ସେଆର କରନ୍ତୁ

ପଣସ ଚାଷ

ପଣସ ଦକ୍ଷିଣ ଏସିଆରେ ଦେଖାଯାଉଥିବା ଏକ ଗଛ ଅଟେ । ଏହାର ଫଳ ମାଂସଳ ଓ ହଳଦିଆ ରଙ୍ଗର ଅଟେ ।

ପଣସ ଦକ୍ଷିଣ ଏସିଆରେ ଦେଖାଯାଉଥିବା ଏକ ଗଛ ଅଟେ । ଏହାର ଫଳ ମାଂସଳ ଓ ହଳଦିଆ ରଙ୍ଗର ଅଟେ । ପ୍ରଥମରୁ ଏହା ଭାରତରେ ଦେଖାଯାଉଥିଲା । ଗୋଆ , କେରଳ, ଓଡ଼ିଶା, ତାମିଲନାଡୁ, ମହାରାଷ୍ଟ୍ର , ଆଦି ରାଜ୍ୟ ମାନଙ୍କରେ ଏହା ଦେଖାଯାଏ । ଏହା ସବୁଠାରୁ ବଡ ଫଳ ଅଟେ । ସବୁଠାରୁ ବଡ ପଣସର ଓଜନ ୩୫ କିଲୋ , ୯୦ ସେଣ୍ଟିମିଟର ଲମ୍ବା ଓ ୫୦ ସେଣ୍ଟିମିଟର ଚଉଡା ଅଟେ । ପଣସ ଆମ ରାଜ୍ୟର ଏକ ଲୋକପ୍ରିୟ ଫଳ । ଆଦିବାସୀ ମାନଙ୍କର ଏହା ମୁଖ୍ୟ ଫଳ । ଲୋକପ୍ରିୟତା ଦୃଷ୍ଟିରୁ ଆମ ରାଜ୍ୟରେ କଦଳୀ, ନଡିଆ, ଆମ୍ବ ପଛକୁ ପଣସର ସ୍ଥାନ । ସାଧାରଣତଃ ଗ୍ରୀଷ୍ମ ଋତୁରେ ଏହା ପାଚିଥାଏ । ଛୋଟ ବେଳେ ପଚିବା ହିସାବରେ ଓ ପାଚିଲେ ଫଳ ରୂପେ ବ୍ୟବହାର କରାଯାଏ । ପଣସରେ ଅନେକ ପରିମାଣର ଶ୍ଵେତସାର ଖାଦ୍ୟ ଥାଏ । ପଣସରେ ଭିଟାମିନ ‘ଖ’ ଓ ମଞ୍ଜିରେ ଭିଟାମିନ ‘ଇ’ ପ୍ରଚୁର ପରିମାଣରେ ଥାଏ । ପାଚିଲା ପଣସରେ ସୁନ୍ଦର ଜାମ ତିଆରି ହେଉଛି । ପଣସ ଗଛର କାଠରେ ମୁଲ୍ୟବାନ ଆସବାସ ପତ୍ର ପ୍ରସ୍ତୁତ ହୁଏ ।

ଉତ୍ପତ୍ତି

ଭାରତୀୟ ଚାଷରେ ପ୍ରାୟ ୩୦୦୦ ରୁ ୪୦୦୦ ବର୍ଷ ତଳୁ ପଣସ ଏକ ଗୁରୁତ୍ଵପୂର୍ଣ ଭୂମିକା ସମ୍ପର୍ଣ କରି ଆସୁଛି । ଦକ୍ଷିଣ ଏସିଆରେ ଏହା ଅଧିକ ପରିମାଣରେ ଉତ୍ପାଦନ କରାଯାଏ । ଭାରତର ଗ୍ରୀଷ୍ମ ମଣ୍ଡଳୀୟ ଅଞ୍ଚଳ । ଭାରତର ସମଗ୍ର ପଶ୍ଚିମ ଉପକୂଳରେ ଏବଂ ପୂର୍ବ ପଟେ ଆସାମ, ପଶ୍ଚିମବଙ୍ଗ, ଓଡିଶା, ବିହାର ପ୍ରଭୃତି ରାଜ୍ୟରେ ଚାଷ କରାଯାଏ ।

