ହୋମ / କୃଷି / କୃଷି ଉଦ୍ୟୋଗ / ପନିପରିବା ଚାଷ ସମ୍ବନ୍ଧରେ / ପନିପରିବା ଚାଷ (ଦ୍ଵିତୀୟ ପାଠ)
ସେଆର କରନ୍ତୁ

ପନିପରିବା ଚାଷ (ଦ୍ଵିତୀୟ ପାଠ)

କେଉଁ ଫସଲ ଚାଷ କରିବା ଆଉ ଏହାଦ୍ୱାରା କେତେ ଲାଭବାନ ପାଇବା ସେହି ବିଷୟରେ ଏଠାରେ ବର୍ଣ୍ଣନା କରାଯାଇଅଛି ।

ଭେଣ୍ଡି ଓ ଶାଗ

ପରିବା ହିସାବରେ ଭେଣ୍ଡି ଫସଲ ସାରା ଦେଶରେ ଚାଷ କରାଯାଇଥାଏ ଏହାର ଚେର, କାଣ୍ଡ ଓ ମଞ୍ଜିକୁ ଛେଚି ତହିଁରୁ ବାହାରୁଥିବା ରସକୁ ଗୁଡ ପରିଷ୍କାର କରିବା ପାଇଁ ବ୍ୟବହାର କରାଯାଇଥାଏ । ଭେଣ୍ଡି ଗଛ ମଧ୍ୟ କାଗଜ ତିଆରିରେ ବ୍ୟବହାର ହୁଏ । ତେବେ ସେ ଯାହା ହେଉ ନା କାହିଁକି ଭେଣ୍ଡି ଯେ ଏକ ସୁସ୍ଵାଦୁ ପରିବା, ଏଥିରେ କୌଣସି ସନ୍ଦେହ ନାହିଁ ।

ଭେଣ୍ଡିରେ ପ୍ରାୟ ୭.୬ ଭାଗ ଶର୍କରା ୨.୨ ଭାଗ ତନ୍ତୁ, ୦.୭ ଭାଗ ଧାତବ ଲବଣ ଥାଏ । ଏହା ବ୍ୟତୀତ ଏଥିରେ ଚୂନ, ଫସଫରସ, ଲୌହ ଓ ଭିଟାମିନ ଏ, ବି, ସି ମଧ୍ୟ ରହିଥାଏ । କେତେକ କ୍ଷେତ୍ରରେ ଭେଣ୍ଡିକୁ ଝାଡା, ଗନେରିଆ, ରକ୍ତ ଓ ମୂତ୍ର ଜନିତ କେତେକ ରୋଗର ନିରାକରଣ ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ ।

ଭେଣ୍ଡି ପ୍ରଥମେ ଆଫ୍ରିକା ମହାଦେଶରେ ଚାଷ ହେଉଥିବା ଜଣାଯାଏ । ଅନ୍ୟ କେତେକଙ୍କ ମତରେ ଭାରତ ବର୍ଷରେ ମଧ୍ୟ ବହୁ କାଳରୁ ଭେଣ୍ଡି ଚାଷ ହୋଇ ଆସୁଅଛି । ତେବେ ବର୍ତ୍ତମାନ ଭାରତର ପ୍ରତ୍ୟେକ ପ୍ରଦେଶରେ ଖରା ଓ ବର୍ଷାଦିନେ ଭେଣ୍ଡି ଚାଷ ହୋଇଥାଏ । ଭାରତ ବ୍ୟତୀତ ଆଫ୍ରିକା, ଆମେରିକା, ତୁର୍କିରେ ମଧ୍ୟ ଭେଣ୍ଡି ଚାଷ କରାଯାଇଥାଏ ।

ଭେଣ୍ଡି ଚାଷରୁ ଲାଭ

ଭେଣ୍ଡି ଏକ ଲାଭଜନକ ପରିବା । ଏହା ଅଳ୍ପ ପରିଶ୍ରମରେ ଓ ଅଳ୍ପ ଦିନରେ ହେଉଥିବାରୁ ଚାଷୀ ବେଶ ଲାଭବାନ ହୋଇଥାନ୍ତି । ଭଲ ଭାବରେ ଚାଷ କଲେ ଏକର ପିଛା ପ୍ରାୟ ୪୦କୁଇଣ୍ଟାଲ ଭେଣ୍ଡି ମିଳିପାରିବ । ଭେଣ୍ଡିକୁ ଉଭୟ ବର୍ଷା ଓ ଖରାଦିନ ମଧ୍ୟ ଚାଷ କରାଯାଇ ପାରିବ । ଆଜିକାଲି ଉତ୍କଳଗୌରବ, ଆର୍କା ଅନାମିକା ଉନ୍ନତ ଭେଣ୍ଡି କିସମ ବାହାରିଲାଣି । ଏହି କିସମର ଅମଳ ଏକର ପିଛା ୪୦କୁଇଣ୍ଟାଲ ମଧ୍ୟ ଅଧିକ ହୋଇ ପାରୁଅଛି ।

