ସେଆର କରନ୍ତୁ

ପନିପରିବା ଚାଷ (ତୃତୀୟ ପାଠ)

ଏଠାରେ ବାଇଗଣ ଚାଷ, ବାଇଗଣର ବିଭିନ୍ନ କିସମ ଏବଂ ଜଳବାୟୁ ଓ ତଳି ପ୍ରସ୍ତୁତ କିପରି କରିବେ ଏହା ଉଲ୍ଲେଖ କରାଯାଇଛି ।

ବାଇଗଣ, ଲଙ୍କା ଓ ସବଜିଲଙ୍କା

ବାଇଗଣ

ବାଇଗଣ ଏକ ଲାଭଜନକ ପରିବା । ଆମ ରାଜ୍ୟରେ ଏହା ସବୁ ଅଞ୍ଚଳରେ ଓ ସବୁ ଋତୁରେ ଚାଷ ହୋଇଥାଏ । ଗରିବ ଠାରୁ ଧନୀ ପର୍ଯ୍ୟନ୍ତ ସମସ୍ତେ ବାଇଗଣକୁ ଆଦର କରିଥାନ୍ତି । ଏଥିରେ ଶତକଡା ୬.୪ ଭାଗ ଶ୍ଵେତସାର, ୧.୩ ଭାଗ ପୁଷ୍ଟିସାର, ୦.୩ ଭାଗ ସ୍ନେହସାର ଓ ୦.୫ ଭାଗ ଧାତବ ଲବଣ ରହିଅଛି ।

ବାଇଗଣର ବିଭିନ୍ନ କିସମ

ଆମ ଦେଶରେ ଅନେକ ପ୍ରକାରର ବାଇଗଣ ଚାଷ କରାଯାଏ । ଓଡିଶାର ବିଭିନ୍ନ ଅଞ୍ଚଳରେ ଯେତେ ପ୍ରକାରର ବାଇଗଣ ଚାଷ କରାଯାଏ, ସେ ସବୁ ସଂଗ୍ରହ କରି ଦେଖିଲେ ଆଶ୍ଚର୍ଯ୍ୟ ହେବାକୁ ପଡେ । ଅନେକ ବାଇଗଣ ଖୁବ ଛୋଟ ଥିବାବେଳେ କେତେକ ଜାତିର ବାଇଗଣ ଖୁବ ବଡ ହୋଇଥାଏ । ଆମ ରାଜ୍ୟପାଇଁ ଉପଯୁକ୍ତ କେତୋଟି ବାଇଗଣ କିସମ ବିଷୟରେ ଏଠାରେ ପ୍ରଦାନ କରାଗଲା ।

କିସମ

ଫଳର ରଙ୍ଗ ଓ ଆକାର

ପ୍ରଥମ ଅମଳ ସମୟ

ଅନ୍ୟାନ୍ୟ ଗୁଣ

ପୁଷାକ୍ରାନ୍ତି

ଗାଢ ବାଇଗଣି, ଲାମ୍ବା ଓ ମଧ୍ୟମ ଆକାର ଫଳ

୯୫ ରୁ ୧୦୦

-

ପୁଷା ପରପଲ ଲଙ୍ଗ

ବାଇଗଣି, ଲମ୍ବା ଓ ମଧ୍ୟମ ଆକାର ଫଳ

୯୦ ରୁ ୯୫

-

ପୁଷା ପରପଲ କ୍ଲଷ୍ଟର

ବାଇଗଣି, ଲମ୍ବା ଓ ଛୋଟ ଫଳ

୯୦ ରୁ ୯୫

ଝାଉଁଳା ରୋଗ ସହଣୀ ଶକ୍ତି ଅଛି ଓ ଏହା ପେନ୍ଥା ଫଳେ ।

ଉତ୍କଳ ତାରିଣୀ

ମଧ୍ୟମ ଆକାରର ଫଳ, ଗାଢ ବାଇଗଣି ରଙ୍ଗ

୯୦ ରୁ ୯୫

ବୀଜାଣୁ ଜନିତ ଝାଉଁଳା ରୋଗ ପ୍ରତିରୋଧ କ୍ଷମତା ରହିଛି ।

ଉତ୍କଳ କେଶରୀ

ଗାଢ ବାଇଗଣି ରଙ୍ଗର ମଧ୍ୟମ ଆକାର ଫଳ

୧୦୦ ରୁ ୧୦୫

ବୀଜାଣୁ ଜନିତ ଝାଉଁଳା ରୋଗ ସହନଶୀଳ କ୍ଷମତା ରହିଛି ।

ଉତ୍କଳ ମାଧୁରୀ

ଫଳର ରଙ୍ଗ ସବୁଜ, ଆକାର ମଧ୍ୟମ

୯୦ ରୁ ୯୫

ବୀଜାଣୁ ଜନିତ ଝାଉଁଳା ରୋଗ ପ୍ରତିରୋଧୀ କ୍ଷମତା ରହିଛି ।

ଉତ୍କଳ ଜ୍ୟୋତି

ଫଳଗୁଡିକ ଲମ୍ବା, ବାଇଗଣୀ ରଙ୍ଗ, ପେନ୍ଥାପେନ୍ଥା ହୋଇ ଫଳିଥାଏ ।

୯୦ ରୁ ୯୫

-

ଉତ୍କଳ ଅନୁଶ୍ରୀ

ଫଳଗୁଡିକ ସବୁଜ ରଙ୍ଗର ପେନ୍ଥାହୋଇ ଫଳିଥାଏ ।

୮୦ ରୁ ୮୫ ଦିନ

-

 

ଜଳବାୟୁ ଓ ମାଟି

ବାଇଗଣ ପ୍ରାୟ ସବୁ ଋତୁରେ ଚାଷ କରାଯାଇଥାଏ । ବର୍ଷାଦିନେ ଅଧିକ ବର୍ଷା ହେଲେ ଗଛରୁ ଫୁଲ ଝଡି ପଡିବାର ସମ୍ଭାବନା ଥାଏ । ଜଳସେଚନର ସୁବିଧା ଥିବା ଜମିରେ ଅଗଷ୍ଟ-ସେପ୍ଟେମ୍ବର ମାସରେ ଚାରା ଲଗାଇଲେ, ନଭେମ୍ବର ଆଡକୁ ଫୁଲ ଧରି ପ୍ରଚୁର ଫଳେ । ସେହିପରି ଜୁନ ମାସରେ ମଧ୍ୟ ବାଇଗଣ ଲଗାଇଲେ ଅଗଷ୍ଟ ମାସ ଆଡକୁ ଫଳ ଆରମ୍ଭ ହୋଇଥାଏ । ବାଇଗଣ ବିଲରେ ପାଣି ଜମିଲେ ଗଛ ମରିଯାଏ । ନିଗିଡା ଦୋରସା ମାଟି ବାଇଗଣ ଚାଷ ପାଇଁ ଉତ୍କୃଷ୍ଟ । ନଦୀ ପଠା ମାନଙ୍କରେ ମଧ୍ୟ ଶୀତଦିନେ ବାଇଗଣ ଚାଷ କରାଯାଇପାରେ ।

ତଳି ପ୍ରସ୍ତୁତି

ବାଇଗଣ ଚାଷ ପାଇଁ ପ୍ରଥମେ ତଳି ଉତାରିବାକୁ ହୋଇଥାଏ । ପାଣି ସୁବିଧା ଥିବା ଉଚ୍ଚ ନିଗିଡା ଜମିରେ ତଳି ପଟାଳି କରିବା ଦରକାର । ବିଲକୁ ଭଲ ଭାବରେ ଚାଷ କରି ତହିଁରୁ ଅନାବନା ଗଛ କାଢି ପରିଷ୍କାର କରି ଦିଆଯିବା ଉଚିତ । ପରେ ପ୍ରାୟ ୩ଫୁଟ ଚଉଡା ଓ ୧୦ ଫୁଟ ଲମ୍ବର ପଟି ତିଆରି କରନ୍ତୁ । ଦୁଇ ପଟି ମଧ୍ୟରେ ଯିବା ଆସିବା ପାଇଁ ପ୍ରାୟ ୨ଫୁଟ ଜାଗା ଛାଡନ୍ତୁ । ପଟିର ଚାରିପଟୁ ମାଟି ନେଇ ପଟି ଉପରେ ପକାଇଲେ ତାହା ବିଲଠାରୁ ଉଚ୍ଚ ହୋଇଯିବ । ପ୍ରତି ପଟିରେ ୨ ରୁ ୩ ଝୁଡି ଭଲ ଖତ ଦେଇ ମାଟିରେ ମିଶାଇ ଦିଅନ୍ତୁ । ତା ପରେ ପ୍ରତି ପଟିରେ ପ୍ରାୟ ୭୫ଗ୍ରାମ ୟୁରିୟା, ୧୦୦ ଗ୍ରାମ ସିଙ୍ଗଲ ସୁପର ଫସଫେଟ ଓ ୨୫ଗ୍ରାମ ମ୍ୟୁରେଟ ଅଫ ପଟାସ ଦେଇ ଭଲ ଭାବରେ ମାଟିରେ ମିଶାଇ ଦିଅନ୍ତୁ । ତଳି ପଟିରେ ମଞ୍ଜିଗୁଡିକୁ ଅଧ ଇଞ୍ଚ ଗହୀରରେ ଧାଡି ଧାଡି କରି ବୁଣନ୍ତୁ । ମଞ୍ଜି ବୁଣିବା ପୂର୍ବରୁ ତାହାକୁ ବିଶୋଧନ କରି ବୁଣିବା ଉଚିତ । ସାଧାରଣତଃ ଏକ ଏକର ବିଲ ପାଇଁ ପ୍ରାୟ ୨୦୦ଗ୍ରାମ ବିହନ ଆବଶ୍ୟକ ହୋଇଥାଏ । ଏହାକୁ ବିଶୋଧନ କରିବା ପାଇଁ ମାତ୍ର ୧ଗ୍ରାମ ଥିରାମ ଆବଶ୍ୟକ ହୋଇଥାଏ । ଗୋଟିଏ ଛୋଟ ଡବାରେ ମଞ୍ଜି ଓ ଔଷଧକୁ ରଖି ଡବା ମୁହଁ ବନ୍ଦ କରି ଭଲ ଭାବରେ ହଲାଇ ଦେଲେ ବିଶୋଧନ ହୋଇଥାଏ ।

