛାଡି ବଗିଚା ସାରା ପାଣି ମଡାଇ ଦେବା ଉଚିତ ।

କଲମି ଗଛ ହେଉ ବା ମଞ୍ଜି ଗଛ ହେଉ ଭୂମି ପତନରୁ ୫୦ ରୁ ୬୦ ସେମି ପର୍ଯ୍ୟନ୍ତ କାଣ୍ଡରେ କିଛି ଶାଖା ପ୍ରଶାଖା ବାହାରିବାକୁ ଦେବନି । ଯଦି କିଛି ଡାଳ ବାହାରେ ତାକୁ ଭାଙ୍ଗି ଦେବା ଉଚିତ ।

ଖତ ଓ ସାର

ଗୋଟିଏ ପାଞ୍ଚବର୍ଷିୟା କମଳା ଗଛ ପାଇଁ ମୂଳ ସାର ହିସାବରେ ୬୦୦ ଗ୍ରାମ ଯବକ୍ଷାରଜାନ, ୩୦୦ ଗ୍ରାମ ଫସଫରସ ଓ ୬୦୦ ଗ୍ରାମ ପଟାସ ସାର ଦରକାର । ଏହି ସାର ପାଇବା ପାଇଁ ଆମକୁ ୩କେଜି ସିଏଏନ ୨କେଜି ସୁପର ଫସଫେଟ  ଓ ଏକ କେଜି ପଟାସ ସାର ଦେବା ଆବଶ୍ୟକ । ବର୍ଷିକିଆ ଗଛରେ ୨୦୦ ଗ୍ରାମ ଯବକ୍ଷାରଜାନ ୧୦୦ ଗ୍ରାମ ଫସଫରସ ଓ ୨୦୦ଗ୍ରାମ ପଟାସ ସାର ଦେବା କଥା । ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଏହାର ପରିମାଣ ବଢାଇ ୫ବର୍ଷ ସୁଦ୍ଧା ଉପରୋକ୍ତ ପରିମାଣର ସାର ପ୍ରୟୋଗ କରିବା ଦରକାର । ଏହାବ୍ୟତୀତ ପ୍ରଥମ ବର୍ଷ ୧୦କିଲୋ ସଢା ଗୋବର ଖତ ବା କମ୍ପୋଷ୍ଟ ଦେଇ କ୍ରମେ ୪୦ କିଲୋ ପର୍ଯ୍ୟନ୍ତ ବଢାଇବା ଉଚିତ । ଜୈବିକ ସାର ଦେଲେ ଏକ କିଲୋରୁ ଆରମ୍ଭ କରି ୫ ବର୍ଷରେ ୫କିଲୋ ବଢାଇବେ । ପହିଲି ବର୍ଷା ଆରମ୍ଭରେ ସାର ପ୍ରୟୋଗ କରିବା ଉଚିତ । ଗଛ ମୂଳରୁ ଅଧ ମିଟର ଛାଡି ଖତସାର ପ୍ରୟୋଗ କରି ମାଟି ଖୁସାଇ ଦେବା ଦରକାର । ସାର ଦେବା ପରେ ବର୍ଷା ନହେଲେ ପାଣିଦେବାକୁ ପଡେ । ଗଛ ଛୋଟ ଥିବା ସମୟରେ ଗଛଠାରୁ ଦେଢ ମିଟର ମଧ୍ୟରେ ସାର ପ୍ରୟୋଗ କରିବା ଉଚିତ । ଗଛ ବଡ ହେଲା ପରେ କାଣ୍ଡ ପାଖରୁ ଅଧ ମିଟର ଛାଡି ଗଛ ଚାରି ପାଖରେ ସାର ପ୍ରୟୋଗ କରାଯାଏ ।

କମଳା ଗଛ ଭଲ ବଢିବା ପାଇଁ ଓ ଭଲ ଫଳ ଫୁଲ ଆସିବା ପାଇଁ ଉପଯୁକ୍ତ ପରିମାଣରେ ଅଣୁସାରର ଦରକାର । ଅଣୁସାର ଭିତରେ ଜିଙ୍କ, ତମ୍ବା, ମାଙ୍ଗାନିଜ ଓ ବୋରନ ପ୍ରଧାନ । ଏହି ଅଣୁସାରକୁ ମାଟିରେ ଦିଆଯାଇ ପାରିବ ବା ପାଣିରେ ମିଶାଇ ଗଛରେ ଛିଞ୍ଚା ଯାଇ ପାରିବ ।

ଜିଙ୍କ୍ (ଦସ୍ତା)

