ସେଆର କରନ୍ତୁ

ପନିପରିବା ଚାଷ (ପଞ୍ଚମ ପାଠ)

ଏଠାରେ ବିଲାତି ବାଇଗଣ ଓ ଆଳୁ ସମ୍ବନ୍ଧରେ ବିସ୍ତ୍ରୁତ ଭାବରେ ବର୍ଣ୍ଣନା କରାଯାଇଅଛି ।

ବିଲାତିବାଇଗଣ

ବିଲାତିବାଇଗଣ ପୃଥିବୀର ପ୍ରାୟ ସବୁ ଅଞ୍ଚଳରେ ଏକ ମୁଖ୍ୟ ପରିବା ରୂପେ ଚାଷ କରାଯାଇଥାଏ । ଆଳୁ ଓ କନ୍ଦମୂଳକୁ ଛାଡିଦେଲେ ପରିବା ରୂପେ ଚାଷ କରାଯାଇଥାଏ । ଆଳୁ ଓ କନ୍ଦମୂଳକୁ ଛାଡିଦେଲେ ପରିବା ହିସାବରେ ଏହାର ସ୍ଥାନ ତୃତୀୟ । ବିଭିନ୍ନ ପ୍ରକାର ଖାଦ୍ୟ ପାଇଁ ଏହା ବ୍ୟବହୃତ ହୁଏ । ଆଜିକାଲି ବିଲାତିବାଇଗଣରୁ ରସ ବାହାର କରାଯାଇ ବ୍ୟବସାୟିକ ଭିତ୍ତିରେ ବିକ୍ରୟ କରାଯାଉଅଛି ।

ବୈଜ୍ଞାନିକମାନଙ୍କ ମତରେ ଏହି ଫସଲ ମେକସିକୋ ଓ ଦକ୍ଷିଣ ଆମେରିକାର ମେରୁ ଅଞ୍ଚଳରେ ଚାଷ ହେଉଥିଲା । ସେଠାରୁ ଏହା ସ୍ପେନର ନାବିକମାନଙ୍କ ଦ୍ଵାରା ଇଉରୋପକୁ ଆସିଥିଲା । ପର୍ତ୍ତୁଗୀଜ ବଣିକମାନଙ୍କ ଦ୍ଵାରା ବିଲାତିବାଇଗଣ ଭାରତକୁ ଆସିଥିଲା ବୋଲି ଜଣାଯାଏ ।

ଖାଦ୍ୟ ମୂଲ୍ୟ

ବିଲାତିବାଇଗଣ ଏକ ସୁସ୍ଵାଦୁ ଓ ପୁଷ୍ଟିକର ଖାଦ୍ୟ । ଏଥିରେ ଶତକଡା ୧.୯ ଭାଗ ପୁଷ୍ଟିସାର, ୩.୬ ଭାଗ ଶ୍ଵେତସାର ଥାଏ । ଏହାଛଡା କାଲସିୟମ, ମ୍ୟାଗ୍ନେସିୟମ, ଲୌହ, ଫସଫରସ ଆଦି ଧାତବ ଲବଣ ମଧ୍ୟ ରହିଥାଏ । ଏଥିସହିତ ଭିଟାମିନ ଏ, ବି, ସି ମଧ୍ୟ ବିଲାତିବାଇଗଣ ରେ ରହିଥାଏ ।

କିସମ

ଅନେକ କିସମର ବିଲାତିବାଇଗଣ ଆମ ଦେଶରେ ଚାଷ କରାଯାଇଥାଏ । କିନ୍ତୁ ଗଛର ବଢିବା ଅନୁସାରେ ସେମାନଙ୍କୁ ମୁଖ୍ୟତଃ ଦୁଇଟି ଭାଗରେ ବିଭକ୍ତ କରାଯାଇଅଛି । ପ୍ରଥମଟି ହେଲା ଡିଟରମିନେଟ ବା ନିର୍ଦ୍ଧାରକ ପ୍ରକାର । ଏହି କିସମଗୁଡିକର ଉଚ୍ଚତା କମ୍ ।ଫୁଲ ଗୁଡିକ ପେନ୍ଥା ପେନ୍ଥା ଫୁଟେ ଓ ଡାଳର ଶେଷ ମୁଣ୍ଡରେ ଫୁଲ ଫୁଟୁଥିବାରୁ ଡାଳ ଆଉ ବଢେ ନାହିଁ । ତେଣୁ ଏହିସବୁ କିସମର ଫଳ ଏକାଥରକେ ଧରିଥାଏ । ଏହି କିସମଗୁଡିକ ସାଧାରଣତଃ ଅଳ୍ପ ଦିନରେ ଅମଳ ହୋଇଥାଏ ।

ଦ୍ଵିତୀୟ ପ୍ରକାର କିସମକୁ ଇନଡିଟରମିନେଟ ବା ଅନିର୍ଦ୍ଧାରକ କୁହାଯାଏ । ଏହି ଗଛର ଉଚ୍ଚତା ଅଧିକ । ଗଛ ବଢିବା ସଙ୍ଗେ ସଙ୍ଗେ ଫୁଲ ଓ ଫଳ ଧରିଥାଏ । ଏଗୁଡିକ ବିଳମ୍ବରେ ପାଚେ । ଏଥିରେ ଥର ଥର କରି ଅନେକ ଦିନ ଫଳ ଆସିଥାଏ ।

ବିଲାତିବାଇଗଣର ଫୁଲ ପେନ୍ଥା ପେନ୍ଥା ହୋଇ ଧରେ ଓ ପ୍ରତି ପେନ୍ଥାରେ ୨ ରୁ ୨୬ ଟି ପର୍ଯ୍ୟନ୍ତ ଫୁଲ ଫୁଟିଥାଏ । ସେହିପରି ଗୋଟିଏ ପେନ୍ଥାରେ ୨ ରୁ ୨୦ ଟି ପର୍ଯ୍ୟନ୍ତ ଫଳ ଧରିବାର ଦେଖାଯାଏ । ପରୀକ୍ଷାରୁ ଜଣାଯାଇଅଛି ଯେ, କେତେକ ବିଲାତିବାଇଗଣ ଗଛର ପ୍ରାୟ ୭୦୦ ରୁ ୮୦୦ ପର୍ଯ୍ୟନ୍ତ ଫଳ ଧରିଥାଏ ।

ଆମ ରାଜ୍ୟ ପାଇଁ ଉପଯୁକ୍ତ କିସମ ଗୁଡିକର ନାମ ତଳେ ଦିଆଗଲା ।

କିସମ

ଫଳର ଆକାର

କେତେ ଦିନରେ ଅମଳ ହୁଏ

ଅନ୍ୟାନ୍ୟ ଗୁଣ

ନିର୍ଦ୍ଧାରକ ପ୍ରକାର

୧। ଉତ୍କଳ ପଲ୍ଲବୀ

ଛୋଟରୁ ମଧ୍ୟମ

୮୫ ରୁ ୯୦ ଦିନ

ଝାଉଁଳା ରୋଗ ନିରୋଧକ, ସଅଳ କିସମ, ଫଳବିନ୍ଧା ପୋକର ସହଣୀ ଶକ୍ତି ଅଛି । ମାଂସାଳ, ଫଳ ପାଚିଗଲେ ଫାଟିଯାଏ ନାହିଁ, ଫଳ ପାଚିଗଲା ପରେ ବହୁତ ଦିନ ପର୍ଯ୍ୟନ୍ତ ରଖାଯାଇ ପାରେ ।

୨। ପଞ୍ଜାବ ଛୁଆର

ଛୋଟରୁ ମଧ୍ୟମ

୯୦ ରୁ ୯୫ ଦିନ

ଫଳ ପାଚିଗଲା ପରେ ମଧ୍ୟ ବହୁତ ଦିନ ପର୍ଯ୍ୟନ୍ତ ରଖାଯାଇ ପାରେ । ଦୂର ସ୍ଥାନକୁ ପଠାଇଲେ ନଷ୍ଟ ହୁଏ ନାହିଁ ।

୩। ଉତ୍କଳଦୀପ୍ତି

ଛୋଟରୁ ମଧ୍ୟମ

୮୦ ରୁ ୯୫ ଦିନ

ଝାଉଁଳା ରୋଗ ନିରୋଧକ, ସଅଳ କିସମ, ମାଂସାଳ, ଗୋଲ, ସଅଳ ଓ ବିଳମ୍ବରେ ଚାଷ କଲେ ମଧ୍ୟ ଭଲ ଅମଳ ମିଳେ ।