ମଞ୍ଜି ବୁଣି ସାରିବା ପରେ ତଳି ପଟିକୁ ଛଣ ବା ନଡା ଦ୍ଵାରା ପତଳା ଭାବରେ ଘୋଡାଇ ତା ଉପରେ ଅଳ୍ପ ପାଣି ସିଞ୍ଚି ଦିଅନ୍ତୁ । ତଳି ପଟି ଚାରି ପଟେ କ୍ଳୋରୋପାଇରିଫସ ଗୁଣ୍ଡ ପକାଇ ଦେଲେ ପିମ୍ପୁଡିମାନେ ମଞ୍ଜିକୁ ନଷ୍ଟ କରି ପାରନ୍ତି ନାହିଁ । ଚାରିରୁ ପାଞ୍ଚ ଦିନପରେ ମଞ୍ଜି ଗଜାହେଲେ ନଡାଗୁଡିକୁ କାଢିଦେବା ଦରକାର । ମନେ ରଖନ୍ତୁ, ତଳି ପଟିରେ ମଞ୍ଜି ବୁଣିଲା ବେଳେ ଅତି ବହଳ କରି ବୁଣିବା ଉଚିତ ନୁହେଁ । ମଞ୍ଜି ବହଳରେ ବୁଣାଗଲେ ତଳିଗୁଡିକ ସରୁ ଓ ଡେଙ୍ଗା ହୋଇଯାଏ ଏବଂ ଚାରା ସଢା ରୋଗ ହେବାର ଆଶଙ୍କା ରହେ । ତଳି ଉଠିବାର ୭ ରୁ ୮ ଦିନ ପରେ ପଟିରୁ ଘାସ ଇତ୍ୟାଦି ବାଛି ଦେବା ଉଚିତ । ପ୍ରାୟ ୨୫ ରୁ ୩୦ ଦିନ ଭିତରେ ତଳି ରୋଇବା ପାଇଁ ଉପଯୁକ୍ତ ହୋଇଥାଏ ।

ହିସାବ କରି ଦେଖାଯାଇଛି ଯେ, ଏକ ଏକର ଜମିରେ ରୋଇବା ପାଇଁ ପ୍ରାୟ ୧୫୦୦୦ ତଳି ଆବଶ୍ୟକ ହୋଇଥାଏ । ସେହି ହିସାବରେ ପ୍ରତି ଡେସିମିଲ ପାଇଁ ୧୫୦ଟି ତଳି ଲାଗିଥାଏ । ଏକ ଏକର ବିଲ ପାଇଁ ତଳି ଉତାରିବା ସକାଶେ ୧୦ ଫୁଟ ଲମ୍ବା ଓ ୩ଫୁଟ ଚଉଡାରେ ପ୍ରାୟ ୯ଟି ତଳିପଟି ଆବଶ୍ୟକ ହୋଇଥାଏ ।

ଚାଷ ପ୍ରଣାଳୀ

ବିଲକୁ ପ୍ରଥମେ ଲୁହା ଲଙ୍ଗଳରେ ଏକ ବା ଦୁଇ ଓଡ ଚାଷ କରି ପରେ ଚକ୍ରବିଦା ବା ମଇ ଚଳାଇ ମାଟିକୁ ଭଲ ଭାବରେ ଗୁଣ୍ଡ କରି ବିଲକୁ ସମତଳ କରି ଦିଅନ୍ତୁ । ଚାଷ କରୁଥିବା ସମୟରେ ଏକ ଏକର ଜମିରେ ୧୦ଗାଡି ଗୋବର ବା କମ୍ପୋଷ୍ଟ ଖତ ଦିଅନ୍ତୁ । ତଳି ରୋଇବା ବେଳେ ଏକର ପ୍ରତି ୧୦କିଗ୍ରା ଯବକ୍ଷାର, ୨୦କିଗ୍ରା ଫସଫରସ ଓ ୬କିଗ୍ରା ପଟାସ ସାର ପ୍ରୟୋଗ କରନ୍ତୁ ।

ତଳି ରୋଇବାର ୨୦-୨୫ ଦିନ ପରେ ଜମିରୁ ଘାସ ବାଛି ଗଛମୂଳକୁ କୋଡାଖୁସା କରି ଏକର ପିଛା ୨୦କିଗ୍ରା ଯବକ୍ଷାର ଓ ୧୨କିଗ୍ରା ପଟାସ ସାର ଦେଇ ହୁଡା ଟେକି ଦିଅନ୍ତୁ । ଗଛ ୪୦ଦିନର ହୋଇଗଲା ପରେ ଏକର ପିଛା ୨୦କିଗ୍ରା ଯବକ୍ଷାର ଓ ୧୨କିଗ୍ରା ପଟାସ ସାର ପ୍ରୟୋଗ କରନ୍ତୁ ।

ଧାଡି ଧାଡି ଭିତରେ ବ୍ୟବଧାନ ୬୦ସେମି ବା ୨ଫୁଟ ଓ ଗଛକୁ ଗଛ ମଧ୍ୟରେ ବ୍ୟବଧାନ ୪୫ସେମି ବା ଦେଢ ଫୁଟ ରଖିବା ଦରକାର । ତେବେ ଖରାଦିନେ ଟିକିଏ ପାଖାପାଖି ଲଗାଇଲେ ଅମଳ ଭଲ ହୋଇଥାଏ । ମେଘୁଆ ପାଗ ଦେଖି ତଳି ରୋଇବା ଉଚିତ୍ ।  ନଚେତ ଉପର ବେଳା ତଳି ରୋଇବା ଦରକାର । ରୋଇ ସାରିବା ପରେ ସାଙ୍ଗେ ସାଙ୍ଗେ ଗଛ ମୂଳରେ ପାଣି ଦେବା ଆବଶ୍ୟକ । ରୋଇବାର ୮ ରୁ ୧୦ ଦିନ ପରେ ଯଦି ଧାଡି ଭିତରେ କୌଣସି ଗଛ ମରିଯାଇଥାଏ, ତେବେ ସେହି ସ୍ଥାନରେ ତଳି କିଆରୀରୁ ଗଛ ଆଣି ପୋତି ଦେବା ଉଚିତ୍ ।

ରୋଇବାର ୨୦ ରୁ ୨୫ ଦିନ ପରେ ଯବକ୍ଷାର ଓ ପଟାସ ଜାତୀୟ ସାରକୁ ଗଛ ମୂଳରୁ ୨ଇଞ୍ଚ ଛାଡି ପ୍ରୟୋଗ କରିବା ଉଚିତ୍ । କାରଣ ଗଛ ମୂଳରେ ସାର ଲାଗିଗଲେ ଗଛ ମରିଯିବାର ଆଶଙ୍କା ଥାଏ । ଗଛ ମୂଳରେ ହୁଡା ଦେଲେ ଗଛ ହୃଷ୍ଟପୁଷ୍ଟ ହୁଏ, ଅଧିକ ଶାଖା ବାହାରେ ଓ ଅମଳ ହୋଇଥାଏ ।

ପାଣି ମଡା

ବର୍ଷାଦିନେ ସାଧାରଣତଃ ପାଣି ଦରକାର ହୁଏ ନାହିଁ । କିନ୍ତୁ ବର୍ଷା ଛାଡିଗଲା ପରେ ପ୍ରତି ୧୦ ରୁ ୧୨ ଦିନରେ ଥରେ ଲେଖାଏଁ ସନ୍ଧ୍ୟାରେ ପାଣି ଦେବା ଆବଶ୍ୟକ ହୋଇଥାଏ । ପାଣି ଅଭାବରେ ଫୁଲ ଝଡିଯାଏ ଓ ପତ୍ର ମଧ୍ୟ ହଳଦିଆ ପଡିଯାଏ । ଶୀତ ଓ ଖରାଦିନେ ମଧ୍ୟ ପ୍ରତି ସପ୍ତାହରେ ଥରେ ଲେଖାଏଁ ପାଣି ଦେବା ଆବଶ୍ୟକ ହୋଇଥାଏ ।

ଅମଳ

ତଳି ରୁଆ ହେବାର ପ୍ରାୟ ୬୦ଦିନ ପରେ ଗଛରେ ଫୁଲ ଫଳ ଧରିଥାଏ । ସାଧାରଣତଃ ଏକ ଏକରରୁ ୮୦ ରୁ ୧୦୦ କ୍ଵିଣ୍ଟାଲ ପର୍ଯ୍ୟନ୍ତ ବାଇଗଣ ମିଳିଥାଏ ।

ରୋଗ ଓ ପୋକ

ବାଇଗଣ ଫସଲରେ କାଣ୍ଡ ଓ ଫଳ ବିନ୍ଧା ପୋକ ଏବଂ କାଙ୍କଡିଆ ପୋକ ବହୁତ କ୍ଷତି କରିଥାନ୍ତି । କାଣ୍ଡ ଓ ଫଳବିନ୍ଧା ପୋକ କାଣ୍ଡର ଉପରି ଭାଗରେ କଣା କରି ତା ଭିତରେ ପଶିଥାଏ ।

କାଣ୍ଡଗୁଡିକୁ ପୋକ ବିନ୍ଧିଥିବା ସ୍ଥାନରେ ଟିକିଏ ତଳକୁ କାଟି ଫୋଫାଡି ଦିଅନ୍ତୁ । ପୋକା ଫଳଗୁଡିକୁ ତୋଳି ସାରି ଏକର ପିଛା ୧୫୦ ମିଲିଲିଟର ହିସାବରେ ଡାଇକ୍ଳୋରୋଭାସ କିମ୍ବା ନୁଭାନ କିମ୍ବା ମାରଭେକସ କିମ୍ବା ଭେପନା ପ୍ରଭୃତି ଯେ କୌଣସି ଗୋଟିଏ ଔଷଧକୁ ସ୍ପ୍ରେ କରନ୍ତୁ । ଏକ ଏକର ବିଲ ପାଇଁ ଏହି ପରିମାଣ ଔଷଧକୁ ୨୦୦ ଲିଟର ପାଣିରେ ମିଶାଇ ସ୍ପ୍ରେ କରାଯାଏ ।

ଗଛରେ ଫୁଲ ଧରିବା ପୂର୍ବରୁ ଏଣ୍ଡୋସଲଫାନ ଔଷଧକୁ ପ୍ରତି ଏକ ଲିଟର ପାଣିରେ ୨ମିଲିଲିଟର ହିସାବରେ ପକାଇ ବିଲରେ ସ୍ପ୍ରେ କରନ୍ତୁ । ଏକ ଏକର ପାଇଁ ୨୦୦ଲିଟର ପାଣିରେ ୪୦୦ମିଲିଲିଟର ଔଷଧ ମିଶାଇବା ଦରକାର । କିନ୍ତୁ ଫୁଲ ଫଳ ଧରିଲା ପରେ ଏହି ଔଷଧ ପକାଇବା ଉଚିତ ନୁହେଁ । କାରଣ ଏହି ଔଷଧର ବିଷ ପ୍ରଭାବ ଫଳରେ ରହିଯାଏ ।

ଫଳ ଧରିବା ସମୟରେ ପ୍ରତି ଏକ ଲିଟର ପାଣିରେ ଅଢେଇ ମିଲିଲିଟର ହିସାବରେ ମାଲାଥିଆନ ବା ୧ଲି ପାଣିରେ ୨ଗ୍ରାମ ହିସାବରେ କାର୍ବାରିଲକୁ ପ୍ରତି ୧୫ଦିନ ଛଡାରେ ସ୍ପ୍ରେ କଲେ ଏହି ପୋକକୁ ଦମନ କରାଯାଇପାରିବ ।

