ହୋମ / କୃଷି / କୃଷି ଉଦ୍ୟୋଗ / କୃଷି ବନୀକରଣ
ସେଆର କରନ୍ତୁ

କୃଷି ବନୀକରଣ

ଓଡ଼ିଶାର ଅର୍ଥନୀତି ମୁଖ୍ୟତଃ କୃଷି ଉପରେ ନିର୍ଭରଶୀଳ।

ଓଡ଼ିଶାର ଅର୍ଥନୀତି ମୁଖ୍ୟତଃ କୃଷି ଉପରେ ନିର୍ଭରଶୀଳ। ଆମ ରାଜ୍ୟରେ ୭୦%ରୁ ଅଧିକ ଲୋକ କୃଷିକାର୍ଯ୍ୟ କରି ଜୀବିକା ନିର୍ବାହ କରନ୍ତି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ନାନା ପ୍ରକାରର ପ୍ରାକୃତିକ ବିପର୍ଯ୍ୟୟ ବନ୍ୟା, ବାତ୍ୟା, ମରୁଡ଼ି ଚାଷୀଭାଇଙ୍କର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦେଉଛି । ଏମିତି ଏକ ଜଟିଳ ପରିସ୍ଥିତିରେ ଚାଷୀଭାଇମାନେ ଉପଲବ୍ଧ  କଲେଣି ଯେ ଆଉ କେବଳ ପାରମ୍ପରିକ ଫସଲ ବା ଏକକ ଫସଲ ଚାଷ କଲେ ସେମାନଙ୍କର ଆର୍ଥିକ ସ୍ଵଚ୍ଛଳତା ବଢ଼ିବ ନାହିଁ ।  ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ, ଜଳସେଚନର ଅଭାବ, ଫସଲର ଅଭାବୀ ବିକ୍ରି, କୃଷି ଶ୍ରମିକର ଅଭାବ, ଆୟବ୍ୟୟ ଅନୁପାତ କମ ଇତ୍ୟାଦି ଏହାକୁ ଆଖିଆଗରେ ରଖି ଚାଷୀଭାଇମାନେ କୃଷି ବନୀକରଣ ଅର୍ଥାତ୍ ପାରମ୍ପରିକ କୃଷି ଜରିଆରେ ଅଣପାରମ୍ପରିକ ବୃକ୍ଷ ସମ୍ପଦର ପରିଚାଳନାକୁ ଏକ ଲାଭଜନକ ଚାଷ ଭାବରେ ଚ ଉପଲବ୍ଧ କଲେଣି । କୃଷି ବନୀକରଣ ଏକ ପ୍ରକାରର ଚିରନ୍ତନ ଓ ସମନ୍ୱିତ କ୍ଷେତ୍ର ପରିଚାଳନା ପଦ୍ଧତି । ଏହି ପ୍ରଣାଳୀରେ ଏକ ଅଞ୍ଚଳର ଭୌଗୋଳିକ, ଜଳବାୟୁ, ସ୍ଥାନୀୟ ବାସିନ୍ଦାଙ୍କର ସାମାଜିକ ଓ ଅର୍ଥନୈତିକ ସ୍ଥିତିକୁ ବିଚାରକୁ ନେଇ ଏକ ନିର୍ଦ୍ଦିଷ୍ଟ ଜମିରେ ପର୍ଯ୍ୟାୟ ଭାବରେ କିମ୍ବା ଏକ ସମୟରେ କୃଷି ଉପଯୋଗୀ ଗଛ ଓ ଗୁଳ୍ମ ଚାଷ, ପ୍ରାଣୀପାଳନ ଇତ୍ୟାଦିକୁ ସମନ୍ୱିତ ପ୍ରଣାଳୀରେ ଚାଷ କରାଯାଏ । ଏହାଦ୍ଵାରା ଜମିର ଉତ୍ପାଦନ ପରିମାଣକୁ ସେହି ଅବସ୍ଥାରେ କିମ୍ବା ଅଧିକ ଉତ୍ପାଦନକ୍ଷମ କରାଇ ଜମିର ଉର୍ବରତା ଏବଂ ପରିବେଶକୁ ବହୁଦିନ ପର୍ଯ୍ୟନ୍ତ ବଜାୟ ରଖିବା ସହିତ ଚାଷୀର ବାର୍ଷିକ ଆୟ ବଢ଼ିଥାଏ।

