ହୋମ / କୃଷି / କୃଷି ଉଦ୍ୟୋଗ / କାଜୁବାଦାମ ଚାଷ
ସେଆର କରନ୍ତୁ

କାଜୁବାଦାମ ଚାଷ

କାଜୁବାଦାମ ଏକ ଅର୍ଥକାରୀ ଫସଲ । ପ୍ରଥମେ ଏହାକୁ ମୃତ୍ତିକା ସଂରକ୍ଷଣ ପାଇଁ ଅନୁର୍ବର ମାଟିରେ ଲଗାଉଥିଲେ ।

କାଜୁବାଦାମ ଏକ ଅର୍ଥକାରୀ ଫସଲ । ପ୍ରଥମେ ଏହାକୁ ମୃତ୍ତିକା ସଂରକ୍ଷଣ ପାଇଁ ଅନୁର୍ବର ମାଟିରେ ଲଗାଉଥିଲେ । କିନ୍ତୁ ବର୍ତ୍ତମାନ ଏହାକୁ ବ୍ୟବସାୟୀକ ଭିତ୍ତିରେ ଚାଷ କରାଗଲାଣି । ଓଡିଶାରେ ବର୍ତ୍ତମାନ ଆମ୍ବ ପରେ କାଜୁ ଚାଷ ଉପରେ ବିଶେଷ ଗୁରୁତ୍ଵ ଦିଆଯାଉଛି ।କାଜୁ ମଞ୍ଜିରେ ପୃଷ୍ଟିସାର,ଶ୍ଵେତସାର,ସ୍ନେହସାର,ଭିଟାମିନ ଏ,ବି,ଏବଂ ଅନେକ ଧାତବ ଲବଣ ଅଛି । ଏହାର ଚୋପାରୁ ଅର୍ଥକାରୀ ତୈଳ ବାହାରିଥାଏ । ଫଳରୁ ସ୍କାସ, ମଦ ତିଆରି ହୁଏ । ବର୍ତ୍ତମାନ କାଜୁ ରପ୍ତାନି କରି ଅନେକ ବୈଦେଶିକ ମୁଦ୍ରା ଅର୍ଜନ କରାଯାଉଛି ।

ଉତ୍ପତ୍ତି

ଦକ୍ଷିଣ ଆମେରିକା ବ୍ରାଜିଲ ଦେଶ ଏହାର ଜନ୍ମସ୍ଥାନ । ଆମ ଦେଶର ପୂର୍ବ ଓ ପଶ୍ଚିମ ଉପକୂଳ ଓ କେତେକ ଆଭ୍ୟନ୍ତରୀଣ ଅଞ୍ଚଳରେ ଏହାର ଚାଷ ହେଉଛି ।

ଜଳବାୟୁ

ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ମାନଙ୍କରେ ଖୁବ ଭଲ ହୁଏ । ସମୁଦ୍ର ପତନ ଠାରୁ ୬୦୦ରୁ ୭୦୦ ମିଟର ଉଚ୍ଚ ସ୍ଥାନ ପର୍ଯ୍ୟନ୍ତ ଏହାର ଚାଷ କରାଯାଇପାରେ ଓ ସମୁଦ୍ର କୂଳଠାରୁ ୨୦୦ କିଲୋମିଟର ପର୍ଯ୍ୟନ୍ତ ସ୍ଥାନ ମାନଙ୍କରେ ଅଭ୍ୟନ୍ତରୀଣ ଅଞ୍ଚଳ ଅପେକ୍ଷା ଅଧିକ ଆୟ ମିଳେ । କାଜୁବାଦାମ ଗଛ ଅତିଶୟ ଥଣ୍ଡା ଓ ତୁଷାରପାତ ସହିପାରେନି ।

ଗ୍ରୀଷ୍ମ କାଳରେ ବାୟୁମଣ୍ଡଳୀୟ ଉତ୍ତାପ ୪୦ ଡିଗ୍ରୀ ସେଣ୍ଟିଗ୍ରେଡରୁ ଅଧିକ ହେଲେ ଫୁଲ ଓ ଫଳ ଧାରଣ ପାଇଁ ଅସୁବିଧା ହୁଏ । ୬୦୦ ରୁ ୧୫୦୦ ମି.ମି ପର୍ଯ୍ୟନ୍ତ ବାର୍ଷିକ ବୃଷ୍ଟିପାତ ହେଉଥିବା ଅଞ୍ଚଳରେ ଏହି ଗଛ ଲଗାଯାଇପାରିବ । କାଜୁ ଚାଷ ପାଇଁ ଏକ ସମୟରେ ଅଧିକ ବର୍ଷା ହେବା ଅପେକ୍ଷା ପର୍ଯ୍ୟାୟକ୍ରମେ କିଛି କିଛି ବର୍ଷା ହେବା ଅଧିକ ଉପଯୋଗୀ ଅଟେ । ମଞ୍ଜି,ଫୁଲ ଓ ଫଳ ଧାରଣା ସମୟରେ ଅତ୍ୟଧିକ ଆଦ୍ରତା ଯୋଗୁଁ ମଞ୍ଜିଗୁଡିକ କଳା ପଡିଯାଏ ଓ ଭଲ ଭାବରେ ଶୁଖିପାରେ ନାହିଁ । ଲଙ୍କାଆମ୍ବ ଗଛର ଚେର ମାଟିରୁ ଜଳିଆ ଅଂଶ ଗ୍ରହଣ କରିପାରୁଥିବା ପର୍ଯ୍ୟନ୍ତ,ଗଛ ଅତ୍ୟଧିକ ଶୁଖିଲା ପରିସ୍ଥିତିକୁ ସହିପାରେ । ଆମ ରାଜ୍ୟ ଓଡିଶାରେ ମୌସୁମୀ ବାୟୁ ପ୍ରବାହ ଦ୍ଵାରା ବାର୍ଷିକ ହାରାହାରି ୧୨୦୦-୧୫୦୦ ମିଲି ମିଟର ବୃଷ୍ଟି ହୁଏ । ଏଥିପାଇଁ କାଜୁଗଛ ଗ୍ରୀଷ୍ମକାଳୀନ ଶୁଖିଲା ପରିସ୍ଥିତିକୁ ସାମନା କରି ଫଳ ଧାରଣ କରିପାରେ । ଓଡିଶାର କଳାହାଣ୍ଡି,ବଲାଙ୍ଗୀର ଓ ଫୁଲବାଣୀ ଭଳି ଜିଲ୍ଲାମାନଙ୍କରେ ଶୀତଦିନର ସର୍ବନିମ୍ନ ଓ ଖରାଦିନର ସର୍ବାଧିକ ତାପମାତ୍ରା କାଜୁ ଫସଲ ପାଇଁ ଅନୁପଯୋଗୀ ହୋଇଥିବାରୁ ସେଠାରେ କାଜୁଚାଷ ବ୍ୟବସାୟୀକ ହୋଇପାରୁ ନାହିଁ ।