କାଙ୍କଡିଆ ପୋକ

ଏହି ପୋକ ପତ୍ରକୁ କଣାକରି ତାର ସବୁଜ ଅଂଶ ଖାଇଯାଆନ୍ତି । ଫଳରେ ପତ୍ର ଜାଲି ଜାଲି ହୋଇଯାଏ । ଏହି ପୋକକୁ ଆୟତ୍ତ କରିବା ପାଇଁ ଫୁଲ ଧରିବା ପୂର୍ବରୁ ଏଣ୍ଡୋସଲଫାନ ଏବଂ ଫୁଲ ଧରିବା ପରେ ମାଲାଥିଆନ ସ୍ପ୍ରେ କରିବା ଦରକାର । ପ୍ରତି ଏକ ଲିଟର ପାଣିରେ ୨ ରୁ ୩ ମିଲିଲିଟର ହିସାବରେ ଏଥିରୁ ଯେ କୌଣସି ଗୋଟିଏ ଔଷଧ ମିଶାଇ ସ୍ପ୍ରେ କରନ୍ତୁ । ଏକ ଏକର ପାଇଁ ୨୦୦ ଲିଟର ପାଣି ଦରକାର ହୋଇଥାଏ ।

ରୋଗ

ସାଧାରଣତଃ ତଳିପଟିରେ ଗଛ ବହଳିଆ ହୋଇ ଉଠିଲେ ମୂଳ ସଢା ରୋଗ ଦେଖାଯାଏ । ତଳି ବଡ ହୋଇଗଲେ ଏହି ରୋଗ ପ୍ରାୟ ହୁଏ ନାହିଁ । ମଞ୍ଜି ବିଶୋଧନ କରି ତଳି ପକାଇଥିଲେ ମଧ୍ୟ ଏହି ରୋଗ ହୋଇ ନଥାଏ ।

ଯଦି ରୋଗ ଦେଖାଯାଏ ତେବେ ପ୍ରତି ୧ଲିଟର ପାଣିରେ ୨-୨.୫ ଗ୍ରାମ ହିସାବରେ ମାଙ୍କୋଜେବ ଔଷଧକୁ ମିଶାଇ ଗଛ ମୂଳରେ ଭଲଭାବରେ ସ୍ପ୍ରେ କରନ୍ତୁ । ପୁନଶ୍ଚ ତଳି ମୂଳସଢା ରୋଗ ଦେଖାଦେଲେ ତଳି ପଟାଳିରେ କମ୍ ପାଣି ଦିଅନ୍ତୁ ।

ଛୋଟ ପତ୍ରଦାଗ

ଏହି ରୋଗ ହେଲେ ଗଛର ପତ୍ରଗୁଡ଼ିକ ଛୋଟ ଛୋଟ ହୋଇଯାଏ ଓ ଗୋଟିଏ ଜାଗାରୁ ଅନେକ ପତ୍ର ବାହାରେ । ଗଛରେ ଫୁଲ ଫଳ ଧରେ ନାହିଁ । ରୋଗାକ୍ରାନ୍ତ ଗଛକୁ ଉପାଡି ଫୋଫାଡି ଦେଲେ ଏହି ରୋଗ ଅନ୍ୟ ଗଛକୁ ବ୍ୟାପିପାରେ ନାହିଁ । କାରଣ ରୋଗା ଗଛ ରହିଲେ ଏକ ପ୍ରକାରର ଧଳା ମାଛିମାନଙ୍କ ସାହାଯ୍ୟରେ ଏହି ରୋଗ ଅନ୍ୟ ଗଛମାନଙ୍କୁ ବ୍ୟାପିବାର ସମ୍ଭାବନା ଥାଏ । ଏହି ଗଛଗୁଡିକରୁ ଆଉ ମଞ୍ଜି ସଂଗ୍ରହ ନକରି ନୂଆ କରି ମଞ୍ଜି ଆଣି ଆଉଥରେ ଚାଷ କରିବା ଉଚିତ୍ ।

ମୂଳସଢା ରୋଗ

ମୂଳସଢା ରୋଗ ହେଲେ ପତ୍ର ହଳଦିଆ ପଡିଯାଏ, ଫୁଲ ଝଡିପଡେ ଓ ରୋଗ ଗୁରୁତର ହେଲେ ଗଛ ଝାଉଁଳି ଶୁଖିଯାଏ ।

ମଞ୍ଜିକୁ ବିଶୋଧନ କରି ତଳି ପକାଇଲେ ଏହି ରୋଗ ପ୍ରାୟ ହୁଏ ନାହିଁ । ରୋଗ ହେଲେ ପ୍ରତି ଏକର ପାଇଁ ଏକ କିଗ୍ରା ହିସାବରେ ଜିନେବ ବା ୭୫୦ ଗ୍ରାମ ମାଙ୍କୋଜେବକୁ ୨୦୦ଲିଟର ପାଣିରେ ମିଶାଇ ଗଛ ମୂଳରେ ସ୍ପ୍ରେ କରିବା ଦରକାର । ଗୋଟିଏ ବିଲରେ ସବୁବେଳେ ବାଇଗଣ ନ କରି ୨/୩ ବର୍ଷରେ ଥରେ ଲେଖାଏଁ ଚାଷ କଲେ ଏହି ରୋଗକୁ ନିୟନ୍ତ୍ରଣ କରାଯାଇପାରିବ ।

ଝାଉଁଳା ରୋଗ

ଏହି ରୋଗ ଏକ ପ୍ରକାର ଜୀବାଣୁ ଦ୍ଵାରା ହୋଇଥାଏ । ସାଧାରଣତଃ ଗଛରେ ଫୁଲ ଆସିଲା ବେଳକୁ ଏହି ରୋଗ ଦେଖାଯାଏ । ଫଳରେ ଗଛ ଝାଉଁଳି ମରିଯାଏ । ଏହି ରୋଗ ଦ୍ଵାରା ବହୁତ କ୍ଷତି ହୋଇଥାଏ ।

ପ୍ରତିକାର

ଝାଉଁଳା ରୋଗ ପ୍ରତିରୋଧକ ଶକ୍ତି ଥିବା କିସମ ଯଥା- ପୁଷା ପର୍ପଲ କ୍ଲଷ୍ଟର, ଉତ୍କଳ ତାରିଣୀ ବା ଉତ୍କଳ ମାଧୁରୀ କିସମ ଚାଷ କରନ୍ତୁ ।

ତଳି ପକାଇବା ପୂର୍ବରୁ ମଞ୍ଜିକୁ ବିଶୋଧନ କରନ୍ତୁ । ୧ଗ୍ରାମ ଆଗ୍ରୋମାଇସିନ କିମ୍ବା ପ୍ଲାଣ୍ଟୋମାଇସିନ ସହିତ ୧ଗ୍ରାମ କାପ୍ଟାନକୁ ମିଶାଇ ତାହାକୁ ଅଧଲିଟର ପାଣିରେ ଗୋଳାଇ ଦିଅନ୍ତୁ । ସେହି ପାଣିରେ ମଞ୍ଜିକୁ ପ୍ରାୟ ୧୦ମିନିଟ ପର୍ଯ୍ୟନ୍ତ ରାଖୀ ପାଣିରୁ ଛାଣି ଶୁଖାଇ ତଳି ପକାଇଲେ ରୋଗକୁ ଆୟତ୍ତ କରାଯାଇପାରେ ।

ଦଶ ଲିଟର ପାଣିରେ ୬ଗ୍ରାମ ଆଗ୍ରୋମାଇସିନ କିମ୍ବା ୧୦ଗ୍ରାମ ପାଣ୍ଟୋମାଇସିନକୁ ଗୋଳାଇ ତଳିକୁ ଉପାଡି ତାହାର ଚେରକୁ ସେହି ପାଣିରେ ୨୫ମିନିଟ ବୁଡାଇ ରୋଇଲେ ରୋଗ ହେବାର ଆଶଙ୍କା କମିଯାଇଥାଏ ।

ଫଳସଢା ରୋଗ

ସାଧାରଣତଃ ଏହିରୋଗ ହେଲେ ଫଳର ଉପର ଅଂଶ ଗୋଲ ଗୋଲ ହୋଇ ଶିଝିଗଲା ପରି ଦେଖାଯାଏ ଓ ଫଳଟି ପଚି ଝଡିପଡେ । ରୋଗରୁ ରକ୍ଷା ପାଇବା ପାଇଁ ବିହନ ବିଶୋଧନ କରିବା ଉଚିତ୍ । ପୁନଶ୍ଚ ତଳି ଲଗାଇବା ପୂର୍ବରୁ ୧ଲିଟର ପାଣିରେ ଅଧଗ୍ରାମ ହିସାବରେ ବାଭିଷ୍ଟିନ ମିଶାଇ ତଳିକୁ ତା ମଧ୍ୟରେ ଅଧଘଣ୍ଟାଏ ବୁଡାଇ ରୋଇଲେ ରୋଗରୁ ରକ୍ଷା ମିଳିଥାଏ ।

ଏକ ଲିଟର ପାଣିରେ ୩ଗ୍ରାମ ହିସାବରେ କପର ଅକସିକ୍ଳୋରାଇଡ ମିଶାଇ ଗଛରେ ସ୍ପ୍ରେ କଲେ ଏହି ରୋଗ ଦମନ ହୋଇଥାଏ ।

ଏସବୁ ଛଡା ନେମାଟୋଡ ବା ସୂତ୍ରଜୀବମାନଙ୍କ ଦ୍ଵାରା ମଧ୍ୟ ବାଇଗଣ ଫସଲର କ୍ଷତି ହୋଇଥାଏ । ଏହାଦ୍ୱାରା ଚେର ଗଣ୍ଠି ହୋଇଥାଏ । ଗଛ ବଢେନାହିଁ ଓ ବେଳେବେଳେ ହଳଦିଆ ପଡି ମରିଯାଏ । ସାଧାରଣତଃ ଗୋଟିଏ ଜମିରେ ସବୁବେଳେ ବାଇଗଣ ଫସଲ ନକରି ଦୁଇ ତିନି ବର୍ଷରେ ଥରେ କଲେ ଏହି ରୋଗ ହୁଏ ନାହିଁ ।

ଦାନାଦାର ଔଷଧ ଦ୍ଵାରା ମଧ୍ୟ ସୂତ୍ରଜୀବକୁ ନିୟନ୍ତ୍ରଣ କରାଯାଇ ପାରିବ । ତଳି ରୋଇବାର ୧୫ଦିନ ପରେ ପ୍ରଥମ ଥର ସାର ଦେବାବେଳେ ଏକର ପିଛା ୬କିଗ୍ରା ହିସାବରେ ଫ୍ୟୁରାଡନ ନାମକ ଦାନାଦାର ଔଷଧ ଗଛମୂଳରେ ଦେଲେ ଏହି ରୋଗ ପ୍ରାୟ ହୁଏ ନାହିଁ । ପୁରାଡନ ପ୍ରୟୋଗ ଦ୍ଵାରା ଅନେକ ପୋକ ଦାଉରୁ ମଧ୍ୟ ରକ୍ଷା ମିଳିଥାଏ ।

