অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପନିପରିବା ଚାଷ (ଉଦ୍ୟାନ ବିଜ୍ଞାନ)

ଉଦ୍ୟାନ ବିଜ୍ଞାନ କ’ଣ ?

ଉଦ୍ୟାନ ଉଦ୍ଭିଦର ବିକାଶ ସାଧନ ଓ ମାନବ ଜୀବନରେ ସେଗୁଡିକ ଉପଯୋଗ ପ୍ରତି ଦୃଷ୍ଟି ଦେବା ହିଁ ଉଦ୍ୟାନ ବିଜ୍ଞାନର ମୁଖ୍ୟ ଉଦ୍ଦେଶ୍ୟ । ଉଦ୍ୟାନ ବିଜ୍ଞାନର ପରିଭାଷାକ ଇଂରାଜୀ ଶବ୍ଦ ‘ Horticulture’ ଲାଟିନ ଭାଷାରୁ ଆସିଅଛି । ଲାଟିନରେ ‘Hortus’ ର ଅର୍ଥ ହେଲା ବଗିଚା ବା ବାଡବନ୍ଦୀ ଜମି ଓ culture ର ଅର୍ଥ ହେଲା ଚାଷ କରିବା । ଏଣୁ ଉଦ୍ୟାନ ଉଦ୍ଭିଦ କହିଲେ ଫଳଗଛ, ପନିପରିବା ଉଦ୍ଭିଦ, ଶୋଭାବର୍ଦ୍ଧକ ଉଦ୍ଭିଦ, ରୋପଣ ଉଦ୍ଭିଦ, ଔଷଧି ଉଦ୍ଭିଦ, ମସଲା ବା ଛତୁ ଜାତୀୟ ଉଦ୍ଭିଦ ହୋଇପାରେ । ସେଗୁଡିକୁ ଉପଯୁକ୍ତ ଭାବେ ବିନିଯୋଗ କରିବା ଉଦ୍ୟାନ ବିଜ୍ଞାନର ଉପଜୀବୀ । ଫଳ ଗଛକୁ ସୁନ୍ଦର ଭାବେ ରୋପଣ କରି ଫଳ ଅମଳ କରିବା ସଙ୍ଗେ ସଙ୍ଗେ ସ୍ଥାନର ଶୋଭାବର୍ଦ୍ଧନ ଉଦ୍ଭିଦ ରହିଅଛି । ଏଗୁଡ଼ିକୁ ଉପଯୁକ୍ତ ଭାବେ ବଗିଚାରେ ସଜାଇ ପାରିଲେ ଲୋକଙ୍କ ର ମାନସିକ ତୃପିବିଧାନ ହୋଇଥାଏ । ଉତ୍ପାଦନ ବ୍ୟତୀତ ଫଳ ଓ ପନିପରିବା ଗୁଡିକର ଉପଯୁକ୍ତ ସଂରକ୍ଷଣ ବିନିଯୋଗ ମଧ୍ୟ ଉଦ୍ୟାନ ବିଜ୍ଞାନର ଅନ୍ୟତମ ଆଲୋଚ୍ୟ ବିଷୟ । ଏଣୁ ଫଳ ବିଜ୍ଞାନ, ପନିପରିବା ବିଜ୍ଞାନ, ଶୋଭାବର୍ଦ୍ଧନ ଉଦ୍ଭିଦ, ପୁଷ୍ପ ବିନ୍ୟାସ, ଉଦ୍ୟାନ ସଂସ୍ଥାପନ ଫଳପରିବା ସଂରକ୍ଷଣ ବିଜ୍ଞାନ ପ୍ରଭୃତି ଉଦ୍ୟାନ ବିଜ୍ଞାନର ବିଭିନ୍ନ ବିଭାଗ ।

ପନିପରିବା କାହାକୁ କୁହନ୍ତି

ଯେଉଁ ଜାତୀୟ ଫସଲକୁ ଆମେ ଆମର ପ୍ରଧାନ ଖାଦ୍ୟ ରୂପେ ଗ୍ରହଣ କରୁ ସେଗୁଡିକର ଚାଷ , ଉତ୍ପାଦନ ପ୍ରଭୃତିକୁ କ୍ଷେତ୍ର ବିଜ୍ଞାନ ଶସ୍ୟ ବିଜ୍ଞାନର ଅନ୍ତର୍ଭୁକ୍ତ କରାଯାଏ । ଉଦ୍ଭିଦ ବିଜ୍ଞାନର ନିଯମାନୁସାରେ ଏ ଶସ୍ୟଗୁଡିକ ଫଳ ବୋଲି କୁହାଯାଏ । ଶସ୍ୟ ଜାତୀୟ ଖାଦ୍ୟରେ ସାଧାରଣତଃ ସ୍ୱଳ୍ପ ପରିମାଣ(ଶତକଡା ୧୦ରୁ ୨୦ ଭାଗ କମ) ଜଳ ରହିଥାଏ । ଏହି ଜାତୀୟ ବୀଜ ଗୁଡିକକୁ ଖାଦ୍ୟଅଂଶ ବାହାର କରି ବ୍ୟବହାର କରାଯାଇଥାଏ , ଯଥା- ଧାନରୁ ଚାଉଳ, ଗହମରୁ ଅଟା, ମଇଦା ଓ ସୁଜି, ସୋରିଷ ରାଶିକୁ ତେଲ, ମୁଗ ଓ ହରଡରୁ ଡାଲି , ବିରିରୁ ଚୂନା ଇତ୍ୟାଦି । ଏତତବ୍ୟତୀତ କପା, ଫ୍ଲାକସ ଆଦି ତନ୍ତୁ ଜାତୀୟ ଉଦ୍ଭିଦ, ଆଖୁ, ଗୋ- ଖାଦ୍ୟ ପ୍ରସ୍ତୃତି ପାଇଁ ବ୍ୟବହୃତ ଫସଲରେ ଆଲୋଚନା ମଧ୍ୟ କ୍ଷେତ୍ର ବିଜ୍ଞାନର ଅନ୍ତର୍ଭୁକ୍ତ । କ୍ଷେତ୍ର ବିଜ୍ଞାନ ସମ୍ବନ୍ଧୀୟ ଫସଲରୁ ମିଳୁଥିବା ଖାଦ୍ୟ ପଦାର୍ଥଗୁଡିକ ସାଧାରଣ ସଂରକ୍ଷଣଗାରରେ ବର୍ଷେ ତତୋଧିକ ସମୟ ସଂରକ୍ଷିତ କରଯାଇଥାଏ । କିନ୍ତୁ ଉଦ୍ୟାନ ଉଦ୍ଭିଦ ଏମାନଙ୍କଠାରୁ ଭିନ୍ନ । ଏପ୍ରକାରର ଉପୁଜୁଥିବା ଫଳ ବା ଖଦ୍ୟୋପଯୋଗୀ ଅଂଶରେ ସାଧାରଣତଃ ଜଳୀୟ ଅଂଶ ରହିଥିବା ଦୃଷ୍ଟିରୁ ଏଶ୍ରେଣୀର ଫସଲଗୁଡିକ ଅଧିକ ଅଧିକ ସମୟ ଯାଏ ସାଧାରଣ ଅବସ୍ଥାରେ ରଖାଯାଇପରେ ନାହିଁ । ନତୁବା ସେଗୁଡିକ ଭିନ୍ନ ଭିନ୍ନ ଖାଦ୍ୟ ପଦାର୍ଥରେ ପରିଣତ କରି ବୈଜ୍ଞାନିକ ପଦ୍ଧତିରେ ସଂରକ୍ଷଣ କରି ବ୍ୟବହାର କରାଯାଇଥାଏ । କେତେକ କ୍ଷେତ୍ରରେ ମଞ୍ଜି ଶୁଖାଇ ପରିବା ରୂପରେ ବ୍ୟବହାର କରାଯାଇଥାଏ । ଏହାଛଡା ପରିବାଗୁଡିକ ତଟକା ଅବସ୍ଥାରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥାରେ କେତେକ ସମୟ ରଖାଯାଇପରେ । ଫଳ ଗୁଡିକ ଅଧିକାଂଶ କ୍ଷେତ୍ରରେ ବୃହତ ଓ ବହୁ ବର୍ଷ ଜୀବୀ ବୃକ୍ଷମାନଙ୍କରୁ ଅମଳ କରାଯାଇଥାଏ । ଏହି ପ୍ରଣାଳୀରେ ସଂଗୃହିତ ଫଳ ବେଳେ ଗଛରୁ ପକ୍ଵ ଅବସ୍ଥାରେ ଅମଳ କରାଯାଏ ଓ କେତେକ କ୍ଷେତ୍ରରେ ଫଳ ତୋଳାଯିବା ପରେ ପାଚିଲା ଲାଗି କିଛି ସମୟ ରଖିବାକୁ ହୁଏ । କିନ୍ତୁ ପନିପରିବା ଅଧିକାଂଶ କ୍ଷେତ୍ରରେ ଏକ ବର୍ଷିଆ ଏପରିକି ଏକ ଋତୁ କାଳୀନ ଫସଲ ହୋଇଥାଏ ଅବଶ୍ୟ କେତେଗୁଡିଏ ପାରିବା ଗଛ ,ଦ୍ଵିବାର୍ଷିକ ଓ ବହୁବର୍ଷ ଜୀବି ହୋଇଥାଏ ଯଥା- ମୁଗୁନା, ଛୁଇଁ, କଞ୍ଚା କଦଳୀ, କୁନ୍ଦୁରୁ, ପୋଟଳ କଞ୍ଚା ଅମୃତଭଣ୍ଡା ଇତ୍ୟାଦି । କେତେକ ଉଦ୍ଭିଦର ଚେର, ଡେମ୍ଫ, କାଣ୍ଡ, ପତ୍ର, ଫୁଲ, କଢ, ଅଥବା ଫଳ ପନିପରିବା ରୂପେ ବ୍ୟବହୃତ ହୁଏ । ଆଉ କେତେକ ଉଦ୍ଭିଦ ସଂପୂର୍ଣ୍ଣ ରୂପେ ମନୁଷ୍ୟର ଖାଦ୍ୟରେ ବ୍ୟବହୃତ ହୁଏ । ବହୁ ଫଳ ବୃକ୍ଷ ଦୀର୍ଘକାଳ ସ୍ଥାୟୀ ଓ କାଣ୍ଡଯୁକ୍ତ ସେଥିରୁ ପ୍ରତିବର୍ଷ ଫୁଲ ଧରି ଫଳ ପାଚି ଅମଳ ହୋଇଥାଏ । କିନ୍ତୁ ପନିପରିବାଗୁଡିକର ଗଣ୍ଠି ଓ କାଣ୍ଡ କୋମଳ । ସେଗୁଡିକ କ୍ଷୁପୀୟ ନାମରେ ପରିଚିତ ସେଗୁଡିକ କୋମଳ ଗଣ୍ଠି ଓ କାଣ୍ଡ ଖାଦ୍ୟ ପାଇଁ ଅମଳ କରାଯାଇଥାଏ । କେତେକ ପରିବା ମଞ୍ଜିକୁ ପୁରା ପକ୍ଵ ଅବସ୍ଥାଯାଏ ବୁଡାଇ ଖାଦ୍ୟ ରୂପେ ବ୍ୟବହାର କରାଯାଉଛି । ଯଥା- ଶିମ ମଞ୍ଜି, ଶୁଖିଲା ମଟର ମଞ୍ଜି, ବୁଟ ମଞ୍ଜି, ଝୁଡଙ୍ଗ ମଞ୍ଜି ଇତ୍ୟାଦି ।