ସାଧାରଣତଃ ଆମ ମାଟିରେ ଦସ୍ତାର ଅଭାବ ଦେଖାଯାଏ । ଏହାର ଅଭାବରେ ପତ୍ରର ଶାଗୁଆ ରଙ୍ଗ କମିଯାଏ । ଡାଳରେ ପତ୍ର ଗୁଡିକ ଲାଗି ଲାଗି ବଢେ । ଗଛ ରୁଗଣ ହୋଇଯାଏ ଓ ଡାଳର ଉପରି ଭାଗରୁ ଗଛ ମରିବା ଆରମ୍ଭ କରେ । ଏହାର ନିରାକରଣ ପାଇଁ ଶତକଡା ୦.୪ ରୁ ୦.୬ ଜିଙ୍କ ସଲଫେଟ ଛିଞ୍ଚିଲେ ଭଲ କାମ ଦିଏ ।

କପର (ତମ୍ବା)

ନୂଆରେ ବଢୁଥିବା ଡାଳ ଗୁଡିକରେ ତମ୍ବା ଅଭାବରୁ ଅଠା ଝରିବା ଦେଖାଯାଏ । ବୋର୍ଡ ମିକଶ୍ଚର ପକାଇଲେ ଏହାର ଅଭାବ ଦୁରହୁଏ ।

ମାଙ୍ଗାନିଜ୍ :-

ଏହାର ଅଭାବରେ ପତ୍ରର ଶିରା ବ୍ୟତୀତ ଅନ୍ୟ ସ୍ଥାନ ମାନଙ୍କରୁ ଶାଗୁଆ ରଙ୍ଗ ଚାଲିଯାଏ । ପତ୍ର ମଟକା ହୋଇ ପଡେ ଓ ପତ୍ର ଝଡି ଗଛ ରୁଗଣ ଦେଖାଯାଏ । ଅମଳ କମିଯାଏ । ଶତକଡା ୦.୪ ରୁ ୦.୬ ମାଙ୍ଗାନିଜ ସଲଫେଟ ପ୍ରୟୋଗ କଲେ ମାଙ୍ଗାନିଜ ଜନିତ ଅଭାବ ଦୁରହୁଏ ।

ବୋରନ :-

ବୋରନ ଅଭାବରେ ଫଳ ଗଛରେ ଟାଣ ହୋଇ ରହିଯାଏ ଏବଂ ଫଳ ଭିତରେ ଓ ବାହାରେ ଫମ୍ପା ଲକ୍ଷଣ ପ୍ରକାଶ ପାଏ । ଗଛ ପ୍ରତି ୫୦ ରୁ ୧୦୦ ଗ୍ରାମ ଟାଙ୍ଗଣା ମାଟିରେ ଦେଲେ ଏ ଅଭାବ ଦୂର ହୁଏ ।

ଜଳସେଚନ

ସାଧାରଣତଃ ଦକ୍ଷିଣ ଓଡିଶାରେ ମେ-ଜୁନ ମାସରେ କମଳା ଗଛରେ ଫୁଲ ଆସେ ଓ ଉତ୍ତର ଓଡିଶାରେ ଫେବୃୟାରୀ-ମାର୍ଚ୍ଚ ମାସରେ ଫୁଲ ଆସେ । ଫଳ କଷି ଧରିବା ଅବସ୍ଥାରେ ଗଛରେ ପାଣିର ଅଭାବ ହେଲେ କଷି ଝଡିପଡେ । ଫଳ ବଢିବା ସମୟରେ ନିୟମିତ ଜଳସେଚନ ଦରକାର । କମଳା କଷି ଧରିଲା ପରେ ଥରେ ଦୁଇଥର ପ୍ଲାନୋଫିକସ ବା ପ୍ଲାନୋଭିଟା ହରମୋନ ଛିଞ୍ଚିଲେ କଷି କଷି କମଳା ଝଡି ପଡେନି ଓ ବଡ ସାଇଜର ହୁଏ । ଫଳ ବଢିବା ସମୟରେ ନିୟମିତ ଜଳସେଚନ ଦରକାର । ପାହାଡିଆ ଅଞ୍ଚଳ ମାନଙ୍କରେ ବାୟୁ ଅଧିକ ଆଦ୍ରତା ହେତୁ ଓ ଭୂମିନିମସ୍ଥ ମୃତ୍ତିକାରେ ଅନେକ ସମୟ ଜଳ ରହୁଥିବାରୁ ବିନା ଜଳସେଚନରେ କମଳା ଚାଷ କରାଯାଇଥାଏ । ବର୍ଷା ଦିନରେ ଜମି ଚାଷ କରି ଅନାବାନା ଘାସ ନଷ୍ଟ କରିଦେବା ଦରକାର । ୨/୩ ଥର ପାଣି ମଡାଇବା ପରେ ମଧ୍ୟ ମାଟିକୁ ଅଳ୍ପ ଖୁସାଇ ହାଲୁକା ରଖିବା ଉଚିତ ।

