ହୋମ / କୃଷି / କୃଷି ଉଦ୍ୟୋଗ / ପନିପରିବା ଚାଷ / ପନିପରିବା ଚାଷ (ମୂଳ ବା ଚେର ଜାତୀୟ ପନିପରିବା)
ସେଆର କରନ୍ତୁ

ପନିପରିବା ଚାଷ (ମୂଳ ବା ଚେର ଜାତୀୟ ପନିପରିବା)

ମୂଳ ବା ଚେର ଜାତୀୟ ପନିପରିବା ସମ୍ବନ୍ଧରେ ସୂଚନା ।

ମୂଳ ବା ଚେର ଜାତୀୟ ପନିପରିବା

ଅନେକ ପ୍ରକାରର ପରିବା ଚେର ଜାତୀୟ ପରିବା ରୂପେ ବ୍ୟବହାର କରାଯାଇଥାଏ । ଉଦ୍ଭିଦ ଗୁଡିକର ପରିବର୍ତ୍ତିତ ଚେର ଗୁଡିକରେ ଖାଦ୍ୟ ପଦାର୍ଥ ସଂଗୃହୀତ ହୋଇ ସେଗୁଡିକ ମୋଟା ହୋଇ ବଢିଥାନ୍ତି । ଏହି ମୋଟା ଚେର ଗୁଡିକ ଖାଦ୍ୟ ରୂପେ ଆମେ ବ୍ୟବହାର କରିଥାଉ । ଏହି ପ୍ରକାରର ପନିପରିବା ଗୁଡିକରେ ସ୍ୱାସ୍ଥ୍ୟ ବର୍ଦ୍ଧକ ଓ ସ୍ୱାସ୍ଥ୍ୟ ରକ୍ଷକ ପଦାର୍ଥ ରହିଥିବା ଦୃଷ୍ଟିରୁ ଉପାଦେୟ ଅଟେ । କେତୋଟି ଚେର ବା ମୂଳ ଜାତୀୟ ପରିବା ଗୁଡିକର ଖାଦ୍ୟ ମୂଲ୍ୟ ତାଲିକା ନମ୍ବର ୩୯ ରେ ଦିଆଯାଇଛି । ଦେଶୀଆଳୁ, ସାରୁ, ଗୟାଆଳୁ, କନ୍ଦମୂଳ, ପିଠଲ, ଭାତକନ୍ଦା ଆଦି ବହୁ ପ୍ରକାର ମୂଳ ଜାତୀୟ ପରିବା ଆମ ଦେଶରେ ବହୁ କାଳରୁ ଚାଷ ହୋଇ ଆସୁଛି । ବନ ଜଙ୍ଗଲ ଓ ପାହାଡରେ ନାନା ପ୍ରକାରର ମୂଳ ଖାଦ୍ୟ ରୂପେ ବ୍ୟବହାର ହେଉଛି । ତେଣୁ ଏଗୁଡିକ ବିଷୟରେ ବୈଜ୍ଞାନିକ ଦୃଷ୍ଟିକୋଣରୁ ସେଗୁଡିକର ଚାଷ ଓ ବ୍ୟବହାର କରିବା ଦରକାର ।

ମୂଳ ବା ଚେର ଜାତୀୟ ପନିପରିବା ଚାଷ ଓ ବ୍ୟବହାର

ଆମ ଦେଶରେ ନାନା ଜାତିର ଆଳୁ ଯାହାକୁ ଦେଶୀଆଳୁ, ଖମ୍ବଆଳୁ ନାମରେ ବ୍ୟବହୃତ ହେଉଛି । ଏଗୁଡିକ ବିଭିନ୍ନ ପ୍ରକାରର ହୋଇଥିଲେ ମଧ୍ୟ ଆଳୁ ନାମରେ ଉତ୍କୃଷ୍ଟ ପରିବା ରୂପେ ବ୍ୟବହାର କରାଯାଏ । ଏହା ଏକ ଦଳ ବିଶିଷ୍ଟ ଉଦ୍ଭିଦ ଆମ ଦେଶ ତଥା ଓଡିଶାର ବନ ଜଙ୍ଗଲରେ ନାନା ପ୍ରକାରର ଆଳୁ ବଢୁଥିବା ଦେଖାଯାଏ। ବଣ ଜଙ୍ଗଲରେ ରହୁଥିବା ଲୋକମାନେ ଏଗୁଡ଼ିକୁ ଖୋଜି ଖାଦ୍ୟ ରୂପେ ବ୍ୟବହାର କରିଥାନ୍ତି ।

ପ୍ରକାର - ନାନା ପ୍ରକାର ଆଳୁ ମଧ୍ୟରୁ ଖମ୍ବଆଳୁ, ଚୁପୁରିଆଳୁ ଦୁଇଟିଯାକ ଧଳା ଶସଦାର ଆଳୁ ଗୁରାଣିଆଳୁ, ଗରାଡୁଆଳୁ, ଦୁଇଟିଯାକ ଲାଲ ଶସଦାର ଆଳୁ ସହସ୍ର ମୁଖୀ ଆଳୁ, ହାତୀ ଖୋଜିଆ ଆଦି କେତୁଟି ପରିବା ରୁ ଚାଷ କରାଯାଏ ।

ଖମ୍ବଆଳୁ

ଖମ୍ବଆଳୁ ଗୁଡିକର ଲଟା ଚତୃଃଷ୍କୋଣ ବିଶିଷ୍ଟ ହୋଇ ସେଗୁଡିକ ଆଶ୍ରା ଖୁଣ୍ଟର ଡାହାଣକୁ ହୋଇ ବଢିଥାଏ । ପତ୍ର ଗୁଡିକ ପାନ ପତ୍ରପରି ଦିଶେ ଓ ଗାଢ ଶାଗୁଆ ରଙ୍ଗର ହୋଇଥାଏ । ଆଳୁ ଗୁଡିକ ମୋଟା ହୋଇ ଖୁବ ବଡ ହୋଇ ବଢେ । ସମୟେ ସମୟେ ୧ ରୁ ୧.୫ ମିଟର ଲମ୍ବା ଆଳୁ ।

ବଂଶବୃଦ୍ଧି – ଆଳୁ ଅଙ୍ଗର ପ୍ରଣାଳୀରେ ବଂଶବୃଦ୍ଧି କରାଯାଏ ଏହା ସାଧାରଣତଃ ପିଣ୍ଡକୁ ନେଇ ଚାଷ କରାଯାଏ । ଦେଖିବାକୁ ମିଳେ ଚେରଗୁଡିକୁ ଖଣ୍ଡ ଖଣ୍ଡ କରିକାଟି ବିକ୍ରି ହେଉଥିବା ଦେଖାଯାଏ । ସହସ୍ର ମୁଖୀ ଆଳୁ ଗୁଡିକ କିନ୍ତୁ ବାମ ପଟେ ମୋଡି ହୋଇ ମାଡେ । ଲଟା ଗୁଡିକ ଛୋଟ ଓ ପତ୍ରଗୁଡ଼ିକ ଗାଢ ଶାଗୁଆ ରଙ୍ଗର ହୋଇଥାଏ । ଆଳୁ ଗୁଡ଼ିକର ମୁଣ୍ଡି ଗୁଡିକୁ କାଟିନେଇ ସେଗୁଡିକରେ ଗଜା ବାହାରିବା ପରେ ଲଗାଯାଏ । ବଟାଗଲା ପରେ ଗୋବର ଓ ପାଉଁଶ କଟା ମୁହଁରେ ବୋଳି ଥଣ୍ଡା ଶୁଷ୍କ ଓ ଛାଇରେ ଶୁଖାଇ ରଖାଯାଏ । ଏହା ଛଡା ଆଳୁ ଗୁଡିକୁ ଖଣ୍ଡ ଖଣ୍ଡ କରି କାଟି ସେଥିରେ ପାଉଁଶ ଗୋଳି କଟା ଅଂଶକୁ ଥଣ୍ଡା ଶୁଷ୍କ ଓ ଛାଇରେ ଶୁଖାଇ ବାଲି ପଟିରେ ପୋତି ପାଣି ଛିଞ୍ଚି କିଛିଦିନ ରଖିବା ପରେ ସେଗୁଡିକରୁ ଗଜା ବାହାରେ । ପରେ ସେଗୁଡିକୁ କ୍ଷେତରେ ଲଗାଯାଏ। ଆଳୁ ବତରା ଗୁଡିକୁ ମଧ୍ୟ ବିହନ ରୂପେ ବ୍ୟବହାର କରାଯାଇପାରେ ।

ଚାଷ ପ୍ରଣାଳୀ - ଆଳୁ ଚାଷ ଲାଗି ଖତରା ହାଲୁକା ମାଟି ଉତ୍କୃଷ୍ଟ । ହିଡମାଟି, ପାନ ବରଜ, ବାଲିଆ ପଦର ମାଟି, ବା ପାଣି ଜମିବା ମାଟିରେ ଆଳୁ କାରିବା ଅନୁଚିତ ।

ଆଳୁ ଗଛର ଲଟାଗୁଡିକ ଖୁବ ମାଡେ ଓ ଗଛ ମୂଳେ ଆଳୁଗୁଡିକ ଫୁଲି ଉଠେ ତେଣୁ ଆଳୁପିଣ୍ଡ ଲଗାଯିବା ଜାଗାରେ ୬୦ସେ .ମି ଗଭୀର ଓ ୬୦ ସେ.ମି ଓସାରର ନାଳ ଖୋଳି ପ୍ରାୟ ୩୦ ସେ. ମି ବହଳରେ ପୁରୁଣା ନଡା ଗୁଣ୍ଡ , ପତ୍ରସାର, ଗୋବର ଖତ ବା କମ୍ପୋଷ୍ଟ ସହ ମିଶାଇ ନାଳ ଗୁଡିକ ପୂର୍ଣ୍ଣ କରାଯାଏ । ପ୍ରତି ମିଟର ବ୍ୟବଧାନରେ ଗୋଟିଏ ଲେଖାଏଁ ଗଜା ହୋଇଥିବା ଆଳୁପିଣ୍ଡ ପୋତାଯାଏ । ଡିହଜମି, ପାନବରଜ ବାଡ କରେ, ଗୃହ ବାଡ କରେ ଏହି ପ୍ରଣାଳୀରେ ଆଳୁ ଲଗାଯାଏ । କ୍ଷେତରେ ଆଳୁ ଲଗାଇଲେ ଜମିକୁ ଦୁଇ ବା ଚାରିଥର ଲୁହା ଲଙ୍ଗଳରେ ଚାଷ କରି ୬୦ ସେ.ମି ଉଚ୍ଚ ଓ ୪୫ ସେ.ମି ଓସାରର ହୁଡା ଟେକି ବା ଗଛ ମୂଳେ ମାଟି ଚଢାଇ ସେଥିରେ ଖତ ପାଉଁଶ ମିଶାଇ ଠିକ କରାଗଲା ପରେ ପିଣ୍ଡ ଗୁଡିକରେ ୩୦ ସେ.ମି ଲମ୍ବର ଗଜାନାଡ ବାହାରିବା ପରେ ବୈଶାଖରୁ ଆଷାଢ ଯାଏ ଲଗାଯାଏ । ହେକ୍ଟର ପ୍ରତି ନିମ୍ନମତେ ବିହନ ଦରକାର ହୋଇଥାଏ ପିଣ୍ଡ ୧୦ ରୁ ୧୫ କ୍ଵିଣ୍ଟାଲ , ଆଳୁଖଣ୍ଡ -୭ ରୁ ୮ କ୍ଵିଣ୍ଟାଲ, ବାତରା – ୫ ରୁ ୬ କ୍ଵିଣ୍ଟାଲ ।

ଆଳୁଗୁଡିକରେ ଗଜା ଲମ୍ବା ହୋଇ ବଢି ପତ୍ରଧରି ଗହଳ ହୋଇଯାଏ । ସେଗୁଡିକୁ ରଞ୍ଜ ବା ଅନ୍ୟାନ୍ୟ ଆଶ୍ରା ଦେଇ ଉପରକୁ ମଡାଇ ଦିଆଯାଏ । ଗୃହ ପାଖ ବାଡ, ଛାମୁଣ୍ଡିଆ ଆଦି ନିକଟରେ ବଢିଥିଲେ ସେଗୁଡିକ ଉପାରେ ମଡାଇ ଦିଆଯାଏ । ବିଲ, ପଦର ଓ ଅନ୍ୟାନ୍ୟ କ୍ଷେତରେ ଚାଷ କରାଯାଉଥିଲେ ୨.୫ ମି ଉଚ୍ଚତା ରଞ୍ଜ ପୋତି ପ୍ରତ୍ୟକ ଲଟାକୁ ସେଥିରେ ମାଡିବାକୁ ଦିଆଯାଏ ପୌଷ ମାସରେ ଆଳୁ ଖୋଳାଯାଏ । ଏହି ସମୟରେ ଲଟାଗୁଡିକ ହଳଦିଆ ପଡି ଶୁଖିବାକୁ ଆରମ୍ଭ କରେ । ଆଳୁ ଗୁଡିକ ଅନ୍ତତଃ ଦୁଇ ବର୍ଷରେ ଖୋଳିବା ଉଚିତ କାରଣ ଦୁଇବର୍ଷରେ ଆଳୁଗୁଡିକ ବଡ ବଡ ହୋଇ ପିଣ୍ଡ ବା ମୁଣ୍ଡି ଅଂଶ ଗୁଡିକ ଛୋଟିଆ ହୋଇଥାଏ; କିନ୍ତୁ ପଦର ଓ କ୍ଷେତରେ ସାଧାରଣତଃ ଲଗାଯିବାର ବର୍ଷକ ଭିତରେ ଅମଳ କରାଯାଏ । ପ୍ରଥମ ବର୍ଷରେ ଅମଳ କଲେ ହେକ୍ଟର ପ୍ରତି ୧୨୫ ରୁ ୧୫୦ କ୍ଵିଣ୍ଟାଲ ହୁଏ; କିନ୍ତୁ ପ୍ରଥମ ବର୍ଷର ଶେଷରେ ଆଳୁଗୁଡିକ ନଖୋଳି ଦୁଇ ବର୍ଷ ପରେ ଅମଳ କଲେ ଏହା ୩୦୦ ରୁ ୪୦୦ କ୍ଵିଣ୍ଟାଲ ଯାଏ ବଢିଥାଏ ।

ରୋଗ ଓ ପୋକ - ମୂଷା ଆଳୁ ଖାଇଯାଏ । ତେଣୁ ଆଳୁ କ୍ଷେତରେ ଗାତ ଦେଖିଲେ ସେଥିରେ ମୂଷାମରା ଔଷଧ ଓ ସାଇନୋଗେସ ଭର୍ତ୍ତି କରିବା ଉଚିତ ।

କନ୍ଦମୂଳ

ମୂଳ ଜାତୀୟ ପରିବାମାନଙ୍କ ଭିତରୁ କନ୍ଦମୂଳ ହେଉଛି ଅନ୍ୟତମ । ଗୋଲ ଆଳୁ ପଛକୁ ଏହାର ସ୍ଥାନ କହିଲେ ଅତ୍ୟୁକ୍ତି ହେବନାହିଁ । ବିଶେଷତଃ ପଲ୍ଲୀଅଞ୍ଚଳରେ ଏହାର ଖୁବ ବେଶି । ଏହାର ଖାଦ୍ୟ ମୂଲ୍ୟ ମଧ୍ୟ ଖୁବ ବେଶି କାରଣ ଅନ୍ୟାନ୍ୟ ଖାଦ୍ୟସାର ଛଡା କନ୍ଦମୂଳ ଶର୍କରା ବହୁ ପରିମାଣରେ ଯୋଗାଇଥାଏ । କନ୍ଦମୂଳର ଆଉ ଗୋଟିଏ ଗୁଣ ହେଲା ଏହା ନିକୃଷ୍ଟ ଜମି ଓ କମ ପାଣିରେ ବଢିପାରେ ତେଣୁ ମରୁଡି ସମୟରେ କମ ପାଣି ଯୋଗାଇ ଫସଲ ଉଠାଯାଇପାରେ ସେହିପରି ଉତ୍କୃଷ୍ଟ ଜମିରେ ଚାଷ କଲେ ଉତ୍କୃଷ୍ଟ ଚେର ବଢିବା ସଙ୍ଗେ ସଙ୍ଗେ ଅମଳ ବହୁ ପରିମାଣରେ ବୃଦ୍ଧି ହୋଇଥାଏ । ଏହା ଗ୍ରୀଷ୍ମ ତଥା ଉପଉଷ୍ମ ଦେଶୀୟ ଫସଲ ହେଲେ ମଧ୍ୟ ପାହାଡିଆ ଅଞ୍ଚଳରେ ସମୁଦ୍ର ପତ୍ତନଠାରୁ ୧୫୦୦ ରୁ ୧୮୦୦ ମିଟର ଉଚ୍ଚ ଅଞ୍ଚଳରେ ମଧ୍ୟ ଚାଷ କରାଯାଇପାରେ ସାଧାରଣତଃ ଏହା ଶୁଷ୍କ ମରୁଡି ପ୍ରତିରୋଧକ ଫସଲ ହେଲେ ମଧ୍ୟ ଫ୍ଲୋଷ୍ଟ ଦ୍ଵାରା ନଷ୍ଟ ହୋଇଥାଏ ଓ ୫୦ ଫା.ହି ଉତ୍ତାପରୁ କମ ହେଲେ ଫସଲ ଭଲ ହୋଇପାରେ ନାହିଂ । ତେଣୁ ବହୁ ପରିମାଣରେ ସୁର୍ଜ୍ୟାଲୋକ, ମାଧ୍ୟମ ଧରଣର ବର୍ଷା ଉଷ୍ମ ଦିବା ଓ ରାତି ଏଥିଲାଗି ଉପଯୁକ୍ତ ହୋଇଥାଏ । ଏହି ଅବସ୍ଥା ଅନ୍ତତଃ ଚାରିମାସ ଲାଗି ରହିବା ଦରକାର । ଯେଉଁ ଅଞ୍ଚଳରେ ୫୦ ରୁ ୬୨ ସେ.ମି ବର୍ଷା ହୋଇଥାଏ ସେଠାରେ ରବି , ଗ୍ରୀଷ୍ମ ଓ ଖରିଫ ଋତୁରେ ଏହା ଚାଷ କରିହେବ କିନ୍ତୁ କନ୍ଦମୂଳ ଅମଳ ହେବା ସମୟରେ ବାହ୍ୟ ଉତ୍ତାପ ୮୦ ରୁ ୮୫ ଫା.ହି ବାୟୁର ଆର୍ଦ୍ରତା ଶତକଡ଼ା ୮୫ ରୁ ୯୦ ଭିତରେ ରହିବା ଆବଶ୍ୟକ । ଏହା ଅନ୍ତତଃ ୧୦ ରୁ ୧୫ ଦିନ ଯାଏ ରହିବା ଉଚିତ ।

ପ୍ରକାର – ନାନାପ୍ରକାର କନ୍ଦମୂଳ ଚାଷ କରାଯାଏ । ଧଳା, ଲାଲ , ବାଇଗଣୀ ଓ ହଳଦିଆ ରଙ୍ଗ ବିଶିଷ୍ଟ ଧଳା ରଙ୍ଗର କନ୍ଦମୂଳଗୁଡିକର ଲଟା ଓ ପତ୍ର ଶାଗୁଆ ଓ ଚେରଗୁଡିକ କଳାରଙ୍ଗର ଦେଖାଯାଏ । କନ୍ଦମୂଳଗୁଡିକୁ ନିମ୍ନମତେ ବିଭକ୍ତ କରାଯାଇପାରେ ।

ଆମେରିକୀୟ -ପୋର୍ଟରିକୋ, ନାନସିହାଲ, ଗୋଲଡସ୍କିନ, ଲାଲଜର୍ସି, ୟେଲୋଜର୍ମୀ, B-219 ଭାରତୀୟ - ପୁସାସଫେଦ, ପୁସାସୁନେରି ପୁସାଲାଲ, ହ୍ଵାଇଟ ଷ୍ଟାରର, CL-44, ଶଙ୍କର H-41, H-42, V-2, V-6, V- 8, V-12 ଇତ୍ୟାଦି ।

ଚାଷ ପ୍ରଣାଳୀ - କନ୍ଦମୂଳ ଯେ କୌଣସି ନିରାସା ଜମି ତଥା ଉର୍ବର ବାଲିଆ ଦୋରସା ମାଟିରେ ଚାଷ କରାଯାଇପାରେ; କିନ୍ତୁ ଜମିରେ ଜଳନିଷ୍କାସନ ଭଲଭାବେ ହେବା ଦରକାର । ଜମିକୁ 15 ରୁ 25 ସେଣ୍ଟିମିଟର ଗଭୀର ଚାଷ କରିବା ଖୋଳି ମାଟିକୁ ଗୁଣ୍ଡ କରିଦେବା ଉଚିତ । ଜମି ପ୍ରସ୍ତୁତ କରିବା ସମୟରେ ହେକ୍ଟର ପ୍ରତି ୧୦ ଟନ ଗୋବରଖତ ପ୍ରୟୋଗ କରିବା ଉଚିତ । ୨୫ ରୁ ୩୫ ସେଣ୍ଟିମିଟର ଉଚ୍ଚ ବିଶିଷ୍ଟ ହୁଡା ୬୦ ରୁ ୭୫ ବ୍ୟବଧାନରେ ଗଢି କନ୍ଦମୂଳ ଡଙ୍କଗୁଡିକୁ ୨୦ ରୁ ୩୦ ସେ.ମି ଦୂରରେ ପୋତାଯାଏ ଯେପରି ୩୦ ସେ. ମି ଲମ୍ବା ଡଙ୍କ ଖଣ୍ଡ ଗୁଡିକର ଦୁଇମଭଗରେ ଆଖି ପଦାରେ ରହି ଡଙ୍କ ମଝି ଅଂଶ ମାଟିରେ ପୋତି ହୋଇ ରହେ । ଜୁନ ଜୁଲାଇ ଓ ଅକ୍ଟୋବର - ନଭେମ୍ବର ମାସରେ ଏହା ଲଗାଯାଇଥାଏ । ହେକ୍ଟର ପ୍ରତି ୫୦.୦୦୦ ଡଙ୍କ କାଣ୍ଡ ବା ୩୭୫ ରୁ ୪୫୦ କେଜି କନ୍ଦମୂଳ ଚେର ଦରକାର ହୋଇଥାଏ । ଡଙ୍କ ଲଗାଯିବା ପୂର୍ବରୁ ବଛା ବଛା କନ୍ଦମୂଳ ନେଇ ନରସରି ପଟିରେ ୩୦ରୁ ୪୫ ସେଣ୍ଟିମିଟର ଦୂରତାରେ ଲଗାଯାଏ । ୪ ରୁ ୬ ସପ୍ତାହ ପରେ ୨୦ ରୁ ୩୦ ମିଟର ଲମ୍ବା ଡଙ୍କ ଗୁଡିକୁ, କାଟି ନେଇ ପୁଣି ଆଉ ଗୋଟିଏ ପଟିରେ ୩୦ ସେଣ୍ଟିମିଟର ଧାଡି ଭିତରେ ଓ ୧୬୦ ସେଣ୍ଟିମିଟର ଧାଡି ମଧ୍ୟରେ ବ୍ୟବଧାନ ରଖି ଲଗାଯାଏ । ପଟିରୁ ଡଙ୍କ କାଟିନେଇ କ୍ଷେତରେ ଲଗାଯାଏ ।

କନ୍ଦମୂଳ ନିରସା ଜମିରେ ଚାଷ କରାଯାଉଥିଲେ ସୁଦ୍ଧା ସରସା ମାଟିରେ ଉତ୍କୃଷ୍ଟ ଭାବେ ଅମଳ ଦିଏ । ସାର ପ୍ରୟୋଗ କରାଗଲେ ଉତ୍ତମ ଚେର ମିଳିଥାଏ । ଯବକ୍ଷାର ବହୁ ପରିମାଣରେ ଦରକାର ହେଉ ନଥିଲେ ବି ଏହା କିଛି ମାତ୍ରାରେ ପ୍ରୟୋଗ କରି ଫସଫରସ ଓ ପଟାସ ସାର ମଧ୍ୟ ପ୍ରୟୋଗ କରିବା ଦରକାର । ହେକ୍ଟର ପ୍ରତି ୭୫ କେ.ଜି ଯବକ୍ଷାର ୫୦ କେ.ଜି ଫସଫରସ ଓ ୭୫ କେ.ଜି ପଟାସ ଦରକାର ହୋଇଥାଏ । ଏ ପୟୋଗ ପରିମାଣକୁ ତାଲିକା ସୂଚୀରେ ସଜ୍ଜାଇ ରଖାଗଲା ।

ସାର

ପ୍ରୟୋଗ ସମୟ ଜମିପ୍ରସ୍ତୁତି

କେ.ଜି ଡଙ୍କ ଲଗାଯିବା ପାଞ୍ଚ ସପ୍ତାହ ପରେ

ୟୁରିଆ

୮୦

୮୦

କେଲସିଏମ ଏମୋନିଏମ ନାଇଟ୍ରେଟ

୧୯୦

୧୯୨

ସୁପର ଫସଫେଟ

୩୧୦

-----

ମ୍ୟୁରେଟ ଅଫପଟାସ ୧୨୫ ----

ଏହା ବଦଳରେ ହେକ୍ଟର ପ୍ରତି ୮:୮: ୧୬ ମିଶ୍ରିତ ସାର ୪୫୦ କେ.ଜି ସହ ୮୦ କେ.ଜି ସୁପର ଫସଫେଟ ଜମିରେ ଡଙ୍କ ଲଗାଯିବା ପୂର୍ବରୁ ପ୍ରୟୋଗ କରି ପାଞ୍ଚ ସପ୍ତାହ ପରେ ଆଉ ୩୦ କେ.ଜି ୟୁରିଆ ସାର କରାଯାଇପାରେ । ବର୍ଷାରୁତୁ ଲାଗି ଜଳସେଚନର ଦରକାର ପଡି ନଥାଏ । କିନ୍ତୁ ଅନ୍ୟ ଋତୁରେ ଚାଷ କଲେ ପ୍ରତି ୧୦ ଦିନରେ ଥରେ ପାଣି ମଡାଯାଇ ପାରେ । ଅନ୍ୟାନ୍ୟ ଫସଲ ପରି କନ୍ଦମୂଳର ଡଙ୍କ ଲଗାଯିବା ୪ ରୁ ୫ ସପ୍ତାହ ପରେ ଘାସବାଛି ଗଛମୂଳେ ମାଟି ଚଢାଯାଏ । ଏହି ସମୟରେ ଶୀର୍ଷସାର ପ୍ରୟୋଗ ଲାଗି ରଖାଯାଇଥିବା ସାର ପ୍ରୟୋଗ କରାଯାଏ ଏହାଛଡା ମଧ୍ୟେ ମଧ୍ୟେ ଡଙ୍କଗୁଡିକୁ ଘୁଞ୍ଚାଇବା ଦ୍ଵାରା ପ୍ରତି ଗଣ୍ଠିରେ ଚେର ଫୁଲିବାକୁ ନଦେଇ ପ୍ରଧାନ ଗଣ୍ଠିରେ ବଡ ବଡ କନ୍ଦମୂଳ ବଢିବା ଲାଗି ସୁଯୋଗ ଦିଆଯାଏ ।

ପ୍ରକାର ଭେଦରେ କନ୍ଦମୂଳ ୩.୫ ରୁ ୪ ମାସ ନେଇଥାଏ ପତ୍ରଗୁଡ଼ିକ ହଳଦିଆ ପଡେ । ଏହି ସମୟରେ ଖୋଳାଯାଏ । ହେକ୍ଟର ପ୍ରତି ୧୨ ରୁ ୧୬ ଟନ କନ୍ଦମୂଳ ଅମଳ ହୋଇଥାଏ । H-41ଓ H-42 ପ୍ରକାରର କନ୍ଦମୂଳ ହେକ୍ଟର ପ୍ରତି ୨୭ ଟନ ଯାଏ ଅମଳ ହୋଇଥାଏ ।

ରୋଗ ଓ ପୋକ  – କନ୍ଦମୂଳରେ ଲଟାସଢା ରୋଗ ଫ୍ୟୁଜାରିଏମ ବେଟାଟେଟିସ ନାମକ ଫିମ୍ପିରୋଗ ଲାଗି ପତ୍ର ସଢାଇ ଦିଏ । ଏହା ଛଡା ବ୍ଲାକରଟ ରୋଗ ଧରେ । ପତ୍ରଗୁଡ଼ିକ ରୋଗା ଦେଖାଯାଇ ହଳଦିଆ ପଡିଯାଏ । କଳ ଫାଟ ଦାଗ ମଧ୍ୟ ମାଟିତଳେ ଦେଖାଦିଏ । କନ୍ଦମୂଳ ଲଗାଯିବା ପୂର୍ବରୁ ସେଗୁଡିକୁ ଏକ ଭାଗ ମେରକ୍ୟୁରି କ୍ଳୋରାଇଡ ୧୦୦୦ ଭାଗ ଜଳରେ ମିଶାଇ ସେଥିରେ ବୁଡାଇ ଲଗାଯିବା ଉଚିତ ବା ୨.୫% ଟାଙ୍ଗଣା ଦ୍ରବ୍ୟ ମଧ୍ୟ ବ୍ୟବହାର କରାଯାଇପାରେ ।

କନ୍ଦମୂଳ ଉଙ୍କୁଣୀ କାଣ୍ଡ ଓ ଚେରରେ ରନ୍ଦ୍ରକରି ସେଗୁଡିକୁ ନଷ୍ଟ କରେ । ୦.୧%ସୁମିଥାୟନ ବା ମେଟାସିସଟକସ ଗଛ ଲଗାଯିବା ମାସକ ପରେ ଓ ପ୍ରତି ମାସରେ ଛିଞ୍ଛିବା ଦରକାର । ସୋଲଭିରକସ ଦାନା ହେକ୍ଟର ପ୍ରତି ୨୫ କିଲୋଗ୍ରାମ ଡଙ୍କ ଲଗାଯିବା ଦୁଇମାସ ପରେ ମଧ୍ୟ ମାଟିରେ ପ୍ରୟୋଗ କରାଯାଏ ।

ଓଲୁଅ

ଓଲୁଅ ଏକ ଦଳ ବିଶିଷ୍ଟ ଉଦ୍ଭିଦ ଅଟେ । ଗଛ ମୂଳରେ ହାତୀ ପାଦପରି କାଣ୍ଡ ଗୋଲ ଓ ମୋଟାହୋଇ ବଢେ ଯେଉଁଥିରେ ଶ୍ଵେତସାର ଓ ଅନ୍ୟାନ୍ୟ ଉଦ୍ଭିଦ ସାର ଜମେ ଓ ଏହା ପରିବା ରୂପରେ ବ୍ୟବହାର ହୋଇଥାଏ । ଏହା ଗ୍ରୀଷ୍ମ ତଥା ଉପଉଷ୍ମ ମଣ୍ଡଳୀୟ ଅଞ୍ଚଳରେ ଚାଷ କରାଯାଇଥାଏ । ଉତ୍ତମ ଭାବେ ବର୍ଷସାରା ବର୍ଷା , ଆର୍ଦ୍ର , ଉଷ୍ମ ଜଳବାୟୁ ଉଦ୍ଭିଦଗୁଡିକ ବଢିବା ଲାଗି ଦରକାର କରିଥାଏ ଓ ଓଲୁଅ ଫୁଲିବା ଲାଗି ଶୁଷ୍କ ଓ ଥଣ୍ଡା ଜଳବାୟୁ ଆବଶ୍ୟକ ହୋଇଥାଏ । ବହୁଳ ଭାବେ ବର୍ଷା ଓ ଜମିରେ ପାଣି ଜମିରହିବା ଉଦ୍ଭିଦ ପକ୍ଷେ କ୍ଷତିକାରକ ।

ଚାଷ ପ୍ରଣାଳୀ - ଏହା ଚାଷ କରିବା ଲାଗି ଚାରି ବର୍ଷ ସମୟ ଲାଗିଥାଏ । ହାଲୁକା , ଦୋରସା ତଥା ନିଗଡାମାଟି ଏଥି ଲାଗି ଉତ୍କୃଷ୍ଟ । ଜମିକୁ ୨୦ ରୁ ୨୨.୫ ସେଣ୍ଟିମିଟର ଗଭୀର ଚାଷ କରି ହୁଡା ବା ପଟିରେ ଗଛକୁ ଗଛ ୧୫ ରୁ ୨୨.୫ ସେଣ୍ଟିମିଟର ଓ ଧାଡିକି ଧାଡି ୬୦ ରୁ ୭୫ ସେଣ୍ଟିମିଟର ବ୍ୟବଧାନ ରଖି ଓଲୁଅ ବଡ ଗୁଡିକୁ ନେଇ ପୋତାଯାଏ । ଏହି କଢ ଗୁଡିକ ମା” ଓଲୁଅ ପିଣ୍ଡରେ ଲାଗି ରହିଥାନ୍ତା । ପ୍ରଥମେ ସେଗୁଡିକୁ ଅଲଗା କରିବାକୁ ହୋଇଥାଏ । ମେ ମାସରେ ସାଧାରଣତଃ ଏହା ପୋତିବା ଉଚିତ । ବର୍ଷାଋତୁ ଆସିବା ପୂର୍ବରୁ ଯେପରି ଗଛଗୁଡିକ ବାହାରି ପଡେ ତାହା ଦେଖିବାର କଥା । ଓଲୁଅକୁ ଖଣ୍ଡ ଖଣ୍ଡ କରି କାଟି ଗୋବର ଗୋଳାଇ ମଧ୍ୟ ଲଗାଯାଇ ପାରେ ।

ମେ ମାସରେ ଗଛ ଲଗାଇ ଡିସେମ୍ବର ମାସରେ ଖୋଳି ଓଲୁଅଗୁଡିକ ସାଇତିରଖି ପୁଣି ଦ୍ଵିତୀୟବର୍ଷ ମେ ମାସରେ ସେଗୁଡିକୁ ପୁନରପି ଲଗାଯାଏ ଓ ପୁଣି ଡିସେମ୍ବରରେ ଖୋଳି ସାଇତି ରଖାଯାଏ । ସେହିପରି ତୃତୀୟ ଓ ଚତୁର୍ଥ ବର୍ଷ ଲଗାଇ ଶେଷଥର ଖୋଲିଲେ ପ୍ରତ୍ୟକ ଓଲୁଅର ଓଜନ ୬ ରୁ ୧୦ କେ.ଜି ହୋଇଥାଏ।ଏହି ଚାଷ ଲାଗି ଗୋବର, ପାଉଁଶ, ଯଥେଷ୍ଟ ପରିମାଣରେ ଜମିରେ ଦେଇ ଲଗାଯିବା ଉଚିତ। ହେକ୍ଟର ପ୍ରତି ୪୦୦ କ୍ଵିଣ୍ଟାଲ ଓଲୁଅ ଚତୁର୍ଥ ବର୍ଷ ଶେଷରେ ଅମଳ ହୋଇଥାଏ ।

ସାରୁଜାତୀୟ ପରିବା

ସାରୁ ଜାତୀୟ ପରିବା ଏକଦଳ ବିଶିଷ୍ଟ ଉଦ୍ଭିଦ ଓ କନ୍ଦ ଜାତୀୟ ଫସଲ । ଏହା ବହୁ ବାର୍ଷିକ ଉଦ୍ଭିଦ ଗୋଷ୍ଠୀରେ ଅନ୍ତର୍ଭୁକ୍ତ କରାଯାଇଛି । ସାରୁ, ଖରିଫ, ରବି ଓ ଗ୍ରୀଷ୍ମ ଋତୁରେ ଚାଷ କରାଯାଇପାରେ ଉଦ୍ଭିଦଗୁଡିକରେ ପତ୍ରଗୁଡ଼ିକରେ ଲମ୍ବାନାଡ (୪୫ରୁ୨୧୦ସେମି) ରହି ସେଥିରେ ହୃଦୟାକୃତ ବଡ ପତ୍ର ଧରିଥାଏ । ପତ୍ରଗୁଡ଼ିକ ସାଧାରଣତଃ ଗାଢ ସାଗୁଆ ରଙ୍ଗର । ମାଟିତଳେ ସାରୁଗୁଡିକ ଫୁଲି ବଢିଥାଏ । ଏହା ସମୁଦ୍ର ପତ୍ତନରୁ ୨.୪୦୦ ମିଟର ଉଚ୍ଚ ଜମିରେ ମଧ୍ୟ ଚାଷ କରାଯାଇଥାଏ । ସାରୁ ଉଦ୍ଭିଦର ମୂଳଛଡା ନାଡ଼ ଶଣ୍ଢା ଓ ପତ୍ର ମଧ୍ୟ ପରିବା ରୂପେ ବ୍ୟବହୃତ ହୋଇଥାଏ । ସାରୁଗୁଡିକର ଖାଦ୍ୟ ମୂଲ୍ୟ ମଧ୍ୟ ଅନ୍ୟାନ୍ୟ ପନିପରିବା ତୁଳନାରେ କମ ନୁହେଁ ।

ପ୍ରକାର – ସାରୁ ୩୦୦ ରୁ ୪୦୦ ପ୍ରକାର ଚାଷ କରାଯାଉଛି । ଏଗୁଡିକ ନିମ୍ନ ପ୍ରକାରେ ବିଭକ୍ତ କରାଯାଇପାରେ ।

  • କୁଜିସାରୁ – ଗଛ ଗୁଡିକ ଗାଢ ସାଗୁଆ ବା ଈଷତ ସାଗୁଆ । ଗଛ ୬୦ ରୁ ୯୦ ସେ.ମି ଉଚ୍ଚ ବଢେ ।
  • ମାଙ୍କେଡିସାରୁ – ଗଛଗୁଡିକ ସାଗୁଆ ବା ଈଷତ ସାଗୁଆ।
  • ବିଆଳି ବା ଜଖଲିସାରୁ – ସାରୁପତ୍ର ଓ ନାଡ଼ ଗୁଡିକ ବାଇଗଣି ରଙ୍ଗର ହୋଇଥାଏ ।
  • ଶଙ୍ଖସାରୁ – ସାରୁପତ୍ର ଓ ନାଡ଼ ବାଇଗଣି ରଙ୍ଗର ହୋଇଥାଏ । ପ୍ରତି ଗଛରୁ ଦୁଇରୁ ତିନୋଟି ସାରୁ ବାହାରେ ପତ୍ରଗୁଡ଼ିକ ପଦ୍ମପତ୍ର ପରି ଦିଶେ ।
  • ମାଣସାରୁ – ଗଛ ୯୦ ରୁ ୧୨୦ ସେ.ମି ଉଚ୍ଚରେ ବଢେ । ପତ୍ର ଗାଢ ସାଗୁଆ ଓ ଅନ୍ୟ ପ୍ରକାର ସାରୁରେ ବାଇଗଣି ରଙ୍ଗର ଶିରାଥାଏ । ମାଟିତଳେ ବଢୁଥିବା କନ୍ଦଗୁଡିକ ପ୍ରକାରଭେଦରେ ବିଭିନ୍ନ ଆକାରର ହୋଇଥାଏ । କୁଜିସାରୁ ଗୁଡିକ ଗୋଲହୋଇ ୧.୩ ରୁ ୧.୫ ସେ.ମି ମୋଟା ହୋଇ ଥାଏ । ଅନ୍ୟାନ୍ୟ ପ୍ରକାରର ସାରୁଗୁଡିକ ଛୋଟରୁ ବଡ ଏପରିକି ୧୫ ସେମି ମୋଟା ଓ ୬୦ ସେ. ମି ଯାଏ ଲମ୍ବା ହୋଇଥାଏ । ସେହିପରି ସାରୁ ଶସଗୁଡ଼ିକର ରଙ୍ଗ ଧଳା, ହଳଦିଆ, କମଳା ରଙ୍ଗର ଲାଲ ବା ଈଷତ ବାଇଗଣି ରଙ୍ଗର ହୋଇଥାଏ । ସାରୁଗୁଡିକ ପ୍ରକାର ଭେଦରେ ତଣ୍ଟି ଗଲୁକରେ । ଗୁରିକଚୁ, ଆସୁକଚୁ, ସାରକଚୁ ନମ୍ବର ୨୨,୧୨,୩୬,୪୦(ମହାରାଷ୍ଟ୍ର),(S-3) ଓ (S-11)(ପଞ୍ଜାବ) ଏପରି କେତେ ପ୍ରକାରର ସାରୁ ମଧ୍ୟ ଅନ୍ୟାନ୍ୟ ପ୍ରଦେଶରେ ଚାଷ କରାଯାଉଛି । ଏହାଛଡା ବଙ୍ଗାଲିବଣ୍ଡା, ଦେଶୀବଣ୍ଡା, ଫାଇଜାବାଦି, ବଂଶୀ, ଲଧରା ପ୍ରକାରର ସାରୁ ଭାରତରେ ଚାଷ କରାଯାଏ ।

ବଂଶ ବୃଦ୍ଧି – ସାରୁ ଜାତୀୟ ପରିବାଗୁଡିକ ଅଙ୍ଗଜ ବିସ୍ତାର ପ୍ରଣାଳୀ ଦ୍ଵାରା ବଂଶବୃଦ୍ଧି କରାଯାଏ । ସାରୁ ମୁଣ୍ଡାଗୁଡିକ ନେଇ କ୍ଷେତରେ ବ୍ୟବହାର କରାଯାଏ ତେଣୁ ଜମିରେ ସାରୁ ଲଗାଯିବା ଦଶରୁ ପନ୍ଦରଦିନ ପୂର୍ବରୁ ଗଜା ବାହାରେ ବା ସନ୍ଦେଇବା ଦରକାର କରିଥାଏ । ଶଙ୍ଖ ସାରୁ ଗୁଡିକ ୫୦ ଗ୍ରାମ ଓଜନର ଖଣ୍ଡ ଖଣ୍ଡ କରି କାଟି ଓ ପ୍ରତ୍ୟକ ଖଣ୍ଡରେ ଆଖି ରଖାଯାଏ । ସେଥିରେ ପାଉଁଶ ଗୋଳି ବାଲି ସ୍ତରରେ ପୋତି ରଖିଲେ ଗଜା ବାହାରେ ଗଜାଗୁଡିକ ତିନିପତ୍ର ଧରିବା ପରେ ସେଗୁଡିକର ପତ୍ର ଓ ଚେରରୁ କିଛି ଅଂଶ କାଟି କ୍ଷେତରେ ଲଗାଯାଏ । ଏପରି କରିବା ଦ୍ଵାରା ସାରୁ ମୁଣ୍ଡା ବଢିବାରେ ସହାୟକ ହୋଇଥାଏ । ଜଖଲିସାରୁ , କୁଜିସାରୁ ଓ ଏହି ଶ୍ରେଣୀର ଅନ୍ୟାନ୍ୟ ସାରୁଗୁଡିକ ନେଇ ଖତ, କାଠଚୁଲି ପାଉଁଶ, ନଦାଗୁଣ୍ଡ ଓ କମ୍ପୋଷ୍ଟ ଇତ୍ୟାଦି ମିଶାଇ ୮ ସେ.ମି ରୁ ୧୦ ସେ.ମି ବହଳର ପଟିକରି ସେଥିରେ ପୋତି ପାଣିଛିଞ୍ଛି ରଖିଲେ ୧୦ ରୁ ୧୫ ଦିନ ଭିତରେ ଗଜାଗୁଡିକ ବାହାରିପଡେ । ସେଗୁଡିକୁ ପିଣ୍ଡସହ ନେଇ କ୍ଷେତରେ ପୋତାଯାଏ। ହେକ୍ଟର ପ୍ରତି ୭.୫ ରୁ ୯.୦ କ୍ଵିଣ୍ଟାଲ ବା ୨୫ ରୁ ୩୦ ହଜାରଗଛ ଦରକାର ହୋଇଥାଏ ।

ଚାଷ ପ୍ରଣାଳୀ – ସାରୁ ଚାଷ ଲାଗି ଦୋରସା ଚିକିଟା ଏପରି କି ଚିକିଟାମାଟି ବ୍ୟବହାର କରାଯାଇପାରେ । ବର୍ଷାଋତୁ, ଗ୍ରୀଷ୍ମଋତୁରେ ଏହାର ଚାଷ କରାଯାଏ । ଓଡିଶାରେ ଫୁଲବାଣୀ; ଉଦୟଗିରି ଓ ପାହାଡିଆ ଅଞ୍ଚଳରେ ହଳଦୀ ଚାଷ କରାଗଲାବେଳେ ସାରୁ ହଳଦୀ କ୍ଷେତରେ ମଧ୍ୟ ଲଗାଯାଏ ଦକ୍ଷିଣ ଭାରତରେ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ମଧ୍ୟ ସାରୁ ଲଗାଯାଏ।

ବର୍ଷା ଋତୁରେ ଜମିକୁ ଚାରିଥର ଚାଷକରି ଜମି ସମତଳ କରାଯାଏ । ଏହା ଜୁନ ଜୁଲାଇ ମାସରେ ହୋଇଥାଏ । ଧାଡି ମଧ୍ୟରେ ୪୫ ସେ.ମି ଓ ଧାଡି ଭିତରେ ୩୦ ସେ.ମି ବ୍ୟବଧାନରଖି ଗଛ ପୋତାଯାଏ ଏହା କରିବା ପୂର୍ବରୁ ଜମିରେ ତିନି ଇଞ୍ଚ ଗଭୀରର ସିଅରକାଟି ସେଥିରେ ୨୫ ମେଟ୍ରିକଟନ ଶଢା ଗୋବରଖତ, ପତ୍ରସାର, ଛଣଗୁଣ୍ଡି ଓ ଚୁଲିପାଉଁଶ ମିଶାଇ ପ୍ରୟୋଗ କରାଯାଏ ଓ ହୁଡାଉଠାଇବା ସମୟରେ ୨୦୦ କେ.ଜି ଏମୋନିଏମ ସଲଫେଟ, ୨୦୦ କେ.ଜି ସୁପର ଫସଫେଟ ଓ ୨୦୦ କେ.ଜି ପଟାସ ହେକ୍ଟର ପ୍ରତି ଟପଡ୍ରେସ କରାଯାଏ । ଖରାଟିଆ ଫସଲ ଲାଗି ସେହିପରି ଚାରିଥର ହଳକରି ଜମି ସମତଳ କରି ୬୦ ସେ.ମି ବ୍ୟବଧାନରେ ସିଅରକାଟି, ସିଅର ଗୁଡିକୁ ୨୫ ସେ.ମି ଗଭୀର କରାଯାଏ । ସେଥିରେ ସେହିପରି ଖତଦେଇ ପିଣ୍ଡ ୩୦ ସେ.ମି ବ୍ୟବଧାନରେ ପୋତି ନଳୀଗୁଡିକରେ ପାଣି ମଡାଯାଏ । ସାରୁ କ୍ଷେତରେ ଘାସ ବଛାଯିବା ଦରକାର । ଗଛଗୁଡିକ ପନ୍ଦର ଦିନଯାଏ ବଢିବା ପରେ ସାର ପ୍ରୟୋଗ କରି ମାଟି ଉଠାଯାଏ । ସାରୁ ଲଗାଯିବା ୨ ରୁ ୨.୫ ମାସ ପରେ ପୁଆ ବାହାରେ ଓ ତାର ସପ୍ତାହକ ପରେ ଫୁଲ ଶଣ୍ଢା ବାହାରେ । ଗଛମୂଳରେ ମାଟି ହାଲୁକା ରଖିବା ବ୍ୟବସ୍ଥା କରାଯାଏ । ବର୍ଷାଋତୁ ଫସଲ ଲାଗି ଜଳସେଚନ ଦରକାର ପଡିନଥାଏ । ଶୀତ ଋତୁରେ ଫସଲରେ ଥରେ ଦୁଇଥର ପାଣି ମଡାଯାଏ ଓ ଖରାଦିନିଆ ଫସଲ ଲାଗି ଅନ୍ତତଃ ସପ୍ତାହରେ ଥରେ ପାଣି ମଡାଯାଏ ।

ବିଭିନ୍ନ ପ୍ରକାରର ସାରୁ ଭିନ୍ନ ଭିନ୍ନ ସମୟରେ ଖୋଳା ଯାଏ । ଗଛ ଗୁଡିକ ହଳଦିଆ ପଡି ସାରୁ ପାକଳ ହେବା ପରେ ଅମଳ କରାଯାଏ । ପ୍ରକାରଭେଦରେ ୩ ରୁ ୬ ମାସ ଯାଏ ସାରୁ ପାକଳ ହେବା ଲାଗି ସମୟ ନେଇଥାଏ । ଶଙ୍ଖସାରୁ ଓ ବିଆଳିସାରୁ ଶ୍ରାବଣ ମାସରେ ଖୋଳାଯାଏ କିନ୍ତୁ ମାଙ୍କେଡି ଓ ତେଲିଆ କାର୍ତ୍ତିକ ମାସରେ ଖୋଳାଜାଏ । ହେକ୍ଟର ପ୍ରତି ୧୧୦ ରୁ ୧୪୦ କ୍ଵିଣ୍ଟାଲ ଯାଏ ଅମଳ କରାଯାଏ ।

ରୋଗ ଓ ପୋକ

ପତ୍ର ଭକ୍ଷକ ପୋକ ଖାଇଯାନ୍ତି । ଲେଡ ଏରସିନେଟ ଗୁଣ୍ଡବୁଣି ଏଗୁଡିକୁ ନଷ୍ଟ କରାଯାଇପାରେ ।

ପତ୍ରସଢା ରୋଗ - ଏହା ସାଧାରଣତଃ ଜୁଲାଇ ଅଗଷ୍ଟ ମାସରେ ଦେଖାଦିଏ । ପତ୍ର ଓ ନାଡ ଗୁଡିକୁ ସଢାଇଦିଏ । ଅଧିକ ପରିମାଣରେ ଆକ୍ରାନ୍ତ ହେଲେ ସାରୁ ମୁଣ୍ଡିଗୁଡ଼ିକୁ ମଧ୍ୟ ବ୍ୟାପିଯାଇ ସଢାଇଦିଏ । ସନ୍ତସନ୍ତିଆ ଜମି ଓ ଛାୟାଅନାସ୍ଥା ଏହି ରୋଗ ବଢାଇଥାଏ । ରୋଗ ଦେଖାଦେଲେ ବୋର୍ଡ ମିକଶ୍ଚର ୫ .୫ ୫୦ ଦବ ପାଉଣ୍ଡ ତୁତିଆ ତିଆରି କରି ସିଞ୍ଚିବା ଉଚିତ ।

ବିଟ

ବିଟ ବା ଚୁକନ୍ଦର କଅଁଳ ପତ୍ର ବା ତଥା ଫୁଲି ଉଠିଥିବା ଚେର ପରିବା ରୂପେ ବ୍ୟବହାର କରାଯାଏ । ଚେରଗୁଡିକ ମିଠା ଲାଗେ ଓ ଏହା କଞ୍ଚାରେ ସଲାତ ସହ ଖିଆଯାଏ । ତରକାରୀ ରାନ୍ଧି ମଧ୍ୟ ବ୍ୟବହାର କରାଯାଏ । ଏହାର ଖାଦ୍ୟ ମୂଲ୍ୟ କମ ନୁହେଁ ।

ପ୍ରକାର – ଚାରୋଟି ଶ୍ରେଣୀର ଚୁକନ୍ଦର ବା ବିଟ ବ୍ୟବହାର କରାଯାଏ । ସେଥିମଧ୍ୟରୂ ଦୁଇଟି ଶ୍ରେଣୀ ପରିବା ରୂପେ ହିଁ ବ୍ୟବହୃତ ହୋଇଥାଏ । ସେଗୁଡିକ ହେଲା ଗାର୍ଡ଼ନବିଟ ଓ ଲିଫବିଟ । ଅନ୍ୟ ଦୁଇଟି ଶ୍ରେଣୀ ହେଲା ସୁଗରବିଟ ଏହା ଚିନୀ ବାହାର କରିବା ଲାଗି ବ୍ୟବହାର ହୋଇଥାଏ ଅନ୍ୟଟି ହେଲା ମେନ ଗେଲଡବିଟ ଯାହା ପଶୁ ଖାଦ୍ୟ ରୂପେ ବ୍ୟବହୃତ ହୋଇଥାଏ । ସାଧାରଣତଃ କ୍ରିମସନ ଗ୍ଲୋବ, ଇଜପସିଏନ ବ୍ଲଡ଼ ରେଡ ଓ ଡିଟରାଇଟ ଡାର୍କରେଡ ପରିବା ରୂପେ ଚାଷ କରାଯାଏ ।

ବଂଶ ବିସ୍ତାର – ମଞ୍ଜି ଦ୍ଵାରା ବଂଶ ବିସ୍ତାର ହୋଇଥାଏ । ହେକ୍ଟର ପ୍ରତି ୫ ରୁ ୬ କେଜି ମଞ୍ଜି ଦରକାର ହୋଇଥାଏ ।

ଚାଷ ପ୍ରଣାଳୀ - ଏହା ସାଧାରଣତଃ ରବି ଫସଲ ରୂପେ ଚାଷ କରାଯାଏ କାରଣ ଚେର ବଢିବା ଲାଗି ୬୭° ରୁ ୭୦° ଫାରେନହିଟ ଉତ୍ତାପ ଦରକାର ହୋଇଥାଏ । ଗଛ ବଢିବା ଲାଗି ଅଧିକ ଉତ୍ତାପ ଦରକାର ହୋଇଥାଏ । ବାଲିଆ ଦୋରସା ମାଟି ବିଟ ଲାଗି ଉତ୍କୃଷ୍ଟ । ମାଟିର ଅମ୍ଳତା ୫.୦ ରୁ ୫.୮ ହୋଇଥିଲେ ଫସଲ ଭଲଭାବେ ବଢି ଜମିରୁ ଉତ୍ତମ ଚେର ଅମଳ ହୁଏ । ଜମିକୁ ଭଲ ଭାବେ ଚାଷ କରି ଖତଦେଇ ମଞ୍ଜି ବୁଣାଯାଏ । ଧାଡି ମଧ୍ୟରେ ୩୦ ସେ. ମି ଓ ଧାଡି ଭିତରେ ସିଅରରେ ୧ ରୁ ୫ ସେ. ମି ତଫାତରେ ଗୋଟିଏ ଲେଖାଏଁ ମଞ୍ଜି ବୁଣାଯାଏ । ତଳି ଲଗାଗଲେ ଆଗରୁ ତଳି ଘେରାରେ ତଳି ଉତ୍ତାରି ଅସଗୁଡିକୁ ଧାଡି ମଧ୍ୟରେ ୩୦ ସେ. ମି ଓ ଧାଡି ମଧ୍ୟରେ ୧୦ ସେ. ମି ଛଡାରେ ଚେରଗୁଡିକୁ ସିଧାରଖି ପୋତାଯାଏ ଏଥିଲାଗି ଡିବଲର ବ୍ୟବହାର କରିବା ଉଚିତ । ଗଛଗୁଡିକ ୩-୫ ପତ୍ର ଧରିବା ପରେ ଏକ କେଜି ଲୁଣ ୪ ଲିଟର ପାଣିରେ ଗୋଳି ସିଞ୍ଚିଲେ ଅନେକ ଘାସ ନଷ୍ଟ ହୁଅନ୍ତି ଓ ଏହା ବିଟ ଫସଲ ଲାଗି ଭଲ ହୋଇଥାଏ । ଏହି ଫସଲ ଲାଗି ହେକ୍ଟର ପ୍ରତି ୬୦-୭୦ କେଜି ଯବକ୍ଷାର, ୧୦୦ରୁ ୧୨୦ କେଜି ଫସଫରସ ଓ ୬୦-୭୦ କେଜି ପଟାସ ପ୍ରୟୋଗ କରାଯାଏ । ମାଟିକୁ ବତର ରଖିବା ଲାଗି ପାଣି ମଡାଯିବା ଉଚିତ । ଏକର ପ୍ରତି ୧୫ ରୁ ୧୮ କେଜି ଟାଗଣା ପ୍ରୟୋଗ କଲେ ଉତ୍ତମ ଚେର ମିଳିଥାଏ । ହେକ୍ଟର ପ୍ରତି ୨୦ ରୁ ୨୫ ହଜାର କେଜି ଚେର ଅମଳ ହୋଇଥାଏ ।

ରୋଗ ଓ ପୋକ - ଡିଫମାଇନର ପତ୍ରଗୁଡ଼ିକୁ ନଷ୍ଟ କରିଥାନ୍ତି ମାଲାଥିଏନ ସିଞ୍ଚିଲେ ଏହା ନଷ୍ଟ ହୋଇଥାଏ । ଲିଫସ୍ପଟ ବା ପତ୍ର ଛିଟା ରୋଗ ଲାଗିଲେ କପରଫଙ୍ଗିସାଇଡ ସିଞ୍ଚି ରୋଗମୁକ୍ତ କରାଯାଇପାରେ ।

ଗାଜର

ଗାଜର ମୂଳଗୁଡିକ ତରକାରୀ, ଆଚାର, ହାଲୁଆ, ସାଲଟ ରୂପେ ବ୍ୟବହାର କରାଯାଏ । ବିଟ ପରି ଏହା ଦ୍ଵିବାର୍ଷିକ ଫସଲ ପ୍ରଥମ ଋତୁରେ ଚେର ବଢେ ଓ ଦ୍ଵିତୀୟ ଋତୁରେ ମଞ୍ଜିଧରେ ।

ପ୍ରକାର – ଦେଶୀୟ – ପୁସାକେସାର, ଅରେଞ୍ଜକଲର ରୁଟ ବ୍ଲାକକଲର ରୁଟ ୟୁରୋପୀୟ – ନେକଟିସ , ଚେନଟେନି, ଡେନଭେର, ହାପଲଙ୍ଗ ଅକସହର୍ଟ ।

ଏହାଛଡା ଲଙ୍ଗଲେମନ, ପର ଫୁଲଲଙ୍ଗ, କାସମିରୀବ୍ୟୁଟି, ଇଣ୍ଡିଏନ ସ୍ପିଟ ଅରେଞ୍ଜ, ଗୋଲଡେନ ହର୍ଟ ଇତ୍ୟାଦି ।

ବଂଶ ବୃଦ୍ଧି – ମଞ୍ଜି ଦ୍ଵାରା ଏହାର ବଂଶ ବୃଦ୍ଧି କରାଯାଏ । ଅଗଷ୍ଟରୁ ଡିସେମ୍ବର ମାସଯାଏଁ ଏହା ବୁଣାଯାଇ ପାରେ । ଦୁଇରୁ ଚାରି ସପ୍ତାହ ଛଡାରେ ମଞ୍ଜି ବୁଣି ଫସଲ ଅମଳ କାରାଯାଇପାରେ ।୫ ରୁ ୬ କିଗ୍ରା ମଞ୍ଜି ହେକ୍ଟର ପ୍ରତି ଦରକାର ହୋଇଥାଏ । ଏହା ୧.୫ ସେ.ମି ଗଭୀରରେ ପୋତା ଯିବା ଦରକାର ହୋଇଥାଏ । ସମତଳ ପଟି ବା ହିଡ ୪୫ ସେ .ମି ଦୂରତାରେ ଗଢି ମଞ୍ଜି ପୋତାଯାଏ ।

ଚାଷ ପ୍ରଣାଳୀ – ବିଟ ପରି ଗାଜର ଥଣ୍ଡା ପରିବେଶ ଦରକାର କରିଥାଏ । ୧୫ ରୁ ୨୦ ସେଣ୍ଟିଗ୍ରେଡ ଉତ୍ତାପରେ ଚେରଗୁଡିକ ଉତ୍ତମ ରଙ୍ଗ ଧରି ଫୁଲିଥାନ୍ତି । ଜମି ଗଭୀର, ହାଲୁକା ଦୋରସା ହେବା ଉଚିତ ଓ ସେଥି ସଙ୍ଗେ ସଙ୍ଗେ ନିଗିଡା ମଧ୍ୟ ହେବା ଆବଶ୍ୟକ । ଜମିକୁ ଚାଷ କରି ମଞ୍ଜି ବୁଣାଯାଏ । ସଢା ଗୋବର ଖତ ଜମି ପ୍ରସ୍ତୁତ ସମୟରେ ୨୦-୨୫ ମେଟ୍ରିକ ଟନ ବ୍ୟବହାର କରି ପରେ ୪୦ -୫୦ କେଜି ଯବକ୍ଷାର, ୪୦ -୫୦ କେଜି ଫସଫରସ ଓ ୮୦ ରୁ ୧୦୦ କେଜି ପଟାସ ହେକ୍ଟର ପ୍ରତି ପ୍ରୟୋଗ କରାଯାଏ । ଜମିକୁ ବତର ରଖିବା ଲାଗି ଉପଯୁକ୍ତ ବ୍ୟବଧାନରେ ପାଣି ମଡାଯିବା ଆବଶ୍ୟକ । ଚେରଗୁଡିକ ୨.୫ ରୁ ୩.୭ ସେମି ମୋଟା ହୋଇଗଲା ପରେ ଉପାଡି ଅମଳ କରାଯାଏ । ହେକ୍ଟର ପ୍ରତି ୧୪୦ ରୁ ୩୭୫ କ୍ଵିଣ୍ଟାଲ ଅମଳ ହୋଇଥାଏ ।

ପୋକ ଓ ରୋଗ – ଗାଜର ମାଛି ଚେରରେ ଲାଗେ । ପତ୍ରଛିଟା ଓ ବ୍ଲଇଟ ରୋଗ ସମୟେ ସମୟେ ଆକ୍ରମଣ କରେ । କପର କାର୍ବୋନେଟ ଦ୍ରବ୍ୟ ସିଞ୍ଚିଲେ ରୋଗ କମିଥାଏ ।

ମୂଳା

ଭାରତରେ ମୂଳା ଚାଷ ବହୁଳ ଭାବେ ହୋଇଥାଏ । ଏହାର ପତ୍ରଶାଗ ରୂପେ ଓ ମୂଳା ତରକାରୀ ବା ସାଲଟ ରୂପେ ବ୍ୟବହୃତ ହୋଇଥାଏ । ସ୍ଵାସ୍ଥ ପକ୍ଷେ ଏହା ହିତକାରକ ଅଟେ ।

ପ୍ରକାର – ଆକାର ଅନୁଯାୟୀ ଲମ୍ବା, ଛୋଟିଆ ଓ ଗୋଲାକୃତିର ମୂଳା ଦେଖିବାକୁ ମିଳେ ତେବେ ପ୍ରକାର ଭେଦରେ ସେଗୁଡିକ ହେଲା – ଭାରତୀୟ ମୂଳା – ଧଳା ଲମ୍ବା, ନାଲି ଲମ୍ବା କନୌଜୀ, ପୁସାଦେଶି, ନେପାଳୀ, ବମ୍ବେଇ, କୋନପୁରୀ ଜାଏଣ୍ଟ, ଏଗୁଡିକ ୩.୫ ରୁ ୫ ସେମି ମୋଟା ଓ ୨୨ -୩୦ ସେ.ମି ଲମ୍ବା । ଇଉରୋପୀୟ ମୂଳା - ଏଗୁଡିକ ଦେଢମାସରୁ ଦୁଇ ମାସରେ ଅମଳକ୍ଷମ ହୋଇଥାଏ । ହ୍ଵାଇଟ ଆଇସକଲ ୩୦ ଦିନରେ ଅମଳ ହୋଇଥାଏ । ସ୍କାରଲେଟ ଗ୍ଲୋବ, ଫ୍ରେଞ୍ଜବେକ ଫାଷ୍ଟ, ସ୍କାରଲେକ ଲଙ୍ଗ , ହ୍ଵାଇଟ ଟିପଡ, ରେପିଡ଼ରେଡ (୨୫ ଦିନିଆ)।

ଏସୀୟ ମୂଳ ଏହା ୪୫ ଦିନରେ ଅମଳ ହୁଏ ଏହା ୨୨ ସେ.ମି ଲମ୍ବା ଓ ୩.୫ ରୁ ୫ ସେମି ମୋଟା । ଜାପାନୀ ଧଳା ୩୫ ରୁ ୪୫ ସେ.ମି ଲମ୍ବା ଓ ମୂଳଗୁଡିକର ଆଗ ମାଖୁନା ହୋଇଥାଏ ।

ବଂଶବୃଦ୍ଧି - ମୂଳା ମଞ୍ଜି ଦ୍ଵାରା ବଂଶବୃଦ୍ଧି ହୋଇଥାଏ । ଏହା ହେକ୍ଟର ପ୍ରତି ୧୦ -୧୨ କେଜି ଦରକାର କରିଥାଏ ୪୫ ସେ. ମି ବ୍ୟବଧାନରେ ହୁଡାଟେକି ସେଥିରେ ୨.୫ ସେ.ମି ଗଭୀରରେ ମଞ୍ଜି ଧାଡିରେ ବୁଣାଯାଏ ।

ଚାଷ ପ୍ରଣାଳୀ - ମୂଳାଗୁଡିକ ୫୦ ରୁ ୬୦ ଫାରେନହିଟ ଉତ୍ତାପରେ ବଢି ରୁଚିକର ହୋଇଥାନ୍ତି । ତେଣୁ ଶୀତ ଋତୁରେ ଚାଷ କରିବା ଭଲ । ତେବେ ଭାରତୀୟ ମୂଳାଗୁଡିକ ଖରାଦିନେ ଓ ବର୍ଷାଦିନେ ମଧ୍ୟ ଚାଷ କରାଯାଏ; କିନ୍ତୁ ସେଗୁଡିକ ଟାଣଯୁକ୍ତ ହୋଇ ତିକ୍ତ ବା ରାଗୁଆ ଲାଗେ । ନିଗିଡା ଦୋରସା ମାଟି ମୂଳା ଲାଗି ଉତ୍କୃଷ୍ଟ । ମାଟି ହାଲୁକା ରହିବା ଉଚିତ । ଏହା ନହେଲେ ଚେରଗୁଡିକ ବଙ୍କା, ଛୋଟ ଓ କେନା ମେଲା ମାଟିରେ ବଢିଥାନ୍ତି । ଜମି ପ୍ରସ୍ତୁତ ସମୟରେ ୨୫୦ କ୍ଵିଣ୍ଟାଲ ସଢା ଗୋବର ଖତ ହେକ୍ଟର ପ୍ରତି ପ୍ରୟୋଗ କରାଯାଏ ଓ ୫୦ କେଜି ଯବକ୍ଷାର, ୨୦ କେଜି ଫସଫରସ ଓ ୨୦ କେଜି ପଟାସ ପ୍ରୟୋଗ କରାଯାଏ । ଶୀତଦିନିଆ ଓ ଖରାଦିନିଆ ଫସଲରେ ପାଣି ମଡାଯାଏ । ଦୁଇରୁ ତିନିଥର ଘାସବଛା ଓ ପ୍ରଥମ ଘାସବଛା ପରେ ଶାଗଲାଗି ଧାଡି ମଝିରୁ ଗଛ ଉପାଡି ନିଆଯାଏ ଓ ଛୋଟ ପ୍ରକାରର ମୂଳାଲାଗି ୧.୫ ରୁ ୨.୫ ସେ.ମି ଓ ବଡ ମୂଳା ଲାଗି ୫ ରୁ ୧୦ ସେ.ମି ବ୍ୟବଧାନ ରଖାଯାଏ । ମଞ୍ଜି ଲଗାଯିବା ୨୦ ଦିନ ପରେ ଅମଳ ଆରମ୍ଭ ହୁଏ । ହେକ୍ଟର ପ୍ରତି ୧୪୦ ରୁ ୧୮୭ କ୍ଵିଣ୍ଟାଲ ଅମଳ ହୋଇଥାଏ ।

ରୋଗ ଓ ପୋକ - ମୂଳା ଉକୁଣି ଫସଲରେ ଲାଗିଲେ ନିକୋଟିନ ସଲଫେଟ ସିଞ୍ଚାଯାଏ ।

ସାଲଗମ ଓ ରୁଟା ବେଗା

ସାଲଗମ ଓ ରୁଟାବେଗା ଗୁଡିକର ଚେର ତରକାରୀ ହୋଇଥାଏ ଓ ପତ୍ରଗୁଡ଼ିକ ଶାଗରୂପେ ବ୍ୟବହାର ହୁଏ । ଚେରଗୁଡିକ ଖଣ୍ଡ ଖଣ୍ଡ କରି କାଟି ଉତ୍କୃଷ୍ଟ ଆଚାର ମଧ୍ୟ ତିଆରି କରାଯାଏ । ସାଲଟ ରୂପେ ମଧ୍ୟ ଏହା ବ୍ୟବହୃତ ହୋଇଥାଏ ।

ପ୍ରକାର - ପରପୁଲଟପ; ହ୍ଵାଇଟଗ୍ଲୋ, ଗୋଲଡନବଲ, ଏରଲିମିଲନ, ଡେଟପ୍ର, ପୁସାକାଞ୍ଜନ ଆଦି ନାନାପ୍ରକାରର ସଲଗମ ଚାଷ କରାଯାଏ । ରୁଟାବେଗା ନାମରେ ଚାଷ କରାଯାଏ ।

ବଂଶବୃଦ୍ଧି – ମଞ୍ଜି ଦ୍ଵାରା ବଂଶବୃଦ୍ଧି କରାଯାଏ । ଏହା ହେକ୍ଟର ପ୍ରତି ୪ ରୁ୫ କେଜି ମଞ୍ଜି ଦରକାର କରେ । ମଞ୍ଜି ସିଧା ବୁଣାଯାଏ ଓ ତାଳି ଉତାରି ମଧ୍ୟ କ୍ଷେତରେ ଲଗାଯାଏ ହିଡଗୁଡିକ ୪୫ ସେ. ମି ଅନ୍ତରରେ ଗଢି ତଳି ୧୦ -୧୫ ସେ.ମି ବ୍ୟବଧାନରେ ରୋପଣ କରାଯାଏ ମଞ୍ଜି ଧାଡିରେ ବୁଣି ଗଛ ବଢିଯିବା ପରେ ମଝିରେ ମଝିରେ ଉପାଡି ଶାଗ ରୂପେ ବ୍ୟବହାର କରାଯାଏ ଓ ଗଛଗୁଡିକୁ ଉଚିତ ବ୍ୟବଧାନରେ ବଢିବାକୁ ଦିଆଯାଏ ।

ଚାଷ ପ୍ରଣାଳୀ – ସାଲଗମ ଓ ରୁଟାବେଗା ସେପ୍ଟେମ୍ବର ମାସରୁ ଡିସେମ୍ବର ମାସଯାଏ ଲଗାଯାଏ । ଦୋରସା ମାଟି ଏହି ଫସଲ ଲାଗି ଉତ୍କୃଷ୍ଟ ହୋଇଥାଏ । ଜମି ହଳ କରି ସମତଳ କରି ହୁଡା ପ୍ରସ୍ତୁତ କରି ଲଗାଯାଏ । ବା ସମତଳ ପଟି କରି ଗଢି ମଧ୍ୟ ଫସଲ ଉଠାଯାଇପାରେ । ହେକ୍ଟର ପ୍ରତି ୨୦ ରୁ ୨୫ ମେଟ୍ରିକଟନ ଗୋବରଖତ ବା କମ୍ପୋଷ୍ଟ ବ୍ୟବହାର କରାଯାଏ। ଏହା ଛଡା ୬୦ କେଜି ଯବକ୍ଷାର, ୪୦ କେଜି ଫସଫରସ ଓ ୪୦ କେଜି ପଟାସ ପ୍ରୟୋଗ କରାଯାଏ । ଘାସବଛା, ଖୁସା , କୋଡା କରାଯାଏ ଓ ଜମିକୁ ବତର ରଖିବା ଲାଗି ଜଳସେଚନ କରାଯାଏ । ଚେରଗୁଡିକ ୫ ରୁ ୭.୫ ସେ.ମି ମୋଟା ଅମଳ କରାଯାଏ । ହେକ୍ଟର ପ୍ରତି ୧୮୮ ରୁ ୨୧୦ କ୍ଵିଣ୍ଟାଲ ଅମଳ ହୋଇଥାଏ ।

ପୋକ ଓ ରୋଗ – ଏଫିଡ ମୂଳା ଫସଲ ନଷ୍ଟ କରେ ଓ କ୍ଳବରଟ ରୋଗ ମଧ୍ୟ ଆକ୍ରମଣ କରିଥାଏ ।

ସିଲେରିକ

ଏହାକୁ ସାଲଗମ ଚେର ରୂପକ ସିଲେରି ବୋଲି କୁହାଯାଏ । ଚେରଗୁଡିକ ଫୁଲି ଖାଦ୍ୟ ରୂପେ ବ୍ୟବହୃତ ହୋଇଥାଏ । ଏହାର ପ୍ରକାର ମଧ୍ୟରୁ ଲଜସ୍ମୃତ ପ୍ରେଗ ହେଉଛି ପ୍ରଧାନ । ମଞ୍ଜିଗୁଡିକ ସିଧା ବୁଣାଯାଏ ବା ତଳିଉଠାଇ କ୍ଷେତରେ ରୋପଣ କରାଯାଇଥାଏ ସିଲେରି ଚାଷ ପରି ଏହାର ଚାଷ ହୋଇଥାଏ ମଞ୍ଜିଗୁଡିକ ୫ ସେ.ମି ଧାଡି ମଧ୍ୟରେ ବ୍ୟବଧାନ ରଖି ବୁଣାଯାଏ ଏହି ଫସଲ ୬୦ ରୁ ୭୦ ସେଣ୍ଟିଗ୍ରେଡ ଉତ୍ତାପ ଦରକାର କରେ ତେଣୁ ରବି ଫସଲ ରୂପେ ଚାଷ କରାଯାଇଥାଏ । ଦୋରସା ମାଟି ଏହା ଲାଗି ଉପଯୁକ୍ତ ଜମି ଚାଷବେଳେ ୧୫ ରୁ ୨୦ ଟନ ଗୋବରଖତ ପ୍ରୟୋଗ କରାଯାଏ ଓ ପରେ ହେକ୍ଟର ପ୍ରତି ୮-୮-୪ ମିଶ୍ରିତ ସାର ୧୨.୦ ଟନ ପ୍ରୟୋଗ କରାଯାଏ । ଚେରଗୁଡିକ ୫ରୁ ୧୦ ସେ.ମି ମୋଟା ହୋଇ ଯିବା ପରେ ଅମଳ କରାଯାଏ ।

ସାଗରକନ୍ଦା

ଏହାର ଗଛଗୁଡିକ ଦେଶୀଆଳୁ ବା ଖମ୍ବଆଳୁ ପରି ଲଟାଏ । ଗଛ ମୂଳରେ କନ୍ଦମୂଳ ପରି ଚେର ଫୁଲେ । ଚୋପା ସହଜେ ଶସଦେହରୁ ଊତୁରି ଆସେ ଓ ଶସ ଧଳା, ସାମାନ୍ୟ ମିଠା ମସମସିଆ ଲାଗେ । ଲଟା ୬ ମିଟରଯାଏ ବଢିପାରେ । ଲଟାରେ ପତ୍ରଗୁଡ଼ିକ ତ୍ରିପର୍ଣ୍ଣି । ଦୁଇପାଖ ପତ୍ର ତ୍ରିଭୁଜାକାର ଓ ମଝିପତ୍ର ଲମ୍ବାଳିଆ। ଏହା ୮ ରୁ ୧୫ ସେ.ମି ଲଟାରେ ଛୁଇଁଗୁଡିକ ୨୫ ରୁ ୩୦ ସେ.ମି ଲମ୍ବା ୧.୫ ସେ.ମି ଓସାର ଓ ଚେପଟା ହୋଇ ଭରିରହିଥାଏ

ବଂଶବୃଦ୍ଧି – ମଞ୍ଜି ଦ୍ଵାରା ବଂଶବୃଦ୍ଧି ହୋଇଥାଏ । ହେକ୍ଟର ପ୍ରତି ୪୦ ରୁ ୫୦ ମଞ୍ଜି ଦରକାର ହୋଇଥାଏ ମଞ୍ଜିଗୁଡିକ ୩୦ ରୁ ୪୫ ସେ.ମି ବ୍ୟବଧାନରେ ହୁଡାରେ ଲଗାଯାଏ ଓ ୫ ରୁ ୭.୫ ସେ.ମି ଗଭୀରରେ ପୋତାଯାଏ ।

ଚାଷ ପ୍ରଣାଳୀ - ଜମିକୁ ଭଲଭାବେ ଚାଷ କରି ଏହି ସମୟରେ ୨୦ -୨୫ ଶଗଡଖତ ପ୍ରୟୋଗ କରି ମଞ୍ଜି ପୋତାଯାଏ । ଏହା ଜୁନ ଜୁଲାଇ ମାସରେ ଚାଷ କରାଯାଏ । ଦୁଇ ସପ୍ତାହ ଭିତରେ ମଞ୍ଜିରୁ ଗଛ ଉଠି ଆସେ । ଚେରଗୁଡିକ ନଭେମ୍ବର ଡିସେମ୍ବର ମାସରେ ଅମଳ ହେବା ଲାଗି ଠିକ ହୋଇଥାଏ । ହେକ୍ଟର ପ୍ରତି ୮୦ ରୁ ୧୦୦ କ୍ଵିଣ୍ଟାଲ ଚେର ଅମଳ ହୋଇଥାଏ ।

ଆଧାର - ଡ଼ଃ ରମେଶ ଚନ୍ଦ୍ର ଦାସ, ମୁଖ୍ୟ ଅଧ୍ୟାପକ, ଉଦ୍ୟାନ ବିଜ୍ଞାନ ବିଭାଗ, କୃଷି ମହାବିଦ୍ୟାଳୟ, ଭୁବନେଶ୍ଵର

3.09090909091
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top