অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗାଜର ଓ ବିଟରୁଟ୍ ଚାଷ

ଗାଜର ଓ ବିଟରୁଟ୍ ଚାଷ

ଆଜି କାଲି ସହରମାନଙ୍କରେ ଗାଜର ଓ ବିରୁଟ୍‌ର ଚାହିଦା ଦିନକୁ ଦିନ ବଢୁଅଛି । ବଡ଼ବଡ଼ ହୋଟେଲ ମାନଙ୍କରେ ସାଲାଡ଼ କରିବା ପାଇଁ ଏହି ଦୁଇ ପ୍ରକାରର ପରିବା ଆବଶ୍ୟକ ହୋଇଥାଏ । ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ମଧ୍ୟ ଗାଜର ଆବଶ୍ୟକ ହୋଇଥାଏ ।

ଗାଜର  ଚାଷ

ଗାଜରରୁ ପ୍ରସ୍ତୁତ ହାଲୁଆ ଏକ ରୁଚିକର ଖାଦ୍ୟ ରୂପେ ବ୍ୟବହୃତ ହୋଇଥାଏ । ଏହି ଦୁଇଟି ପରିବାରେ ଯଥେଷ୍ଟ ପରିମାଣରେ ଭିଟାମିନ୍ ଏ ଓ ନାନା ଜାତିର ଧାତବ ଲବଣ ରହି ଅଛି ।

ଗାଜର ଖାଇବା ଦ୍ଵାରା କିଡ଼ନୀ ଭଲ ଭାବରେ କାର୍ଯ୍ୟ କରିଥାଏ ଏବଂ ପରିସ୍ରା ପରିଷ୍କାର ହୁଏ । ଇଉରୋପ ମହାଦେଶରେ କାମଳ ରୋଗ ହେଲେ ଗାଜର ରସ ପିଇବାକୁ ଦିଆଯାଏ ।

ଲଗାଇବା ସମୟ

ଗାଜର ଓ ବିଟରୁଟ୍ ଶୀତଦିନିଆ ଫସଲ । ଖରା ଅଧିକ ହେଲେ ଗାଜର ବା ବିଟରୁଟ୍ ବଢ଼ିପାରେ ନାହିଁ । ଆମ ରାଜ୍ୟରେ ଅକ୍ଟୋବର ଠାରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ଗାଜର ଓ ବିଟରୁଟ୍ ଲଗାଯାଇପାରିବ । ତେବେ ପାହାଡ଼ିଆ ଅଞ୍ଚଳରେ ଅଗଷ୍ଟ ମାସ ଠାରୁ ମଧ୍ୟ ଏହା ଚାଷ କରାଯାଇପାରିବ ।

ମାଟି

ଏହି ଦୁଇଟି ଫସଲ ପାଇଁ ନିଗିଡା ଦୋରସା ମାଟି ଆବଶ୍ୟକ । ଜମିକୁ ଭଲ ଭାବରେ ଚାଷ କରି ମାଟି ଗୁଣ୍ଡ କରି ବିଲଟିକୁ ସମାନ କରିବା ଦରକାର । ବିଲରୁ ଯେପରି ଅଧିକ ପାଣି ଗଡ଼ିଯାଇ ପାରିବ, ସେଥିପାଇଁ ମଧ୍ୟ ନାଳ ରଖିବା ଆବଶ୍ୟକ ।

ବିହନ କିସମ

ଗାଜର – ପୁଷାକେସର, ପୁଷା ୟମଦଗ୍ରୀ, ପୁଷାମେଘାଳି, ହିସାର ଗୌରୀକ୍, ନେସ୍, ବ୍ୟାଣ୍ଟନି ଇତ୍ୟାଦି ।

