ଉଭୟ ତୈଳବୀଜ ଓ ତନ୍ତୁ ଉତ୍ପାଦନକାରୀ ଫସଲ ଭାବେ ବିବେଚିତ ଫେଶୀ । ଏହାର ମଞ୍ଜିରେ ୪୩ ପ୍ରତିଶତ ପର୍ଯ୍ୟନ୍ତ ତେଲ ଥାଏ । ଏହି ତେଲ ରଙ୍ଗ, ବାର୍ନିସ, ସାବୁନ, ଅଏଲ କ୍ଲଥ, ଛାପାକାଳି ଓ ଜଳ ପ୍ରତିରୋଧକ ତନ୍ତୁ ଉତ୍ପାଦନ ନିମନ୍ତେ ବ୍ୟବହୃତ ହୋଇଥାଏ ।
ପିଡିଆରେ ୩୬% ପୁଷ୍ଟିସାର ଥବାରୁ ତାହା ସୁସ୍ଵାଦୁ ଗୋଖାଦ୍ୟ ହୋଇଥାଏ । ଫେଶୀର ଶୁଖୁଲା କାଣ୍ଡରୁ ପର୍ଦ୍ଦା, କାର୍ପେଟ, ସୋଫାଗଦି, ନରମ କମ୍ବଳ, ଇନ୍ସୁଲେଟର ଓ କାଗଜ ଇତ୍ୟାଦି ତିଆରି ହୋଇଥାଏ ।
ସବୁ ପ୍ରକାର ମାଟି ବିଶେଷକରି ମଟାଳ ଦୋରସା ଓ ନିଗିଡା ଦୋରସା ମାଟିରେ ଭଲ ଚାଷ ହୋଇଥାଏ । ଆମ ରାଜ୍ୟରେ ଶୀତଦିନେ ଏହା ଚାଷ କରାଯାଏ । ଧାନ ଜମିରେ ବତର ଅବା ବେଳେ ଛଟା/ଅମୁହାଁ ଫସଲ କରାଯାଏ (ଏକର ପ୍ରତି ୨ କି.ଗ୍ରା. ବିହନ ଦରକାର) । ଅକ୍ଟୋବରରୁ ନଭେମ୍ବର ୧୦ ତାରିଖ ମଧ୍ୟରେ ପେଶୀ ବୁଣାବୁଣି ସାରିବା ଦରକାର । ବୁଣିବା ଡେରି ହେଲେ ଅମଳ କମିଯାଏ । ଅଧିକ ଅମଳକ୍ଷମ କିସମ ହେଲା-କିରଣ, ନିଲମ, ଗୌରବ, ଜବାହର-୨୩, ପହିନୀ, ଟି-୩୯୬, ଗାରିମା (ଏସବୁ ୪ ମାସିଆ), ହିମାଳିନୀ (୫ ମାସିଆ) ଓ ମାଉ ଆଜାଦ୍ ଅଲ୍ସି -୨ ଇତ୍ୟାଦି ।
ଏକର ପ୍ରତି ୪-୫ କି.ଗ୍ରା. ବିହନକୁ ବିଶୋଧନ କରି ଧାଡିରେ ୩୦ ସେ.ମି.x ୫ ସେ.ମି. ବ୍ୟବଧାନରେ ବୁଣିଲେ ଭଲ ହୋଇଥାଏ। ଶେଷ ଓଡା ଚାଷ ବେଳେ ଏକର ପ୍ରତି ୨୦ କୁଇଣ୍ଟାଲ, ଖତ ସହ ୧୬୮-୮ ଏନ.ପି.କେ. ପ୍ରୟୋଗ କରନ୍ତୁ (ଅର୍ଥାତ୍ ଡି.ଏ.ପି. ୧୭ କି.ଗ୍ରା., ୟୁରିଆ, ୩୦ କି. ଗ୍ରା. ଓ ଏମ.ଓ.ପି. ସାର ୧୬ କି.ଗ୍ରା.) । ସବୁ ଫସଫରସ ଓ ପଟାସ ସାର ସହ ଅଧା ଯବକ୍ଷାରଜାନ ମୂଳ ସାର ହିସାବରେ ଦେଇ ଅବଶିଷ୍ଟ ଅଧା ଯବକ୍ଷାରଜାନକୁ ବୁଣିବାର ୩ ସପ୍ତାହ ବେଳକୁ ଦିଅନ୍ତୁ ।
ଗଛ ଉଠିବାର ୧୫ ଦିନ ବେଳକୁ ଘାସ ବାଛନ୍ତୁ । ନଚେତ୍ ଫ୍ଲୋକ୍ଲୋରାଲିନ ଅଥବା ପେଣ୍ଡିମେଥାଲିନ ତୃଣନାଶକର ୪୦୦ ଗ୍ରାମ ସକ୍ରିୟ ଉପାଦାନ ଏକର ପ୍ରତି ପ୍ରୟୋଗ କରନ୍ତୁ । ଫୁଲ ଓ ମଞ୍ଜି ହେବା ସମୟରେ ସଙ୍କଟକାଳୀନ ଜଳସେଚନ ଜରୁରୀ ।
ମିଥାଇଲ ଡିମେଟନ ବା ଡାଇମିସ୍ଟେଥୋଏଟ୍ ୨ ମି.ଲି. ଲିଟର ପ୍ରତି ପ୍ରୟୋଗ କରି ଜଉପୋକ, ପତ୍ର ଡିଆଁ, ସାଁବାଳୁଆ, କଢ ମାଛିକୁ ନିୟନ୍ତ୍ରଣ କରନ୍ତୁ । ପତ୍ରପୋଡା ଓ କଳଙ୍କି ରୋଗ ନିୟନ୍ତ୍ରଣ ପାଇଁ ଆଇଡ୍ରୋଡିନ ବା କାଟେର୍ବଣ୍ଡାଜିମ ୧.୫ ଗ୍ରାମ ଲିଟର ପ୍ରତି ସିଞ୍ଚନ କରନ୍ତୁ ।
ସର୍ବନିମ୍ନ, ୨ଟି ପରିଦର୍ଶନ-ଫୁଲ ଫୁଟିବା ଓ ଅମଳ ପୂର୍ବାବସ୍ଥାରେ କରାଯାଏ । ବିଲଗନ ଦୂରତା ୫୦ ମିଟର (ପିଣ୍ଡ) ଓ ୨୫ ମିଟର (ପ୍ରାମାଣିକ) ରଖୁବା ଜରୁରୀ । ମିଶା କିସମର ସୀମା ହାର (ସର୍ବାଧକ) ୧୦,୦୦୦ ଗଛରେ ୫ଟି (ପିଣ୍ଡ ଓ ୧୦ଟି ପ୍ରାମାଣିକ) । ଗଜାଶକ୍ତି ୮୦%, ଶୁଦ୍ଧତା ୯୮ % (ସର୍ବନିମ୍ନ) ଏବଂ ଆର୍ଦ୍ଦତା ୯% (ସର୍ବାଧକ) । ଗଛର ଡାଳ ଓ ପତ୍ର ହଳଦିଆ ପଡିଆସିଲେ ଗଛକୁ କାଟି ଖରାରେ ଶୁଖାଇ ମଞ୍ଜିକୁ ଅଲଗା କରାଯାଏ । ଏକର ପ୍ରତି ୩-୪ କୁଇଣ୍ଟାଲ ମଞ୍ଜି ଅମଳ ହୋଇଥାଏ ।
ସଂଗୃହିତ - ଡ. ପରେଶ କୁମାର ପଣ୍ଡା,ଓସୋଫ୍କା,
Last Modified : 1/26/2020