ପନିପରିବା ଚାଷର ଗୁରୁତ୍ଵ

ଶରୀରକୁ ଉପଯୁକ୍ତ ଭାବେ ବଳିଷ୍ଠ ଓ କର୍ମକ୍ଷମ କରିବାକୁ ହେଲେ ପୃଷ୍ଟି କାରକ ଖାଦ୍ୟ ଅବଶ୍ୟକ । ରୋଗ ଦାଉରୁ ରକ୍ଷା ପାଇବା ଲାଗି ସ୍ୱାସ୍ଥ୍ୟପଦ ଖାଦ୍ୟ ନିୟମିତ ଭାବେ ବ୍ୟବହାର କରିବା ଦରକାର । ଫଳ ଓ ପନିପରିବାଗୁଡିକ ଆମ ଦେଶର ପ୍ରଧାନ ସ୍ୱାସ୍ଥ୍ୟ ପ୍ରଦାୟକ ଖାଦ୍ୟ । ଏଣୁ ମନୁଷ୍ୟର ସ୍ୱାସ୍ଥ୍ୟ ସମୃଦ୍ଧି ଘଟାଇବାରେ କାର୍ଯ୍ୟକ୍ଷମ କରେ । ପନିପରିବା ମହତ୍ଵ ବିଷୟରେ ଆମ ପୂର୍ବପୁରୁଷମାନେ ମଧ୍ୟ ବେଶ ଉପଲ୍ଲବ୍ଧ କରିଥିଲେ । ସେମାନେ ପରିବାର କୋମଳତା, ସ୍ଵାଦ, ମହକ, ଓ ପ୍ରୀତିପ୍ରଦ ବିଭବ ଅନୁଭବ କରିଥିଲେ । ପୁଣି ଏଗୁଡିକ ଯେ ପୃଷ୍ଟିକାରକ ଓ କୋଷ୍ଠ ନିୟନ୍ତ୍ରଣକ୍ଷମ, ଏବିଷୟରେ ସେମାନେ ବେଶ ଉପଲବଧି କରିପଡ଼ିଥିଲେ । ଶରୀର ତତ୍ତ୍ଵିକ ଦୃଷ୍ଟିରୁ ଦେଖିଲେ ଶରୀର ଗଠନ ଓ ସ୍ୱାସ୍ଥ୍ୟରକ୍ଷା ଲାଗି ଦରକାର ହେଉଥିବା ବହୁ ଉପାଦାନ ସାଧାରଣତଃ ପନିପରିବାରୁ ହିଁ ମିଳିଥାଏ । ପାରିବରେ ନାନା ପ୍ରକାରର ଧାତବ ପଦାର୍ଥ ଓ ଅଧିକ ପରିମାଣ ରେ ମିଳେ ନାହିଁ । କିନ୍ତୁ ପନିପରିବା ପାକକରି ଖାଇଲେ ଖାଇବା ଅପେକ୍ଷା ତଟକା ଅବସ୍ଥାରେ କଞ୍ଚା ଖାଇବା ଦ୍ଵାରା ଶରୀରର ଅଧିକ ଉପକାର ସାଧିତ ହୋଇଥାଏ , କିନ୍ତୁ ଅନେକ ପ୍ରକାରର ପନିପରିବା ବିନା ପାକରେ ଖାଇବା ସମ୍ଭବ ନୁହେଁ । ସେ ଯାହା ହେଉନା କାହିଁକି ପୃଥିବୀର ବିକାଶଶୀଳ ରାଷ୍ଟ୍ରଗୁଡିକରେ ପନିପରିବାକୁ ଆହାରର ଏକ ପ୍ରଧାନ ଅଂଶରୂପେ ଗ୍ରହଣ କରିଥିବା ବେଳେ ଭାରତପରି ବିକାଶମୁଖୀ ରାଷ୍ଟ୍ରରେ ଏଥିପ୍ରତି ଯଥାଯଥ ଗୁରୁତ୍ଵ ଦିଆଯାଇ ନାହିଁ । ଆମ ଦେଶରେ ଅଧିକ ପରିମାଣରେ ଶର୍କରା ଜାତୀୟ ଖାଦ୍ୟ ହିଁ ପ୍ରତିଦିନ ଲୋକେ ଖାଇଥାନ୍ତି । ଆମ ଦେଶର ଲୋକେ ପର୍ଯ୍ୟାପ୍ତ ପରିମାଣର ପନିପରିବା ବ୍ୟବହାର କରନ୍ତୁ ନାହିଁ । ତେଣୁ ସେମାନେ ଜୀବନିକାଅ ତଥା ଧାତୁଦ୍ରବ୍ୟ ଅଭାବ ଜନିତ ରୋଗରେ ପଡି କ୍ଲେଶ ଭୋଗ କରିଥାନ୍ତି । ପୁଣି ଯେଉଁମାନେ ବା ପନିପରିବା କିଛି ପରିମାଣରେ ବ୍ୟବହାର କରିଥାନ୍ତି ସେମାନେ ସେଗୁଡିକୁ ବିଜ୍ଞାନ ସମ୍ମତ ପ୍ରଣାଳୀରେ ବ୍ୟବହାର କରନ୍ତି ନାହିଁ । ପନିପରିବାଗୁଡିକରେ ଥିବା ପୃଷ୍ଟିକର ପଦାର୍ଥଗୁଡିକୁ ଖାଇବା ପୂର୍ବକୁ ନଷ୍ଟ କରିଥାନ୍ତି । ଯଥା- ପରିବାଗୁଡିକ କାଟି ବହୁ ସମୟ ପାଣିରେ ଭିଜାଇ ଧୋଇ ଦେଲେ ପରିବା ନିହିତ ଖାଦ୍ୟସାର ନଷ୍ଟ ହୁଏ । ଆମେ ଦୈନିକ ଖାଉଥିବା ଆହାରରେ ବହୁ ପରିମାଣରେ ଶର୍କରା ହିଁ ବ୍ୟବହାର କରୁ । କିନ୍ତୁ ଖାଦ୍ୟ ଶତକଡା ଦଶ ଭାଗରୁ ବାର ଭାଗ ପର୍ଯ୍ୟନ୍ତ ପନିପରିବା ରହିବା ଦରକାର । ଆମ ଦେଶରେ ସାଧାରଣ ଖାଦ୍ୟରେ ପନିପରିବାର ପରିମାଣ ଖୁବ କମ । ଆମେରିକା ପରି ଦେଶରେ ଜନସାଧରଣ ଭାରତୀୟଙ୍କ ଠାରୁ ପାଞ୍ଚଗୁଣ ଅଧିକ ପନିପରିବା ବ୍ୟବହାର କରିଥାନ୍ତି । ଜାପାନରେ ଲୋକେ ଖାଦ୍ୟରେ ଶତକଡା 40ରୁ 50 ଭାଗ ପନିପରିବା ଖାଇଥାନ୍ତି । ଭାରତବର୍ଷରେ ବହୁଲୋକ ନିରାମିଷାଶୀ । ସେମାନଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇବାକୁ ହେଲେ ବହୁଳ ପନିପରିବା ଚାଷ ଦରକାର ଏତତବ୍ୟତୀତ ଜଣସାଧାରଣଙ୍କର ଖାଦ୍ୟାଭ୍ୟାସ ମଧ୍ୟ ବଦଳାଇବା ଦରକାର । ଯାହାଦ୍ଵାରା ଲୋକେ ବହୁପରିମାଣରେ ଶର୍କରା ଖାଦ୍ୟ ନ ଖାଇ ବହୁ ପରିମାଣର ପନିପରିବା ଖାଇବା ସମ୍ଭବ ହେବ ।

ପନିପରିବା କିପରି ଖିଆଯାଏ

ଖାଦ୍ୟରୂପେ ନାନା ପ୍ରକାର ପନିପରିବା ବ୍ୟବହାର କରାଯାଇଥାଏ । ସେଥିରୁ କେତେକ ଗଛରୁ ସିଧା ତୋଳି ଖାଇବାକୁ ହୁଏ । ଯଥା- କାକୁଡି, ପାଚିଲା, ତରଭୁଜ ଓ ପାଚିଲା ତମଟୋ ଇତ୍ୟାଦି । ଆଉ କେତେଗୁଡିଏ ପରିବା କଞ୍ଚା ବା ତଟକା ବସ୍ତାରେ ଖିଆଯାଏ । ନତୁବା ପାକକରି ଖିଆ ଯାଇପରେ । ଯଥା –( ମୂଳା, ପିଆଜ, ଗାଜର, ବିଟ, ସାକର କନ୍ଦା ଇତ୍ୟାଦି ) କନ୍ଦମୂଳ, ସାରୁ, ଦେଶୀଆଳୁମ ଓଲୁଅ, ଶିମ, ଆଳୁ, କଖାରୁ, ପ୍ରଭୃତି ପରିବା ପାକକରି ଖାଇବାକୁ ହୁଏ । ପାକ କରିବା ପରେ ହିଁ ଏସବୁ ପନିପରିବା ରୁଚିକର ହୋଇଥାଏ । କ୍ଷୁଧା ଉଦ୍ରେକ କରିବା ଲାଗି କେତେକ ପରିବା ବ୍ୟବହୃତ କରାଯାଇ ଥାଏ । ଯଥା- ପନିପରିବା ସାଲାଡ- ଏଥିରେ କଟା ଲେଟ୍ୟୁସ , ମୂଳା, କଞ୍ଚାଲଙ୍କା , କାକୁଡି, ସିଲେରି , ଟମାଟୋ, ପିଆଜ, ଗାଜର, ଲୁଣ ବା ସିରକା ଆଦି ବିଭିନ୍ନ ମସଲା ଗୋଳେଇ ବା ଦହିରେ ମିଶାଇ ପ୍ରସ୍ତୁତ କରି ଖିଆଯାଏ । କେତେକ ପାରିବ ସେମାନଙ୍କର ବାସ୍ନା ପାଇଁ ବ୍ୟବହୃତ ହୁଏ । ଯଥା- ପିଆଜ, ରସୁଣ, ଧନିଆପତ୍ର, ପୋଦିନା ପତ୍ର, ଇତ୍ୟାଦି । କେତେ ଚଟଣି ପ୍ରସ୍ତୃତ କରିବାଲାଗି ଟୋମାଟୋ , ଧନିଆପତ୍ର, ପୋଦିନା ପତ୍ର ନଡିଆ ଇତ୍ୟାଦି ବ୍ୟବହୃତ ହୋଇଥାଏ । ଅଧିକାଂଶ ପରିବା ତରକାରୀ ଭଜା, ଭରତା, ଆଦି ନାନା ପ୍ରକାରର ଖାଦ୍ୟ ସାମଗ୍ରୀ ପ୍ରସ୍ତୃତ କରିବାରେ ବ୍ୟବହୃତ ହୋଇଥାଏ । ଯଥା – ବାଇଗଣ, ମୁନିଗା, ଭେଣ୍ଡି, ଆଳୁ, କୋବି, ମଟର, ଶିମ, କଞ୍ଚାକଦଳୀ , ଫୁଟିକାକୁଡି, ପୋଇ ନାନା ପ୍ରକାରର ଶାଗ ଇତ୍ୟାଦି ।

