ହୋମ / କୃଷି / କୃଷି ଉଦ୍ୟୋଗ / ପନିପରିବା ଚାଷ / ପନିପରିବା ଚାଷ (ଫଳଜାତୀୟ ପରିବା) ଭାଗ - ୨
ସେଆର କରନ୍ତୁ

ପନିପରିବା ଚାଷ (ଫଳଜାତୀୟ ପରିବା) ଭାଗ - ୨

ଫସଲ ପର୍ଯ୍ୟାୟ ଅବଲମ୍ବନରେ ଚାଷ କରାଯାଇ ଚାଷୀର ଆର୍ଥିକ ପରିସ୍ଥିତିରେ ବିଶେଷ ଭାବେ ସହାୟକ ହୋଇଥାଏ ।

କଖାରୁ ଜାତୀୟ ପରିବା

କଖାରୁ ଜାତୀୟ ପରିବାଗୁଡିକ ଆମ ଦେଶରେ ପ୍ରଧାନ ପନିପରିବା, ଓ ବହୁ ପୁରାତନ କାଳରୁ ଏହା ଚାଷ ହୋଇଆସୁଛି । ବହୁ ପ୍ରକାରର କଖାରୁ ଜାତୀୟ ପରିବା ଚାଷ କରାଯାଏ ଯେପରି ବୋଇତିକଖାରୁ, ଜହ୍ନି, ଲାଉ, କାକୁଡି ଇତ୍ୟାଦି । ବିଭିନ୍ନ ଋତୁରେ ଏଗୁଡ଼ିକର ଚାଷ କରିବା ସମ୍ଭବପର ହେଉଥିବା ଦୃଷ୍ଟିରୁ ଏହି ଶ୍ରେଣୀର ପରିବାଚାଷର ପ୍ରାଧାନ୍ୟ ବେଶୀ । ସୂଚୀ ୪୧ରୁ କଖାରୁ ଜାତୀୟ ପରିବାଗୁଡିକର ଖାଦ୍ୟ ମୂଲ୍ୟ ସହଜେ ବୁଝି ହୁଏ ।

ବୋଇତି କଖାରୁ

ଏହାକୁ ବୋଇତାଳୁ ମଧ୍ୟ କହନ୍ତି । ଖରାବର୍ଷା ଓ ଶୀତରେ ଏହାର ଚାଷ କରାଯାଇଥାଏ । ଫଳଗୁଡିକ କଞ୍ଚା ଅବସ୍ଥାରୁ ଗଛରୁ ତୋଳି ରାନ୍ଧି ଖିଆଯାଏ ଓ ପାଚିଲେ ଟାଣହୋଇ ରଙ୍ଗ ବଦଳୀ ବହୁଦିନଯାଏ ସାଇତି ମଧ୍ୟ ବ୍ୟବହାର କରାଯାଏ । ଏହି ଅବସ୍ଥାରେ ଫଳରେ ତିନି ଅଂଶ ଭରପୁର ଥିବା ହେତୁ ମିଠା ଲାଗେ ଏହାର କଅଁଳପତ୍ର ଶାଗ ରୂପେ ବ୍ୟବହୃତ ହୁଏ ଓ ଅଣ୍ଡିରାଫୁଲ ତଥା ନାଡ ବା ଡଙ୍କ ତରକାରୀ ରୂପେ ବ୍ୟବହାର କରାଯାଏ । ପାକଳ ମଞ୍ଜିରୁ ଚୋପାଛଡାଇ ଗୁଡ ବା ଚିନି ପାଗ କରି ମିଠେଇ ମଧ୍ୟ ତିଆରି କରାଯାଏ ।

ପ୍ରକାର

କଖାରୁ ଶ୍ରେଣୀ ବିଭାଗ ଠିକଭାବେ କରାଯାଇ ନଥିବା ହେତୁ ବିଭିନ୍ନ ପ୍ରକାରର କଖାରୁଗୁଡିକୁ ନିର୍ଦ୍ଧିଷ୍ଟଭାବେ କେଉଁ ଗୋଷ୍ଠୀର କହିବା ସୁବିଧା ଜନକ ହୋଇ ନଥାଏ । ଓଡିଶାରେ ଋତୁ ଭେଦରେ ଚାଷୀମାନେ କଖାରୁ ଚାଷ କରିଥାନ୍ତି । ବର୍ଷାଦିନିଆ ବା ଭୋଦେଇକଖାରୁ, ଖରାଟିଆ ବା ଚଇତାଳି କଖାରୁ, ପଠା ପାଲ, ବା ବାଲିକଖାରୁ, ଏପ୍ରିଲ ମଝି, ଜାନୁଆରୀ ଓ ଅକ୍ଟୋବର ମାସରେ ଯଥାକ୍ରମେ ଏହି ତିନି ପ୍ରକାରର କଖାରୁ ଲଗାଯାଇଥାଏ । ଆକାର ଭେଦରେ ଲମ୍ବା, ଚକା ବା ଗୋଲ କଖାରୁ ଦେଖାଯାଏ । ଭିତରେ ଶସ ଧଳା, ହଳଦିଆ ଲାଲ ଇତ୍ୟାଦି ରଙ୍ଗର ମଧ୍ୟ ଦେଖାଯାଏ । ଲାର୍ଜରେଡ, ଲାର୍ଜରାଉଣ୍ଡ, ୟେଲୋଫ୍ଲେସଡ, ରେଡଫ୍ଲେସଡ ଆଦି ମାନରେ କଖାରୁ ବିକ୍ରି ହୋଇଥାଏ । ଏଗୁଡିକ କୁକୁରବିଟା , ମୋସଚାଟା, ଶ୍ରେଣୀଭୁକ୍ତ । ଏହାଛଡା କୁକରବିଟା ପେପା ସମରସ୍କାସ ଓ କୁକୁରବିଟା ମେକସିମା ୱଣ୍ଟରସ୍କ୍ବାସ ନାମରେ ବିଭିନ୍ନ ଜାତୀୟ କଖାରୁ ଅନ୍ୟାନ୍ୟ ଦେଶରେ ମଧ୍ୟ ଚାଷ କରାଯାଏ । ଏରଲିଏଲୋ, ପ୍ରଲୋଫିକ୍ , ଅଷ୍ଟ୍ରେଲିଆ ଗ୍ରିନ୍ , ବଟରନଟ୍, ଗ୍ରିନ୍ ହୁବର୍ଡ, ଗୋଲଡନ ହୁବାର୍ଡ, ଟରଓସକେପ୍, ଲୁଚିମ୍ , ଗୋଲଡନ୍ ଡେଲିସିଏସ୍, କୋଜିଲି, ହ୍ଵାଇଟବୁସ୍ ସ୍କେଲୋପ, ପାଲଟିପେନ୍, କୃକ୍ ନେକ୍, ବଟରକପ୍ ଇତ୍ୟାଦି ।

ବଂଶବୃଦ୍ଧି

କଖାରୁ ମଞ୍ଜି ଦ୍ଵାରା ଚାଷ ହୋଇଥାଏ । ୭.୦ ରୁ ୮.୦ କେଜି ମଞ୍ଜି ହେକ୍ଟର ପ୍ରତି ଯଥେଷ୍ଟ ହୋଇଥାଏ । ଖରାଟିଆ ଫସଲ ଲାଗି ମନ୍ଦାଗୁଡିକ ୧.୫ X ୦.୭୫ ମିଟର ବ୍ୟବଧାନରେ ଓ ବର୍ଷାଦିନିଆ ଫସଲ ଲାଗି ୧.୫ X୧.୫ ମି ବ୍ୟବଧାନରେ ମଞ୍ଜି ପୋତାଯାଏ । ପ୍ରତି ମନ୍ଦାରେ ୩ରୁ ୪ ଟି କରି ମଞ୍ଜି ପୋତାଯାଏ ।