ବାଇଗଣ ଫସଲରୁ ଲାଭ

ସାଧାରଣତଃ ଉନ୍ନତ ପ୍ରଣାଳୀରେ ବାଇଗଣ ଚାଷକଲେ ଏକର ପିଛା ୧୦୦୦୦ ରୁ ୧୨୦୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ । ସେହିପରି ଫସଲ ଭଲ ରହିଲେ ଏକର ପିଚ୍ଚା ହାରାହାରି ୮୦କ୍ଵିଣ୍ଟାଲ ପର୍ଯ୍ୟନ୍ତ ଅମଳ ମିଳିଥାଏ । ବାଇଗଣ କିଲୋ ପ୍ରତି ହାରାହାରି ଚାରିଟଙ୍କା ହିସାବରେ ବିକ୍ରି କଲେ ୩୨୦୦୦ ଟଙ୍କା ମିଳିଥାଏ । ଚାଷଖର୍ଚ୍ଚ ବାଦ ଦେଲେ ପ୍ରାୟ ୨୦୦୦୦ ରୁ ୨୨୦୦୦ ଟଙ୍କା ଲାଭ ହୋଇଥାଏ । ଶୀତଦିନେ ବାଇଗଣ ଶସ୍ତା ହୋଇଥାଏ । କିନ୍ତୁ ଅନ୍ୟ ଋତୁରେ ବାଇଗଣ ଦାମ ଚଢା ରହିଥିବାରୁ ଲାଭ ଅଧିକ ହୋଇଥାଏ ।

ମଞ୍ଜି ଉତ୍ପାଦନ

ଅନେକ ଚାଷୀ ନିଜ ଫସଲରୁ ମଞ୍ଜି ରଖିବା ପାଇଁ ଆଗ୍ରହ ପ୍ରକାଶ କରନ୍ତି । ଏଥିପାଇଁ ୨ ରୁ ୩ଥର ବାଇଗଣ ତୋଳିସାରିଲା ପରେ କେତେକ ନିର୍ଦ୍ଧିଷ୍ଟ ଗଛରେ ଫଳଗୁଡିକୁ ନାତୋଳି ପାଚିବାକୁ ଛାଡି ଦେବା ଦରକାର । ପ୍ରଥମ ଫଳକୁ ମଞ୍ଜି ପାଇଁ ଛାଡିଦେଲେ ଗଛର ଅମଳ କମିଯାଏ ଓ ସେହି ଫଳରେ ମଞ୍ଜୀର ପରିମାଣ ମଧ୍ୟ କମ୍ ଥାଏ । ସାଧାରଣତଃ ୧୦କିଗ୍ରା ବାଇଗଣରୁ ପ୍ରାୟ ୨୦୦ ରୁ ୨୫୦ ଗ୍ରାମ ମଞ୍ଜି/କିଗ୍ରା ମିଳିଥାଏ ।

ଫଳଗୁଡିକ ଗଛରେ ପାଚିଗଲେ ସେଗୁଡିକୁ ତୋଳିଆଣି ଫଳକୁ ଛୁରୀ ସାହାଯ୍ୟରେ ୮ଫାଳ କରି କାଟି ତହିଁରୁ ମଞ୍ଜି ବାହାରକରି ଗୋଟିଏ ପାତ୍ରରେ ରଖନ୍ତୁ । ଭଲମଞ୍ଜି ଗୁଡିକ ପାଣିତଳେ ବସିଯାଏ । ମଞ୍ଜିଗୁଡିକ ହାତରେ ଭଲ ଭାବରେ ଗୋଳେଇ କିଛି ସମୟ ଛାଡିଦେଲେ ମଞ୍ଜିଗୁଡିକ ହାତରେ ଭଲ ଭାବରେ ଗୋଳାଇ କିଛି ସମୟ ଛାଡିଦେଲେ ମଞ୍ଜି ଗୁଡିକ ତଳେ ବସିଯାଏ ଓ ଅନ୍ୟାନ୍ୟ ଫଳର ଅଂଶ ପାଣି ଉପର ଭାଗରେ ଭାସେ । ପ୍ରାୟ ୩ ରୁ ୪ଥର ଏହିପରି ମଞ୍ଜିକୁ ଧୋଇ ୪-୫ ଦିନ ଟାଣ ଖରାରେ ଶୁଖାଇ ପଲିଥିନ ବା ଜରି ପ୍ୟାକେଟରେ ବନ୍ଦକରି ରଖିଲେ ମଞ୍ଜି ୨ ରୁ ୩ ବର୍ଷ ପର୍ଯ୍ୟନ୍ତ ରଖାଯାଇପାରେ ।

କେବଳ ମଞ୍ଜି ପାଇଁ ବାଇଗଣ ଚାଷକଲେ ଏକର ପ୍ରତି ପ୍ରାୟ ୧୫୦ ରୁ ୧୮୦ କିଗ୍ରା ପର୍ଯ୍ୟନ୍ତ ମଞ୍ଜି ମିଳିଥାଏ ।

ମନେରଖନ୍ତୁ

  • ଉନ୍ନତ କିସମର ବାଇଗଣ ଚାଷ କରନ୍ତୁ ଓ ଠିକ ସମୟରେ ତଳି ପକାଇ ଋଅନ୍ତୁ ।
  • ବିଲରେ ଅନୁମୋଦିତ ପରିମାଣର ଖତ ଓ ସାର ଠିକ୍ ସମୟରେ ପ୍ରୟୋଗ କରନ୍ତୁ ।
  • ଠିକ୍ ସମୟରେ ବିଲରୁ ଘାସ ବାଛି କୋଡାଖୁସା କରନ୍ତୁ ।
  • ପୋକ ଓ ରୋଗ ଦାଉରୁ ରକ୍ଷା କରିବା ପାଇଁ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରନ୍ତୁ ।

ଲଙ୍କାମରିଚ

ଲଙ୍କାମରିଚ କହିଲେ ସାଧାରଣତଃ ରାଗ ଲଙ୍କାକୁ ବୁଝାଏ । କିନ୍ତୁ ପ୍ରକୃତରେ ଲଙ୍କା ଦୁଇ ପ୍ରକାରର (୧) ରାଗ ଲଙ୍କା (୨) ସବଜି ବା ପାରିବା ଲଙ୍କା । ରାଗ ଲଙ୍କା ଆକାରରେ ଛୋଟ । ଏହା କଞ୍ଚା ଓ ଶୁଖିଲା ହିସାବରେ ଖାଇ ହୁଏ । ସବଜି ବା ପାରିବା ଲଙ୍କା ଆକାରରେ ବଡ । ଏଥିରେ ରାଗ ନଥାଏ । ଏହା କେବଳ ପାରିବା ହିସାବରେ ବ୍ୟବହାର କରାଯାଏ । ରାଗଲଙ୍କା ବର୍ଷସାରା ଚାଷ କରାଯାଇଥାଏ, କିନ୍ତୁ ଲଗାଇବା ସମୟ ଅନୁସାରେ ଅମଳ ମିଳିଥାଏ ଓ ରାଗ ତଥା ରଙ୍ଗରେ ପାର୍ଥକ୍ୟ ଦେଖାଯାଇଥାଏ । କଞ୍ଚା ଖାଇବା ସଙ୍ଗେ ସଙ୍ଗେ ମସଲା ହିସାବରେ ମଧ୍ୟ ଏହା ବ୍ୟବହାର କରାଯାଏ । ଲଙ୍କାର ରାଗ ସାଧାରଣତଃ ଫଳରେ ଥିବା ଏକ ପ୍ରକାର ଭୋଲାଟାଇଲ ଆଲକାଲଏଡ ବା ଖ୍ୟାରୀୟ ପଦାର୍ଥ କାପଶାନିକ ଯୋଗୁଁ ହୋଇଥାଏ । ଏହାର ପରିମାଣ ନେଇ ଲଙ୍କାର ରାଗ କମ ବେଶୀ ହୋଇଥାଏ । ବଡ ଆକାରର ଲଙ୍କା ଅପେକ୍ଷା ସାନ ଲଙ୍କାରେ କ୍ୟାପଶାସିନ ଅଧିକ ଥାଏ ।

ଲଙ୍କା ପ୍ରଥମେ ଦକ୍ଷିଣ ଆମେରିକାର ବ୍ରାଜିଲରେ ଚାଷ କରାଯାଇଥିଲା ଓ ଭାରତକୁ ପର୍ତ୍ତୁଗୀଜଙ୍କ ଦ୍ଵାରା ସପ୍ତଦଶ ଶତାବ୍ଦୀରେ ଆସିଥିଲା । ବର୍ତ୍ତମାନ ଭାରତ ବର୍ଷ ଲଙ୍କାମରିଚ ଉତ୍ପାଦନରେ ପୃଥିବୀର ଏକ ଅଗ୍ରଣୀ ଦେଶ । ଏହା ଦେଶର ସବୁ ଅଞ୍ଚଳରେ ବହୁଳ ଭାବରେ ଚାଷ କରାଯାଉଛି । କିନ୍ତୁ ଦକ୍ଷିଣ ଭାରତରେ ଏହାର ବ୍ୟବହାର ଅଧିକ ।

ପ୍ରକାର ଓ କିସମ

ଆମ ଦେଶରେ ଅନେକ ପ୍ରକାରର ଲଙ୍କାମରିଚ ଚାଷ କରାଯାଇଥାଏ । ସାଧାରଣତଃ ରାଗ ଲଙ୍କାର ବାସନା, ଆକାର ଓ ଫଳିବାର ପ୍ରକାର ଭେଦକୁ ନେଇ ତାହାକୁ ମୁଖ୍ୟତଃ ୨ଟି କିସମରେ ବିଭକ୍ତ କରାଯାଇଅଛି ।

କଞ୍ଚାଲଙ୍କା

ଏହା ଆକାରରେ ଛୋଟ, ରାଗ ଓ ବାସନା ଅଧିକ । ଏହି ଗଛରେ ୧ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଫୁଲ ଓ ଫଳ ଧରେ । ଏହା ଧାନୁଆ, ଶାଗୁଆ ଗୋଲ, କଳାଗୋଲ ଓ ଲମ୍ବା । ସୂର୍ଯ୍ୟମୂଖୀ ଜାତୀୟ ଫଳଗୁଡିକ ଆସ୍ତେଆସ୍ତେ ପାଚେ । ପ୍ରାୟ ଶତକଡା ୮୦ଭାଗ କିସମ ସୂର୍ଯ୍ୟମୂଖୀ ଅର୍ଥାତ ଉପରକୁ ଫଳିଥାଏ । ଏହି କିସମରୁ ପାଚି ଯାଇଥିବା ଲଙ୍କାକୁ ଶୁଖାଇ ଶୁଖିଲା ଲଙ୍କା ହିସାବରେ ବ୍ୟବହାର କରାଯାଏ । କିନ୍ତୁ ଏହାକୁ ଶୁଖିଲା ଲଙ୍କା ପାଇଁ ଚାଷ କରିବା ଲାଭଦାୟକ ନୁହେଁ ।