କମଳାର ରୋଗ ପୋକ ଓ ତା’ର ପ୍ରତିକାର

  • ଗୁମୋସିଷ ବା ରସବୁହା ରୋଗ

ପ୍ରଥମେ ଆକ୍ରାନ୍ତ ଗଛର ମୂଳ କାଣ୍ଡର ବକଳାରୁ ଅଧିକ ପରିମାଣରେ ଅଠାଳିଆ ରସ ଧାରଧାର ହୋଇ ନିଗିଡେ । ଏହା ବାଦାମି ରଙ୍ଗର ପରେ ଶୁଖି ଶକ୍ତ ହୋଇଯାଏ ଓ ସେଥିରେ ଲମ୍ବାଳିଆ ଫଟା ଦାଗମାନ ଦେଖାଯାଏ । ଏହି ଅଠାଳିଆ ରସ ପ୍ରଥମେ ଗଣ୍ଡିର ଗୋଟିଏ ପାଖରୁ ବାହାରେ କିନ୍ତୁ ରୋଗ ପୁରୁଣା ହେଲେ ସମୁଦାୟ ଗଣ୍ଡି ଆକ୍ରାନ୍ତ ହୁଏ ଓ ଗଣ୍ଡି ସେହି ଯାଗାରେ ଘାଇ ଖାଇ, ଗଛ ଶେଷରେ ମରିଯାଏ ।

ଫ୍ୟୁଜାରିୟମ ଓ ଫାଇଟୋପଥୋରାର ମିଳିତ ଆକ୍ରମଣରେ ଏ ରୋଗ ହୁଏ । ଭଲରୂପେ ଜଳ ନିଷ୍କାସିତ ହେଉ ନଥିବା ଜମି, ଓଦାମାଟି, କଳାମାଟି,କମ ଉଚ୍ଚତାରେ କଲମି କରାଯିବା ଯୋଗୁ, କଲମିର ଜୋଡସ୍ଥାନ ମାଟିରେ ଲୁଚିଗଲେ ବା ମାଟି ମଧ୍ୟରେ ରହିଲେ ଗଣ୍ଡି ଚାରିପଟେ ମାଟି ଘୋଡେଇ ହୋଇ ରହିଲେ ବା ଚେର ଆଘାତ ପାଇଲେ ସାଧାରଣତଃ ଏ ରୋଗ ହୋଇଥାଏ । ବର୍ଷା ଜଳରେ ଏ ରୋଗ ବ୍ୟାପେ । ବର୍ଷାଦିନେ ଗଣ୍ଡିରୁ ବେଶି ରସ ନିଗିଡେ । କିନ୍ତୁ ଶୀତଦିନେ ଆରମ୍ଭ ହୋଇଗଲେ ରସବୁନ୍ଦା ବନ୍ଦ ହୋଇଯାଏ । ଅଧିକ ଯବକ୍ଷାରଜାନ ଥିବା ମାଟିରେ ଏହି ରୋଗ ବେଶି ବ୍ୟାପେ । ଦିନର ତାପମାତ୍ରା 25ରୁ 30* ସେଲସିୟସ ରହିଲେ ଏହି ରୋଗ ସହଜରେ ବ୍ୟାପେ ।

ପ୍ରତିକାର :