ଜଳବାୟୁ

ପଣସ ଗ୍ରୀଷ୍ମମଣ୍ଡଳୀୟ ଫଳ । ଏହା ଉଷ୍ମ ଓ ଆଦ୍ର ଜଳବାୟୁରେ ଭଲ ହୁଏ । ସମୁଦ୍ର ପତନ ଠାରୁ ୧୫୦୦ ମିଟର ପର୍ଯ୍ୟନ୍ତ ପଣସ ଚାଷ କରାଯାଇ ପାରେ । କିନ୍ତୁ ୧୨୦୦ ମିଟର ଉଚ୍ଚତା ପରେ ଏହା କମ ଫଳେ । ଏହା ବୃଷ୍ଟିବହୁଳ ଅଞ୍ଚଳରେ ଭଲ ବଢିଲେ ମଧ୍ୟ ଏହାର ମୂଳରେ ପାଣି ଜମି ରହିଲେ ଏହା ସହ୍ୟ କରି ପାରେ ନାହିଁ ।

ମୃତ୍ତିକା

ଏହା ନିଗିଡା ଉଚ୍ଚ ଜମିରେ ଭଲ ହୁଏ । ନିଗିଡା, ଲାଲ, ଲାଲ ଦୋରସା, ରୁଗୁଡିଆ ଲାଲ ଓ ପଟୁ ମାଟିରେ ଭଲ ବଢେ । ସନ୍ତସନ୍ତିଆ ଜମିରେ ଏହା ଖୁବ ଭଲ ହୁଏନି ଓ ଗଛ ମରିଯାଏ । ଓଡିଶାର ପାହାଡିଆ ଅଞ୍ଚଳରେ ଏହା ଖୁବ ଭଲ ହୁଏ ।

କିସମ

ପଣସ ଦୁଇ ପ୍ରକାର । ଗୋଟିଏ କାଦୁଆ ଓ ଅନ୍ୟଟି ହେଲା ଖଜରା । କାଦୁଆ ପଣସର କୋଷାଗୁଡିକ ଗୋଲାକାର ପାଚିଗଲେ ନରମ ହୋଇ ତୁଳା ପରି ହୋଇଯାଏ । ଖଜରା ପଣସର କୋଷା ଗୁଡିକ ସାରୁ, ଲମ୍ବାଳିଆ, ଦୁଧିଆ ରଙ୍ଗ ବା ଧଳାଚମ୍ପା ଫୁଲ ରଙ୍ଗ ପରି । ତେବେ ଭଲ ପଣସ ଭିତରେ ସିଙ୍ଗାପୁର ବା ସିଲୋ ପ୍ରଥମ । ବର୍ତ୍ତମାନ ଦେଶୀ ପଣସ ସହ ସିଙ୍ଗାପୁର ପଣସର କୃତିମ ସଙ୍ଗମ କରାଯାଇ କେତେକ ଉନ୍ନତ କିସମର ପଣସ ବାହାର କରାଗଲାଣି ।

ମୃତମ ଭାରିକା : ମଧ୍ୟ  ଭଲ କିସମ । ଫଳ ଗୁଡିକ ପ୍ରାୟ ୭ କେଜି ଓଜନର ହୁଏ ।

ଦିୱାରିଆ : ମଧ୍ୟ ଗୋଟିଏ ଭଲ ପଣସ । ଏହାର ଓଜନ ୪୦ କେଜି ଓଜନର ହୁଏ ।

ଆଲ୍ଲାହାବାଦ : ମଧ୍ୟ ଆଉ ଗୋଟିଏ ଭଲ ପଣସ । ଏହା ସାଧାରଣତଃ ଉତ୍ତର ପ୍ରଦେଶରେ ଭଲ ହୁଏ ।

ସିଙ୍ଗାପୁର : ଏହା ଏକ ଉନ୍ନତ ଧରଣର ପଣସ । ଫଳର ଆକାର ମଧ୍ୟମ ଧରଣର । କୋଷାଗୁଡିକ ଗାଢ ହଳଦିଆ ରଙ୍ଗର ଏବଂ ଖୁବ ମିଠା ଲାଗେ । ଫଳରେ ୮୦ ରୁ ୧୦୦ ପର୍ଯ୍ୟନ୍ତ କୋଷା ଥାଏ ।

ରୁଦ୍ରାକ୍ଷୀ :

ସାଧାରଣତଃ ଦକ୍ଷିଣ ଭାରତରେ ଏହା ବେଶି ଦେଖାଯାଏ । ଏହା ଏକ ପ୍ରକାର ବଣୁଆ ପଣସ । ଏହାର ଫଳଗୁଡିକ ଆକାରରେ ଛୋଟ । ଫଳର ଉପରି ଭାଗରେ କମ କଣ୍ଟା ଥାଏ । କୋଷା ଗୁଡିକ କମ୍ ରସଯୁକ୍ତ ଏବଂ ବିଶେଷ ସ୍ଵାଦୁକର ହୋଇନଥାଏ ।

ଫେଜାବାଦରେ ପଣସର ଗୋଟିଏ ଗବେଷଣାଗାର ଅଛି । ସେମାନେ ଖାଇବା ପାଇଁ ୪ଟି କିସମର ପଣସ ବାଛିଛନ୍ତି । ତାହାହେଲା NJT-1, NJT-2, NJT-3, NJT-4 । ଏହି ସବୁଗୁଡ଼ିକର ରସ ବହୁତ ମିଠା ଓ ତନ୍ତୁ କମ୍ । ସେହିପରି ତରକାରୀ ପାଇଁ ମଧ୍ୟ ୪ ପ୍ରକାର କିସମର ମଧ୍ୟ ପଣସ ବାଛିଛନ୍ତି । ସେଗୁଡିକ ହେଲା NJC-1, NJC-2, NJC-3, NJC-4 ।

ବଂଶବିସ୍ତାର

ସାଧାରଣତଃ ମଞ୍ଜିରୁ ଗଛ କରାଯାଏ । ଆଖି କଲମୀ ଓ ଯୋଡ କଲମିରେ ରୁଦ୍ରାକ୍ଷୀ ପଣସ ଗଛକୁ ମୂଳ ଗଛ ହିସାବରେ ବ୍ୟବହାର କରାଯାଏ ।

ଚାରାରୋପଣ

ଜୁଲାଇ-ଅଗଷ୍ଟ ମାସରେ ଗଛ ଲଗାଯାଏ । ୧୦ମିଟର ଦୂରତାରେ ଗଛ ଲଗାଯାଏ । ଏକ ମିଟର ଗୋଲେଇ ଓ ଏକ ମିଟର ଗଭୀରର ଗାତ କରି ପ୍ରତି ଗାତରେ ୨ ରୁ ୫ ଟୋକେଇ ଖତ ଓ ୨କେଜି ଜୈବିକ ସାର ଓ ୫୦ ଗ୍ରାମ କ୍ଳୋରୋପାଇରିଫସ ଗୁଣ୍ଡ ଦେଇ ଗଛ ଲଗାଯାଏ । ଗଛ ଲଗାଇବା ପରେ ପଣସ ଗଛକୁ ଛେଳି ଓ ଗାଈଗୋରୁଙ୍ଗ ଦାଉରୁ ରକ୍ଷା କରିବା ପାଇଁ ଭଲ ଗୋରଡି ବା କଣ୍ଟା ଦେବ । କାରଣ ଛେଳିମାନେ ପଣସ ଗଛକୁ ଖାଇବାକୁ ଭଲ ପାଆନ୍ତି ।

ଖତ ଓ ସାର

ସାଧାରଣତଃ ପଣସ ଗଛରେ ଖତସାର କେହି ଦିଅନ୍ତିନୀ । କିନ୍ତୁ ଫଳ ଅମଳ ପରେ ପ୍ରତି ଗଛର ୨/୩ ଟୋକେଇ ଖତ ଓ ୨କେଜି ଜୈବିକ ସାର ବର୍ଷା ଋତୁ ଆରମ୍ଭରେ ଦେଲେ ବେଶୀ ଫଳ ମିଳେ । ବୋରନ ଅଣୁସାର ଅଭାବ ହେଲେ ଫଳ ଆସିବା କମିଯାଏ । ଗଛ ପ୍ରତି ୫୦୦ ଗ୍ରାମ ବୋରାକ୍ସ ଦେଲେ ଭଲ ଫଳ ଅମଳ ଆସେ । ତେବେ ପଣସ ଗଛରେ ନିମ୍ନଲିଖିତ ସାର ଦେଲେ ଭଲ ଅମଳ ମିଳେ ।