ଜଳବାୟୁ

ଶୀତଦିନକୁ ଛାଡିଦେଲେ ବର୍ଷର ଅନ୍ୟ ସବୁ ସମୟରେ ଭେଣ୍ଡି ଚାଷ ହୋଇପାରିବ । ତେବେ ଅତ୍ୟଧିକ ଖରାହେଲେ କଢ ଝଡି ପଡିବାର ଆଶଙ୍କା ଥାଏ । ସେହିପରି ମାଟିର ଉତ୍ତାପ କମିଗଲେ ମଞ୍ଜି ଗଜା ହୁଏ ନାହିଁ । ଶୀତଦିନେ ବାୟୁମଣ୍ଡଳର ଉତ୍ତାପ କମ ରହୁଥିବାରୁ ଗଛ ମଧ୍ୟ ଭଲ ବଢେ ନାହିଁ । ତେବେ ଆମ ରାଜ୍ୟରେ ଫେବୃୟାରୀ ଠାରୁ ଜୁନ ମାସ ପର୍ଯ୍ୟନ୍ତ ଓ ଅଗଷ୍ଟ ମାସଠାରୁ ଅକ୍ଟୋବର ମାସରେ ଭେଣ୍ଡି ଲଗାଯାଇପାରିବ । ଜୁଲାଇଠାରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ବର୍ଷା ହେଉଥିବାରୁ ଓ ଡିସେମ୍ବର-ଜାନୁୟାରୀ ମାସରେ ଶୀତ ହେଉଥିବାରୁ ଭେଣ୍ଡି ଭଲ ହୁଏ ନାହିଁ ।

ଜମି ଓ ମାଟି

ଭେଣ୍ଡି ପ୍ରାୟ ସବୁ ମାଟିରେ ଚାଷ କରାଯାଇପାରିବ । ତେବେ ଉର୍ବର ଦୋରସା ମାଟିରେ ଏହା ଭଲ ହୁଏ । ଧାନ ଅମଳ ପରେ ଖାଲି ବିଲମାନଙ୍କରେ ମଟାଳ ମାଟିରେ ଏହା ଭଲ ହୁଏ । ଧାନ ଅମଳ ପରେ ଖାଲି ବିଲମନଙ୍କରେ ମଟାଳ ମାଟିରେ ମଧ୍ୟ ଭେଣ୍ଡି ଚାଷ କରାଯାଇପାରେ । ଭେଣ୍ଡି ବିଲରେ ଅଧିକ ପାଣି ଜମିଗଲେ ଗଛ ମରିଯାଏ । ତେବେ ଗୋଟିଏ କଥା ମନେରଖିବା ଉଚିତ୍ ଯେ ସବୁ ପନିପରିବା ପରି ଭେଣ୍ଡି ଚାଷ ପାଇଁ ବିଲରେ ଯଥେଷ୍ଟ ପରିମାଣର ଖତ ଦେବା ଉଚିତ୍ । ଏକ ଏକର ବିଲରେ ୮ ରୁ ୧୦ ଗାଡି ଭଲ ଖତ ଦେଲେ ମାଟିର ଉର୍ବରତା ବଢିଥାଏ । ମଝିରେ ମଝିରେ ଭେଣ୍ଡିଚାଷ ପୂର୍ବରୁ ବିଲରେ ସବୁଜସାର ଫସଲ ଚାଷ କଲେ ମଧ୍ୟ ମାଟିରେ ଜୈବିକ ପଦାର୍ଥର ପରିମାଣ ବଢିଥାଏ ।

କିସମ

ଭେଣ୍ଡିରେ ଅନେକ ଉନ୍ନତ କିସମ ରହିଛି । ସେସବୁ ମଧ୍ୟରେ ପୁଷା ସାୱାନି, ବୈଶାଳୀ ବଧୁ, ପଞ୍ଜାବ ପଦ୍ମିନୀ, ଆର୍କା ଅନାମିକା, ଆର୍କା ଅଭୟ ଆଦି କିସମ ଚାଷ କରାଯାଇପାରିବ । ପରବାଣିକ୍ରାନ୍ତି ନାମକ ଉନ୍ନତ କିସମର ଭେଣ୍ଡିରେ ପତ୍ର ହଳଦିଆ ବା ସାହେବୀ ରୋଗ ହୁଏ ନାହିଁ । ଏହା ଉଭୟ ବର୍ଷା ଓ ଖରାଦିନେ ଚାଷ କରାଯାଇପାରିବ । ବର୍ଷାଦିନେ ଗଛ ୫ ରୁ ୬ ଫୁଟ ପର୍ଯ୍ୟନ୍ତ ଉଚ୍ଚ ହୋଇଥାଏ ଓ ଖରାଦିନେ ପ୍ରାୟ ୩ଫୁଟ ପର୍ଯ୍ୟନ୍ତ ଉଚ୍ଚ ହୁଏ । ଫଳଗୁଡିକ ବେଶ ବଡ ଓ ଖାଇବାକୁ ସ୍ଵାଦିଷ୍ଟ ।

ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରୁ ଉତ୍କଳ ଗୌରବ ନାମକ ଏକ ଉନ୍ନତ କିସମ ବାହାର କରାଯାଇଅଛି । ଏହି କିସମର ସାହେବୀ ରୋଗ ହୁଏ ନାହିଁ ।

ପୁଷା ସାୱାନୀ ସବୁ ଋତୁରେ ଚାଷ କରାଯାଇପାରେ । ପଞ୍ଜାବ ପଦ୍ମିନୀ ୫୫ ରୁ ୬୦ ଦିନରେ ଅମଳ ହୋଇଥାଏ ।

କେତେକ ଉନ୍ନତ ଭେଣ୍ଡି କିସମ

କିସମ

ଗୁଣାବଳୀ

ପୁଷା ସାୱାନୀ

ଅଧିକ ଅମଳକ୍ଷମ

ସିଲେକସନ-୨

ଅଧିକ ଅମଳକ୍ଷମ

ପଞ୍ଜାବ ପଦ୍ମିନୀ

ଅଧିକ ଅମଳକ୍ଷମ

ବୈଶାଳୀ ବଧୁ

ଅଧିକ ଅମଳକ୍ଷମ, ଏକାଧିକ ଶିରାଯୁକ୍ତ ଫଳ

ଉତ୍କଳ ଗୌରବ

ଅଧିକ ଅମଳକ୍ଷମ, ସାହେବୀ ରୋଗ ସହଣୀ ଶକ୍ତି ଅଛି

ପୁଷା ଏ-୪

ଫଳବିନ୍ଧା ପୋକ ସହଣୀ କ୍ଷମତା ଅଛି

ଆର୍କା ଅନାମିକା

ଅଧିକ ଅମଳ ଦିଏ, ସାହେବୀ ରୋଗ ସହଣୀ କ୍ଷମତା ଅଛି

ଆର୍କା ଅଭୟ

ସାହେବୀ ରୋଗ ସହଣୀ କ୍ଷମତା ଓ ଫଳବିନ୍ଧା ପୋକ ସହଣୀ କ୍ଷମତା ଅଛି

ପରବାଣି କ୍ରାନ୍ତି

ଅଧିକ ଅମଳକ୍ଷମ ଓ ସାହେବୀ ରୋଗ ସହଣୀ କ୍ଷମତା ଅଛି

 

ଚାଷ ପ୍ରଣାଳୀ

ଭେଣ୍ଡି ଚାଷ ପାଇଁ ଜମିକୁ ଭଲ ଭାବରେ ଚାଷ କରିବା ଦରକାର । ଲୁହା ଲଙ୍ଗଳରେ ଦୁଇରୁ ତିନିଥର ଚାଷ କରି ମଇଦେଇ ମାଟି ଗୁଣ୍ଡା କରିବା ଉଚିତ୍ । ପ୍ରଥମେ ଲୁହା ଲଙ୍ଗଳରେ ଚାଷକରି ଦୁଇରୁ ତିନିଥର ଚକ୍ରବିଦା ଚଳାଇଲେ ମାଟି ଗୁଣ୍ଡା ହୋଇଯାଏ ।

ଏକ ଏକର ପାଇଁ ବର୍ଷାଦିନେ ୫-୬ କିଲୋଗ୍ରାମ ମଞ୍ଜି ଦରକାର ହୋଇଥାଏ । ଲଗାଇବା ଦୂରତା ଅନୁସାରେ ବିହନ ପରିମାଣ କମ ବେଶୀ ହୋଇପାରେ । ଚାଷ ସମୟରେ ବିଲରେ ଏକର ପିଛା ୮ ରୁ ୧୦ ଗାଡି ସଢା ଗୋବର ଖତ ଦେଇ ମାଟିରେ ମିଶାଇ ଦେବା ଉଚିତ୍ । ଭେଣ୍ଡି ପାଇଁ ଏକର ପିଛା ପ୍ରାୟ ୩୨ କିଲୋଗ୍ରାମ ଯବକ୍ଷାର, ୧୬କିଲୋଗ୍ରାମ ଫସଫରସ ଓ ୧୬କିଲୋଗ୍ରାମ ପଟାସ ଖାଦ୍ୟସାର ଆବଶ୍ୟକ ହୋଇଥାଏ । ଏହି ପରିମାଣର ଖାଦ୍ୟସାର ପାଇବା ପାଇଁ ଏକର ପିଛା ୭୦କିଲୋଗ୍ରାମ ୟୁରିୟା ବା ୧୨୮କିଲୋଗ୍ରାମ କାଲସିୟମ ଆମୋନିଆ ନାଇଟ୍ରେଟ, ୧୦୦କିଲୋଗ୍ରାମ ସିଙ୍ଗଲ ସୁପର ଫସଫେଟ ଓ ୨୭କିଲୋଗ୍ରାମ ମ୍ୟୁରେଟ ଅଫ ପଟାସ ସାର ଆବଶ୍ୟକ ହୋଇଥାଏ । ଏହି ସାରରୁ ସବୁତକ ଫସଫରସ ଓ ପଟାସ ମଞ୍ଜି ଲଗାଇବା ପୂର୍ବରୁ ସିଆରରେ ଦେଇ ଲଗାଯାଏ । ଆବଶ୍ୟକ ହେଉଥିବା ଯବକ୍ଷାର ଜାତୀୟ ସାରର ଅଧେ ଗଛ ଲଗାଇବା ସମୟରେ ଓ ଆଉ ଅଧେକ ଗଛ ଉଠିବାର ୩ସପ୍ତାହ ପରେ ଦେବା ଉଚିତ୍ । ମୂଳସାର ହିସାବରେ ବିହନ ବୁଣାବେଳେ ୩୫କିଲୋଗ୍ରାମ ଡିଏପି, ୨୭କିଲୋଗ୍ରାମ ମ୍ୟୁରେଟ ଅଫ ପଟାସ ଓ ୨୧କିଲୋଗ୍ରାମ ୟୁରିୟା ପ୍ରୟୋଗ କରାଯାଇପାରେ । ଏହା ବଦଳରେ ହିସାବ କରି ଅନ୍ୟାନ୍ୟ ସାର ମଧ୍ୟ ପ୍ରୟୋଗ କରାଯାଇପାରିବ ।

ଧାଡିକୁ ଧାଡି ୬୦ ସେଣ୍ଟିମିଟର ଓ ଗଛକୁ ଗଛ ୨୫-୩୦ ସେଣ୍ଟିମିଟର ବ୍ୟବଧାନରେ ମଞ୍ଜି ଲଗାଇବା ଉଚିତ୍ । ଲଗାଇବା ପୂର୍ବରୁ ମଞ୍ଜିକୁ ଥିରାମ ବା କାର୍ବେଣ୍ଡାଜିମ ସହିତ ଗୋଳାଇ ବିଶୋଧନ କରାନ୍ତୁ । ପ୍ରତି ଏକ କିଲୋଗ୍ରାମ ମଞ୍ଜିପାଇଁ ୩ଗ୍ରାମ ହିସାବରେ ଥିରାମ ବା ଦେଢଗ୍ରାମ କାର୍ବେଣ୍ଡାଜିମ ବ୍ୟବହାର କରନ୍ତୁ ।

ଗଛ ଉଠିବାର ୩ସପ୍ତାହ ପରେ ବିଲକୁ ବଛାବଛି କରି ଅବଶିଷ୍ଟ ଯବକ୍ଷାର ଜାତୀୟ ସାର ଦେଇ ହୁଡା ଟେକି ଦିଅନ୍ତୁ । ଏହି ସମୟରେ ଏକର ପ୍ରତି ୩୫ କିଲୋଗ୍ରାମ ୟୁରିୟା ପ୍ରୟୋଗ କରିବା ଦରକାର ।

ବର୍ଷାଦିନେ ପ୍ରାୟ ପାଣି ମଡାଇବା ଆବଶ୍ୟକ ହୁଏ ନାହିଁ । କିନ୍ତୁ ଖରାଦିନେ ପ୍ରତି ସପ୍ତାହରେ ଥରେ ପାଣି ମଡାଇବା ଆବଶ୍ୟକ ହୋଇଥାଏ । ଭେଣ୍ଡି ଲଗାଇବା ବେଳେ ବିଲରେ ପାଗ ଥାଇ ମଞ୍ଜି ଲଗାଇବା ଉଚିତ୍ ।

ଅମଳ

ଭେଣ୍ଡି ଖରାଦିନେ ପ୍ରାୟ ୩୦ ଦିନ ପରେ ଓ ବର୍ଷାଦିନେ ଦେଢମାସ ପରେ ଫଳିବାକୁ ଆରମ୍ଭ କରେ । ଫଳ ଆସିବାର ୫ ରୁ ୬ ଦିନ ଭିତରେ ଫଳଗୁଡିକ ତୋଳିବା ଉପଯୋଗୀ ହୋଇଥାଏ । ଭଲଭାବରେ ଚାଷ କଲେ ଭେଣ୍ଡିରୁ ଏକର ପିଛା ପ୍ରାୟ ୩୦ ରୁ ୪୦ କୁଇଣ୍ଟାଲ ପର୍ଯ୍ୟନ୍ତ ଅମଳ ହୋଇଥାଏ । ପରବାଣୀକ୍ରାନ୍ତି କିସମର ଏକର ପିଛା ୫୦କ୍ଵିଣ୍ଟାଲ ପର୍ଯ୍ୟନ୍ତ ମଧ୍ୟ ଅମଳ ମିଳିପାରିବ । ମଞ୍ଜିପାଇଁ ଭେଣ୍ଡି ଚାଷକଲେ ଏକ ଏକରରୁ ପ୍ରାୟ ୩-୪ କ୍ଵିଣ୍ଟାଲ ମଞ୍ଜି ମିଳିଥାଏ । ତେବେ ଫଳଗୁଡିକ ଭଲଭାବରେ ଶୁଖିଗଲେ ତାହାକୁ ମଞ୍ଜି ପାଇଁ ଅମଳ କରିବା ଆବଶ୍ୟକ ।