ଅନୁର୍ବର, ପତିତ, ଗୋଚର ଏବଂ କୃଷିକାମ ସକାଶେ ବ୍ୟବହାର କରାଯାଉ ନ ଥିବା ଜମିରେ ମଧ୍ୟ କୃଷି ବନୀକରଣ ଉପଯୋଗୀ ଗଛି ଯଥା– ନିମ୍ବ, ଗମ୍ଭାରୀ, ଆକାଶିଆ, ମାହୋଗାନୀ, ଅଗସ୍ତି ଆଦି ଲଗାଯାଇ ଚାଷୀଙ୍କର ଆବଶ୍ୟକତା ପୂରଣ କରିବା ସହିତ ଏକ ସବୁଜ, ସୁନ୍ଦର ଓ ସୁସ୍ଥ ପରିବେଶ ସୃଷ୍ଟି ହୋଇପାରିବ ।

କୃଷି ବନୀକରଣ କାହିଁକି

  • ଏହା ଏକ ସମତ ଓ ଚିରନ୍ତନ କୃଷି ପଦ୍ଧତି ।
  • କୃଷି ବନୀକରଣ ମାଧ୍ୟମରେ କୃଷି, ଉଦ୍ୟାନ କୃଷି, ପ୍ରାଣୀପାଳନ, ମହୁଚାଷ, ଲାଖଚାଷ ଆଦି ଲାଭଜନକ ରୋଜଗାର ପନ୍ଥାଗୁଡ଼ିକର ସନ୍ତୁଳିତ ମିଶ୍ରଣ କରାଯାଇଥାଏ।
  • କମ ପରିମିତ ଜମିରୁ ବହୁ ତଳୀୟ ଫସଲ ଚାଷ ମାଧ୍ୟମରେ ଅଧିକ ଉତ୍ପାଦନ ହୋଇଥାଏ।
  • ଜଳ, ଜମି, ଜନ୍ତୁ, ଜଙ୍ଗଲ, ଜନସମାଜକୁ ସୁରକ୍ଷା ଦେବା ସଙ୍ଗେ ସଙ୍ଗେ ପରିବେଶକୁ ମଧ୍ୟ ସୁରକ୍ଷିତ ରଖିଥାଏ।
  • ଏହା ବର୍ଷସାରା କାମ ଏବଂ ଏକ ସ୍ଥିର ଆୟପନ୍ଥା ଯୋଗାଇଥାଏ।
  • ଅସମୟ ବର୍ଷାର ବ୍ୟବହାର କରିଥାଏ ।

କୃଷି ବନୀକରଣ ଗଛଗୁଡ଼ିକର ଗୁଣବତ୍ତା/ଲକ୍ଷଣ

  • ଗଛଗୁଡ଼ିକ ଏକ ସମୟରେ ୫ଟି F ଯଥା :  ଜାଳେଣି (Fuel), ତୃଣ (Fodder), ସାର (Fertilizer), ତନ୍ତୁଜାତୀୟ ପଦାର୍ଥ (Fi- bre) ଏବଂ ଖାଦଶସ୍ୟ (Food) ।
  • ଗଛଗୁଡିକ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଶୀଘ୍ର ବଢି ପାରୁଥିବ ଏବଂ ତା’ର ପରିଚାଳନା ସହଜ ହୋଇଥିବ ।
  • ଗଛଗୁଡ଼ିକ ମାଟିରୁ ଯବକ୍ଷାରଜାନ ଜାତୀୟ ସାର ସଂଗ୍ରହ କରି ମାଟିରେ ବିବନ୍ଧନ କରିପାରୁଥିବ।
  • ଗଛଗୁଡ଼ିକ ଖାଦ୍ୟସାର, ସ୍ଥାନ ଓ ସୂର୍ଯ୍ୟାଲୋକ ପାଇଁ ଅନ୍ତଃଫସଲ ସହିତ ପ୍ରତିଯୋଗିତା କରୁ ନ ଥିବ ।
  • ଗଛଗୁଡ଼ିକର ଚେର ଗଭୀର ହୋଇଥିବେ ।
  • ପତ୍ର ଶୀଘ୍ର ସଢ଼ି ଯାଉଥିବ।
  • ଗଛଗୁଡ଼ିକ ସ୍ଥାନୀୟ ଜଳବାୟୁ, ମୃତ୍ତିକାରେ ବଢ଼ି ପାରୁଥିବ ।
  • ଗଛଗୁଡ଼ିକର ଅଭିବୃଦ୍ଧି ଓ ପତ୍ରଝଡ଼ା ଅନ୍ତଃଫସଲ ଉପରେ କୌଣସି କୁପ୍ରଭାବ ପକାଉ ନ ଥିବ ।

କୃଷି ବନୀକରଣର ମୁଖ୍ୟ ଅଂଶବିଶେଷ

କୃଷି ବନୀକରଣରେ  ଜଙ୍ଗଲୀ ବୃକ୍ଷ ହେଉଛି ଏକ ମୁଖ୍ୟ ଅଂଶବିଶେଷ । ଏହାକୁ କେନ୍ଦ୍ରକରି କୃଷି ଓ ଆନୁଷଙ୍ଗିକ କୃଷିର ମିଶ୍ରଣ କରାଯାଇଥାଏ।

  • ବହୁବିଧ ଉପଯୋଗୀ ବୃକ୍ଷ (ଜଙ୍ଗଲ ବୃକ୍ଷ ଏବଂ ଉଦ୍ୟାନ ଫଳ ବୃକ୍ଷ)
    1. ଜଙ୍ଗଲବୃକ୍ଷ : ଶିଶୁ, ଅଗସ୍ତୀ, ଗମ୍ଭାରୀ,  ଆକାଶିଆ, ମାହୋଗାନୀ ଆଦି ।
    2. ଫଳବୃକ୍ଷ : ଆମ୍ବ, ଲିଚୁ, ପଣସ, ଲେମ୍ବୁ ଆଦି।
  • କୃଷିଭିତ୍ତିକ ଫସଲ :
    1. ଖାଦ୍ୟଶସ୍ୟ ଜାତୀୟ : ମକା, ମାଣ୍ଡିଆ,ବାଜରା ଆଦି ।
    2. ଡାଲିଜାତୀୟ : ହରଡ଼, ମୁଗ, ବିରି, ଶିମ୍ବ,ବିନ୍ସ ଆଦି ।
    3. ତୈଳବୀଜଜାତୀୟ : ସୋରିଷ, ରାଶି ଆଦି ।
    4. ପନିପରିବା : କଖାରୁ, କଲରା, କାକୁଡ଼ି ଆଦି ।
    5. କନ୍ଦଜାତୀୟ : କନ୍ଦମୂଳ, ଅଦା, ହଳଦୀ, ପାଳୁଅ, ଖମ୍ବଆଳୁ ଆଦି ।
  • ପ୍ରାଣୀସମ୍ପଦ : ଗୋରୁ, ଛେଳି, କୁକୁଡ଼ା, ଟସର ପୋକ, ଲାଖପୋକ, ମହୁମାଛି  ଆଦି।
  • ଔଷଧୀୟ ବୃକ୍ଷ ସମ୍ପଦ : ଗୋଲମରିଚ,  ପିପ୍ପଳୀ ଆଦି।
  • ତୃଣଜାତୀୟ ଫସଲ : ପାରା, ଗିନି, ସଙ୍କରଜାତୀୟ ନାପିଅର, ଷ୍ଟାଇଲୋ  ଆଦି କୃଷି ବନୀକରଣ ପାଇଁ ଆବଶ୍ୟକ ।

ସଂଗୃହିତ – ଡ. ଶାଶ୍ଵତୀ ପଟ୍ଟନାୟକ, ଗୟାଧର ଶିଅଳ, କୃଷିବିଜ୍ଞାନ କେନ୍ଦ୍ର, ରାଣୀତାଲ, ଭଦ୍ରକ

2.925
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top