ଲଗାଇବା ପ୍ରଣାଳୀ

ଜମି ଚାଷ କରି ସାରିବା ପରେ ବିଲରେ ପ୍ରତି ଏକଫୁଟ ଛଡ଼ାରେ ସିଆର କରନ୍ତୁ । ଏହି ସିଆରରେ ଏକର ପିଛା ୧୦ ଗାଡ଼ି ହିସାବରେ ଭଲ ଖତ ଦିଅନ୍ତୁ । ଏଥି ସହିତ ଏକର ପ୍ରତି ୧୦ କି.ଗ୍ରା. ଯବକ୍ଷାରଜାନ, ୨୦ କି.ଗ୍ରା. ଫସ୍‌ଫରସ୍ ଓ ୩୦ କି.ଗ୍ରା. ପଟାସ୍ ସାର ପ୍ରୟୋଗ କରି ଅଳ୍ପ ମାଟି ବା ଖତ ଘୋଡ଼ାଇ ଦିଅନ୍ତୁ । ତାପରେ ସେହି ସିଆରରେ ମଞ୍ଜି ବୁଣି ମଞ୍ଜିକୁ ମାଟି ଦ୍ୱାରା ଘୋଡ଼ାଇ ପକାନ୍ତୁ । ବିଲରେ ପାଗ ଥିବାବେଳେ ହିଁ ମଞ୍ଜି ଲଗାନ୍ତୁ । ଗଛ ଉଠିବାର ୧୫ ଦିନପରେ ପ୍ରତି ୪ ଇଞ୍ଚ ଛଡ଼ାରେ ଗୋଟିଏ ଲେଖାଏଁ ଗଛ ରଖି ବଳକା ଗଛ ଉପାଡ଼ି ଦିଅନ୍ତୁ ଏବଂ ବିଲରୁ ଅନାବନା ଘାସ ବାଛି ପକାନ୍ତୁ । ଗଛଗୁଡ଼ିକ ୩୦ ଦିନର ହୋଇଗଲେ ଏକର ପ୍ରତି ୧୦ କି.ଗ୍ରା. ଯବକ୍ଷାରଜାନ ସାର ଦେଇ ହୁଡ଼ା ଦିଅନ୍ତୁ ।

ଗାଜର ଶୀତଦିନିଆ ଫସଲ ହୋଇଥିବାରୁ ପାଣି ଆବଶ୍ୟକ ହୋଇଥାଏ । ଶୀତଦିନେ ପ୍ରାୟ ୮ ରୁ ୧୦ ଦିନରେ ପାଣି ଦେବାକୁ ହୁଏ । କିନ୍ତୁ କେବେ ହେଲେ ଅଧିକ ପରିମାଣରେ ପାଣି ଦିଅନ୍ତୁ ନାହିଁ । ଅମଳ ପୂର୍ବରୁ ହାଲୁକା ଭାବେ ପାଣି ଦେଲେ ଉପାଡ଼ିବା ପାଇଁ ସହଜ ହୋଇଥାଏ ।

ଅମଳ

ଏକ ଏକରରୁ ପ୍ରାୟ ୫୦ ରୁ ୬୦ କ୍ରିଷ୍ଟାଲ୍ ପର୍ଯ୍ୟନ୍ତ ଅମଳ ମିଳିଥାଏ । ଉପାଡ଼ି ସାରିବା ପରେ ଭଲ ଭାବରେ ପାଣିରେ ଧୋଇ ଚେ ର ଇତ୍ୟାଦି ଛିଣ୍ଡାଇ ଦେବା ଉଚିତ୍ । ସାଧାରଣତଃ ଗାଜର ଏକ ସପ୍ତାହ ପର୍ଯ୍ୟନ୍ତ ରହି ଥାଏ । ଏକ ଏକର ରେ ଗାଜର ଚାଷ କଲେ ପ୍ରାୟ ୪୦, ୦୦୦ ଟଙ୍କା ପର୍ଯ୍ୟନ୍ତ ମିଳିଥାଏ । ଖର୍ଚ୍ଚ ବାବଦକୁ ପ୍ରାୟ ୨୦,୦୦୦ ଟଙ୍କା ବାଦ ଦେଲେ ଲାଭ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ ।

ବିଟରୁଟ୍  ଚାଷ

କିସମ

ସାଧାରଣତଃ ଅନେକ ପ୍ରକାରର ବିଟରୁଟ୍ ଚାଷ କରାଯାଇଥାଏ । ତେବେ ସେମାନଙ୍କ ମଧ୍ୟରେ କ୍ରିସନ୍ ଗ୍ଲୋବ, ଡେଟ୍ରଏଟ ଡାର୍କରେଡ଼ କିସମ ଅନ୍ୟତମ ।

କ୍ରିମସନ୍ ଗ୍ଲୋବ୍‌ କିସମର ମୂଳର ଉପରିଭାଗ ସାମାନ୍ୟ ଲାଲ ଦେଖାଯାଏ । ଡେଟୁଏଟ୍ ଡାର୍କରେଡ଼ କିସମର ଆକାର ପୁରାପୁରି ଗୋଲ ।

ଚାଷ ପ୍ରଣାଳୀ

ଗାଜର ପରି ବିଟରୁଟ୍ ମଧ୍ୟ ସିଆରରେ ବୁଣାଯାଏ । ବିଲକୁ ଭଲ ଭାବେ ଚାଷ କରି ପ୍ରତି ଦେଢ଼ଫୁଟ ବ୍ୟବଧାନ ରେ ସିଆର କରି ସିଆରରେ ମଞ୍ଜି ପୋତି ବା ଦରକାର ।