ଏଥିରୁ ଜଣାଯାଏ ଯେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସୁଷମ ଖାଦ୍ୟ ପ୍ରୟୋଜନ ଓ ଖାଦ୍ୟଗୁଡିକ ହଜମ କରିବା ଲାଗି ଓ କୋଷ୍ଠ କାଠିନ୍ୟ ଦୂର କରିବା ଲାଗି ତନ୍ତୁ ପଦାର୍ଥ ଦରକାର ହୋଇଥାଏ । ପନିପରିବାଗୁଡିକରୁ ଏହା ପ୍ରଚୁର ପରିମାଣରେ ମିଳେ । ଯେଉଁମାନେ ମାଛ, ମାଂସ, ଅଣ୍ଡା, ଛେନା, ଆଦି ଗରିଷ୍ଠ ଖାଦ୍ୟ ଖାଆନ୍ତି : ଏଗୁଡିକ ହଜମ ହେବାପରେ ନାନା ପ୍ରକାର ଅମଳ ପଦାର୍ଥ ପେଟରେ ଜମିଥାଏ ଓ ଏହା ସ୍ୱାସ୍ଥ୍ୟ ପକ୍ଷରେ କ୍ଷତିକାରକ । ତେଣୁ ଏହି କ୍ଷତିକାରକ ଅମ୍ଳ ପଦାର୍ଥଗୁଡିକର ଗୁଣ ନାଶ କରିବାକୁ ହେଲେ ଉଚିତ ପରିମାଣରେ ପନିପରିବା ଖାଇବା ଦରକାର । କାରଣ ଅଧିକାଂଶ ପନିପରିବାରେ ଅମ୍ଳ ଗୁଣ ନଥାଏ । କିନ୍ତୁ ସେଗୁଡିକ କ୍ଷରୀୟ ଅଟେ । ପନିପରିବା ଶର୍କରା, ପୃଷ୍ଟିସାର,ଚର୍ବି, ଧାତୁସାର, ଓ ଜୀବନିକା ଯୋଗାଇଥାନ୍ତି ।

ପନିପରିବା ଖାଦ୍ୟର ବିଭିନ୍ନ ଉପାଦାନ

  1. ଶର୍କରା

    ଶରୀରକୁ ସୁସ୍ଥସବଳ ଓ କାର୍ଯ୍ୟକ୍ଷମ କରିବାକୁ ହେଲେ ପର୍ଯ୍ୟାପ୍ତ ଶର୍କରା ଜାତୀୟ ଖାଦ୍ୟ ଅବଶ୍ୟକ । ଏହା ଶରୀରକୁ ଶକ୍ତିଯୋଗାଇଥାଏ । ଧାନ , ଗହମ , ଜହ୍ନି, ମକା, ବଜରା, ମଣ୍ଡିଆ, ଓ ଧାନ୍ୟାଦି ଫସଲକୁ ବେଶୀ ପରିମାଣରେ ଶର୍କରା ମିଳେ । କେତେ ପରିବା ମଧ୍ୟ ଶର୍କରା ଜାତୀୟ ଖାଦ୍ୟ ଯୋଗନ୍ତି । ଯଥା- ଆଳୁ, କନ୍ଧମୂଳ, ସାରୁ, ଦେଶୀଆଳୁ, ଓଲୁଅ, ଇତ୍ୟାଦି । ଯେଉଁ ବ୍ୟକ୍ତି ଲଘୁପାକ ଖାଦ୍ୟ ଖାଇବା ପ୍ରୟୋଜନ ତାଙ୍କ ପକ୍ଷେ ଏହି ପ୍ରକାରର ପନିପାରିବା ବେଶୀ ପରିମାଣରେ ବ୍ୟବହୃତ କରିବା ଉଚିତ ।

  2. ପ୍ରୋଟିନ

    ପନିପରିବାରୁ ଯେଥେଷ୍ଟ ପରିମାଣରେ ପ୍ରୋଟିନ ମିଳିଥାଏ ଅମିଶାସୀ ବ୍ୟକ୍ତି ମାଛ, ମାଂସ, ଅଣ୍ଡା ଆଦିରୁ ପାଇଥାଏ । କିନ୍ତୁ ନିରାମିଷାଶୀ ବ୍ୟକ୍ତି ଶିମ, ମଟର, ଛତୁ, ଗୁଆଁର ଆଦି ପରିବା ଶରୀରର ଅବଶ୍ୟକୀୟ ପୃଷ୍ଟିସାର ପାଇଥାନ୍ତି ।

  3. ତନ୍ତୁଯୁକ୍ତ ଖାଦ୍ୟ

    ତନ୍ତୁଯୁକ୍ତ ଖାଦ୍ୟ ଶରୀରର କୋଷ୍ଠ କାଠିନ୍ୟ ଦୂର କରେ । ଏହା ଖାଦ୍ୟ ପରିପାକ ପାଇଁ ସହାୟକ ହୋଇଥାଏ । ତେଣୁ ଅଧିକାଂଶ ପନିପରିବା ବିଶେଷକରି ପତ୍ର ଜାତୀୟ ପାରିବା , ବନ୍ଧାକୋବି, ଓ ବିଭିନ୍ନ ଶାଗରେ ବହୁ ଜଳୀୟ ଅଂଶ ସେଲ୍ୟୁଲୋଜ ବା ତନ୍ତୁ ରହିଥାଏ । ଅନ୍ୟାନ୍ୟ ଯେ କୌଣସି ପରିବାର ମଧ୍ୟ ଏସବୁ ଦ୍ରବ୍ୟ ଥିବା ହେତୁ ତନ୍ତୁ ଜାତୀୟ ପଦାର୍ଥ ଯୋଗିବାରେ ଅସୁବିଧା ହୋଇନଥାଏ । ଶାକଜାତୀୟ ତଥା ଚେରଜାତୀୟ ତଥା ପାରିବା ଖାଇଲେ ମାଂସ ପେଶୀ ବଳିଷ୍ଠ ରହେ । ତେଣୁ କୋଷ୍ଠକାଠିନ୍ୟ ହୁଏ ନାହିଁ । ମଳମୁତ୍ର ପନିପରିବା ସହ ଖାଇବା ଦ୍ଵାରା ହଜମରେ ସାହାଯ୍ୟ କରିଥାଏ । ପରିବା ନାଦ, ପତ୍ର ମୂଳାଧାର ଓ ଚେରଗୁଡିକୁ ପାକକଲେ ସ୍ପଞ୍ଜ ସଦୃଶ୍ୟ ଖାଦ୍ୟ ପଦାର୍ଥ ପରିଣତ ହୁଏ । ତାହା କ୍ଷୁଧା ନିବାରଣ କରିବା ସଙ୍ଗେ ସଙ୍ଗେ ପାକନାଲିରେ ଖାଦ୍ୟ ସରବରାହ ତ୍ୱରାନିତ କରେ ।

  4. ଜୀବନିକା

    ପନିପରିବାଗୁଡିକୁ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଉପାଦାନ ବୋଲି ଧରାଯାଇଛି । କାରଣ ଏଥିରେ ଜୀବନିକା ଓ ଧାତବ ଲବଣ ସମେତ ଅନ୍ୟାନ୍ୟ ଖାଦ୍ୟ ଉପାଦାନ ରହିଛି । ଅଧିକାଂଶ ପରିବାରେ ଭିଟାମିନ “D”କୁ ଛାଡିଦେଲେ ଅନ୍ୟାନ୍ୟ ଭିଟାମିନ ରହିଛି । ଏଣୁ ଯଥେଷ୍ଟ ପରିମାଣରେ ପନିପରିବା ନ ଖାଇଲେ ଭିଟାମିନ ଅଭାବଜନିତ ସ୍ୱାସ୍ଥ୍ୟହାନି ଘଟିବାରେ ସମ୍ଭାବନା ରହିଛି ।

  5. ଭିଟାମିନ “A”( କେରୋଟିନ ଆଦି)