ଅନିର୍ଦ୍ଧାରକ ପ୍ରକାର

୧। ଶକ୍ତି

ମଧ୍ୟମ

୧୦୦ ରୁ ୧୦୫ ଦିନ

ଝାଉଁଳା ରୋଗ ପ୍ରତିରୋଧକ କିସମ ।

୨। ଅର୍କ ସୌରଭ

ମଧ୍ୟମ

୧୦୦ ରୁ ୧୦୫ ଦିନ

ମାଂସଳ, ପାଚିଗଲେ ଫଳ ଫାଟେନାହିଁ ।

୩। ଅର୍କ ବିକାଶ

ମଧ୍ୟମରୁ ବଡ

୧୦୦ ରୁ ୧୦୫ ଦିନ

ମାଂସଳ, ପାଚିଗଲେ ଫଳ ଫାଟେନାହିଁ ।

୪। ପୁଷାରୁବି

ଛୋଟରୁ ମଧ୍ୟମ

୯୦ ରୁ ୯୫ ଦିନ

ରସାଳିଆ, ସଅଳ କିସମ ।

୫। ଉତ୍କଳ କୁମାରୀ

ମଧ୍ୟମରୁ ବଡ

୯୦ ରୁ ୯୫ ଦିନ

ଝାଉଁଳା ରୋଗ ନିରୋଧକ, ଗୋଲ, ଅଧିକ ଅମଳକ୍ଷମ ।

୬। ଉତ୍କଳ ଉର୍ବଶୀ

ମଧ୍ୟମ ଆକାର

୧୦୦ ରୁ ୧୦୫ ଦିନ

ଝାଉଁଳା ରୋଗ ନିରୋଧକ କିସମ, ଲମ୍ବାଳିଆ, ମାଂସଳ, ଫଳ ପାଚିଗଲା ପରେ ମଧ୍ୟ ଅଧିକ ଦିନ ପର୍ଯ୍ୟନ୍ତ ରଖାଯାଇପାରେ । ଅଧିକ ଅମଳକ୍ଷମ ।

୭। ଉତ୍କଳ ରାଜା

ମଧ୍ୟମରୁ ବଡ

୯୫ ରୁ ୧୦୦ ଦିନ

ଝାଉଁଳା ରୋଗ ନିରୋଧକ କିସମ, ଗୋଲ, ଗାଢ ଲାଲ, ଅଧିକ ଅମଳକ୍ଷମ ।

 

ଏକ ଏକର ଜମିରେ ବିଲାତିବାଇଗଣ ଚାଷ କରିବା ପାଇଁ ଆବଶ୍ୟକ ସାମଗ୍ରୀ ।

  • ମଞ୍ଜି-୨୦୦ ଗ୍ରାମ

(ପ୍ରାୟ ୧ ଏକର ଜମି ପାଇଁ : ୧୨୫୦୦୦ ରୁ ୧୫୦୦୦ ପର୍ଯ୍ୟନ୍ତ ତଳି ଆବଶ୍ୟକ ହୋଇଥାଏ । )

  • ଖତ – ୧୦ ଗାଡି
  • ସାର – ଯବକ୍ଷାର ଜାତୀୟ ସାର – ୟୁରିୟା ୮୭ କିଲୋଗ୍ରାମ ବା କାଲସିୟମ ଆମୋନିଅମ ନାଇଟ୍ରେଟ ୧୬୦ କିଲୋଗ୍ରାମ । ଫସଫରସ ଜାତୀୟ ସାର – ସିଙ୍ଗଲ ସୁପର ଫସଫେଟ – ୧୨୫ କିଲୋଗ୍ରାମ ପଟାସ ଜାତୀୟ ସାର – ମ୍ୟୁରେଟ ଅଫ ପଟାସ- ୭୦ କିଲୋଗ୍ରାମ ।
  • ମଞ୍ଜି ବିଶୋଧନ ପାଇଁ ଥିରାମ, କ୍ୟାପଟାନ ବା ଏମିସାନରୁ ୩ଗ୍ରାମ, ଆଗ୍ରୋମାଇସିନ ବା ପ୍ଲାଣ୍ଟୋମାଇସିନ ୧ଗ୍ରାମ ।
  • ରୋଗ ଓ ପୋକ ଦେଖାଦେଲେ ସେଥିପାଇଁ ଆବଶ୍ୟକୀୟ ଔଷଧ ।

ଚାଷ ପ୍ରଣାଳୀ

ବିଲାତିବାଇଗଣ ଏକ ଶୀତଦିନିଆ ଫସଲ । କିନ୍ତୁ ଆମର ପାହାଡିଆ ଅଞ୍ଚଳରେ ବର୍ଷାଦିନେ ମଧ୍ୟ ଏହା ଚାଷ କରାଯାଇପାରେ । ପୁରୀ, ଗଞ୍ଜାମ, ବାଲେଶ୍ଵର, କଟକ ପ୍ରଭୃତି ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷାଦିନେ ଲଗାଇଲେ ଏଥିରେ ଫୁଲ ଧରେ । କିନ୍ତୁ ଦିନବେଳା ଗରମ ହେଉଥିବାରୁ ଫଳ ନଧରି ଫୁଲ ଝଡିଯାଏ । ତେଣୁ ଏହିସବୁ ଜିଲ୍ଲାମାନଙ୍କରେ ସେପ୍ଟେମ୍ବର ଅକ୍ଟୋବର ମାସରେ ବିଲାତିବାଇଗଣ ଲଗାଇବା ଉଚିତ୍ ।

ବାଲିଆ, ଦୋରସା ବା ପଟୁମାଟିରେ ବିଲାତିବାଇଗଣ ଭଲ ହୁଏ । ପାଣି ଜମି ରହୁଥିବା ଜମିରେ ବିଲାତି ବାଇଗଣ ଚାଷ କରିବା ଉଚିତ୍ ନୁହେଁ । ଛାଇ ଜାଗା ମାନଙ୍କରେ ବିଲାତିବାଇଗଣ ଲଗାଇଲେ ଗଛ ଡେଙ୍ଗା ହୁଏ, କିନ୍ତୁ ଅମଳ ଭଲ ହୁଏନାହିଁ ।

ତଳି ପ୍ରସ୍ତୁତି

ବିଲାତିବାଇଗଣ ପାଇଁ ପ୍ରଥମେ ତଳି ପ୍ରସ୍ତୁତି କରିବା ଉଚିତ୍ । ମଞ୍ଜିକୁ ପ୍ରଥମେ କାପଟାନ, ଥିରାମ ବା ଏମିସାନ ପ୍ରଭୃତି ଔଷଧ ଗୋଳାଇ ବିଶୋଧନ କରନ୍ତୁ । ୧୦ ଫୁଟ ଲମ୍ବା ଓ ୩ଫୁଟ ଚଉଡାର ୧୦ ଟି ପଟି ତିଆରି କରନ୍ତୁ । ପଟିଗୁଡିକ ସାଧାରଣତଃ ଜମିଠାରୁ ୪ ରୁ ୬ ଇଞ୍ଚ ଉଚ୍ଚା କରନ୍ତୁ । ପ୍ରତି ପଟିରେ ଖତ ଦୁଇ ଝୁଡି, ୩୫ ଗ୍ରାମ ୟୁରିଆ, ୧୦୦ ଗ୍ରାମ ସିଙ୍ଗଲ ସୁପର ଫସଫେଟ ଓ ୨୦ ଗ୍ରାମ ମ୍ୟୁରେଟ ଅଫ ପଟାସ ଦେଇ ଭଲ ଭାବରେ ମିଶାଇ ଦିଅନ୍ତୁ । ପ୍ରତି ପଟିରେ ୩ଇଞ୍ଚ ବ୍ୟବଧାନରେ ସିଆର ଟାଣି ସେଥିରେ ମଞ୍ଜି ପକାଇ ଖତ ଓ ମାଟି ଦେଇ ଘୋଡେଇ ଦିଅନ୍ତୁ ।

ବର୍ତ୍ତମାନ ପଟିଗୁଡିକୁ ଛଣ ଦ୍ଵାରା ଘୋଡାଇ ଝରାରେ ଅଳ୍ପ ପାଣି ଦିଅନ୍ତୁ । ତଳି ଘରା ଚାରିପଟେ ଗାମାକସିନ୍ ପକାଇ ଦେଲେ ପିମ୍ପୁଡି ମଞ୍ଜିକୁ ନଷ୍ଟ କରିବେ ନାହିଁ । ମଞ୍ଜିରୁ ଗଜା ହେଲାପରେ ନଡା ଗୁଡିକୁ କାଢିନେବା ଉଚିତ୍ ।

ଗୋଟିଏ ପଟିରୁ ବାହାରୁଥିବା ତଳିକୁ ପ୍ରାୟ ଅଢେଇଗୁଣ୍ଠ ବା ୧୦ ଡେସିମିଲ ଜମିରେ ରୁଆଯାଇ ପାରିବ ।

ଆଗରୁ କୁହାଯାଇଅଛି ଯେ ନିଗିଡା ଜମିରେ ବିଲାତିବାଇଗଣ କରିବା ଉଚିତ୍ । ପ୍ରଥମେ ଜମିକୁ ଭଲ ଭାବରେ ଚାଷ କରି ମାଟି ଗୁଣ୍ଡ କରି ଦିଅନ୍ତୁ । ମଇ ଦେଇ ଜମିକୁ ସମତଳ କରନ୍ତୁ ଏବଂ ଜମିରୁ ଅଧିକ ପାଣି ଚାଲିଯିବା ପାଇଁ ନାଳର ବ୍ୟବସ୍ଥା କରନ୍ତୁ ।

ଏକ ଏକର ଜମି ପାଇଁ ୧୦ ଗାଡି ହିସାବରେ ଖତ ଦେଇ ମାଟିରେ ମିଶାଇ ଦିଅନ୍ତୁ । ତଳି ରୋଇବା ପୂର୍ବରୁ ଏକର ପିଛା ୨୨କିଲୋଗ୍ରାମ ୟୁରିୟା, ୧୨୫ କିଲୋଗ୍ରାମ ସିଙ୍ଗଲ ସୁପର ଫସଫେଟ ଓ ୧୬ କିଲୋଗ୍ରାମ ମ୍ୟୁରେଟ ଅଫ ପଟାସ ସିଆରରେ ଦେଇ ମାଟି ମିଶାଇ ଦିଅନ୍ତୁ । ମନେ ରଖନ୍ତୁ ସିଆରରେ ସାର ଭଲ ଭାବରେ ନ ମିଶିଲେ ତଳି ମରିଯିବାର ସମ୍ଭାବନା ଥାଏ ।