  • ଲେମ୍ବୁ ଓ କମଳା ଜାତୀୟ ଫଳ ଗଛର ବଗିଚା କରିବା ପାଇଁ ଭଲରୂପେ ଜଳ ନିଷ୍କାସନ ହେଉଥିବା ଜମି ଓ ନିଗିଡା ମାଟି ବାଛନ୍ତୁ ।
  • ଜାମ୍ବେରି ମୂଳ ଗଣ୍ଡିରେ କଲମି କରାଯାଇଥିବା ସାନ୍ତ୍ରା କମଳା ଗଛରେ ସାଧାରଣତଃ ଏ ରୋଗ ଦେଖାଯାଏନି । ତେଣୁ ଯେଉଁ ମୂଳ ଗଛରେ ଏ ରୋଗ ହୁଏନି । ସେପରି ମୂଳଗଛ ବ୍ୟବହାର କରନ୍ତୁ ।
  • କଲମି କଲାବେଳେ ମୂଳଗଛର ଅତି କମ୍ ରେ ୨୦ ସେମି ଉପରେ କଲମୀ କରିବେ  ଓ କଲମୀ ଗଛ ପୋତିବା ବେଳେ ଯୋଡସ୍ଥାନ ମାଟି ଉପରେ ଅତିକମରେ ୨୦ ସେମି ଉପରେ ରଖନ୍ତୁ ।
  • ରୋଗ ଲାଗିଥିଲେ ଆକ୍ରାନ୍ତ ଗଛର ଆକ୍ରାନ୍ତ ବକଳ ଏକ ଧାରୁଆ ଛୁରୀରେ କାଟି ସଫାକରି ଦିଅନ୍ତୁ । ବକଳ କାଢିଦେଲା ପରେ ଗଛର ଗଣ୍ଡିରେ ବୋର୍ଡପେଷ୍ଟ ଭଲଭାବେ ଲଗାଇ ଦିଅନ୍ତୁ ।
  • ପ୍ରତିବର୍ଷ କମଳା ଗଛରେ ଗଣ୍ଡିର ୬୦ ସେମି ଉଚତା ପର୍ଯ୍ୟନ୍ତ ଲଗାନ୍ତୁ ବୋର୍ଡପେଷ୍ଟ ଲଗାନ୍ତୁ ।
  • ଅଯଥାରେ ଗଛମୂଳରେ ମାଟିଜମା କରନ୍ତୁନି କି କମଳା ବଗିଚାରେ ଗଭୀର ଚାଷ କରନ୍ତୁ ନାହିଁ ।

ପତ୍ରଝଡା ଓ ଫଳ ପଚାରୋଗ

ଏହି ରୋଗରେ ଆକ୍ରାନ୍ତ ଗଛର ତଳ ଡାଳ ମାନଙ୍କରୁ ପତ୍ର ଝଡିପଡେ । ରୋଗ ଲାଗିଥିବା ପତ୍ର ଓ ଫଳରେ ପଚିବା ଦାଗମାନ ଦେଖାଯାଏ । ଫଳ ମଧ୍ୟ ପଚିଜାଇ ଝଡିପଡେ । ଆକ୍ରାନ୍ତ ଫଳ ଧଳା ଧଳା ତନ୍ତୁ ଦ୍ଵାରା ଆଚ୍ଛାଦିତ ହେବାର ଦେଖାଯାଏ । ଗଛରୁ ସଂପୂର୍ଣ୍ଣ ଭାବରେ ପତ୍ର ଝଡିପଡେ ଓ ଡାଳ ଇତ୍ୟାଦି ଶୁଖିଯାଏ । ଏହା ଜୀବାଣୁ ଦ୍ଵାରା ହୋଇଥାଏ । ବର୍ଷାଦିନେ ଏ ରୋଗର ପାଦୁର୍ଭାବ ଅଧିକ । ଅଧିକ ବୃଷ୍ଟିପାତ ହେଉଥିବା ଅଞ୍ଚଳରେ ଏ ରୋଗ ବେଶୀ ଦେଖାଯାଏ ।

ପ୍ରତିକାର :-

ବର୍ଷା ଆରମ୍ଭରେ ଥରେ ଓ ବର୍ଷା ପରେ ଥରେ ୧% ବୋର୍ଡୋ ମିକ୍ଶ୍ଚର ସ୍ପ୍ରେ କଲେ ଏହି ରୋଗ ନିୟନ୍ତ୍ରିତ ହୋଇଥାଏ ।

କମଳାର ମୂଳପଚା ରୋଗ :-

ମୂଳ ଓ ଅନ୍ୟାନ୍ୟ ଖାଦ୍ୟ ଗ୍ରହଣ କରୁଥିବା ଚେରରେ ଅଣ୍ଡାକୃତି ଓ ବିଷମ ଆକୃତିର ବାଦାମି ରଙ୍ଗର ଦାଗମାନ ଦେଖାଯାଏ । ଗଛ ମୂଳରେ ମାଟିକୁ ଲାଗିଥିବା ବକଳା ପଚିଯାଏ ଓ ଗଛମୂଳ ଘାଇ ଖାଇଯାଏ । ଆକ୍ରାନ୍ତ ଗଛର ପତ୍ର ହଳଦିଆ ପଡି ଝଡିପଡେ । ଛୋଟ ଛୋଟ ଗଛ ଓ ଚାରା ଏହି ରୋଗରେ ବିଶେଷ ଆକ୍ରାନ୍ତ ହୋଇଥାନ୍ତି । ଅଧିକ ବୃଷ୍ଟିପାତ ଅଞ୍ଚଳରେ ଏ ରୋଗର ପାଦୁର୍ଭାବ ବେଶ । ଢିଲାଚୋପା କମଳା ଓ ମିଠା କମଳା ଏ ରୋଗରେ ଅଧିକ କ୍ଷତି ସହୁଥିବା ବେଳେ ଟ୍ରାଇ ଫୋଲିଏଟ ଅରେଞ୍ଜ ଓ ସିଟ୍ରେଞରେ ଏହି ରୋଗ ଦେଖାଯାଏ ନାହିଁ ।

ପ୍ରତିକାର :-

  • ଭଲରୂପେ ଜଳ ନିଷ୍କାସିତ ହୋଇପାରୁଥିବା ହାଲୁକା ମାଟିର ଜମି,କମଳା ବଗିଚା କରିବା ପାଇଁ ବାଛିବା ଉଚିତ୍ ।
  • ବେଶୀ ରୋଗ ଲାଗୁଥିବା ଅଞ୍ଚଳରେ ଟ୍ରାଇଫୋଲିଏଟ ଅରେଞ୍ଜ ଓ ସିଟ୍ରେଞ୍ଜ ଗଛକୁ ମୂଳଗଛ ରୂପେ ବ୍ୟବହାର କରିବା ଉଚିତ ।
  • ଗଛର ଚାରିପାଖରେ ମାଟିକୁ ଶତକଡା ୧ଭାଗ ବୋର୍ଡୋକସ ମିକଶ୍ଚର ଦ୍ରବଣରେ ଭିଜାନ୍ତୁ ।
  • ଚେରକୁ ବେଶୀ କଟାକଟି ବା ଆଘାତ ଦିଅନ୍ତୁନି ।
  • କମଳା ବଗିଚାରେ ଗଭୀର ଚାଷ କରନ୍ତୁନି ।

କମଳାର ପାଉଁସିଆ ରୋଗ :-

କଅଁଳିଆ ପତ୍ର ଓ ଡାଳରେ ଧଳା ଧଳା ପାଉଁଶିଆ ଆଁଶୁ ଦେଖାଯାଏ । ଆକ୍ରାନ୍ତ ପତ୍ର ମୋଚା ମୋଚା ହୋଇଯାଏ ଓ ଝଡିପଡେ । ଫଳ ବଡ ନହୋଇ ଝଡିପଡେ । ଶୀତଦିନେ ଏ ରୋଗ ବେଶୀ ଦେଖାଯାଏ । କୁହୁଡିଆ ପାଗରେ ଓ ଅଳ୍ପ ଖରା ପାଉଥିବା ଅଞ୍ଚଳରେ ଏ ରୋଗ ଶୀଘ୍ର ବ୍ୟାପେ ।

ପ୍ରତିକାର :-

୨୦ ରୁ ୩୦ ଦିନ ବ୍ୟବଧାନରେ ସଲଫେକସ ୦.୩% ବା କାଲିକସିନ ୦.୧% ସ୍ପ୍ରେ କରିବା ଉଚିତ୍ ।

ପତ୍ରରେ କାକର ପଡିଥିବା ସମୟରେ ସଲଫର ଗୁଣ୍ଡ ଛିଞ୍ଚନ୍ତୁ ।

ଶୋଲା ବେମାରି :-

ଏହି ରୋଗରେ ପତ୍ରରେ ଛୋଟ ଛୋଟ ଫୋଟକା ଦେଖାଯାଏ । ଏହି ଫୋଟକା ଗୁଡିକ ବିଭିନ୍ନ କିସମର ହୋଇଥାଏ । ପତ୍ର ଛୋଟ ଓ ଲୋଚା କୋଚା ହୋଇ ବିଭିନ୍ନ ଆକୃତିର ହୋଇଥାଏ । ଆକ୍ରାନ୍ତ ଅଂଶ ବାଦାମି ରଙ୍ଗ ହୁଏ । ଫଳରେ ମଧ୍ୟ ଦାଗ ଦେଖାଯାଏ । ବର୍ଷାଦିନେ ଏ ରୋଗର ପ୍ରାଦୁର୍ଭାବ ବେଶି । ତାପମାତ୍ରା ୧୦ ରୁ ୧୭ ସେଲସିୟସ ମଧ୍ୟରେ ରହିଲେ ଏ ରୋଗ ବେଶି ବ୍ୟାପେ ।

ପ୍ରତିକାର :-

  • ଆକ୍ରାନ୍ତ ହୋଇଥିବା ଡାଳପତ୍ର ଓ ଫଳକୁ ଗଛରୁ କାଟି ଦିଅନ୍ତୁ ।
  • ନୂଆ ପତ୍ର ବାହାରିବା ପରେ ଏକ ମାସ ଅନ୍ତରରେ ବ୍ଳାଇଟକସ ୦.୩% କିମ୍ବା ଲାଇମ ସଲଫର ସ୍ପ୍ରେ କରନ୍ତୁ । ଡାଇଫାଲଟୋନ ବା ୧% ବୋର୍ଡୋକ୍ସ ମିକଶ୍ଚର ମଧ୍ୟ ୧୫ ଦିନ ଅନ୍ତରରେ ବ୍ୟବହାର କରାଯାଇପାରେ ।