ମୃତ୍ତିକା

କାଜୁବାଦାମ ଚାଷ ଯେ କୌଣସି ମାଟିରେ ହୋଇପାରେ କିନ୍ତୁ ଗଭୀର ଦୋରସା ମାଟି ସବୁଠୁ ଭଲ । ସମୁଦ୍ର ତଟଦେଶର ବାଲିଚର ଜମି,ନଦୀ ଦ୍ଵାରା ବାଲିଚର ଜମି ମଧ୍ୟ ଖୁବ୍ ଭଲ ହୁଏ । କାଜୁଗଛ ଜଳ କଷ୍ଟସହିଷ୍ଣୁ, ତେଣୁ ଏହା ଅନୁର୍ବର ଓ ପତିତ ଜମିରେ ବିନା ଯତ୍ନରେ ହୁଏ । କିନ୍ତୁ ଚିକିଟା ସନ୍ତସନ୍ତିଆ ଜମିରେ ମୋଟେ ଉଧାଏ ନାହିଁ । ଲୁଣି,ଚିକିଟା ଓ ପାଣି ଜମା ରହୁଥିବା ମାଟିରେ ଏହା ଭଲ ହୁଏ ନାହିଁ । କାଜୁ ଅଳ୍ପ ଅମ୍ଳୀୟ ୫.୫ ରୁ ୭.୫ PH ଥିବା ମାଟିରେ ଭଲ ହୁଏ ।

କିସମ

ଆମ ଦେଶର ପ୍ରୟୋଗଶାଳା ବା ଗବେଷଣାଗାରରୁ ବାହାରିଥିବା ସମୁଦାୟ ୪୦ଟି ରୁ ଅଧିକ ଅମଳକ୍ଷମ ଲଙ୍କାଆମ୍ବ କିସମ ମଧ୍ୟରୁ ହାଇବ୍ରିଡ ୨-୧୬,ହାଇବ୍ରିଡ ୧୬୦୮ (ଧନ),ଭେଙ୍ଗରୁଲା ୪,ଭି.ଆର.ଆଇ-୨ ଏବଂ ଭୁବନେଶ୍ଵର-୧ କିସମ ଗୁଡିକ ଓଡିଶା ଜଳବାୟୁରେ ଚାଷ କରାଯିବା ପାଇଁ ଏକାନ୍ତ ଉପଯୋଗୀ । ଏଗୁଡିକ ସଅଳ ତଥା ମଧ୍ୟମ କିସମର ଅଟନ୍ତି ଏବଂ ହେକ୍ଟର ପିଛା ଉତ୍ପାଦିକା ଶକ୍ତି ୨ଟନ୍ ଅଟେ ।

ବଂଶବିସ୍ତାର

ସାଧାରଣତଃ ମଞ୍ଜି ଦ୍ଵାରା ଏହାର ବଂଶ ବିସ୍ତାର କରାଯାଏ ଓ ଗଛରେ ଫଳ ପ୍ରଚୁର ଥିବା ସମୟରେ ବଡ ବଡ ମଞ୍ଜି ସଂଗ୍ରହ କରିବା କଥା । ମଞ୍ଜିର ସ୍ପେଶିଫିକ ଗ୍ରାଭିଟ ୧.୦୨୫ ରୁ ୧.୦୫ ହେଲେ ଶୀଘ୍ର ଗଛ ହୁଏ । ପାଣିରେ ମଞ୍ଜି ପକାଇଲେ ଯେଉଁ ମଞ୍ଜି ଭାସିବ ତାକୁ ବାଦ ଦେବେ । କିନ୍ତୁ ଉନ୍ନତ କିସମର ବହୁଳ ପ୍ରସାର ପାଇଁ କଲମୀ କରିବା ଉଚିତ୍ । ପାର୍ଶ୍ଵ କଲମୀ,ଭିନିୟର କଲମି ଓ ସଫଟଉଡ କଲମି ଦ୍ଵାରା କାଜୁର ବଂଶବିସ୍ତାର କରାଯାଏ । ଗୁଟିକଲମୀ ଦ୍ଵାରା ମଧ୍ୟ ଏହାର ବଂଶ ବିସ୍ତାର କରାଯାଇ ପାରିବ ।

ରୋପଣ

ସାଧାରଣତଃ କାଜୁବାଦାମ ଗଛ ୬ ରୁ ୯ ମିଟର ଦୂରତାରେ ଓ ସମୁଦ୍ର ଉପକୂଳ ଅଞ୍ଚଳରେ ୮ମିଟର ଦୂରତାରେ ଓ ଆଭ୍ୟନ୍ତରଣ ଜିଲ୍ଲା ମାନଙ୍କରେ ୬ ମିଟର ଦୂରତାରେ ଗଛ ଲଗାଯାଏ । ଅଧିକାଂଶ ଲୋକ ୪ମିଟର ଦୂରତାରେ ପ୍ରଥମେ ଗଛ ଲଗାଇ ୧୦ବର୍ଷ ପରେ ମଝିରୁ ଗୋଟିଏ ଗୋଟିଏ ଗଛ କାଟି ଦିଅନ୍ତୁ । ତେଣୁ ଗଛ ଛୋଟ ଛୋଟ ଥିବା ସମୟରେ ମଧ୍ୟ ଗଛ ସଂଖ୍ୟା ବେଶି ହେତୁ ଅଧିକ ଅମଳ ପାଆନ୍ତି ।

ସାଧାରଣତଃ ୬୦ସେମି x୬୦ସେମି x୬୦ସେମି ଆକାରର କିମ୍ବା ପଥୁରିଆ ଜମିରେ ୧ମି x୧ମି x୧ମି ଆକାରରେ ଗାତ ଗଛ ଲଗାଇବାର ୧୫ ରୁ ୨୦ ଦିନ ପୂର୍ବରୁ ଖୋଳାଜାଏ । ଗାତ ଖୋଳିବା ସମୟରେ ଗାତର ଉପର ଅଧା ଓ ତଳ ଅଧା ମାଟିକୁ ଅଲଗା ଅଲଗା ରଖାଯାଏ । ଗଡାଣିଆ ଜାଗାମାନଙ୍କରେ ଗଛଗୁଡିକ ସୋପାନରେ ଲଗାଯାଇଥାଏ ଓ ଗଛ ମୂଳରେ ପାଣି ଧରି ରଖିବା ପାଇଁ ଜମିର ଉପର ଭାଗରେ ଅର୍ଦ୍ଧ ଚନ୍ଦ୍ରାକାର ଖାତ ତିଆରି କରାଯାଏ ।

ଗଛ ଲଗାଇବା ସମୟରେ ଗାତର ଉପର ଅଧେ ମାଟି ସହିତ ଗାତ ପିଛା ୫କିଗ୍ରା ଗୋବର ଖତ ବା ୨କିଗ୍ରା କୁକୁଡା ଖତ ଏବଂ ୨୦୦ଗ୍ରାମ ରକ୍ ଫସଫେଟ ସାର ମିଶାଇ ଗାତର ଉପର ମାଟିକୁ ତଳେ ଓ ତଳ ମାଟିକୁ ଉପର ଅଂଶରେ ପୂର୍ଣ୍ଣ କରି ଗାତର ଠିକ ମଝିରେ ଗଛ ଲଗାଯାଏ ।

ଗାତ ଓ ମାଟିକୁ ଶତକଡା ୦.୦୫ ଭାଗ କ୍ଳୋରୋପାଇରିଫସ ଔଷଧ ଦ୍ଵାରା ବିଶୋଧନ କରି ୫ ରୁ ୧୨ ମାସ ବୟସର କଲମୀ ଗଛ ଆଣି ରୋପଣ କରାଯାଏ । ତତସଂଲଗ୍ନ ମାଟି ପିଣ୍ଡୁଳାରୁ ପଲିଥିନ ଜରିମୁଣିକୁ ସାବଧାନତାର ସହ କାଟି ବାହାର କରି ଦିଆଯାଏ ଓ ମାଟି ପିଣ୍ଡୁଳାକୁ ଅକ୍ଷତ ଭାବରେ ଗାତର ଠିକ ମଝିରେ ଏପରି ଭାବରେ ଲଗାଯାଏ,ଯେପରିକି କଲମୀ ଗଛର ଯୋଡେଇ ଅଂଶ ଭୂମି ପତନର ୧୦ସେମି ରୁ ୨୦ସେମି ଉପରକୁ ରହିବ । ତା’ପରେ ଗଛ ମୂଳରେ ମାଟି ଦେଇ ସେହି ମାଟିକୁ ଆସ୍ତେ ଆସ୍ତେ ଚାପି ଦିଆଯାଏ ଏବଂ ଗଛ ମୂଳରେ କାଠିଟିଏ ପୋତି ତା’ସହିତ ଗଛଟିକୁ ହାଲୁକା ଭାବରେ ବାନ୍ଧି ଦିଆଯାଏ ।

ଗଛଲଗାଇ ସାରିବା ପରେ ଗଛ ମୂଳକୁ ଶୁଖିଲା ଅନାବନା ଘାସ ଓ ପତ୍ର ଦ୍ଵାରା ଆଚ୍ଛାଦିତ କଲେ ଗଛମୂଳରେ ଘାସ ଉଠିବା କମିଯାଏ ଓ ମାଟିରେ ଆବଶ୍ୟକ ଆଦ୍ରତା ରହେ । ଗଛର ଚେର ଧରିଆସିଲେ,ଗଛର କଲମୀ ଯୋଡେଇ ଅଂଶରେ ବନ୍ଧା ଯାଇଥିବା ଜରି ଫିତାକୁ କାଟି ବାହାର କରି ଦିଆଯାଏ ।

ଖତ ଓ ସାର

ସାଧାରଣତଃ କାଜୁବାଦାମରେ ଅଧିକାଂଶ ଲୋକ ଖତ ଓ ସାର ଦିଅନ୍ତିନି । ଖତ ସାର ଦେଲେ ଅଧିକ ଅମଳ ମିଳେ । ପରୀକ୍ଷା କରି ଦେଖାଯାଇଛି ଯେ ପ୍ରତି ଗଛରେ ୫୦୦ଗ୍ରାମ ଯବକ୍ଷାରଜାନ ସାର,୧୨୫ ଗ୍ରାମ ଫସଫରସ ସାର ଓ ୧୨୫ ଗ୍ରାମ ପଟାସ ସାର ଦେଲେ କାଜୁରୁ ଦୁଇଗୁଣା ଆଦାୟ ହୁଏ । ସାରକୁ ଦୁଇ ଭାଗରେ ବିଭକ୍ତ କରି ଥରେ ମେ-ଜୁନ ମାସରେ ଓ ଆଉଥରେ ସେପ୍ଟେମ୍ବର-ଅକ୍ଟୋବର ମାସରେ ଦେଲେ ଭଲ କାମ ଦିଏ ।

ଗଛର ବୟସ                                ଯବକ୍ଷାରଜାନ                               ଫସଫରସ                           ପଟାସ

୧ମ ବର୍ଷ                                     ୧୦୦ ଗ୍ରାମ                                 ୬୦ଗ୍ରାମ                               _

୨ୟ ବର୍ଷ                                     ୨୦୦ଗ୍ରାମ                                  ୧୦୦ଗ୍ରାମ                         ୬୦ଗ୍ରାମ

୩ୟ ବର୍ଷ                                     ୨୫୦ଗ୍ରାମ                                  ୧୨୫ଗ୍ରାମ                        ୧୨୫ଗ୍ରାମ

୪ର୍ଥ ବର୍ଷ                                     ୫୦୦ଗ୍ରାମ                                  ୧୨୫ଗ୍ରାମ                        ୧୨୫ଗ୍ରାମ

କାଟଛାଣ୍ଡ

ଗଛ ଲଗାଇବା ପରେ ଏକ ବର୍ଷ ପର୍ଯ୍ୟନ୍ତ କଲମୀ ଯୋଡେଇ ତଳୁ ମା’ଗଛ ରୁ ବାହାରୁଥିବା ସମସ୍ତ ଗଜା,ଶାଖା ଆଦିକୁ ଭାଙ୍ଗି ଦେବା ଦରକାର । ପ୍ରଥମ ୩ ରୁ ୪ବର୍ଷ ପର୍ଯ୍ୟନ୍ତ କାଟଛାଣ୍ଟ କରି ଗଛକୁ ଉତ୍ତମ ଆକୃତି ଦେବା ଆବଶ୍ୟକ । ମାଟି ଉପରକୁ ୭୫ସେମି ରୁ ୧ମି ଉଚ୍ଚତା ପର୍ଯ୍ୟନ୍ତ କାଣ୍ଡକୁ ନିରୋଳା ଭାବରେ ବଢିବାକୁ ସୁଯୋଗ ଦେଇ ସେଥିରୁ ବାହାରୁଥିବା ଅନ୍ୟାନ୍ୟ ଶାଖାଗୁଡ଼ିକୁ ନଷ୍ଟ କରି ଦେବା ଦରକାର । ପ୍ରାୟ ୪ ରୁ ୫ ବର୍ଷ ପରେ ପ୍ରଧାନ କାଣ୍ଡର ଅଗ୍ରଭାଗକୁ ମାଟି ଉପରୁ ୪ ରୁ ୫ମିଟର ଉଚ୍ଚତାରେ କାଟିଦେଲେ ଗଛ ସିଧା ସିଧା ନବଢି ଅଧିକ ଶାଖା ପ୍ରଶାଖା ଦିଏ । ଏହାଛଡା ସେଥିରେ ବେଶି ପରିମାଣର ଫୁଲ ଓ ଫଳ ଆସେ । ରୋଗପୋକ ଦମନ,ମଞ୍ଜି ଅମଳ ଏବଂ ସାର ପ୍ରୟୋଗ କରିବା ପାଇଁ ସୁବିଧା ହୁଏ । ଏହା ବ୍ୟତୀତ ଅଙ୍କା ବଙ୍କା ଡାଳ,ପୁରୁଣା ତଥା ରୋଗଣା ଡାଳ ଏବଂ ଅଫଳନ୍ତି ପାଣି ଡାଳଗୁଡିକ କାଟି ବାହାର କରିଦେବା ଉଚିତ ।

ପରବର୍ତ୍ତୀ ଯତ୍ନ

ସାଧାରଣତଃ କାଜୁବାଦାମ ଗଛର ପରବର୍ତ୍ତୀ ଯତ୍ନ ବିଶେଷ ଦରକାର ପଡେନି । ଗଛ ଛୋଟ ଥିଲା ବେଳେ, ଯେତବେଳେ କଅଁଳିଆ ପତ୍ର ତମ୍ବା ରଙ୍ଗର ଥିବ,ଗାଈଗୋରୁ ଛେଳି ଖାଇ ଦିଅନ୍ତି । ପତ୍ର ମୋଟା ହୋଇଗଲା ପରେ ଗାଈଗୋରୁ ଗଛ ଖାଆନ୍ତି ନାହିଁ । ତେଣୁ ପ୍ରଥମ ଅବସ୍ଥାରେ କାଜୁବାଦାମ ବଗିଚାକୁ ଗୋରୁ ଗାଈଙ୍କ ଠାରୁ ରକ୍ଷା କରିବ ।

ଜଳସେଚନ ଓ ନିଷ୍କାସନ

ମାଟିର ବତରକୁ ଦେଖି ଓ ଗଛର ଆବଶ୍ୟକତାକୁ ଚାହିଁ ଗଛଗୁଡିକରେ ଖରାଦିନେ ୧୫ ରୁ ୨୦ ଦିନ ଅନ୍ତରରେ ଥରେ ଲେଖାଏଁ ପାଣି ଦିଆଯାଏ । ଜାନୁୟାରୀରୁ ମାର୍ଚ୍ଚ ମାସ ମଧ୍ୟରେ ୧୫ଦିନ ଅନ୍ତରରେ ଗଛ ପିଛା ୨୦୦ଲିଟର ପାଣି ଦେଲେ ଅମଳ ଦ୍ଵିଗୁଣିତ ହୁଏ । କାଜୁ ଗଛ ମୂଳରେ ପାଣି ଜମି ରହିଲେ ତାହା ଗଛର କ୍ଷତି କରେ ତେଣୁ ସେହି ଜଳର ନିଷ୍କାସନ କରିବା ନିହାତି ଦରକାର ।

ରୋଗ ପୋକ ଓ ତା’ର ପ୍ରତିକାର

ଫସଲ ସଂରକ୍ଷଣ

ଲଙ୍କାଆମ୍ବ ଗଛରେ ବିଭିନ୍ନ ଅବସ୍ଥାରେ ପ୍ରାୟ ୬୦ରୁ ଅଧିକ ଜାତିର ଅନିଷ୍ଟକାରୀ ପୋକ ଆକ୍ରମଣ କରିଥାନ୍ତି । ଏହି ପୋକ ଆକ୍ରମଣ ଯୋଗୁଁ ଆମ ରାଜ୍ୟରେ କାଜୁ ଅମଳ କମିଯାଇଥାଏ । ବିଶେଷ କ୍ଷତି କରୁଥିବା ପୋକଗୁଡିକ ମଧ୍ୟରେ କାଣ୍ଡ ଓ ଚେର ବିନ୍ଧା ପୋକ,ଚା’ ମଶକ, ଅଗ୍ରମୁକୁଳ ବିନ୍ଧା ପୋକ,ପତ୍ର ଓ ଫୁଲ ଜାଲି କରୁଥିବା ପୋକ,ଫୁଲ ଉକୁଣୀ ଓ ପତ୍ର ଖଣି ପୋକ ପ୍ରଧାନ । ଅନ୍ୟାନ୍ୟ ଅନିଷ୍ଟକାରୀ ଗୌଣ ପୋକଗୁଡିକ ଯଥା- ପତ୍ରଭୃଙ୍ଗ,ପତ୍ର ଓ ଫୁଲ ଉକୁଣୀ, ବାଦାମୀ ଜାଉଆ ପୋକ, ଘୁଣୀ ପୋକ, ଫଳ ବିନ୍ଧାପୋକ ଓ ପତ୍ରମୋଡା ପୋକ । ଏଗୁଡିକ ସାମୟିକ ତଥା ବିକ୍ଷିପ୍ତ ଭାବରେ ଲଙ୍କାଆମ୍ବ ବଗିଚାରେ ଦେଖାଯାନ୍ତି । ଏହାଛଡା ଏହି ଗଛ କେତେକାଂଶରେ ପଶ୍ଚମାରୀ ବା ପାଟଳ ଓ ଶିଠାଝରା ରୋଗ ଦ୍ଵାରା ଆକ୍ରାନ୍ତ ହୋଇଥାଏ ।

କାଣ୍ଡ ଓ ଚେର ବିନ୍ଧାପୋକ

କାଣ୍ଡ ଓ ଚେର ବିନ୍ଧା ପୋକ ଆମ ଦେଶରେ ପ୍ରତ୍ୟେକ ଲଙ୍କାଆମ୍ବ ବଗିଚାରେ ଦେଖାଯାଏ । ଏହି ପୋକର ପ୍ରାଦୁର୍ଭାବ ବର୍ଷସାରା ଦେଖାଗଲେ ହେଁ ସର୍ବାଧିକ ଆକ୍ରମଣ ଏପରିକି ୩୦ଶତାଂଶ ଖରାଦିନେ ପରିଲକ୍ଷିତ ହୁଏ ।

ଲକ୍ଷଣ

ଗଛ ମୂଳରେ ଛୋଟ ଛୋଟ କଣା ହୁଏ ଓ ଶିଠା ଝରେ । ଚର୍ବିତ ଛେଦା କଣାବାଟେ ନିର୍ଗତ ହୁଏ । ପତ୍ର ହଳଦିଆ ପଡି ଝଡିଯାଏ ଓ ଶେଷରେ ଆକ୍ରାନ୍ତ ଡାଳଟି ଶୁଖିଯାଏ । ପୂର୍ଣ୍ଣାଙ୍ଗ ପୋକଟି ଗାଢ ବାଦାମୀ ରଙ୍ଗର । ୨୫ ରୁ ୪୦ ମିଲିମିଟର ଲମ୍ବା ଓ ଏହା ରାତିରେ ସକ୍ରିୟ ଅଟେ । ଅଣ୍ଡାରୁ ଶୂକପୋକ ବାହାରି ଗଛର ଚକଳାକୁ କଣା କରି ପଶେ  ଏବଂ ଉପଅଧିଚର୍ମୀୟ ଓ ଊର୍ଦ୍ଧ୍ଵବାହୀ ଉତିକୁ ଅନିୟମିତ ଭାବେ ସୁଢଙ୍ଗ କରିଥାଏ । ବକଳର ଉତିଗୁଡିକରେ କ୍ଷତ ହେବା ଦ୍ଵାରା ଶିଠା ନିର୍ଗତ ହୁଏ ଯାହାକି କାଳକ୍ରମେ କଠିନ ହୋଇଯାଏ । ଊର୍ଦ୍ଧ୍ଵବାହୀ ଉତିଗୁଡିକ ନଷ୍ଟ ହେବା ଦ୍ଵାରା ଗଛ ମଧ୍ୟରେ ଖାଦ୍ୟ ରସ ପରିବହନ ବାଧାପ୍ରାପ୍ତ ହୁଏ ।  ଫଳରେ ପତ୍ର ହଳଦିଆ ହୋଇ ଝଡିପଡେ । ଆକ୍ରମଣ ଅତିକ୍ରାନ୍ତ ଅବସ୍ଥାରେ ଗଛର ଡାଳ ଶୁଖିଯାଏ ଓ ଗଛଟି ମରିଯାଏ । ଯେତେବେଳେ ଗଛର ବକଳର ୫୦ଶତାଂଶ ଗୋଲେଇ ମୂଳ ଅଞ୍ଚଳରେ ନଷ୍ଟ ହୋଇଯାଏ,ସେତେବେଳେ ଗଛ ମାରିବା ଅବସ୍ଥାକୁ ଚାଲି ଆସେ । ଗୋଟିଏ ଶୁକ ତା’ର ଜୀବନ କାଳରେ ଗୋଟିଏ ଦୁଇବର୍ଷିଆ ଗଛକୁ ମାରିଦେଇ ପାରେ ଏବଂ ଗୋଟିଏ ଆକ୍ରାନ୍ତ  ଗଛ ୨-୩ ବର୍ଷରେ ମରିଯାଇଥାଏ । ତିନିବର୍ଷରୁ ଊର୍ଦ୍ଧ୍ଵ ଲଙ୍କାଆମ୍ବ ଗଛ ଏ ପୋକ ଆକ୍ରମଣ ପାଇଁ ଉପଯୋଗୀ, ପରନ୍ତୁ ପୁରୁଣା ଓ ଅବହେଳିତ ଲଙ୍କାଆମ୍ବ ବଗିଚାରେ ଏହାର ଆକ୍ରମଣ ଅତ୍ୟଧିକ ହୋଇଥାଏ ।

ପୂର୍ଣ୍ଣାଙ୍ଗ ଭୃଙ୍ଗଟି ପ୍ରାୟ ୧-୩ ମାସ ପର୍ଯ୍ୟନ୍ତ ବଞ୍ଚେ ଏବଂ ମା’ଭୃଙ୍ଗ, ଅଣ୍ଡାଗୁଡିକୁ ଗଛ ଗଣ୍ଡିର ମୂଳ ଭାଗ ବକଳ ସନ୍ଧିରେ,ଅନାବୃତ୍ତ ଚେରରେ,ଗଛ ମୂଳରେ ପଡିଥିବା ଶୁଖିଲାପତ୍ର ଓ ମାଟି ଉପରେ ଦେଇଥାଏ । ଅଣ୍ଡା ଅବସ୍ଥା ୪-୧୦ ଦିନ ପର୍ଯ୍ୟନ୍ତ ରହେ । ଶୁକ ପୋକଟି ପ୍ରାୟ ୪-୭ ମାସ ପର୍ଯ୍ୟନ୍ତ ଗଛର ବକଳ ଭିତରେ ରହେ ଏବଂ ପୂର୍ଣ୍ଣାଙ୍ଗ ଶୁକ ଦେଖିବାକୁ ଧଳା ରଙ୍ଗର ଓ ପ୍ରାୟ ୮-୧୦ ସେମି ଲମ୍ବା । କୋଷା ବାନ୍ଧିବା ପୂର୍ବରୁ ଶୁକ ପୋକଟି ଗଛର ମଞ୍ଜକାଠରେ ପୂର୍ଣ୍ଣାଙ୍ଗ ଭୃଙ୍ଗ ବାହାରିବା ନିମନ୍ତେ ଗୋଲାକାର ରନ୍ଧ୍ର ଥିବା ତନ୍ତୁମୟ ଅଣ୍ଡାକାର କୋଷା ତିଆରି କରେ । କୋଷା ଅବସ୍ଥା ପ୍ରାୟ ୨-୬ ମାସ ପର୍ଯ୍ୟନ୍ତ ରହେ । ନଭେମ୍ବର ଠାରୁ ଜୁନ୍ ମାସ ମଧ୍ୟରେ ପୂର୍ଣ୍ଣାଙ୍ଗ ଭୃଙ୍ଗ ବାହାରିବା ଦେଖାଯାଏ ।

ନିୟନ୍ତ୍ରଣ

ଏହି ପୋକର ନିୟନ୍ତ୍ରଣ ଉପାୟଗୁଡିକ ହେଲା

  • ଅତି ମାତ୍ରାରେ ଆକ୍ରାନ୍ତ ଓ ମଲାଗଛଗୁଡିକୁ ମୌସୁମୀ ବର୍ଷା ପୂର୍ବରୁ ଓ ପରେ ଉପାଡି ଫୋଫାଡି ଦେବା ।
  • ଅଧିକ ଅମଳକ୍ଷମ ଗଛଗୁଡିକରେ ଅମଳ ସମୟରେ ପ୍ରତିମାସରେ ଅଣ୍ଡା ଓ ଶୂକର ସର୍ବେକ୍ଷଣ କରିବା ଉଚିତ୍ । ପୋକ ଆକ୍ରମଣ ପ୍ରାରମ୍ଭରେ ଆକ୍ରାନ୍ତ ଗଛରୁ ଯାନ୍ତ୍ରିକ ଉପାୟରେ ଅପ୍ରାପ୍ତ ବୟସ୍କ ଶୁକ ପୋକଗୁଡ଼ିକୁ କାଢି ମାରି ଦେବା ଆବଶ୍ୟକ ଏବଂ ସେହି କଟା ସ୍ଥାନ ଓ ଗଛର ମୂଳକୁ ୦.୨ ଶତାଂଶ ଲିନ୍ ଡେନ୍ ବା କ୍ଳୋରୋ ପାଇରିଫସ ଦ୍ଵାରା ଭିଜାଇ ଦେବା ଦରକାର ।
  • ମେଟାରିଜିୟମ ଫିମ୍ପି ମଧ୍ୟ ଶୁକକୁ ରୋଗାକ୍ରାନ୍ତ କରି ତାକୁ ମାରି ଦେଇଥାଏ । ଏହି ଫିମ୍ପି ମାଟିରେ ତିନିମାସ ପର୍ଯ୍ୟନ୍ତ ଜୀବିତ ଅବସ୍ଥାରେ ଥାଏ । ଏହାକୁ ମାଟିରେ ଖତସାର, ନିମ୍ବ କେକ୍,ବା ଲଙ୍କା ଆମ୍ବ ସହିତ ମିଶାଇ ପକାଇଲେ ଶୁକକୁ ଦମନ କରାଯାଇପାରିବ ।
  • ନୂଆକରି ଲଗାଉଥିବା ଲଙ୍କାଆମ୍ବ ଗଛକୁ କାଣ୍ଡଛାଣ୍ଡ କରି ତା’ର କାଣ୍ଡ ଓ ଶାଖାକୁ ଭୂମିଠାରୁ ୦.୭୫ ରୁ ୧ମିଟର ଉପରେ ବଢିବାକୁ ଦେଲେ ସହଜରେ ପୋକ ଆକ୍ରମଣ କରିପାରନ୍ତି ନାହିଁ ।
  • ପ୍ରତିଷେଧକ ଚିକିତ୍ସା ଭାବରେ ବର୍ଷକୁ ଦୁଇଥର ଗଛର ଗଣ୍ଡିକୁ ଭୂମିପତନଠାରୁ ଏକ ମିଟର ଉଚ୍ଚତା ପର୍ଯ୍ୟନ୍ତ ୨% କାର୍ବାରିଲ ଦ୍ରବଣ ବା ଆଲକାତରା ଓ କିରାସିନ୍ (୧.୨) ଦ୍ରବଣ ବା ନିମ୍ବ ତେଲ (୫%) ର ପ୍ରଲେପ ଦିଆଯାଇପାରେ । ଏହାଦ୍ୱାରା ପୋକର ଅଣ୍ଡା ଦେବାକୁ ରୋକାଯାଇପାରିବ ।

ଚା’ ମଶକ

ଚା’ମଶକ ପୋକ ଉଭୟ ପୂର୍ଣ୍ଣାଙ୍ଗ ଓ ଅର୍ଭକ ଅବସ୍ଥାରେ ଗଛର ନରମ ଡାଳ ପତ୍ର,ବଉଳ, ଅପରିପକ୍ଵ ଫଳ ଏବଂ ବଢନ୍ତା ଲଙ୍କାଆମ୍ବରୁ ରସ ଶୋଷି ଖାଆନ୍ତି । ପୂର୍ଣ୍ଣାଙ୍ଗ ପୋକଟି ୬ ରୁ ୮ ମିଲି ମିଟର ଲମ୍ବ ନାଲିଆସିଆ ବାଦାମୀ ରଙ୍ଗର ଏବଂ ମିରିତ ଜାତୀୟ ଅଟେ । ଏହାର ମୁଣ୍ଡଟି କଳାରଙ୍ଗ, ବେକ ପାଖ ନାଲି ଓ ପେଟ ପାଖ କଳା-ଧଳା ରଙ୍ଗର ହୋଇଥାଏ । ମାଈ ବଗଟି କଅଁଳିଆ ଡାଳ,ବଉଳ ପତ୍ର, ଡେମ୍ଫ ଏବଂ ପତ୍ର ମଝି ଶିରା ଭିତରେ ବହୁତ ଗଭୀରରେ ଅଣ୍ଡା ଦେଇଥାଏ । ଅଣ୍ଡା ଦେଇଥିବା ସ୍ଥାନରେ ଉପରକୁ ଦୁଇଟି ସ୍ଵଚ୍ଛ ରଙ୍ଗର ଲୋମ ବାହାରିଥାଏ । ଅଣ୍ଡାରୁ ଅର୍ଭକ ପ୍ରାୟ ୬-୧୧ ଦିନରେ ବାହାରେ ଏବଂ ଅର୍ଭକ ସମୟ ପ୍ରାୟ ୮-୧୩ ଦିନ । ଏହାର ଜୀବନ ଚକ୍ର ୨୦ଦିନରେ ସଂପୂର୍ଣ୍ଣ ହୁଏ । ପୂର୍ଣ୍ଣାଙ୍ଗଟି ୧ମାସରୁ ଅଧିକ ଦିନ ବଞ୍ଚେ । ପାଗ ଅନୁକୂଳ ହେଲେ ଏହା ଖୁବ ଶୀଘ୍ର ବଂଶ ବିସ୍ତାର କରିଥାଏ ଏବଂ ଫୁଲ ଧରିବା ଅବସ୍ଥାରେ ଅତ୍ୟଧିକ ମାତ୍ରାରେ ଦେଖାଯାଏ ।

ଯଦିଓ ଏହି ପୋକ,ବର୍ଷସାରା ଦେଖାଯାଏ ତଥାପି ଅକ୍ଟୋବର ମାସଠାରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏହାର ଆକ୍ରମଣ ଅତ୍ୟଧିକ ହୋଇଥାଏ । ଗାଢ ବାଦାମୀ ରଙ୍ଗ ଚକଡାର ଉପସ୍ଥିତିରୁ ଏ ପୋକ ଖାଇଥିବା ସ୍ଥାନକୁ ଚିହ୍ନଟ କରି ହୁଏ ଯାହା କି କାଳକ୍ରମେ କଅଁଲ ଡାଳ ଓ ବଉଳ ସୁଖିବା ଏବଂ ଅପରିପକ୍ଵ ଫଳ ଝଡିବାକୁ ତ୍ୱରାନ୍ୱିତ କରିଥାଏ । ଅତ୍ୟଧିକ ଆକ୍ରାନ୍ତ ହେଉଥିବା କ୍ଷେତ୍ରରେ ଡାଳ ଶୁଖିଯାଏ । ଫୁଲ ଓ ବଉଳରେ ଆକ୍ରମଣ ଯୋଗୁ ବଉଳ ପୋଡା ଦେଖାଯାଏ । ଏ ପୋକ ଦ୍ଵାରା ଆକ୍ରାନ୍ତ କଅଁଳ ଫଳ ଓ ଅପରିପକ୍ଵ ବାଦାମରେ ଖାଲୁଆ ଗୋଲାକାର ଦାଗ ଦେଖାଯାଏ ଓ ଫଳ ସଙ୍କୁଚିତ ହୋଇଥାଏ ।

ସାଧାରଣତଃ ଏହି ପୋକର ଆକ୍ରମଣ ଦ୍ଵାରା ପ୍ରାୟ ୩୦-୪୦ ଶତାଂଶ ଅମଳ ହ୍ରାସ ହୋଇଥାଏ । ଗୋଟିଏ ପୂର୍ଣ୍ଣାଙ୍ଗ ବା ଅର୍ଭକ ତାର ଜୀବନ କାଳ ଭିତରେ ୩ରୁ ୪ ଟି କଅଁଳିଆ ଡାଳ ବଉଳ ନଷ୍ଟ କରିଥାଏ । ଏହି ପୋକ ଆକ୍ରମଣ ଯୋଗୁଁ ବେଳେ ବେଳେ ଏକ କବକ ଜନିତ ରୋଗ ଆଗସଢା ହୋଇଥାଏ । ରୋଗ ଏବଂ ପୋକ ଏକ ସମୟରେ ଆକ୍ରମଣ କଲେ ଆଦୌ ଅମଳ ମିଳେ ନାହିଁ । ଏହି ପୋକ ଅନ୍ୟ ଫଳ ଯଥା ସଜନା, ପିଜୁଳି ଓ ବରକୋଳି ମଧ୍ୟ ପ୍ରଭୃତ କ୍ଷତି ଘଟାଇ ଥାଏ । ଏହା ବର୍ଷସାରା ନିମ୍ବ ଗଛରେ ରହିଥାଏ ଏବଂ ପାଗ ଅନୁକୂଳ ହେଲେ ଅନ୍ୟ ଗଛକୁ ତା’ର ବଂଶ ବିସ୍ତାର କରିଥାଏ ।

ନିୟନ୍ତ୍ରଣ

  • ଯେହେତୁ ଏହା ନିମ୍ବ ଗଛରେ ତା’ର ବଂଶ ବିସ୍ତାର କରିଥାଏ । ଏଣୁ ଲଙ୍କାଆମ୍ବ ବଗିଚାର ଆଖପାଖରେ ନିମ୍ବଗଛ ବଢିବାକୁ ଦିଆଯିବା ଅନୁଚିତ ।
  • କୌଣସି ଅନୁମୋଦିତ କାଜୁ ଚାରାରେ ଚା’ ମଶକ ପ୍ରତିରୋଧ ଶକ୍ତି ନାହିଁ । ତଥାପି ଗୋଆ ୧୧/୬ ର କିଛିଟା ଚା’ମଶକ ଆକ୍ରମଣର ସହଣୀ ଶକ୍ତି ରହିଛି,ଯାହାକି ବିନା ଔଷଧ ସିଞ୍ଚନରେ ମଧ୍ୟ ୧-୨ ଟନ୍ ପର୍ଯ୍ୟନ୍ତ ଅମଳ ଦେଇଥାଏ ।
  • ଟେଲେନୋମସ,ଉଫେନସ ଓ ଚିଟୋଷ୍ଟିକା ପ୍ରଭୃତି ପରାଶ୍ରୟୀ କୀଟ ଏହି ପୋକର ଅଣ୍ଡାକୁ ଆକ୍ରମଣ କରି ଏହାର ବଂଶ ବୃଦ୍ଧିକୁ ରୋକିଥାଆନ୍ତି । ତେଣୁ ଲଙ୍କାଆମ୍ବ ବଗିଚାରେ ଏହି ପରାଶ୍ରୟୀ କୀଟର ବଂଶ ବୃଦ୍ଧି ପ୍ରତି ଦୃଷ୍ଟି ଦେବା ଦରକାର ।
  • ଏହି ପୋକର ସକ୍ରିୟ ନିୟନ୍ତ୍ରଣ ନିମନ୍ତେ ତିନି ପର୍ଜ୍ୟାୟରେ ଯଥା – ପତ୍ର କଅଁଳିଆ ଏବଂ ଫୁଲଧରିବା ଅବସ୍ଥାରେ ଯଥାକ୍ରମେ ମନୋକ୍ରୋଟୋଫସ ଓ ଏଣ୍ଡୋସଲଫୋନ 0.05 ଶତାଂଶ ଓ ଫଳ ଧରିବା ଅବସ୍ଥାରେ କାର୍ବାରିଲ 0.1 ଶତାଂଶ ହିସାବରେ ସିଞ୍ଚନ କରାଯାଇପାରେ । ମନୋକ୍ରୋଟୋଫଶ ବଦଳରେ ଟ୍ରାଇଆଜୋଫସ  ମଧ୍ୟ ସିଞ୍ଚନ କରାଯାଇପାରିବ ।

ଅଗ୍ର ମୁକୁଳ ବିନ୍ଧାପୋକ

ଏହି ପୋକର ପ୍ରାଦୁର୍ଭାବ ମୌସୁମୀ ବର୍ଷା ପରେ ନୂଆ ଶାଖା କଅଁଳିବା ଠାରୁ ବଉଳ ହେଲା ପର୍ଯ୍ୟନ୍ତ ଦେଖାଯାଏ । ଏହାର ହଳଦିଆ ଶୁକପୋକ ଗଛର କଅଁଳିଆ ଅଗ ଅଂଶକୁ କଣା କରି ଭିତର ଅଂଶ ଖାଇ ନଷ୍ଟ କରି ଦିଅନ୍ତି । ସଂକ୍ରମିତ ଅଗଟି ଆଉ ବଢି ନପାରି କଳାପଡି ଶୁଖିଯାଏ । ପୂର୍ଣ୍ଣାଙ୍ଗ ପ୍ରାପ୍ତ ଶୁକଟି କଅଁଳିଆ ପତ୍ର ଧାରକୁ ମୋଡି ତା’ଭିତର ଅଂଶକୁ କୋରି ଖାଏ । ବଉଳ ଅବସ୍ଥାରେ ମଧ୍ୟ ଏହା ଫୁଲକୁ କଣା କରି ଖାଏ । ଏହି ପୋକ ଦ୍ଵାରା ହାରାହାରି ୩୦ ଶତାଂଶ କଅଁଳିଆ ଅଗ ପ୍ରତିବର୍ଷ ନଷ୍ଟ ହୋଇଥାଏ ।

ଏହାର ଶୁକଟି ପ୍ରଥମ ଅବସ୍ଥାରେ ୧-୨ ମିଲି ମିଟର ଲମ୍ବ ଓ ଏହାର ଦେହର ରଙ୍ଗ ହଳଦିଆ ଓ ମୁଣ୍ଡଟି କଳା ଥାଏ । ପୂର୍ଣ୍ଣାଙ୍ଗ ପୋକ ଦେଖିବାକୁ ସବୁଜ ରଙ୍ଗର ଓ ୧୦ ମିଲି ମିଟର ଲମ୍ବା ।

ପତ୍ର ଓ ଫୁଲ ଜାଲି କରୁଥିବା ପୋକ

ପତ୍ର ଓ ଫୁଲ ଜାଲିପୋକ,କଅଁଳ ପତ୍ର ଓ ବଉଳକୁ ଆକ୍ରମଣ କରିଥାନ୍ତି । ଏହାର ଶୁକ ପୋକଟି ଅଗ ପତ୍ର ଓ ବଉଳକୁ ଜାଲ ଦ୍ଵାରା ମିଶାଇ ତା’ଭିତରେ ରହନ୍ତି ଓ ତାକୁ ଖାଇଥାଆନ୍ତି । କାଳକ୍ରମେ ଡାଳର ଜାଲି ହୋଇଥିବା ଅଂଶ ଶୁଖିଯାଏ । ଶୁକ ପୋକଟି ଲଙ୍କାଆମ୍ବ ଓ ବାଦାମକୁ ମଧ୍ୟ ବାହାରେ ରହି ଖାଇଥାଏ । ଖରାଦିନେ ୧ରୁ ୨ ବର୍ଷ ଗଛକୁ ଏହା ଅଧିକ ଆକ୍ରମଣ କରିଥାଏ ।

ଫୁଲ ଉକୁଣୀ

ଫୁଲ ଉକୁଣୀ ହଳଦିଆ ଓ ବାଦାମୀ ଏହି ଦୁଇ ପ୍ରକାରର ଅଟନ୍ତି । ଏହା ଏକ କ୍ଷୁଦ୍ର ପୋକ ଏବଂ ଏହା ଗଛର କଅଁଳ ପତ୍ର ବାହାରୁଥିବା ଅଗି ଡାଳ ଓ ବଉଳରେ ଦେଖାଯାଆନ୍ତି । ଏହି ପୋକ ଆଞ୍ଚୁଡି କରି ରସ ଶୋଷି ନେଉଥିବା ଯୋଗୁଁ ଡେମ୍ଫ ପତ୍ରର ମଝି ଶିରା,ପୁଷ୍ପବୃନ୍ତ,ଲଙ୍କାଆମ୍ବ ଓ ବାଦାମ ଉପରେ ଜାଦୁ ହେଲା ପରି ଦାଗ ଦେଖାଯାଏ ।

ଅତ୍ୟଧିକ ଆକ୍ରମଣ ହେଲେ ଅପରିପକ୍ଵ ଫଳ ଝଡା ଓ ବାଦାମ ମଧ୍ୟରେ ଶସ୍ୟ ଅନୁପଯୁକ୍ତ ପୂର୍ଣ୍ଣତା ଲାଭ କରିଥିବାର ଦେଖାଯାଏ ଓ ହାରାହାରି ୨୦ ଶତାଂଶ ଫଳ କଷି ଅବସ୍ଥାରେ ଝଡିପଡେ ।

ପତ୍ର ଖଣି ପୋକ

ଏହି ପୋକ ସାଧାରଣତଃ ମୌସୁମୀ ବର୍ଷା ପରେ ନୂଆ ପତ୍ର କଅଁଳିଆ ଅବସ୍ଥାରେ ଦେଖାଯାଏ । ଏହି ଧୂସର ରୌପ୍ୟ ରଙ୍ଗ ପ୍ରଜାପତିର ଶୁକଟି କଅଁଳ ପତ୍ର ମଧ୍ୟରେ ଖଣି କରି ପ୍ରବେଶ କରେ ଓ ସବୁଜ ଅଂଶକୁ କୋରି ଖାଏ । କାଳକ୍ରମେ ପତ୍ରର ସରୁ ଚୋପା ଖଣି ସ୍ଥାନରେ ଫୁଲି ଉଠି ଫୋଟକା ପରି ଦିଶେ ।

ନିୟନ୍ତ୍ରଣ

  • ଖରାଦିନେ ଫୁଲ ଉକୁଣୀ ଓ ପତ୍ରଫୁଲ ଜାଲି କରୁଥିବା ପୋକର ପ୍ରାଦୁର୍ଭାବ ବେଶି ଦେଖାଯାଏ । ଏହି ପତ୍ର ଓ ଫୁଲ ଜାଲି କରୁଥିବା ପୋକର ଶୁକକୁ ପରାଶ୍ରୟୀ କୀଟ ଦ୍ଵାରା ଶତକଡା ୮୦ ଭାଗ ଦମନ କରାଯାଇଥାଏ । ଯେତେବେଳେ ପରାଶ୍ରୟୀ କୀଟ ଅଳ୍ପ ଥାଏ ସେତେବେଳେ ମନୋକ୍ରୋଟୋଫଶ ୦.୦୫ ଶତାଂଶ ସିଞ୍ଚନ କରି ଏହାକୁ ଦମନ କରାଯାଇପାରେ । ଫୁଲ ଉକୁଣୀ ଦମନ ପାଇଁ ଏଣ୍ଡୋସଲଫୋନ ୦.୦୫ଶତାଂଶ ସିଞ୍ଚନ କରାଯିବା ଉଚିତ୍ ।
  • ଅନ୍ୟ କୀଟଗୁଡିକ ଯଥା – ଅଗ୍ରମୁକୁଳ ବିନ୍ଧାପୋକ,ପତ୍ରଖଣି ପୋକ ଇତ୍ୟାଦିକୁ ଚା’ମଶକ ପାଇଁ ସିଞ୍ଚନ କରାଯାଉଥିବା ତିନି ପର୍ଯ୍ୟାୟ ବିଶିଷ୍ଟ କୀଟନାଶକ ଔଷଧ ସିଞ୍ଚନ ଦ୍ଵାରା ଦମନ କରାଯାଇପାରିବ ।

କୀଟନାଶକ ଔଷଧ ପ୍ରୟୋଗର ସାବଧାନତା

ଲଙ୍କାଆମ୍ବ ଗଛରେ କୀଟନାଶକ ଔଷଧ ପ୍ରୟୋଗ ବେଳେ ନିମ୍ନଲିଖିତ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ ।

  • ନିୟମିତ ଲଙ୍କାଆମ୍ବ ବଗିଚାକୁ ଯାଇ ପୋକ ଓ ରୋଗ ସର୍ବେକ୍ଷଣ କରିବା ନିତାନ୍ତ ଜରୁରୀ । ଆବଶ୍ୟକ ସ୍ଥଳେ କୀଟନାଶକ ଔଷଧ ପ୍ରୟୋଗ କରାଯାଇଥାଏ । ବହୁଳ ପରିମାଣରେ ଓ ଅନିୟମିତ ଭାବରେ କୀଟନାଶକ ବିଷ ପ୍ରୟୋଗ ଦ୍ଵାରା ଫସଲ ପରିବେଷ୍ଟନୀରେ ଥିବା ଉପକାରୀ ଜୀବ ଲୋପ ପାଇବା ସଙ୍ଗେ ସଙ୍ଗେ ପରିବେଶ ମଧ୍ୟ ଦୂଷିତ ହୁଏ । ଏହା ଦ୍ଵାରା ଚାଷୀ ଅଯଥା ଖର୍ଚ୍ଚାନ୍ତ ହୁଏ ।
  • ଉତ୍କୃଷ୍ଟ ଧରଣର ଔଷଧ ସିଞ୍ଚନ ଯନ୍ତ୍ର ବ୍ୟବହାର କରିବା ସହ ଅନୁମୋଦିତ ଔଷଧର ବ୍ୟବହାର ଦରକାର ।
  • ଗଛ ପ୍ରତି ସିଞ୍ଚନ ନିମନ୍ତେ ଦ୍ରବଣର ପରିମାଣ ଠିକ୍ ରଖିବା ଉଚିତ୍ । ଗଛର ବୟସ ଓ ଆକୃତି ଅନୁସାରେ ସିଞ୍ଚନ ନିମନ୍ତେ ଦ୍ରବଣ ଅନୁପାତ ନିର୍ଭର କରେ । ୫ ରୁ ୧୦ ବର୍ଷ ବୟସର ଗଛ ପ୍ରତି ୩ଲିଟର ଓ ୧୦ ରୁ ୨୫ ବର୍ଷ ବୟସର ଗଛ ପ୍ରତି ୫ ରୁ ୮ ଲିଟର ଦ୍ରବଣ ଦରକାର ହୁଏ ।
  • ଗୋଟିଏ ପ୍ରକାର ଔଷଧକୁ ବାରମ୍ବାର ସିଞ୍ଚନ କରିବା ଅନୁଚିତ୍ ।
  • ଲଙ୍କାଆମ୍ବ ଗଛରେ ଫଳପ୍ରଦ ପୋକ ନିୟନ୍ତ୍ରଣ ନିମନ୍ତେ ଦିନର ଥଣ୍ଡା ସମୟ ଯଥା ସକାଳ ୭ଘଟିକାରୁ ୧୧ଘଟିକା ପର୍ଯ୍ୟନ୍ତ ଓ ଅପରାହ୍ନ ୩ ଘଟିକାରୁ ୬ଘଟିକା ମଧ୍ୟରେ ସିଞ୍ଚନ କରିବା ଆବଶ୍ୟକ । ସିଞ୍ଚନ ସମୟରେ ପବନରେ ବିପରୀତ ଦିଗରୁ ସିଞ୍ଚନ କରାଯିବା ଅନୁଚିତ । ଲଙ୍କା ଆମ୍ବ ଫସଲରେ ରୋଗ ପୋକ ନିୟନ୍ତ୍ରଣ ଦ୍ଵାରା ୩୦ ରୁ ୪୦ ଶତାଂଶ ଅମଳ ବଢିଥାଏ ।

ଅମଳ

ଫଳ ଗୁଡିକ ସଂପୂର୍ଣ୍ଣ ରୂପେ ପାଚିଗଲେ ଅମଳ କରିବାର ଦରକାର । ଅନ୍ୟଥା ଶସ ପୃଷ୍ଟ ହୁଏ ନାହିଁ ଏବଂ ମଞ୍ଜିଗୁଡିକ ଫମ୍ପା ହେବାରୁ ଓଜନ କମ୍ ହୁଏ । ମଞ୍ଜି ଅମଳ ପରେ ଚଟାଣରେ ୨ ରୁ ୩ ଦିନ ଧରି ଭଲ କରି ଖରାରେ ଶୁଖାଇ ସେଥିରେ ଥିବା ଜଳୀୟ ଅଂଶ ଶତକଡା ୭ ରୁ ୯ଭାଗ ପର୍ଯ୍ୟନ୍ତ ରଖାଯାଏ । କଲମୀ କାଜୁ ଗଛଗୁଡିକୁ ୩ବର୍ଷ ବୟସ ପର୍ଯ୍ୟନ୍ତ ଫଳ ଧାରଣ କରିବା ପାଇଁ ଦିଆଯାଏ ନାହିଁ । ୧୦ ବର୍ଷ ବୟସରୁ ଗଛରୁ ବାର୍ଷିକ ହାରାହାରି ପ୍ରାୟ ୧୦ କିଗ୍ରା କିମ୍ବା ତା’ଠାରୁ ଅଧିକ ମଞ୍ଜି ଅମଳ ହୁଏ । ହେକ୍ଟରରୁ ୧୦୦୦କେଜି କାଜୁ ଅମଳ ହୁଏ । ହାରାହାରି ଆୟ ହେକ୍ଟର ପିଛା ଟ୨୫,୦୦୦ ମିଳେ ।

ଆଧାର : ଡାକ୍ତର ସୂର୍ଯ୍ୟ ନାରାୟଣ ବେହେରା

1.75
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top