    ଏହା ଥଣ୍ଡା ଓ ଇନଫ୍ଲୁଏଞ୍ଜା ରୋଗ ନିରୋଧକ ଅଟେ । ଦ୍ରୁଷ୍ଟିଶକ୍ତି ଉପରେ ଏହାର ପ୍ରଭାବ ପକାଇଥାଏ । ଏହା ଏକ ଚର୍ବି ଦ୍ରାବଣୀୟ ପଦାର୍ଥ ଓ ଶରୀର ଗଠନ ତଥା ପ୍ରଜନନ ଲାଗି ଏକ ଅପରିହାର୍ଯ୍ୟ ରାସାୟନିକ ପଦାର୍ଥ ଅଟେ । ଏହା ଅଭାବରେ ଛୋଟ ଛୋଟ ବାଳକ ବାଳିକାଙ୍କ ଶାରୀରିକ ଗଠନ ବାଧାପାଏ । ଭିଟାମିନ “A” ଅଭାବରେ ରୋଗ ପ୍ରତିରୋଧକ ଶକ୍ତି କମିଯାଏ । ପିଲାମାନଙ୍କ ଚର୍ମରେ ବନ୍ଧୁରତା ପରିଲିଖିତ ହୁଏ । ବୟସ୍କ ଲୋକେ ଏହା ଅଭାବରେ ଶରୀରରେ ଶୁଷ୍କତା , ଚର୍ମ ଫୋଟକା, ଚର୍ମ ବ୍ରଣ ଦ୍ଵାରା ମଧ୍ୟ ଆକ୍ରାନ୍ତ ହୋଇଥାନ୍ତି । ପଥୁରିଆ ରୋଗ ଭିଟାମିନ “A” ଅଭାବରେ ଦେଖାଯାଏ । ଏହା ବିନା ଶ୍ଵାସପ୍ରଶ୍ଵାସ ତଥା ପାକଯନ୍ତ୍ରର ବିଭିନ୍ନ ଅଂଶ ଦୁର୍ବଳ ହୋଇଯାଏ ଓ ସେ ଗୁଡିକର ରୋଗ ପ୍ରତିରୋଧକ ଶକ୍ତି କମି ଆସେ । ଶୁଷ୍କ ଚକ୍ଷୁ , ରାତି ଅନ୍ଧତା ଓ କ୍ଷତ ଚକ୍ଷୁ ଦେଖାଯାଏ । ଗାଜର, ବିଟ, କନ୍ଧମୂଳ, ମଟର, ସବୁଜ ପରିବା- ପିଆଜନାଡ, ବନ୍ଧାକୋବି, କଞ୍ଚାଲଙ୍କା ଆଦି ଖାଇଲେ ଭିଟାମିନ”A” ର ଅଭାବ ପୂରଣ ହୁଏ ଓ ତଦ୍ୱାରା ଆଖିରେ ଉଜ୍ଜଲତା ବଢେ । ଶାରୀରିକ ସ୍ଵାଭାବିକ ସ୍ୱାସ୍ଥ୍ୟ ଫେରି ଆସେ । ଅନ୍ତନଳା ,ଶ୍ଵାସେନ୍ଦ୍ରିୟଲ ଆଦି ଅଂଶଗୁଡିକୁ ଶକ୍ତିଶାଳୀ କରିଥାଏ । ସବୁଜ ପତ୍ରରେ ଥିବା କେରୋଟିନ ଖାଇବା ଦ୍ଵାରା ତାହା ଶରୀର ଭିତରେ ଭିଟାମିନ “A” ରେ ପରିଣତ ହୁଏ । ଯଦି ଏହାର ଆବଶ୍ୟକତା ନ ଥାଏ ତେବେ ଭବିଷ୍ୟତ ଲାଗି ଯକୃତ ରେ ସଞ୍ଚିତ ହୁଏ । ଭିଟାମିନ “A” ଭିନ୍ନ ଭିନ୍ନ ପରିବାରେ ଋତୁ ଭେଦରେ ଭିନ୍ନ ଭିନ୍ନ ହୋଇଥାଏ ।ତେବେ ସାଧାରଣତଃ ପ୍ରତି ଏକ ଶତ ଗ୍ରାମ ସବୁଜ ଶାଗରେ ୨୦୦୦ ରୁ ୧୨୦୦୦ ଯାଏ ଭିଟାମିନ “A“ ରହିଥାଏ । ଏହା ପରିମାଣରେ ଭିଟାମିନ “A” ମନୁଷ୍ୟର ଦୈନିକ ବ୍ୟବହାର ଲାଗି ଯଥେଷ୍ଟ ହୋଇଥାଏ ।

  6. ଭିଟାମିନ- “B”

    ଥାୟାମିନ , ରିବୋଫ୍ଲେବିନ ପାଇରୋଡାକସିନ ଏପରି B1, B2, B6 ମିଶ୍ରଣରେ ଭିଟାମିନ “B” ଗଠିତ ହୋଇଥାଏ ।ଏହା ଜଳରେ ଦ୍ରାବଣୀୟ ଅଟେ । ଏହା ଅଭାବରେ ଶରୀରରେ ବେରାବେରି ବା ଗୋଦଡ ରୋଗ ହୋଇଥାଏ । କ୍ଷୁଧା ହୁଏ ନାହିଁ । ଶାରୀରର ଓଜନ କମେ ଓ ଉତ୍ତାପ ମଧ୍ୟ ହ୍ରାସ ପାଏ । ଶାରୀରିକ ଗଠନ ଓ ପ୍ରଜନନ ପାଇଁ ଭିଟାମିନ”B”ର ଏକାନ୍ତ ଆବଶ୍ୟକ । କଞ୍ଚାଲଙ୍କାମ ଗାଜର, ବନ୍ଧାକୋବି , ପିଆଜ, ଆଦିରେ ଭିଟାମିନ “B” ରହିଛି । ଭିଟାମିନ “B” ରହିଛି । ଭିଟାମିନ “B” ଉଦ୍ଭିଦର ସବୁ ଅଂଶରେ ସମପରିମାଣରେ ଦେଖାଯାଏ ନାହିଁ । ଶିମ ଓ ମଟର ପତ୍ରଠାରେ ମଞ୍ଜି ହିଁ ଏହା ଅଧିକ ମାତ୍ରାରେ ଘନୀଭୂତ ହୋଇଥାଏ

  7. ଭିଟାମିନ- “C”

    ଏହା ଶରୀର ରକ୍ତ ଓ କୋଷ କୁ ସୁସ୍ଥରଖେ । ଏହା ବିନା ଶାରୀରର ଗଣ୍ଠିଗୁଡିକର ସଂଚାଳନାରେ ବାଧା ଉପୁଜେ । ସାଧାରଣ ସ୍ୱାସ୍ଥ୍ୟଲାଗି ଏହା ଏକ ଅପରିହାର୍ଯ୍ୟ ଉପାଦାନ । ଭିଟାମିନ “C” ବା ଆସକୋବିର୍କ ଏସିଡ ଏକ ଜଳ ଦ୍ରାବଣୀୟ ପଦାର୍ଥ । ଶରୀରରେ ଏହାର ଅଭାବ ଘଟିଲେ ଦାନ୍ତମାଢି ରୋଗଯୁକ୍ତ ହୁଏ , ଦନ୍ତକ୍ଷୟ ଓ ବାତରୋଗ ହୁଏ ।ପିଲା ଓ ବୟସ୍କମାନଙ୍କର ଅପୋଷ ବ୍ୟାଧି ଓ ଶକ୍ତିହାନି ଘଟେ । ଶରୀର କ୍ଷତ ବିଳମ୍ବରେ ଆରୋଗ୍ୟ ହୁଏ ଓ ରୋଗ ପ୍ରତିରୋଧକ ଶକ୍ତି କମିଯାଏ , ଭିଟାମିନ “C” ଶୀଘ୍ର ବଢୁଥିବା ପନିପରିବାରେ ଅଧିକ ଦେଖାଯାଏ । ପାଳଙ୍ଗ, ବନ୍ଧାକୋବି, କଞ୍ଚାଲଙ୍କା ଓ ଅନ୍ୟାନ୍ୟ ସବୁଜ ପାରିବାରେ ଏହା ବିଶେଷ ଭାବେ ଦେଖିବାକୁ ମିଳେ । ପରିବାକୁ ସିଝାଇଲେ କିମ୍ବା ଭାଜିଦେଲେ ଭିଟାମିନ “C” ନଷ୍ଟ ହୋଇଯାଏ ଯଥେଷ୍ଟ ପରିମାଣରେ ପାଚିଲା ଟମାଟୋ ଖାଇ ପାରିଲେ ଶରୀରର ଦରକାର କରୁଥିବା ଭିଟାମିନ “C” ଅଭାବ ପୂରଣ ହୋଇପାରେ ।

  8. ଭିଟାମିନ- "D"

    ଶରୀରରେ ଚନର ବ୍ୟବହାରକୁ ଏହା ନିୟନ୍ତ୍ରଣ କରିଥାଏ । ଭିଟାମିନ ”D” ଏହା ଚର୍ବି ଦ୍ରାବଣୀୟ ଜୀବନିକା । ଏହା ବାଲାସ୍ଥି ବିକୃତ ନିରୋଧକ ଅଟେ । ସ୍ଵାଭାବିକ ଅସ୍ଥି ଗଠନ ଏବଂ ସୁସ୍ଥ ଓ ସତେଜ ଦାନ୍ତ ଗଠନ ଲାଗି ଏହା ଅବଶ୍ୟକତା ଅଧିକ । ଚୂନ ଓ ଫସଫୁରିକ ଲବଣର ଉପଯୁକ୍ତ ବିନିଯୋଗ ଦ୍ଵାରା ଅସ୍ଥି ଗଠନ ପ୍ରକ୍ରିୟା ସୁଗମ ହୋଇଥାଏ ।

  9. ଭିଟାମିନ “E“

    ଏହା ମଧ୍ୟ ଚର୍ବି ଦ୍ରାବଣୀୟ ଜୀବନିକା ଅଟେ । ପ୍ରଜନନ ପ୍ରକ୍ରିୟା ଲାଗି ଏହା ଅତି ଉପାଦେୟ ଓ ବନ୍ଧ୍ୟାରୋଧକ ଜୀବନୀକ ଅଟେ । ଏହା ଶାକସବଜି ଜାତୀୟ ପାରିବାରୁ ମିଳିଥାଏ । ବନ୍ଧାକୋବି, ଓ ଉଦ୍ଭିଦଜ ତୈଳ ଖାଇଲେ ଏହି ଖାଦ୍ୟାଭାବ ପୂରଣ ହୋଇଥାଏ ।

  10. ଭିଟାମିନ “G”

    ଏହା ଶରୀର ବୃଦ୍ଧି ଲାଗି ଦରକାର । ଏହା ଏକ ଜଳ ଦ୍ରାବଣୀୟ ଜୀବନିକା ଅଟେ । ଏହାର ଅଭାବରେ କ୍ଷୁଧାହାନି, ଓଜନହ୍ରାସ, କେଶହୀନତା , ଚର୍ମକୁଞ୍ଚିଆ ରୋଗ ହୋଇଥାଏ । ସବୁଜ ପାରିବାରୁ ଏହି ଜାତୀୟ ଭିଟାମିନ ମିଳିଥାଏ ।

  11. ଏମିନୋ ଏସିଡ

    ଏଗୁଡିକ ଗର୍ବି ଅମ୍ଳବର୍ଗ ଅଟେ । ଏଥିରେ ଥିବା ଏମିନୋ ଗୋଷ୍ଠୀର ଉଦଜାନ ପରମାଣୁର ସ୍ଥାନ ଉଦପ୍ରାଙ୍ଗରକ ମୂଳୀୟ ଅଣୁ ଗ୍ରହଣ କରିଥାଏ । ଶରୀରର ଗଠନ ଓ ବିକାଶ ଲାଗି ଏଗୁଡିକ ଏକାନ୍ତ ଆବଶ୍ୟକ ହୋଇଥାଏ ।