ସାର

ଗଛର ବୟସ

୧-୩ ବର୍ଷ                        ୪-୭ ବର୍ଷ                        ୭ବର୍ଷରୁ ଅଧିକ

ଯବକ୍ଷାରଜାନ

ଫସଫରସ

ପଟାସ

୨୦୦ଗ୍ରାମ                       ୪୦୦ଗ୍ରାମ                       ୬୦୦ଗ୍ରାମ

୧୨୦ଗ୍ରାମ                       ୨୪୦ ଗ୍ରାମ                      ୩୦୦ଗ୍ରାମ

୬୦ଗ୍ରାମ                                     ୧୨୦ଗ୍ରାମ                       ୨୪୦ଗ୍ରାମ

କାଟଛାଣ୍ଟ

ପଣସ ଗଛରେ କାଟଛାଣ୍ଟ କରାଯାଏନି ।  ତେବେ ଗଛମୂଳରୁ ଦେଢ ମିଟର ପର୍ଯ୍ୟନ୍ତ ସିଧା ବଢିବାକୁ ଦିଆଯାଏ ।

ଜଳସେଚନ

ପ୍ରଥମ ବର୍ଷକ ପରେ ସାଧାରଣତଃ ପଣସ ଗଛ ଆଉ ଜଳସେଚନ ଦର୍କାର କରେନି । ଆମ ଓଡିଶାର ଯେତିକି ବର୍ଷା ହୁଏ, ସେଥିରେ ପଣସ ଗଛ ଭଲ ବଢି ଫଳ ଦିଏ । ତେବେ ଗଛଲଗାଇବା ବର୍ଷ ପାଣି ଦେବାକୁ ପଡେ ।

ପଣସ କଷି ଝଡିପଡିବା

ପଣସ ଗଛରେ ମାଈଫୁଲ ଓ ଅଣ୍ଡିରା ଫୁଲ ଫୁଟେ । ଗଛରେ ପ୍ରଥମେ ଅଣ୍ଡିରା ଫୁଲ ଫୁଟେ ଓ ତା’ପରେ ମାଈ ଓ ଅଣ୍ଡିରା ଫୁଲ ଫୁଟେ ଓ ଶେଷରେ କେବଳ ମାଈଫୁଲ ଫୁଟେ । ଅଣ୍ଡିରା ଫୁଲ ଫୁଟିବାର ୨-୩ ସପ୍ତାହ ମଧ୍ୟରେ ଗଛରୁ ଝରିପଡେ । ଏକ ପ୍ରକାରର ଛୋଟ ଛୋଟ ଫଳ କଷି ଗଛରୁ ଝଡୁ ଥିବାରୁ ଲକ୍ଷକରି ଏହା କୌଣସି ରୋଗରୁ ବା ଅନ୍ୟକାରଣରୁ ହେଉଛି ବୋଲି ଭାବନ୍ତି । କିନ୍ତୁ ସେଥିପାଇଁ ବ୍ୟସ୍ତ ହେବାର କିଛି ନାହିଁ । ଅଣ୍ଡିରା ଫୁଲ ଗୁଡିକ ଖଡିପଡେ । ସାଧାରଣତଃ ଅଣ୍ଡିରା ଫୁଲ ଗୁଡିକ ଗଛର ଶାଖା ଓ ପ୍ରଶାଖାରେ ଫୁଟେ । କିନ୍ତୁ ମାଈଫୁଲ ସାଧାରଣତଃ ଗଛର ମୂଳ ଅଂଶରେ କିମ୍ବା ଗଣ୍ଡିରୁ ବାହାରି ଥିବା ମୁଖ୍ୟ ଶାଖାକାଣ୍ଡରେ ବାହାରି ଥାଏ । ସେଥିପାଇଁ ପଣସ ସବୁ ଗଛର ଗଣ୍ଡି ପାଖରେ ଫଳିଥାନ୍ତି ।