ସାଧାରଣତଃ ଏକ ଏକର ଭେଣ୍ଡି ଚାଷ କରିବା ପାଇଁ ପ୍ରାୟ ୧୨୦୦୦ ଟଙ୍କା ଖର୍ଚ୍ଚ ହୋଇଥାଏ । ଯଦି ହାରାହାରି ୩୦କ୍ଵିଣ୍ଟାଲ ଭେଣ୍ଡି ମିଳେ ତେବେ କ୍ଵିଣ୍ଟାଲ ପିଛା ୮୦୦ଟଙ୍କାରେ ବିକିଲେ ୨୪୦୦୦ ଟଙ୍କା ମିଳିପାରିବ । ଚାଷ ଖର୍ଚ୍ଚ ବାଦ୍ ଗଲେ ଲାଭ ହେବ ୧୨୦୦୦ ଟଙ୍କା ।

ରୋଗ ଓ ପୋକ

ଭେଣ୍ଡିରେ ହଲଦିଗୁଣ୍ଡି ପୋକ ଲାଗି ପତ୍ରରୁ ରସ ଶୋଷି ନିଅନ୍ତି । ଅନେକ ସମୟରେ ଫଳବିନ୍ଧା ଓ ପତ୍ରପୋଡା ପୋକ ମଧ୍ୟ ଫସଲର କ୍ଷତି କରିଥାନ୍ତି । ଏହି ପୋକମାନଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଏକର ପିଛା ୪୦୦ମିଲିଲିଟର (୧ଲିଟର-୧୦୦୦ମିଲିଲିଟର) ହିସାବରେ ମାଲାଥିଅନ ଔଷଧ ପକାଇବା ଉଚିତ୍ । ଏହା ଛଡା କାର୍ବାରିଲ ୦.୨% ବା ଡାଇକ୍ଳୋରୋଫସ ୦.୦୫% ସ୍ପ୍ରେ କରିବା ଦରକାର ।

ଭେଣ୍ଡି ଗଛରେ ପତ୍ର ହଳଦିଆ ପଡିଯାଏ ଯାହାକୁ ସାହେବୀ ରୋଗ କହନ୍ତି । ପରବାଣିକ୍ରାନ୍ତି, ଉତ୍କଳଗୌରବ ଓ ଆର୍କା ଅନାମିକା କିସମର ଏହି ରୋଗ ପ୍ରାୟ ହୁଏ ନାହିଁ । ଏହି ରୋଗର ଭୂତାଣୁ ଧଳାମାଛି ଦ୍ଵାରା ପରିବାହିତ ହୋଇଥାଏ । ଧଳାମାଛି ଦମନ ପାଇଁ ଉପର ବର୍ଣ୍ଣିତ କୀଟନାଶକ ଔଷଧ ପ୍ରୟୋଗ କରିବା ଆବଶ୍ୟକ । ଔଷଧ ପକାଇବା ପରେ ୭ଦିନ ପର୍ଯ୍ୟନ୍ତ ଫଳ ତୋଳିବା ଉଚିତ୍ ନୁହେଁ ।

ମନେ ରଖନ୍ତୁ

  • ଖରା ଓ ବର୍ଷା ଋତୁରେ ଭେଣ୍ଡି ଚାଷ କରାଯାଇପାରିବ ।
  • ବର୍ଷାଦିନେ ଢିପ ବା ମଝାଳିଆ ଜମିରେ ଭେଣ୍ଡି ଚାଷ ହୋଇପାରିବ ।
  • ଅଧିକ ଅମଳ ପାଇବା ପାଇଁ ଭଲ ବିହନ ବ୍ୟବହାର କରିବା ଉଚିତ୍ । ଉତ୍କଳଗୌରବ, ଆର୍କା ଅନାମିକା ପ୍ରଭୃତି ବିହନ ଲଗାନ୍ତୁ ।
  • ବିଲକୁ ଭଲ ଭାବରେ ଚାଷ କରନ୍ତୁ ଓ ଚାଷ ବେଳେ ୮ ରୁ ୧୦ ଗାଡି ଖତ ଦିଅନ୍ତୁ ।
  • ଅଧିକ ଅମଳ ପାଇବା ପାଇଁ ଯବକ୍ଷାର, ଫସଫରସ ଓ ପଟାସ ଜାତୀୟ ସାର ବ୍ୟବହାର କରନ୍ତୁ ।
  • ମାଟିର ବତର ଦେଖି ଠିକ୍ ସମୟରେ ପାଣି ଦିଅନ୍ତୁ ।
  • ରୋଗ ଓ ପୋକ ଦେଖାଯିବା ମାତ୍ରକେ ତାହାର ପ୍ରତିକାର କରନ୍ତୁ ।

ଶାଗ

ଶାଗ ଏକ ରୁଚିକର ଖାଦ୍ୟ । ଶାଗରେ ବିଭିନ୍ନ ପ୍ରକାରର ଧାତବ ଲବଣ ଥିବାରୁ ତାହା ସ୍ୱାସ୍ଥ୍ୟ ପକ୍ଷେ ଖୁବ୍ ଉପକାରୀ । ପ୍ରତିଦିନ ଆବଶ୍ୟକ ପରିମାଣରେ ଶାଗ ଖାଇଲେ ଝାଡା ପରିଷ୍କାର ହୁଏ । ଅନେକ ସବୁଜ ଶାଗରେ କ୍ୟାରୋଟିନ ଥାଏ ଯାହାକି ଦେହ ଭିତରେ ଭିଟାମିନ ଏ ରେ ପରିଣତ ହୋଇଥାଏ । ବୈଜ୍ଞାନିକମାନଙ୍କ ମତରେ ଶାଗରେ ଭିଟାମିନ ଏ, ବି, ସି, କେ, ଚୂନ, ଲୌହ, ପଟାସ, ଫସଫରସ ପ୍ରଭୃତି ଧାତବ ଲବଣ ମଧ୍ୟ ରହିଥାଏ ।

ଶାଗ ଫସଲକୁ ଅମଳ ପରେ ପରେ ଖାଦ୍ୟ ପାଇଁ ବ୍ୟବହାର କରିବା ଉଚିତ୍ । ଶାଗକୁ କାଟି ଅଧିକ ସମୟ ରଖିଲେ ତହିଁରୁ ଭିଟାମିନ ବି ନଷ୍ଟ ହୋଇଯାଏ । ଅଧିକ ଶିଝାଇ ଦେଲେ ଶାଗରୁ ଖାଦ୍ୟସାର ନଷ୍ଟ ହୋଇଯାଏ । ପ୍ରତ୍ୟେକ ଲୋକ ପ୍ରତିଦିନ କିଛି ନା କିଛି ଶାଗ ଖାଇବା ଉଚିତ୍ ।

ଆମ ରାଜ୍ୟରେ ଖଡା, କୋଶଳା, ଲେଉଟିଆ, ବଥୁଆ, ପୋଇ, ମେଥି ପ୍ରଭୃତି ଶାଗଚାଷ କରାଯାଇଥାଏ । ଖରାଦିନେ ଖଡା, ଲେଉଟିଆ, ପୋଇ ଓ ଶୀତଦିନେ କୋଶଳା, ବଥୁଆ, ପାଳଙ୍ଗ ମୁଖ୍ଯତଃ ଚାଷ ହୋଇଥାଏ । ସଜନା ଶାଗ ମଧ୍ୟ ଚାଷ କରାଗଲାଣି ।

ପଞ୍ଜାବ ଓ ଉତ୍ତର ପ୍ରଦେଶରେ ସୋରିଷକୁ ମଧ୍ୟ ଶାଗ ପାଇଁ ଚାଷ କରାଯାଏ । ଗରିବ ଲୋକମାନଙ୍କ ପାଇଁ ଶାଗ ଏକ ଆଶୀର୍ବାଦ କହିଲେ ଅତ୍ୟୁକ୍ତି ହେବନାହିଁ ।

ଚାଷ ପ୍ରଣାଳୀ

ଢିପ ଓ ନିଗିଡା ମାଟିରେ ଶାଗ ଭଲ ହୁଏ । ବିଲରେ ପାଇ ଜମି ରହିଲେ ଶାଗ ଫସଲ ଭଲ ହୁଏ ନାହିଁ । ଦୋରସା ମାଟି ଶାଗ ପାଇଁ ଖୁବ ଉପଯୁକ୍ତ । ତେବେ ଶାଗ ଫସଲ ପ୍ରଚୁର ଖତ ଆବଶ୍ୟକ କରେ ।