ଶୁଖିଲା ଲଙ୍କା

ଏହା ଆକାରରେ ବଡ । ରାଗ ମଧ୍ୟମରୁ ଅଧିକ । ଏହାର କଞ୍ଚା ଅବସ୍ଥାରେ ବାସନା କମ୍ । ଫଳଗୁଡିକ ସାଧାରଣତଃ ଗଛର ତଳ ଆଡକୁ ଓହଳି ଫଳେ । ଫୁଲ ଓ ଫଳ ଏକ ସଙ୍ଗେ ବହୁତ ହୁଏ ଓ ୫ ରୁ ୬ଥର ଅମଳ ପରେ ଆଉ ବିଶେଷ ଫୁଲ ଓ ଫଳ ଧରେ ନାହିଁ । ଛଅରୁ ସାତ ମାସ ମଧ୍ୟରେ ଅମଳ ସରିଯାଏ । ବ୍ୟବସାୟିକ ଦୃଷ୍ଟିକୋଣରୁ ଏହି ଗଛକୁ ବେଶୀଦିନ ରଖିଲେ ଲାଭ ବିଶେଷ ମିଳି ନଥାଏ । ଅଳ୍ପ ଥର ତୋଳାରେ ଅଧିକ ଅମଳ ହେଉଥିବା କିସମ ଶୁଖିଲା ଲଙ୍କା ପାଇଁ ଉପଯୁକ୍ତ କିସମ ହିସାବରେ ଧରାଯାଏ । ଏହାର ଲଙ୍କାକୁ କଞ୍ଚାଲଙ୍କା ହିସାବରେ ବ୍ୟବହାର କରାଯାଏ । କିନ୍ତୁ କେତେକ କିସମକୁ ଛାଡି ଦେଲେ ଏହାର କଞ୍ଚା ଲଙ୍କାକୁ ଗ୍ରାହକ କିଣିବାକୁ ପସନ୍ଦ କରନ୍ତି ନାହିଁ ।

ମଞ୍ଜି ଲଗାଇବାର ୮୫ ରୁ ୯୦ ଦିନ ଭିତରେ କଞ୍ଚାଲଙ୍କା ଓ ୧୨୫ ରୁ ୧୪୫ ଦିନ ଭିତରେ ପାଚିଲା ଲଙ୍କା ଅମଳ ହୋଇଥାଏ । ଗଛ ଲଗାଇବାର ସମୟ ଅନୁପାତରେ ଅମଳ ପରିମାଣରେ ପାର୍ଥକ୍ୟ ହୋଇଥାଏ । ଶୀତ ଋତୁରେ ଲଗାଇଲେ ଅନ୍ୟାନ୍ୟ ଋତୁ ଅପେକ୍ଷା ୧୨ ରୁ ୧୫ ଦିନ ବିଳମ୍ବରେ ଅମଳ ହୋଇଥାଏ ।

କିସମ

ଫଳର ଆକାର

ପ୍ରଥମ ଅମଳ

(ଦିନରେ)

କଞ୍ଚାଲଙ୍କା

ସମୟ

ପାଚିଲାଲଙ୍କା

ଅନ୍ୟାନ୍ୟ ଗୁଣ

 

ପନ୍ଥ ସି-୧

ମଧ୍ୟମ

୮୫-୯୦

୧୨୦-୧୨୫

ସବୁଜ ରଙ୍ଗ, ଭୂତାଣୁ ଜନିତ ରୋଗ ସହନଶୀଳ କ୍ଷମତା ଅଛି

ପୁଷା ସଦାବାହାର

ମଧ୍ୟମ

-

-

ମିଜାଇକ୍ ଏବଂ ପତ୍ରମୋଡା ରୋଗ ସହନଶୀଳ କ୍ଷମତା ଅଛି

ଉତ୍କଳ ରାଗିଣୀ

ଛୋଟରୁ ମଧ୍ୟମ

୧୦୦-୧୦୫

-

ସବୁଜ, ରାଗ ଅଧିକ, ପେନ୍ଥା ପେନ୍ଥା ଫଳେ ।

ଲାମ୍ ଏକସ-୨୩୫

ମଧ୍ୟମ

୯୦-୧୦୦

୧୦୫-୧୩୦

ରାଗ ଓ ରଙ୍ଗ ଲାଲ

ଉତ୍କଳ ରଶ୍ମୀ

ମଧ୍ୟମ

୯୫-୧୦୦

୧୩୦-୧୩୫

ଅଧିକ ରାଗ, ଗାଢ ଲାଲ ରଙ୍ଗ

ପୁଷା ଜ୍ୱାଲା

ବଡ

-

୧୨୫-୧୩୦

ରାଗ ଅଧିକ, ଭୂତାଣୁ ଜନିତ ରୋଗ ସହନଶୀଳ କ୍ଷମତା ଅଛି

ଉତ୍କଳ ଆଭା

ମଧ୍ୟମ

-

୧୨୫-୧୩୦

-

 

ଏକର ପ୍ରତି ଆବଶ୍ୟକ ସାମଗ୍ରୀ

ମଞ୍ଜି-୪୦୦ଗ୍ରାମ

ଖତ-୫୦କ୍ଵିଣ୍ଟାଲ

ସାର-ଯବକ୍ଷାରଜାଣ ୪୮କିଗ୍ରା, ଫସଫରସ ୨୦କିଗ୍ରା ଓ ପଟାସ ୩୦କିଗ୍ରା. ତଳିଘେରାରେ ମଞ୍ଜି ବୁଣିବା ପରେ ପିମ୍ପୁଡି ଦାଉରୁ ରକ୍ଷା କରିବା ପାଇଁ କ୍ଳୋରୋପାଇରିଫସ ଗୁଣ୍ଡ ୧କିଗ୍ରା ।

ରୋଗ ଓ ପୋକ ଦେଖାଦେଲେ ତାର ପ୍ରତିକାର ପାଇଁ ଔଷଧ ।

ଜଳବାୟୁ ଓ ମୃତ୍ତିକା

ବର୍ଷାଦିନେ ନିପାଣିଆ ବା ବର୍ଷାଧାର ଫସଲ ରୂପେ ଏବଂ ରବି ଋତୁରେ ଜଳସେଚନ ଦ୍ଵାରା ଚାଷ କରାଯାଏ । ବାୟୁମଣ୍ଡଳ ଉତ୍ତାପ ୧୫ ରୁ ୨୦ ଡିଗ୍ରୀ ସେଲସିୟସ ସେଣ୍ଟିଗ୍ରେଡ ଥିଲାବେଳେ ଲଙ୍କାମରିଚ ଗଛରେ ଫୁଲ ଓ ଫଳ ଅଧିକ ହୁଏ । କଞ୍ଚାଲଙ୍କା ବର୍ଷର ଯେ କୌଣସି ସମୟରେ ଲଗାଯାଇପାରେ । କିନ୍ତୁ ଶୁଖିଲା ଲଙ୍କା ଚାଷ ପାଇଁ ଓଡିଶାର ଜଳବାୟୁକୁ ବିଚାର କଲେ, ସମତଳ ଅଞ୍ଚଳରେ ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହରେ ମଞ୍ଜି ତଳିଘରାରେ ପକାଇ ଅକ୍ଟୋବର ମାସ ପ୍ରଥମ ସପ୍ତାହରେ ତଳି ଲଗାଇଲେ ଏବଂ ପାହାଡିଆ ଅଞ୍ଚଳରେ ଅଗଷ୍ଟମାସ ପ୍ରଥମ ସପ୍ତାହରେ ମଞ୍ଜି ତଳିଘେରାରେ ପକାଇ ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହରେ ତଳି ଲଗାଇଲେ ସବୁଠାରୁ ଅଧିକ ଅମଳ ମିଳିବା ସଙ୍ଗେ ସଙ୍ଗେ ଶୁଖିଲା ଲଙ୍କାର ରଙ୍ଗ ମଧ୍ୟ ଭଲ ହୁଏ । ଶୀତ ଦିନିଆ ଖରାରେ ପାଚିଲା ଲଙ୍କା ଶୁଖାଇଲେ ତାର ରଙ୍ଗ ଭଲ ରହେ ନାହିଁ । ବର୍ଷାଦିନେ ଶୁଖିଲା ଲଙ୍କା ଲଗାଇବା ଉଚିତ୍ ନୁହେଁ । କାରଣ ଫଳ ପାଚିବା ସମୟରେ ବାୟୁମଣ୍ଡଳରେ ଅଧିକ ଆଦ୍ରତା ଥିବାରୁ ତାହା ଶୁଖାଇବାରେ ଅସୁବିଧା ହୁଏ ଏବଂ ରୋଗ ଓ ପୋକ ଅଧିକ ହୋଇଥାଏ । ଫୁଲ ଧରିଥିବା ସମୟରେ ଅଧିକ ବର୍ଷା ହେଲେ ଫୁଲ ଝଡିପଡେ । ଶୀତ ଦିନରେ ଅର୍ଥାତ ନଭେମ୍ବର ମାସ ଦ୍ଵିତୀୟ ସପ୍ତାହ ପରେ ଲଗାଇଲେ ଗଛ ବଢି ପାରେ ନାହିଁ ଏବଂ ଫୁଲ ଓ ଫଳ ଧରିବାରେ ବିଳମ୍ବ ହେବା ସଙ୍ଗେ ସଙ୍ଗେ ଅମଳ କମିଯାଏ ।

ଜଳସେଚିତ ବାଲିଆ ଦୋରସା ଓ ପଟୁ ପଡିଥିବା ନିଗିଡା ଉର୍ବର ଜମି ଲଙ୍କାମରିଚ ଚାଷ ପାଇଁ ଉତ୍କୃଷ୍ଟ । ସନ୍ତସନ୍ତିଆ ଜମିରେ ଗଛ ଭଲ ବଢିପାରେ ନାହିଁ ।