ତଳିକୁ ରୋଇବା ପାଇଁ ଉପାଡିବାର ୫/୬ ଦିନ ଆଗରୁ ଖୁବ କମ୍ ପାଣି ଦେବା ଉଚିତ୍ । ସାଧାରଣତଃ ୩ଇଞ୍ଚରୁ ୪ଇଞ୍ଚ ଉଚ୍ଚତାରତଳି ରୋଇବା ପାଇଁ ଉପରୋକ୍ତ ହୋଇଥାଏ ।

ଧାଡିକୁ ଧାଡି ବ୍ୟବଧାନ ୨ଫୁଟ ଓ ଧାଡି ଭିତରେ ବ୍ୟବଧାନ ଏକରୁ ଦେଢ ଫୁଟ ରଖି ତଳି ରୁଅନ୍ତୁ । ତଳି ରୋଇବାର ୧୫ ଦିନପରେ ଜମିକୁ ହାଲୁକା ଭାବେ କୋଡାଖୁସା କରି ୩୩ କିଲୋଗ୍ରାମ ୟୁରିଆ ଓ ୧୬ କିଲୋଗ୍ରାମ ମ୍ୟୁରେଟ ଅଫ ପଟାସ ଦେଇ ହୁଡାସବୁ ଟେକି ଦିଅନ୍ତୁ । ମନେ ରଖନ୍ତୁ ପ୍ରତିଥର ସାର ଦେଇ ସାରିବା ପରେପାଣି ଦେବା ଏକାନ୍ତ ଆବଶ୍ୟକ ।

ସବୁବେଳେ ଉପରବେଳା ଚାରା ଉପାଡି ଲଗାଇବା ଉଚିତ୍ । ଯଦି ଝାଉଁଳା ରୋଗ ଲାଗିବାର ସମ୍ଭାବନା ଥାଏ, ତେବେ ୧୦ଲିଟର ପାଣିରେ ୬ଗ୍ରାମ ଆଗ୍ରୋମାଇସିନ କିମ୍ବା ୧୦ଗ୍ରାମ ପ୍ଲାଣ୍ଟୋମାଇସିନ ମିଶାଇ ତଳିର ଚେର ଅଂଶକୁ ଔଷଧ ମିଶା ପାଣିରେ ୧୫ମିନିଟ ବୁଡାଇ ରୋଇବା ଉଚିତ୍ । ତଳି ରୋଇ ସାରିବା ପରେ ଝରାରେ ପାଣି ଦେବା ଦରକାର ।

ରୋଇବାର ୧୫ଦିନ ପରେ କୋଡା ଖୁସା କରି ଘାସ ବାଛି ହୁଡା ଦିଅନ୍ତୁ । ଏହି ହୁଡା ଦେବା ସମୟରେ ଗଛ ମୂଳରୁ ୨/୩ ଇଞ୍ଚ ଛାଡି ସାର ଦେବା ଦରକାର । ଦ୍ଵିତୀୟ ଥର ସାର ଦେଲାବେଳେ ମଧ୍ୟ ସେହିପରି ଜମିକୁ ଖୁସାଇ ହୁଡା ଦେବା ଉଚିତ୍ ।

ଜଳସେଚନ

ବିଲାତିବାଇଗଣ ପାଇଁ ଦରକାର ହୋଇଥାଏ । କିନ୍ତୁ ଅଧିକ ପରିମାଣରେ ପାଣିଦେଲେ ଗଛ ମରିଯିବାର ସମ୍ଭାବନା ଥାଏ । ଫୁଲ ଫୁଟିବା ବେଳେ ଓ ଫଳ ପାଚିଲା ବେଳେ ମାଟିରେ ପାଗ ରହିବା ଉଚିତ୍ । ଏହି ସମୟରେ ମାଟି ଝାଉଁଳା ରୋଗ ହେବାର ସମ୍ଭାବନା ବେଶି, ସେଠାରେ ନିୟନ୍ତ୍ରିତ ଭାବେ ପାଣିଦେବା ଉଚିତ୍ । ଏକାବେଳକେ ଗୁଡାଏ ପାଣି ନ ଦେଇ ଅଳ୍ପ ଅଳ୍ପ ପାଣି ଦେଲେ ଫସଲର ଉପକାର ହୋଇଥାଏ ।

ରଞ୍ଜାଦେବା

ସାଧାରଣତଃ ବିଲାତିବାଇଗଣ ଗଛରେ ଫଳ ଧରିବା ପରେ ଡାଳଗୁଡିକ ତଳକୁ ଝୁଲିପଡେ । ଫଳଗୁଡିକ ମାଟିରେ ଲାଗି ସଢିଯିବାର ଆଶଙ୍କା ଥାଏ । ତେଣୁ ଫଳ ଧରିବା ସମୟରେ ପ୍ରତି ଗଛ ମୂଳରେ ବତା ବା ଡାଳ ପୋତି ଗଛକୁ ସେଥିରେ ବାନ୍ଧି ଦେଲେ ଡାଳ ଗୁଡିକ ତଳକୁ ଓହଳେ ନାହିଁ । ହାୱାଇ ଦେଶରେ ଚାଷୀମାନେ ପ୍ରତି ଧାଡିର ଦୁଇ ମୁଣ୍ଡରେ ଖୁଣ୍ଟ ପୋତି ତାର ବାନ୍ଧି ଦିଅନ୍ତି । ଗଛ ଗୁଡିକୁ ଏହି ତାର ଦ୍ଵାରା ବାନ୍ଧିଦେବା ଫଳରେ ସେଗୁଡିକ ତଳକୁ ଓହଳି ପଡେ ନାହିଁ । ତେବେ ଆମ ଦେଶରେ ଅଧିକ ପରିମାଣରେ ବିଲାତିବାଇଗଣ ଚାଷ କରୁଥିବା ଚାଷୀମାନଙ୍କ ପକ୍ଷରେ ଏହା କରିବା ସୁବିଧାଜନକ ନୁହେଁ ।

ରୋଗ ଓ ପୋକ

ବିଲାତିବାଇଗଣ ଫସଲର ଫଳବିନ୍ଧା ପୋକ ବହୁତ କ୍ଷତି କରିଥାନ୍ତି । ଏମାନଙ୍କୁ ମାରିବା ପାଇଁ ଏକର ପିଛା ୧୫୦ ମିଲିଲିଟର ଡାଇକ୍ଳୋରୋଭାସ ବା ମାରଭେକସ ବା ନୁଭାନ ବ୍ୟବହାର କରିବା ଉଚିତ୍ । ଏକର ପ୍ରତି ୨୦୦ ଲିଟର ପାଣିରେ ଏହି ଔଷଧ ଗୋଳାଇ ସ୍ପ୍ରେ କରିବା ଉଚିତ୍ ।

ଯଦି ଫଳ ଧରିବା ସମୟରେ ଏହି ପୋକ ଲାଗୁଥାନ୍ତି ତେବେ ପ୍ରତି ୧ଲିଟର ପାଣିରେ ଅଢେଇ ମିଲିଲିଟର ହିସାବରେ ମାଲାଥିଅନ ବା ୩ଗ୍ରାମ ହିସାବରେ କାର୍ବାରିଲ ଭଲ ଭାବରେ ମିଶାଇ ପ୍ରତି ୧୫ ଦିନ ଛଡାରେ ୪/୫ ଥର ସ୍ପ୍ରେ କଲେ ପୋକ ଦାଉରୁ ରକ୍ଷା ମିଳେ ।

ରୋଗ

ବିଲାତି ବାଇଗଣରେ ସଅଳ ପତ୍ର ପୋଡା, ଉଚ୍ଛୁର ପତ୍ରପୋଡା ରୋଗ ହୋଇଥାଏ । ଏହି ରୋଗ ହେଲେ ପତ୍ର ଉପରେ ବାଦାମୀ କିମ୍ବା କଳା ରଙ୍ଗର ଦାଗ ସବୁ ଦେଖାଯାଏ ଓ ଡାଳ ଭାଙ୍ଗି ପଡେ ।

ପ୍ରତି ୧ଲିଟର ପାଣିରେ ୩ଗ୍ରାମ ହିସାବରେ ବ୍ଳାଇଟକସ ମିଶାଇ ୧୫ ଦିନ ଅନ୍ତରରେ ୨-୩ ଥର ସ୍ପ୍ରେ କଲେ ସଅଳ ପତ୍ରପୋଡା ରୋଗ ଆୟତ୍ତ ହୋଇଥାଏ ।

ଉଚ୍ଛୁର ପତ୍ରପୋଡା ରୋଗ ମେଘୁଆ ବା କୁହୁଡିଆ ପାଗରେ ବେଶି ହୁଏ । ଏହି ରୋଗ ଦେଖାଯିବା ମାତ୍ରେ ପ୍ରତି ୧ଲିଟର ପାଣିରେ ୩ଗ୍ରାମ ହିସାବରେ ଡିଥେନ ଏମ-୪୫ ଔଷଧ ଗୁଣ୍ଡ ମିଶାଇ ସ୍ପ୍ରେ କରିବା ଉଚିତ୍ । ପ୍ରତି ୭ଦିନ ଅନ୍ତରରେ ୨-୩ ଥର ସ୍ପ୍ରେ କଲେ ରୋଗ ଆୟତ୍ତ ହୋଇଥାଏ ।