ଶାଗ ପାଇଁ ବିଲକୁ ଭଲ ଭାବରେ ଚାଷ କରି ମାଟି ଗୁଣ୍ଡ କରିଦେବା ଉଚିତ୍ । ଲୁହା ଲଙ୍ଗଳରେ ଏକ ବା ଦୁଇ ଓଡ ଚାଷକରି ପରେ ଚକଲଙ୍ଗଳ ସାହାଯ୍ୟରେ ଚାଷ କଲେ ମାଟି ଗୁଣ୍ଡ ହୋଇଯାଏ । ଚାଷ ସମୟରେ ଜମିରେ ଖତ ଦେଲେ ତାହା ମାଟିରେ ଭଲ ଭାବରେ ମିଶିଯାଏ । ଶାଗ ବୁଣିବା ପୂର୍ବରୁ ବିଲରେ ମଇ ଦେଇ ମାଟିକୁ ସମତଳ କରିଦେବା ଉଚିତ୍ । ତାପରେ ସୁବିଧା ଦେଖି ପ୍ରତି ୧୦ଫୁଟ ଚଉଡାରେ ବିଲରେ ସିଆର ଟାଣି ଦେବା ଆବଶ୍ୟକ । ପରେ ଏହି ସିଆର ଦେଇ ଶାଗ ଫସଲରେ ପାଣି ଦିଆଯାଇ ପାରିବ ।

ସାଧାରଣତଃ ଖଡା, କୋଶଳା, ଲେଉଟିଆ ପାଇଁ ଏକର ପ୍ରତି ୨ ରୁ ୩ କିଲୋଗ୍ରାମ ପର୍ଯ୍ୟନ୍ତ ମଞ୍ଜି ଦରକାର ହୋଇଥାଏ । ବିହନକୁ ଥିରାମ ସହ ମିଶାଇ ବିଶୋଧନ କରିଦେବା ଉଚିତ୍ ।

ଶାଗ ବୁଣିବା ସମୟ

ଖଡା ଶାଗ ବର୍ଷର ବାରମାସ ଯାକ ଚାଷ କରାଯାଇପାରିବ । ଲେଉଟିଆ ଶାଗ ଖରାଦିନେ ଓ କୋଶଳା ଶାଗ ନଭେମ୍ବର ଠାରୁ ମାର୍ଚ୍ଚ ପର୍ଯ୍ୟନ୍ତ ଚାଷ କରାଯାଇ ପାରିବ । ବଥୁଆ, ପାଳଙ୍ଗ, ସୋରିଷ ଶାଗ ମଧ୍ୟ ନଭେମ୍ବର ଠାରୁ ଜାନୁୟାରୀ ଭିତରେ ବୁଣାଯାଇ ପାରିବ । ପୋଇ ଖରା, ବର୍ଷା ଓ ଶୀତ ସବୁ ସମୟରେ ଚାଷ କରାଯାଇ ଥାଏ । ତେବେ ଖରାଦିନେ ବିଲରେ ଅଧିକ ପରିମାଣରେ ପୋଇ ଚାଷ କରାଯାଏ ଓ ଏଥିରୁ ଅଧିକ ଲାଭ ମିଳିଥାଏ ।

ଧନିଆ ଓ ପୋଦିନା ସାଧାରଣତଃ ଚଟଣି ପାଇଁ ବ୍ୟବହାର କରାଯାଏ । ଧନିଆ ମଟାଳ ବା ଦୋରସା ମାଟିରେ ଭଲ ହୁଏ, କିନ୍ତୁ ପୋଦିନା ବାଲିଆ ମାଟିରେ ଭଲ ହୋଇଥାଏ ।

ମଞ୍ଜି ବୁଣି ସାରିବା ପରେ ମାଟିକୁ ମଇ ଦେଇ ତାହାକୁ ଘୋଡେଇ ଦେବା ଦରକାର । ଗଛ ଉଠିବାର ସପ୍ତାହେ ପରେ ବିଲରୁ ଘାସ ବାଛି ଆବଶ୍ୟକ ଅନୁସାରେ ପାଣି ଦେବା ଉଚିତ୍ । ଶାଗ ଫସଲ ପାଇଁ ଶୀତ ଓ ଖରାଦିନେ ପ୍ରାୟ ପ୍ରତି ସପ୍ତାହରେ ଥରେ ଲେଖାଏଁ ପାଣି ଦେବା ଦରକାର ହୋଇଥାଏ ।