ତଳିଘେରା ପ୍ରସ୍ତୁତି

  • ବାଇଗଣ ଫସଲ ଭଳି ଲଙ୍କାମରିଚର ତଳିଘେରା ପ୍ରସ୍ତୁତ କରାଯାଏ । ଏକର ପ୍ରତି ୪୦୦ ଗ୍ରାମ ମଞ୍ଜି ଦରକାର ହୁଏ । ତଳି ପକାଇବା ସମୟରେ ନିମ୍ନଲିଖିତ କେତୋଟି ବିଷୟ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ ।
  • ମଞ୍ଜିକୁ ବିଶୋଧନ କରି ତଳିଘରାରେ ବୁଣନ୍ତୁ ।
  • ଏକ ଏକର ବିଲରେ ରୋଇବା ପାଇଁ ୧୫ଟି ତଳିଘରା ଦରକାର ହୁଏ । ଗୋଟିଏ ତଳି ଘରାର ଓସାର ୩ଫୁଟ ଓ ଲମ୍ବ ୧୦ଫୁଟ ରଖନ୍ତୁ । ଗୋଟିଏ ତଳି ଘରାର ଓସାର ୩ଫୁଟ ଓ ଲମ୍ବ ୧୦ ଫୁଟ ରଖନ୍ତୁ ।
  • ଲଙ୍କା ମଞ୍ଜିରୁ ସାଧାରଣତଃ ଗଜା ବାହାରିବାକୁ ବିଳମ୍ବ ହୁଏ । ତେଣୁ ମଞ୍ଜି ବୁଣି ସାରିଲା ପରେ ଭଲ ଭାବରେ ଛଣ ଦ୍ଵାରା ଘୋଡାଇବା ଦରକାର ଓ ଗଜା ବାହାରିବା ପର୍ଯ୍ୟନ୍ତ ତଳିଘରାରେ ଆଦ୍ରତା ରହିବା ଦରକାର । ଶୀତଦିନେ ମଞ୍ଜିରୁ ଗଜା ବାହାରିବା ପାଇଁ ୮ଦିନ ସମୟ ଲାଗିଥାଏ । ଗଜା ପୁରାପୁରି ବାହାରି ସାରିବା ପରେ ଛଣ କାଢିଦେବା ଉଚିତ୍ ।
  • ତଳି ମାସକର ହୋଇଗଲେ ରୋଇବା ପାଇଁ ଉପଯୁକ୍ତ ହୋଇଥାଏ ।

 

ଖତ ଓ ସାର

ଲଙ୍କାମରିଚ ଫସଲ ପାଇଁ ଏକ ଏକରକୁ ପ୍ରାୟ ୫୦ କ୍ଵିଣ୍ଟାଲ ଭଲ ଖତ ଦେବା ଉଚିତ୍ । ଏହା ବ୍ୟତିତ ୪୮କିଗ୍ରା ଯବକ୍ଷାର, ୨୦କିଗ୍ରା ଫସଫରସ ଓ ୩୦କିଗ୍ରା ପଟାସ ଦରକାର ହୋଇଥାଏ । ଏହି ସାରରୁ ତଳି ରୋଇବା ସମୟରେ ସବୁ ଫସଫରସ, ଶତକଡା ୨୦ଭାଗ ଯବକ୍ଷାର ଓ ପଟାସ ସାର ଦିଅନ୍ତୁ । ଅବଶିଷ୍ଟ ଯବକ୍ଷାର ଓ ପଟାସ ଜାତୀୟ ସାରକୁ ୨ଥର କରି ୧୫-୨୦ ଦିନରେ ଓ ୩୦-୪୦ ଦିନ ପରେ ପ୍ରୟୋଗ କରନ୍ତୁ ।

ଜମି ପ୍ରସ୍ତୁତି ଓ ସାର ପ୍ରୟୋଗ

ବିଲକୁ ଭଲରୂପେ ଚାଷ କରି ମାଟିକୁ ଗୁଣ୍ଡ କରି ଦିଅନ୍ତୁ । ବିଲରେ ପାଣି ମଡାଇବା ପାଇଁ ଓ ଅଧିକ ବର୍ଷା ହେଲେ ବିଳରୁ ପାଣି ବାହାର କରି ଦେବା ପାଇଁ ସିଆର କାଟନ୍ତୁ । ତଳି ରୋଇବା ପୂର୍ବରୁ ସିଆର ଟାଣି ତା ଭିତରେ ଯବକ୍ଷାର, ଫସଫରସ ଓ ପଟାସ ଜାତୀୟ ସାର ସହିତ ଖତ ଦେଇ ଭଲ ଭାବରେ ମାଟିରେ ମିଶାଇ ଦିଅନ୍ତୁ । ପରେ ତଳି ରୋଇ ଅଳ୍ପ ଅଳ୍ପ ପାଣି ଦିଅନ୍ତୁ । ତଳି ରୋଇବାର ୧୫ ରୁ ୨୦ ଦିନପରେ ଜମିକୁ କୋଡା ଖୁସା କରି ଯବକ୍ଷାର ଓ ପଟାସ ସାର ମୂଳରେ ଦେଇ ହୁଡା ଟେକି ଦିଅନ୍ତୁ । ରୋଇବାର ୩୦-୪୦ ଦିନ ପରେ କୋଡାଖୁସା କରି ଦ୍ଵିତୀୟ ଥର ଯବକ୍ଷାର ଓ ଫସଫରସ ସାର ଦେଇ ଦିଅନ୍ତୁ । ହୁଡା ଦେବା ଦ୍ଵାରା ଗଛ ପଡିଯାଏ ନାହିଁ ।

ଧାଡି ଧାଡି ଭିତରେ ବ୍ୟବଧାନ ଦେଢ ଫୁଟ ଓ ଗଛକୁ ଗଛ ବ୍ୟବଧାନ ୧ଫୁଟ ରଖନ୍ତୁ । ଏହି ବ୍ୟବଧାନରେ ତଳି ରୋଇଲେ ଏକରକୁ ପ୍ରାୟ ୨୭୦୦୦ ତଳି ଦରକାର ହୋଇଥାଏ । ଯଦି ଝାଉଁଳା ରୋଗ ହେବାର ସମ୍ଭାବନା ଥାଏ, ତେବେ ୧୦ଲିଟର ପାଣିରେ ୧୦ଗ୍ରାମ ପ୍ଲାଣ୍ଟୋମାଇସିନ ସହିତ ୧୦ଗ୍ରାମ ବାଭିଷ୍ଟିନ ମିଶାଇ ତଳିର ଚେର ଅଂଶକୁ ସେହି ଔଷଧ ମିଶା ପାଣିରେ ୨୦ମିନିଟ ପର୍ଯ୍ୟନ୍ତ ବୁଡାଇ ରୋଇଲେ ଝାଉଁଳା ରୋଗ ହେବାର ସମ୍ଭାବନା କମିଯାଏ ।

ଜଳସେଚନ

ଲଙ୍କାମରିଚ ଫସଲ ପାଇଁ ଜଳସେଚନ ଅତି ଗୁରୁତ୍ଵପୂର୍ଣ୍ଣ । ବିଶେଷ କରି ଫୁଲ ଧରିବା ସମୟରେ ମାଟି ଶୁଖିଗଲେ ଫୁଲ ଝଡିପଡେ । ତେବେ ଶୀତ ଓ ଖରାଦିନେ ବିଲର ପାଗ ଦେଖି ପ୍ରତି ୧୦-୧୨ ଦିନ ଅନ୍ତରରେ ପାଣି ଦେବା ଉଚିତ୍ ।

ଅମଳ

ମଞ୍ଜି ଲଗାଇବାର ୯୦ ରୁ ୧୦୦ ଦିନ ପରେ କଞ୍ଚାଲଙ୍କା ଅମଳ ହୋଇଥାଏ ଏବଂ ୧୨୫ ରୁ ୧୪୫ ଦିନ ମଧ୍ୟରେ ପାଚିଲା ଲଙ୍କା ଅମଳ କରାଯାଏ । କଞ୍ଚାଲଙ୍କାର ଏକର ପ୍ରତି ୨୦ ରୁ ୨୨ କ୍ଵିଣ୍ଟାଲ ଓ ଶୁଖିଲା ଲଙ୍କା ୮ ରୁ ୯ କ୍ଵିଣ୍ଟାଲ ଅମଳ ମିଳିଥାଏ ।

ଲଙ୍କା ମରିଚ ଗଛରେ ପାଚିଗଲେ ତୋଳିଆଣି ସୁଖାଇବା ଉଚିତ୍ । ମେଘୁଆ ବା ବର୍ଷା ହେଉଥିବା ଦିନ ପାଚିଲା ଲଙ୍କା ତୋଳିବା ଉଚିତ ନୁହେଁ । କାରଣ ଲଙ୍କା ଶୁଖାଇବାରେ ଅସୁବିଧା ହୁଏ ଓ ଲଙ୍କା ପଚିଯାଏ । ଫଳରେ ରଙ୍ଗ ମଧ୍ୟ ଭଲ ରହେ ନାହିଁ ।

ପୋକ,ରୋଗ ଓ ତାର ପ୍ରତିକାର

ଜଉପୋକ

ଏହା କଅଁଳ ଡାଳର ଅଗ୍ରଭାଗର ପତ୍ରରେ ଦେଖାଯାନ୍ତି ଏବଂ କ୍ରମେ ଅନ୍ୟାନ୍ୟ ଡାଳ ଓ ପତ୍ରରେ ମାଡିଯାଆନ୍ତି । ଗଛରେ ଯଦି ଜନ୍ଦା ବା ପିମ୍ପୁଡି ଲାଗିବା ଦେଖାଯାଏ, ତାହାହେଲେ ଅନୁମାନ କରିବାକୁ ହେବ ଯେ ଜଉପୋକ ଗଛରେ ଲାଗିଥାଇ ପାରେ । ଏହା ଫୁଲ ଓ ପତ୍ରକୁ ନଷ୍ଟ କରି ଦିଅନ୍ତି ।

ପ୍ରତିକାର- ପ୍ରତି ୨.୫ ମିଲିଲିଟର ମେଟାସିଷ୍ଟକସ କିମ୍ବା ରୋଗର୍ ସହିତ ଏକ ଲିଟର ପାଣି ମିଶାଇ ପ୍ରତି ୭ ଦିନ ଅନ୍ତରରେ ଦୁଇଥର ସ୍ପ୍ରେ କଲେ, ଏହି ପୋକକୁ ଦମନ କରାଯାଇପାରେ ।

ଥ୍ରୀପ୍ସ

ଏହା ବହୁତ ସରୁ ସରୁ ପୋକ । ଛୋଟ ଅବସ୍ଥାରେ ଏହା ଖାଲି ଆଖିରେ ଦେଖାଯାଏ ନାହିଁ । ଜବକାଚରେ ଦେଖିଲେ ଏହା ଦେଖାଯାଏ । ଏହା ପତ୍ରର ତଳ ଅଂଶରେ ଥାଆନ୍ତି ଏବଂ ପତ୍ର ରସ ଶୋଷଣ କରନ୍ତି । ଯାହାଦ୍ୱାରା କି ପତ୍ର ମୋଡା ମୋଡା ହୋଇଯାଏ । ଭୂତାଣୁ ଜନିତ ପତ୍ରମୋଡା ରୋଗ ଭଳି ପତ୍ର ମୋଡି ମୋଡି ହୋଇଯାଏ ।

ପ୍ରତିକାର

ପ୍ରତି ୧ଲିଟର ପାଣିରେ ଜୋଲନକୁ ୨ ରୁ ୩ ମିଲିଲିଟର କିମ୍ବା ମାଲାଥିଅନ ୨ମିଲିଲିଟର ସ୍ପ୍ରେ କାଲେ ଏହାକୁ ଦମନ କରାଯାଇ ପାରେ । କିନ୍ତୁ ସ୍ପ୍ରେ କରିବାର ଗୋଟିଏ ସପ୍ତାହ ପୂର୍ବରୁ ଅମଳ କରିବା ଉଚିତ ନୁହେଁ ।