ଏସବୁ ବ୍ୟତୀତ ବିଲାତିବାଇଗଣରେ ତଳି ଶଢା, ମୂଳସଢା, ଝାଉଁଳା ଓ ଫଳସଢା ରୋଗ ହୋଇଥାଏ ।

ଏହାଛଡା ନେମାଟୋଡ ବା ସୂତ୍ରଜୀବମାନେ ମଧ୍ୟ ବିଲାତିବାଇଗଣର କ୍ଷତି କରିଥାନ୍ତି । ଏହାଦ୍ୱାରା ଗଛ ହଳଦିଆ ପଡି ଝାଉଁଳି ମରିଯାଏ । ବିଲାତିବାଇଗଣର ତଳି କିଆରୀରେ ଗଛ ମରିବାର ଦେଖାଦେଲେ ପାଣି କମେଇ ଦେବା ଉଚିତ୍ । ପ୍ରତି ଏକ ଲିଟର ପାଣିରେ ଅଢେଇ ଗ୍ରାମ ହିସାବରେ ଡିଥେନ ଏମ-୪୫ ମିଶାଇ ମୂଳରେ ସ୍ପ୍ରେ କରିବା ଉଚିତ୍ । ଅବଶ୍ୟ ତଳି ପକାଇବା ପୂର୍ବରୁ ମଞ୍ଜିକୁ କାପଟାନ, ଥିରାମ, ମନୋସାନ ବା ଏମିଶାନ ପ୍ରଭୃତି ଯେ କୌଣସି ଗୋଟିଏ ଔଷଧ ସହିତ ଗୋଳାଇ ବୁଣିଲେ ଏହି ରୋଗ ହୁଏନାହିଁ । ଏକ ଏକର ବିଲ ପାଇଁ ପ୍ରାୟ ୨୦୦ଗ୍ରାମ ମଞ୍ଜି ଆବଶ୍ୟକ ହୁଏ ଓ ସେଥିପାଇଁ ପ୍ରାୟ ୨ଗ୍ରାମ ଔଷଧ ଯଥେଷ୍ଟ ହୋଇଥାଏ ।

ଝାଉଁଳା ରୋଗ ନ ହେବା ପାଇଁ ମଞ୍ଜିକୁ ବିଶୋଧନ କରି ତଳି ପକାଇବା ଉଚିତ୍ । ଝାଉଁଳା ରୋଗ ଦେଖାଦେଲେ ବିଲରେ ପାଣି ଦେବା ବନ୍ଦ କରିଦେବା ଉଚିତ୍ ।

ଅମଳ

ମଞ୍ଜି ଲଗାଇବାର ୮୫ ରୁ ୯୫ ଦିନ ଭିତରେ ଫଳ ଅମଳ ହୁଏ । ଭଲ ଭାବରେ ଚାଷ କଲେ ଏକ ଏକରରୁ ୧୦୦ ରୁ ୧୫୦ କ୍ଵିଣ୍ଟାଲ ପର୍ଯ୍ୟନ୍ତ ଅମଳ ମିଳିପାରେ । ଯଦି ୧୦ ଟି ଗଛରୁ ହାରାହାରି ୧୦କେଜି ଅମଳ ମିଳେ ତାହାହେଲେ ଫସଲ ଲାଭଜନକ ହୋଇଥାଏ । ଫଳଗୁଡିକ ନାଲି ହେବାକୁ ଆରମ୍ଭ କଲେ ତୋଳିଦେବା ଦରକାର । ବେଶି ପାଚିଗଲେ ବଜାରକୁ ନେବାରେ ଅସୁବିଧା ହୋଇଥାଏ ।

ଖର୍ଚ୍ଚ ଓ ଲାଭ

ଆଗରୁ କୁହାଯାଇଛି ଯେ ବିଲାତିବାଇଗଣ ଫସଲରୁ ଏକର ପ୍ରତି ୧୦୦ ରୁ ୧୫୦କ୍ଵିଣ୍ଟାଲ ପର୍ଯ୍ୟନ୍ତ ଅମଳ ହୋଇଥାଏ । ଚାଷ ଖର୍ଚ୍ଚ ଖୁବ ବେଶି ହେଲେ ପ୍ରାୟ ୧୫୦୦୦ ଟଙ୍କା ପର୍ଯ୍ୟନ୍ତ ହୁଏ । ବିଲାତିବାଇଗଣ କିଲୋପ୍ରତି ଖୁବ କମରେ ୩ଟଙ୍କା ହିସାବରେ ବିକ୍ରି କଲେ ପ୍ରାୟ ୩୦,୦୦୦ ରୁ ୪୫,୦୦୦ ଟଙ୍କା ପର୍ଯ୍ୟନ୍ତ ମିଳିଥାଏ । ଚାଷଖର୍ଚ୍ଚ ବାଦ ଦେଲେ ଏକର ପିଛା ୧୫,୦୦୦ ରୁ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ଲାଭ ମିଳିଥାଏ । ମଞ୍ଜି ଉତ୍ପାଦନ କଲେ ଏକର ପିଛା ଲାଭ ଅଧିକ ହୋଇଥାଏ ।

ମଞ୍ଜି ଉତ୍ପାଦନ

ଚାଷୀମାନେ ଟିକିଏ ଯତ୍ନ ନେଲେ ନିଜପାଇଁ ମଞ୍ଜି ସଂଗ୍ରହ କରିପାରିବେ । ମଞ୍ଜି ପାଇଁ ନିରୋଗ ଓ ବଡ ବଡ ଫଳ ସଂଗ୍ରହ କରିବା ଉଚିତ୍ । ଗଛର ପ୍ରଥମ ଫଳର ମଞ୍ଜି ସଂଗ୍ରହ ନକରି ପରେ ଫଳୁଥିବା ଫଳରୁ ମଞ୍ଜି ସଂଗ୍ରହ କରିବା ଉଚିତ୍ ।

ମଞ୍ଜି ସଂଗ୍ରହ ପ୍ରଣାଳୀ

ପାଚିଲା ଫଳକୁ ଦୁଇଫାଳ କରି କାଟି ତାହା ଭିତରୁ ମଞ୍ଜି ବାହାର କରି ଦିଅନ୍ତୁ ମଞ୍ଜି ବାହାରି ସାରିବା ପରେ ଫଳର ଅବଶିଷ୍ଟାଶରୁ ଖଟା, ସସ ବା କେଚଅପ ପ୍ରଭୃତି ତିଆରି କରାଯାଇପାରିବ । ମଞ୍ଜିଗୁଡିକୁ ଗୋଟିଏ ଆଲୁମିନିୟମ ଡେକଚିରେ ବା ମାଟି ହାଣ୍ଡିରେ ରଖି ଅଳ୍ପ ପାଣି ମିଶାଇ ଭଲ ଭାବରେ ଘାଣ୍ଟି ଦିଅନ୍ତୁ ବା ଦୁଇଦିନ ଛାଡି ଦିଅନ୍ତୁ । ସେ ମଞ୍ଜି ସହିତ ଖଟା ଦହି ପାଣି ଦଶ କିଲୋଗ୍ରାମ ବିଲାତିବାଇଗଣ ପ୍ରତି ୧୦୦ ସିସି ମିଶାଇ ଗୋଟିଏ ଦିନ ପରେ ମଞ୍ଜିକୁ ଧୋଇ ଶୁଖାଇଲେ ମଞ୍ଜିର ଅଙ୍କୁରୋଦଗମ କ୍ଷମତା ଦୁଇବର୍ଷ ପର୍ଯ୍ୟନ୍ତ ରହେ । ଏହାଦ୍ୱାରା ମଞ୍ଜି ସହିତ ଲାଗିଥିବା ରସ ପଚିଯିବ । ବର୍ତ୍ତମାନ ହାତରେ ଚକଟି ପାଣିଦ୍ୱାରା ଧୋଇ ଦେଲେ ମଞ୍ଜି ପରିଷ୍କାର ହୋଇଯିବ । ତାପରେ ଖରାରେ ଭଲ ଭାବରେ ଶୁଖାଇ ରଖିଲେ ମଞ୍ଜି ବହୁତ ଦିନ ପର୍ଯ୍ୟନ୍ତ ରହିପାରେ । ମଞ୍ଜିକୁ ମଝିରେ ମଝିରେ ଖରାରେ ଶୁଖାଇଲେ ମଞ୍ଜିର ଅଙ୍କୁରୋଦଗମ କ୍ଷମତା ୨ବର୍ଷ ପର୍ଯ୍ୟନ୍ତ ରହେ ।

କେତେକ ଜାଣିବା କଥା

  • ସବୁବେଳେ ଉନ୍ନତ ଓ ରୋଗ ପ୍ରତିରୋଧୀ କିସମ ଚାଷ କରନ୍ତୁ ।
  • ଅନୁମୋଦିତ ପରିମାଣରେ ଖତ ଓ ସାର ବ୍ୟବହାର କରନ୍ତୁ ।
  • ତଳି ପକାଇବା ପୂର୍ବରୁ ବିହନ ବିଶୋଧନ କରନ୍ତୁ ।
  • ଗୋଟିଏ ଜମିରେ ସବୁବର୍ଷ ବିଲାତିବାଇଗଣ ଫସଲ କରନ୍ତୁ ନାହିଁ ।
  • ରୋଗ ଦେଖାଦେଲେ ସଙ୍ଗେ ସଙ୍ଗେ ପ୍ରତିକାର ବ୍ୟବସ୍ଥା କରନ୍ତୁ ।

ଆଳୁ ଚାଷ

ଆଳୁ ଆମ ଦେଶରେ ଏକ ମୁଖ୍ୟ ପାରିବା ରୂପେ ବ୍ୟବହୃତ ହେଉଅଛି । ଆଳୁ ଚାଷ କ୍ରମେ କ୍ରମେ ଅଧିକ ଲାଭଜନକ ହେବା ଫଳରେ ଅନେକ ଚାଷୀ ଏହା କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ।

ପ୍ରଥମେ ଦକ୍ଷିଣ ଆମେରିକାରେ ଆଳୁ ଚାଷ ହେଉଥିଲା ବୋଲି ବିଶେଷଜ୍ଞମାନେ ମତ ଦେଇଥାନ୍ତି । ସେଠାରୁ ଏହା ଅନ୍ୟ ଦେଶମାନଙ୍କୁ ଯାଇଥିଲା । ଆମ ଭାରତବର୍ଷକୁ ସପ୍ତଦଶ ଶତାବ୍ଦୀରେ ଇଉରୋପୀୟ ମାନଙ୍କ ଦ୍ଵାରା ଆଳୁ ଆସିଥିଲା । ଅବଶ୍ୟ ଆଜିକାଲି ଭାରତବର୍ଷର ପ୍ରତ୍ୟେକ ରାଜ୍ୟରେ ଆଳୁ ଚାଷ କରାଯାଉଅଛି ।

ଯଦିଓ ମୁଖ୍ୟତଃ ଏହା ପାରିବା ଭାବରେ ବ୍ୟବହାର କରାଯାଏ, ତଥାପି ଆଳୁରୁ ଅନେକ ପ୍ରକାରର ଖାଦ୍ୟ ମଧ୍ୟ ପ୍ରସ୍ତୁତ ହୁଏ । ଅନେକ ସ୍ଥାନରେ ଆଳୁରୁ ଷ୍ଟାର୍ଚ ମଧ୍ୟ ପ୍ରସ୍ତୁତ କରାଯାଇଥାଏ ।

ଜଳବାୟୁ

ଆଳୁ ଏକ ଶୀତଦିନିଆ ଫସଲ । ଅଧିକ ଉତ୍ତାପ ହେଲେ ଫଳ ଭଲ ହୁଏ ନାହିଁ । ତେଣୁ ଶୀତଦିନେ ଏହା ଭଲ ଅମଳ ଦେଇଥାଏ ।

ଆଳୁର ଉନ୍ନତ କିସମ

ଆଳୁ ଚାଷର ସଫଳତା ମୁଖ୍ୟତଃ ବିହନର କିସମ ଓ ମାନ ଉପରେ ନିର୍ଭର କରେ । ଆମ ରାଜ୍ୟ ପାଇଁ ଉପଯୋଗୀ ହେଉଥିବା କେତେକ ଉନ୍ନତ କିସମ କେନ୍ଦ୍ରୀୟ ଆଳୁ ଗବେଷଣା କେନ୍ଦ୍ର, ଶିମିଳା ତରଫରୁ ବିକଶିତ ହୋଇଅଛି । ସେଗୁଡିକ ସାଧାରଣତଃ ଅଧିକ ଅମଳକ୍ଷମ ହେବା ସହ ରୋଗ ଓ ପୋକ ପ୍ରତିରୋଧକ ଗୁଣ ସମ୍ପନ୍ନ ।

ଅବଧି ଅନୁଯାୟୀ କିସମଗୁଡିକୁ ସାଧାରଣତଃ ତିନିଭାଗରେ ବିଭକ୍ତ କରାଯାଇଛି, ଯଥା (୧) ସଅଳ କିସମ (୭୦-୮୦ ଦିନ), (୨) ମଧ୍ୟମ କିସମ (୯୦-୧୦୦ ଦିନ) ଓ (୩) ବିଳମ୍ବ କିସମ (୧୧୦-୧୨୦ ଦିନ) । ଆମ ରାଜ୍ୟରେ ଶୀତର ସ୍ୱଳ୍ପ ଅବଧି ଦୃଷ୍ଟିରୁ ସଅଳ ଓ ମଧ୍ୟମ କିସମ ଗୁଡିକ ଚାଷ ପାଇଁ ଅଧିକ ଉପଯୁକ୍ତ । ଆଳୁର ବିଭିନ୍ନ କିସମର ମୁଖ୍ୟ ଗୁଣଗୁଡିକ ନିମ୍ନରେ ବର୍ଣ୍ଣିତ ହୋଇଅଛି ।

ସଅଳ କିସମ

କୁଫ୍ରି ଚନ୍ଦ୍ରମୁଖୀ - ଏହା ୧୯୬୮ ମସିହାରେ ବିକଶିତ ହୋଇଥିଲା । ଏହାର ଫୁଲ ନାଲି-ବାଇଗଣି ରଙ୍ଗର । ଆଳୁଗୁଡିକ ଟିକିଏ ଲମ୍ବାଳିଆ ଓ ଧଳା କ୍ରିମ ବା ସର ରଙ୍ଗର । ଆଖିଗୁଡିକ ଅଗଭୀର ଏବଂ ଆଳୁର ଭିତର ରଙ୍ଗ ଧଳା । ଏହାର ଅବଧି ୭୦-୮୦ ଦିନ ଏବଂ ହାରାହାରି ଉତ୍ପାଦନ କ୍ଷମତା ହେକ୍ଟର ପ୍ରତି ୨୦୦-୨୫୦ କ୍ଵିଣ୍ଟାଲ । ଏହାକୁ ଭଲରୂପେ ସାଇତି ହୁଏ । ଏହା ସଅଳ ଓ ବିଳମ୍ବ ପତ୍ରପୋଡା ରୋଗ ସମେତ ଅନେକ ରୋଗର ପ୍ରତିରୋଧ କରିପାରେ ନାହିଁ । ଏହା ରାନ୍ଧିବା ପାଇଁ ସହଜ ଏବଂ ସୁସ୍ଵାଦୁ । ତେଣୁ ଘରେ ଘରେ ଏହା ବିଶେଷ ଭାବରେ ଆଦୃତ ।

କୁଫ୍ରି ଅଶୋକ – ଏହାର ଫୁଲର ରଙ୍ଗ ନାଲି- ବାଇଗଣୀ । ଧଳା ସର ରଙ୍ଗର ଆଳୁଗୁଡିକ ଟିକିଏ ଲମ୍ବାଳିଆ । ଆଖିଗୁଡିକ ଅଗଭୀର ଏବଂ ଆଳୁ ଭିତରର ରଙ୍ଗ ଧଳା । ଏହାର ଅବଧି ୭୦-୮୦ ଦିନ ଏବଂ ହାରାହାରି ଅମଳ କ୍ଷମତା ହେକ୍ଟରପ୍ରତି ୨୫୦-୩୦୦ କ୍ଵିଣ୍ଟାଲ । ଏହା ବିଳମ୍ବ ପତ୍ର ପୋଡା ଓ ଭାଇରସ ଜନିତ ରୋଗ ସମେତ ଅନେକ ରୋଗର ପ୍ରତିରୋଧ କରିପାରେ ନାହିଁ । ରାନ୍ଧିବା ପାଇଁ ଏହା ସହଜ ।

କୁଫ୍ରି ଜୱାହର – ଫୁଲର ରଙ୍ଗ ଧଳା । ଆଳୁଗୁଡ଼ିକର ଉପର ରଙ୍ଗ ଧଳା ସର ଓ ଭିତର ରଙ୍ଗ ଧଳା । ଆଳୁର ଆକୃତି ଇସତ ଲମ୍ବାଳିଆ ଏବଂ ଆଖି ଗୁଡିକ ଅଗଭୀର । ଏହାର ଅବଧି ୭୦-୮୦ ଦିନ ଏବଂ ହାରାହାରି ଅମଳ କ୍ଷମତା ହେକ୍ଟର ପ୍ରତି ୨୫୦ ରୁ ୩୦୦ କ୍ଵିଣ୍ଟାଲ । ବିଳମ୍ବ ପତ୍ର ପୋଡା ରୋଗ ପ୍ରତି ଏହାର ଅନ୍ତଃଫସଲ ପାଇଁ ଏହା ଅଧିକ ଉପଯୁକ୍ତ ।

ମଧ୍ୟମ କିସମ

କୁଫ୍ରି ପୁଖରାଜ – ଏହାର ଫୁଲର ରଙ୍ଗ ଧଳା । ଆଳୁର ଉପର ରଙ୍ଗ ଧଳା ସର ଓ ଭିତର ରଙ୍ଗ ହଳଦିଆ ଆଳୁଗୁଡିକ ଟିକିଏ ଲମ୍ବା ଓ ଆଖିଗୁଡିକ ଅଗଭୀର । ଏହି କିସମର ଅବଧି ୮୦-୯୦ ଦିନ ଏବଂ ହାରାହାରି ଉତ୍ପାଦନ କ୍ଷମତା ହେକ୍ଟର ପ୍ରତି ୩୫୦-୪୦୦ କ୍ଵିଣ୍ଟାଲ । ଏହା ଉଭୟ ସଅଳ ଓ ବିଳମ୍ବ ପତ୍ରପୋଡା ରୋଗ ପ୍ରତିରୋଧି । ଏହି କିସମ ଅଳ୍ପ ଦିନରେ ଏବଂ କମ ସମ୍ବଳ ଉପଯୋଗ ହେଉଥିବା ଅବସ୍ଥାରେ ଅପେକ୍ଷାକୃତ ଅଧିକ ଅଳ୍ପ ଦିନରେ ଏବଂ କମ ସମ୍ବଳ ଉପଯୋଗ ହେଉଥିବା ଅବସ୍ଥାରେ ଅପେକ୍ଷାକୃତ ଅଧିକ ଅମଳ ଦେଇଥାଏ ।

କୁଫ୍ରି ସୂର୍ଯ୍ୟ – ଆଳୁଗୁଡିକର ଉପର ଅଂଶର ରଙ୍ଗ ଧଳା ସର ହୋଇଥିବା ବେଳେ ଭିତରର ରଙ୍ଗ କ୍ରିମ ବା ସର ପରି ହୋଇଥାଏ । ଏହାର ଅବଧି ୯୦-୧୦୦ ଦିନ ଏବଂ ହାରାହାରି ଅମଳ କ୍ଷମତା ହେକ୍ଟର ପ୍ରତି ୩୦୦-୩୫୦ କ୍ଵିଣ୍ଟାଲ । ଏହି କିସମରେ ଛୋଟ ଆଳୁ ଅପେକ୍ଷା ବଡ ଆଳୁ ଅଧିକ ସଂଖ୍ୟାରେ ହେଉଥିବାରୁ ଏହା ଫ୍ରେଞ୍ଚ ଫ୍ରାଇ ତିଆରି ପାଇଁ ଅଧିକ ଉପଯୁକ୍ତ । କମ୍ ଶୀତରେ ଭଲ ଆଳୁ ହେଉଥିବାରୁ ଏହି କିସମ ସଅଳ ଆଳୁ ଲଗାଇବା ପାଇଁ ଅଧିକ ଉପଯୁକ୍ତ ।

କୁଫ୍ରି ଜ୍ୟୋତି – ଏହା ଏକ ପୁରୁଣା କିସମ ହୋଇଥିବା ସତ୍ତ୍ୱେ ଚାଷୀମାନଙ୍କ ମଧ୍ୟରେ ବିଶେଷ ଭାବେ ଆଦୃତ । ୧୯୬୮ ମସିହାରେ ଏହା ବିକଶିତ ହୋଇଥିଲା । ଏହାର ଫୁଲର ରଙ୍ଗ ଧଳା । ଆଳୁର ଉପର ଅଂଶର ରଙ୍ଗ ଧଳା ସର ଓ ଭିତରର ରଙ୍ଗ ଧଳା ଅଟେ । ଏହା ଉଭୟ ପାହାଡିଆ ଓ ସମତଳ ଅଞ୍ଚଳରେ ଭଲ ଭାବରେ ଚାଷ କରାଯାଇପାରେ । ଆଖିଗୁଡିକ ଅଗଭୀର ଓ ଆଳୁର ଆକୃତି ସାମାନ୍ୟ ଲମ୍ବାଳିଆ । ଏହାର ଅବଧି ୯୦-୧୦୦ ଦିନ ଏବଂ ହାରାହାରି ଉତ୍ପାଦନ କ୍ଷମତା ହେକ୍ଟର ପ୍ରତି ୨୫୦ ରୁ ୩୦୦ କ୍ଵିଣ୍ଟାଲ । ଏହା ଉଭୟ ସଅଳ ଓ ବିଳମ୍ବ ପତ୍ରପୋଡା ରୋଗ ପ୍ରତିରୋଧି ।

କୁଫ୍ରି ଲାଲିମା – ଗଛର କାଣ୍ଡର ରଙ୍ଗ ପ୍ରାୟ ପାଟଳ । ଫୁଲର ରଙ୍ଗ ନାଲି-ବାଇଗଣୀ । ଆଳୁର ଉପର ଅଂଶ ଇସତ ନାଲି କିନ୍ତୁ ଭିତରଟି ଧଳା । ଆଖିଗୁଡିକ ମଧ୍ୟମ ଧରଣର ଗଭୀରିଆ । ଏହାର ଅବଧି ୯୦-୧୦୦ ଦିନ ଓ ହାରାହାରି ଉତ୍ପାଦନ କ୍ଷମତା ୨୦୦-୨୫୦ କ୍ଵିଣ୍ଟାଲ । ଏହା ସଅଳ ପତ୍ରପୋଡା ରୋଗ ପ୍ରତିରୋଧ । ଆଳୁଗୁଡିକ ସିଝିବା ପାଇଁ ଅଧିକ ସମୟ ଦରକାର କରିଥାନ୍ତି ।

କୁଫ୍ରି ଅରୁଣ – ଗଛର କାଣ୍ଡ ପାଟଳ ରଙ୍ଗର । ଆଳୁଗୁଡିକ ନାଲି, ସାମାନ୍ୟ ଲମ୍ବାଳିଆ ଓ ଆଖି ମଧ୍ୟମ ଧରଣର ଗଭୀରିଆ । ଆଳୁ ଭିତରଟି ସର ରଙ୍ଗର । କିସମର ଅବଧି ୯୦-୧୦୦ ଦିନ ଏବଂ ହାରାହାରି ଅମଳ କ୍ଷମତା ହେକ୍ଟର ପ୍ରତି ୩୦୦-୩୫୦ କ୍ଵିଣ୍ଟାଲ । ଏହା ବିଳମ୍ବ ପତ୍ରପୋଡା ରୋଗ ପ୍ରତିରୋଧି । ଆଳୁଗୁଡିକ ଘରେ ସାଇତିଲେ ଜଲଦି ପାଚି ଯାଉଥିବାରୁ ଦେଶୀ ଭଣ୍ଡାରରେ ରଖିବା ଏତେଟା ଉତ୍ସାହ ଜନକ ନୁହେଁ ।

କୁଫ୍ରି ବାଦଶାହ- ଗଛର କାଣ୍ଡ ପାଟଳ ରଙ୍ଗର ଓ ଫୁଲ ଧଳା । ଆଳୁଗୁଡିକ ଧଳାସର ରଙ୍ଗର ଓ ଭିତରଟି ସଂପୂର୍ଣ୍ଣ ଧଳା । ଆଳୁର ଆକୃତି ଲମ୍ବାଳିଆ ଓ ଆଖିଗୁଡିକ ଅଗଭୀର । ଏହାର ଅବଧି ୧୦୦-୧୧୦ ଦିନ ଏବଂ ହାରାହାରି ଅମଳ କ୍ଷମତା ହେକ୍ଟର ପ୍ରତି ୩୦୦-୩୫୦ କ୍ଵିଣ୍ଟାଲ । ଏହା ଉଭୟ ସଅଳ ଓ ବିଳମ୍ବ ପତ୍ରପୋଡା ରୋଗ ପ୍ରତିରୋଧି ।

ବିଳମ୍ବ କିସମ

କୁଫ୍ରି ସିନ୍ଦୂରି – ଗଛର କାଣ୍ଡର ରଙ୍ଗ ମୁଖ୍ୟତଃ ନାଲି-ମାଟିଆ ଓ ଫୁଲର ରଙ୍ଗ ନାଲି-ବାଇଗଣୀ । ଆଳୁଗୁଡିକ ଗୋଲ ଓ ନାଲି ରଙ୍ଗର ଅଥଚ ଭିତରଟି ସର ରଙ୍ଗର । କିସମର ଅବଧି ୧୧୦-୧୨୦ ଦିନ ଓ ହାରାହାରି ଉତ୍ପାଦନ କ୍ଷମତା ହେକ୍ଟର ପ୍ରତି ୩୦୦-୩୫୦ କ୍ଵିଣ୍ଟାଲ । ଏହା ଅଧିକ ଦିନ ସାଇତି ହୁଏ । ଏହା ସଅଳ ପତ୍ରପୋଡା ରୋଗ ପ୍ରତିରୋଧ । କମ୍ ସମ୍ବଳ ଉପଯୋଗ ପରିସ୍ଥିତି ପାଇଁ ଏହି କିସମ ଅତି ଅନୁକୂଳ ।

ମାଟି

ଆଳୁ ଚାଷ ପାଇଁ ଦୋରସା ପଟୁମାଟି ଖୁବ ଉପଯୁକ୍ତ । କ୍ଷାରୀ ମାଟିରେ ଆଳୁର ଯାଦୁରା ରୋଗ ହେବାର ଆଶଙ୍କା ଥାଏ । କିନ୍ତୁ ମାଟି ସାମାନ୍ୟ ଅମ୍ଳ ରହିଲେ ଆଳୁ ଭଲ ହୁଏ । ଆମ ରାଜ୍ୟରେ ସାଧାରଣତଃ ଅକ୍ଟୋବର-ନଭେମ୍ବର ମାସରେ ଆଳୁ ଲଗାଯାଏ । ତେବେ କୋରାଫୁଟ, ଫୁଲବାଣୀ ପ୍ରଭୃତି ପାହାଡିଆ ଅଞ୍ଚଳରେ ବର୍ଷାଦିନେ ମଧ୍ୟ ଆଳୁ ଚାଷ କରାଯାଇପାରିବ । ଆଳୁଗଛ ବଢିବା ପାଇଁ ପ୍ରଥମ ଅବସ୍ଥାରେ ଅଧିକ ଉତ୍ତାପ ଦରକାର ହୋଇଥାଏ । କିନ୍ତୁ ଫଳିବା ସମୟରେ କମ୍ ଉତ୍ତାପ ଦରକାର ।