କମଳା ଲେମ୍ବୁ ଜାତୀୟ ଗଛର ଅଗମରା ରୋଗ :-

ଏ ରୋଗରେ କମଳା ଗଛ ବା ଲେମ୍ବୁ ଗଛର ଡାଳ ଆଗ ଆଡୁ ଶୁଖି ଶୁଖି ଆସି ମରିଯାଏ । ଗଛ ମଲା ପୂର୍ବରୁ ଗଛରେ ବହୁତ ଫୁଲ ଓ ଛୋଟ ଫଳ ବହୁତ ଆସେ । ଗଛର ଡାଳ ଆସ୍ତେ ମାରି ପୁରା ଭାବରେ ମରିଯାଏ ।

ଏ ରୋଗ ବିଭିନ୍ନ କାରଣରୁ ହୋଇଥାଏ । ବଗିଚାରୁ ଜଳ ନିଷ୍କାସନ ବ୍ୟବସ୍ଥା ଭଲ ଭାବରେ ନ ହେଲେ ,ମାଟି ଅତ୍ୟନ୍ତ ମଟାଳ ବା ଚିକିଟା ହେଲେ ଏ ରୋଗ ବେଶି ବ୍ୟାପେ । ସାଧାରଣତଃ ମାଟିରେ ତମ୍ବାର ଅଭାବ ହେଲେ ଓ ଅମ୍ଳ ମାଟିରେ ଚୂନର ଅଭାବ ହେଲେ ଏ ରୋଗ ବେଶି ହୁଏ । ଆଉ ଦୁଇଟି କାରଣରୁ ଏ ରୋଗ ମଧ୍ୟ ବେଶି ହୁଏ । ଗୋଟିଏ ହେଉଛି ଟ୍ରିଷ୍ଟେଜା ଭାଇରସ ଓ ଅନ୍ୟଟି ହେଉଛି ଗ୍ରିନିଶ ଭାଇରସ । ଏମାନେ ଅଗମରା ରୋଗର ପ୍ରଧାନ କାରଣ । ନିଉସେଲାର ଚାରା ଲଗାଇଲେ ଏରୋଗ ବେଶି ହୁଏ ନାହିଁ ।

ଟ୍ରିଷ୍ଟେଜା ଭାଇରସ ରୋଗ :-

ଲେମ୍ବୁ ଓ କମଳା ଉଭୟ ଗଛରେ ଏହି ଭାଇରସ ରୋଗ ଦେଖାଯାଏ । ଏହି ରୋଗରେ କାଗେଜି ଲେମ୍ବୁ ଗଛରେ ପତ୍ର ମୋଡି ହୋଇଯାଏ , ଟାଣ ହୋଇଯାଏ ଓ ଭାଙ୍ଗିଲେ ଭାଙ୍ଗିଯାଏ । ପତ୍ରର ଶିରା ସବୁ ସବୁଜ ବିହୀନ ହୋଇଯାଏ । ଗଛ ହଳଦିଆ ପଡିଯାଏ । କାଣ୍ଡ ଓ ଚେର ମଧ୍ୟ ସଂକ୍ରମିତ ହୁଏ । ଗଛର ଛେଲି ମୋଟା ହୁଏ କିନ୍ତୁ ଗଛର ମଞ୍ଜି ପତଳା ଥାଏ । ଗଛରେ ବହୁତ ଫୁଲ ଓ ଛୋଟ ଛୋଟ ଫଳ ଆସେ । ପରେ ଗଛ ମାରିବାକୁ ଆରମ୍ଭ କରେ । ସାନ୍ତ୍ରା ଓ ମିଠା କମଳା ଗଛରେ ଚେର ବୃଦ୍ଧି ବାଧାପ୍ରାପ୍ତ ହୁଏ । ଏବଂ ଗଛରେ ବିଭିନ୍ନ ପ୍ରକାରାର ଖାଦ୍ୟ ଅଭାବ ଜନିତ ରୋଗ ଦେଖାଯାଏ । ଜଉଆ ପୋକ ଆକ୍ରାନ୍ତ ଗଛରୁ ଡାଳନେଇ କଲମି କଲେ ଏହି ଭାଇରସ ରୋଗ ବ୍ୟାପେ । ପ୍ରାୟ ୧୦ ପ୍ରକାର ଜଉଆ ପୋକ ଏ ରୋଗ ବ୍ୟାପିବାରେ ସାହାଯ୍ୟ କରିଥାନ୍ତି । ସେଥିମଧ୍ୟରୁ ଜଉଆ ପୋକ ପ୍ରଧାନ ।

ପ୍ରତିକାର :-

  • କଲମି କରିବା ପାଇଁ ଉତ୍କୃଷ୍ଟ ବଗିଚାରୁ ବଡଉଡ ଆଣନ୍ତୁ ।
  • ଖଟା କମଳା ଉପରେ ମିଠା କମଳା ବା ମାଣ୍ଡାରିନ କମଳା କଲମି କରନ୍ତୁ ନାହିଁ , କାରଣ ଖଟା କମଳାରେ ଟ୍ରିଷ୍ଟେଜା ଭାଇରସ             ରୋଗ ଅଧିକ ହୁଏ ।
  • ସର୍ବାଙ୍ଗଭେଦି କୀଟନାଶକ ଔଷଧ ସ୍ପ୍ରେ କରି କଉଆ ପୋକ ନିପାତ କରିବେ ।

ଗ୍ରିନିଶ ଭାଇରସ ରୋଗ :-

ଏହି ରୋଗର ଲକ୍ଷଣ ଜିଙ୍କ୍ ବା ମ୍ୟାଗ୍ନେସିୟମର ଅଭାବ ଜନିତ ଲକ୍ଷଣ ସହ ପ୍ରାୟ ସମାନ ପରି । ଏହି ରୋଗରେ ପତ୍ରର ଶିରା ମଧ୍ୟବର୍ତ୍ତୀ ଯାଗା ମାନଙ୍କରୁ ସବୁଜ ଅଂଶ ଚାଲିଯାଏ ଓ ପତ୍ର ଧଳା ବା ହଳଦିଆ ଦେଖାଯାଏ । ପତ୍ର ଛୋଟ ଓ ସବୁଜ ହଳଦି ମିଶା ହୋଇଯାଏ ଓ ଶୀଘ୍ର ଝଡିପଡେ । ଗଛରେ ଅଧିକ ଶାଖା ପ୍ରଶାଖା ହୁଏ ଓ ପବ ଛୋଟ ଛୋଟ ହୋଇଯାଏ । ତା’ପରେ ଗଛରେ ଡାଇବାକ୍ ରୋଗ ହୁଏ ଓ ଗଛ ମରିବାକୁ ଆରମ୍ଭ କରେ । ସାଧାରଣତଃ କଲମୀ ଦ୍ଵାରା ଓ ଲେମ୍ବୁ ପତ୍ର ଉକୁଣି ପୋକଦ୍ୱାରା ଏ ରୋଗ ବ୍ୟାପେ ।

ପ୍ରତିକାର :-

  • କଲମୀ କରିବା ପାଇଁ ଉତ୍କୃଷ୍ଟ ଓ ନିରୋଗ ବଗିଚାରୁ ବଡଉଡ଼ ଆଣନ୍ତୁ ।
  • ସିଷ୍ଟେମିକ ଔଷଧ ପ୍ରୟୋଗ କରି ଜଉଆ ପୋକକୁ ବିନାଶ କରନ୍ତୁ ।
  • ଆଣ୍ଟିବାୟୋଟିକ, ପେନସିଲିନ ଓ ଅକ୍ସିଟେଟ୍ରାସାଇକ୍ଳିନ ପ୍ରୟୋଗରେ ମଧ୍ୟ ଏ ରୋଗର ନିରାକରଣ ହୋଇଥାଏ ।

ପୃନିଙ୍ଗ

କମଳା ଗଛରେ କାଟଛାଣ୍ଡ ନିହାତି ଦରକାର । ଗଛର ଶୁଖିଲା ଓ ଅଦରକାରୀ ଡାଳକୁ ମଝିରେ କାଟି ସଫା କରିବା ଉଚିତ । ସାଧାରଣତଃ ପାଣିପୁଆ ଗୁଡିକ ଗଛର ତଳଅଂଶରୁ ବାହାରିଥାଏ । ସେଗୁଡିକୁ କାଟିଦେବା ଉଚିତ୍ । କାରଣ ସେ ଡାଳରେ ସାଧାରଣତଃ ବେଶି ଫଳ ଆସେନି ଓ ଅଯଥାରେ ଗଛର ଖାଦ୍ୟସାର ନଷ୍ଟ କରେ ।

ଅନ୍ତଃଚାଷ

କମଳାଲେମ୍ବୁ ଗଛ ଅନ୍ତତଃ ପକ୍ଷେ ୬-୭ ବର୍ଷ ନହେବା ପର୍ଯ୍ୟନ୍ତ ବଗିଚାରେ ଗଛ ଚତୁଃପାର୍ଶ୍ଵ ସ୍ଥାନରେ ଛୁଇଁ ଜାତୀୟ ପନିପରିବା , ଯଥା ବୁଟ,ମଟର,ଚିନାବାଦାମ,ମୁଗ,ବିରି,ରାଶି, ସୋରିଷ ଇତ୍ୟାଦି ଚାଷ କରାଯାଇପାରେ । ତେବେ ଯେଉଁ ସବୁ ଫସଲ ଅତ୍ୟଧିକ ପାଣି ଦରକାର କରେ, ବଗିଚାରେ ସେ ପ୍ରକାର ଫସଲ କରା ନଯିବା ଭଲ । କାରଣ ଏପ୍ରକାର ବଗିଚାରେ ଶୀତଦିନେ ଅଧିକ ପାଣି ଗଛର ଅନିଷ୍ଟ ସାଧନ କରିଥାଏ । ଛୁଇଁ ଜାତୀୟ ଫସଲ ଲଗାଯାଇ ମୃତ୍ତିକାକୁ ଉର୍ବର କରାଯିବା ସଙ୍ଗେ ସଙ୍ଗେ, ବୃଷ୍ଟି ଜନିତ ଅଯଥା ମୃତ୍ତିକା କ୍ଷୟରୁ ଜମିକୁ ରକ୍ଷା କରାଯାଇଥାଏ । ପାହାଡର ଅଧିକ ଗଡାଣିଆ ଜମିରେ ବିଭିନ୍ନ ଋତୁର ପନିପରିବା, ଦୁଇଧାଡି ସପୁରୀପଣସର ଅନ୍ତଃଫସଲକୁ କଣ୍ଟୁର ବନ୍ଧ ନଷ୍ଟ ହେବାର ଭୟ ରହିବ ନାହିଁ । ଗଛ ଲଗାଇବାର ପ୍ରଥମାବସ୍ଥାରେ ଅମୃତଭଣ୍ଡାକୁ ବଗିଚାର ମଧ୍ୟଭାଗରେ ଲଗାଇଲେ ଅଧିକ ଲାଭମିଳିଥାଏ । ପରବର୍ତ୍ତୀ ପର୍ଜ୍ୟାୟରେ ସମସ୍ତ ଜମି ଚେର ଦ୍ଵାରା ଆବୃତ ହୋଇଯାଉଥିବାରୁ ଅନ୍ତଃ ଫସଲ,କମଳାଲେମ୍ବୁ ଗଛର ଚେର ଅଭିବୃଦ୍ଧିରେ ବାଧା ସୃଷ୍ଟିକରେ କାରଣ ବାରମ୍ବାର ଚାଷ କରିବା ଦ୍ଵାରା ଗଛର ଖାଦ୍ୟବାହୀର ଚେରରେ ଆଘାତ ଲାଗିବାର ସମ୍ଭାବନା ଥାଏ ।

ଅମଳ

୪/୫ ବର୍ଷର ଗଛରେ ଫଳ ଧରିବାକୁ ଆରମ୍ଭ କରେ ଓ ୮ ବର୍ଷ ସୁଦ୍ଧା ଗଛର ପୁରାପୂରି ଫଳ ଧାରଣ ଶକ୍ତି ଆସିଥାଏ । ଗୋଟିଏ ଭଲ କମଳା ଗଛରେ ୫୦୦ ରୁ ୧୫୦୦ ପର୍ଯ୍ୟନ୍ତ ଫଳ ଫଳିଥାଏ । ସ୍ଥଳ ବିଶେଷରେ ଅଧିକ ମଧ୍ୟ ଫଳେ । ଟାଣ ଚୋପା କମଳାରେ ପ୍ରାୟ ୨୦୦ ରୁ ୬୦୦ ପର୍ଯ୍ୟନ୍ତ ଫଳ ଆସେ । ଅବଶ୍ୟ ଗଛର ଫଳ ଧାରଣ ଶକ୍ତି ଗଛର ଯତ୍ନ ଓ ଅନ୍ୟାନ୍ୟ ଅବସ୍ଥା ଉପରେ ନିର୍ଭର କରେ । ତେବେ ଉପଯୁକ୍ତ ଯତ୍ନ ନେଲେ ଏକ ହେକ୍ଟର କମଳା ବଗିଚାରୁ ପ୍ରାୟ ଟ ୩୦,୦୦୦ ଆୟ ମିଳିଥାଏ ।

ଆଧାର - କୃଷି ବିଭାଗ

3.25
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top