ଜଳବାୟୁ , ମୃତ୍ତିକା ଓ ଚାଷ ପ୍ରଣାଳୀ

କଖାରୁ ସାଧାରଣତଃ ଉଷ୍ମ ପ୍ରଧାନ ଫସଲ ଓ ଯେ କୌଣସି ମାଟିରେ ଚାଷ କରାଯାଇପାରେ ମନ୍ଦା ୩୦ ସେ.ମି ବ୍ୟାସ ଖୋଳି ସେଥିରେ ଖତ ପାଉଁଶ ଦେଇ ମଞ୍ଜି ୨.୫ ରୁ ୫.୦ ସେ.ମି ଗଭୀରରେ ପୋତାଯାଏ ପ୍ରଥମେ ମାଟିକୁ ୨ ରୁ ୩ ଥର ଚାଷ କରି ଓ ମଇ ଦେଇ ପରେ ମନ୍ଦା ପ୍ରସ୍ତୁତ କରି ମଞ୍ଜି ଲଗାଯାଏ । ନଈ ପଠାରେ ନଈବଢି ଛାଡିବାପରେ ପଟୁମାଟି ପଡିଥିବା ଜାଗାରେ ମନ୍ଦା ପ୍ରସ୍ତୁତ କରି ଫସଲ ଲଗାଯାଏ । ମନ୍ଦାଗୁଡିକ ଲାଗି ହେକ୍ଟର ପ୍ରତି ୧୫୫ ରୁ ୩୮୦ କ୍ଵିଣ୍ଟାଲ ନାଇଟସାଇଲି କମ୍ପୋଷ୍ଟ ବା ଗୋବରଖତ ବ୍ୟବହାର କରାଯାଏ । ହେକ୍ଟର ପ୍ରତି ୫୦୦ କ୍ଵିଣ୍ଟାଲ ଫଳ ଅମଳ ହେଲେ ମାଟିରୁ ୭୫ କେଜି ଯବକ୍ଷାର, ୮୦ କେଜି ଫସ୍ ଫରିକ୍ ଏସିଡ, ୮୦ କେଜି ପଟାସ ଓ ୩୦ କେଜି କେଲସିଏମ୍ ଅକସାଇଡ ବ୍ୟବହାର ହୋଇଥାଏ । ମୃତ୍ତିକାର ଅମ୍ଳତା pH ୬.୦ ରୁ ୬.୫ ଭିତରେ ରକ୍ଷା କରି ସାର ପ୍ରୟୋଗ କରାଯାଏ । ଫସ୍ ଫରସ୍ ଏହି ଫସଲ ବହୁ ପରିମାଣରେ ଦରକାର କରେ । ଶୀତ ଓ ଖରାଟିଆ ଫସଲରେ ଜମିର ଅବସ୍ଥା ଦେଖି ପାଣି ମଡାଯାଏ । ଘାସବଛା ଦୁଇଥର କରାଯାଏ । ଏହି ସମୟରେ ୦.୯ ରୁ ୧.୩୭ କ୍ଵିଣ୍ଟାଲ ଏମୋନିୟମ୍ ନାଇଟ୍ରେଟ ପ୍ରୟୋଗ କରାଯାଏ । କଖାରୁ ପାଚିବା ଲାଗି ୧୧୦ ରୁ ୧୨୦ ଦିନ ସମୟ ନିଏ । ତେଣୁ କଖାରୁ ଓ ୱଣ୍ଟର ସ୍କ୍ବାସରେ ଫଳଗୁଡିକ ଭଲଭାବେ ବଢି ପାକଳ ହେବା ପରେ ଓ ପାଚିଲା ପରେ ତୋଳିବା ଉଚିତ। ଏହି ସମୟରେ ଫଳଗୁଡିକର ରଙ୍ଗସାଗୁଆରୁ ପରିବର୍ତ୍ତନ ହୋଇ ହଳଦିଆ ଓ କମଳା ରଙ୍ଗ ଧରି ଚୋପା ଟାଣ ହୋଇଥାଏ । ସମର ସ୍କ୍ବାସଗୁଡିକ ସାଗୁଆଥିବା ଅବସ୍ଥାରେ ଓ ମଞ୍ଜି ପକ୍ଵ ହେବା ପୂର୍ବରୁ ଅମଳ କରାହୋଇ ବ୍ୟବହୃତ ହୋଇଥାଏ । ଖରିଫ ଫସଲରେ ୧୩୭ ରୁ ୧୮୮ କ୍ଵିଣ୍ଟାଲ ଓ ଖରାଟିଆ ଫସଲରେ ୬୫ ରୁ ୭୫ କ୍ଵିଣ୍ଟାଲ କଖାରୁ ଅମଳ ହୋଇଥାଏ । ସମରସ୍କ୍ୱାସ ବା ଭେଜିଟେବୁଲ ମେରୋ କଅଁଳ ଫିକା ସାଗୁଆ ରଙ୍ଗ ଧରିବା ସମୟରେ ଅମଳ କଲେ ୯୦ ରୁ ୧୪୦ କ୍ଵିଣ୍ଟାଲ ହେକ୍ଟର ପ୍ରତି ଅମଳ ହୋଇଥାଏ ।

ରୋଗ ଓ ପୋକ

କଖାରୁ, କାକୁଡି, ଆଦି ବିଭିନ୍ନ କୁକରବିଟେସିଏ ଫସଲରେ ଅନେକ ପ୍ରକାରର ପୋକ ଓ ରୋଗ ଲାଗି ଫସଲ ନଷ୍ଟ କରନ୍ତି ।

  • ରେଡ ପମ୍ପକିନ୍ ବିଟଲ – ପତ୍ର ଓ ଫୁଲଗୁଡିକୁ ଖାଇଯାନ୍ତି । ପୋକ ଗୁଡିକ ଚେର ଓ ଫଳରେ ପଶିଯାଇ ନଷ୍ଟ କରନ୍ତି । ତେଣୁଆରମ୍ଭରୁ ହେକ୍ଟର ପ୍ରତି ୫୦%ପାରାଥୋୟୋନ ୬୦ ସି.ସି , ନେଇ ୧୦୦ ଲିଟର ପାଣି ମିଶାଇ ସିଞ୍ଚିବା ଭଲ ।
  • ହେଇରି କେଟରପିଲର – ପତ୍ରଗୁଡ଼ିକୁ ଖାଇଯାଆନ୍ତି । ପୂର୍ବପରି ପାରାଥାୟୋନ ସିଞ୍ଚାଯାଇ ପାରେ ।
  • ଫ୍ରୁଟଫ୍ଲାଇ – ପୋକ ଫସଲ ଶସ ଖାଇଥାନ୍ତି । ତେଣୁ 50%ଡି.ଡି.ଟି ୧୦୦ ଲିଟର ପାଣିରେ ୨୦୦ ଗ୍ରାମ ଗୋଳି ହେକ୍ଟର ଫସଲରେ ସିଞ୍ଚିବା ଉଚିତ ।
  • ଏଫିଡ, ଜେସିଡ , ଥ୍ରୀପ୍ – ଗଛରେ ରସ ଶୋଷି ଖାଆନ୍ତି । ଯେକୌଣସି ସିଷ୍ଟମିକ୍ କୀଟନାଶକ ଔଷଧ ବ୍ୟବହାର କରାଯାଇପାରେ । ଏନ୍ ଡ୍ରିନ ୧୦୦ ଲିଟର ପାଣିରେ ୧୫୦ ମି.ଲି ଗୋଳି ଫସଲରେ ସିଞ୍ଚାଯାଇପାରେ ।
  • ରୁଟନଟ୍ ନିମେଟୋଡ – ଏହି ଇଲୱାର୍ମଗୁଡିକ ଚେରରେ ଫୋଟକା ସୃଷ୍ଟି କରନ୍ତି । ଫସଲ ପର୍ଯ୍ୟାୟ , ନିମଗାନ ବା ଡି.ଡି.ଟି ଔଷଧ ମୃତ୍ତିକାରେ ପ୍ରୟୋଗ କରାଯାଏ ।
  • ପାଉଡର ମିଲଡ୍ୟୁ – ଧଳା ପାଉଡର ବିଞ୍ଚା ହେବା ପରି ପତ୍ରରେ ଦେଖାଯାଏ । ଗନ୍ଧକଗୁଣ୍ଡ ହେକ୍ଟର ପ୍ରତି ୩୦ କେଜି ବ୍ୟବହାର କରାଯାଏ ।
  • ଡାଉନି ମିଲଡ୍ୟୁ – ପତ୍ର ହଳଦିଆ ପଡେ କପରଫିଙ୍ଗିସାଇଡ (୫୦%) ୩୦୦ ଗ୍ରାମ ୧୦୦ ଲିଟର ପାଣିରେ ଗୋଳି ସିଞ୍ଚାଯାଏ ।
  • ଏଙ୍ଗୁଲେରଫସ୍ପଟ – ଏହା କାକୁଡି ଫସଲରେ ହୋଇଥାଏ ଓ ଫାଇଟୋମୋନାସ୍ ଲେଚିରିମେନସ ଫଙ୍ଗସ୍ ଦ୍ଵାରା ଆକ୍ରାନ୍ତ ହୋଇଥାଏ । ପତ୍ର ଶିରା ମଧ୍ୟ ଅଂଶରେ ପାଣିଭିଜା ରଙ୍ଗପରି ତିନିକୋଣିଆ ଅଂଶ ଦେଖାଯାଏ ଓ ସେଗୁଡିକ ସୁଖି ନଷ୍ଟ ହୁଏ । ଫଳ ଗୁଡିକରେ ମଧ୍ୟ ଏହା ଦେଖାଦେଇ ସଢାଇଦିଏ । ମଞ୍ଜିଗୁଡିକ ଲଗାଯିବା ପୂର୍ବରୁ ୫ ମିନିଟ ଯାଏ ମେରକ୍ୟୁରିକ୍ ଦ୍ରବରେ ଭିଜାଇ ଲଗାଯିବା ଉଚିତ ।
  • ମୋଜେକ – ଏହା ହେଲେ ରୋଗ ନିରୋଧକ ପ୍ରକାରର ମଞ୍ଜି ଲଗାଯିବା ଉଚିତ ।

କାକୁଡି ଜାତୀୟ ପରିବା

ନାନାପ୍ରକାରର କାକୁଡି ଜାତୀୟ ଫସଲ ଚାଷ କରାଯାଉଛି । କେତେଗୁଡିଏ କଞ୍ଚାରେ ଖିଆଯାଏ । ଯଥା - (ଖିରା, କଣ୍ଟିଆଳି ରେତାକାକୁଡି), କେତେକ ତରକାରୀ ଖିଆଯାଏ ରାନ୍ଧି ଖିଆଯାଏ ଯଥା – ବଡ କାକୁଡି ଆଉ କେତେକ ପାଚିଲେ ଖିଆଯାଏ - ଯଥା – ଫୁଟିକାକୁଡି (ଗାଲଖିଲା ବା ଘେରକିନା ) ଆଦି ଆଚାର କରି ଖିଆଯାଏ । କିନ୍ତୁ ଏଗୁଡ଼ିକର ଚାଷ ପ୍ରଣାଳୀ ଊଣାଅଧିକେ ଏକାପରି ହୋଇଥାଏ । ଗୁକୁମିସ୍ ଭେରାଇଟ – ସାଟେଭସ୍ ଖିରାକାକୁଡି କୁକୁମିସ୍ ମେଲୋ – ଭେରାଇଟ ଯୁଟାଲିମସ୍ (ସାପୁଆ ବା ରେତାକାକୁଡି ), କୁକୁମିସ୍ ମେଲୋ – ଭେରାଇଟ – ମୋମରର୍ଡିକା (ଫୁଟିକାକୁଡି) , କୁକୁମିସ୍ ମେଲୋ – ଭେରାଇଟ ଏଙ୍ଗ୍ୟୁଇନା ( ଘେରକିନ୍ ବା ଗୋଲଖିରା), କୁକୁମିସ୍ ମେଲୋ ଭେରାଇଟ ରେଟିକୁଲେଟସ୍ (କରଭୂତ) ଜାତି ବା ବର୍ଗର ର କାକୁଡି ଫସଲ ଚାଷ କରାଯାଇପାରେ ।

କାକୁଡି ବା ଖିରା

କାକୁଡି ଖରାସମୟରେ ଫସଲ, କାରଣ ଏହା ଅନ୍ୟତମ ଋତୁରେ ଚାଷ କରାଯାଉଥିଲେ ମଧ୍ୟ ଗ୍ରୀଷ୍ମ ଋତୁରେ ଏହାର ଉପାଦେୟତା ଅଧିକ ହୋଇଥାଏ । ଫଳଗୁଡିକର ମଞ୍ଜି କଅଁଳ ଅବସ୍ଥାରେ ଥିବା ସମୟରେ ଅମଳ କରାଯାଏ । ଏହା ସାଲାଦ, ଆଚାର ଓ କଞ୍ଚାରେ ଖିଆଯାଏ।

ପ୍ରକାର

ନାନାପ୍ରକାର କାକୁଡି ଚାଷ କରାଯାଉଛି । ଓଡିଶାରେ ଖରା ସମୟରେ ଛୋଟିଆ କାକୁଡି ମୁଣ୍ଡିକାକୁଡି ବହୁ ପରିମାଣରେ ଚାଷ କରାଯାଏ । ଫଳଗୁଡିକ ଅଣ୍ଡାପରି ଆକୃତି । ଚୋପା ଧଳା ବା ସାଗୁଆ ହୋଇଥାଏ। କଣ୍ଟିଆଳିକାକୁଡି ମଧ୍ୟ ଚାଷ କରାଯାଇଥାଏ ଏହା ଲମ୍ବା ବା ଗାଢସାଗୁଆ । ଏହା ମଧ୍ୟ ବର୍ଷା ଋତୁରେ ଚାଷ କରାଯାଏ । ବର୍ଷା ଋତୁରେ ମଧ୍ୟ ଇଷତ ଧଳା ବା ଧୂସରରଙ୍ଗର କାକୁଡି ଚାଷ କରାଯାଏ । ଏହାକୁ ଦୁଧିଆକାକୁଡି ବୋଲି କହନ୍ତି । କେତେକ ବିଶିଷ୍ଟ ଭେରାଇଟର ନାମ ହେଲା – ପୁନାଖିରା, ପୁସାସଂଯୋଗ, ଲଙ୍ଗଗ୍ରିନ, ଷ୍ଟ୍ରେଇଟଏଇଟି, ବଲମଖିରା ଓ ଆମେରିକନ୍ କାକୁଡି ।

ବଂଶବୃଦ୍ଧି

ମଞ୍ଜି ଦ୍ଵାରା ଫସଲ ଅମଳ କରାଯାଏ । ଫେବୃୟାରି ଓ ମାର୍ଚ୍ଚ , ମେ ଓ ଜୁନ୍ ରେ ମନ୍ଦା ବା ଧାଡିରେ ମଞ୍ଜି ୧୨୦ ରୁ ୧୫୦ ସେ.ମି ବ୍ୟବଧାନରେ ମଞ୍ଜି ଲଗାଯାଏ । ୨.୫ କେଜି ମଞ୍ଜି ଦରକାର ହୋଇଥାଏ ।

ଜଳବାୟୁ, ମୃତ୍ତିକା ଓ ଚାଷ ପ୍ରଣାଳୀ

କାକୁଡି ଉଷ୍ଣଜଳବାୟୁରେ ଦରକାର କରେ ମଞ୍ଜିଗୁଡିକ ୧୧ ରୁ ୩୦ ସେଣ୍ଟିଗ୍ରେଡ କମ୍ ହେଲେ ଗଜା ହୋଇପାରେ ନାହିଁ, କିନ୍ତୁ ୧୮ ରୁ ୩୦ ସେଣ୍ଟିଗ୍ରେଡ ଉତ୍ତାପରେ ଉତ୍ତମଭାବେ ଅଙ୍କୁରଣ ହୋଇଥାଏ । ଉତ୍ତମ ସୂର୍ଯ୍ୟାଲୋକ ଓ କମ୍ ଆଦ୍ରତାରେ ଏହା ରୋଗ ମୁକ୍ତ ହୋଇ ବଢିପାରେ ମୃତ୍ତିକାର ଅମ୍ଳତା ୫.୫ ରୁ ୬.୭, ଏହାପରେ ଭଲ ଓ ଯେକୌଣସି ମୃତ୍ତିକାରେ ଚାଷ କରାଯାଇପାରେ । ହେକ୍ଟର ପ୍ରତି ୨୫ ରୁ ୩୦ ଟନ ଖତ ଏହାପକ୍ଷେ ଉତ୍ତମ । ଏହି ଫସଲ ପ୍ରତି ୩୦ ଟନ ଫଳ ଅମଳ କରାଗଲେ ଏହା ମାଟିରୁ ୫୫ କେଜି ଯବକ୍ଷାର , ୪୫ କେଜି ଫସଫରିକ ଏସିଡ ଓ ୮୫ କେଜି ପଟାସ ଶୋଷି ନେଇଥାଏ । ମଞ୍ଜି ଲଗାଯିବାର ଦୁଇମାସ ପରେ ଫଳ ଅମଳ ହୁଏ ଓ ଦୁଇମାସ ଯାଏ ଫଳ ତୋଳାଯାଏ ହେକ୍ଟର ପ୍ରତି ୩୮ ରୁ ୫୮ କ୍ଵିଣ୍ଟାଲ ଫଳ ଅମଳ ହୁଏ ।

ସାପୁଆ ବା ରେତକାକୁଡି

କାକୁଡିଗୁଡିକ ସରୁହୋଇ ଲମ୍ବା ହୋଇଥାଏ ଓ ସାପ ପରି ଦେଖାଯାଏ । କଞ୍ଚାଖାଇବା ଛଡା ଏଗୁଡ଼ିକୁ ରାନ୍ଧି ଖିଆଯାଏ ଓ ଆଚାର ମଧ୍ୟ କରାଯାଏ । ଫଳଗୁଡିକ ୧୫ ରୁ ୩୦ ସେ.ମି ଯାଏ ବଢିପାରେ ଏହାର ଚାଷପ୍ରଣାଳୀ ଖିରା ବା କାକୁଡି ସଙ୍ଗେ ସମାନ । ମଞ୍ଜି ନଭେମ୍ବର, ଡିସେମ୍ବର ଓ ଜାନୁଆରୀ, ଫେବୃୟାରୀ ମାସରେ ପୋତାଯାଏ । ଫଳଗୁଡିକ ଇଷତ ସାଗୁଆ ବା ସାପୁଆରଙ୍ଗର ହୋଇଥାଏ । ନାନାପ୍ରକାରର ରେତକାକୁଡି ମଧ୍ୟରୁ ଲଖନଉ, ଲଙ୍ଗହ୍ଵାଇଟ, ଲଙ୍ଗଗ୍ରିନ , ଫଇଜାବାଦି, ଲଖନଉଲେଡିଲଭ, ମଜନୁକି, ପସଲିଏନ୍ , ବେରିଲିଗ୍ଲୋରି, ଟେବାଲେଟାର, ପୀବି- ୧ ଇତ୍ୟାଦି । ଫଳଗୁଡିକ ମଞ୍ଜି ଲଗାଯିବାର ୩ ରୁ ୪ ମାସ ପରେ ଫଳ ଅମଳ ହେବା ଅବସ୍ଥାରେ ପହଞ୍ଚିଥାଏ । ହେକ୍ଟର ପ୍ରତି ୪୭ କ୍ଵିଣ୍ଟାଲ ସହଳ ଅମଳ ଓ ମୁଖ୍ୟ ଫସଲ ୯୨ ରୁ ୩୧୦ କ୍ଵିଣ୍ଟାଲ ଅମଳ ହୋଇଥାଏ ।

ଫୁଟିକାକୁଡି

ଏହାର ଚାଷ ପ୍ରଣାଳୀ ଅନ୍ୟାନ୍ୟ କାକୁଡି ପରି ହୋଇଥାଏ । ଏହି ଉଦ୍ଭିଦର ଫଳଗୁଡିକ ଛୋଟ ଛୋଟ, ଚିକ୍କଣ, ଅଣ୍ଡାକୃତି ବା ସିଲେଣ୍ଡର ପରି ଓ ଫୁଟେଯାଏ ଲମ୍ବାହୋଇଥାଏ । ଫଳ ପାଚିଲା ପରେ ଫସଲ ଶସ ଚିକ୍କଣ ଓ ଖଣ୍ଡ ଖଣ୍ଡ ହୋଇ ଝଡେ। ଶସ ପାଣିଚିଆ ଲାଗେ ଓ ମହକିଉଠେ । ଜାନୁଆରୀ ରୁ ମାର୍ଚ୍ଚ ଓ ଜୁନ୍ ରୁ ଜୁଲାଇ ମାସରେ ଲଗାଯାଏ । ହେକ୍ଟର ପ୍ରତି ୨.୫ କେଜି ମଞ୍ଜି ଆବଶ୍ୟକ ହୋଇଥାଏ ଓ ୧୮୦ ରୁ ୨୩୫ କ୍ଵିଣ୍ଟାଲ ଅମଳ ହୁଏ ।

କରଭୂଜ

ଏହା ଗୋଟିଏ ଋତୁରେ ବଢେ ଓ କୋମଳ ଶଙ୍କଯୁକ୍ତ ପତ୍ରଧରେ । ଫଳଗୁଡିକ ଗୋଲାକୃତି , ଅଣ୍ଡାକୃତି ବା ଦୀର୍ଘ ବୃତ୍ତାକାର ଫଳଗୁଡିକ ପାଚିଲେ ଭିତରେ ଶସ ମିଠାଲାଗେ ଓ ତାହାର ମହକ ରୁଚିକର ହୋଇଥାଏ । ଏହାକୁ କରଭୂଜ ବୋଲି ମଧ୍ୟ କୁହାଯାଏ ।

ପ୍ରକାର

ଫଳର ଆକାର, ଆୟତନ, ଶସ ଓ ଫଳ ଚୋପା ଦାଗ, ଫଳର ସ୍ଵାଦୁ, ମହକ ଓ ରଙ୍ଗକୁ ଧରି ନାନାପ୍ରକାର କରଭୂଜ ଚାଷ କରାଯାଏ। ସେଥିମଧ୍ୟରୁ କେତୋଟି ହେଲା – ଲଖନଉ ସଫେଦ, ଲଖନଉଚିତା, ଆହ୍ଲାବାଦି, ନବାବଗଞ୍ଜ, କାନପୁରୀ, ଜୋନପୁରୀ, କୋରାହି, କନୌଜି, ଜମାନପାରି, ଚୁମାରି କାଲାଚି, ଅମୃତସରି, ହରାମଧୁ, ବତିସା, ସରବତ୍ତଅନାର, ବୁଦାମୀ , ବନସି, ବକରୋତି, ଗ୍ରେନାଇଟଷ୍ଟେଟ, ପି.ଏମ୍ ଆର୍ – ୪୫,୬,୭,୮ ହେମଗାର୍ଡନ, ଜେକୁମ୍ବା, କେମ୍ପୋ ଇତ୍ୟାଦ । ଶେଷ କେତୋଟି ଆମେରିକୀୟ କେଣ୍ଟିଲୋପ ଯାହା ମିଠାଯୁକ୍ତ , ଶସ ମୋଟା ଓ ପାଉଡରି ଓ ଡାଉନିମିଲଡ୍ୟୁ ରୋଗଗୁଡିକୁ ପ୍ରତିରୋଧ କରିଥାଏ । ଫ୍ୟୁଜାରିଏମ୍ ଉଇଲଟ ପ୍ରତିରୋଧ କରୁଥିବା ଗୋଲଡନ ଗୋଫେର, ଇରକ୍ଵାଇ, ମିନିସୋଟା, ମିଡଗେଟ, ହରଭଷ୍ଟକ୍ଵିନ ,ଡେଲିସିଏସ – ୫୧ ,ପୁର୍ଡ -୪୪ , ମିକହନି , ଟେକ୍ ସାସ୍ ରେଜିଷ୍ଟସନ ଅନ୍ୟତମ ।

ବଂଶବୃଦ୍ଧି

ଏହା ମଞ୍ଜି ଦ୍ଵାରା ବଂଶବିସ୍ତାର ହେଉଥିବା ଯୋଗୁ ହେକ୍ଟର ପ୍ରତି ୩ ରୁ ୫ କେଜି ମଞ୍ଜି ଦରକାର କରେ ଏହା ଖରା ମାସରେ ଚାଷ କରାଯାଏ । ତେଣୁ ମଞ୍ଜିଗୁଡିକୁ ଗୋଟିଏ ରାତି ପାଣିରେ ଭିଜାଇ ଏପ୍ରିଲ ମେ ଓ ନଭେମ୍ବର, ମାର୍ଚ୍ଚ ରେ ଲଗାଯାଏ । ମଞ୍ଜିଗୁଡିକ ୧.୫ ସେ.ମି ଗଭୀରରେ ପୋତାଯାଏ ।

ଜଳବାୟୁ, ମୃତ୍ତିକା ଓ ଚାଷପ୍ରଣାଳୀ

ଶୁଷ୍କ ଗରମ ଜଳବାୟୁ କରଭୁଜ ଲାଗି ଉତ୍କୃଷ୍ଟ, କାରଣ ଜଳବାୟୁର କମ୍ ଆର୍ଦତା, ଅଧିକ ଉତ୍ତାପ, ଉଜ୍ଜଳ ଓ ଉତ୍ତମ ସୂର୍ଯ୍ୟାଲୋକରେ ଫଳଗୁଡିକ ଅଧିକ ମିଠାଯୁକ୍ତ ହୋଇ ଫଳିଥାଏ ସେଥି ସଙ୍ଗେ ସଙ୍ଗେ ପତ୍ରରେ ରୋଗ କମିଥାଏ। ହାଲୁକା ନିଗିଡା ମାଟି ଏହାର ଚାଷ ଲାଗି ଉତ୍ତମ, ଜମିକୁ ଉତ୍ତମଭାବେ ୫ ରୁ ୬ ଥର ଚାଷ କରି ମଇଦେଇ ସମତଳ କରାଯାଏ । ନଈ ପଠାରେ ଚାଷ କାଲେ କମ୍ ଚାଷ ଦରକାର ହୋଇଥାଏ । ଷାଠିଏ ସେ.ମି ଓସାର ଓ ୧୦ ସେ.ମି ଗଭୀର ନାଳ ୯୦ ସେ.ମି ବ୍ୟବଧାନରେ ଖୋଳି, ନାଳ ଭିତରେ ୯୦ ସେ.ମି ବ୍ୟବଧାନରେ ମନ୍ଦା ଗଢାଯାଏ। ପ୍ରତି ମନ୍ଦାରେ ପାଞ୍ଚ କେଜି ଖତ, ୬୦ ଗ୍ରାମ ସୁପର ଫସ୍ ଫେଟ୍, ୧୨୦ ଗ୍ରାମ କଡା ବା ଅନ୍ୟ ପିଡିଆ ଗୁଣ୍ଡ ଓ କିଛି ଚୁଲି ପାଉଁଶ ମିଶାଇ ମନ୍ଦା କରାଯାଏ । ପ୍ରତି ମନ୍ଦାରେ ଆଗରୁ ଗଜା ହୋଇଥିବା ମଞ୍ଜି ଚାରିଟି କରି ପୋତାଯାଏ । କୋଡିଏ ଦିନ ପରେ ଭଲଗଛ ଦୁଇଟି ରଖି ଅନ୍ୟ ଦୁଇଟିକୁ ଉପାଡି ଦିଆଯାଏ । ହେକ୍ଟର ପ୍ରତି ୨୦ ମେଟ୍ରିକ୍ ଟନ୍ ଖତ ଯବକ୍ଷାର ୬୮ କେଜି ଫସଫରିକ୍ ଏସିଡ୍ ୬୮ କେଜି ଓ ପଟାସ ୧୩୬ କେଜି ବ୍ୟବହାର କରାଯାଏ । ପ୍ରତି ବର୍ଗ ମିଟର ଲାଗି ୨୮ ରୁ ୩୦ ଗ୍ରାମ ଚୂର୍ଣ୍ଣ ପ୍ରୟୋଗ କଲେ ଉତ୍ତମ ଫଳ ମିଳିଥାଏ । ଜଳସେଚନ ସପ୍ତାହରେ ଥରେ ଦିଆଯାଏ । ଘାସବଛା ୨ରୁ ୩ ଥର ଦରକାର କରେ ନଈ ପଠା ବା ବାଲିରେ ଚାଷ କଲେ ପାଣି ମାଡିବା ଦରକାର କରେ ନାହିଁ । ଫଳଗୁଡିକ ସାଗୁଆ ରଙ୍ଗ ଛାଡି ହଳଦିଆ ରଙ୍ଗ ଧରିବା ପରେ ଅମଳ ଯୋଗ୍ୟ ହୋଇଥାଏ । ଏହି ସମୟରେ ଫଳଗୁଡିକର ଡେମ୍ଫ ମୂଳ ଫାଟିବାକୁ ଆରମ୍ଭ କରେ ଓ ଫଳଗୁଡିକ ସହଜରେ ଖସିଆସେ । ଫଳଗୁଡିକରୁ ପଚାଗନ୍ଧ ବାହାରେ । ହେକ୍ଟର ପ୍ରତି ୧୪୦ ରୁ ୧୮୦ କ୍ଵିଣ୍ଟାଲ ଫଳ ଅମଳ ହୋଇଥାଏ।

ରୋଗ ଓ ପୋକ

  • ରେଡ ପମ୍ପକିନ୍ ବିଟଲ – ଗଛ ଓ ଫୁଲ ନଷ୍ଟକରେ ରନ୍ଧ୍ରକରେ । ହେକ୍ଟର ପ୍ରତି ପାଇରୋଡଷ୍ଟ ୫,୬ କେଜି ବା ପାଇରୋକୋଲାଇଡ ମିକଶ୍ଚର ବ୍ୟବହାର କରାଯାଏ ।
  • ଫ୍ରୁଟଫ୍ଲାଇ – ଫଳରନ୍ଧ୍ର କରି ପଶେ । ନିକୋଟିନ୍ ସଲଫେଟ୍ ୦.୧% ବା ଏନଡ୍ରିନ୍ ୦.୦୨% ସିଞ୍ଚାଯିବା ଦରକାର । ନଷ୍ଟ ହୋଇଥିବା ଫଳଗୁଡିକୁ ଅଲଗା କରି ପୋକ ମାରି ଦିଆଯାଏ ।
  • ପାଉଡରି ମିଲଡ୍ୟୁ – ପତ୍ରରେ ଧଳା ଗୁଣ୍ଡ ବିଞ୍ଚିହୋଇ ପଡିଲାପରି ଦେଖାଯାଏ । ପତ୍ର ଝଡିପଡେ ଓ ଫଳ ଛୋଟ ହୋଇ ରହିଯାଏ । ଗନ୍ଧକ ଗୁଣ୍ଡ ବୁଣିବା ଉଚିତ ।
  • ଡ଼ାଉନି ମିଲଡ୍ୟୁ – ହଳଦିଆ ଦାଗ ଦେଖାଦେଇ ଓ ବାଇଁଗଣି ରଙ୍ଗର ଦାଗ ତଳ ଅଂଶରେ ପତ୍ରରେ ଦେଖାଦିଏ । ଫଳ ବଢେ ନାହିଁ ୨:୨:୫୦ ବୋର୍ଡମିକ୍ ଶ୍ଚର ବା ଜିଙ୍କ କାର୍ବୋନେଟ ବା ଗନ୍ଧକଗୁଣ୍ଡ ସିଞ୍ଚା ଯାଇପାରେ ।
  • ମୋଜେକ୍ ରୋଗ – ଗଛର ଅଗିଲା ପତ୍ରଗୁଡ଼ିକ ପ୍ରଥମେ ହଳଦିଆ ପଡେ ଓ ଭି ଆକାରର ଦାଗ ତଳପତ୍ରରେ ଦେଖାଦିଏ । ଏଫିଡଦ୍ଵାରା ଏ ରୋଗ ସଂକ୍ରମିତ ହୋଇଥାଏ । ତେଣୁ ଏଫିଡ୍ ଗୁଡିକ ନଷ୍ଟ କରିବା ବ୍ୟବସ୍ଥା କରାଯାଏ ଏବଂ ରୋଗ ପ୍ରତିରୋଧକ କିସମର ଗଛ ଲଗାଯାଏ ।
  • ଏନ୍ ଥ୍ରାକ୍ନୋଜ – ପତ୍ର ଓ ଫଳଗୁଡିକରେ ନାଲିଟୋପି ମାଟିଆ ବା କଳାଛିଟିକା ଦାଗ ଦେଖାଯାଏ ।
  • ସେଗୁଡିକ ପୋଡାରଙ୍ଗ ଧରେ ଓ ଫଳ ସଢିଯାଏ । ମଞ୍ଜିବୁଣିବା ପୂର୍ବରୁ ଏଗ୍ରୋସନ କି. ଏନ ଗୁଣ୍ଡ ଗୋଳେଇ ଲଗାଯିବା ଉଚିତ । ସେହି ଜମିରେ କଖାରୁ ଜାତୀୟ ଫସଲ ତିନିବର୍ଷ ଲାଗି ଲଗା ନଯିବା ଉଚିତ ।

ତରଭୂଜ

ଦୁଇପ୍ରକାରର ତରଭୂଜ ଚାଷ କରାଯାଏ । ଗୋଟିଏ ପ୍ରକାର ପାଚିଲା ଫଳପାଇଁ ଚାଷ କରାଯାଏ । କାରଣ ଫଳ ପାଚିଲେ ମିଠାଲାଗେ । ଅନ୍ୟପ୍ରକାର ତରଭୂଜ ଚଲାଣ ବୋଲି କୁହାଯାଏ ।ଏହା କେବଳ ତରକାରୀ ଲାଗି ଓଡିଶାରେ ଅନେକ ଅଞ୍ଚଳରେ ଚାଷ କରାଯାଏ ।ଗଛଗୁଡିକ ଗାଢ ସାଗୁଆ, ଧଳା ସାଗୁଆ ବା କର୍ବୁରିତ ସାଗୁଆରଙ୍ଗ ରହୋଇଥାଏ।

ପ୍ରକାର

ଅନେକ କିସମର ତରଭୂଜ ଚାଷ ହୋଇଥାଏ । ସେଥିମଧ୍ୟରୁ ନ୍ୟୁହେମ୍ପସାୟାର ମିଡ୍ ଗ୍ରେଟ୍ (୫୫ ଦିନ), ଏସାଇୟମାଟେ (୯୫ ଦିନ. ଡିନ୍ସିକ୍ବିନ, କ୍ଲିକୋଲି ଜାପାନିଜ ମିଡ୍ ଗେଟ, ୱାଟରମେଲନ୍ ସ୍ପେସାଲ ୧, ସାହାଜାନପୁରୀ, ଯୋନପୁରୀ ,ଫରକାବାଦି ,ଫାଇଜାବାଦ , ଭାଗଲପୁରୀ, ଆହ୍ଲାବାଦୀ ଇତ୍ୟାଦି। ଏଗୁଡିକ ହେଲା ପାଚିଲା ଫଳ ଜାତୀୟ। ଚାଲାଣରେ ସେପରି କିଛି ଭେରାଇଟ ସ୍ଥିରକୃତ ହୋଇନାହିଁ ।

ବଂଶବୃଦ୍ଧି

ମଞ୍ଜିଦ୍ୱାରା ବଂଶବୃଦ୍ଧି ହୁଏ। ଜାନୁଆରୀ, ଫେବୃୟାରି ମାସରେ ନଈ ପଠା, ବାଲି ଶର୍ଯ୍ୟା , ବଗିଚା ଜମିରେ ମଞ୍ଜି ଲଗାଯାଏ । ହେକ୍ଟର ପ୍ରତି ୫.୬ରୁ ୭୦ କିଲୋଗ୍ରାମ ମଞ୍ଜି ଦରକାର ହୋଇଥାଏ । ମଞ୍ଜିଗୁଡିକ ଆଗରୁ ପ୍ରସ୍ତୁତ ହୋଇଥିବା ଜମିରେ ୨.୫ ରୁ ୫.୦ ସେ.ମି ଗଭୀରରେ ପୋତାଯାଏ।

ଜଳବାୟୁ , ମୃର୍ତ୍ତିକା ଓ ଚାଷ ପ୍ରଣାଳୀ

ଏହି ଫସଲ ଗରମ ବା ଖରା ସମୟରେ ଚାଷ କରାଯାଏ । ଉତ୍ତାପ ୭୫° ରୁ ୮୫ ଫାରେନହିଟରେ ଭଲ ହୁଏ । ଫଳ ପାଚିବା ସମୟରେ ଗରମ ଓ ଶୁଷ୍କ ଅବସ୍ଥା ଦରକାର ହୋଇଥାଏ । ହାଲୁକା ନିଗିଡା ଜମି, ନଈବାଲି ପଟୁମାଟି ଏହାର ଚାଷ ଲାଗି ଉପଯୁକ୍ତ । ମାଟିର ଅମ୍ଳତା (ph)୫.୫ ରୁ ୭.୦ ଯାଏଁ ରହିବା ଭଲ । ଅମ୍ଳତା ଅଧିକ ହେଲେ (ph୫ ତଳକୁ ) ମଧ୍ୟ ଫସଲ ଭଲ ହୋଇଥାଏ ।

ଜମିକୁ ୨ ରୁ ୩ ଥର ଚାଷ କରି ଚାଷ କରି ସମତଳ କରାଯାଏ । ୨.୪ ମିଟର ଓସାର ଓ ପ୍ରତି ଦୁଇ ପଟି ମଧ୍ୟରେ ୬୦ ସେ.ମି ଓସାରର ନାଳୀ କାଟି ମଞ୍ଜି ପୋତାଯାଏ । ନଈବାଲିରେ ମଦା ଖୋଳି ଖତ ସାର ଦେଇ ଆଗରୁ ଗଜା ହୋଇଥିବା ମଞ୍ଜି ୩ ରୁ ୪ ଟି ଲେଖାଏଁ ପୋତାଯାଏ । ମନ୍ଦାକୁ ମନ୍ଦା ୩ ମିଟର ବା ୪X୧ ମିଟର ବ୍ୟବଧାନ ରଖି ଗଢାଯାଇପାରେ । ହେକ୍ଟର ପ୍ରତି ୩୦୦ ରୁ ୩୫୦ କ୍ଵିଣ୍ଟାଲ ସ୍ଲଜ ବା ଅନ୍ୟାନ୍ୟ ଖତ ଓ ୭୫ ରୁ ୮୦ କେଜି ଯବକ୍ଷାର ୫୦ କେଜି ଫସଫରିକ୍ ଏସିଡ୍ ଓ ୫୦ କେଜି ପଟାସ ବ୍ୟବହାର କରାଯାଏ । ସପ୍ତାହରେ ଥରେ ପାଣି ମଡାଯାଏ । ମନ୍ଦା ପ୍ରତି ଦୁଇଟି ଗଛ ପ୍ରତି ୨ ରୁ ୪ ଟି ଫଳ ଛଡାଯିବା ଉଚିତ ଫଳଗୁଡିକ ମଞ୍ଜି ଲଗାଯିବା ୪ ରୁ ୫ ମାସରେ ତୋଳିବା ଲାଗି ଠିକ୍ ହୋଇଥାଏ । ଗଛ ଗୁଡିକର ଲତା ତନ୍ତୁ ମଉଳିବାକୁ ଆରମ୍ଭକରେ ଓ ଫଳଗୁଡିକୁ ଠଣି ମାରିଲେ ଟାଇଁ ଟାଇଁ ହୋଇ କବାଜି ଧଡ ଧଡ ଶବ୍ଦ କରେ । ଫଳଗୁଡିକର ରଙ୍ଗ ବଦଳିବାକୁ ଆରମ୍ଭ କରେ । ହେକ୍ଟର ପ୍ରତି ୨୮୦ ରୁ ୪୬୫ କ୍ଵିଣ୍ଟାଲ ତରଭୂଜ ଅମଳ ହୋଇଥାଏ ।

ଟିଣ୍ଡା ବା ଦିଲ୍ ପସନ୍ଦ

ଏହା ଗୋଟିଏ ପ୍ରଧାନ ଖରାଦିନିଆ ପରିବା । ଲଟା ମାଳି ଛୋଟ ଛୋଟ ଫଳ ଧରିଥାଏ । ଫଳଗୁଡିକ ଚିକ୍କଣ ସାଗୁଆ ଓ ପାଉଁଶିଆ ହୋଇଥାଏ । ଭେରାଇଟ ସି. ୯୬ ଏକ ଉନ୍ନତ କିସମର ଟିଣ୍ଡା । ଟିଣ୍ଡାର ଚାଷ ପ୍ରଣାଳୀ କଲରା ପରି ହୋଇଥାଏ । ଜାନୁଆରୀ ମାସରେ ଲଗାଯାଏ । ଫଳଗୁଡିକ କଞ୍ଚା ଓ କଅଁଳ ଅବସ୍ଥାରେ ତୋଳାଯାଏ । ହେକ୍ଟର ପ୍ରତି ୭୫ ରୁ ୯୦ କ୍ଵିଣ୍ଟାଲ ଅମଳ ହୋଇଥାଏ ।

ପାଣି କଖାରୁ

ପାଣିକଖାରୁ ଶସରେ ମୋରିବା, ବିରିକଖାରୁ ବଡି , ନଡିଆ ଗୁଡ ତେନ୍ତୁଳି ଦେଇ ସାକର ତରକାରୀ ଆଦି ସ୍ଵାଦିଷ୍ଟ ଖାଦ୍ୟ ପଦାର୍ଥ ତିଆରି କରାଯାଏ । ଏହାର ଚାଷ ପ୍ରଣାଳୀ କଖାରୁ ପରି ହୋଇଥାଏ । ଜୁନ୍ ଜୁଲାଇ ମାସରେ ମଞ୍ଜି ଲଗାଯାଏ । ଦୁଇଧାଡି ମଧ୍ୟରେ ୧.୨ ରୁ ୧.୫ ମିଟର ଓ ମଧ୍ୟରେ ୦.୬ ରୁ ୦୯ ମିଟର ବ୍ୟବଧାନ ରଖି ମନ୍ଦାଖୋଳି ମଞ୍ଜି ଲଗାଯାଏ । ଫଳ ଧଳାପଡି ପାକଳ ହେବା ପରେ ସେପ୍ଟେମ୍ବର ଅକ୍ଟୋବରରେ ଫଳ ଅମଳ ଆରମ୍ଭ ହୋଇଥାଏ । ହେକ୍ଟର ପ୍ରତି ୧୮୫ ରୁ ୩୨୫ କ୍ଵିଣ୍ଟାଲ ଅମଳ ହୁଏ ।

ଲାଉ

ଲାଉ ଖରିଫ , ରବି ଓ ଗ୍ରୀଷ୍ମ ଋତୁରେ ଚାଷ କରାଯାଇପାରେ । ଖରିଫ ଓ ଗ୍ରୀଷ୍ମ ଋତୁରେ ବହୁ ପରିମାଣରେ ଚାଷ ହୋଇଥାଏ । ଫଳଗୁଡିକର ଚୋପା କଅଁଳ ହୋଇଥିବା ଅବସ୍ଥାରେ ସେଗୁଡିକୁ ଅମଳ କରି ତରକାରୀ, ସନ୍ତୁଳା, ରାଇତା ଆଦି ପଦାର୍ଥ ପ୍ରସ୍ତୁତ କରି ବ୍ୟବହାର କରାଯାଏ । ଫଳ ପ୍ରତି ଟାଣ ହେଲେ ଲାଉ ତୁମ୍ବାଗୁଡିକ ବାଦ୍ୟଯନ୍ତ୍ର ରୂପେ ବ୍ୟବହାର କରାଯାଇଥାଏ ।

ପ୍ରକାର

ଓଡିଶାରେ ଗୋଠ ବା ଥାଳ ଲାଉ, ଡିଙ୍କିଆଲାଉ ଓ ତମ୍ବାଲାଉ ନାମରେ ଚାଷଲାଗି ବ୍ୟବହୃତ ହୋଇଥାଏ । ଫଳର ଆକାରରେ ବହୁତ ତାରତମ୍ୟ ଦେଖାଯାଏ ଯଥା – ସରୁ ଲମ୍ବା , ମୋଟା ଲମ୍ବା , ଗୋଲ, ଅଣ୍ଡାକାର ,ଲମ୍ବାଗୋଲା, ମୁଣ୍ଡି, ସରୁ ଓ ତଳ ଗୋଲା ଇତ୍ୟାଦି। ପୁସ ମାସରେ ପ୍ରୋଲାଫିକ୍ ଲଙ୍ଗ୍ , ପୁସାସାମର ପ୍ରୋଲାଫିକ୍ ରାଉଣ୍ଡ । ହଟଲଙ୍ଗ ପ୍ରନ୍, ହଟ୍ ରାଉଣ୍ଡ ସମର, ମାନସୁନ କ୍ଵିନ(ଲମ୍ବା)କଲିକତା ଚାରମେର (ଗୋଲ), ଲଙ୍ଗହ୍ଵାଇଟ ଲୌକି (ରବି) ରାଉଣ୍ଡ ଲୌକି (ବର୍ଷା) ଇତ୍ୟାଦି ।

ବଂଶବୃଦ୍ଧି

ଏହା ମଞ୍ଜିଦ୍ଵାରା ବଂଶବିସ୍ତାର କରାଯାଇଥାଏ । ୧.୫X୦.୭ ମିଟର ଅନ୍ତରରେ ମନ୍ଦା ଖୋଳାଯାଏ । ମନ୍ଦାର ବ୍ୟାସ ଓ ଗଭୀର ୩୦ ରୁ ୬୦ ସେ.ମି ରଖାଯାଏ । ଓ ପ୍ରତି ମନ୍ଦାର ୩ ରୁ ୪ ଟି ମଞ୍ଜି ପୋତାଯାଏ । ଗଛଗୁଡିକ ୪,୫ ପତ୍ର ଧରିଲେ ଗୋଟିଏ ବା ଦୁଇଟି ଭଲ ଗଛ ରଖି ଅନ୍ୟ ଗଛଗୁଡିକୁ ଉପାଡି ଦିଆଯାଏ । ହେକ୍ଟର ପ୍ରତି ୪୫ ରୁ ୫୫ ଗ୍ରାମ ମଞ୍ଜି ଦରକାର ହୋଇଥାଏ ।

ଜଳବାୟୁ ,ମୃତ୍ତିକା ଓ ଚାଷ ପ୍ରଣାଳୀ

ଗରମ ଓ ଆଦ୍ର ଜଳବାୟୁ, ଏହି ଉଦ୍ଭିଦ ଲାଗି ଉପଯୁକ୍ତ । ବହୁ ପରିମାଣର ଥଣ୍ଡା ସହିପାରେ ନାହିଁ ତେଣୁ ରବି ଋତୁରେ ଏହା ବେଶୀ ପରିମାଣରେ ଲଗାଯାଏ ନାହିଁ । ଦୋରସା ନିଗିଡା ଓ ଉର୍ବର ମୃତ୍ତିକାରେ ଏହା ଭଲଭାବେ ବଢି ଫଳ ଦେଇଥାଏ; କିନ୍ତୁ ଅନ୍ୟାନ୍ୟ ବଗିଚା ମାଟିରେ ମଧ୍ୟ ଚାଷ କରାଯାଇପାରେ। ମାଟିର ଅମ୍ଳତା (ph)୫.୫ ରୁ ୭.୦ ଭିତରେ ରହିବା ଉଚିତ । ଜମିକୁ ୨ ରୁ ୩ ଥର ଚାଷ କରି ମଞ୍ଜି ଲଗାଯାଏ । ମନ୍ଦାରେ ମଧ୍ୟ ମଞ୍ଜି ଲଗାଯାଏ । ମଞ୍ଜି ପୂର୍ବରୁ ପାଣିରେ ଭିଜେଇ ଲଗାଯାଏ । ଫେବୃୟାରି , ଜୁନ୍ ଓ ଅକ୍ଟୋବର ମାସରେ ଲାଉ ଲଗାଯାଇପାରେ । ଜମି ପ୍ରସ୍ତୁତି ବା ମନ୍ଦା ତିଆରି କରିବା ସମୟରେ ହେକ୍ଟର ପ୍ରତି ୨୦୦ ରୁ ୨୫୦ କ୍ଵିଣ୍ଟାଲ ସଢାଖତ ପ୍ରୟୋଗ କରାଯାଏ । ପରେ ୨୧ କେଜି ଯବକ୍ଷାର, ୪୨ କେଜି ଫସଫରିକ୍ ଏସିଡ୍ ଓ ୪୩ କେଜି ପଟାସ ବ୍ୟବହାର କରାଯିବା ଭଲ । ମନ୍ଦା ପ୍ରତି ୬୦ ଗ୍ରାମ ଏମୋନିଏମ୍ ସଲଫେଟ ଓ ସୁପର ଫସ୍ ଫେଟ୍ ଦେଇ ଭଲଭାବେ ମାଟିରେ ମିଶାଇ ମଞ୍ଜି ମଧ୍ୟ କେହି କେହି ଲଗାଇଥାନ୍ତି । ଖରାଟିଆ ଫସଲରେ ପ୍ରତି ୩ ରୁ ୪ ଦିନରେ ଥରେ ପାଣି ମଡାଯିବା ଦରକାର କରେ । ରବି ଫସଲରେ ଦରକାରୀ ମୁତାବକ ପାଣି ମଡାଯାଏ । ଗଛ ବଢିବା ସମୟରେ ପ୍ରଥମେ ଦୁଇଥର ଖୋସା, କୋଡା ଓ ଘାସ ବାଛି ଦିଆଯାଏ । ଲଟା ମାଡିଯିବା ପରେ ଏହା ଆଉ ଦରକାର ହୁଏ ନାହିଁ । ଫଳଗୁଡିକର ଚୋପା କଅଁଳ ହେବା ଅବସ୍ଥାରେ ଅମଳ କରାଯାଏ । ହେକ୍ଟର ପ୍ରତି ୧୩୦ ରୁ ୨୩୫ କ୍ଵିଣ୍ଟାଲ ଫଳ ଅମଳ ହୋଇଥାଏ ।

କଲରା

କଲରା ଖାଇବାକୁ ପିତାଲାଗେ । ଏହା ସ୍ଵାସ୍ଥ୍ୟପକ୍ଷେ ବଡ ହିତକର ପରିବା । ରୋଷଘର ବଗିଚାରେ ଖରା, ବର୍ଷା ଓ ଶୀତଦିନେ ଚାଷ କରାଯାଇପାରେ । ଓଡିଶାରେ ମୁଖ୍ୟ ଫସଲ ହିସାବରେ ବର୍ଷା ଓ ଖରାଋତୁରେ କଲରା ଚାଷ କରାଯାଇଥାଏ ।

ପ୍ରକାର

କଲରା ଫସଲ ଲାଗି ସଠିକଭାବେ ପ୍ରକାର ବାହାର କରାଯାଇ ନାହିଁ । ତେବେ ଫଳଗୁଡିକର ଆକାର ଭେଦରେ ଦୁଇ ଶ୍ରେଣୀରେ ବିଭକ୍ତ କରାଯାଇଛି । ଛୋଟ ଫଳ ସାଧାରଣତଃ ଗ୍ରୀଷ୍ମ ଋତୁରେ ଚାଷ କରାଯାଇଥାଏ । ଏହା ବେଶୀ ପିତାଲାଗେ କିନ୍ତୁ ଏଗୁଡିକରେ ଅଧିକ ପରିମାଣର ଲୌହ ଓ ଭିଟାମିନ ରହିଥାଏ । ଟୁସିକଲରା ବୋଲି ଚାଷୀମାନେ ଏହାକୁ କହିଥାନ୍ତି । ଅନ୍ୟ ଶ୍ରେଣୀର ହେଲା ଡ କଲରା । ଏହା ସାଧାରଣତଃ ବର୍ଷା ଋତୁରେ ଓ କମ୍ ଥଣ୍ଡା ହେଉଥିବା ରବିଋତୁରେ ଚାଷ କରାଯାଏ । ସାଗୁଆ ଓ ଧଳା ଫଳ ଯଥା – ପୁସାଦୋମୋସମି, ଲଙ୍ଗଗ୍ରିନ, ବରମାସ ୱାଣ୍ଡର, ବରମାସ ମାନସୁନ ମିସଟର, ମାନସୁନ ମୋନାର୍ଚ୍ଚ, ଏକଷ୍ଟ୍ରଲଙ୍ଗ, ପୋଚାସ ସମରକ୍ରପ ଇଣ୍ଡିୟନ ୱାଣ୍ଡର ଇତ୍ୟାଦି । ବଡ ସାଗୁଆ, ବଡ ଧଳାରଙ୍ଗର କଲରା ମଧ୍ୟ ଚାଷ କରାଯାଏ ।

ବଂଶବୃଦ୍ଧି

ଏହା ମଞ୍ଜିଦ୍ଵାରା ବିସ୍ତାର କରାଯାଇଥାଏ । ଜୁନ୍ ଜୁଲାଇ, ଜାନୁଆରୀ, ମାର୍ଚ୍ଚ ଓ ସୁବିଧା ସ୍ଥଳେ ଅକ୍ଟୋବର ନଭେମ୍ବରରେ ଲଗାଯାଏ । ହେକ୍ଟର ପ୍ରତି ୫ ରୁ ୬ କେଜି ମଞ୍ଜି ଦରକାର ହୋଇଥାଏ । ରବି ଓ ଗ୍ରୀଷ୍ମ ଫସଲ ଲାଗି ମନ୍ଦା ଗୁଡିକ ୭୫ X ୪୫ ସେ.ମି ରଖି ଲଗାଯାଏ; କିନ୍ତୁ ଖରିଫ ଫସଲ ଲାଗି ଅଧିକ ବ୍ୟବଧାନରେ ମନ୍ଦା ତିଆରି କରିବା ଦରକାର ।

ଜଳବାୟୁ, ମୃତ୍ତିକା ଓ ଚାଷପ୍ରଣାଳୀ

ଚାଷ ପ୍ରଣାଳୀ ଅନ୍ୟାନ୍ୟ କଖାରୁ ଜାତୀୟ ପରିବା ପରି ହୋଇଥାଏ । ଜମିକୁ ୨ - ୩ ଥର ଚାଷ କରି ମନ୍ଦା ତିଆରି କରାଯାଏ । ହେକ୍ଟର ପ୍ରତି ୧୦ ରୁ ୧୨ ଗାଡି ଗୋବରଖତ ସହ ୫୦ କେଜି ଯବକ୍ଷାର , ୩୭. ୫୦ କେଜି ଫସଫରିକ୍ ଏସିଡ୍ ଓ ୩୦ କେଜି ପଟାସ ବ୍ୟବହାର କରାଯାଏ । ମଞ୍ଜି ଲଗାଯିବା ମାସ ପରେ ଦୁଇଥର ଘାସବାଛିବା ଦରକାର ହୋଇଥାଏ । ଖରା ଓ ଶୀତ ଋତୁରେ ଫସଲ ଲାଗି ପାଣି ମଡାଯାଏ । ଚାରିଥର ଜଳସେଚନ ଏହି ଫସଲ ଲାଗି ଯଥେଷ୍ଟ । ଫଳଗୁଡିକ କଞ୍ଚା ଓ କଅଁଳ ଅବସ୍ଥାରେ ତୋଳାଯାଏ । ହେକ୍ଟର ପ୍ରତି ୭୨ ରୁ ୧୨୦ କ୍ଵିଣ୍ଟାଲ ଅମଳ ହୋଇଥାଏ

ରୋଗ ଓ ପୋକ

ଅନ୍ୟାନ୍ୟ କଖାରୁ ଜାତୀୟ ଫସଲ ପରି ଏହା ମଧ୍ୟ ରୋଗ ଓ ପୋକଦ୍ଵାରା ଆକ୍ରାନ୍ତ ହୋଇଥାଏ । ଫ୍ରୁଟଫ୍ଲାଇ ବା ଫଳ ରନ୍ଧ୍ରକାରୀ ପୋକ ବହୁତ କ୍ଷତି କରିଥାଏ । ୨୦୦ ଗ୍ରାମ ଡି.ଡି.ଟି (୫୦%) ୧୦୦ ଲିଟର ପାଣିରେ ଗୋଳି ସିଞ୍ଚାଯାଏ । ସେଭିନ୍ ମଧ୍ୟ ସିଞ୍ଚା ଯାଇପାରେ ।

ସଂଗୃହିତ - ଡ଼ଃ ରମେଶ ଚନ୍ଦ୍ର ଦାସ ,ମୁଖ୍ୟ ଅଧ୍ୟାପକ, ଉଦ୍ୟାନ ବିଜ୍ଞାନ ବିଭାଗ,କୃଷି ମହାବିଦ୍ୟାଳୟ, ଭୁବନେଶ୍ଵର

2.83333333333
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top