ଚାଷ ପ୍ରଣାଳୀ

ଆଳୁ ପାଇଁ ଭଲ ଚାଷ ଦରକାର । ଲୁହା ଲଙ୍ଗଳରେ ୨-୩ ଥର ଚାଷ କରି ଚକ୍ରବିଦା ଇତ୍ୟାଦି ଚଳାଇ ମାଟିକୁ ଗୁଣ୍ଡ କରିଦେବା ଉଚିତ୍ । ଚାଷ ସମୟରେ ଏକର ପିଛା ପ୍ରାୟ ୮-୧୦ ଗାଡି ଭଲ ଖତ ଦେଇ ମାଟିରେ ମିଶାଇ ଦେବା ଆବଶ୍ୟକ ।

ଆଳୁ ସାଧାରଣତଃ ଗୋଟା କିମ୍ବା କଟା ଭାବରେ ଲଗାଯାଏ । ଗୋଟା ଲଗାଇବାକୁ ହେଲେ ପ୍ରାୟ ୫୦ଗ୍ରାମ ଓଜନର ଆଳୁକୁ ବିହନ କରିବା ଉଚିତ୍ । କିନ୍ତୁ ଆଜିକାଲି ପ୍ରାୟ ବଡ ବଡ ଆଳୁ ବିହନକୁ କାଟି ଲଗାଯାଏ । କାଟିବା ବେଳେ ପ୍ରତି ଖଣ୍ଡରେ ୨ଟି ଆଖି ଥିବା ଦରକାର ଓ ପ୍ରତି ଖଣ୍ଡକର ଓଜନ ୫୦ଗ୍ରାମରୁ କମ ହେବା ଉଚିତ୍ ନୁହେଁ । ଲଗାଇବା ପୂର୍ବରୁ ବିହନ ବିଶୋଧନ କରିବା ଉଚିତ୍ । ପଚାଶ ଲିଟର ପାଣିରେ ୧୨୫ ରୁ ୨୫୦ ଗ୍ରାମ ହିସାବରେ ଡିଥେନ ଏମ-୪୫ କୁ ଗୋଳାଇ ଆଳୁ ଲଗାଇବା ପୂର୍ବରୁ ତହିଁରେ ବୁଡାଇ ଲଗାଇବା ଉଚିତ୍ । ଆଜିକାଲି ଏମିଶାନ-୬ ନାମକ ଔଷଧ ଦ୍ଵାରା ମଧ୍ୟ ବିହନ ବିଶୋଧନ କରାଯାଇ ପାରିବ । ପ୍ରତି ୧ଲିଟର ପାଣିରେ ୨-୩ ଗ୍ରାମ ଏମିଶାନ ଗୋଳାଇ ତହିଁରେ ଆଳୁ ବିହନକୁ ୧୦ମିନିଟ ପର୍ଯ୍ୟନ୍ତ ବୁଡାଇ ବିଶୋଧନ କରାଯାଇପାରିବ ।

ବିଶୋଧନ କରିବା ପରେ ବିହନକୁ ଛାଇରେ ଶୁଖାଇ ଲଗାଇବା ଦରକାର । ଏକ ଏକର ପାଇଁ ୫ ରୁ ୬ କ୍ଵିଣ୍ଟାଲ ବିହନ ଆବଶ୍ୟକ ହୋଇଥାଏ । କାରଣ ବଡ ଆକାରର ବିହନ ଲଗାଇଲେ ଅଧିକ ଆଳୁ ଦରକାର ହୋଇଥାଏ ।

ଲଗାଇବା ପ୍ରଣାଳୀ

ଭଲ ଅମଳ ପାଇବା ପାଇଁ ଅକ୍ଟୋବର-ନଭେମ୍ବର ମାସରେ ଆଳୁ ଲଗାଇବା ଉଚିତ୍ । ଗଜା ହୋଇଥିବା ବିହନ ଲଗାଇବା ସବୁବେଳେ ଭଲ । କାରଣ ଗଜା ନ ହୋଇଥିଲେ ସବୁ ଆଖିରୁ ଏକ ସମୟରେ ଗଛ ବାହାରେ ନାହିଁ ।

ଆଳୁକୁ ସିଆରରେ ଲଗାଯାଏ । ଦୁଇ ସିଆର ଭିତରେ ବ୍ୟବଧାନ ପ୍ରାୟ 2ଫୁଟ ରଖନ୍ତୁ । ସିଆର ଭିତରେ ୮ଇଞ୍ଚ ଛଡାରେ ବିହନ ଲଗାନ୍ତୁ । ପ୍ରଥମେ ସିଆର କରିସାରି ତହିଁରେ ଖତ ଓ ଆବଶ୍ୟକ ପରିମାଣର ସାର ଦେଇ ମାଟିକୁ ଘୋଡାଇ ଦିଅନ୍ତୁ । ମାଟି ଉପରେ ବିହନ ରଖି ପୁନଶ୍ଚ ସେଗୁଡିକୁ ମାଟିରେ ଘୋଡାଇ ଦିଅନ୍ତୁ । ମନେ ରଖନ୍ତୁ, ଜମିରେ ପାଗ ଥିଲାବେଳେ ଆଳୁ ଲଗାଇବା ଉଚିତ୍ । ତା ନହେଲେ ଲଗାଇ ସାରିବା ପରେ ପାଣି ଦେଲେ ଉପର ମାଟି ଟାଣ ହୋଇଯାଏ, ଯାହା ଫଳରେ ଗଛ ବାହାରିବାକୁ ଡେରି ହୋଇଥାଏ ।

ସାର ପ୍ରୟୋଗ

ଭଲ ଚାଷୀ ହିସାବରେ ସବୁବେଳେ ମାଟି ପରୀକ୍ଷା କରି ସାର ଦେବା ଉଚିତ୍ । ତେବେ ମାଟି ପରୀକ୍ଷା ନ ହୋଇଥିଲେ ଆଳୁ ପାଇଁ ଏକର ପିଛା ୧୦୫ କିଲୋଗ୍ରାମ ୟୁରିୟା ବା ୨୪୦କିଲୋଗ୍ରାମ ଆମୋନିୟମ ସଲଫେଟ, ୮୦ କିଲୋଗ୍ରାମ ମ୍ୟୁରେଟ ଅଫ ପଟାସ ସାର ଆବଶ୍ୟକ ହୋଇଥାଏ । ଏହି ହିସାବରେ ଗୁଣ୍ଠ (୧ ଏକର=୨୫ ଗୁଣ୍ଠ) ପିଛା ପ୍ରାୟ ୪କିଲୋଗ୍ରାମ ୟୁରିୟା, ୮କିଲୋ ସିଙ୍ଗଲ ସୁପର ଫସଫେଟ ଓ ୩କିଲୋ ୨୦୦ଗ୍ରାମ ମ୍ୟୁରେଟ ଅଫ ପଟାସ ସାର ଆବଶ୍ୟକ ହେବ ।

ଏହି ସାରରୁ ସବୁତକ ସିଙ୍ଗଲ ସୁପର ଫସଫେଟ, ଅଧେ ପଟାସ ଓ ତିନିଭାଗରୁ ଏକ ଭାଗ ୟୁରିୟା ବା ଆମୋନିୟମ ସଲଫେଟ ଆଳୁ ଲଗାଇବା ବେଳେ ସିଆରରେ ଦେଇ ମାଟିରେ ମିଶାଇ ଦିଅନ୍ତୁ । ଅବଶିଷ୍ଟ ୟୁରିୟା ବା ଆମୋନିୟମ ସଲଫେଟ ସାରକୁ ଦୁଇଭାଗ କରି ଏକ ଭାଗ ପ୍ରଥମ ହୁଡା ଟେକିବା ବେଳେ ଓ ଅନ୍ୟ ଭାଗଟି ଦ୍ଵିତୀୟ ଥର ହୁଡା ଟେକିବା ବେଳେ ପ୍ରୟୋଗ କରନ୍ତୁ । ଅବଶିଷ୍ଟ ପରିମାଣର ପଟାସକୁ ଦ୍ଵିତୀୟ ଥର ହୁଡା ଟେକିବା ବେଳେ ପ୍ରୟୋଗ କରନ୍ତୁ ।

ଆଳୁ ଲଗାଇବାର ୨୫-୩୦ ଦିନ ପରେ ଘାସ ବାଛି ହୁଡା ଟେକି ଦିଅନ୍ତୁ । ଏହାର ୧୫ ରୁ ୨୦ ଦିନ ପରେ ଦ୍ଵିତୀୟ ଥର ହୁଡା ଟେକି ଦିଅନ୍ତୁ ।

ଜଳସେଚନ

ଆଳୁ ଲଗାଇବା ବେଳେ ସିଞ୍ଚା ପାଣିଦେଲେ ଗଛ ଶୀଘ୍ର ଉଠିଥାଏ । ପ୍ରଥମ ହୁଡା ଟେକିବା ପରେ ସିଆରରେ ଜଳସେଚନ କରିବା ଆବଶ୍ୟକ । କିନ୍ତୁ ଆବଶ୍ୟକ ପରିମାଣଠାରୁ ଅଧିକ ପାଣି ମଡାଇବା ଉଚିତ୍ ନୁହେଁ । ସିଆରରେ ପାଣି ଉଠିଲାବେଳେ ପାଣିସ୍ତର ହୁଡାର ଦୁଇ ତୃତୀୟାଂଶ ପର୍ଯ୍ୟନ୍ତ ରହିବା ଦରକାର । ଆଳୁ ଅମଳ କରିବାର ୧୫ଦିନ ପୂର୍ବରୁ ପାଣି ବନ୍ଦ କରିଦେବା ଉଚିତ୍ ।

ଅମଳ

ଭଲ ଭାବରେ ଚାଷ କଲେ ଏକ ଏକର ବିଲରୁ ୧୦୦-୧୨୦ କ୍ଵିଣ୍ଟାଲ ଅମଳ ମିଳିପାରିବ । ଆଳୁ ଅମଳ ପରେ ଏହାକୁ ସାଇତି ରଖିବା ପାଇଁ ବିହୀତ ବ୍ୟବସ୍ଥା ଗ୍ରହଣ କରିବା ଆବଶ୍ୟକ । ବିଭିନ୍ନ ଆକାରର ଆଳୁକୁ ଅଲଗା କରିବା ଉଚିତ୍ । ତେବେ ଅଧିକ ଦିନ ସାଇତି ରଖିବା ପାଇଁ ଶୀତଳ ଭଣ୍ଡାରରେ ଆଳୁ ରଖିବା ଆବଶ୍ୟକ ।

ରୋଗ ଓ ପୋକ

ଆଳୁ ଫସଲରେ ହେଉଥିବା ରୋଗମାନଙ୍କ ମଧ୍ୟରେ ସଅଳ ବ୍ଳାଇଟ ଓ ବିଳମ୍ବ ବ୍ଳାଇଟ ଅନ୍ୟତମ ।

ସଅଳ ବ୍ଳାଇଟ

ଏହି ରୋଗ ଡିସେମ୍ବର ମାସରୁ ଜାନୁୟାରୀ ମାସ ଭିତରେ ଦେଖାଯାଏ । ଏହି ରୋଗ ହେଲେ ପତ୍ର ଉପରେ ବାଦାମୀ ରଙ୍ଗର ଛୋଟ ଛୋଟ ଦାଗ ଦେଖାଯାଏ । ରୋଗ ବେଶି ହେଲେ ଗଛର ପତ୍ର ଝଡିପଡେ, ଏଥିସହିତ ଡେମ୍ଫ, ଡାଳ ଓ ଆଳୁ ମଧ୍ୟ ଆକ୍ରାନ୍ତ ହୁଏ ।

ଏଥିରୁ ରକ୍ଷା ପାଇବା ପାଇଁ ରୋଗ ପ୍ରତିରୋଧ ବିହନ ଲଗାଇବା ଆବଶ୍ୟକ । ତାଛଡା ବିହନକୁ ରୋଗମୁକ୍ତ କରିବା ପାଇଁ ଲଗାଇବା ପୂର୍ବରୁ ଆଳୁକୁ ପ୍ରତି ଏକ ଲିଟର ପାଣିରେ ୪ଗ୍ରାମ ହିସାବରେ ଡିଥେନ ଏମ-୪୫ ଦ୍ରବଣରେ ୨୦ମିନିଟ ପର୍ଯ୍ୟନ୍ତ ବୁଡାଇ ଲଗାଇବା ଉଚିତ୍ । ଏହାଛଡା ଏକର ପିଛା ୧କିଲୋଗ୍ରାମ ଡିଥେନ ଜେଡ-୭୮ ବା ୭୫୦ ଗ୍ରାମ ଡିଥେନ ଏମ-୪୫ କୁ ୨୦୦ ଲିଟର ପାଣିରେ ମିଶାଇ ପ୍ରତି ୧୦ଦିନ ବ୍ୟବଧାନରେ ତିନିଥର ଆଳୁ କିଆରୀରେ ସ୍ପ୍ରେ କରିବା ଆବଶ୍ୟକ ।

ବିଳମ୍ବ ବ୍ଳାଇଟ

ଏହା ଡେରିରେ ହେଉଥିବାରୁ ଏପରି ନାମକରଣ ହୋଇଛି । ସାଧାରଣତଃ ଜାନୁୟାରୀରୁ ଫେବୃୟାରୀ ମାସ ମଧ୍ୟରେ ଏହି ରୋଗ ଦେଖାଯାଏ । ଏହି ରୋଗ ହେଲେ ପତ୍ର ଧାରରେ ବାଦାମୀ ରଙ୍ଗର ଦାଗ ଦେଖାଯାଏ । ଥଣ୍ଡା ମେଘୁଆ ପାଗ ସହିତ ବର୍ଷା ହେଲେ ଏହି ଦାଗ ଗୁଡିକ ଦୃତ ଗତିରେ ବଢି ସମ୍ପୁର୍ଣ୍ଣ ପତ୍ର ଓ କାଣ୍ଡକୁ ଆକ୍ରାନ୍ତ କରିଥାଏ ।

ଏହି ରୋଗରୁ ରକ୍ଷା ପାଇବା ପାଇଁ ହେଲେ ଅକ୍ଟୋବର ପ୍ରଥମ ଭାଗରେ କିମ୍ବା ନଭେମ୍ବର ଶେଷ ବେଳକୁ ଆଳୁ ଲଗାଇବା ଦରକାର । ଏକର ପିଛା ୧କିଲୋଗ୍ରାମ ଡିଥେନ ଜେଡ-୭୮ ବା ୭୫୦ ଗ୍ରାମ ଡିଥେନ ଏମ-୪୫ କୁ ୨୦୦ ଲିଟର ପାଣିରେ ଗୋଳାଇ ପ୍ରତି ୧୦ଦିନ ଅନ୍ତରରେ ତିନିଥର ସ୍ପ୍ରେ କଲେ ଏହି ରୋଗ ଦାଉରୁ ରକ୍ଷା ମିଳିପାରିବ ।

ଯାଦୁରା ରୋଗ

ତାପମାତ୍ରା ଅଧିକ ହେଲେ ଏହି ରୋଗ ଦେଖାଯାଏ । ରୋଗଟି କେବଳ ଅମଳ ସମୟରେ ଚିହ୍ନାପଡେ । ଏହି ରୋଗ ହେଲେ ଆଳୁ ଉପରେ କଳା ବା ବାଦାମୀ ରଙ୍ଗର ଗୋଲାକାର କିମ୍ବା ତାରା ପରି ଚିହ୍ନ ସୃଷ୍ଟି ହୁଏ । ଏହି ରୋଗ ଦାଉରୁ ରକ୍ଷା ପାଇବାକୁ ହେଲେ ଆଳୁ ଲଗାଇବା ପୂର୍ବରୁ ଶତକଡା ୦.୫ ଭାଗ ଏମିସାନ ଦ୍ରବଣରେ ୨୦ମିନିଟ ପର୍ଯ୍ୟନ୍ତ ବିହନକୁ ବୁଡାଇ ଲଗାଇବା ଉଚିତ୍, ଏକର ପିଛା ୧୨କିଲୋଗ୍ରାମ ହିସାବରେ ବ୍ରାସିକଲ ପ୍ରୟୋଗ କଲେ ମଧ୍ୟ ଏହି ରୋଗ ଦାଉରୁ ରକ୍ଷା ମିଳିଥାଏ ।

ପୋକ

ଆଳୁ ଫସଲରେ ଆଫାଡି, ଜଉପୋକ, କଟାପୋକ ଆଦି ଅନେକ ପ୍ରକାରର ପୋକ ଲାଗିଥାନ୍ତି, ଏମାନଙ୍କ କବଳରୁ ରକ୍ଷା ପାଇବା ପାଇଁ ଏକର ପିଛା ୧୦କିଲୋଗ୍ରାମ ଫେନିଟ୍ରୋଥିଅନ ଗଛ ମୂଳରେ ମାଟିରେ ପ୍ରୟୋଗ କରିବା ଆବଶ୍ୟକ । ଏହାଛଡା ଏକର ପିଛା ୩୦୦ ମିଲିଲିଟର ଏଣ୍ଡୋସଲଫାନ କିମ୍ବା ୮୦୦ ଗ୍ରାମ କାର୍ବାରିଲ କିମ୍ବା ୪୦୦ ମିଲିଲିଟର କୁଇନାଲଫସ କିମ୍ବା ୪୦୦ ମିଲିଲିଟର ଫାସାଲୋନ କିମ୍ବା ୪୦୦ ମିଲିଲିଟର ଡାଇମିଥଏଟ ପ୍ରୟୋଗ କଲେ ମଧ୍ୟ ଏସବୁ ପୋକ ଦାଉରୁ ରକ୍ଷା ମିଳିପାରିବ ।

ମନେରଖନ୍ତୁ

  • ଉନ୍ନତ କିସମର ଅଧିକ ଅମଳକ୍ଷମ ବିହନ ଚାଷ କରନ୍ତୁ ।
  • ଲଗାଇବା ପୂର୍ବରୁ ବିହନ ବିଶୋଧନ କରନ୍ତୁ ।
  • ଗଜା ହୋଇଥିବା ବିହନ ଲଗାଇଲେ ଅଧିକ ସଂଖ୍ୟାରେ ଗଛ ହୋଇଥାଏ ।
  • ବଡ ଆକାରରେ ବିହନ ଲଗାଇଲେ ଗଛ ହୃଷ୍ଟପୃଷ୍ଟ ହୁଏ ।
  • ଅନୁମୋଦିତ ପରିମାଣରେ ରାସାୟନିକ ସାର ପ୍ରୟୋଗ କରନ୍ତୁ ।
  • ଫସଲକୁ ରୋଗ, ପୋକ ଆକ୍ରମଣରୁ ରକ୍ଷା କରିବା ପାଇଁ ବିହିତ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରନ୍ତୁ ।

ଆଧାର: ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ଵର-୩

2.85714285714
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top