ଧାତବ ଖାଦ୍ୟ

ମନୁଷ୍ୟ ଶରୀରର ଗଠନ ଓ ପରିବର୍ଦ୍ଧଣ ଲାଗି କମରେ ଦଶଗୋଟି ଧାତବ ପଦାର୍ଥ ଦରକାର କରିଥାଏ । ସେଗୁଡିକ ଚୂନ, ଲୌହ,ଓ ଫୁସଫୁରକ ବହୁ ପରିମାଣରେ ଆବଶ୍ୟକ ହୋଇଥାଏ । ଆୟୋଡିନ ଓ ସୋଡିୟମ ମଧ୍ୟ ସ୍ୱାସ୍ଥ୍ୟ ଲାଗି ଦରକାର ପଡେ । ଏହାଦ୍ଵାରା ମାଗ୍ନାସିଏମ , ପଟାସିୟମ, ଗନ୍ଧକ, ମାଙ୍ଗାନିଜ ଇତ୍ୟାଦି ଧାତବ ଖାଦ୍ୟ ଶରୀର ସୁଷମ ବିକାଶ ପାଇଁ ଦରକାର ହୁଏ । ଏଥିରୁ କେତେ ଅତି ନ୍ୟୁନ ପରିମାଣରେ ଦରକାର ହେଲେ ହିଁ ସେଗୁଡିକ ଶରୀର ପାଇଁ ଏକାନ୍ତ ଉପାଦେୟ ଧାତବ ଖାଦ୍ୟ ଆମେ ସାଧାରଣତଃ ପନିପାରିବା ପାଉଥାଉଁ । ପାରିବାରୁ ଲବ୍ଧ ଧାତବ ଖାଦ୍ୟ ଶୀଘ୍ର ରକ୍ତରେ ମିଶି ସ୍ୱାସ୍ଥ୍ୟ ଗଠନ ଓ ରକ୍ଷଣାବେକ୍ଷଣାରେ ସହାୟକ ହୋଇଥାଏ । ଏଣୁ ନିରାମିଷ ଭୋଜି ବ୍ୟକ୍ତିମାନଙ୍କ ପକ୍ଷରେ ବେସୀ ପରିମାଣର ପନିପରିବା ଖାଇବା ବିଧେୟ ।

  1. ଚୂନ

    କାଲସିଅମ ଜାତୀୟ ଖାଦ୍ୟର ଅଭାବ ବହୁ ଲୋକଙ୍କ ଶରୀରରେ ଦେଖାଯାଏ । ଚୂନଜାତୀୟ ଖାଦ୍ୟ ସୁସ୍ଥ ଅସ୍ଥି ଗଠନ ଓ ରୋଗ ପ୍ରତିରୋଧ ଶକ୍ତି ବଢାଇବାରେ ଦରକାର ହୋଇଥାଏ । ସେଥିହେତୁ ଏହାର ଅଭାବ ଘଟିଲେ ପିଲାମାନଙ୍କ ଶରୀରରେ ବାଳାସ୍ଥ- ବିକୃତି, ଚିଡିଚିଡା ପ୍ରକୃତି ଓ ଶରୀର ଗଠନରେ ପ୍ରତିବନ୍ଧକ ଦନ୍ତକ୍ଷୟ ଓ ଦୁର୍ବଳ ଅସ୍ଥି ଦେଖାଯାଏ । ନାରୀମାନଙ୍କ ଦେହରେ ଅଷ୍ଟି ମୋଲେସିଆ ଜନିତ ସନ୍ତାନ ପ୍ରସବ ଆଦି ନାନା ପ୍ରକାରର ରୋଗ ଦେଖାଯାଏ । ଯଥାଯଥ ପରିମାଣରେ ଶରୀରରେ ଚୂନ ଜାତୀୟ ଖାଦ୍ୟ ରକ୍ଷା କରାଗଲେ ଶରୀରରେ ଅନ୍ୟାନ୍ୟ ଧାତୁ ମଧ୍ୟରେ ସମନ୍ଵୟ ରକ୍ଷା କରିବା ସଙ୍ଗେ ସଙ୍ଗେ ସେମାନଙ୍କର ଉଚିତ ସମାନୁପାତ ରକ୍ଷା ଲାଗି ଦରକାର କରୁଥିବା ସଂଶୋଧନ ମଧ୍ୟ ଚୂନ ଅଣୁ ସମ୍ପାଦନ କରିଥାଏ । ଯଦି ଚୂନ ଅଂଶ ଯଥେଷ୍ଟ ପରିମାଣରେ ଥାଏ ତେବେ ଅଧିକ ପରିମାଣର ଲୌହ ଦରକାର କରି ନ ଥାଏ । ଶାଗ, ମଟର, ଟମାଟୋ, ପିଆଜମ ଫୁଲକୋବି , ଗାଜର, ଶିମ ବନ୍ଧାକୋବି ଇତ୍ୟାଦି ଚୂନ ଜାତୀୟ ଖାଦ୍ୟ ଯୋଗାଇଥାନ୍ତି ।

  2. ଲୌହ

    ପନିପରିବାଗୁଡିକରେ ଅଧିକ ପରିମାଣରେ ଲୌହ ଅଂଶ ଥାଏ । ପାଚିଲା ଫଳରେ ଏହାର ପରିମାଣ କମ। କିନ୍ତୁ ସବୁଜ ପତ୍ରଗୁଡିକରେ ବହୁ ପରିମାଣର ଲୌହ ଥାଏ । ଏହାର ଅଭାବରେ ଶରୀରରେ ରକ୍ତହୀନତା ଦେଖାଦିଏ ।ଲୋହିତ ରକ୍ତକଣିକା ର ଏହି ଧାତୁ ହେଉଛି ଏକ ଅପରିହାର୍ଯ୍ୟ ଅଂଶ । ଶରୀରରେ ଘଟୁଥିବା ବିଭିନ୍ନ ରାସାୟନିକ ପ୍ରକ୍ରିୟାରେ ଦରକାର ହେଉଥିବା ଅମ୍ଳଜାନ ଲୌହ ଅଣୁ ବିହନ କରି ଯୋଗାଇଥାନ୍ତି । ନାନା ବିଧ ଶାଗ, ବନ୍ଧାକୋବି, ଶିମ, ମଟର, ଗାଜର, କଲରା, ଓ ଟମାଟୋରେ ଲୌହ ପରିମାଣ ଅଧିକ ।

  3. ଫସଫୁରକ

    ଏହା ଶରୀରରେ କାର୍ଯ୍ୟକ୍ଷମ ସମସ୍ତ ପ୍ରକାର ଟିସ୍ୟୁ ଓ ଅପରିହାର୍ଯ୍ୟ ଧାତୁ ଅଟେ । ଅସ୍ଥି ଓ କୋମଳ ତନ୍ତୁଗୁଡିକରେ କୋଷସଂଖ୍ୟାକୁ ଦ୍ରୁତ ଗତିରେ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଅଧିକନ୍ତୁ ତନ୍ତୁଗୁଡିକରେ ଆବଶ୍ୟକତା ଅନୁସାରେ ତରଳ ଅଂଶ ରକ୍ଷା କରିବା ଲାଗି ଏହା ଦରକାର ହୋଇଥାଏ । ଯେଉଁ ଶର୍କରାଗୁଡିକରୁ ଶକ୍ତି ପ୍ରଦାନ ହେଉଥାଏ ତାହାର କାରଣ ଲାଗି ଫସଫୁରିକ ଆବଶ୍ୟକ । ଆଳୁ, ଟମାଟୋ, କାକୁଡି, ଗାଜର, ଶାଗ, ଫୁଲକୋବି, ଆଦି ପନିପରିବା ଏହା ମିଳିଥାଏ ।

  4. ଆୟୋଡିନ

    ପିଆଜ, ଭେଣ୍ଡି, ଖରାଟିଆ କଖାରୁ ଆଦି ପନିପରିବାରୁ ଏହା ମିଳିଥାଏ । ସାଗର ଉଦ୍ଭିଦରେ ମଧ୍ୟ ଏହା ବହୁ ପରିମାଣରେ ଥିବା ଜଣାଯାଏ । ସ୍ୱାସ୍ଥ୍ୟର ସୁରକ୍ଷା ଲାଗି ଜମ୍ଭୁକୀ ବା ଆୟୋଡିନ ଦରକାର ହୋଇଥାଏ ।

  5. ମାଗ୍ନାସିଏମ

    ଶରୀରରେ ଏହା ମାଧ୍ୟମ ପରିମାଣରେ ରହିଥାଏ ।ସମସ୍ତ ଶରୀରରେ ମାଗ୍ନାସିଏମ ପରିମାଣ ଯାହା ଥାଏ ତାହାର ଶତକଡା 75 ଭାଗ ଦନ୍ତ ଓ ଅସ୍ଥିରେ ହିଁ ରହିଥାଏ । ଏହି ଧାତୁ ଚୂନ ଓ ଫସଫୁରକ ସହ ମିଶି ଜଟିଳ ଲବଣ ଆକାରରେ ରହିଥାଏ । ଭେଣ୍ଡି , କଞ୍ଚାଆମ୍ବ, ମଟର, କଞ୍ଚାକଦଳୀ, ଖଡା, କଅଁଳିଆ ନିମପତ୍ର ଓ ଅନ୍ୟାନ୍ୟ ସବୁଜ ପତ୍ର ପରିବାରୁ ଏହା ମିଳିଥାଏ ।

  6. ସୋଡିୟମ ଓ କ୍ଳୋରିନ

    ଶରୀରର ଅସ୍ଥିରେ ଯେଉଁ ଲବଣ ରହିଥାଏ ସେଥିରେ ଏକ ଚତୁର୍ଥାଂଶ ଭାବ ସୋଡିୟମ ହୋଇଥାଏ । ଅସ୍ଥିଗୁଡିକୁ ଦୃଢ କରିବା ଲାଗି ଏହା ଦରକାର ବୋଲି କେତେକ ବୈଜ୍ଞାନିକମାନେ ମତ ଦିଅନ୍ତି । ସୋଡିୟମ ଓ କ୍ଳୋରିନ କୋଷରେ ଥିବା ତରଳ ପଦାର୍ଥ ଗୁଡିକର ଅସ୍ମଟିକ କନ ସନଟ୍ରେସନ ରକ୍ଷା କରିବାରେ ସହାୟକ ହୋଇଥାଏ । କ୍ଳୋରାଇଡ ପରୋକ୍ଷ ଭାବେ ଅଙ୍ଗାରକାମ୍ଳ ବା କାର୍ବନ ଡାଇଅକସାଇଡ କୁ ରକ୍ତ ପ୍ରବାହାରେ ପରିବହନ କରିଥାଏ । କ୍ଳୋରାଇଡ ପରମାଣୁ ହେଉଛି ଏଲେକ୍ଟ୍ରୋଲାଇଟ ଯାହା ପୃଷ୍ଟିସାର ପ୍ରଧାନତଃ ଗ୍ଲୋବ୍ୟୁଲିନର ଦ୍ରାବଣୀୟତାକୁ ନିୟନ୍ତ୍ରଣ କରି ଥାଏ ,। ବିଟ, ଗାଜର, ମୂଳା, କଞ୍ଚାଆମ୍ବ, ଲେଉଟିଆ ଶାଗ, ଲୋଶଳା , ମେଥି ଆଦି ସବୁଜ ଶାଗରୁ ମିଳିଥାଏ ।

  7. ପୋଟାସିୟମ

    ଶାରୀରରେ ପୋଟାସିୟମ ଅବଶ୍ୟକତା ରହିଛି । ମାଂସପେଶୀରେ ଏହା ଅଧିକ ମାତ୍ରାରେ ଦେଖାଯାଏ ଓ କୋଷଗୁଡିକରେ ତରଳ ଅଂଶରେ ଅସ୍ମଟିକ କନସନଟ୍ରେସନ ରକ୍ଷା କରିବାରେ ମଧ୍ୟ ସହାୟକ ହୋଇଥାଏ । ଭେଣ୍ଡି, କଞ୍ଚାଆମ୍ବ, ମଟର, କଞ୍ଚାକଦଳୀ, ଜହ୍ନି, ପାଳଙ୍ଗ ଓ ଅନ୍ୟାନ୍ୟ ସବୁଜ ଶାଗ ଓଲୁଅ, କଲରା , କଞ୍ଚାଅମୃତଭଣ୍ଡା, କଞ୍ଚା ପଣସ ଓ ପଣସମଞ୍ଜି ଇତ୍ୟାଦି ଅନେକ ପ୍ରକାରର ପାରିବାରୁ ଏହା ସହଜେ ମିଳିଥାଏ ।

  8. ତାମ୍ର

    ଏହି ଧାତୁ ପଦାର୍ଥର ଅନେକ ଗୁଣ ମଧ୍ୟରୁ ଗୋଟିଏ ହେଉଛି ଖାଦ୍ୟ ପଦାର୍ଥଗୁଡିକରୁ ଲୌହ ଧାତୁକୁ ରକ୍ତ ସଞ୍ଚାଳନରେ ବ୍ୟବହାର କରିବାରେ ସହାୟକ କରିବା ଓ ଇଲେକଟ୍ରୋଲାଇଟରେ ପରିଣତ ହେବାରେ ମଧ୍ୟ ଦରକାର କରିଥାଏ । ଏହି ଧାତୁ ଏନଜାଇମ ଓ ପୃଷ୍ଟିସାର ଏକ ପ୍ରଧାନ ଅଂଶ, ସାରୁ ପତ୍ର ଓ ନଡା , ଶଙ୍ଖୁଆଳୁ , କଞ୍ଚାଲଙ୍କା, ମୁନିଗା , କଞ୍ଚାଆମ୍ବ, ମଟରମ ମୂଳା, ଆଦି ପଡ଼ିବାରୁ ଏହା ପ୍ରାପ୍ତ ହୋଇଥାଏ ।

  9. ଗନ୍ଧକ

    ଗନ୍ଧକ,ଜୀବନ୍ତ ଥିବା ପ୍ରତ୍ୟେକ କୋଷ ଲାଗି ଦରକାର କରିଥାଏ । ଏମିନୋ ଏସିଡ, ପେପଟାଇଡ ଓ ପ୍ରୋଟିନ ସହ ଏହାର ସମ୍ବନ୍ଧ ବେଶି । ଅସ୍ଥି, ମାଂସପେଶୀ , ଟିସ୍ୟୁ ଗଠନରେ ଏହା ବ୍ୟବହାର ହୋଇଥାଏ । ମେଥିଶାଗ, ନିମପତ୍ର, ପିଆଜମ ମଟର, ଦେଶୀଆଳୁ, ବାଇଗଣ, ଛଚିନ୍ଦ୍ରା, ଛତୁ, ଆଦି ପନିପରିବାରୁ ଗନ୍ଧକ ମିଳିଥାଏ ।

  10. ମାଙ୍ଗାନିଜ

    ଅସ୍ଥିଗୁଡିକୁ ଉପଯୁକ୍ତ ଭାବେ ଗଠନ କରିବାକୁ ହେଲେ ମାଙ୍ଗାନିଜ ଅବାଶ୍ୟକ । ଏହା ଛଡା ଜନନେନ୍ଧେୟଗୁଡିକର ଗଠନ ଓ କାର୍ଯ୍ୟକାରିତା ଲାଗି ଏହି ଧାତୁ ଦରକାର ହୁଏ । ମଟର ,ଶିମ, ଝୁଡୁଙ୍ଗ, ଆଦି ପରିବା ଓ ପତ୍ର ଜାତୀୟ ସବୁଜ ପରିବାରୁ ଏହା ମିଳିଥାଏ ।

ଚାଷୀର ଆର୍ଥିକ ଉନ୍ନତି

ପନିପରିବା ଚାଷ ସାଧରଣ ଚାଷୀର ଚାଷ କାର୍ଯ୍ୟରେ ବହୁତ ସହାୟକ ହୋଇଥାଏ । ଧାନ୍ୟାଡି ଶସ୍ୟ ଜାତୀୟ ଫସଲ ପାଇବା ସଙ୍ଗେ ସଙ୍ଗେ ପରିବା ଚାଷ କରିବା ଦ୍ଵାରା ତାହାର ଏକର ପ୍ରତି ଶସ୍ୟାଡି ଫସଲ ତୁଳନାରେ ଅଧିକ ଅମଳ ହୋଇଥାଏ । ଏହା ଏକ ଅର୍ଥକାରୀ ଫସଲ । ଏହା ପରିବାର ଓ ଗୃହପାଳିତ ଜୀବଜନ୍ତୁମାନଙ୍କର ଖାଦ୍ୟ ରୂପେ ବ୍ୟବହୃତ ହୁଏ । ପନିପରିବା ଚାଷ ଦ୍ଵାରା କୃଷକ ନିଜର କ୍ଷେତକୁ ବର୍ଷସାରା ବିନିଯୋଗ କରି ଲାଭ ପାଏ ।

  1. ନିୟମିତ ଓ ଆଶୁ ଅଧିକ ଅର୍ଥୋପାର୍ଜନ

    ଯେଉଁ ଚାଷୀମାନେ କେବଳ ବଗିଚା କରି ପନିପରିବା ଚାଷ କରନ୍ତି, ସେମାନେ ଗୋଟିଏ ପରେ ଗୋଟିଏ ପରିବା ଏକ ଜମିରୁ ଅମଳ କରିବା ଦ୍ଵାରା ନିୟମିତ ଭାବେ ବଜାରକୁ ପରିବା ପଠାଇ ଅର୍ଥୋପାର୍ଜନ କରିଥାନ୍ତି । ଧାନ୍ୟାଦି ଫସଲ ହେଉଥିବା ଜମିରେ ଓ ଗୋଟିଏ ଫସଲ ନେଇ ଆଉ ଗୋଟିଏ ଫସଲ ଲଗାଯିବା ପୂର୍ବରୁ ମିଳୁଥିବା ସମୟ ଭୀତରେ ସୁବିଧା ସ୍ଥଳେ ପରିବା ଫସଲଟିଏ ଉଠାଇବା ଦ୍ଵାରା ଚାଷୀ କମ ସମୟ ଭୀତରେ ଆଉ ଗୋଟିଏ ଫସଲ ଉଠାଇ ଲାଭବାନ ହୋଇଥାଏ । ତେଣୁ ଫସଲର ଖସଡା ରେ ପନିପରିବା ଚାଷ ଅନ୍ତର୍ଭୁକ୍ତ କରିବା ଦ୍ଵାରା ଏଡା ସମ୍ଭବ ହୋଇଥାଏ । ପନିପରିବାଗୁଡିକର ମୂଲ୍ୟ ଧାନ୍ୟାଦି ତଥା ଅନ୍ୟାନ୍ୟ ଶସ୍ୟଜାତୀୟ ଫସଲର ମୂଲ୍ୟଠାରୁ ଅଧିକ ହୋଇଥାଏ । କିନ୍ତୁ ଧାନ୍ୟାଦି ଫସଲ ଅମଳ ହେବା ପରେ ଅର୍ଥାତ ସର୍ବାଧିକ ଅମଳ ହେବା ଋତୁରେ ସେଗୁଡିକ ଶସ୍ତା ଦରରେ ବିକ୍ରି ହେବ ଦ୍ଵାରା ଚାଷୀକୁ କମ ମୂଲ୍ୟ ମିଳିଥାଏ । ଯେହେତୁ ପନିପରିବା ତୁଳାନାରେ ଏହି ପ୍ରକାରର ଫସଲ ଅମଳ ପରିମାଣ କମ କିନ୍ତୁ ପଣିପରିବା କ୍ଷେତ୍ରରେ ସର୍ବାଧିକ ଅମଳ ସମୟରେ ଦର କମୁଥିଲେ ମଧ୍ୟ ଏକର ପ୍ରତି ବହୁ ପରିମାଣର ଖାଦ୍ୟପଦାର୍ଥ ଅମଳ ହେଉଥିବା ହେତୁ ସେହି ତୁଳନାରେ ଚାଷୀ ଅଧିକ ମୂଲ୍ୟ ପାଇଥାଏ । ବର୍ଷାଋତୁ ସମୟରେ କଖାରୁ ଓ ଅନ୍ୟାନ୍ୟ ପନିପାରିବ ଫସଲ, ଗୋ- ଖାଦ୍ୟ ଫସଲ ଓ ଶସ୍ୟ ଜାତୀୟ ଫସଲ ଠୁଣାରେ ଅଧିକ ଲାଭପ୍ରଦ । ଅର୍ଥଲାଭ ପାଇବାରେ କ୍ଷମ ହୋଇଥାଏ । ବର୍ଷରେ ବିଭିନ୍ନ ଋତୁରେ ଚାଷ କରିବାକୁ ହେଲେ ଶୀଘ୍ର ଚାଷ କରି ପରିବା ବଜାରକୁ ଆଗ ପଠାଇ ପାରିଲେ ଅଧିକ ଲାଭ ମିଳିଥାଏ । ଏହା ଛଡା ପନିପରିବା କନ ସମୟରେ ଅମଳ ହୁଏ । ଏଣୁ ଶୀଘ୍ର ଅଧିକ ଲାଭ ମିଳିଥାଏ । ଶାଗ ଆଦି କେତେକ ପରିବା ମଞ୍ଜି ଲଗାଯିବା 15 ରୁ 20 ଦିନ ପରେ ଅମଳ ହେବାକୁ ଆରମ୍ଭ କରେ । ବାଇଗଣ, ଭେଣ୍ଡି, ଲଙ୍କାମରୀଚ, ଅମଳ ଶୀଘ୍ର ଆରମ୍ଭ ହୋଇ ଗଛ ମାରିବା ଯାଏ ବରାବର ଫଳ ତୋଳି ବଜାରରେ ବିକ୍ରି କରି ଅର୍ଥ ଉପାର୍ଜନ କରାଯାଏ । ବର୍ଷର ପ୍ରତି ଋତୁରେ ଗୋଟିକରୁ ଅନେକ ଫସଲ ଅମଳ କରିବା ସୁବିଧା ଥିବା ହେତୁ ବର୍ଷସାରା ଅର୍ଥ ଉପାର୍ଜନ କରିବା ସମ୍ଭବ ହୋଇଥାଏ।

  2. ଅଧିକ ଖାଦ୍ୟ ଅମଳ-

    ଧାନ୍ୟାଦି ଫସଲ ତୁଳନାରେ ପନିପରିବା ବହୁ ପରିମାଣରେ ଅଧିକ ଅମଳ ହୋଇଥାଏ । ତେଣୁ ଅଧିକ ଉପାର୍ଜନ ହେବାରେ ସହାୟକ ହେବା ସଙ୍ଗେ ସଙ୍ଗେ ଖାଦ୍ୟାଭାବ ଜନିତ ଅସୁବିଧା ଦୂର କରିବାରେ ସହାୟକ ହୋଇଥାଏ । ଏହାଦ୍ୱାରା ଶର୍କରା ଆଦି ଅତ୍ୟଧିକ ଖାଦ୍ୟ ଖାଉଥବା ହେତୁ ଧାନ୍ୟାଦି ଫସଲର ଅଭାବ ପଡୁଥିବା ସଙ୍ଗେ ସଙ୍ଗେ ସୁଷମ ଖାଦ୍ୟ ଯୋଗାଇବାରେ ପନିପରିବା ସହାୟକ ହୋଇଥାଏ ।

    ନିମ୍ନୋକ୍ତ ତାଲିକାରୁ ହେକ୍ଟର ପିଛା ଅମଳ ହେଉଥିବା ଖାଦ୍ୟପଦାର୍ଥ ତୁଳନାରେ ମୂଲ୍ୟ ସହଜରେ ଜାଣିହେବ ।

  3. ପନିପରିବା ଓ ଅନ୍ୟାନ୍ୟ ଶସ୍ୟର ତୁଳନାତ୍ମକ ଅମଳ ହେକ୍ଟର ପ୍ରତି କ୍ଵିଣ୍ଟାଲ -

    ଉଦ୍ୟାନ ବିଜ୍ଞାନ ଫସଲ

    କ୍ଷେତ୍ର ବିଜ୍ଞାନ ଫସଲ

    ଧାନ ଅଧିକ ଅମଳ:50

    ବୁଟ (ସେଚିତ):25

    ବାଜରା ଶଙ୍କର:50

    ମଟର ମଞ୍ଜି:10

    ମଣ୍ଡିଆ:11

    ଝୁଡୁଙ୍ଗ ମଞ୍ଜି:9

    ଗହମ ଦେଶୀ:30

    ଶିମ:6

    ଗହମ ମେକସିକାନ:40

    ସୋୟାବିନ:10

    ଜଡା:12

    ଆଦା (କଞ୍ଚା):120

    ଚିନାବାଦାମ:35

    ଲଙ୍କା (କଞ୍ଚା):60

    କଫା:30

    ରସୁଣ:120

    ଝୋଟ:20

    ପିଆଜ:200-250

    ଆଖୁ:50-60 ଟନ

    ବନ୍ଧାକୋବି: 200

    ବିରି:10

    ମୂଳା, ଶାଳଗମ:150-200

    ମୁଗ:8

    ଆଳୁ:120

    କୋଳଥ:9

    କନ୍ଦମୂଳ:125

    ତୁର:10

    ବାଇଗଣ:160

    ମକା ଶଙ୍କର (ଜଳସେଚିତ):60

    ଭେଣ୍ଡି:100

    କାକୁଡି:75

    କଖାରୁ:75-125

    ଛଚିନ୍ଦ୍ରା:75

    ସ୍ଵିଟକର୍ଣ୍ଣ:45

  4. ଚାଷୀର ଉତ୍ତମ ପୃଷ୍ଟିକର ଖାଦ୍ୟ ଲାଭ ଚାଷୀ ଧାନ, ଗହମ ଆଦି ଚାଷ କରିବା ପରେ ପନିପରିବା ଚାଷ କରିବା ହେତୁ ପରିବାର ଲୋକଙ୍କ ସୁଷମ ଖାଦ୍ୟ ଯୋଗାଏ । ତଦ୍ଵାରା ଏହି ଶ୍ରେଣୀର ଚାଷୀ ପରିବାର ସୁସ୍ଥ, ସବଳ ଓ କର୍ମଠ ହୋଇଥାନ୍ତି ।

  5. ଗୃହପାଳିତ ପଶୁପକ୍ଷୀଙ୍କ ଖାଦ୍ୟ ଉପାଦାନ

    ପନିପରିବା ଚାଷକାରୀ ଫସଲ ଅମଳ ପରେ ରହିଯାଉଥିବା ସବୁଜ ପତ୍ର, ଡେମ୍ଫ, ନାଡ, ଇତ୍ୟାଦି ପଦାର୍ଥ ଗୃହପାଳିତ ପଶୁପକ୍ଷୀଙ୍କର ଖାଦ୍ୟ ବ୍ୟବହାର ହୁଏ । ତଦ୍ୱାରା ପଶୁ ସମ୍ପଦ ସୁସ୍ଥ ସବଳ ହୋଇଥାନ୍ତି ।

  6. ଖତ ରୂପେ ବ୍ୟବହାର

    ପାରିବ ଫସଲ ବର୍ଷ ସାରା ଅମଳ କରିବା ପରେ ଯେଉଁ ଅଂଶସବୁ ଜମିରେ ଛାଡି ଦିଆଯାଏ । ସେଗୁଡିକ ଚାଷ ଦ୍ୱାରା ମାଟିରେ ସଢି ଖତ ହୁଏ । ତଦ୍ୱାରା ଜମିର ଉର୍ବରଶକ୍ତି ବଢେ ।

  7. ବର୍ଷବ୍ୟାପୀ ଧନ୍ଦା ବା କର୍ମଯୋଗାଣ

    ପନିପରିବା ଚାଷ କରିବା ଦ୍ୱାରା ବର୍ଷସାରା କ୍ଷେତରେ କାମ ଚାଲିଥାଏ । ମୁଖ୍ୟ ଫସଲ ଚାଷ ପରେ ପରେ ଜମିରେ ପନିପରିବା ଫସଲ ଅମଳ କରାଯାଏ । ଯେଉଁ ବଗିଚାରେ କେବଳ ପନିପରିବା ଚାଷ ହୁଏ , ସେଠାରେ ମଧ୍ୟ ବର୍ଷସାରା କୃଷିକାର୍ଯ୍ୟ ଚାଲିଥାଏ ।

  8. ଫସଲ ପର୍ଯ୍ୟାୟ ଓ ମିଶ୍ରିତ ଫସଲ ଚାଷ ସୁଯୋଗ

    ପନିପରିବା ଚାଷ କରିବା ଦ୍ୱାରା କ୍ଷେତରେ ଫସଲ ପର୍ଯ୍ୟାୟ ଓ ମିଶ୍ରିତ ଫସଲ ପ୍ରଣାଳୀ ଅନୁସରଣ କରାଯାଇପାରେ । ତଦ୍ୱାରା ଜମିରେ ଉର୍ବରତା ରକ୍ଷା କରି ହୁଏ । କୀଟ ଓ ରୋଗରୋଧ କରିବା ସୁବିଧାଜନକ ହୋଇଥାଏ । ଗୋଟିଏ ଫସଲ କ୍ଷତି ହୋଇଗଲେ ମଧ୍ୟ ସେହି ଜମିରୁ ଅନ୍ୟ ଫସଲ ଉଠାଇବା କରାଯାଇପାରେ ।

  9. ଜମିର ସଦବ୍ୟବହାର

    ପନିପରିବା ଚାଷ କରିବା ଦ୍ୱାରା ସାରା ବର୍ଷ ଲାଗି ଫସଲ ଖସଡା କରି ନିଜ ସମ୍ବଳକୁ ଉଚିତ ପ୍ରକାରର ବିନିଯୋଗ କରାଯାଇପାରେ । ଜମି, ଶ୍ରମ ଓ ଅର୍ଥର ଯଥାଯଥ ବିନିଯୋଗ ଦ୍ୱାରା କୃଷକ ଲାଭବାନ ହୋଇଥାଏ ।

  10. ଚାଷୀର ବଜାର ସହ ସମ୍ପର୍କ ସୃଷ୍ଟିରେ ସହାୟକ

    ପନିପରିବା ବରାବର ଚାଷ କରିବା ଦ୍ୱାରା ଚାଷୀ ବର୍ଷସାରା କିଛି ନା କିଛି ଫସଲ ଅମଳ କରି ବଜାର ସହିତ ସମ୍ବନ୍ଧ ରଖିଥାଏ । ତା ଫଳରେ ବଜାରରୁ କଣ ଆସୁଛି, ଖରିଦ କର୍ତ୍ତା କଣ ଚହୁଁଛନ୍ତି ଓ ବଜାରରେ ବିଭିନ୍ନ ଜିନିଷର ଦରଦାମ କିପରି ଅଛି ଚାଷୀ ସହଜରେ ବୁଝିନିଏ । ଚାଷୀ ନିଜର ଭବିଷ୍ୟତ ଫସଲ ବିଷୟରେ କାର୍ଯ୍ୟପନ୍ଥା ସ୍ଥିର କରେ । ଖରିଦ କର୍ତ୍ତା କି କି ପ୍ରକାରର ପାରିବା ଚାହୁଁଛି ଓ କେଉଁ କିସମଗୁଡିକର ଚାହିଦା ଅଛି ଓ କେଉଁ ସମୟରେ ଚାଷ କରି ପରିବାଗୁଡିକ ବଜାରକୁ ପଠାଗଲେ ଅଧିକ ଲାଭ ମିଳିବ , ଚାଷୀତାହା ସ୍ଥିର କରେ । ଏହାଦ୍ୱାରା ଚାଷଲାଗି ଓ ନିଜ ଲାଗି ଦରକାର କରୁଥିବା ବିହନ ଖତ, ସାର, ପୋକ, ଓ କୀଟନାଶକ ଔଷଧଯନ୍ତ୍ରପାତି ଇତ୍ୟାଦି ସଂଗ୍ରହ କରି ଚାଷ କାର୍ଯ୍ୟକୁ ସୁନିୟନ୍ତ୍ରିତ କରିବାରେ ସୁବିଧା ପାଏ ।

  11. ବହୁ ପର୍ଯ୍ୟାୟ ଚାଷ

    ଅନ୍ୟାନ୍ୟ ଫସଲ ତୁଳନାରେ ପନିପରିବାଗୁଡିକ ବର୍ଷସାରା ଗୋଟିଏ ପାରେ ଗୋଟିଏ ଓ କେତେକ କ୍ଷେତ୍ରରେ ଏହା ଏକା ସମୟରେ ଏକ ଜମିରୁ ଏକାଧିକ ଫସଲ ଅମଳ କରାଯାଇପାରେ । କଖାରୁ, ଭେଣ୍ଡି, ବାଇଗଣ, ଜହ୍ନି, କାକୁଡି, ନାନା ପ୍ରକାର ଶାଗ ବର୍ଷରେ ଦୁଇ ତିନିଥର ଅମଳ କରି ହୁଏ । କେତେକ ସବୁଜ ପରିବା ୪୫ରୁ ୬୦ ଦିନ ଭିତରେ ଅମଳକ୍ଷମ ହୁଏ । ତେଣୁ ଏକାଧିକ ଥର ଫସଲ ଉଠିଆ କରାଯାଇପାରେ । ଆଶୁ ଅମଳକ୍ଷମ ପନିପରିବା ଚାଷ କରିବା ଦ୍ୱାରା ବର୍ଷରେ ଅନେକ ଅମଳ କରିହୁଏ ।

ପନିପରିବା ଚାଷରେ ସୌନ୍ଦର୍ଯ୍ୟ ବୋଧ

ମନୁଷ୍ୟ କେବଳ ଖାଦ୍ୟୋତ୍ପାଦନ ଉଦ୍ଦେଶ୍ୟରେ ଚାଷ କରିଥାଏ , ତାହା ନୁହେଁ ସୌନ୍ଦର୍ଯ୍ୟ ସୃଷ୍ଟି ମଧ୍ୟ ତାର ଅନ୍ୟତମ ଲକ୍ଷ୍ୟ । ଏଣୁ ବିଶେଷ ଭାବେ ପନିପରିବା ଚାଷ କଲାବେଳେ କ୍ଷେତ୍ରରେ ଛୋଟ ଛୋଟ ପାତି ତିଆରି କରେ । ଚାରାଗୁଡିକ ଧାଡି ଧାଡି କରି ଲଗାଏ । ଯଥା ସମୟରେ ଉକ୍ତ ପନିପରିବା ଗୁଡିକୁ ଧାଡି ଧାଡି କରି ଲଗାଏ । ଯଥା ସମୟରେ ପନିପରିବା ସୁନ୍ଦର ଭାବେ ବଢି କ୍ଷେତରେ ଶୋଭା ବଢାନ୍ତି । ପୁଣି ପରିବା ଉଦ୍ଭିଦର ବିଭିନ୍ନ ରଙ୍ଗ, ଫଳଗୁଡିକର ହାରରଙ୍ଗୀ ଶୋଭା ଓ ଫୁଲ ଫଳର ମହକ ଦର୍ଶକର ଦୃଷ୍ଟି ଆକର୍ଷଣ କରେ । ଏହାଦ୍ୱାରା ଦର୍ଶକଙ୍କର ମନ ଆନନ୍ଦରେ ଉତଫୁଲ୍ଲୁ ହୋଇଉଠେ । ବିଶେଷତଃ ପାକଶାଳା ବଗିଚା ଏହି ଦୃଷ୍ଟିରୁ ମହତ୍ଵପୂର୍ଣ୍ଣ ସହର ଜୀବନ ଅବିଶ୍ରାନ୍ତ ଓ କର୍ମକ୍ଳାନ୍ତ । ଏଥିରୁ ମୁକ୍ତି ପାଇବା ପାଇଁ ସହରର ଲୋକେ ମୃତ୍ତିକା ଓ ଉଦ୍ଭିଦ ସହ ସେମାନଙ୍କର ସମ୍ବନ୍ଧ ରଖିବା ଦରକାର ହୋଇଥାଏ । ଶାରୀରିକ ବ୍ୟାୟାମ ଓ ମାନସିକ ଉତଫୁଲ୍ଲତା ପାଇଁ ସହରରେ ଲୋକେ ପାକଶାଳା ଉଦ୍ୟାନ କରିଥାନ୍ତି । ଏଥିରେ ସହରବାସୀ ନିଜେ ନିଜେ ପରିଶ୍ରମ କରିଥାନ୍ତି । ଶାରୀରିକ ପରିଶ୍ରମ କରିବା ହେତୁ ସେମାନଙ୍କର ଦେହ ସୁସ୍ଥ, ସବଳ ରଖେ ଓ ସେମାନଙ୍କର ଆତ୍ମବିଶ୍ବାସ ବୃଦ୍ଧି ପାଏ ।

ପନିପରିବା ଚାଷର ସୁଯୋଗ ଓ ଭାରତରେ ପନିପରିବା ଶିଳ୍ପ

ଭାରତବର୍ଷରେ କିମ୍ବା ପ୍ରତ୍ୟେକ ପ୍ରଦେଶରେ ପାଣିପାରିବା ଚାଷର ପରିମାଣ ଓ ତାର ଅମଳ ସମ୍ପର୍କରେ ଜ୍ଞାନଲାଭ ପାଇଁ ବିଧିବଦ୍ଧ ଭାବେ କୌଣସି ପ୍ରଥା ଅନୁସ୍ତ୍ରୁତ ହେଉ ନାହିଁ । ବସ୍ତୁତଃ ଆମେରିକାଦି ଉନ୍ନତ ଦେଶ ପରି ଆମ ଦେଶରେ ନିର୍ଦ୍ଧିଷ୍ଟ ଓ ବିଧିବଦ୍ଧ ଭାବେ ଯେପରି ଚାଷ କରିବା କଥା ସେପରି ଚାଷ ହୋଇ ନଥାଏ । ପ୍ରତିବର୍ଷ ପ୍ରତ୍ୟେକ ପନିପରିବାଗୁଡିକର ଚାଷର ଚାଷର ପରିମାଣ ଓ ପ୍ରକାରରେ ବରାବର ପ୍ରତିବର୍ତ୍ତନ ହେଉଥାଏ । ପୁଣି ବ୍ୟବସାୟ ଭିତ୍ତିରେ ହେଉଥିବା ଚାଷକୁ ଛାଡିଦେଲେ ପାକଶାଳା ବଗିଚା ଓ ଅନ୍ୟାନ୍ୟ ସୌଖୀନ ଅନୁସାରେ ସ୍ୱଳ୍ପ ପରିମାଣ ପନିପରିବା ଚାଷ କରାଯାଉଥିବା ହେତୁ ହିସାବ ରଖିବା ସୁବିଧାଜନକ ହୋଇନ ଥାଏ । ତେବେ ସ୍ଥୁଳ ଭାବେ ଭାରତରେ ପନିପରିବା ଚାଷର କ୍ଷେତ୍ରଫଳ ପ୍ରାୟ ୫୦,୦୦,୦୦୦ ଏକର ଓ ସେଥିରୁ ପ୍ରାୟ ସର୍ବମୋଟ ୧,୬୦,୦୦,୦୦୦ ଟନ ପରିବା ଅମଳ କରାଯାଇଥାଏ । ତେବେ ଏଥିରୁ ଆଳୁ, ପିଆଜ, ଲଙ୍କା, ଦେଶୀଆଳୁ, କଞ୍ଚାକଦଳୀ , ଆଦି କେତେକ ପଡ଼ିବାରୁ ଅନ୍ତର୍ଭୁକ୍ତ କରଯାଇନାହିଁ । ସେହିପରି ଓଡିଶାରେ (୧୯୬୩-୬୪) ପ୍ରାୟ ୧,୫୮,୯୭୩ ହେକ୍ଟର ଜମିରେ ପନିପରିବା ଚାଷ କରାଯାଇଥାଏ । ପନିପରିବା ଚାଷ ନିମ୍ନୋକ୍ତ କେତୋଟି ସୁବିଧା ଉପରେ ନିର୍ଭର କରେ ।

  1. ଉପଯୁକ୍ତ ଜଳବାୟୁ
  2. ଉପଯୁକ୍ତ ମାଟି
  3. ଜମିର ପତ୍ତନ
  4. ଯଥାଯଥ ସାର ଯୋଗାଣ
  5. ଜଳସେଚନ ସୁବିଧା
  6. କୀଟ ଓ ରୋଗ ପ୍ରତିରୋଧକ ବ୍ୟବସ୍ଥା
  7. ସୁଲଭ ଶ୍ରମିକ ଲାଭ
  8. ପନିପରିବା ସଂରକ୍ଷଣର ସୁବିଧା
  9. ବିପଣୀ ଓ ସରବରାହ ବ୍ୟବସ୍ଥା
  10. ଉତ୍ତମ ବିହନ ପ୍ରାପ୍ତି
  11. ପନିପରିବା ଚାଷ ସମ୍ପର୍କରେ ବୈଷୟିକ ଜ୍ଞାନ ।

ଉପରୋକ୍ତ ସୁବିଧାଗୁଡିକ ବିଚାର କଲେ ଆମ ଦେଶରେ ପନିପରିବା ଚାଷ କରିବା ଲାଗି ବହୁ ସୁବିଧା ରହିଛି । ମୃତ୍ତିକା, ଜଳସେଚନ, ଖତ ସାର, କୀଟ ଓ ରୋଗ ନାଶକ ଔଷଧ, ବଗିଚା, ଯନ୍ତ୍ରପାତି, ବିହନ, ଯାନବାହନ ତଥା ଶୀତତାପ ନିୟନ୍ତ୍ରଣ ଭଣ୍ଡାର ଆଦିର ସୁବିଧା ବୃଦ୍ଧି ପାଉଛି । ତଦ୍ୱାରା ଆମ ଦେଶରେ ପନିପରିବା ଚାଷ ପାଇଁ କ୍ଷେତ୍ର ବେଳବେଳ ପ୍ରଶସ୍ତ ହୋଇଉଠୁଛି ।

ଏହି ସବୁ ଉପାଦାନ ଆମେ ଖାଉଥିବା ଖାଦ୍ୟପଦାର୍ଥରୁ ଶରୀର ସଂଗ୍ରହ କରିଥାଏ । ଗୋଟିଏ ପ୍ରକାର ଖାଦ୍ୟ ବରାବର ଖାଉଥିଲେ ଏପରି ଶରୀର ପୃଷ୍ଟିକାରକ ଉପାଦାନଗୁଡିକ ଲାଭ କରିବା ସମ୍ଭବପର ନୁହେଁ । ଅଧିକାଂଶ ପୃଷ୍ଟିକାରକ ଉପାଦାନ ମୁଖ୍ୟତଃ ବିଭିନ୍ନ ପନିପରିବାଗୁଡିକରୁ ମିଳିଥାଏ । ତାଲିକାରୁ ଏହା ଜାଣିହେବ ।

ଆଧାର – ଡ଼ଃ ରମେଶ ଚନ୍ଦ୍ର ଦାସ ,ମୁଖ୍ୟ ଅଧ୍ୟାପକ, ଉଦ୍ୟାନ ବିଜ୍ଞାନ ବିଭାଗ,କୃଷି ମହାବିଦ୍ୟାଳୟ, ଭୁବନେଶ୍ଵର

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate