ହୋମ / କୃଷି / କୃଷି ଉଦ୍ୟୋଗ / ପନିପରିବା ଚାଷ ସମ୍ବନ୍ଧରେ / ପନିପରିବା ଚାଷ ( ଚତୁର୍ଥ ପାଠ)
ସେଆର କରନ୍ତୁ

ପନିପରିବା ଚାଷ ( ଚତୁର୍ଥ ପାଠ)

ଏଠାରେ ମୂଳା ଚାଷ କିପରି କରାଯାଇଥାଏ । ଅନ୍ୟାନ୍ୟ ପରିବାମାନଙ୍କ ତୁଳନାରେ ଏହା ଅପେକ୍ଷାକୃତ ଶସ୍ତା ହେଉଥିବାରୁ ପ୍ରାୟ ସବୁ ପ୍ରକାର ଲୋକ ଏହାକୁ ବ୍ୟବହାର କରିଥାନ୍ତି ।

ମୂଳା

ଆମରାଜ୍ୟରେ ଶୀତଦିନେ ମୂଳା ଚାଷ କରାଯାଇଥାଏ   । ଅନ୍ୟାନ୍ୟ ପରିବାମାନଙ୍କ ତୁଳନାରେ ଏହା ଅପେକ୍ଷାକୃତ ଶସ୍ତା ହେଉଥିବାରୁ ପ୍ରାୟ ସବୁ ପ୍ରକାର ଲୋକ ଏହାକୁ ବ୍ୟବହାର କରିଥାନ୍ତି  । ଯଦିଓ ସାଲାଡ ଇତ୍ୟାଦି କରିବା ପାଇଁ ମୂଳା ବ୍ୟବହାର ହୋଇଥାଏ   , ତେବେ ଆମ ରାଜ୍ୟରେ ମୁଖ୍ୟତଃ ଏହାକୁ ଭଜା ବା ତରକାରୀଭାବେ ଖିଆଯାଏ   ।

ମୂଳା ଏକ ପୃଷ୍ଠିକର ପାରିବା   । ଏଥିରେ ଭିଟାମିନ ଏ, ବି, କାଲସିୟମ, ଫସଫରସ ପଟାସ ଓ ବିଭିନ୍ନ ପ୍ରକାରର ଧାତବ   ଲବଣ ଅଛି   । ଡାକ୍ତରମାନଙ୍କ ମତରେ ମଳକଣ୍ଟକ , ଜଣ୍ଡିସ ବା କାମଳ , ଯକୃତ ଜନିତ ରୋଗୀମାନଙ୍କ ପାଇଁ ମୂଳା ଏକ ଉପକାରୀ ପରିବା   ।

ଲଗାଇବା ସମୟ

ଆମ ରାଜ୍ୟରେ ମୂଳା ଲଗାଇବା ପ୍ରଧାନତଃ ଶୀତଦିନେ ଚାଷ କରାଯାଏ  । ଏପରିକି ସେପ୍ଟେମ୍ବର ମାସରୁ ମଧ୍ୟ ମୂଳା ଲଗାଯାଇ ପାରିବ   । ଆଜିକାଲି କେତେକ ଜାଗାରେ ବର୍ଷାଦିନେ ମୂଳା ଚାଷ କରାଯାଉଅଛି  । ତେବେ ଶୀତଦିନ ଫସଲରୁ ହିଁ ଚାଷୀ ଅଧିକ ଅମଳ ପାଇଥାନ୍ତି  । ବିଶେଷ କରି ସେପ୍ଟେମ୍ବର –ଅକ୍ଟୋବର ମାସରେ ମୂଳା ଲଗାଇଲେ ତହିଁରୁ ଅଧିକ ଲାଭ ମିଳିଥାଏ   ।

ମାଟି

ଦୋରସା , ହାଲୁକା ମାଟିରେ ମୂଳା ଭଲ ହୁଏ   । ମୂଳା ଚାଷ କରାଯାଉଥିବା ବିଲରୁ ପାଣି ନିଗିଡି ଯିବାର ବ୍ୟବସ୍ଥା ଥିବା ଉଚିତ   । କାରଣ ଗଛ ମୂଳରେ ପାଣି ଜମି ରହିଲେ ଫସଲ ନଷ୍ଟ ହୋଇ ଯିବାର ଆଶଙ୍କା ଥାଏ   । ବିଆଳି ଧାନ ପରେ ସେହି ଜଣରେ ସହଜରେ ମୂଳା ଚାଷ କରାଯାଇପାରିବ  ।

ବିହନ କିସମ

ଅନେକ ପ୍ରକରାର ମୂଳା କିସମ ଚାଷ କରାଯାଇଥାଏ   । ତେବେ ଆମ ରାଜ୍ୟ ପାଇଁ ନିମ୍ନରେ ଲେଖା ଯାଇଥିବା କେତୋଟି କିସମ ଉପଯୁକ୍ତ ଅଟେ  ।

ପୁଷା ହିମାନୀ – ଏହା ୫୫ ରୁ ୬୦ ଦିନରେ ଅମଳ ହୁଏ   । ଏହାର ଚୋପା ଧଳା ଏବଂ ରାଗ କମ   । ମୂଳା ଗୁଡିକ ଅମଳ ବେଳରୁ ପ୍ରାୟ ୧ ଫୁଟ ପର୍ଯ୍ୟନ୍ତ ଲମ୍ବା ହୋଇଥାଏ   ।

ଜାପାନିଜ ହ୍ଵାଇଟି  - ଏହା ପୟ ୫୫ ଦିନରେ ଅମଳ ହୁଏ ଓ ୧୦ ଇଞ୍ଚ ପର୍ଯ୍ୟନ୍ତ ଲମ୍ବା ହୋଇଥାଏ   । ଏହାର ଚୋପା ଧଳା ଓ ରାଗ କମ   ।

ପୁଷା ଚେତାଜୀ   - ଏହି କିସମ ୪୦ ରୁ ୪୫ ଦିନ ଭିତରେ ଅମଳ ପାଇଁ ଉପଯୁକ୍ତ ହୋଇଥାଏ   । ଏହି କିସମ ଉତ୍ତାପ ସାହି ପଡ଼ୁଥିବାରୁ ମାର୍ଚ୍ଚମାସ ଠାରୁ ଅଗଷ୍ଟ ମାସ ଭୀତରେ ମଧ୍ୟ ଲଗାଯାଇ ପାରେ   ।

ପୁଷା ରେଶମା – ଏହି କିସମ ୫୫ ରୁ ୬୦ ଦିନରେ ଅମଳ ହୁଏ  । ମୂଳା ଗୁଡିକ ପ୍ରାୟ ୧ ଫୁଟ ପର୍ଯ୍ୟନ୍ତ ଲମ୍ବା ହୋଇଥାଏ   । ଏହି କିସମ ସେପ୍ଟେମ୍ବର ମାସରୁ ମଧ୍ୟ ଲଗାଯାଇପରେ   ।

ବିହନ ପରିମାଣ

ଏକ ଏକର ଜମିରେ ମୂଳା ଲଗାଇବା ପାଇଁ ପ୍ରାୟ ୪ କିଲୋମିଟର ବିହନ ଆବଶ୍ୟକ ହୋଇଥାଏ   । ଏହି ହିସାବରେ ପ୍ରତି ଡେସିମିଳି ପାଇଁ ପ୍ରାୟ ୪୦ ଗ୍ରାମ ବିହନ ଦରକାର    । ବିହନ ଲଗାଇବା ପୂର୍ବରୁ ଅନ୍ୟ ଫସଲ ପରି ବିଶୋଧନ କରି ଲଗାଇବା ଉଚିତ   ।

ଚାଷ ପ୍ରଣାଳୀ

ଯଦିଓ ଆମ ରାଜ୍ୟରେ ଏହା ମୁଖ୍ୟତଃ ଶୀତଦିନେ ଚାଷ କରାଯାଏ   , ତଥାପି କମ ଖରା ହେଉଥିବା ଅଞ୍ଚଳରେ ଜୁନ , ଜୁଲାଇ ମାସରେ ମଧ୍ୟ ଚାଷ କରାଯାଇ ପାରିବ   । ମୂଳା ପାଇଁ ବିଲକୁ ଭଲ ଭାବରେ ଚାଷ କରି ମାଟିକୁ ଗୁଣ୍ଡ କରି ଦେବା ଉଚିତ୍   ।  ଲୁହା ଲଙ୍ଗଳରେ ଠାରେ ଦୁଇଥର ଚାଷ କାଲେ ବେଶ ଗଭୀର ଚାଷ ହୋଇଥାଏ   । ଚାଷ କରୁଥିବା ବେଳେ ବିଲରେ ଏକର ପିଛା ୧୫ ଗାଡି ଭଲ ଖତ ଦେଇ ମାଟିରେ ମିଶାଇ ଦେବା ଉଚିତ୍   । ଚାଷ ପରେ ମଇ ଦେଇ ବିଲ କୁ ସମତଳ କରିସାରିବା ପରେ ପ୍ରତି ଏକଫୁଟ ବ୍ୟବଧାନରେ ସିଆର ଟାଣନ୍ତୁ   । ସିଆରରେ ଏକର ପିଛା ୧୦ କିଗରା, ଯବକ୍ଷାରଜାଣ ୨୦ କିଗ୍ରା ଫସଫରସ ଓ ୩୦ କିଗ୍ରା ପଟାସ ପ୍ରୟୋଗ କରି ଅଳ୍ପ ମାଟି ଘୋଡାଇ ଦିଅନ୍ତୁ   ।   ବର୍ତ୍ତମାନ ସିଆରରେ ମଞ୍ଜି ବୁଣି ମାଟି ଘୋଡାଇ ଦିଅନ୍ତୁ  । ଗଛ ଉଠିବା ପରେ ପ୍ରତି ୪-୫ ଇଞ୍ଚ ବ୍ୟବଧାନରେ ଗୋଟିଏ ଲେଖାଏଁ ଗଛ ରାଖୀ ଅନ୍ୟ ଗଛ ସବୁ ଉପାଡି ଦିଅନ୍ତୁ   । ମନେରଖନ୍ତୁ , ଜମିରେ ପାଗ ଥିବାବେଳେ ହିଁ ମଞ୍ଜି ଲଗାଇବା ଉଚିତ     । ଲଗାଇବା ସମୟରେ ଯଦି ମାଟି ଶୁଖି ଯାଇଥାଏ   , ତେବେ ବିଲରେ ପାଣି ସିଞ୍ଚି ଠିକ ପାଗ ଥିବା ସମୟରେ ମଞ୍ଜି ବୁଣନ୍ତୁ   ।

ଗଛ ଉଠିସାରିବା ପରେ ଘାସ ଇତ୍ୟାଦି ବାଛି ଦିଅନ୍ତୁ ଓ ଗଛ ୨୫୪ ରୁ ୩୦ ଦିନର ହୋଇଗଲା ପରେ ଏକର ପିଛା ୧୦ କିଗ୍ରା  ଯବକ୍ଷାର ସାର ପ୍ରୟୋଗ କରି ହୁଡା ଟେକି ଦିଅନ୍ତୁ   । ଏହାଦ୍ଵାରା ଗଛ ଭଲ ବଢେ ଓ  ମୂଳ ହୃଷ୍ଟପୃଷ୍ଟ ହୋଇଥାଏ   । ବିଲରେ ପାଗ ଦେଖି ପାଣି ଦିଅନ୍ତୁ  । ଏକାବେଳେ ଅଧିକ ପାଣି ଦେବା ଉଚିତ ନୁହେଁ   । ମୂଳା ୬୦ ଦିନର ହୋଇଗଲା ପରେ ଓପାଡନ୍ତୁ   । ଓପାଡିବା ପୂର୍ବରୁ ବିଲକୁ ହାଲକା ପାଣି ଦିଅନ୍ତୁ ଓ ସାବଧାନତା ସହିତ ଓପାଡି ସେଗୁଡିକୁ ଧୋଇ ବଜାରରୁ ପଠାନ୍ତୁ   । ବିକ୍ରି କରିବାର ଅଳ୍ପ ସମୟ ପୂର୍ବରୁ ମୂଳା ଉପାଡିବା ଉଚିତ୍   । ନଚେତ ତାହା ଶୁଖିଯିବାର ସମ୍ଭାବନା ଥାଏ  । ସାଧାରଣତଃ ଏକ ଏକରରୁ ପ୍ରାୟ ୫୦ ରୁ ୬୦ କ୍ଵିଣ୍ଟାଲ ପର୍ଯ୍ୟନ୍ତ ମୂଳା ମିଳିପାରିବ   ।

ରୋଗ ଓ ପୋକ

ମୂଳା ଫସଲରେ ଉକୁଣୀ , ସ-ଫ୍ଲାଇ ବା କରତ ମାଛି ଓ ଫ୍ଲି –ବିଟର ପୋକ ଲାଗିଥାନ୍ତି   । ମେଘୁଆ ପାଗ ହେଲେ ଅଫିଡ ଲାଗିବାର ସମ୍ଭାବନା ବେଶୀଥାଏ ପୋକ ଲାଗିଲେ ପତ୍ର କୁଞ୍ଚୁକୁଞ୍ଚିଆ ହୋଇ ହଳଦିଆ ପଡିଥାଏ   । ଏଥିରୁ ରକ୍ଷା ପାଇବା ପାଇଁ ଏକ ଲିଟର ପାଣିରେ 2 ମିଳିଲିଟର ହିସାବରେ ମେଟାସିସକସ କିମ୍ବା ରୋଗର ମିଶାଇ ସ୍ପ୍ରେ କରିବା ଉଚିତ୍   । କରତ ମାଛି ମୂଳା ପତ୍ର କଣା କରି ପକାଏ   । ଏ ଦମନ କରିବା ପାଇଁ ଏକର ପିଛା ୪୦୦ ମିଳିଲିଟର ମାଲାଥିଅନ ୨୦୦ ଲିଟର ପାଣିରେ ଗୋଳାଇ ବ୍ୟବହାର କରିବା ଉଚିତ୍   ।

ମୂଳା ଫସଲରେ ଧଳା କଳଙ୍କି ରୋଗ ଦେଖା ଦେଇଥାଏ   । ରୋଗ ହେଲେ ପତ୍ରର ତଳପଟେ ଧଳା ଧଳା ଦାଗ ହୁଏ ଓ ପରେ ତାହା କାଣ୍ଡକୁ ବ୍ୟାପିଥାଏ   ।  ଏହି ରୋଗରୁ ରକ୍ଷା ପାଇବା ପାଇଁ ଡିଥେନ ଜେଟ -୭୮ କିମ୍ବା ଡିଥେନ ଏମ-୪୫ ଔଷଧ ବ୍ୟବହାର କରିବା ଉଚିତ୍   । ପ୍ରତି ଲିଟର ପାଣିରେ ୨ ରୁ ୩ ଗ୍ରାମ ହିସାବରେ ଔଷଧ ମିଶାଇ ସ୍ପ୍ରେ କରିବା ଉଚିତ୍   ।

ଗାଜର ଓ  ବିଟରୁଟ

ଆଜିକାଲି ସହରମାନଙ୍କରେ ଗାଜର ଓ ବିଟରୁଟର ଚାହିଦା ଦିନକୁ ଦିନ ବଢିଅଛି     । ବଡ ବଡ ହୋଟେଲ ମାନଙ୍କରେ ସାଲାଦ କରିବା ପାଇଁ ଏହି ଦୁଇ ପ୍ରକାରର ପାରିବା ଆବଶ୍ୟକ ହୋଇଥା  । ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ମଧ୍ୟ ଗାଜର ଆବଶ୍ୟକ ହୋଇଥାଏ   । ଗାଜରରୁ ପ୍ରସ୍ତୁତ ହାଲୁକା ଏକ ରୁଚିକର ଖାଦ୍ୟ ରୂପେ ବ୍ୟବହୃତ ହୋଇଥାଏ  । ଏହି ଦୁଇଟି ପରିବାରେ ଯଥେଷ୍ଟ ପରିମାଣରେ ଭିଟାମିନ ଏ ଓ ନାନା ଜାତିର ଧାତବ ଲବଣ ରହିଅଛି   । ଗାଜର ଖାଇବା ଦ୍ଵାରା ଭାବରେ କାର୍ଯ୍ୟ କରିଥାଏ ଏବଂ ପରିସ୍ରା ପରିଷ୍କାର ହୁଏ   । ଇଉରୋପମହାଦେଶରେ କାମଳ ରୋଗ ହେଲେ ଗାଜର ରସ ପିଇବାକୁ ଦିଆଯାଏ   ।

ଲଗାଯିବା ସମୟ

ଗାଜର ଓ ବିଟରୁଟ ଶୀତଦିନିଆ ଫସଲ   । ଖରା ଅଧିକ ହେଲେ ଗାଜର ବା ବିଟରୁଟ ବଢିପାରେ ନାହିଁ   ।ଆମ ରାଜ୍ୟରେ ଅକ୍ଟୋବର ଠାରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ଗାଜର ଓ ବିଟରୁଟ ଲଗାଯାଇପାରିବ   । ତେବେ ପାହାଡିଆ ଅଞ୍ଚଳରେ ଅଗଷ୍ଟ ମାସ ଠାରୁ ମଧ୍ୟ ଏହା ଚାଷ କରାଯାଇପାରିବ   ।

ମାଟି

ଏହି ଦୁଇଟି ଫସଲ ପାଇଁ ନିଗିଡା ଦୋରସା ମାଟି ଆବଶ୍ୟକ   । ଜମିକୁ ଭଲ ଭାବରେ ଚାଷ କରି ଗୁଣ୍ଡ କରି ବିଲଟିକୁ ସମାନ କରିବା ଦରକାର  । ବିଲକୁ ଯେପରି ଅଧିକ ପାଣି ଗଡିଯାଇ ପାରିବ   , ସେଥିପାଇଁ ମଧ୍ୟ ନାଳ ରଖିବା ଆବଶ୍ୟକ   ।

ବିହନ କିସମ

ଗାଜର – ପୁଷାକେସର , ପୁଷା ୟମଦଗ୍ମୀ ,  ପୁଷାମେଘାଲି , ହିସାବ ଗୌରୀକ , ନେନଟାସ , ଚ୍ୟାଣ୍ଟନି ଇତ୍ୟାଦି

ଲଗାଇବା ପ୍ରଣାଳୀ

ଜମି ଚାଷ କରି ସାରିବା ପରେ ବିଲରେ ପ୍ରତି ଏକ ଫୁଟ ଛଡାରେ ସିଆର କରନ୍ତୁ  । ଏହି ସିଆରରେ ଏକର ପିଛା ୧୦ ଗାଡି ହିସାବରେ ଭଲ କ୍ଷତ ଦିଅନ୍ତୁ   । ଏଥିସହିତ ଏକର ପ୍ରତି ୧୦ କିଗ୍ରା, ଯବକ୍ଷାରଜାଣ ୨୦ କିଗ୍ରା ଫସଫରସ ଓ ୩୦ କିଗ୍ରା ପଟାସ ସାର ପ୍ରୟୋଗ କରି ଅଳ୍ପ ମାଟି ଖତ ଘୋଡାଇ ଦିଅନ୍ତୁ    । ତାପରେ ସେହି ସିଆରରେ ମଞ୍ଜି ବୁଣି ମଞ୍ଜିକୁ ମାଟି ଦ୍ଵାରା ଗୋଡାଇ ପକାନ୍ତୁ   । ବିଲରେ ପାଗ ଥିବାବେଳେ ହିଁ ମଞ୍ଜି ଲଗାନ୍ତୁ  । ଗଛ ଉଠିବାର ୧୫ ଦିନ ପରେ ପ୍ରତି ୪ ଇଞ୍ଚ ଛଡାରେ ଗୋଟିଏ ଲେଖାଏଁ ଗଛ ରଖି ବଳକା ଗଛ ଉପାଡି ଦିଅନ୍ତୁ ଏବଂ ବିଲକୁ ଅନାବନା ଘାସ ବାଛି ପକାନ୍ତୁ  । ଗଛଗୁଡିକ ୩୦ ଦିନର ହୋଇଗଲେ ଏକର ପ୍ରତି ୧୦ କିଗ୍ରା ଯବକ୍ଷାରଜାଣ ସାର ଦେଇ ହୁଦା ଦିଅନ୍ତି   ।

ଗାଜର ଶୀତଦିନିଆ ଫସଲ ହୋଇଥିବାରୁ ପାଣି ଆବଶ୍ୟକ ହୋଇଥାଏ   । ଶୀତଦିନେ ପ୍ରାୟ ୮ ରୁ ୧୦ ଦିନରେ ପାଣି ଦେବାକୁ ହୁଏ   । କିନ୍ତୁ କେବେ ହେଲେ ଅଧିକ ପରିମାଣରେ ପାଣି ଦିଅନ୍ତୁ ନାହିଁ   । ଅମଳ ପୂର୍ବରୁ ହାଲୁକା ଭାବେ ପାଣି ଦେଲେ ଉପାଡିବା ପାଇଁ ସହଜ ହୋଇଥାଏ   ।

ଅମଳ

ଏକ ଏକରରୁ ପ୍ରାୟ ୫୦ ରୁ ୬୦ କ୍ଵିଣ୍ଟାଲ ପର୍ଯ୍ୟନ୍ତ ଅମଳ ମିଳିଥାଏ   ।  ଉପାଡି ସାରିବା ପରେ ଭଲ ଭାବରେ ପାଣିରେ ଧୋଇ ଚେର ଇତ୍ୟାଦି ଛିଣ୍ଡାଇ ଦେବା ଉଚିତ   । ସାଧାରଣତଃ ଗାଜର ଏକ ସପ୍ତାହ ପର୍ଯ୍ୟନ୍ତ ରହିଥାଏ   । ଏକ ଏକରରେ ଗାଜର ଚାଷ କାଲେ ପ୍ରାୟ ୪୦,୦୦୦ ଟଙ୍କା ପର୍ଯ୍ୟନ୍ତ ମିଳିଥାଏ   । ଖର୍ଚ୍ଚ ବାବଦକୁ ପ୍ରାୟ ୨୦,୦୦୦ ଟଙ୍କା ବାଦ ଦେଲେ ଲାଭ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ   ।

ବିଟରୁଟ

କିସମ – ସାଧାରଣତଃ ଅନେକ ପ୍ରକାରର ବିଟରୁଟ ଚାଷ କରାଯାଇଥାଏ   । ତେବେ ସେମାନଙ୍କ ମଧ୍ୟରେ କ୍ରିମସନ ଗ୍ଲୋବ,  ଡେଟ୍ରଏଟ ଡାର୍କରେଡ   କିସମ ଅନ୍ୟତମ  । କ୍ରିମସନ ଗ୍ଲୋବ କିସମର ମୂଳରେ ଉପରିଭାଗ ସାମାନ୍ୟ ଲାଲ ଦେଖାଯାଏ  । ଡେଟ୍ରଏଟ ଡାର୍କରେଡ   କିସମର ଆକାର ପୁରାପୁରୀ ଗୋଲ  ।

ଚାଷ ପ୍ରଣାଳୀ

ଗାଜର ପରି ବିଟରୁଟ ମଧ୍ୟ ସିଆରରେ ବୁଣାଯାଏ  । ବିଲକୁ ଭଲ ଭାବେ ଚାଷ କରି ପ୍ରତି ଦେଢଫୁଟ ବ୍ୟବଧାନରେ ସିଆରା କରି ସିଆରରେ ମଞ୍ଜି ପୋତିବା ଦରକାର  । ମଞ୍ଜି ପୋତିବା ପୂର୍ବରୁ ଏକର ପିଛା ୧୦ କିଗ୍ରା , ଯବକ୍ଷାରଜାନ ୨୦ କିଗ୍ରା ଫସଫରସ ଓ ୪୦ କିଗ୍ରା ପଟାସ ସାର ସିଆରରେ ଦେଇ ମାଟିରେ ମିଶାଇ ଦିଅନ୍ତୁ   । ଏକର ପିଛା ପ୍ରାୟ ୨ ରୁ ୩ କିଗ୍ରା ବିହନ ଦରକାର ହୋଇଥାଏ  ।

ଗଛ ଉଠି ସାରିବା ପରେ ପ୍ରତି ୪ ଇଞ୍ଚ ଛଡାରେ ଗୋଟିଏ ଲେଖାଏଁ ଗଛ ରଖି ଅନ୍ୟ ଗଛକୁ ଉପାଡି ଦେବା ଦରକାର  । ଲଗାଇବାର ୯୦ ଦିନ ପରେ ଗାଜର ଅମଳ ପାଇଁ ଉପଯୁକ୍ତ ହୋଇଥାଏ  । ଗଛ ପ୍ରାୟ ୨୫ ରୁ ୩୦ ଦିନର ହୋଇଗଲେ କୋଡା, ଖୁସା କରି ହିଡ ଟେକିବା ଦରକାର ହୁଏ  ।

ପୋକ – ବିଟ ଫସଲରେ ଅନେକ ସମୟରେ ସେମିଲିପୁର   ,  ବିଟଲିଫ ମାଇନର ପ୍ରଭୁତି କେତେକ ପୋକ ଲାଗିଥାନ୍ତି  । ତେଣୁ ପ୍ରତି ୧ ଲିଟର ପାଣିରେ ୨ ମିଳିଲିଟର ହିସାବରେ ରୋଗର ଔଷଧ ମିଶାଇ ସ୍ପ୍ରେ କଲେ ଏହିସବୁ ପୋକ ମରିଯାନ୍ତି  । ମିଲାଥିଅନ ମଧ୍ୟ ପୋକ ମାରିବା ପାଇଁ ବ୍ୟବହାର କରାଯାଇ ପାରିବ   ।

ରୋଗ

ବିଟରୁଟରେ ବେଳେ ବେଳେ ପତ୍ର ଦାଗ ରୋଗ ଦେଖାଯାଏ   ।  ରୋଗ ବେଶୀ ହେଲେ ପତ୍ର ମାଟିଆ ପଡିଯାଏ  । ଏହାକୁ ଦମନ କରିବା ପାଇଁ ଲିଟର ପ୍ରତି ୨.୫ ଗ୍ରାମ ହିସାବରେ ମଙ୍କୋଜେବ ଔଷଧ ମିଶାଇ ଫସଲରେ ସ୍ପ୍ରେ କରିବାକୁ ହେବ   ।

ଅମଳ

ଏକ ଏକରରୁ ପ୍ରାୟ ୮୦ କ୍ଵିଣ୍ଟାଲ ବିଟରୁଟ ଅମଳ ହୋଇଥାଏ   । ସମସ୍ତ ଚାଷ ଖର୍ଚ୍ଚ ଯାଇ ଏଥିରୁ ପ୍ରାୟ ୨୫୦୦୦ ଟଙ୍କା ଲାଭ ମିଳିପାରିବ   ।

ସାରୁ

ଆମ ରାଜ୍ୟରେ ପ୍ରାୟ ସବୁ ଅଞ୍ଚଳରେ ସାରୁ ଚାଷ କରାଯାଇଥାଏ  । ଯେ କୌଣସି ତରକାରୀରେ ଏହା ମିଶି ଯାଉଥିବାରୁ ଗାଁ ମାନଙ୍କରେ ଭୋଜି ଭାତ ସମୟରେ ଏହା ବହୁଳ ଭାବରେ ହୋଇଥାଏ   । ସାରୁକୁ ଯଦିଓ ତରକାରୀ କରି ମୁଖ୍ୟତଃ ଖିଆ ଯାଇଥାଏ   , କେତେକ ଜାଗାରେ ଏହାକୁ କାଟି ଶୁଖାଇ ତେଲରେ ଭାଜି ମଧ୍ୟ ଖିଆଯାଏ   । ପଶ୍ଚିମବଙ୍ଗରେ ସାରୁ ନଡାକୁ ମଧ୍ୟ  ଲୋକେ ତରକାରୀ କରି ଖାଇଥାନ୍ତି  । କଞ୍ଚା ସାରୁ ସାଧାରଣତଃ ଗଲୁ ଲାଗେ   । ସାରୁରେ ସାଧାରଣତଃ ଚର୍ବି , ଫସଫରସ , ସୋଡିୟମ , ଭିଟାମିନ ଏ, ବି, ସି, ଲୌହ , କାଲସିୟମ , ପୋଟାସିୟମ ପ୍ରଭୁତି ଅନେକ ଧାତବ ଲବଣ ରହିଥାଏ  ।

ସାରୁ ପ୍ରଥମେ ଭାରତ ବା ଆଫ୍ରିକା ମହାଦେଶରେ ଚାଷ ହୋଇଥିବା ବୋଲି କେତେକ ବୈଜ୍ଞାନିକ ମତ ଦେଇଥାନ୍ତି  । ଆମ ଦେଶରେ ଅନେକ ପ୍ରକାରର ବଣସାରୁ ମଧ୍ୟ ଦେଖାଯାଏ  , ତାହା ଖାଇଲେ ଅତି ଗଲୁ ଲାଗେ   ।

ଲଗାଇବାର ସମୟ

ସାରୁ ସାଧାରଣତଃ ଖରାଦିନେ ଚାଷ କରାଯାଏ  । ଫେବୃୟାରି ଠାରୁ ଅପ୍ରେଲ ମେ ପର୍ଯ୍ୟନ୍ତ ମଧ୍ୟ ସାରୁ ଲଗାଯାଏ  । ତେବେ ବର୍ଷା ପୂର୍ବରୁ ସାରୁ ବିଲର ସବୁ ଚାଷ କାମ ସାରିଦେବା ଭଲ   ।

ମାଟି

ଯେକୌଣସି ମାଟିରେ ସାରୁ ଚାଷ କରାଯାଇ ପାରୁଥିଲେ ମଧ୍ୟ ଦୋରସା ଓ ଉର୍ବର ମାଟିରେ ଭଲ ହୁଏ  । ଅନେକ ସମୟରେ ମଝାଳିଆ ଜମିରେ ଲୋକେ ସାରୁ ଚାଷ କରି ତାହାକୁ ଜୁଲାଇ ମାସ ଶେଷ ଆଡକୁ ଖୋଳି ତହିଁରେ ଧାନ ମଧ୍ୟ ରୋଇଥାନ୍ତି   । ତେବେ ଟିକିଏ ଢିପ ବା ମଝାଳିଆ ଜମିରେ ସାରୁ ଭଲହୁଏ  ।

ସାରୁ କିସମ : ମୁକ୍ତକେଶୀ , ଝାଙ୍କଡି , ପାଣିସାରୁ , ଶଙ୍ଖସାରୁ   ।

ଚାଷ ପ୍ରଣାଳୀ

ଜମିକୁ ଲୁହା ଲଙ୍ଗଳ ସାହାଯ୍ୟରେ ଭଲ ଭାବରେ ଚାଷ କରି ମାଟିକୁ ଗୁଣ କରିଦେବା ଉଚିତ  । ଚାଷ କରିବା ସମୟରେ ଏକର ପିଛା ୧୦/୧୨ ଗାଡି ଭଲ ଖତ ବିଲରେ ଦେଇ ମାଟିରେ ମିଶାଇ ଦେବା ଦରକାର  । ଆମ ରାଜ୍ୟରେ ସାଧାରଣତଃ ସାରୁରେ ସୁରପ ଫସଫେଟ ସାର ଦିଅନ୍ତି ନାହିଁ   । ଫଳରେ ସେମାନେ ଅମଳ କମ ପାଇଥାନ୍ତି । କିନ୍ତୁ ଲଗାଇବା ସମୟରେ କର ପିଛା ୧୦୦ କିଗ୍ରା ସିଙ୍ଗଲ ସୁପର ଫସଫେଟ ଓ ୮୦ କିଲୋ ମ୍ୟୁରେଟ ଅଫ ପଟାସ ଦେବା ଉଚିତ   । ସବୁତକ ସୁପର ଫସଫେଟ ଓ ପଟାସକୁ ସିଆରରେ ଦେଇ ସାରୁ ମଞ୍ଜି ଲଗାଇ ମାଟି ଘୋଡାଇ ଦିଅନ୍ତୁ  । ସାଧାରଣତଃ ଦୁଇ ସିଆର ମଧ୍ୟରେ ବ୍ୟବଧାନ ଦେଢ ଫୁଟ ରଖନ୍ତୁ ଏବଂ ସିଆରର ଭିତରେ ୬ ରୁ ୮ ଇଞ୍ଚ ଛାଡି ଗୋଟିଏ ଗୋଟିଏ ପୁଆ ଲଗାନ୍ତୁ    । ଏକର ପିଛା ପ୍ରାୟ ୩ କ୍ଵିଣ୍ଟାଲ ପର୍ଯ୍ୟନ୍ତ ପୁଆ ଆବଶ୍ୟକ ହୋଇଥାଏ   । ଲଗାଇବା ପୂର୍ବରୁ ପୁଆଗୁଡିକୁ ଗଜା କରେଇ ନେବା ଦରକାର   । ବିଲରେ ପାଗ ଥିବା ବେଳେ ପୁଆ ଲଗାନ୍ତୁ ଏବଂ ଗଯା ଭାର ଗଲାପରେ ପାଣି ଦିଅନ୍ତୁ  । ସାରୁଗଛ ଉଠିଗଲା ପରେ ୨୦ ରୁ ୨୫ ଦିନ ପରେ ବିଲର ଘାସ ଇତ୍ୟାଦି ବାଛି ପିଛା ୪୦ କିଗ୍ରା ୟୁରିଆ ଦେଇ ହୁଡା ଟେକି ଦିଅନ୍ତୁ  । ସାର ଦେବା ପରେ ପରେ ପାଣି ଦିଅନ୍ତୁ  । ସାରୁ ଖରାଦିନେ ଲାଗୁଥିବାରୁ ପ୍ରାୟ ପ୍ରତି ୭-୮ ଦିନ ଅନ୍ତରରେ ପଣି ଦରକାର କରିଥାଏ   ।

ଅମଳ

ପ୍ରାୟ ଲଗାଇବାର ୪/୫ ମାସ ପରେ ସାରୁ ଅମଳ ପାଇଁ ଉପଯୁକ୍ତ ହୋଇଥାଏ   । ଏକର ପିଛା ପ୍ରାୟ ୫୦ ରୁ ୬୦ କ୍ଵିଣ୍ଟାଲ ପର୍ଯ୍ୟନ୍ତ ସାରୁ ମିଳିଥାଏ   ।

ସାରୁ ସାଧାରଣତଃ ପୋକ ରୋଗ ଖୁବ କମ ହୋଇଥାଏ   । ତେବେ ବ୍ଳାଇଟି ନାମକ ରୋଗ ବର୍ଷାଦିନେ ହୋଇଥାଏ   । ଏହା ହେବା ଦ୍ଵାରା ପତ୍ରରେ ନାଲି ନାଲି ଗୋଲାକାର ଚିହ୍ନ ଦେଖାଯାଏ  । କ୍ରମେ ଏହା ଗଛର ସବୁ ଆଡକୁ ବ୍ୟାପୀ ଶେଷରେ ଗଛ ମରିଯାଏ   ।

ଖମ୍ବଆଳୁ ବ ଦେଶୀଆଳୁ

ଖମ୍ବଆଳୁ ବା ଦେଶୀଆଳୁ ଏକ ରୁଚିକର ପରିବା   । ଏଥିରେ ପ୍ରଚୁର ପରିମାଣରେ ଶର୍କାରା ଜାତୀୟ ଖାଦ୍ୟ ଥାଏ   । ଆମ ରାଜ୍ୟରେ ଗ୍ରାମମାନଙ୍କରେ ବାଡ କଡରେ ବା ପାନ ବରଜରେ ଏହି ଜାତୀୟ ଆଳୁ ଲଗଯାଇଥାଏ  । କିନ୍ତୁ ଗଞ୍ଜାମ , କୋରାପୁଟ, ଫୁଲବାଣୀ ପ୍ରଭୁତି ଜିଲ୍ଲାରେ ଲୋକେ ବିଲରେ ମଧ୍ୟ ଚାଷ କରିଥାନ୍ତି   ।

ଅନେକ ପ୍ରକାରର ଦେଶୀଆଳୁ ଚାଷ କରାଯାଇଥାଏ   । ସାଧାରଣତଃ ଆକାର ଅନୁସାରେ ଏହାର ଖମ୍ବଆଳୁ ବା ହାଜିଆ ଆଳୁ ବୋଲି କୁହାଯାଏ    । ହାତୀଖୋଜିଆ କିସମର ଆଳୁ ଲମ୍ବା ନହୋଇ ଚଉଡାରେ ବଡ ବଡ ହୋଇଥାନ୍ତି ଓ ସମୟ ସମୟରେ ଗୋଟିଏ ଗଛରୁ ୨୫ ରୁ ୩୦ କିଲୋଗ୍ରାମ ପର୍ଯ୍ୟନ୍ତ ଆଳୁ ମିଳିଥାଏ   ।

ଲଗାଇବା ସମୟ

ସାଧାରଣତଃ ଦେଶୀଆଳୁ ମେ-ଜୁନ ମାସରେ ଲଗାଯାଏ  । ଶୀତ ଋତୁରେ ଗଛ ବେଶୀ ବଢେ ନାହିଁ   ।

ମାଟି

ହାଲୁକା, ନିଗିଡା ମାଟିରେ ଦେଶୀ ଆଳୁ ଭଲ ହୁଏ   । ଖାଲିଆ ଜମିରେ ପାଣି ଜମିଥିବାରୁ ଦେଶୀଆଳୁ ଭଲ ଅମଳ ଦେଇ ନଥାନ୍ତି  ।

ଖମ୍ବଆଳୁ କିସମ

ଶ୍ରୀକିର୍ତ୍ତି , ଶ୍ରୀକୃପା, ହାତୀଖୋଜ ,  ଶ୍ରୀଲତା, ଶ୍ରୀକଳା , ଶ୍ରୀପ୍ରୀୟା, ଶ୍ରୀଧନ୍ୟ  । ଏକର ପ୍ରତି ପ୍ରାୟ ୫୦୦ କିଲୋଗ୍ରାମ ବିହନ  ଆବଶ୍ୟକ ହୋଇଥାଏ   ।

ଚାଷ ପ୍ରଣାଳୀ

ମାଟିକୁ ଭଲ ଭାବରେ ଚାଷ କରି ଦିଅନ୍ତୁ  । ପରେ ଧାଡିକୁ ଧାଡି ଓ ଗଛକୁ ଗଛ ୩ ଫୁଟ ବ୍ୟବଧାନରେ ଗାତ କରନ୍ତୁ  । ଏକର ପିଛା ୧୫ ରୁ ୨୦ ଗାଡି ପର୍ଯ୍ୟନ୍ତ ଖତ ପ୍ରୟୋଗ କରନ୍ତୁ  ।

ଏଥିସହିତ ଏକର ପ୍ରତି ୧୬ କିଗ୍ରା, ଯବକ୍ଷାରଜାଣ ୧୨ କିଗ୍ରା ଫସଫରସ ଓ ୧୨ କିଗ୍ରା ପଟାସ ପ୍ରୟୋଗ କରି ମାଟି ସହ ମିଶାଇ ଦିଅନ୍ତୁ  । ଏହାପରେ ୨-୩ ଇଞ୍ଚ ଗଭୀରର ଗାତ କରି ଦେଶୀଆଳୁ ପୁଆ ଲଗାନ୍ତୁ  । ଲଗାଇ ସାରିବା ପରେ ମାଟି ଘୋଡାଇ ଦିଅନ୍ତୁ  । ଗଛ ଉଠିବା ସାରିବା ପରେ ସିଆରରୁ ଘାସ ଇତ୍ୟାଦି ବାଛି ହୁଡା ହେଇ ଦିଅନ୍ତୁ  । ପ୍ରତି ୨୦ ଦିନ ଅନ୍ତରରେ ଠାରେ ହିସାବରେ ୨ରୁ ୩ ଥର ହୁଦା ଦେବା ଦରକାର   । ଲଗାଇବାର ୭ ରୁ ୮ ସପ୍ତାହ ପରେ ଏକର ପ୍ରତି ୧୬ କିଗ୍ରା ଯବକ୍ଷାର ସାର ପ୍ରୟୋଗ କରିବା ଉଚିତ  ।

ସାଧାରଣତଃ ଏହି ଆଲୁ ଉଲାଊଥିବା ସିଆରରେ ରଞ୍ଜା ଦେବା ଉଚିତ   ।  ବାଉଁଶ ବା ଡାଳପୋତି  ରଞ୍ଜା କରାଯାଇପରେ   । ପ୍ରାୟ ୮ ରୁ ୯ ମାସ ପରେ ଆଳୁ ଅମଳ ହେବା ପାଇଁ ଉପଯୁକ୍ତ ହୋଇଥାଏ   । ଅମଳ ସମୟକୁ ଗଛର ପତ୍ର ହଳଦିଆ  । ପଡିଥାଏ   । ଏକର ପିଛା ହାରାହାରି ୮୦ ରୁ ୧୦୦ କ୍ଵିଣ୍ଟାଲ ପର୍ଯ୍ୟନ୍ତ ଦେଶୀଆଳୁ ମିଳିଥାଏ   ।

ରୋଗପୋକ

ଦେଶୀଆଳୁ ଗଛରେ ପତ୍ରଦାଗ ଓ ଡାଇବ୍ୟାକ ରୋଗ ହୋଇଥାଏ   । ପତ୍ରରେ ଦାଗ ହୋଇ ଝଡିପଡେ   । ସାଧାରଣତଃ କର୍ବେଣ୍ଡାଜିମ ୧.୫ ଗ୍ରାମ ବା ମାଙ୍କୋଜେବ ୩-୪ ଗ୍ରାମ ଜାତୀୟ ଔଷଧ ପ୍ରତି ଲିଟର ପାଣିରେ ମିଶାଇ ସ୍ପ୍ରେ କରିବା ଦ୍ଵାରା ଏହି ରୋଗରୁ ରକ୍ଷା ମିଳିଥାଏ  ।

 

 

ପିଆଜ

ଆମ ଦେଶରେ ଚାରିଆଡେ ପିଆଜର ଆଦର ରହିଅଛି  । ସାରା ଭାରତରେ ପ୍ରାୟ ପ୍ରତ୍ୟେକ ପ୍ରଦେଶରେ ପିଆଜ ଚାଷ କରାଯାଇଥାଏ  ।  ମହରାଷ୍ଟ୍ର ରାଜ୍ୟରେ ସବୁଠାରୁ ଅଧିକ ପିଆଜ ଚାଷ ହୋଇଥାଏ  । ଆମର ନୀତିଦିନିଆ ଖାଦ୍ୟରେ ପିଆଜର ଆବଶ୍ୟକତା ଖୁବ ବେଶୀ   । ତରକାରୀ , ଭଜା , ସାଲଡ , ଚଟଣି ପ୍ରଭୁତି ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତରେ ପିଆଜ ବ୍ୟବହୃତ ହୁଏ   । ଆମ ଦେଶରୁ ପିଆଜ ସହିତ ଲୁଣ ମିଶାଇ ଖାଇଲେ ପେଟମରା ରୋଗ ଭଲ ହୋଇଯିବ ବୋଲି ବିଶେଷଜ୍ଞମାନେ କହିଥାନ୍ତି  । ଅନେକ ସ୍ଥାନରେ ମୁଣ୍ଡବିନ୍ଧା , ମୂର୍ଚ୍ଛା ପ୍ରଭୁତି ରୋଗରେ ମଧ୍ୟ ପିଆଜ ରସ ବ୍ୟବହାର କରାଯାଇଥାଏ   ।

ପିଆଜରେ ପ୍ରାୟ ଶତକଡା ୮୭ ଭାଗ ପାଣି ଥାଏ   । ଏହା ବ୍ୟତୀତ ଫସଫରସ , ଭିଟାମିନ ଏ,ବି,ସି, ପ୍ରୋଟିନ ବା ପୃଷ୍ଟିସାର , ବିଭିନ୍ନ ପ୍ରକାରର ଧାତବ ଲବଣ ରହିଥାଏ  । ଦେଶୀ ପିଆଜରେ ସାଧାରଣତଃ ଅଧିକ ଖାଦ୍ୟସାର ଥିବାର ଜଣାଯାଇଅଛି  ।

ବୈଜ୍ଞାନିକ ମାନଙ୍କ ମତରେ ପିଆଜ ପ୍ରଥମେ ଭାରତ , ଆଫଗାନିସ୍ଥାନ ଓ ରୁଷିଆର କେତେକ ଅଞ୍ଚଳରେ ଚାଷ କରାଯାଇଥିଲା   । ଅନ୍ୟକେତେକଙ୍କ ମତରେ ଚୀନରେ ପ୍ରଥମେ ପିଆଜ ଚାଷ ଆରମ୍ଭ ହୋଇଥିଲା  । ତେବେ ଯେ ଯାହା ହେଉନା କାହିଁକି ବର୍ତ୍ତମାନ ସାରା ପୃଥିବୀରେ ପିଆଜ ଚାଷ ହେଉଛନ୍ତି  । ଅବଶ୍ୟ ଅନେକ ପ୍ରକାର ପିଆଜ ରହିଅଛି  । ତେବେ ଆମ ଦେଶରେ ମୁଖ୍ୟତଃ ଦେଶୀ ପିଆଜ ଓ ଓଲି ପିଆଜ ଚାଷ କରାଯାଇଥାଏ   ।

କିସମ

ଆମ ରାଜ୍ୟରେ ଅନେକ କିସମର ଓଳି ପିଆଜ ଚାଷ କରାଯାଇପାରିବ ସେଗୁଡିକ ହେଲା –

ନାଲି ଓଲି ପିଆଜ – ପୁଷାରେଡ , ପୁଷାରତନାର ,  ପୁଷା ମାଧବୀ , ଆର୍କା କଲ୍ୟାଣ, ଆର୍କାନିକେତନ , ଆର୍କାପ୍ରଗତି , ଏଗ୍ରି ଫାଉଣ୍ଡ ଲାଇଟ ରେଡ , ଏଗ୍ରି ଫାଉଣ୍ଡ ଡାର୍କରେଡ , ଏ-୫୩

ଧଳା  ଓଲି ପିଆଜ – ପୁଷା ହ୍ଵାଇଟ ରାଉଣ୍ଡ , ପୁଷା ହ୍ଵାଇଟି ଫ୍ଲାଟ

ହଳଦିଆ ଓଳି ପିଆଜ – ଆର୍କା ପୀତାମ୍ବର

ଜଳବାୟୁ

ପିଆଜ ଏକ ଶୀତଦିନିଆ ଫସଲ   । ଖରା ବେସୀ ହେଲେ ପିଆଜ ଭଲ ହୁଏ ନାହିଁ  । ତେଣୁ ଯେଉଁ ସବୁ କିସମ ଅଳ୍ପ ବେସୀ ଖରା ଦ୍ଵାରା ପ୍ରଭାବିତ ହୁଏ ନାହିଁ ସେପରି କିସମ ଚାଷ କରିବା ଉଚିତ  । ପିଆଜ ଫଳିବା ପାଇଁ ଅଧିକ ଉତ୍ତାପ ଓ ବଡଦିନ ଦରକାର ହୋଇଥାଏ  । ତେଣୁ ନଭେମ୍ବର ମାସ ଦ୍ଵିତୀୟ ସପ୍ତାହରେ ପିଆଜ ଲଗାଇ ଦେଲେ ଭଲ ଫଳ ହୋଇଥାଏ   ।

ମାଟି

ଯଦିଓ ସବୁ ପ୍ରକାର ଜମିରେ ପିଆଜ ଚାଷ ହୋଇପାରେ ତଥାପି ଦୋରସା ପଟୁମାଟିରେ ଏହା ଭଲ ହୁଏ   । ଅମ୍ଳମାଟି ପିଆଜ ପାଇଁ ଉପଯୁକ୍ତ ନୁହେଁ  ।

ଲଗାଇବା ସମୟ

ଆମ ରାଜ୍ୟ ପାଇଁ ଅକ୍ଟୋବର ମାସ ଆରମ୍ଭରେ ଓଲି ପିଆଜ ମଞ୍ଜି ତଳି ପକାଇ ନଭେମ୍ବର ସେସ ଭାଗରେ ଲଗାଇଲେ ଅଧିକ ଅମଳ ହୁଏ  ।

ତଳି ପ୍ରସ୍ତୁତ

ଓଲି ପିଆଜ ପାଇ ତଳି ପ୍ରସ୍ତୁତ କରିବାକୁ ହୋଇଥାଏ  । ଏକଏକର ବିଲରେ ପିଆଜ ଲଗାଇବା ପାଇଁ ପ୍ରାୟ ୪ କିଲୋଗ୍ରାମ ମଞ୍ଜି ଦରକାର ହୁଏ  । ତଳି ପକାଇବା ଜାଗାକୁ ଭଲ ଭାବରେ ଚାଷ କରି ୧୦ ଫୁଟ ଲମ୍ବ ଓ ୩ ଫୁଟ ଚଉଡାର ପଟି ତିଆରି କରନ୍ତୁ  । ଦୁଇଟି ପଟି ଭିତରେ ପ୍ରାୟ ଦେଢଫୁଟ ଓସାରର ଜାଗା ଛାଡନ୍ତୁ   ।  ଏକ ଏକର ବିଲ ପାଇଁ ଏହି ଆକାରର ୧୦ ଟି ପଟି ଦରକାର ହୋଇଥାଏ  । ମଞ୍ଜି ବୁଣିବା ପୂର୍ବରୁ ପଟିରେ ଖତ ଓ କିଛି ୟୁରିଆ ଦେଇ ଭଲ ଭାବରେ ମାଟିରେ ମିଶାଇ ଦିଅନ୍ତୁ   । ବର୍ତ୍ତମାନ ପିଆଜ ମଞ୍ଜିକୁ ଧାଡି କରି ଏହି ପଟିରେ ବୁଣି ଖତ ଓ ମାଟି ଘୋଡାଇ ଦିଅନ୍ତୁ   । ତାପରେ ମାଟିରେ ପାଗ ଦେଖି ଝରାରେ ପାଣି ଦିଅନ୍ତୁ   ।

ତଳି ରୋଇବା

ଓଲି ପିଆଜକୁ ରୋକିବା ଦରକାର   । ତଳି ପ୍ରାୟ ଦେଢ ମାସରୁ ଦୁଇମାସ ହୋଇଗଲା ପରେ ରୋକିବା ପାଇଁ ଉପଯୁକ୍ତ ହୋଇଥାଏ  । ପିଆଜ ରୋଇବା ପାଇଁ ବିଲକୁ ଭଲ ଭାବରେ ଚାଷ କରି ମାଟିକୁ ଗୁଣ୍ଡ କରି ଦିଅନ୍ତୁ  । ଏକର ପିଛା ୧୫-୨୦ ଗାଡି ଭଲ ଖତ ଦିଅନ୍ତୁ   । ଏହା ସହିତ ପିଆଜ ପାଇଁ ଏକର ପିଛା ୨୪ କିଗ୍ରା ଯବକ୍ଷାରଜାଣ , ୨୫ କିଗ୍ରା , ଫସଫରସ ଓ ୨୦ କିଗ୍ରା ପଟାସକୁ ମୂଳସାର ହିସାବରେ ପ୍ରୟୋଗ କରିବାକୁ ହେବ   । ପିଆଜ ଲଗାଇବାର ତିନି ସପ୍ତାହ ଓ ୬ ସପ୍ତାହ ପରେ ଏକର ପ୍ରତି ୧୨ କିଗ୍ରା ଲେଖାଏଁ ଯବକ୍ଷାରଜାନ ପ୍ରୟୋଗ କରନ୍ତୁ  । ଛଅ ସପ୍ତାହ ପରେ ଏକର ପ୍ରତି ୨୦ କିଗ୍ରା , ପଟାସ ପ୍ରୟୋଗ କରନ୍ତୁ  । ଛଅ ସପ୍ତାହ ପରେ ଏକର ପ୍ରତି ୨୦ କିଗ୍ରା , ପଟାସ ପ୍ରୟୋଗ କରିବାକୁ ହେବ  । ପିଆଜ ଲଗାଇବାର ବିଲକୁ ୫୦ ଫୁଟ ଲମ୍ବା ଓ ୨୫ ଫୁଟ ଚଉଡା ବା ସେହିପରି ସୁବିଧାଜନକ ଆକାରରେ ପଟି କରି ଲଗାଇଲେ ପାଣି ଦେବା ଓ ଅନ୍ୟାନ୍ୟ ଚାଷ କାମ କରିବା ସୁବିଧା ଜନକ ହୋଇଥାଏ  । ଧାଡିକୁ ଧାଡି ୬ ଇଞ୍ଚ ଓ ଗଛକୁ ଗଛ ୩ ଇଞ୍ଚ ବ୍ୟବଧାନରେ ତଳି ଋଅନ୍ତୁ  । ରୋଇ ସାରିଲା ପରେ ହାଲୁକା ଭାବରେ ପାଣି ଦିଅନ୍ତୁ  । ଅଥବା ଆଗରୁ ପାଣି ଦେଇ ପାଗ କରି ତଳି ରୁଅନ୍ତୁ   ।

କୋଡା ଖୁସା

ପିଆଜ ଚେର ମାଟିର ଅଳ୍ପ ଗଭୀରତାକୁ ଯାଉଥିବାରୁ ବିଲକୁ ଘାସ ଇତ୍ୟାଦି ବାଛି ହେବା ଉଚିତ  । କୋଡାଖୁସା ଦ୍ଵାରା ଗଛର ଚେର ଯେପରି ନ ଛିଣ୍ଡେ ସେଥିପ୍ରତି ଦୃଷ୍ଟିଦେବା ଉଚିତ  ।

ଜଳସେଚନ

ଓଲି ପିଆଜ ପାଇଁ ମାଟିର ପାଗ ଦେଖି ପାଣି ଦେବାକୁ ପଡିଥାଏ   । ତେବେ ବିଲରେ କେତେବେଳେ ହେଲେ ଅଧିକ ପାଣି ଦେବା ଉଚିତ ନୁହେଁ ବା ବିଲକୁ ଏକାବେଳ ଶୁଖାଇ ଦେବା ଉଚିତ ନୁହେଁ  । ଏହି ଫସଲରେ ପିଆଜ ପ୍ରସ୍ତୁତ ଓ ପିଆଜ ସମୟ ବଢିବା ସମୟ ଅତି ସଙ୍କଟ ଅବସ୍ଥା ପାଣି ପାଇଁ, ତେଣୁ ସେହି ସମୟରେ ଠିକ ଭାବରେ ପାଣି ଦେବା ଦରକାର   ।

ଅମଳ

ପିଆଜ ଦୁଇ ପ୍ରକାର ଅବସ୍ଥାରେ ଅମଳ କରାଯାଇଥାଏ  ।  ସାଧାରଣତଃ ସାଲାଡ ଇତ୍ୟାଦି ପାଇଁ ଗଛ ଆଙ୍ଗୁଠି ମୋଟାର ହେବା ପରେ ଓପାଡି ବିକ୍ରି କରାଯାଏ  । କିନ୍ତୁ ଅଧିକାଂଶ ଚାଷ ପାକଲ ହେଲାପଓୟାରେ ପିଆଜ ଅମଳ କରିଥାନ୍ତି  । ଗଛର ଉପର ଅଂଶ ଶୁଖି ଭାଙ୍ଗି ପଡିଲେ ପିଆଜ  ଅମଳ ପାଇଁ ଉପଯୁକ୍ତ ହୋଇଥାଏ  । ମାଟି ହାଲୁକା ହୋଇଥିଲେ ହାତରେ ଓପାଡି ପିଆଜ ଅମଳ ମିଳିଥାଏ   । ପିଆଜ ଅମଳ ସାରିବା ପରେ ତାହାକୁ ବିକ୍ରୟ ପାଇଁ ପ୍ରସ୍ତୁତ କରିବାକୁ ପଡେ  । ତେବେ ଅମଳ ପରେ ତିନି ଚାରି ସପ୍ତାହ ରଖିଲେ ତାହା ବିକ୍ରୟ ଉପଯୋଗୀ ହୋଇଥାଏ   ।

ସାଇତିବା ପ୍ରଣାଳୀ

ପିଆଜକୁ ସାଧାରଣତଃ ଭଲ ଭାବରେ ବାୟୁ ଚଳାଚଳ କରୁଥିବା ଘରେ ସାଇତି ରଖିବା ଉଚିତ  । ଅବଶ୍ୟ ଭଲ ଭାବରେ ପାକଳ ହୋଇଥିବା ପିଆଜକୁ ହିଁ କେବଳ ସାଇତି ରଖିବା ଉଚିତ  । ସାଇତିବା ଘରେ ଯେପରି ଉତ୍ତାପ ଓ ଜଳୀୟ ଅଂଶ ଅଧିକ ନହୁଏ ସେଥିପାଇଁ ମଧ୍ୟ ଦୃଷ୍ଟି ଦେବା ଦରକାର  । ଜଳୀୟ ଅଂଶ ଅଧିକ ହେଲେ ପିଆଜରେ ଫିମ୍ଫି ଲାଗି ତାହା ନଷ୍ଟ ହୋଇଯାଏ   । ପିଆଜ ସାଇତି ରଖିବା ଘରେ ୦ ରୁ ୧ ଡିଗ୍ରୀ ସେଲସିୟମ ତାପମାତ୍ରା ଓ ୬୪% ଆପେକ୍ଷିକ ଆର୍ଦ୍ରତା ରହିବା ଦରକାର   ।

ରୋଗ ଓ ପୋକ

ଆମ ରାଜ୍ୟରେ ଓଲି ପିଆଜରେ ମୂଳ ସଢା, ପିଆଜ ସଢା ରୋଗ ଓ ପିଆଜ ନଷ୍ଟ କରୁଥିବା ଲାଙ୍ଗୁଡା ପୋକ ଇତ୍ୟାଦି କ୍ଷତି କରିଥାନ୍ତି  । ତଳି ପକାଇବା ପୂର୍ବରୁ ମଞ୍ଜି ବାଭିଷ୍ଟିନ ବା ଥିରାମ ଗୁଣ୍ଡରେ ବିଶୋଧନ କରି ଲଗାଇଲେ ରୋଗରୁ ରକ୍ଷା ମିଳିଥାଏ  । ସେହିପରି ତଳି ପାତାଳୀରେ ପ୍ରତି ୧ ଲିଟର ପାଣିରେ ଦେଢ ଗ୍ରାମ ହିସାବରେ ବାଭିଷ୍ଟିନ ମିଶାଇ ସ୍ପ୍ରେ କାଲେ ମଧ୍ୟ ରୋଗରୁ ରକ୍ଷା ମିଳିଥାଏ   । ପିଆଜରେ ସାଧାରଣତଃ ପତ୍ର ଉଙ୍କୁଣୀ ଓ କାଣ୍ଡିବିନ୍ଧା ମାଗଟ ଦେଖାଯାଇଥାଏ   । ପତ୍ର ଉଙ୍କୁଣୀ ପତ୍ରକୁ ଚିରି ତାର ରସ ଚାଟି ଚାଟି ଖାଏ   । ଫଳରେ ଆକ୍ରାନ୍ତ ପତ୍ରଟି ମୋଡିହୋଇ ଶୁଖିଯାଏ   ।  ଆକ୍ରାନ୍ତ ଗଛରେ ପିଆଜ ହୁଏ ନାହିଁ ଓ ଫୁଲରେ ମଞ୍ଜି ରହେନାହିଁ    । ଏଥିରୁ ରକ୍ଷା ପାଇବାକୁ ହେଲେ ଏକର ପ୍ରତି ୨୦୦ ଲିଟର ପାଣିରେ ୪୦୦ ମିଳିଲିଟର ମୀଲାଥିଆନ କିମ୍ବା ୪୦୦ମିଳିଲିଟର ରୋଗର ଆଦି ଗୋଳାଇ ସିଞ୍ଚନ କରିବା ଆବଶ୍ୟକ   । କାଣ୍ଡବିନ୍ଧା ମାଗଟ ପତ୍ର ଆଚ୍ଛାଦ ମଧ୍ୟରେ ପ୍ରବେଶ କରି ମାଟି ତଳକୁ ଯାଇ ବଢୁଥିବା ପିଆଜକୁ କଣା କରି ପଶେ   ।  ଏହା ଫଳରେ ମାଟିରେ ଥିବା ବାସଲସ କାରୋଟୋଭୋରସ ନାମକ ଜୀବାଣୁ ପିଆଜରେ ପଶି ପିଆଜକୁ ପଚେଇ ଦେଇଥାଏ  । ଏଥିପାଇଁ କାର୍ବାରିଲ ୪ ଭାଗ ବା ଫୋରେଟ ୧୦ ଭାଗ ଦାନାଡାର ବିଆଇଏସ ଏକର ପ୍ରତି ଯଥାକ୍ରମେ ୮ କିଗ୍ରା କିମ୍ବା ୪ କିଗ୍ରା ହିସାବରେ ପିଆଜ ଲଗାଇବା ପୂର୍ବରୁ ମାଟିରେ ପକାଇବା ଆବଶ୍ୟକ  । ଏହା ଛଡା ଏହି କାଣ୍ଡବିନ୍ଧା ପୋକର ପୂର୍ଣ୍ଣାଙ୍ଗ ଅବସ୍ଥାକୁ ମଧ୍ୟ ମାଲାଥିଅନ କିମ୍ବା ରୋଗର ଦ୍ଵାରା ସିଞ୍ଚନ କରି ଦମନ କରାଯାଇ ପାରେ   ।

ଦେଶୀ ପିଆଜ

ଆମ ରାଜ୍ୟରେ ଅନେକ ଚାଷୀ ଦେଶୀ ପିଆଜ ମଧ୍ୟ ଚାଷ କରିଥାନ୍ତି  ।  ଦେଶୀ ପିଆଜ ଅନେକ ଜାଗାରେ ବର୍ଷାଦିନେ ଚାଷ ହୋଇଥାଏ  । ତେବେ ମୁଖ୍ୟତଃ ଏହା ଶୀତଦିନେ ଚାଷ ହୁଏ  । ଓଲି ପିଆଜ ପାରି ବିଲକୁ ଚାଷ କରି ଖତ ଓ ସାର ଦେଇ ପିଆଜ ଲଗାଯାଇଥାଏ   । ପ୍ରାୟ ଏକ ଏକର ବିଲରେ ଲଗାଇବା ପାଇଁ ୪ କ୍ଵିଣ୍ଟାଲ ବିହନ ଲାଗିଥାଏ   । ବିଲରେ ପ୍ରାୟ ୮-୯ ଇଞ୍ଚ ବ୍ୟବଧାନରେ ସିଆର କରି ସିଆରରେ ପିଆଜ ପାଖୁଡା ପୋଟା ଯାଏ   । ଅନ୍ୟ ସବୁ ଚାଷ ପ୍ରଣାଳୀ ପ୍ରାୟ ଓଲି ପିଆଜ ସହ ସମାନ   ।

ରସୁଣ

ରସୁଣ ମସଲା ଜାତୀୟ ଫସଲ ଭିତରେ ପ୍ରଧାନ ସ୍ଥାନ ଅଧିକାର କରିଅଛି  । ଏହା ଭାରତର ପ୍ରାୟ ସବୁ ପ୍ରଦେଶରେ ଚାଷ କରାଯାଇଥାଏ   । ମସଲା ହିସାବରେ ଯଦିଓ ରସୁଣ ମୁଖ୍ୟତଃ ବ୍ୟବହାର ହୋଇଥାଏ   , ତଥାପି ଅନେକ ପ୍ରକାରର ରୋଗର ଉପଶମ ପାଇଁ ମଧ୍ୟ ରସୁଣ ବ୍ୟବହାର କରାଯାଇଥାଏ   । ଡାକ୍ତରମାନଙ୍କ ମତ ରେ ରସୁଣର ଜୀର୍ଣ୍ଣ କରିବାର  ଗୁଣ ରହିଅଛି  । ମହିଶୂରଠାରେ ଥିବା କେନ୍ଦ୍ରୀୟ ଖାଦ୍ୟ,ଗବେଷଣା କେନ୍ଦ୍ର , ରସୁଣର ବିଭିନ୍ନ ପ୍ରକାରର ଖାଦ୍ୟ ତଥା ଔଷଧ ପ୍ରସ୍ତୁତ କରିବା ଦିଗରେ ଅନେକ କାର୍ଯ୍ୟ କରୁଅଛନ୍ତି  । ରସୁଣ ତେଲ ପକ୍ଷାଘାତ ବା ବାତ ରୋଗୀମାନଙ୍କ ପାଇଁ ବ୍ୟବହାର କରାଯାଏ   । ରସୁଣ ଖାଇବା ଦ୍ଵାରା ରକ୍ତରେ ଥିବା କୋଲେଷ୍ଟରଲ ପରିମାଣ କରିଯାଏ  । ସେହିପରି ମୂର୍ଛା ରୋଗୀମାନଙ୍କୁ ମଧ୍ୟ ରସୁଣ ଶୁଙ୍ଘାଇ ସୁସ୍ଥ କରାଯାଏ   । ସୋରିଷ ତେଲରେ ରସୁଣ ଫୁଟାଇ ଘା ମାନଙ୍କରେ ମଧ୍ୟ ଲଗାଯାଏ  ।

ରସୁଣରେ ଶତକଡା ପ୍ରାୟ ୬୨.୮ ଭାଗ ଜଳ, ୬.୩ ଭାଗ ପୃଷ୍ଟିସାର ୦.୭ ଭାଗ ସ୍ନେହସାର ୧ ଭାଗ ବିଭିନ୍ନ ଧାତବ ଲବଣ ଓ ୨୯ ଭାଗ ଶ୍ଵେତସାର ରହିଅଛି  । ଏହା ବ୍ୟତୀତ ଏଥିରେ ଭିଟାମିନ ସି ମଧ୍ୟ ରହିଛନ୍ତି   ।

ରସୁଣ ପ୍ରଥମେ କେନ୍ଦ୍ର ଏସିଆ ବା ଭୂମଧ୍ୟ ସାଗର ଅଞ୍ଚଳରେ ଚାଷ କରାଯିବାର କୁହାଯାଇଥାଏ   । ତେବେ ବର୍ତ୍ତମାନ ଏହା ପୃଥିବୀର ପ୍ରାୟ ସବୁ ଅଞ୍ଚଳରେ ଚାଷ କରାଯାଉଅଛି   ।

ଆମ ରାଜ୍ୟରେ ସାଧାରଣତଃ ଶୀତଦିନେ ରସୁଣ ଚାଷ କରାଯାଇଥାଏ  । ଅତି ଥଣ୍ଡା ହେଲେ ରସୁଣ ଭଲ ହୁଏ ନାହିଁ  । ଭାରତରେ ଏହା ତାମିଲନାଡୁ , ଆନ୍ଧ୍ରପ୍ରଦେଶ ,ଉତ୍ତରପ୍ରଦେଶ ଓ ଗୁଜୁରାଟ ଅଞ୍ଚଳରେ ପ୍ରଚୁର ଚାଷ କରାଯାଏ  ।

ମାଟି

ରସୁଣ ପାଇଁ ଦୋରସା ଓ ପଟୁମାଟି ଖୁବ ଭଲ  । ତେବେ ପିଆଜ ଠାରୁ ରସୁଣ ପାଇଁ ଅଧିକ ଉର୍ବର ମାଟି ଦରକାର ହୋଇଥାଏ  ।

ଲଗାଇବା ସମୟ

ରସୁଣ ସେପ୍ଟେମ୍ବର ମାସଠାରୁ ଲଗାଯାଇ ପାରିବ  । ତେବେ ଅକ୍ଟୋବର , ନଭେମ୍ବର ମାସରେ ଲଗାଇଲେ ମଧ୍ୟ ଭଲ ଅମଳ ଦେଇଥାଏ  ।

ଚାଷ ପ୍ରଣାଳୀ

ପିଆଜ ପରି ରସୁଣ ବିଲକୁ ଭଲ ଭାବରେ ଚାଷ କରି ମାଟି ଗୁଣ୍ଡ କରିବାକୁ ହୁଏ  ,ରସୁଣ ପାଇଁ ପିଆଜ ଅପେକ୍ଷା ଅଧିକ ଉର୍ବର ମାଟି ଦରକାର ହୋଇଥାଏ   । ଏକର ପିଛା 16-20 ଟନ ଶଢା କ୍ଷତ ପ୍ରୟୋଗ କରିବାକୁ ହେବ   । ଏହା ସହିତ ମୂଳସାର ଭାବେ 24 କିଗ୍ରା , ଯବକ୍ଷାରଜାଣ 24 କିଗ୍ରା ଫସଫରସ ପଟାସ ସାର ଦରକାର ହୋଇଥାଏ   ।, ବିହନ ଲଗାଇବାର ତିନି ସପ୍ତାହ ପରେ ଏକର ପ୍ରତି 12 କିଗ୍ରା ଯବକ୍ଷାରଜାଣ ଏବଂ ଛଅ ସପ୍ତାହ ପରେ 12 କିଗ୍ରା ଯବକ୍ଷାର ଓ 24 କିଗ୍ରା ପଟାସ ସାର ପ୍ରୟୋଗ କରିବାକୁ ହେବ  ।

ବିହନ

ପ୍ରାୟ ଦେଶୀ କିସମର ରସୁଣ ଲଗାଯାଇଥାଏ   ।  ଆଗ୍ରିଫାଉଣ୍ଡ ହ୍ଵାଇଟ , ଯମୁନା ସଫେଦ ପୁସା ସିଲେକସାନ-୧୦ ପ୍ରଭୁତି କେତେକ ଉନ୍ନତ କିସମ ମଧ୍ୟ ଚାଷ କରିବା ପାଇଁ ପରାମର୍ଶ ଦିଆଯାଇଥାଏ  । ଏକ ଏକର ପାଇଁ ୧୫୦ ରୁ ୨୦୦ କିଲୋଗ୍ରାମ ରସୁଣ ପାଖୁଡା ଦରକର ହୁଏ  । ଧାଡିକୁ ଧାଡି ୬ ଇଞ୍ଚ ରୁ ଗଛକୁ ଗଛ ୩ ଇଞ୍ଚ ବ୍ୟବଧାନ ରେ ରସୁଣ ଲଗାଯାଏ   ।  ଲଗାଇବା ବେଳେ କୋଳାର ମୁହଁ ଉପରକୁ ରଖାଯାଏ  । ପାଣି ଦେବା ପାଇଁ ଓ ଅଧିକ ପାଣି ନିଷ୍କାସନ କରିବା ପାଇଁ ବିଲକୁ ଛୋଟ ଛୋଟ ପଟି କରିବା ଦରକରେ ହୋଇଥାଏ   । ଗଛ ଉଠିବାର ୧୫-୨୦ ଦିନ ପରେ ବିଲରୁ ଘାସ ଇତ୍ୟାଦି ବାଛି ଦିଆଯାଏ   । ଲଗାଇବାର ୨ ମାସ ପରେ ମୂଳ ପାଖ ମାଟି ଖୁସାଇ ହାଲୁକା କରିଦେଲେ ତାହା ବଡ ବଡ ରସୁଣ ହେବା ପାଇଁ ସାହାଯ୍ୟ କରେ   ।

ରସୁଣ ପାଇଁ ପ୍ରାୟ ପ୍ରତି ୧୦-୧୫ ଦିନରେ ଠାରେ ପାଣି ଦରକାର ହୋଇଥାଏ   । ଗଛ ବଢିବା ସମୟରେ ପାଣି ଅଭାବ ହେଲେ ଅମଳ କମିଯାଏ   । ରସୁଣ ପାକଳ ହେବା ସମୟରେ ଅଳ୍ପ ପାଣିଦେବା ଉଚିତ   ।

ଅମଳ

ରସୁଣ ପ୍ରାୟ ସାଢେ ଚାରିମାସରୁ ୫ ମାସରେ ଅମଳ ହୋଇଥାଏ   । ପାକଳ ସମୟକୁ ପତ୍ର ହଳଦିଆ ବା ମାଟିଆ ପଡିଯାଏ ଏବଂ ଶୁଖି ଆସେ  । ଗଛ ଗଛକୁ ଉପାଡି ପୁଳା ପୁଳା କରି ବାନ୍ଧି ୩-୪ ଦିନ ପର୍ଯ୍ୟନ୍ତ ଖରାରେ ଶୁଖାଇ ଦିଆଯାଏ   । ବାହାରକୁ ନେବା ପୂର୍ବରୁ ରସୁଣ ଉପରୁ କାଣ୍ଡ ଓ ଖିଲା ପତ୍ର କାଢି ସଢା କରି ଦିଆଯାଏ   । ଭଲ ଭାବରେ ଚାଷ କାଲେ ଏକର ପିଛା ପ୍ରାୟ ୨୫ କ୍ଵିଣ୍ଟାଲ ପର୍ଯ୍ୟନ୍ତ ରସୁଣ ଅମଳ ମିଳିଯାଏ   ।

ରୋଗ ଓ ପୋକ

ରସୁଣ ଫସଲରେ ସାଧାରଣତଃ ମୂଳ ସଢା ଓ ରସୁଣ ସଢା ରୋଗ ଦେଖା ଦେଇଥାଏ   । ବିଲରେ ମୂଳସଢା ରୋଗ ଦେଖା ଦେଲେ ଗଛ ଝାଉଁଳି ଯାଏ ଓ ଅଗ ପତ୍ର ଶୁଖିଆସେ   । ଏଥିପାଇଁ ବାଭିଷ୍ଟନ ବା ବେନଲେଟ ବ୍ୟବହାର କରିବା ଉଚିତ   ।

ସେଥିପାଇଁ ସାଇତି ରଖିବା ସମୟରେ ରସୁଣ ଆଗ ଆଡୁ ସଢିବାକୁ ଆରମ୍ଭ କରେ   । ଭଲ ଭାବରେ ଶୁଖି ନଥିଲେ ଏହି ରୋଗ ହୁଏ   । ତେଣୁ ସାଇତିବା ପୂର୍ବରୁ ଭଲ ଭାବରେ ଶୁଖାଇ ରଖିବା ଉଚିତ  । ଅନ୍ୟାନ୍ୟ ରୋଗ ଓ ପୋକ ପିଆଜରେ ଲାଗୁଥିବା ରୋଗ ଓ ପୋକ ସହ ସମାନ   ।

ଅଦା

ଆମ ରାଜ୍ୟରେ ଜଳବାୟୁ ଓ ମାଟି ଅଦା ଚାଷ ପାଇଁ ବେଶ ଉପଯୁକ୍ତ   । ଏହାକୁ ସମୁଦ୍ର ପତ୍ତନଠାରୁ ୧୫୦୦ ମିଟର ପର୍ଯ୍ୟନ୍ତ ଉଚ୍ଚ ସ୍ଥାନରେ ଚାଷ କରାଯାଇ ପାରିବ  । ଓଡିଶା ବିଭିନ୍ନ ଜିଲ୍ଲାରେ ପ୍ରତିବର୍ଷ ଅଦା ଚାଷ କରାଯାଏ  । ଉଭୟ ଜଳସେଚନ ଓ ଅଣଜଳସେଚନ ଜମିରେ ମଧ୍ୟ ଏହା ଚାଷ ହୋଇପାରିବ   ।

ବଲିଆ ବା ଦୋରସା ମାଟିରେ ଏହା ଭଲ ହୁଏ    । ମାତ୍ର ନିଗିଡା ଜମି ଏହି ଫସଲ ପାଇଁ ନିତାନ୍ତ ଦରକାର  ।

ଚାଷ ପ୍ରଣାଳୀ

ବର୍ଷାଦିନେ ପହିଲି ବର୍ଷା ଜମିକୁ ୫/୬ ଓଡ ଚାଷ କରି ମାଟି ଗୁଣ୍ଡ କରାଯାଏ  । ଏହା ପରେ ତିନିଫୁଟ ଓସାର ଛଅ ଇଞ୍ଚ ଉଚ୍ଚ ଓ ସୁବିଧା ଅନୁସାରେ ଲମ୍ବ ରଖି ପଟାଳିମାନ କରାଯାଏ   । ଦୁଇପଟାଳି ମଧ୍ୟରେ ୧ ଫୁଟ ଦୂରତା ରଖାଯାଏ   ।

ଉଭୟ ଅପ୍ରେଲ ଓ ମେ ମାସରେ ଅଦା ଲଗାଯାଇପରେ  । ମାତ୍ର ଅଧିକ ଅମଳ ପାଇବା ପାଇଁ ଅପ୍ରେଲ ମାସରେ ପ୍ରଥମାର୍ଦ୍ଧ ହେଉଛିଜ ଅଦା ଲଗାଇବାର ଉପଯୁକ୍ତ ସମୟ   ।

ଏକ ଏକର ଜମିରେ ଲଗାଯିବା ପାଇଁ ପ୍ରାୟ ୬ କ୍ଵିଣ୍ଟାଲ ଅଦାଖଣ୍ଡ ଦରକାର ହୁଏ  । ଏହି ଖଣ୍ଡଗୁଡିକୁ ୨-୩ ଟି ଆଖି ଥାଇ ପ୍ରାୟ ୧୫ ଗ୍ରାମ ଓଜନ ରଖି କରାଯାଏ   ।  ଲଗାଇବା ପୂର୍ବରୁ ଖଣ୍ଡୁଗଡିକୁ ଶତକଡା ୦.୧ ଭାଗ କାର୍ବୋଣ୍ଡାଜିମ , ୦.୩ ଭାଗ କ୍ଵିନାଲଫସ ଓ ୦.୨ ଶତକଡା ମାଙ୍କୋଜେବ ଦ୍ରବଣରେ ପ୍ରାୟ ଅଧଘଣ୍ଟାଏ ବୁଡାଇ ରଖି ବିଶୋଧନ କରାଯାଏ    । ଏହା ପରେ ଖଣ୍ଡଗୁଡିକୁ ଛାଇରେ ସୁଖାଯାଏ   ।

ଖଣ୍ଡଗୁଡିକୁ ଧାଡି ଧାଡି କରି ୧୦ ଇଞ୍ଚ ଓ ଗଛକୁ ଗଛ ୮ ଇଞ୍ଚ ଦୂରତା ରଖି ୨ ଇଞ୍ଚ ଗଭୀରରେ ପୋତାଯାଏ  । ଲଗାଇବା ପରେ ପଟାଳିକୁ ଡାଳପତ୍ର ବା ଘାସଦ୍ଵାରା ଘୋଡାଇ ଦିଆଯାଏ  । ପ୍ରତିଥର କୋଡାଖୁସା କରି ହୁଡା ଟେକିବା ପରେ ଡାଳପତ୍ରକୁ ପୁଣି ଘୋଡାଇ ଦିଆଯାଏ   ।

ଆମ ରାଜ୍ୟରେ ସୁପ୍ରଭା , ସୁରୁଚି ,  ସୁରଭି କିସମରୁ ଅଧିକ ଅମଳ ମିଳି ପାରୁଅଛି ଓ ଏଥିରେ ଅଳ୍ପ ତନ୍ତୁ ତଥା ଅଧିକ ବାସନା ରହିଥାଏ   ।

ଶେଷ ଓଡ ଚାଷ ବା ଅଦାଖଣ୍ଡ ଲଗାଇଲା ବେଳେ ଏକର ପିଛା ପ୍ରାୟ ୫ ଗାଡି କ୍ଷତ ଦିଆଯାଏ   । ଅଦା ଲଗାଇଲା ବେଳେ ସିଆରରେ ଏକର ପିଛା ୪୦ କିଗ୍ରା ଫସଫରସ ଓ ୨୦ କିଗ୍ରା ପଟାସ ସାର ପ୍ରୟୋଗ କରାଯାଏ  । ଲଗାଇବାର ୪୫ ଦିନ ପରେ ଏକର ପିଛା ୨୫ କିଗ୍ରା ଯବକ୍ଷାର ଜାତୀୟ ସାର ଦେଇ ହୁଡା ଟେକି ଦେବାକୁ ହୁଏ  । ଲଗାଇବାର ତିନିମାସ ପରେ ଏକର ପିଛା ୨୫ କିଗ୍ରା ଯବକ୍ଷାର ଓ ୨୦ କିଗ୍ରା ପଟାସ ସାର ଦେଇ ହୁଡା ଟେକାଯାଏ   ।

କଫି , ଆମ୍ବ , ପିଜୁଳି ଇତ୍ୟାଦି ବଗିଚା ମାନଙ୍କରେ ଅଦାକୁ ମଧ୍ୟ ଅନ୍ତଃ ଫସଲ ହିସାବରେ ଚାଷ କରାଯାଇପାରିବ   ।