ମଞ୍ଜି ପୋତିବା ପୂର୍ବରୁ ଏକର ପିଛା ୧୦ କି.ଗ୍ରା. ଯବକ୍ଷାରଜାନ,୨୦ କି.ଗ୍ରା. ଫସ୍‌ଫରସ୍ ଓ ୪୦ କି.ଗ୍ରା. ପଟାସ୍ ସାର ସିଆରରେ ଦେଇ ମାଟିରେ ମିଶାଇ ଦିଅନ୍ତୁ । ଏକର ପିଛା ପ୍ରାୟ ୨ ରୁ ୩ କି.ଗ୍ରା. ବିହନ ଦରକାର ହୋଇଥାଏ ।

ଗଛ ଉଠି ସାରିବା ପରେ ପ୍ରତି ୪ ଇଞ୍ଚ ଛଡ଼ାରେ ଗୋଟିଏ ଲେଖାଏଁ ଗଛ ରଖି ଅନ୍ୟ ଗଛକୁ ଉପାଡ଼ି ଦେବା ଦରକାର । ଲଗାଇବାର ୯୦ ଦିନ ପରେ ଗାଜର ଅମଳ ପାଇଁ ଉପଯୁକ୍ତ ହୋଇଥାଏ । ଗଛ ପ୍ରାୟ ୨୫ ରୁ ୩୦ ଦିନର ହୋଇଗଲେ କୋଡ଼ା, ଖୁସା କରି ହିଡ଼ ଟେକିବା ଦରକାର ହୁଏ ।

ପୋକ

ବିଟ୍ ଫସଲରେ ଅନେକ ସମୟରେ ସେମିଲିପୁର, ବିଲିଫ୍ ମାଇନର ପ୍ରଭୃତି କେତେକ ପୋକ ଲାଗିଥାନ୍ତି । ତେଣୁ ପ୍ରତି ୧ ଲିଟର ପାଣିରେ ୨ ମିଲିଲିଟର ହିସାବରେ ରୋଗର ଔଷଧ ମିଶାଇ ସ୍ପ୍ରେ କଲେ ଏହିସବୁ ପୋକ ମରିଯାନ୍ତି । ମାଲାଥିଅନ୍ ମଧ୍ୟ ପୋକ ମାରିବା ପାଇଁ ବ୍ୟବହାର କରାଯାଇ ପାରିବ ।

ରୋଗ

ବିଟ୍ ରୁଟ୍ ରେ ବେଳେ ବେଳେ ପତ୍ର ଦାଗ ରୋଗ ଦେଖାଯାଏ । ରୋଗ ବେଶି ହେ ଲେ ପତ୍ର ମାଟିଆ ପଡ଼ିଯାଏ । ଏହାକୁ ଦମନ କରିବା ପାଇଁ ଲିଟର ପ୍ରତି ୨.୫ ଗ୍ରାମ୍ ହିସାବରେ ମାଖୋଜେ ବ୍ ଔଷଧ ମିଶାଇ ଫସଲରେ ସ୍ପ୍ରେ କରିବାକୁ ହେବ ।

ଅମଳ

ଏକ ଏକରରୁ ପ୍ରାୟ ୮୦ କ୍ରିଷ୍ଟାଲ୍ ବିଟ୍ ରୁଟ୍ ଅମଳ ହୋଇଥାଏ । ସମସ୍ତ ଚାଷ ଖର୍ଚ୍ଚ ଯାଇ ଏଥିରୁ ପ୍ରାୟ ୨୫୦୦୦ ଟଙ୍କା ଲାଭ ମିଳିପାରିବ ।

ମନେରଖନ୍ତୁ

  • ବିଲକୁ ଭଲ ଭାବରେ ଚାଷ କରନ୍ତୁ ।
  • ପନିପରିବା ପାଇଁ ଯଥେଷ୍ଟ ପରିମାଣରେ ଖତ ଦିଅନ୍ତୁ ।
  • ଉନ୍ନତ କିସମର ବିହନ ଲଗାନ୍ତୁ ।
  • ଆବଶ୍ୟକ ପରିମାଣରେ ସାର ଠିକ୍ ସମୟରେ ଦିଅନ୍ତୁ ।
  • ଉପଯୁକ୍ତ ସମୟରେ କୋଡ଼ାଖୁସା କରନ୍ତୁ ।
  • ରୋଗ ଓ ପୋକ ଦାଉରୁ ରକ୍ଷା ପାଇବା ପାଇଁ ସମୟ ଅନୁସାରେ ପ୍ରତିକାର ।
  • ବ୍ୟବସ୍ଥା ଗ୍ରହଣ କରନ୍ତୁ ।
  • ଠିକ୍ ସମୟରେ ଅମଳ କରି ବିକ୍ରି କରନ୍ତୁ ।

ଆଧାର - "ଓୟୁଏଟି"

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate