ସେଆର କରନ୍ତୁ

କୋଳି ଚାଷ

ଆକାରରେ ସାନ କେତେକ ଫଳକୁ କୋଳି କୁହାଯାଏ। ଅଧିକାଂଶ କୋଳି ଗଛ ଜଙ୍ଗଲୀ ଗୁଳ୍ମ ଜାତୀୟ ଓ ଏହାକୁ ବ୍ୟବସାୟିକ ଭିତ୍ତିରେ ଚାଷ କରାଯାଏ ନାହିଁ।

ଆକାରରେ ସାନ କେତେକ ଫଳକୁ କୋଳି କୁହାଯାଏ। ଅଧିକାଂଶ କୋଳି ଗଛ ଜଙ୍ଗଲୀ ଗୁଳ୍ମ ଜାତୀୟ ଓ ଏହାକୁ ବ୍ୟବସାୟିକ ଭିତ୍ତିରେ ଚାଷ କରାଯାଏ ନାହିଁ। ଅଧିକାଂଶ କୋଳି ବିଭିନ୍ନ ପ୍ରକାର ଔଷଧୀୟ ଗୁଣ ସମ୍ପନ୍ନ ସୁସ୍ୱାଦୁ ଓ ପୁଷ୍ଟିକର ହୋଇଥିଲେ ବି କେତେକ କୋଳି ମାନବ ଆହାର୍ଯ୍ୟ ନୁହେଁ।

କୋଳି ଓ ଓଡ଼ିଶାର ପରମ୍ପରା

ପୁରାଣ ଯୁଗରେ ଶବରୀ ବଣରୁ ତୋଳି ଆଣିଥିବା ନାନାଜାତିର ସୁସ୍ୱାଦୁ କୋଳିଗୁଡ଼ିକୁ ଚାଖି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ ଖାଇବାକୁ ଦେଇଥିବାର କଥାଟି ରାମାୟଣର ଏକ ଲୋକପ୍ରିୟ ପ୍ରସଂଗ। ଭାରତର ଜନଜୀବନ ପରି ଓଡ଼ିଶାର ପଲ୍ଲୀ ଜୀବନ ସହିତ ବିଭିନ୍ନ ପ୍ରକାର କୋଳିର ସମ୍ପର୍କ ଅତି ନିବିଡ଼। ମାଣବସାରେ ଅଁଳା କୋଳିର ଡ଼ାଳଖଣ୍ଡେ ନିହାତି ଦରକାର। ସେମିତି ଅନେକ ପ୍ରକାର ଶୁଭ କାର୍ଯ୍ୟରେ ବରକୋଳି ଡ଼ାଳ କଳସ ବସାଇବାପାଇଁ ଓ ବରକୋଳି କାଠ ହୋମ କରିବାପାଇଁ କାମରେ ଲାଗିଥାଏ। ଅନେକ ପ୍ରକାର ଓଷାବ୍ରତରେ କୋଳି ଭୋଗ ଦିଆଯାଇଥାଏ।

ଖରାବେଳେ ଘରୁ ଛପି ଛପି ବାହାରିଯାଇ ବାଡ଼ିରେ କୋଳି ତୋଳିବା ପ୍ରାୟ ପ୍ରତିଟି ପଲ୍ଲୀ ଶିଶୁ କିଶୋର ଜୀବନରେ ଏକ ଅଭୁଲା ସ୍ମୃତି। ଏପରିକି ପିଲାମାନଙ୍କ ପଢ଼ା ବହିରେ ମଧ୍ୟ କବିତାଟିଏ ରହିଛି – ‘‘ଆସରେ ପିଲାଏ ବଣକୁ ଯିବା, କୋଳି ତୋଳିବା, ବାଘ ଆସିଲେ ଡ଼ରିବା ନାହିଁ।’’

କେତେକ କୋଳିର ପରିଚୟ

କୋଳି

ସଂକ୍ଷିପ୍ତ ପରିଚୟ

ଫଳିବା ବେଳ

ରୂପ ଓ ସୁଆଦ

ଅନ୍ୟ ଉପଯୋଗ

ଛପା

ବର କୋଳି

ମୂଳ ଲେଖା:ବର କୋଳି

ଏହା ଏକ ଦ୍ରୁମ ଜାତୀୟ ଉଦ୍ଭିଦ। ଏହାର ଶାଖା, ପ୍ରଶାଖା କଣ୍ଟାରେ ପୂର୍ଣ୍ଣ। ଫଳ ଗୁଡ଼ିକ ଛୋଟ ଛୋଟ ଏବଂ ଶସ ଯୁକ୍ତ।

ମାର୍ଗଶିର ମାସରେ ଫୁଲ ଧରେ। ଏହା ପୌଷ, ମାଘ ମାସକୁ ପାଚିଥାଏ। କେତେକ ପ୍ରକାରର ଜଙ୍ଗଲୀ ବରକୋଳି ମଧ୍ୟ ରହିଛି, ଯାହା ମାନବ ସେବନ ଉପଯୋଗୀ ନୁହେଁ।

କଞ୍ଚାଥିବା ଅବସ୍ଥାରେ ଏହା ସବୁଜ ଦେଖାଯାଏ ଓ ସ୍ୱାଦ ଲାଳଯୁକ୍ତ କଷା ଓ ଈଷତ୍ ଖଟା ହୋଇଥାଏ। ପାଚିଲା ବରକୋଳି ବାଲିଆ, କାଦୁଆ ଭେଦରେ ଭିନ୍ନ ପ୍ରକାରର ହୋଇଥାଏ। କେତେକ କୋଳି ମିଠା ହୋଇଥିଲାବେଳେ କେତେକ ଖଟାପ୍ରଧାନ ହୋଇଥାଏ। ପାଚିଲା ବରକୋଳିକୁ ସିଧା ଖିଆଯାଇଥାଏ।

ଏହାକୁ ଶୁଖାଇ ସଂରକ୍ଷଣ କରାଯାଏ। ଏହି ଶୁଖିଲା କୋଳିରୁ ଅନେକ ପ୍ରକାରର ଆଚାର ଓ ଖଟେଇ ତିଆରି ହୋଇଥାଏ। ବରକୋଳି ପତ୍ର କଳସରେ ଲାଗିଥାଏ। ବରକୋଳିର କାଠ ହୋମ କାର୍ଯ୍ୟରେ ଲାଗିଥାଏ।

ନର କୋଳି

ଏହାର ଶାଖା ପ୍ରଶାଖା କଣ୍ଟାଯୁକ୍ତ ହୋଇ ନ ଥାଏ। ଫଳର ଆକାର ତୁଳନାରେ ମଞ୍ଜି ବହୁତ ବଡ଼ ଓ ଟାଣ ହୋଇଥାଏ। ପତ୍ର ଲମ୍ବାଳିଆ, ପାଖାପାଖି ଇଞ୍ଚେ ଦେଢ଼ଇଞ୍ଚ ଲମ୍ବର ହୋଇଥାଏ। ଏହାକୁ କେତେକ ଜାଗାରେ ଅଁଳା କୋଳି, ଅଅଁଳା କୋଳି ବୋଲି ମଧ୍ୟ କହିଥାନ୍ତି। ତେବେ ଏହା ତ୍ରିଫଳାର ଘଟକ ଦ୍ରବ୍ୟ ଅଁଳା ଠାରୁ ଭିନ୍ନ ଅଟେ। ଅଁଳାର ସଂକ୍ଷିପ୍ତ ପରିଚୟ ଏହି ସାରଣୀରେ ଦ୍ରଷ୍ଟବ୍ୟ।

ମାର୍ଗଶିର ପୌଷ ଆଡ଼କୁ କଞ୍ଚାଫଳ ଧରେ। ମାଘ ସପ୍ତମୀ ବେଳକୁ ପାକଳ ହୁଏ, ପାଚେ ନାହିଁ।

ପାକଳ ହେବା ପରେ ଏହାର ରଙ୍ଗ ହଳଦିଆ, ସବୁଜ ଓ ଧଳାର ମିଶାମିଶି ରଙ୍ଗ ହୋଇଥାଏ ଓ ଖାଇଲେ ଖଟାଳିଆ ଲାଗେ। କଷି ଅବସ୍ଥାରେ ଏହା ଫିକା ଶାଗୁଆ ରଙ୍ଗର ଦେଖାଯାଏ ଓ ଖାଇଲେ କଷାଳିଆଲାଗେ।

ଏହାକୁ ପାକଳ ଅବସ୍ଥାରେ ସିଧା ଖିଆଯାଏ।

ଏଥିରୁ ସୁସ୍ୱାଦୁ ଆଚାର କରାଯାଏ। ଏହିକୋଳିକୁ ଲୁଣଗୋଳାଇ ଖରାରେ ଶୁଖାଯାଏ। ନରମ ହୋଇଗଲା ପରେ ଏହାକୁ ଖିଆଯାଏ। ମାଣବସା ଗୁରୁବାର ଦିନ ଏହାର ଡାଳଖଣ୍ଡେ ପୂଜା କାମରେ ଲାଗେ।

ତୁତ୍ କୋଳି

ତୁତ୍ କୋଳିର ଇଁରାଜୀ ନାମ ମଲବେରି। ଏହାର ପତ୍ର ପାନ ପତ୍ର ପରି, ମାତ୍ର ଖଦଡଖଦଡିଆ। ଡାଳ ପୋତିଦେଲେ ଏହି ଗଛ ବଂଶ ବିସ୍ତାର କରିଥାଏ। ଏହି ଗଛର ବିଶେଷ ଯତ୍ନ ନେବା ଦରକାର ହୁଏନାହିଁ।

ଏହା ପ୍ରାୟ ବର୍ଷସାରା ଫଳିଥାଏ। ସାଧାରଣତଃ ଆଶ୍ୱିନ ମାସକୁ ଫୁଲ ଆସେ, ପଉଷ, ମାଘ ଆଡ଼କୁ ପାଚେ। ପିମ୍ପୁଡ଼ିସବୁ ଗୋଟିଏ ଜାଗାରେ ଠୁଳ ହେଲେ ଯେମିତି ଦିଶେ, ଏହି କୋଳିଟି ସେମିତି ଦିଶିଥାଏ।

କଷିବେଳେ ପ୍ରବଳ ଖଟାଲାଗେ, ପାଚିଗଲାପରେ କଳା ପଡ଼ିଯାଏ ଓ ବହୁତ ମିଠାଲାଗେ।


ନିରେଇଶ କୋଳି

ଏହା ଏକ ଦ୍ରୁମ ଜାତୀୟ ଉଦ୍ଭିଦ, ହେଲେ ଗୁଳ୍ମଠାରୁ ବଡ଼ ଓ ଦ୍ରୁମଠାରୁ ଆକାରରେ ସାନ ହୋଇଥାଏ। ଏହାର ଫୁଲ ଦେଖିବାକୁ ନୀଳ ଓ ସୁଗନ୍ଧଯୁକ୍ତ। ଫୁଲର ସୁଗନ୍ଧରେ ଆଖପାଖ ମହକି ଉଠେ। ପତ୍ର ଶାଗୁଆ ଓ ନୀଳ ରଙ୍ଗର ଛାପଯୁକ୍ତ, ଆକାରରେ ମଧ୍ୟ ଆକାରର । ଏହି ପତ୍ର ଗୁଡ଼ିକ ପାଚିଗଲେ କଳା ପଡ଼ିଯାଏ। ଏହି କୋଳି ଖୁବ୍ ମିଠା ହୋଇଥିବାରୁ ଏହି ଗଛରେ ପ୍ରଚୁର ଜନ୍ଦା ଭର୍ତ୍ତି ହୋଇଥାନ୍ତି। ଗଛଟି ଝଙ୍କାଳିଆ ହୋଇ ବଢିଥାଏ, ପତ୍ରଝଡ଼ା ଦିଏ ନାହିଁ।

ମାଘ, ଫଗୁଣ ବେଳକୁ ଏଥିରେ ଫୁଲ ଆସେ।

ଜାମୁକୋଳି ଖାଇଲେ ଯେମିତି ଜିଭ କଳା ପଡ଼ିଯାଏ, ନିରେଇଶ କୋଳି ଖାଇଲେ ମଧ୍ୟ ସେମିତି ଜିଭ କଳା ପଡ଼ିଯାଏ। ଏହି କୋଳି କଞ୍ଚାବେଳେ କଷାଳିଆ କିନ୍ତୁ ପାଚିଗଲେ ଖୁବ୍ ମିଠା ହୋଇଥାଏ।



ଫାର୍ସା କୋଳି

ଏହି ଗଛ ବଡ଼ ଦ୍ରୁମ ନୁହେଁ ବା ଗୁଳ୍ମ ନୁହେଁ, ମଧ୍ୟମ ଆକାରର। ଫଳ ତୁଳନାରେ ମଞ୍ଜି ଗୋଡ଼ିକ ଛୋଟଛୋଟ ଓ ଦୁଇ ଫାଳିଆ। ପତ୍ର ଗୁଡ଼ିକ ବଡ଼ ବଡ଼, ଟାଉଁସିଆ। କୋଳିର ଉପର ଅଂଶ ବି ଟାଉଁସିଆ ଓ ଖଦଡ଼ଖଦଡ଼ିଆ। ବର୍ଷରେ ଥରେ ପତ୍ରଝଡ଼ା ଦେଇଥାଏ।

ଫଗୁଣମାସରେ ହୋଲି ପରେ ପରେ ଏହାର ଫୁଲ ଆସେ ଓ ଚଇତ୍ରକୁ ଫଳ ଫଳେ। ବଇଶାଖକୁ ପାଚେ।

କଞ୍ଚାକୋଳି ଶାଗୁଆ ରଙ୍ଗର। ପାଚିଲେ କଳା ପଡ଼ିଯାଏ। କଞ୍ଚାକୋଳି ଖଟାଳିଆ କିନ୍ତୁ ପାଚିଗଲେ ଏହା ଖୁବ୍ ମିଠା ହେଲେ ଚେରୁଆ ଚେରୁଆ ଲାଗେ।


ବଉଳ କୋଳି

ଏହା ଏକ ଦ୍ରୁମ ଜାତୀୟ ଉଦ୍ଭିଦ। ଏହି କୋଳିରେ ଖୁବ କମ ସସଥାଏ। ଏହାର ମଞ୍ଜି ବହୁତ ଟାଣ ଓ କଉଡ଼ିଭଳି ଗୋଜିଆ। ପତ୍ର ଗୁଡ଼ିକ ସେତେ ବେଶୀ ବଡ଼ନୁହେଁ, ଚିକ୍କଣ ଓ ଅଣ ଓସାରିଆ ହୋଇଥାଏ।

ମାଘମାସ ବେଳକୁ ବଉଳ ଆସେ, ସୁଗନ୍ଧରେ ଚତୁର୍ଦ୍ଦିଗ ମହକି ଉଠେ। ଫୁଲଗୁଡ଼ିକ ଫିକା ବାଦାମୀ ରଙ୍ଗର, ବହୁତ ଦିନଯାଏ ସତେଜ ରହିଥାଏ। ବୈଶାଖ ଜ୍ୟେଷ୍ଠ ବେଳକୁ ଏହି କୋଳି ପାଚେ।

କଷିବେଳେ କୋଳିର ରଙ୍ଗ ସାଗୁଆ ହୋଇଥାଏ, ପାଚିଗଲେ ଲାଲମିଶା ବାଦାମୀ ରଙ୍ଗର ଦିଶେ। ଏହା କଷିବେଳେ କଷାଲାଗେ ଓ ପାଚିଗଲେ ମିଠା ଲାଗେ।

ବଉଳ କୋଳି ଖାଇଲେ ଦାନ୍ତ ଶକ୍ତ ହୁଏ।

ବେତ କୋଳି

ଗଛଗୁଡ଼ିକ କଣ୍ଟାଯୁକ୍ତ ନହ ନହକା। ପତ୍ର ଗୁଡ଼ିକ ବାଉଁଶପତ୍ର ପରି ଲମ୍ବା

ପଉଷମାସରେ ଫୁଳଧରେ, ମାଘକୁ କଷି, ଚଇତ୍ର ବଇଶାଖକୁ ପାଚିଥାଏ।

ବେତକୋଳି ବାହାରୁ ଧଳାରଙ୍ଗର ହେଲେବି ଏହାର ଭିତର ହଳଦିଆ ହୋଇଥାଏ। କୋଳି ଗୁଡ଼ିକ ଅଧଇଞ୍ଚରୁ କମ୍, କମ୍ ରସଯୁକ୍ତ ଓ ଅଧିକ ମଞ୍ଜିଯୁକ୍ତ।



କଣ୍ଟେଇ କୋଳି

ଗୁଳ୍ମ ଜାତୀୟ, ବୁଦୁବୁଦିଆ କଣ୍ଟା ଝଟାରେ ପୂର୍ଣ୍ଣ। ସବୁଜ ଛୋଟ ଗୋଲ ପତ୍ରଯୁକ୍ତ।

ଆଶ୍ୱିନ କାର୍ତ୍ତିକ ମଝାମଝିକୁ ଫୁଲ ଆସେ। ମାର୍ଗଶିର ପୌଷରେ ଫଳ ଧରେ ଓ ସଙ୍ଗେ ସଙ୍ଗେ ପାଚିଯାଏ।

କଞ୍ଚା ଦେଖିବାକୁ ସବୁଜ ରଙ୍ଗର, ଖାଇଲେ ଖଟାଲାଗେ। ପାଚିଗଲେ କଳା ପଡ଼ିଯାଏ ଓ ଖଟାମିଠା ସ୍ୱାଦଯୁକ୍ତ ହୋଇଥାଏ। ପିଲାଏ ଏହି କୋଳିକୁ ଲୁଣ ଲଙ୍କାଦେଇ ମଞ୍ଜି ସହିତ ଛେଚି ଖାଇଥାନ୍ତି।

ଏହାକୁ ମଧ୍ୟ ଆଚାର କରାଯାଏ।


ଖଣ୍ଡକୋଳି

ଲତା ଜାତୀୟ, କଣ୍ଟାଝଟାରେ ପୂର୍ଣ୍ଣ। ଜଙ୍ଗଲରେ ଚାରିଆଡ଼େ ମାଡ଼ିଥାଏ। କୋଳି ଗୁଡ଼ିକ ଖୁବ୍ ଛୋଟ ଛୋଟ, ଅଧଇଞ୍ଚ ଆକାରର। ପତ୍ର ଗୁଡ଼ିକ ଛୋଟ ଏବଂ ଗୋଲ। ଏ କୋଳିର ମଞ୍ଜି ଗୁଡ଼ିକ ମଧ୍ୟ କଳା ରଙ୍ଗର।

ଶ୍ରାବଣ ଭାଦ୍ରବ ଆଡ଼କୁ ଫୁଲ ଆସେ। ମାର୍ଗଶିରରେ ଫଳଆସେ ଏବଂ ସଙ୍ଗେ ସଙ୍ଗେ ପାଚିଯାଏ।

କଞ୍ଚାବେଳେ ଅଳ୍ପ ଲାଲ୍ ରଙ୍ଗର, ମାତ୍ର ପାଚିଗଲେ, ସମ୍ପୂର୍ଣ୍ଣ କଳା ଦେଖାଯାଏ। ଏହାର ସ୍ୱଦ ଅଳ୍ପ ମିଠା।



ବଇଁଚ କୋଳି

କୋଳିଗୁଡ଼ିକ ନୀଳରଙ୍ଗର। ଗୁଳ୍ମଜାତୀୟ ଏହି ଗଛଟି ଅତିବେଶୀରେ ତିନିଫୁଟଯାଏଁ ବଢ଼ିଥାଏ। ଏହା ଝଙ୍କାଳିଆ ଏବଂ କଣ୍ଟାପୂର୍ଣ୍ଣ ହୋଇଥାଏ।

ଆଶ୍ୱିନ କାର୍ତ୍ତିକ ମାସରେ ଫୁଲ ଆସେ। ସଙ୍ଗେ ସଙ୍ଗେ ଫଳ ବି ଆସିଯାଏ। ପଉଷ ମାସ ଠାରୁ ପାଚିବା ଆରମ୍ଭ ହୋଇ ମାଘ ଫଗୁଣ ପର୍ଯ୍ୟନ୍ତ ରହେ। ମଞ୍ଜି ବଡ, ଗୋଲ ଗୋଲ, ଶସ କମ୍।

ପାଚିଲେ ନୀଳ ହଳଦିଆ ମିଶା ରଙ୍ଗ ଦେଖାଯାଏ।



ଅଁଳା କୋଳି

ଏହା ଦ୍ରୁମ ଜାତୀୟ, ବହୁ ଶାଖା ପ୍ରଶାଖାଯୁକ୍ତ। ଏହା ରସଯୁକ୍ତ ମଞ୍ଜି ଓ ଖୁବ୍ ଟାଣ ଗୋଲ ଏବଂ ଛୋଟ ହୋଇଥାଏ। ପତ୍ର ଗୁଡ଼ିକ କଇଁଆ ପତ୍ର ପରି ହେଲେବି ଆକାରରେ ବଡ଼, ଉଭୟ ଲମ୍ବାଳିଆ ଓ ଓସାରିଆ ହୋଇଥାଏ।

ପଉଷ ମାସକୁ ଫୁଲ ଆସେ। ମାଘ, ଫଗୁଣକୁ ଫଳ ଧରେ ଓ ସଙ୍ଗେ ସଙ୍ଗେ ପାଚିଯାଏ।

କଞ୍ଚାବେଳେ ସବୁଜ ଦେଖାଯାଏ, ଖାଇଲେ କଷା ଓ ଖଟାଲାଗେ, ପାଚିଲେ, ହଳଦିଆମିଶା ଫିକା ସବୁଜ ହୁଏ ଓ ଖଟାରସଯୁକ୍ତ ସାମାନ୍ୟ ମିଠା ହୋଇଥାଏ।

ଏହାକୁ ଆଚାର କରାଯାଏ।

ସଲରାକୋଳି

ଗୁଳ୍ମ ଜାତୀୟ, କଣ୍ଟାମୟ, ବୁଦୁବୁଦିଆ ଓ ଘଞ୍ଚ ହୋଇ ବଢ଼ିଥାଏ। କୋଳି ଗୁଡ଼ିକ ଇଞ୍ଚେ ଆକାରର ହଳଦୀମିଶା ଧଳା ଦେଖାଯାଏ। ଏହାର ପତ୍ର ଗୁଡ଼ିକ ଲମ୍ବାଳିଆ ( ଦେଢ଼ଇଞ୍ଚ/ଦୁଇଇଞ୍ଚ)। ମଞ୍ଜି ଖୁବ୍ ଟାଣ।

ଫଗୁଣ ଚଇତ୍ର ଆଡ଼କୁ ପାଚେ।

ଏହା ଭାରି ସୁଆଦିଆ। ଚିନିଠାରୁ ଅଧିକ ମିଠାଲାଗେ। ପାଖରେଥିଲେ ମିଠାଳିଆ ବାସ୍ନାହୁଏ।



ତୁତୁ କୋଳି

ଜଙ୍ଗଲୀ ଲତା ଜାତୀୟ, କଣ୍ଟାଯୁକ୍ତ ତଥା ବୁଦୁବୁଦିଆ। କୋଳି ଗୁଡ଼ିକ କଞ୍ଚାବେଳେ ଧଳା ଦେଖାଯାଏ ଓ ପାଚିଲେ ସମ୍ପୂର୍ଣ୍ଣ କଳା ହୋଇଯାଏ। କୋଳି ପାରିଲେ ଧଳା ରଙ୍ଗର କ୍ଷୀର ବାହାରେ। ପତ୍ର ଗୁଡ଼ିକ ଇଞ୍ଚେ ଦେଢ଼ ଇଞ୍ଚ ଭିତରେ ଲମ୍ବାଳିଆ ଓ ଗୋଲ ହୋଇଥାଏ। ମଞ୍ଜିଗୁଡ଼ିକ ଖୁବ୍ ଛୋଟ ଛୋଟ ମାତ୍ର ଗୋଟାଳିଆ।

ବର୍ଷରେ ଦୁଇଥର ଫୁଲ ଫଳ ଆସେ, ଭାଦ୍ରବମାସରେ ଓ ମାର୍ଗଶିର ପଉଷ ଆଡ଼କୁ। ଫୁଲ ସଙ୍ଗେ ସଙ୍ଗେ ଫଳ ବି ଆସିଯାଏ।

କଷି ବେଳେ ଟିକେ ବାଇଗଣି ଦେଖାଯାଏ, ଖଟାଳିଆ ଲାଗେ, ପାଚିଗଲେ ପୂରା କଳା ଦିଶେ ଓ ମଧୁର ହୋଇଯାଏ।



ବନବନକା କୋଳି

ଗୁଳ୍ମ ଜାତୀୟ, କଣ୍ଟାଯୁକ୍ତ ଘଞ୍ଚ ତଥା ବୁଦୁବୁଦିଆ । ଅତି ବେଶିରେ ଚାରିଫୁଟ ପର୍ଯ୍ୟନ୍ତ ବଢ଼େ। ମଞ୍ଜି ଗୁଡ଼ିକ ଖୁବ୍ ଟାଣ ମାତ୍ର ଦୁଇ ଫାଳିଆ, ପତ୍ର ଗୁଡ଼ିକ ଖଦଡ଼ଖଦଡ଼ିଆ, ଲମ୍ବା, ସାମାନ୍ୟ ଚେପଟା ଓ ଟାଣ।

ମାଘ ମାସକୁ ପୁଲ ଆସେ। ଫଗୁଣରେ ଫଳ ଧରେ।

କଞ୍ଚାବେଳେ ପୂରା ଧଳା ଓ ପାଚିଲେ ଫିକା ସବୁଜ ରଙ୍ଗ ହୋଇଥାଏ। ଏଇ କୋଳିଟି ଚଢେଇମାନଙ୍କର ଅତି ପ୍ରିୟ। ପ୍ରାୟତଃ ମଣିଷ ଖାଆନ୍ତିନାହିଁ।



ଶଗଡ଼ ବାଟୁଆ କୋଳି

ଗୁଳ୍ମ ଜାତୀୟ, କଣ୍ଟାଯୁକ୍ତ ଘଞ୍ଚ ତଥା ବୁଦୁବୁଦିଆ । ଅତି ବେଶିରେ ତିନିରୁ ଚାରିଫୁଟ ପର୍ଯ୍ୟନ୍ତ ବଢ଼େ। ଏହି କୋଳିର ଶସ ଖୁବ କମ୍ ମଞ୍ଜି ଗୁଡ଼ିକ ଛୋଟ ଛୋଟ ଖୁବ୍ ଟାଣ, ଗଡ଼ି ଗୁଆ ପରି ଦେଖାଯାଏ। ପତ୍ର ନରମ, କଅଁଳିଆ, ପ୍ରାୟ ଦୁଇରୁ ଅଢେଇ ଇଞ୍ଚ ଲମ୍ବର ମାତ୍ର ଚଟକା।

ଫଗୁଣ ମାସକୁ ଫୁଲ ଆସେ ଓ ସଙ୍ଗେ ସଙ୍ଗେ ଫଳ ବି ଆସିଯାଏ।

କଞ୍ଚାବେଳେ ହଳଦିଆ ଦେଖାଯାଏ, ପାଚିଲେ ପୂରା ଲାଲ ହୋଇଯାଏ। ପାଚିଗଲାବେଳେ ଖାଇଲେ ଖୁବ୍ ମିଠାଲାଗେ, ମାତ୍ର କଷି ଅବସ୍ଥାରେ କଷାଯୁକ୍ତ।



ଫିରିକ କୋଳି

ଗୁଳ୍ମ ଜାତୀୟ, କଣ୍ଟାଯୁକ୍ତ ତଥା ବୁଦୁବୁଦିଆ । କୋଳି ଗୁଡ଼ିକ ଛୋଟ ଛୋଟ, ଆକାରରେ ଅଧ ଇଞ୍ଚରୁ ଆହୁରି କମ୍। ପେନ୍ଥା ପେନ୍ଥା ହୋଇ ଝୁଲୁଥାଏ। ପତ୍ର ଗୁଡ଼ିକ ଛୋଟ ଛୋଟ, ଗୋଲ ଖଦଖଦଡ଼ିଆ, ହାତ ମାରିଲେ ଟାଉଁସିଆ ଲାଗେ। ଏହି କୋଳିଟି ଚଢ଼େଇ ମାନଙ୍କର ପ୍ରିୟ, ମଣିଷ ଖାଆନ୍ତି ନାହିଁ।


କଞ୍ଚାସମୟରେ ନୀଳ ଦେଖାଯାଏ, ପାଚିଲେ ଫିକା ନୀଳ ହୁଏ।



ଧଳାଙ୍କୁ କୋଳି

ଦ୍ରୁମ ଜାତୀୟ, ଶାଖା ପ୍ରଶାଖାଯୁକ୍ତ।

ମାର୍ଗଶିର ପଉଷ ବେଳକୁ ଫୁଲ ଫଳ ଆସିଥାଏ। ଫଳ ଧରିବା ବେଳକୁ ଫଗୁଣ, ଚଇତ୍ର ହୁଏ। ଏହା ଶୀଘ୍ର ପାଚିଯାଏ। ଏହା ଗଞ୍ଜାମ ଜିଲ୍ଲା ଲୋକମାନଙ୍କର ଅତିପ୍ରିୟ କୋଳି। ସେ ଅଞ୍ଚଳରେ ଏହା ଆଙ୍କୁଲୋ କୋଳି ବୋଲି ପରିଚିତ। ଏହାର ପତ୍ର ଲମ୍ବାଳିଆ, ଚେପଟା, ଖଦଖଦଡ଼ିଆ, ହାତ ମାରିଲେ ଟାଆଁସିଆ ଲାଗେ। ଏହାର ମଞ୍ଜି ଟିକେ ଗୋଲ।

କଞ୍ଚାବେଳେ ଅଳ୍ପ ଧଳାମିଶା ନୀଳ ରଙ୍ଗର, ପାଚିଲେ ପୂରା କଳା ପଡ଼ିଯାଏ ଓ ଖାଦ୍ୟ ଉପଯୋଗୀ ହୁଏ। ଆମ୍ୱିଳିଆ ଖଟା ଲାଗେ।



ଗୁଆ କୋଳି

ଗୁଳ୍ମ ଜାତୀୟ, ଘଞ୍ଚ, ବୁଦୁବୁଦୁକିଆ। ଉଚ୍ଚତାରେ ମାତ୍ର ତିନି ଚାରିଫୁଟର ହୋଇଥାଏ। କେନ୍ଦୁ ଗଛ ପରି କାଳିଆ ଦେଖାଯାଏ। ଏଥିରେ କଣ୍ଟା ନ ଥାଏ। ଏହାର ପତ୍ର ଗୁଡ଼ିକ ଖୁବ ଛୋଟ (ପ୍ରାୟ ଇଞ୍ଚେ ଆକାରର) ଗୋଲ, ନରମ ହୋଇଥାଏ।

ଜ୍ୟେଷ୍ଠ ଆଷାଢ ବେଳକୁ ଫୁଲ ଆସେ ଓ ଫଳଧରେ। ସଙ୍ଗେ ସଙ୍ଗେ ପାଚିଯାଏ।

ଏହି କୋଳିଟି ପୂରା ଗୋଲ। କଞ୍ଚାବେଳେ ନୀଳ ରଙ୍ଗର ହୋଇଥାଏ, କଷାଲାଗେ, ପାଚିଲେ ଲାଲ୍ ହୋଇଯାଏ ଓ ଖୁବ୍ ମିଠାଲାଗେ।



ଖଜୁରୀ କୋଳି

ବହୁତ ବଡ଼, ଲମ୍ବା ଗଛ, ନଡ଼ିଆ ପରି ଏକ ବୀଜପତ୍ରୀ ଓ ପତ୍ର ଗୁଡ଼ିକ ଲମ୍ବାଳିଆ ଓ କମ୍ ଓସାର ଯୁକ୍ତ, ହେଲେ ଏହାର ଅଗ୍ର ଭାଗରେ ମୁନିଆଁ କଣ୍ଟା ଯୁକ୍ତ। ଏହାର ମଞ୍ଜି ମଝିରେ ଗାର ଥାଏ।

ଭାଦ୍ରବ ଅଶିଣ ମାସକୁ କାନ୍ଧି ହୋଇ ଫୁଲ ଆସେ, ସଙ୍ଗେ ସଙ୍ଗେ ଫଳ ବି ଆସିଯାଏ। ମାତ୍ର ପାଚିଲା ବେଳକୁ ଫଗୁଣ ଚଇତ୍ର ହୋଇଯାଏ।

ଏହି କୋଳି କଷିବେଳେ ସବୁଜ କଷାସ୍ୱାଦଯୁକ୍ତ ହୋଇଥାଏ ଓ ମଞ୍ଜି ନରମ ହୋଇଥାଏ। ପାକଳ ହେଲେ ହଳଦିଆ ହୁଏ ଓ କଷାମିଶା ମିଠା ଲାଗେ। ପାଚିଗଲେ, ଏହା ଖଇରିଆ ରଙ୍ଗ ହୋଇଯାଏ ଓ ଖୁବ୍ ମିଠା ଲାଗେ। ପାଚିଲାପରେ ଏହାର ମଞ୍ଜି ଟାଣ ହୋଇଯାଏ।

ଏହାର ପତ୍ରରୁ ଝାଡ଼ୁ ତିଆରି ହୋଇଥାଏ।

ନୁଣୁନୁଣୁକା କୋଳି

ଗୁଳ୍ମଜାତୀୟ, ବୁଦୁବୁଦୁକିଆ, ଘଞ୍ଚ, ତିନି ଚାରି ଫୁଟ ପର୍ଯ୍ୟନ୍ତ ବଢ଼ିଥାଏ। ଏଥିରେ କଣ୍ଟା ନ ଥାଏ। ପତ୍ର ଗୁଡ଼ିକ ଦୁଇ ଇଞ୍ଚରୁ ଅଞେଇ ଇଞ୍ଚ ଲମ୍ବର, ଲମ୍ବାଳିଆ ଓ ଚେପଟା।

ମାର୍ଗଶିର ପଉଷ ବେଳକୁ ପେନ୍ଥା ପେନ୍ଥା ଫୁଲ ଆସେ।

କଞ୍ଚା ହେଉ କି ପାଚିଲା ହେଉ କୋଳିର ରଙ୍ଗ ସବୁବେଳେ ସବୁଜ ହୋଇଥାଏ। ସୁଆଦ ଲୁଣିଆ ଲୁଣିଆ ହୋଇଥାଏ।



ଲିଚୁ କୋଳି

ଦ୍ରୁମଜାତୀୟ, ଶାଖା ପ୍ରଶାଶାଯୁକ୍ତ ହୋଇଥାଏ। ଡାଳରେ କୋଳି ଗୁଡ଼ିକ ପେନ୍ଥା ପେନ୍ଥା ହୋଇ ଝୁଲୁଥାଏ। କୋଳିଟି ଶସଯୁକ୍ତ, ମାତ୍ର ମଞ୍ଜି ବହୁତ ଟାଣ। ପତ୍ର ଖୁବ୍ କୋମଳ, ଲମ୍ବାଳିଆ (ଛଅ ଇଞ୍ଚରୁ ଆଠ ଇଞ୍ଚ ଭିତରେ)।

ଫଗୁଣ ଚଇତ୍ରକୁ ଫୁଲ ଓ ଫଳ ଆସେ। ଖୁବ କମ ସମୟ ବ୍ୟବଧାନରେ ପାଚେ।

କଞ୍ଚାବେଳେ ଟିକେ ନେଳିଆ ଦେଖାଯାଏ, ପାଚିଗଲେ ଅଳ୍ପ କଳା ପଡ଼ିଯାଇଥାଏ। କୋଳି ଗୁଡ଼ିକ ପାଚିଗଲେ ଖୁବ୍ ମିଠା ଲାଗେ।

ଏହାର ରସକୁ ସଂଗ୍ରହ କରି ପ୍ୟାକେଟରେ ମଧ୍ୟ ବଜାରରେ ବିକ୍ରି କରାଯାଏ।

କ୍ଷୀର କୋଳି

ଗୁଳ୍ମ ଜାତୀୟ, କଣ୍ଟକାଚ୍ଛାଦିତ, ବୁଦୁବୁଦିଆ, ଘଞ୍ଚ, ଚାରି ପାଞ୍ଚଫୁଟ ଯାଏ ବଢ଼େ। ମଞ୍ଜି ଛୋଟ ଛୋଟ, ଗୋଲ ଗୋଲ ମାତ୍ର ଖୁବ୍ ଟାଣ। କୋଳି ଗୁଡ଼ିକ ଖୁବ୍ ଛୋଟ, ଅତି ବେଶୀରେ ଅଧ ଇଞ୍ଚ ଆକାରର। ଶସ କମ୍ ଥାଏ। ପେନ୍ଥା ପେନ୍ଥା ହୋଇ ଡାଳରେ ଝୁଲୁଥାଏ। ତୋଳିଲେ ଟିକେ କଷାଳିଆ କ୍ଷୀର ବାହାରେ, ପତ୍ରତ ଗୁଡ଼ିକ ଖଦଖଦଡ଼ିଆ, ହାତ ମାରିଲେ ଟାଆଁସିଆ ଲାଗେ।

ଫଗୁଣ ମାସରେ ଫୁଲ ଓ ଫଳ ଆସେ। ଚଇତ୍ର ବଇଶାଖକୁ ପାଚେ।

କଞ୍ଚାବେଳେ ଖାଇଲେ ଲୁଣିଆ ଲାଗେ। ପାଚିଲେ ପୁରା କଳା ଦେଖାଯାଏ ଓ ସାମାନ୍ୟ ଅଳ୍ପ ମିଠାଲାଗେ।



ଜାମୁ କୋଳି

ଦ୍ରୁମ ଜାତୀୟ ଶାଖା ପ୍ରଶାଖାଯୁକ୍ତ ଓ ଗହଳ ପତ୍ରାଚ୍ଛାଦିତ ହୋଇଥାଏ। କୋଳି ଗୁଡ଼ିକ ଡ଼ାଳ ମାନଙ୍କରେ ପେନ୍ଥା ପେନ୍ଥା ହୋଇ ଝୁଲୁଥାଏ। ପତ୍ର ଗୁଡ଼ିତ କୋମଳ, ସେତେ ବେଶୀ ଲମ୍ବାଳିଆ ନୁହେଁ। ଓସାର ମଧ୍ୟମ ଧରଣର।

ବୈଶାଖ ଜ୍ୟେଷ୍ଠ ମାସରେ ଫୁଲ ଆସେ, କିଛି ଦିନ ପରେ ଫଳ ଆସିଯାଏ। ଜଙ୍ଗଲୀ ଗଛ ଗୁଡ଼ିକରେ ଜ୍ୟେଷ୍ଠ ମାସରେ କୋଳି ପାଚିଲା ବେଳେ ଗାଆଁ ମାନଙ୍କରେ ଥିବା ଗଛରେ ଆଷାଢ଼ମାସରେ ପାଚିଥାଏ।

କଞ୍ଚାବେଳେ ସବୁଜ ଓ ପାଚିଗଲେ ପୂରା କଳା। ସ୍ୱାଦିଷ୍ଠ, ଖାଇଲେ ଜିଭ କଳା ପଡ଼ିଯାଏ।

ଜାମୁକୋଳି ମଧୁମେହ ନିବାରଣ କରିଥାଏ ବୋଲି କୁହାଯାଏ।

ଜାମୁ ରୋଳ

ଦ୍ରୁମ ଜାତୀୟ ଶାଖା ପ୍ରଶାଖାଯୁକ୍ତ ଓ ଗହଳ ପତ୍ରାଚ୍ଛାଦିତ ହୋଇଥାଏ। ପତ୍ର ଗୁଡ଼ିକ ଲମ୍ବାଳିଆ, ଚଉଡ଼ା ଏବଂ ଚଟକା। ଶାଖା ପ୍ରଶାଖାରେ ଫୁଲ ଗୁଡ଼ିକ ପେନ୍ଥା ପେନ୍ଥା ହୋଇ ଝୁଲୁଥାଏ। ଦେଖିବାକୁ ବଉଳକୋଳି ଗଛ ଭଳି। କୋଳି ଧଳା ରଙ୍ଗର ଦେଖାଯାଏ, ମଞ୍ଜି ଛୋଟ ଛୋଟ ହୋଇଥାଏ। ଗୋଟିଏ କୋଳିରେ ଅନେକ ମଞ୍ଜି ଥାଏ।

ମାଘମାସକୁ ଫୁଲ ଆସେ। ଡେମ୍ଫ ଯୁକ୍ତ ଫୁଲ ଗୁଡ଼ିକର ପୁଂ କେଶର ମେଞ୍ଚା ମେଞ୍ଚା ହୋଇ ଆସିଥାଏ। ବଇଶାଖ ଜ୍ୟେଷ୍ଠକୁ ଫଳ ଆସେ।

କଞ୍ଚା ପାଚିଲା ବାରି ହୁଏ ନାହିଁ। ଖାଇଲେ ପାଣିଚିଆ ମିଠା ଲାଗେ, ମାତ୍ର ରାଇଆ ରାଇଆ ବାସେ।


ଗୋଲାପ ଜାମୁ

ଦ୍ରୁମଜାତୀୟ, ଶାଖାପ୍ରଶାଖାଯୁକ୍ତ ଓ ଗହଳ ପତ୍ରାଚ୍ଛାଦିତ। ପତ୍ର ଗୁଡ଼ିକ ଦେଖିବାକୁ ଜାମୁ କୋଳିର ପତ୍ର ପରି। ଫଳ ପିଜୁଳି ଭଳି ଗୋଲ ଏବଂ ଟାଣ। ଶସ କମ୍, ମଞ୍ଜି ବଡ଼ ଓ ଟାଣ।

ଫୁଲ ପେନ୍ଥା ପେନ୍ଥା ହୋଇ ମାଘମାସକୁ ଆସିଥାଏ।

ଫଳଟି କଞ୍ଚାବେଳେ ସାଗୁଆ ଦେଖାଯାଏ, ମାତ୍ର ପାଚିଲେ ହଳଦିଆ ପଡ଼ିଯାଏ। ବଇଶାଶ ଜ୍ୟେଷ୍ଠରେ ପାଚି ସମ୍ପୂର୍ଣ୍ଣ ହଳଦିଆ ବର୍ଣ୍ଣ ଧାରଣ କରେ। ଖାଇଲେ ଖୁବ୍ ମିଠା ଲାଗେ।



କୋଳିର ବର୍ତ୍ତମାନ ସ୍ଥିତି

ବରକୋଳି ଓ ଜାମୁକୋଳିକୁ ଛାଡ଼ିଦେଲେ ପ୍ରାୟ ସବୁପ୍ରକାରର କୋଳି ଆଜି ଦୁର୍ଲଭ ହୋଇ ପଡ଼ିଥିଲେ ମଧ୍ୟ ଓଡ଼ିଶାର ତଇଲା ଅଞ୍ଚଳ ଏବେ ବି ବିଭିନ୍ନ ପ୍ରକାରର କୋଳିରେ ସମୃଦ୍ଧ। ତାହା ଅଧୁନା ଜଙ୍ଗଲ ଓ ଗଛ ସଂଖ୍ୟାର ଦ୍ରୁତ ହ୍ରାସ ଓ ପଲ୍ଲୀ ଜନ ଜୀବନର ଚାଲି ଚଳଣିରେ ପରିବର୍ତ୍ତନ ଏମିତି କେତେକ ଦୁର୍ମୂଲ୍ୟ ବନସ୍ପତିକୁ ଧିରେ ଧିରେ ବିସ୍ମୃତ କରି ଦେଉଛି। ଅଧିକାଂଶ କିସମର କୋଳି ଆଜି ଦୁର୍ଲଭ ହୋଇ ପଡ଼ିଲାଣି।

ଲୁପ୍ତପ୍ରାୟ କୋଳିର ସୁରକ୍ଷା

ଏହାର ସୁରକ୍ଷାପାଇଁ ଭୁବନେଶ୍ୱର ଜାଗମରାସ୍ଥ ସୃଜନିକା ତରଫରୁ ପରିବେଶବିତ୍ ପୁଷ୍ପଶ୍ରୀ ପଟ୍ଟନାୟକଙ୍କ ଉଦ୍ୟମରେ ବିଭିନ୍ନ ପ୍ରକାରର କୋଳିର ସଂରକ୍ଷଣ ସମ୍ବନ୍ଧରେ ପ୍ରଥମ ପଦକ୍ଷେପ ନିଆଯାଇଅଛି। ଏଠାରେ ବରକୋଳି, ନରକୋଳି, ତୁତକୋଳି, ନିରେଇଶ କୋଳି, ଫାର୍ସା କୋଳି, ବଉଳ କୋଳି, ବେତ କୋଳି, କଣ୍ଟେଇ କୋଳି, ଖଣ୍ଡ କୋଳି, ଅଁଳା କୋଳି, ଜାମୁ କୋଳି ପରି କେତେକ କୋଳିର ଗଛ ଓଡ଼ିଶାର ବିଭିନ୍ନ ସ୍ଥାନରୁ ସଂଗ୍ରହ କରି ରୋପଣ କରାଯାଇଛି। ସନ ୧୯୮୦ର ତାଙ୍କର ଏଇ ସ୍ୱପ୍ନ ତାଙ୍କ ଚେଷ୍ଟାରେ ପଂଜିକୃତ ହୋଇଥିଲା ସନ ୧୯୮୭ରେ ଓ ୧୯୯୧ରେ ଏଥିପାଇଁ ନିର୍ଦ୍ଦିଷ୍ଟ ଅଂଚଳର ଅଭିବୃଦ୍ଧି କରାଯାଇଥିଲା।

ଆଧାର : ଉଦ୍ଭିଦ ବିଜ୍ଞାନ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top