ଆନଥ୍ରାକନୋଜ ବା ଫଳସଢା ରୋଗ

ଫଳ ପଚିବା ପୂର୍ବରୁ ବା ଫଳ ପାଚିବାକୁ ଆରମ୍ଭ କଳା ବେଳକୁ ଏହି ରୋଗ ଦେଖାଯାଏ । ପ୍ରଥମେ ଫଳ ଉପରେ କଳା ରଙ୍ଗର ଗୋଲେଇ ଦାଗ ଦେଖାଯାଏ ଓ ତାହା ପରେ ଫଳର ଚାରିଆଡେ ମାଡିଯାଏ । ଫଳଟି ଅଳ୍ପ ଧୂସର ଦେଖାଯାଏ ଏବଂ ପରେ ପରେ ତାହା ପାଟଳ ରଙ୍ଗର ହୋଇଯାଏ । ଏହା ହେଲେ ଫଳ ସୁଖୀ ଗଛରୁ ଝଡିପଡେ ।

ପ୍ରତିକାର-ଏକର ପ୍ରତି ୭୫୦ଗ୍ରାମ ମାଙ୍କୋଜେବ୍ ଦୁଇଶହ ଲିଟର ପାଣିରେ ମିଶାଇ ୧୦ଦିନ ଅନ୍ତରରେ ୩ଥର ସ୍ପ୍ରେ କଲେ ଏହି ରୋଗକୁ ନିୟନ୍ତ୍ରଣ କରି ହୁଏ ।

ପତ୍ରମୋଡା ରୋଗ

ଏହା ଭୂତାଣୁ ଜନିତ ରୋଗ । ଏହି ରୋଗ ହେଲେ ପତ୍ର ମୋଡି ମୋଡି ହୋଇଯାଏ ଓ ଗଛରେ ଫୁଲ ଧରିଲେ ମଧ୍ୟ ଫଳ ଧରେ ନାହିଁ । ଏହା ଏକ ପ୍ରକାର ଧଳାମାଛି ଦ୍ଵାରା ବ୍ୟାପେ ।

ପ୍ରତିକାର

  • ରୋଗା ଗଛକୁ ଉପାଡି ପୋତି ଦେବା ଉଚିତ୍ ।
  • ଏହି ରୋଗ ପ୍ରଥମେ ଦେଖାଯିବା ମାତ୍ରେ ୨ମିଲିଲିଟର ଏଣ୍ଡୋସଲଫାନ ବା ମାଲାଥିଅନକୁ ୧ଲିଟର ପାଣିରେ ମିଶାଇ ସ୍ପ୍ରେ କଲେ କେତେକାଂଶରେ ଦମନ କରାଯାଇପାରେ । ଏହା ସ୍ପ୍ରେ କରିବାର ୧୨ ରୁ ୧୫ଦିନ ପର୍ଯ୍ୟନ୍ତ ଅମଳ କରିବା ଉଚିତ ନୁହେଁ । ଏହି ସମୟରେ ଲଙ୍କା ଅମଳ କରି ଖାଇଲେ ଦେହ ପ୍ରତି କ୍ଷତିକାରକ ହୋଇଥାଏ ।

ଝାଉଁଳା ରୋଗ ଓ ମୂଳସଢା ରୋଗ

ଏହାର ଲକ୍ଷଣ ଓ ପ୍ରତିକାର ବାଇଗଣର ଝାଉଁଳା ରୋଗ ଓ ମୂଳସଢା ରୋଗ ପରି ଅଟେ ।

ଶସ୍ୟ ଅମଳ, ଉତ୍ପାଦନ ଖର୍ଚ୍ଚ ଓ ଲାଭ

ଲଙ୍କାମରିଚ ଚାଷ ପାଇଁ ଏକର ପ୍ରତି ପ୍ରାୟ ୮ହଜାର ଟଙ୍କା ଖର୍ଚ୍ଚ ହୁଏ । କଞ୍ଚାଲଙ୍କା ଚାଷରୁ ୨୦ ରୁ ୨୨କ୍ଵିଣ୍ଟାଲ ଅମଳ ମିଳିଥାଏ । କିଗରା ପ୍ରତି ୧୦ଟଙ୍କାରେ ବିକ୍ରିକଲେ ଏକର ପ୍ରତି ୨୦ ରୁ ୨୨ ହଜାର ଟଙ୍କା ଆୟ ହୋଇଥାଏ । ସବୁ ଖର୍ଚ୍ଚ ବାଦ ଗଲା ପରେ ଏକର ପ୍ରତି ପ୍ରାୟ ୧୨୦୦୦ ରୁ ୧୪୦୦୦ ଟଙ୍କା ମିଳିଥାଏ । କିନ୍ତୁ ଶୁଖିଲା ଲଙ୍କା କିସମ ଚାଷ କରୁଥିଲେ ସେଥିରୁ ଆଠରୁ ଦଶ କ୍ଵିଣ୍ଟାଲ ଶୁଖିଲା ଲଙ୍କା ମିଳିଥାଏ । ଶୁଖିଲା ଲଙ୍କା କିଗରା ୩୦ଟଙ୍କାରେ ବିକ୍ରି କଲେ ତିରିଶ ହଜାର ଟଙ୍କା ଆୟ ମିଳିଥାଏ । ସବୁ ଖର୍ଚ୍ଚ ବାଦ ଗଲାପରେ ୨୦ ରୁ ୨୨ ହଜାର ଟଙ୍କା ପର୍ଯ୍ୟନ୍ତ ଲାଭ ହୋଇଥାଏ । ଶୁଖିଲା ଲଙ୍କାକୁ ଭଲ ଭାବରେ ଶୁଖାଇ ଶୁଷ୍କ ସ୍ଥାନରେ ରଖିଲେ ଏକ ବର୍ଷ ପର୍ଯ୍ୟନ୍ତ ରଖାଯାଇ ପାରେ । ବଜାରରେ ଦର ଦେଖି ଏହାକୁ ବିକ୍ରି କରାଯାଇପାରେ ।

ମଞ୍ଜି ଅମଳ

ସାଧାରଣତଃ ଭଲ ପାଚିଥିବା ଓ ଶୁଖିଥିବା ଫଳରୁ ମଞ୍ଜି ସଂଗ୍ରହ କରିବା ଉଚିତ୍ । ଶୁଖିଲା ଫଳର ଓଜନର ଶତକଡା ୨୮ ରୁ ୩୩ ଭାଗ ମଞ୍ଜି ବାହାରେ । ଏକ ଏକର ଲଙ୍କାମରିଚ ଚାଷରୁ କେବଳ ମଞ୍ଜି ଅମଳ କଲେ ଦୁଇଶହ ପଚିଶ କିଗ୍ରା ରୁ ଦୁଇଶହ ପଚାଶ କିଗ୍ରା ମିଳିଥାଏ । ମଞ୍ଜିକୁ ସଂଗ୍ରହ କଲାପରେ ଶୁଖାଇ ପ୍ୟାକେଟ କରି ଶୁଷ୍କ ସ୍ଥାନରେ ରଖିବା ଉଚିତ୍ । ଏପରି କଲେ ମଞ୍ଜିର ଗଜା ହେବା କ୍ଷମତା ଦୁଇବର୍ଷ ପର୍ଯ୍ୟନ୍ତ ରହିପାରେ ।

ମନେ ରଖନ୍ତୁ

  • ଜୈବିକ ଖତ ସହିତ ଅନୁମୋଦିତ ପରିମାଣର ରାସାୟନିକ ସାର ପ୍ରୟୋଗ କରନ୍ତୁ ।
  • ଜଳସେଚନର ସୁବିଧା ଥିବା ସ୍ଥାନରେ ଚାଷ କଲେ ଅଧିକ ଲାଭ ମିଳିଥାଏ ।
  • ମଞ୍ଜିକୁ ବିଶୋଧନ କରି ତଳିଘେରାରେ ବୁଣିବା ଉଚିତ ଓ ମଞ୍ଜି ବୁଣି ସାରିଲା ପରେ ଭଲ ଭାବରେ ଛଣ ଘୋଡାଇବା ଉଚିତ୍ । ଏହାଫଳରେ ମଞ୍ଜିରୁ ଶୀଘ୍ର ଓ ଅଧିକ ଗଜା ବାହାରେ ।
  • ଫସଲରେ ଝାଉଁଳା ରୋଗ ଦେଖାଦେଲେ ଅଳ୍ପ ପାଣି ଦେବା ଉଚିତ୍ ।
  • ମେଘୁଆ ପାଗ ବା ବର୍ଷା ସମୟରେ ପାଚିଲା ଲଙ୍କା ଅମଳ କରିବା ଉଚିତ୍ ନୁହେଁ ।

ସବଜୀ ଲଙ୍କା

ଆମ ରାଜ୍ୟରେ ଆଜିକାଲି ସବଜୀ ଲଙ୍କାର ଚାହିଦା ବଢୁଅଛି । ସହର ଅଞ୍ଚଳରେ ଓ ବଡ ବଡ ହୋଟେଲମାନଙ୍କରେ ଏହି ଲଙ୍କାରୁ ନାନା ପ୍ରକାରର ଖାଦ୍ୟ ପ୍ରସ୍ତୁତ କରାଯାଉଅଛି । ଏହା ସୁସ୍ଵାଦୁ ଓ ରୁଚିକର । ସବଜୀ ଲଙ୍କାରେ ସାଧାରଣତଃ ଭିଟାମିନ ଏ, ବି, ସି ଯଥେଷ୍ଟ ପରିମାଣରେ ଥାଏ । ଏହା ବ୍ୟତୀତ ପ୍ରୋଟିନ ଓ ଚୂନ ମଧ୍ୟ ରହିଥାଏ । ଅନେକ ଚାଷୀ ସବଜୀ ଲଙ୍କା ଚାଷ କରି ବେଶ ଲାଭବାନ ହେଉଥିବାର ଜଣାଯାଇଅଛି ।

କିସମ

ସାଧାରଣତଃ ଅନେକ କିସମର ସବଜୀ ଲଙ୍କା ଚାଷ କରାଯାଇପାରେ । ଆମ ରାଜ୍ୟରେ ଚାଷ କରାଯାଇ ପାରୁଥିବା କେତୋଟି କିସମ ବିଷୟ ଏଠାରେ ପ୍ରଦାନ କରାଗଲା ।

କାର୍ଲିଫର୍ଣ୍ଣିଆ ୱଣ୍ଡର – ଏହାର ଗଛ ଗୁଡିକ ବେଶ ହୃଷ୍ଟପୁଷ୍ଟ ଓ ଏଥିରୁ ଅଧିକ ଫଳ ମିଳିଥାଏ । ଫଳଗୁଡିକ ଉପରକୁ ମୁହଁ କରି ଫଳେ ।

ଚାଇନିଜ ଜ୍ୟାଣ୍ଟ- ଏହି କିସମର ଗଛ ମଧ୍ୟ ବେଶ ହୃଷ୍ଟପୁଷ୍ଟ ଓ ଅଧିକ ଅମଳକ୍ଷମ । ଫଳଗୁଡିକ ୩ ରୁ ୪ଭାଗ ବିଶିଷ୍ଟ ଓ ସ୍ଵାଦଯୁକ୍ତ ।