ରୋଗ ଓ ପୋକ ଓ ତାର ପ୍ରତିକାର

କାଣ୍ଡବିନ୍ଧା ଶଁବାଳୁଆ – ଆକ୍ରାନ୍ତ ତାଳ ବା ଅଗ୍ର ଭାଗକୁ ଛିଣ୍ଡାଇ ନଷ୍ଟ କରି ଦିଅନ୍ତି । ପେଟ୍ରୋଲ ବା କିରୋସିନ ଦେଇ ଗାତ ବନ୍ଦ କରି ଦିଅନ୍ତୁ । କ୍ଳୋରୋପାଇରିଫସ ଗୁଣ୍ଡ ବା ଡି.ଡି.ଟି ସ୍ପ୍ରେ କରନ୍ତୁ ।

ମିଲିବଗ୍ ଓ ପଣସ ଜାତି

ସ୍ପର୍ଶଯୁକ୍ତ କୀଟନାଶକ ଔଷଧ ସ୍ପ୍ରେ କରନ୍ତୁ । ମାଲାଥିଆନ ସବୁଠୁ ଭଲ ।

ପାଟଳ ରୋଗ, କାଣ୍ଡଶଢା ରୋଗ

ଆକ୍ରାନ୍ତ ଅଂଶକୁ କାଟି ଦିଅନ୍ତୁ । ବୋର୍ଡସ୍କ ମିଶ୍ରଣ ସ୍ପ୍ରେ କରନ୍ତୁ । ଇଣ୍ଡୋଫିଲ ଏମ ୪୫ଶତକଡା ୦.୨ ଭାଗ ସ୍ପ୍ରେ କରନ୍ତୁ । ଅଧିକାଂଶ ରୋଗ ଭଲ ହୋଇଯିବ ।

ପଣସ କଷିରେ କଳା ଫିମ୍ପିମରା ରୋଗ

ଏହି ରୋଗ ରାଈଜୋପସ ଆର୍ଟେକାର୍ପାଇ ନାମକ ଏକ ପ୍ରକାର କବକ ବା ଫିମ୍ପିର ଆକ୍ରମଣ ଯୋଗୁଁ ହୁଏ । ଏହି ରୋଗ ସାଧାରଣତଃ  ଫେବୃୟାରୀ ମାସରେ ବେଶି ପରିମାଣର ଦେଖାଯାଏ ।  ଏ ରୋଗ ହେଲେ ପ୍ରଥମେ ମାଇ ପଣସ କଷିର ଡେମ୍ଫ ଲାଗିଥିବା ସ୍ଥାନ ଗୁଡିକ ପାଣିଦାଗ ଦେଖାଯାଇ ଧଳା ହୁଏ ଓ ପରେ ହାଣ୍ଡିକଳା ପରି ଫିମ୍ପି ମାରିଯାଏ । ରୋଗାକ୍ରାନ୍ତ ପଣସ କଷି ଗୁଡିକ ପଚିଜାଇ ଶୁଖି ଝଡିପଡେ ।  ଏହାକୁ ନିୟନ୍ତ୍ରଣ କରିବା ପାଇଁ ୫:୫:୫୦ ବୋର୍ଡୋମିକଶ୍ଚର ଦ୍ରବଣ ବା ଡିଥେନ ଏମ-୪୫ ଶତକଡା ୦.୨ ଭାଗ ସ୍ପ୍ରେ କରନ୍ତୁ ।

ଅମଳ

ମଞ୍ଜି ଗଛରେ ୭/୮ ବର୍ଷ ପରେ ଫଳ ଆସେ କଲମୀ ଗଛ ୫/୭ ବର୍ଷ ପରେ ଫଳ ଆସେ । ଗୋଟିଏ ଗଛରୁ ୧୦୦ କେଜିରୁ ୧୦୦୦ କେଜି ପର୍ଯ୍ୟନ୍ତ ଫଳ ମିଳେ । ହେକ୍ଟର ପିଛା ଆୟ ଟ ୧୫,୦୦୦ ।

 

ଆଧାର : ଡାକ୍ତର ସୂର୍ଯ୍ୟ ନାରାୟଣ ବେହେରା

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top