ହୋମ / କୃଷି / କୃଷି ଉଦ୍ୟୋଗ / କାଜୁବାଦାମ ଚାଷ
ସେଆର କରନ୍ତୁ

କାଜୁବାଦାମ ଚାଷ

କାଜୁବାଦାମ ଏକ ଲାଭଜନକ ଫସଲ । ଚାଷ ସମ୍ବନ୍ଧରେ ସୂଚନା ।

କାଜୁବାଦାମ ଏକ ଲାଭଜନକ ଫସଲ । ଓଡ଼ିଶାର ସବୁ ଜିଲ୍ଲାରେ ଏହି ଚାଷ କରାଯାଇପାରିବ । ସମୁଦ୍ରପତନ ଠାରୁ ଆରମ୍ଭ କରି ୪୦୦ମି. ଉଚ୍ଚତା ପର୍ଯ୍ୟନ୍ତ ସବୁସ୍ଥାନରେ କାଜୁ ଚାଷ ହୋଇପାରୁଛି । ଉର୍ବର ଜମି ଠାରୁ ଆରମ୍ଭ କରି ଅନୁର୍ବର ପାହାଡିଆ ଜମିରେ ମଧ୍ୟ ଲଗାଯାଇପାରିବ ।

କାଜୁର ଉପାଦେୟତା

  • କାଜୁର ଶସ୍ୟ ଅତ୍ୟନ୍ତ ସ୍ଵାଦିଷ୍ଟ ।
  • ଏଥିରେ ପ୍ରଚୁର ପରିମାଣର ଶ୍ଵେତସାର, ସ୍ନେହସାର ଓ ପୁଷ୍ଟିସାର ସହିତ ଲୌହ, କ୍ୟାଲସିୟମ, ଫସଫରସ୍ ଆଦି ଲବଣ ଏବଂ ଅନେକ ଖାଦ୍ୟପ୍ରାଣ ରହିଛି । କାଜୁ ଗଛର କାଠ ଜାଳେଣୀ ପ କାଠ କୋଇଲା ପ୍ରସ୍ତୁତିରେ ବ୍ୟବହାର ହୁଏ । କାଠ ମଣ୍ଡରୁ କାର୍ଡବୋର୍ଡ ବାକ୍ସ କରାଯାଏ ।
  • କାଜୁ ମଞ୍ଜି ଚୋପା ତେଲରୁ ବ୍ରେକ୍ ଲାଇନିଙ୍ଗ, କାଳି ପ୍ରଭୃତି କରାଯାଏ ।
  • କାଜୁ ଫସଲ ପାହାଡରେ ଗଡାଣିଆ ସ୍ଥାନରେ ଲଗାଯାଇ ମୃତ୍ତିକା ସଂରକ୍ଷଣ କରାଯାଏ ।

ମୃତ୍ତିକା ଓ ଜଳବାୟୁ

  • କାଜୁ ଏକ ଗ୍ରୀଷ୍ମମଣ୍ଡଳୀୟ ଫସଲ । ଏହା ଆର୍ଦ୍ର ଏବଂ ନୀତିଶୀତୋଷ୍ଣ ଅଞ୍ଚଳରେ ଭଲ ହୁଏ । କୁହୁଡି ଏବଂ ଅତ୍ୟଧିକ ଶୀତପ୍ରବାହ ସହିପାରେ ନାହିଁ । ଅଧିକ ସମୟରେ ଗ୍ରୀଷ୍ମପ୍ରବାହ ମଧ୍ୟ ଗଛ ପ୍ରତି କ୍ଷତିକାରକ ।
  • ବାର୍ଷିକ ୧୦୦ ସେ.ମିରୁ ୪୦୦ ସେ.ମି ବୃଷ୍ଟିପାତ ଅଞ୍ଚଳରେ କାଜୁ ଚାଷ ଭଲ ହୁଏ ।
  • ଉତ୍ତାପ ୪୦ସେଲସିୟସରୁ ଅଧିକ ହେଲେ  ଛୋଟ ଫଳ ଗୁଡିକ ଝଡିଯାଏ ।
  • ବିଭିନ୍ନ ପ୍ରକାର ମାଟିରେ କାଜୁ ଚାଷ କରାଯାଇ ପାରିଲେ ମଧ୍ୟ ନିଗିଡା ନାଲି ଓ ଉପକୂଳ ମାଟି କାଜୁ ଚାଷ ପାଇଁ ଉପଯୁକ୍ତ ।
  • ମଟାଳ ମାଟି  ଏବଂ ଜଳ ନିଷ୍କାସନ ହେଉନ’ଥିବା ଜମିରୁ ଫସଲ ଅମଳ ବହୁତ କମ ହୁଏ । ଅତ୍ୟଧିକ ଅମ୍ଳମାଟି, ପଥୁରିଆ ମାଟି, ମାଟିତଳେ ଥିବା ଚଟାଣ (ହାର୍ଡପାନ),ଆଦି ସ୍ଥାନରେ ଫସଲ ଭଲ ହୁଏ ନାହିଁ ।
  • ଅତି କମରେ ୧୦୦ସେ.ମି ଗଭୀରତାର ମାଟିଥିଲେ କାଜୁ ଫସଲ ଅଧିକ ଅମଳ ଦିଏ ।
  • ଜମି ଚାଷ କରିବା ପରେ ସମତୁଲ କରାଯାଇ ଚାରା ରୋପଣ ପାଇଁ ଗାତ କରାଯାଏ । ଜମିରେ ୭ ମିଟର ବ୍ୟବଧାନରେ ଚାରା ଲଗାଯାଏ । ଗାତ ଖୋଳାଗଲା ବେଳେ ଉପର ଓ ତଳ ମାଟିକୁ ଅଲଗା ରଖାଯାଏ । ଗାତ ଗୁଡିକୁ ୬୦ *୬୦*୬୦ ସେ.ମି ଆକାରରେ ଖୋଳାଯାଏ । ଉପର ମାଟିରେ ଅନୁମୋଦିତ ପରିମାଣର ଖତ ସାର, ଔଷଧ ମିଶାଇ ଗାତର ତଳ ଭାଗକୁ ପୂରଣ କରାଯାଏ । ଏହାପରେ ଗାତର ଅବଶିଷ୍ଟ ଉପରେ ଅଂଶକୁ ତଳମାଟି ଦ୍ଵାରା ପୂରଣ କରାଯାଏ ।
  • ପୂର୍ବରୁ ପଲିଥିନ୍ ବ୍ୟାଗରେ କାଜୁ କଲମୀ ଚାରା ଯତ୍ନର ସହିତ ପଲିଥିନ୍ନରୁ ବାହାର କରି ଗାତ ମଝିରେ ପୋତାଯାଏ।
  • ଚାରା ରୋପଣ ବେଳେ କଲମୀ ଯୋଡଟି ଯେପରି ମାଟି ଉପରେ ରହେ ସେଥିପ୍ରତି ଧ୍ୟାନ ଦିଆଯାଏ ।
  • ଗଛ ସିଧା ରହିବା ପାଇଁ ଗୋଟିଏ କାଠି ପୋତି ଗଛକୁ ସିଧା ରଖାଯାଏ ।

କିସମ

  • କାଜୁ ମଞ୍ଜିରୁ ଚାରା ପ୍ରସ୍ତୁତି କରି ଲଗାଯାଉଥିବାରୁ ଗଛରେ ବିଭିନ୍ନତା ପରିଲକ୍ଷିତ ହୁଏ । ବଗିଚାରୁ ଅଧିକ ଅମଳ ଓ ବଡଫଳ ହେଉଥିବା, ଭଲ ବୃକ୍ଷକୁ ଚିହ୍ନଟ କରାଯାଇ ସେହି ଗଛର ଡାଳରୁ କଲମୀ ପ୍ରସ୍ତୁତ କରାଯାଏ ।  ସେହିପରି ଉନ୍ନତ କିସମ ସଙ୍କର ବିହନ ଉତ୍ପାଦନ ପ୍ରକ୍ରିୟାରେ ସୃଷ୍ଟି କରାଯାଇଛି । ଓଡ଼ିଶା ପାଇଁ ଅନୁମୋଦନ ଉନ୍ନତ କିସମ ଗୁଡିକ ହେଲା ।

ଭେନୁରଲା - ୪

ବର୍ଷକୁ ଗଛପ୍ରତି ଅମଳ ୧୭.୨ କେ.ଜି

ଧନ (ହା ୧୬୦୮)

ବର୍ଷକୁ ଗଛପ୍ରତି ଅମଳ ୧୭.୫ କେ.ଜି

ଭୁବନେଶ୍ଵର – ୧

ବର୍ଷକୁ ଗଛପ୍ରତି ଅମଳ ୧୦.୫ କେ.ଜି

ଏଚ୍ ୨/୧୬

ବର୍ଷକୁ ଗଛପ୍ରତି ଅମଳ ୧୪.୫ କେ.ଜି

 

ଏହା ବ୍ୟତୀତ ଅନେକ ସଙ୍କର ଜାତୀୟ କିସମ ମଧ୍ୟ ଉଦ୍ଭାବନ ହୋଇଛି । ଏଗୁଡ଼ିକୁ ଭୁବନେଶ୍ଵର ସ୍ଥିତ କାଜୁ ଗବେଷଣା କେନ୍ଦ୍ର ଓ.ୟୁ.ଏ.ଟି ଏବଂ ରାଜ୍ୟ କାଜୁ ଉନ୍ନୟନ ନିଗମକୁ ଉପଲବ୍ଧ ।

ମଞ୍ଜି ଚାରା ଓ କଲମୀ

  • ମଞ୍ଜିରୁ ଚାରା ପ୍ରସ୍ତୁତି କରି ଲଗାଯାଇପାରେ କିମ୍ବା ଯୋଡ କଲମୀରୁ ପ୍ରସ୍ତୁତ ଗଛ ଲଗାଯାଇ ପାରେ ।
  • କଲମୀ ଗଛରୁ ଉନ୍ନତ ମାନବ ଅଧିକ ଫଳ ଅମଳ ହୁଏ ।
  • କଲମୀ ଫସଲରେ ଶୀଘ୍ର ଫଳଆସେ ।
  • କଲମୀ ଗଛ ଛୋଟ ଆକାର ହୋଇଥିବାରୁ ଅଧିକ ସଂଖ୍ୟକ ଗଛ ଜମିରେ ଲାଗିପାରେ ।
  • ଜମିରେ ଅଧିକ ଗଛ ଲଗାଯାଉଥିବାରୁ ଅଧିକ ଅମଳ ମିଳେ ।

ଚାରାରୋପଣ

ପଲିଥିନ୍ ବ୍ୟାଗରେ ଚାରା ଉତ୍ତରାଯାଇ ଚାରା କିମ୍ବା କଲମୀ ଗଛ ୪ – ୫ ମାସ ହେଲେ ଜମିରେ ଲଗାଯାଇଥାଏ । ଜମିରେ କାଜୁ ଫସଲ ପାଇଁ ଆବଶ୍ୟକ  ବ୍ୟବଧାନରେ ଗାତଖୋଳି ସେଥିରେ ଖତ ସାର ଓ ମାଟି ପୂରଣ କରି ସିଧା ୨/୩ଟି ଉନ୍ନତ କିସମର ବିହନ ଦିନେ ବା ଦୁଇଦିନ ପାଣିରେ ବତୁରାଇ ଲଗାଗଲେ ଶୀଘ୍ର ଗଛ ବାହାରେ । ପ୍ରତି ଗାତରେ ଗୋଟିଏ ସବଳ ଗଛ ରଖି ଅନ୍ୟ ଗଛ ଗୁଡ଼ିକୁ ଉପାଡି ଦିଆଯାଏ ।

  • ଏହାଦ୍ଵାରା ଗଛର ଚେର ମାଟିର ଗଭୀରକୁ ସହଜରେ ଚାଲିଯାଏ ଏବଂ ଗଛ ବାତ୍ୟାରେ ନଷ୍ଟ ହୁଏନାହିଁ ।
  • ଗଛ ଭୂତଳ ଜଳକୁ ସଂଗ୍ରହ କରି ସହଜରେ ବଢେ ।
  • ମଞ୍ଜିଗଛ ବହୁତ ବଡହୋଇ ଅଧିକ ଅମଳ ଦିଏ ।
  • ମଞ୍ଜି ଗଛ ଦ୍ଵାରା ଗୁଣାତ୍ମକ ମୂଲ୍ୟ ରକ୍ଷା କରାଯାଇ ପାରେ ନାହିଁ । ତେଣୁ ମଞ୍ଜିରୁ ଗଛ କରିବାକୁ ବିରତ ହେବ ଆବଶ୍ୟକ ।

ଖତ ଓ ସାର

  • ଗୋଟିଏ ଗୋଟିଏ ପ୍ରାପ୍ତ ବୟସ୍କ ଗଛ ୫୦୦ଗ୍ରା. ଯବକ୍ଷାରଜାନ, (N2 ) ୧୨୫ ଗ୍ରାମ ଫସଫରସ (P2O5) ଏବଂ ୧୨୫ ଗ୍ରା. ପଟାସ (K2O) ଦରକାର କରିଥାଏ । ଗାତ ପ୍ରତି ୫୦ କି.ଗ୍ରା. ଗୋବର ଖତ ଓ ୫ କି.ଗ୍ରା ନିମ୍ବ ପିଡିଆ, ୨୦୦ ଗ୍ରାମ୍ ରକ୍ ଫସଫେଟ ଦିଆଯାଇପାରେ ।

ଜଳସେଚନ

ସାଧାରଣ ଭାବରେ କାଜୁ ଫସଲ ଆମ ରାଜ୍ୟରେ  ଅଣଜଳସେଚିତ ଫସଲଭାବେ କରାଯାଉଥିଲେ ମଧ୍ୟ ଜମିର ଆର୍ଦ୍ରତା ଦେଖି ବର୍ଷରେ ୨ – ୩ ଥର ବିଶେଷତଃ ଫଳ ଆସିବା ସମୟରେ ଜଳସେଚନ କରି ପାରିଲେ ଅଧିକ ଅମଳ ମିଳେ । ନୂତନ ଭାବେ ଲଗାଯାଇଥିବା କାଜୁ ବଗିଚାକୁ ପ୍ରଥମ ୩ ବର୍ଷ ପର୍ଯ୍ୟନ୍ତ ଜଳସେଚନ କରାଯିବା ନିତାନ୍ତ ଦରକାର ।

ଅନ୍ତଃ ଚାଷ ଓ ଅନ୍ତଃ ଫସଲ

ଜମିକୁ କୋଡା ଖୁସା କରି ଗଛ ଚତୁଃପାର୍ଶ୍ଵର ଥିବା ଅନାବନା ଗଛ ସଫାକରି ଜମିକୁ ପରିଷ୍କାର ରଖାଯାଏ ।

  • ଏହାଦ୍ୱାରା ମାଟିର ଆର୍ଦ୍ରତା ବେଶିଦିନ ରହେ ।
  • ମାଟିର ଉର୍ବରତା ବଢିଥାଏ ।
  • ରୋଗ, ପୋକ କମ ଲାଗେ ।
  • ଭଲଭାବେ ଜମିକୁ କମଣ କରି କାଜୁ ବଗିଚା ମଧ୍ୟରେ ପ୍ରଥମ ୨ – ୩ ବର୍ଷ ଅନ୍ତଃଫସଲ କରାଯାଏ ।  ଅନ୍ତଃ ଫସଲ ରୂପେ ଅଦା, ହଳଦୀ, ଝୁଡୁଙ୍ଗ, କୋଳଥ, ମୁଗ, ବିରି ଓ ଅନ୍ୟାନ୍ୟ ପନିପରିବା ଚାଷ କରାଯାଇଥାଏ ।

କାଣ୍ଟଛାଣ୍ଟ

କାଜୁ ଚାରା ଲଗାଯିବାପରେ ପ୍ରଥମରୁ ତାକୁ ସିଧା ବଢାଇବା ପାଇଁ ତଳୁ ବାହାରୁଥିବା ଶାଖା ପ୍ରଶାଖାକୁ କାଟି ବାହାର କରିଦିଆଯାଏ । ସେହିପରି ରୁଗଣ ଅଦରକାରୀ ଡାଳଗୁଡ଼ିକୁ ମଧ୍ୟ କାଟି ବାହାର କରିଦିଆଯାଏ । କାଜୁ ଗଛରେ ୩ ବର୍ଷ ମଧ୍ୟରେ ଫଳ ଆସେ । ଓଡ଼ିଶାରେ ନଭେମ୍ବର ମାସରୁ ଫ୍ରେବୃୟାରୀ ମଧ୍ୟରେ ଫୁଲ ଧରେ । ମାର୍ଚ୍ଚରୁ ମେ ମାସ ମଧ୍ୟରେ ଫଳଗୁଡ଼ିକୁ ଅମଳ କରାଯାଏ । ଫଳ ପାକଳ ହେବାକୁ ପ୍ରାୟ ୬୦ ଦିନ ଲାଗିଯାଏ ।

ଅମଳ

ମଞ୍ଜି ଗଛରୁ ହାରାହାରି ୨.୧ କେଜି ମଞ୍ଜି ଅମଳ ମିଳିଥାଏ କିନ୍ତୁ ଉନ୍ନତ ଓ ସଙ୍କର କିସମରେ ଗଛ ପ୍ରତି ୧୦ କିଲୋଗ୍ରାମ ଫଳ ମିଳିଥାଏ ।

ପ୍ରକ୍ରିୟାକରଣ

ମଞ୍ଜି ଶୁଖିବାପରେ କଡେଇରେ ଭଜାଯାଏ । ଶସକୁ ଚୋପାରୁ ବାହାର କରାଯାଏ । ଛୋଟବଡ ଏବଂ ଭଙ୍ଗା କାଜୁକୁ ଅଲଗା ଅଲଗା କରି ଅନୁମୋଦିତ ପ୍ରଣାଳୀରେ ଶୁଖାଇ ଟିଣରେ ରଖାଯାଏ ।

କାଜୁର କୀଟ

ମୁଳ ବିନ୍ଧା ପୋକ :

ଏହି କୀଟ କାଣ୍ଡରେ ଛିଦ୍ରକରି ଭିତରେ ପ୍ରବେଶ କରେ । ଛିଦ୍ରରୁ ଅଠା ଦ୍ରବଣ ବାହାରେ । ଡାଳଟି ହଳଦିଆ ପଡି ଶୁଖିଯାଏ।

ନିରାକରଣ :

  • ଛିଦ୍ର ମଧ୍ୟକୁ ୦.୧% କାବାରିଲ ଦ୍ରବଣ ପୁରାଇ ତୁଳା ବିଣ୍ଡାଦେଇ ଛିଦ୍ର ବନ୍ଦ କରାଯାଏ ।
  • ସମନ୍ଵିତ ପ୍ରଣାଳୀରେ ପୋକରୋଗ ନିୟନ୍ତ୍ରଣ କରାଯାଇପାରିବ ।

ପତ୍ର ବିନ୍ଧାପୋକ :

ପୋକଗୁଡିକ କଅଁଳ ପତ୍ରରେ କଣା କରି ରସ ଶୋଷି ଖାଇଯାଆନ୍ତି । ଫଳରେ ପତ୍ରରେ କଳା କିମ୍ବା ରୂପାଲି ରଙ୍ଗରେ ଅଙ୍କା ବଙ୍କା ଦାଗ ଦେଖାଯାଏ ।

ନିରାକରଣ :

  • ଫସଲକୁ ୦.୦୫% ଏଣ୍ଡୋସଲଫାନ ସିଞ୍ଚନ କରି ପୋକ ଦମନ କରାଯାଏ ।
  • ସମନ୍ଵିତ ପ୍ରଣାଳୀରେ ଏହାକୁ ନିୟନ୍ତ୍ରଣ କରାଯାଇପାରିବ ।

ପତ୍ର ଓ ବଉଳ ୱେବର :

ଏହାର ସଂବାଳୁଆ ବଉଳ ଓ କଅଁଳପତ୍ରକୁ ନଷ୍ଟକରେ । ଏହାକୁ ଦମନ କରିବାକୁ ମାଲାଥିଅନ ୦.୦୫% କିମ୍ବା ଏଣ୍ଡୋଫିଲ୍ ୦.୦୫ କିମ୍ବା କାର୍ବାରିଲ ୦.୦୫% ସିଞ୍ଚନ କରାଯାଏ ।

ଚାହା ମସକ :

ଏହା କାଜୁ ଗଛର ବହୁକ୍ଷତି କରେ । ବଢୁଥିବା କଅଁଳ ଡାଳ ପତ୍ର, ଫୁଲ ଓ ଛୋଟ ଫଳରୁ ରସ ଶୋଷଣ କରି ଡାଳ, ପତ୍ର ଓ ଫଳକୁ ନଷ୍ଟକରେ । ଫୁଲ ଓ ଫଳ ଝଡିଯାଏ, ପତ୍ର ଓ ଡାଳ ଶୁଖିଯାଏ ।

ଦମନ :

  • ଏଣ୍ଡୋସଲଫାନ ୦.୦୫% ବା କାର୍ବାରିଲ ୦.୦୫% ଅକ୍ଟୋବର ମାସରୁ ଜାନୁୟାରୀ ଭିତରେ ୨ ରୁ ୩ ଥର ସିଞ୍ଚନ କରାଯାଏ ।
  • ବିଭିନ୍ନ ସମନ୍ଵିତ ପ୍ରଣାଳୀରେ ମଧ୍ୟ ନିୟନ୍ତ୍ରଣ କରାଯାଏ ।
  • ଜୈବିକ ପ୍ରଣାଳୀରେ ଉପରୋକ୍ତ କୀଟଙ୍କୁ ନିମ୍ବତେଲ ୩ – ୫% କିମ୍ବା କରଞ୍ଜ ତେଲ ୨% ସିଞ୍ଚନ କରି ଦମନ କରାଯାଏ ।

ରୋଗ :

ମଲାଡାଳ :

ଏହି ରୋଗ ଆରମ୍ଭ ହେଲେ ଗଛର ବଢୁଥିବା କଅଁଳ ଡାଳ କବକ ଦ୍ଵାରା ଆକ୍ରାନ୍ତ ହୋଇ ସିଲ୍ ପରି ଦାଗ ସୃଷ୍ଟିକରେ ଏବଂ ପରବର୍ତ୍ତୀ ସମୟରେ ବାଇଗଣୀ ରଙ୍ଗହୋଇ ମରିଆସେ ।

  • ଆକ୍ରାନ୍ତ ଡାଳକୁ କାଟି ବାହାର କରିଦିଅନ୍ତୁ । ଗଛ ଗଣ୍ଡିରେ ବୋର୍ଡରପେଷ୍ଟ ଲେପ ଦିଅନ୍ତୁ । ଗଛକୁ ୧% ବୋର୍ଡର ମିକ୍ସଚର ସିଞ୍ଚନ କରନ୍ତୁ ।
  • ଗଛରେ ଟ୍ରାଇକୋଡର୍ମା ଭିରିଡ଼ ଜୀବାଣୁ ହେକ୍ଟରପ୍ରତି ୫ କେ.ଜି ପାଣିରେ ମିଶାଇ ସିଞ୍ଚନ କରନ୍ତୁ।

ଆଧାର – ଓଡ଼ିଶା ଜଳ ବିଭାଜିକା ଉନ୍ନୟନ ମିଶନ

3.13636363636
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top