ଖତସାର ପ୍ରୟୋଗ

ଶାଗ ବୁଣିବା ପୂର୍ବରୁ ଏକର ପିଛା ୨୦କିଲୋଗ୍ରାମ ଯବକ୍ଷାର, ୧୬କିଲୋଗ୍ରାମ ଫସଫରସ ଓ ୧୨କିଲୋଗ୍ରାମ ପଟାସ ସାର ଦେଇ ବୁଣିବା ଉଚିତ୍ । ଏହି ସାର ପାଇବା ପାଇଁ ଏକର ପିଛା ୪୪କିଲୋଗ୍ରାମ ୟୁରିୟା, ୧୦୦ କିଲୋଗ୍ରାମ ସିଙ୍ଗଲ ସୁପର ଫସଫେଟ ଓ ୨୦କିଲୋଗ୍ରାମ ମ୍ୟୁରେଟ ଅଫ ପଟାସ ସାର ଆବଶ୍ୟକ । ଏହା ବଦଳରେ ହିସାବ କରି ଅନ୍ୟାନ୍ୟ ସାର ପ୍ରୟୋଗ କରାଯାଇପାରେ । ସବୁ ଫସଫରସ, ଅଧା ଯବକ୍ଷାର ଓ ଅଧା ପଟାସକୁ ମୂଳସାର ହିସାବରେ ଦେବାକୁ ହେବ । ମାଟିରେ ପାଗ ଥାଇ ଶାଗ ମଞ୍ଜି ବୁଣିବା ଉଚିତ୍ । ତେଣୁ ପାଗ ନଥିଲେ ବୁଣିବା ପୂର୍ବରୁ ବିଲରେ ବିଲରେ ପାଣି ମଡେଇ ପାଗ କରି ମଞ୍ଜି ବୁଣିବା ଉଚିତ୍ । ଶାଗ ମଞ୍ଜି ଛୋଟ ଛୋଟ ହୋଇଥିବା ହେତୁ ତାହାକୁ ଗୁଣ୍ଡ ଖତ ବା ମାଟି ସହିତ ମିଶାଇ କରି ବୁଣାଯାଇପାରେ । ବୁଣିବାର ୧୫ ଦିନ ପରେ ଅବଶିଷ୍ଟ ଯବକ୍ଷାର ଓ ପଟାସ ସାର ପ୍ରୟୋଗ କରିବା ଉଚିତ୍ ।

ପ୍ରାୟ ୨୫ ରୁ ୩୦ଦିନ ଭିତରେ ଖଡା ଓ କୋଶଳା ଶାଗ ଅମଳ ପାଇଁ ଉପଯୁକ୍ତ ହୋଇଥାଏ । ଲେଉଟିଆ ଶାଗ ୨୫ ରୁ ୩୦ଦିନ ମଧ୍ୟରେ କାଟିବା ପାଇଁ ଉପଯୁକ୍ତ ହୋଇଥାଏ । ଏହା ପ୍ରତି ୧୦ ରୁ ୧୫ ଦିନରେ ଥରେ ଲେଖାଏଁ କଟାଯାଇପାରେ ।

ଆଜିକାଲି ଅନେକ ଲୋକ ଉନ୍ନତ ପ୍ରଣାଳୀରେ ସଜନା ଚାଷ କରୁଛନ୍ତି । ଏଥିପାଇଁ ପିକେଏମ-୧, ପିକେଏମ-୨, ପୁନାମୁରୁଙ୍ଗାଇ, କୋଡିକାଲ ମୁରୁଙ୍ଗାଇ ଆଦି କିସମ ଚାଷ କରାଯାଇପାରିବ । ବିହନ ଦ୍ଵାରା ବା ଡାଳଖଣ୍ଡ ସାହାଯ୍ୟରେ ସଜନାର ବଂଶ ବିସ୍ତାର କରାଯାଇ ପାରିବ । ଧାଡିକୁ ଧାଡି ୩ ରୁ ୫ ମିଟର ଓ ଗଛକୁ ଗଛ ୩ ରୁ ୫ ମିଟର ଦୂରତାରେ ଗଛ ଲଗାଇବାକୁ ହେବ । ବର୍ଷାଋତୁ  ଆରମ୍ଭରେ ସଜନା ଲଗାଯିବ । ତେବେ ମଞ୍ଜିରୁ ଚାରା କରି ଲଗାଉଥିଲେ ଅନ୍ୟାନ୍ୟ ସମୟରେ ମଧ୍ୟ ଲଗାଯାଇପାରିବ ।

ଶାଗ ଚାଷ ବିଷୟରେ କେତେକ ଜାଣିବା କଥା

  • ନିଗିଡା ଦୋରସା ମାଟିରେ ଶାଗ ଚାଷ କରନ୍ତୁ ।
  • ବିଲକୁ ଭଲ ଭାବରେ ଚାଷ କରି ମାଟିକୁ ଗୁଣ୍ଡ କରି ଦିଅନ୍ତୁ ।
  • ବିଲରେ ପ୍ରଚୁର ପରିମାଣରେ ଖତ ଦିଅନ୍ତୁ ।
  • ପାଣିଦେବା, ଘାସ ବାଛିବା ଓ ଅମଳ କରିବା ପାଇଁ ବିଲକୁ ସୁବିଧା ଅନୁସାରେ ପଟି ପଟି କରି ଦିଅନ୍ତୁ ।
  • ସବୁବେଳେ ମାଟିରେ ପାଗ ଥିଲାବେଳେ ମଞ୍ଜି ବୁଣି ମଇଦେଇଦିଅନ୍ତୁ ।
  • ବିକ୍ରି କରିବାର ଅଳ୍ପ ସମୟ ପୂର୍ବରୁ ବିଲରୁ ଶାଗ କାଟି ବଜାରକୁ ନିଅନ୍ତୁ ।

ଆଧାର: ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ଵର-୩

2.82352941176
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top