ୱାର୍ଲ୍ଡ ବିଟର- ଏହାର ଗଚଗୁଡିକ ଡେଙ୍ଗା ଓ ଫଳ ବେଶ ସ୍ଵାଦିଷ୍ଟ ।

ଏଲୋ ୱଣ୍ଡର – ଏହାର ଫଳ ରୁଚିକର ଓ ଆକାର ବଡ ।

ଭାରତ- ଏହା ଏକ ସଙ୍କର କିସମ ଏବଂ ଫଳଗୁଡିକ ସାଧାରଣତଃ ଘଣ୍ଟି ଆକାରରେ ଦେଖାଯାଏ । ଚୋପା ମୋଟା ଓ ଗୋଟିଏ ଗୋଟିଏ ଫଳର ଓଜନ ସାଧାରଣତଃ ୧୫୦ଗ୍ରାମ ପର୍ଯ୍ୟନ୍ତ ହୋଇଥାଏ । ଏକ ଏକର ଜମିରୁ ୨୦୦କ୍ଵିଣ୍ଟାଲ ପର୍ଯ୍ୟନ୍ତ ଅମଳ ମିଳିପାରେ ।

ମାଟି

ସବଜୀ ଲଙ୍କା ଦୋରସା ମଟାଳ ମାଟିରେ ଭଲ ହୁଏ । କ୍ଷାରୀ ମାଟିରେ ଫସଲ ଭଲ ହୁଏ ନାହିଁ । ଅଧିକ ଖରା ହେଲେ ଫୁଲ ଝଡିପଡେ । ଆମ ରାଜ୍ୟରେ ଶୀତଦିନେ ଏହି ଲଙ୍କା ଭଲ ଅମଳ ଦେଇଥାଏ । ସାଧାରଣତଃ ଅଗଷ୍ଟ ମାସଠାରୁ ନଭେମ୍ବର ମାସ ପର୍ଯ୍ୟନ୍ତ ଏହି ଜାତୀୟ ଲଙ୍କା ଚାଷ କରାଯାଇପାରିବ ।

ତଳି ପ୍ରସ୍ତୁତି

ସବଜୀ ଲଙ୍କା ଚାଷ ପାଇଁ ତଳି ପକାଇବା ଉଚିତ୍ । ଏକ ଏକର ବିଲରେ ରୋଇବା ପାଇଁ ପ୍ରାୟ ୩୦୦ଗ୍ରାମ ବିହନ ଆବଶ୍ୟକ ହୋଇଥାଏ । ୧୦ଫୁଟ ଲମ୍ବା ଓ ୩ଫୁଟ ଚଉଡା ଆକାରରେ ୧୫ଟି ପଟି ତିଆରି କରି ତହିଁରେ ତଳି ପକାନ୍ତୁ । ମଞ୍ଜି ବୁଣିବା ପୂର୍ବରୁ ତାହାକୁ ଥିରାମ ବା କାପଟାନ ଗୁଣ୍ଡ ସହିତ ଗୋଳାଇ ବିଶୋଧନ କରନ୍ତୁ । ବାଇଗଣ ତଳି ପଟାଳି ପ୍ରସ୍ତୁତ କରିବା ସମୟରେ ଦିଆଯାଇଥିବା ଖତ ଓ ସାର ଅନୁସାରେ ଏଥିରେ ସାର ଓ ଖତ ପ୍ରୟୋଗ କରନ୍ତୁ । ମଞ୍ଜି ବୁଣି ସାରିବା ପରେ ତା ଉପରେ ପତଳା ମାଟି ଘୋଡାଇ ନଡା ବିଛାଇ ଦିଅନ୍ତୁ । ଗଛ ଉଠିସାରିଲା ପରେ ନଡାଗୁଡିକ କାଢି ଦିଅନ୍ତୁ । ତଳିଗୁଡିକ ମାସକର ହୋଇଗଲାପରେ ଲଗାଇବା ପାଇଁ ଉପଯୁକ୍ତ ହୋଇଥାଏ ।

ଚାଷ ପ୍ରଣାଳୀ

ଜମିକୁ ଭଲଭାବେ ଚାଷ କରି ତହିଁରେ ଏକର ପିଛା ୧୦ଗାଡି ଖତ ଦିଅନ୍ତୁ । ଖତକୁ ଭଲ ଭାବରେ ମାଟିରେ ମିଶାଇ ଦେବା ଦରକାର । ନଚେତ ଦେଢ ଫୁଟରୁ ୨ଫୁଟ ବ୍ୟବଧାନରେ ସିଆର କରନ୍ତୁ । ସିଆରରେ ଆବଶ୍ୟକୀୟ ସାର ଦେଇ ତା ଉପରେ ଖତ ବୁଣି ମାଟିରେ ଘୋଡେଇ ଦିଅନ୍ତୁ । ବର୍ତ୍ତମାନ ଏହି ସିଆରରେ ତଳି ଲଗାନ୍ତୁ । ପ୍ରତି ସିଆରରେ ପ୍ରାୟ ୧ଫୁଟ ଛଡାରେ ଗଛ ପୋତନ୍ତୁ । ଗଛ ପୋତିବା ପରେ ପରେ ପାଣି ଦେବା ଦରକାର । ବିଲରେ ପାଣି ମଡାଇବା ପାଇଁ ନାଳ କରିବା ସଙ୍ଗେ ସଙ୍ଗେ ଅଧିକ ପାଣି ଗଡିଯିବା ପାଇଁ ମଧ୍ୟ ବ୍ୟବସ୍ଥା କରିବା ଉଚିତ୍ ।

ସବଜୀ ଲଙ୍କା ପାଇଁ ଏକର ପିଛା ୪୮ କିଗ୍ରା ଯବକ୍ଷାର, ୨୪କିଗ୍ରା ଫସଫରସ ଓ ୪୮କିଗ୍ରା ପଟାସ ସାର ଆବଶ୍ୟକ ହୋଇଥାଏ । ଲଗାଇବା ସମୟରେ ସବୁତକ ଫସଫରସ, ଶତକଡା ୨୦ଭାଗ ଯବକ୍ଷାର ଓ ଅଧା ପରିମାଣର ପଟାସ ଦିଅନ୍ତୁ । ଗଛ ରୁଆ ସାରିବାର ୨୦ଦିନ ପରେ କୋଡା ଖୁସା କରି ଶତକଡା ୪୦ଭାଗ ଯବକ୍ଷାର ଓ ଅବଶିଷ୍ଟ ପଟାସକୁ ଗଛମୂଳରୁ ୨-୩ ଇଞ୍ଚ ଛାଡି ପ୍ରୟୋଗ କରନ୍ତୁ । ଏହାପରେ ହୁଡା ଟେକି ଦିଅନ୍ତୁ । ଚାରା ରୋଇବାର ୪୦ଦିନପରେ ଅବଶିଷ୍ଟ ଯବକ୍ଷାର ସାର ପ୍ରୟୋଗ କରନ୍ତୁ ।

ରୋଗ ଓ ପୋକ

ସବଜୀ ଲଙ୍କାରେ ସାଧାରଣତଃ ଫଳସଢା ଓ ପତ୍ରଦାଗ ରୋଗ ଦେଖାଯାଏ । ସଢାରୋଗ ହେଲେ ପ୍ରଥମେ ଫଳ ଉପରେ କଳା କଳା ଦାଗ ପଡି କ୍ରମେ ଫଳ ସଢିଯାଏ । ବିହନକୁ ତଳି ପକାଇବା ପୂର୍ବରୁ ଥିରାମ ବା କାର୍ବେଣ୍ଡାଜିମ ଦ୍ଵାରା ବିଶୋଧନ କରି ବୁଣିଲେ ଏହି ରୋଗରୁ ରକ୍ଷା ମିଳେ । ଫଳ ଧରିବା ପରେ ଏହି ରୋଗ ହେଲେ ଶତକଡା ୦.୧ ଭାଗ ବେନଲେଟ ବା ଶତକଡା ୦.୨ ଭାଗ ଜିରାମ ପ୍ରଭୃତି ଔଷଧକୁ ପାଣିରେ ଗୋଳାଇ ଗଛ ଉପରେ ସିଞ୍ଚିବା ଦରକାର ।

ପତ୍ରଦାଗ ରୋଗ

ଏହା ସାଧାରଣତଃ କେତେକ ଫିମ୍ପି ବା ଭୂତାଣୁ ଦ୍ଵାରା ହୋଇଥାଏ । ଏହି ରୋଗ ହେଲେ ଗଛରୁ ପତ୍ର ଝଡିପଡେ । ବିହନ ବିଶୋଧନ ବା ରୋଗ ହେଲା ପରେ କାର୍ବେଣ୍ଡାଜିମ୍ ସ୍ପ୍ରେ କଲେ ମଧ୍ୟ ଏହି ରୋଗରୁ ରକ୍ଷା ମିଳେ । କାର୍ବେଣ୍ଡାଜିମ ବ୍ୟତୀତ ବେନଲେଟ, ମାଙ୍କୋଜେବ ବା ଡାଇଫଲଟନ ମଧ୍ୟ ବ୍ୟବହାର କରାଯାଇପାରିବ ।

ସବଜୀ ଲଙ୍କା ଫସଲରେ ଥ୍ରୀପସ ଓ ଜଉପୋକ ବିଶେଷ କ୍ଷତି କରିଥାନ୍ତି । ଏମାନେ ପତ୍ରରୁ ରସ ଶୋଷି ଖାଇଯାଆନ୍ତି । ଯାହା ଫଳରେ ଗଛ ରୋଗଣା ହୋଇଯାଏ । ଡାଇମେଥଏଟ୍ ଦ୍ରବଣ ୨-୩ ଥର ସିଞ୍ଚିଲେ ଏସବୁ ପୋକ ଦାଉରୁ ରକ୍ଷା ମିଳିଥାଏ । ରୋଇବାର ୧୦ଦିନ ପରେ କାର୍ବୋଫୁରାନ ମାଟିରେ ଦେଲେ ମଧ୍ୟ ଏହି ପୋକ ଦାଉରୁ ରକ୍ଷା ମିଳିଥାଏ ।

ଅମଳ

ତଳି ରୁଆଯିବାର ୪୫ଦିନ ପରେ ଫୁଲ ଆସେ ଓ ପ୍ରାୟ ୮୦ଦିନ ପରେ ଫଳ ତୋଳିବା ପାଇଁ ଉପଯୁକ୍ତ ହୋଇଥାଏ । ତୋଳିବା ସମୟରେ ଫଳଗୁଡିକ ଗାଡ ସବୁଜ ରଙ୍ଗ ହେବା ଦରକାର । ହାରାହାରି ଏକର ପିଛା ୮୦କ୍ଵିଣ୍ଟାଲ ଅମଳ ମିଳିଥାଏ ।

ଆଧାର : ଓଡିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ, ଭୁବନେଶ୍ଵର

3.11764705882
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top