ରୋଗ ଓ ପୋକ

ଅଦା ଫସଲରେ ସାଧାରଣତଃ ପତ୍ରଦାଗ ରୋଗ , କାଣ୍ଡ ବିନ୍ଧା ଓ ଶୋଷକ ପୋକ ଲାଗି ଫସଲରେ କ୍ଷତି କରିଥାଆନ୍ତି   ।

ପତ୍ରଦାଗ ରୋଗ ସାଧାରଣତଃ ସେପ୍ଟେମ୍ବର ମାସରେ ଫସଲରେ ଦେଖାଯାଏ   । 15 ଦିନ ଛଡାରେ ଶତକଡା 1 ଭାଗ ବୋର୍ଡାମିକଶଚର ବା 0.2 ଶତାଂଶ ଥିରାମ ସ୍ପ୍ରେ କାଲେ ରୋଗ ଆୟତ୍ତ ହୋଇଥାଏ  । କାଣ୍ଡବିନ୍ଧା ପୋକ ପାଇଁ 0.05 ଶତାଂଶ ସ୍ପ୍ରେ କାଲେ ରୋଗ ଆୟତ୍ତ ହୋଇଥାଏ  । କାଣ୍ଡ ବିନ୍ଧା ପୋକ ପାଇଁ 0.05 ଶତାଂଶ ଫସଫାମିଦାନ ଓ ଶୋଷକ ପୋକ ପାଇଁ 0.5 ଶତାଂଶ ମାଲାଥିନ ସ୍ପ୍ରେ କରିବା ଉଚିତ  ।  ଏହା ଛଡା ପତ୍ରକୁ ଖାଉଥିବା କ୍ଷିପ୍ର ପ୍ରଜାପତିକୁ ଦମନ କରିବା ପାଇଁ ଶତକଡା 0.05 ହାରରେ 5 କିଲୋଗ୍ରାମ ଇକାଲକସ ପକାଇ ଦମନ କରାଯାଇପାରେ   ।

ଅମଳ

ଲଗାଇବାର 7 ରୁ 8 ମାସ ପରେ ଅଦା ଖୋଳାଯାଏ । ଏକର ପିଛା 80 ରୁ 120 କ୍ଵିଣ୍ଟାଲ ପର୍ଯ୍ୟନ୍ତ କଞ୍ଚା ଅଦା ମିଳିଥାଏ   ।

ହଳଦୀ

ଆମ ରାଜ୍ୟରେ ଜଳବାୟୁ ଓ ମାଟି ହଳଦୀ ଚାଷ ପାଇଁ ବେଶ ଉପଯୁକ୍ତ ଏହାକୁ ସମୁଦ୍ର ପତ୍ତନ ଠାରୁ 1200 ମିଟର ପର୍ଯ୍ୟନ୍ତ ଉଚ୍ଚ ସ୍ଥାନରେ ଚାଷ କରାଯାଇ ପାରିବ  । ଓଡିଶାର ବିଭିନ୍ନ ଜିଲ୍ଲାରେ ପ୍ରତିବର୍ଷ ହଳଦୀ ଚାଷ କରାଯାଇଥାଏ  । ଉଭୟ ଜଳସେଚନ ଓ ଅଣଜଳସେଚନ ଜମିରେ ହଳଦୀକୁ ଚାଷ କରାଯାଇପାରିବ  ।

ଅଦାପଟି ମଟାଳ ତଥା ଦୋରସା ମାଟିରେ ଏହା ଭଲ ହୁଏ  । ମାତ୍ର ନିଗିଡା ମାଟି ଏହି ଫସଲ ପାଇଁ ଦରକାର   ।

ଚାଷ ପ୍ରଣାଳୀ

ପହିଲି ବର୍ଷା ପରେ ପରେ ଜମିକୁ 4 ରୁ 8 ଓଡ ଚାଷ ମାଟି ଗୁଣ୍ଡ କରାଯାଏ  । ଏହାପରେ ତିନିଫୁଟ ଓସାର , ଛଅ ଇଞ୍ଚ ଉଚଟା ଓ ସୁବିଧା ଅନୁସାରେ ଲମ୍ବା ରଖି ପଟାଳିମାନ କରାଯାଏ  । ଦୁଇ ପଟାଳି ମଧ୍ୟରେ ଏକ ଫୁଟ ଉଚ୍ଚତା ରଖାଯାଏ   ।

ଏହି ପଟାଳିରେ ଧାଡି ଧାଡି କରି ଏକ ଫୁଟ ଓ ଗଛକୁ ଗଛ ଆଠରୁ ଦଶ ଇଞ୍ଚ ଦୂରତା ରଖି ଦୁଇ ଇଞ୍ଚ ଭୀରରେ ହଳଦୀ ପୋତାଯାଏ  । ମୁଣ୍ଡା ପୁଆ ଓ ଏଥିରୁ ବାହାରୁଥିବା ପ୍ରଥମେ ପୁଆ ଲଗାଇଲେ ଭଲ ଅମଳ ମିଳିଥାଏ  ।

ବିହନ ପରିମାଣ ଓ ବିଶୋଧନ

ଏକ ଏକର ଜମି ପାଇଁ 8 ରୁ 10 କ୍ଵିଣ୍ଟାଲ ଖଣ୍ଡହଳଦୀ ଦରକାର ହୁଏ  ।  ଏହି ଖଣ୍ଡ ଗୁଡିକୁ ଶତକଡା 0.25 ସେରେସନ ସେଚିତ ଦ୍ରବଣରେ ବିଶୋଧନ କରାଯାଇ ଛାଇରେ ସୁଖାଯାଏ ଓ ପରେ ଲଗାଯାଏ  ।

ଓଡିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟର ପତଙ୍ଗୀଠାରେ ଥିବା ଗବେଷଣା କେନ୍ଦ୍ରରୁ ରୋମା , ସୁରମା , ରଙ୍ଗ, ରଶ୍ମୀ, କିସମର ହଳଦୀ ବାହାର କରାଯାଇଛି  । ଏହି କିସମ ଗୁଡିକୁ ଚାଷ କଲେ ଅଧିକ ଅମଳ ମିଳିପାରୁଛି   ।

ଶେଷ ଓଡ ଚାଷ ବେଳେ ଏକର ପିଛା ପ୍ରାୟ 10 ଗାଡି ଖତ ଦିଆଯାଏ   । ହଳଦୀ ଖଣ୍ଡ ଲଗାଇଲା ବେଳେ ଏକର ପିଛା 12 କିଗ୍ରା, ଫସଫରସ 18 କିଗ୍ରା ପଟାସ ଜାତୀୟ ସାର ଦିଆଯାଏ   । ଲଗାଇବାର 90 ଦିନ ପରେ ଏକର ପ୍ରତି 12 କିଗ୍ରା ପଟାସ ସାର ଦେଇ ହୁଡା ଟେକାଯାଏ  । ଲଗାଇବା ପରଠାରୁ ମାଟିକୁ ତାଳପତ୍ର ବା ଘାସ ଦେଇ ଘୋଡାଯାଏ  ।

ଆମ୍ବ , ପଣସ , ପିଜୁଳି, ଇତ୍ୟାଦି ବଗିଚାରେ ମଝି ଜାଗାରେ ମଧ୍ୟ ହଳଦୀ ସହଜରେ ଲଗାଯାଇପାରିବ   ।

ପୋକ ଓ ରୋଗ

ହଳଦୀ ଫସଲରେ କାଣ୍ଡିବିନ୍ଧା ପେକା , ପତ୍ରଦାଗ ରୋଗ ଓ ହଳଦୀ ସଢା ରୋଗ ଲାଗି ଅନେକ ସମୟରେ ଫସଲର ବିଶେଷ କ୍ଷତି କରନ୍ତି   । କାଣ୍ଡବିନ୍ଧା ପୋକପାଇଁ  ଶତକଡା 0.05 ଭାଗ ଡାଇମେଥୋଏଟ ବା ଫସଫୋମିନଡ ସ୍ପ୍ରେ କଲେ ପୋକ ଦମନ ହୁଏ  ।

ପତ୍ରଦାଗ ରୋଗ ପାଇଁ ଶତକଡା 1 ଭାଗ ବୋର୍ଡାମିକଶ୍ଚର ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ପ୍ରତି 15 ଦିନ ଅନ୍ତରରେ ସ୍ପ୍ରେ କରିବା ଦରକାର   ।

ହଳଦୀର ସଢାରୋଗ ଏକ ଫିମ୍ଫି ଜନିତ ରୋଗ   । ଲଗାଇବା ବା ସାଇତି ରଖିବା ପୂର୍ବରୁ 0.2 ଶତକଡା ସେରେସନ ସେଚିତ ଦ୍ରବଣରେ ହଳଦୀ ଖଣ୍ଡ ଗୁଡିକୁ ବୁଡାଇ ଦେଲେ ବା ପଟାଳି ଲଗାଇବାପରେ ସ୍ପ୍ରେ କଲେ ଏହି ରୋଗ ହୋଇଣଥାଏ   ।

ଅମଳ

ଲଗାଇବାର 7 ରୁ 10 ମାସ ମଧ୍ୟରେ ହଳଦୀ ଖୋଜିବା କାମ ଉପଯୁକ୍ତ ହୋଇଯାଏ   । ଏକର ପିଛା 80 ରୁ 100 କ୍ଵିଣ୍ଟାଲ କଞ୍ଚା ହଳଦୀ ଅମଳ ହୁଏ  ।

କଞ୍ଚା ହଳଦୀକୁ ପାଗ କରିବାକୁ ହେଲେ ମାଟି ହାଣ୍ଡିରେ କିଛି କଞ୍ଚା ହଳଦୀ ପତ୍ର ଓ ପାଣି ଦେଇ ସିଝାଯାଏ   ।  ଏହାପରେ ହଳଦୀ ସୁଖାଯାଏ ଓ ପରେ ଘଷାଯାଏ   । ହଳଦୀ ପ୍ରକ୍ରିୟାକାରଣ ପାଇଁ ଆଜିକାଲି ସ୍ଵତନ୍ତ୍ର ଡ୍ରମ ବାହାରିଗଲାଣି  । ସାଧାରଣତଃ କଞ୍ଚା ହଳଦୀକୁ ଶତକଡା 15 ରୁ 30 ଭାଗ ଶୁଖିଲା ହଳଦୀ ମିଳେ ଅର୍ଥାତ 1 କ୍ଵିଣ୍ଟାଲ କଞ୍ଚା ହଳଦୀରୁ 15 ରୁ 30 କେଜି ଶୁଖିଲା ହଳଦୀ ମିଳିଥାଏ  । ଏକ ଏକର ଜମିରୁ ପ୍ରାୟ 20 କ୍ଵିଣ୍ଟାଲ ଶୁଖିଲା ହଳଦୀ ମିଳିଥାଏ   ।

ମନେରଖନ୍ତୁ

  • ବିଲକୁ ଭଲ ଭାବରେ ଚାଷ କରନ୍ତୁ
  • ପନିପରିବା ପାଇଁ ଯଥେଷ୍ଟ ପରିମାଣରେ ଖତ ଦିଅନ୍ତୁ   ।
  • ଉନ୍ନତ କିସମର ବିହନ ଲଗାନ୍ତୁ
  • ଆବଶ୍ୟକ ପରିମାଣରେ ସାର ଠିକ ସମୟରେ ଦିଅନ୍ତୁ   ।
  • ଉପଯୁକ୍ତ ସମୟରେ କୋଡାଖୁସା କରନ୍ତୁ
  • ରୋଗପୋକ ଦାଉରୁ ରକ୍ଷା ପାଇଁ ସମୟ ଅନୁସାରେ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରନ୍ତି   ।
  • ଠିକ ସମୟରେ ଅମଳ କରି ବିକ୍ରି କରନ୍ତୁ   ।

ଓଡିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top