ଆମ ଦେଶରେ ଚାରି ଆଡ଼େ ପିଆଜର ଆଦର ରହି ଅଛି । ସାରା ଭାରତ ରେ ପ୍ରାୟ ପ୍ରତ୍ୟେକ ପ୍ରଦେଶରେ ପିଆଜ ଚାଷ କରାଯାଇଥାଏ । ମହାରାଷ୍ଟ୍ର ରାଜ୍ୟ ରେ ସବୁ ଠାରୁ ଅଧିକ ପିଆଜ ଚାଷ ହୋଇ ଥାଏ । ଆମର ନିତି ଦିନିଆ ଖାଦ୍ୟରେ ପିଆଜ ର ଆବଶ୍ୟକତା ଖୁବ୍ ବେଶି । ତରକାରୀ, ଭଜା, ସାଲାଡ଼, ଚଟଣୀ ପ୍ରଭୃତି ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତି ରେ ପିଆଜ ବ୍ୟବହୃତ ହୁଏ । ଆମ ଦେଶରୁ ପିଆଜ ସହିତ ଲୁଣ ମିଶାଇ ଖାଇଲେ ପେଟମରା ରୋଗ ଭଲ ହୋଇଯିବ ବୋଲି ବିଶେଷଜ୍ଞ ମାନେ କହିଥାନ୍ତି । ଅନେକ ସ୍ଥାନ ରେ ମୁଣ୍ଡବିନ୍ଧା, ମୁଢ଼ୀ ପ୍ରଭୃତି ରୋଗରେ ମଧ୍ୟ ପିଆଜ ରସ ବ୍ୟବହାର କରାଯାଇଥାଏ ।
ପିଆଜ ରେ ପ୍ରାୟ ଶତକଡ଼ା ୮୭ ଭାଗ ପାଣି ଥାଏ । ଏହା ବ୍ୟତୀତ ଫସ୍ଫରସ୍, ଭିଟାମିନ୍ ଏ, ବି, ସି, ପ୍ରୋଟିନ୍ ବା ପୁଷ୍ଟିସାର, ବିଭିନ୍ନ ପ୍ରକାରର ଧାତବ ଲବଣ ରହି ଥାଏ । ଦେଶି ପିଆଜରେ ସାଧାରଣତଃ ଅଧିକ ଖାଦ୍ୟସାର ଥିବାର ଜଣାଯାଇଅଛି ।
ବୈଜ୍ଞାନିକମାନଙ୍କ ମତରେ ପିଆଜ ପ୍ରଥମେ ଭାରତ, ଆଫଗାନିସ୍ଥାନ ଓ ଋଷିଆର କେତେକ ଅଞ୍ଚଳରେ ଚାଷ କରାଯାଇଥିଲା । ଅନ୍ୟ କେତେକଙ୍କ ମତରେ ଚୀନରେ ପ୍ରଥମେ ପିଆଜ ଚାଷ ଆରମ୍ଭ ହୋଇଥିଲା । ତେବେ ସେ ଯାହା ହେଉନା କାହିଁକି ବର୍ତ୍ତମାନ ସାରା ପୃଥିବୀରେ ପିଆଜ ଚାଷ ହେଉଅଛି । ଅବଶ୍ୟ ଅନେକ ପ୍ରକାର ପିଆଜ ରହିଅଛି । ତେବେ ଆମ ଦେଶରେ ମୁଖ୍ୟତଃ ଦେଶି ପିଆଜ ଓ ଓଲି ପିଆଜ ଚାଷ କରାଯାଇଥାଏ ।
ଆମ ରାଜ୍ୟରେ ଅନେକ କିସମର ଓଲି ପିଆଜ ଚାଷ କରାଯାଇପାରିବ । ସେଗୁଡ଼ିକ ହେଲା –
ନାଲି ଓଲି ପିଆଜ – ପୁଷାରେଡ଼, ପୁଷା ରତନାର, ପୁଷା ମାଧବୀ, ଆକାଁ କଲ୍ୟାଣ, ଆଗାଁ ନିକେତନ, ଆର୍କ ପ୍ରଗତି, ଏଗ୍ରି ଫାଉଣ୍ଡ ଲାଇଟ୍ ରେଡ଼, ଏଗ୍ରି ଫାଉଣ୍ଡ ଡାକିରେଡ୍, ଏନ୍-୫୩ ।
ଧଳା ଓଲି ପିଆଜ – ପୁଷା ଦ୍ଵାଇଟ୍ ରାଉଣ୍ଡ, ପୁଷା ଦ୍ଵାଇଟ୍ ଫାଟ୍ ।
ହଳଦିଆ ଓଲି ପିଆଜ – ଆର୍କା ପିତାମ୍ବର ।
ପିଆଜ ଏକ ଶୀତଦିନିଆ ଫସଲ । ଖରା ବେଶି ହେଲେ ପିଆଜ ଭଲ ହୁଏ ନାହିଁ । ତେଣୁ ଯେଉଁ ସବୁ କିସମ ଅଳ୍ପ ବେଶି ଖରା ଦ୍ଵାରା ପ୍ରଭାବିତ ହୁଏ ନାହିଁ ସେପରି କିସମ ଚାଷ କରିବା ଉଚିତ୍ । ପିଆଜ ଫଳିବା ପାଇଁ ଅଧିକ ଉତ୍ତାପ ଓ ବଡ଼ଦିନ ଦରକାର ହୋଇଥାଏ । ତେଣୁ ନଭେମ୍ବର ମାସ ଦ୍ଵିତୀୟ ସପ୍ତାହରେ ପିଆଜ ଲଗାଇ ଦେଲେ ଭଲ ଫଳ ହୋଇଥାଏ ।
ଯଦିଓ ସବୁ ପ୍ରକାର ଜମିରେ ପିଆଜ ଚାଷ ହୋଇପାରେ ତଥାପି ଦୋରସା । ପଟୁମାଟିରେ ଏହା ଭଲ ହୁଏ । ଅମ୍ଳ ମାଟି ପିଆଜ ପାଇଁ ଉପଯୁକ୍ତ ନୁହେଁ ।
ଲଗାଇବା ସମୟ
ଆମ ରାଜ୍ୟ ପାଇଁ ଅକ୍ଟୋବର ମାସ ଆରମ୍ଭରେ ଓଲି ପିଆଜ ମଞ୍ଜି ତଳି ପକାଇ ନଭେମ୍ବର ଶେଷ ଭାଗରେ ଲଗାଇଲେ ଅଧିକ ଅମଳ ହୁଏ ।
ଓଲି ପିଆଜ ପାଇଁ ତଳି ପ୍ରସ୍ତୁତି କରିବାକୁ ହୋଇଥାଏ । ଏକ ଏକର ବିଲରେ ପିଆଜ ଲଗାଇବା ପାଇଁ ପ୍ରାୟ ୪ କିଲୋଗ୍ରାମ୍ ମଞ୍ଜି ଦରକାର ହୁଏ । ତଳି ପକାଇବା ଜାଗାକୁ ଭଲ ଭାବରେ ଚାଷ କରି ୧୦ ଫୁଟ ଲମ୍ବ ଓ ୩ ଫୁଟ ଚଉଡ଼ାର ପଟି ତିଆରି କରନ୍ତୁ । ଦୁଇଟି ପଟି ଭିତରେ ପ୍ରାୟ ଦେଢ଼ଫୁଟ ଓସାରର ଜାଗା ଛାଡ଼ନ୍ତୁ । ଏକ ଏକର ବିଲ ପାଇଁ ଏହି ଆକାରର ୧୦ଟି ପଟି ଦରକାର ହୋଇଥାଏ ।
ମଞ୍ଜି ବୁଣିବା ପୂର୍ବ ରୁ ପଟି ରେ ଖତ ଓ କିଛି ୟୁରିଆ ଦେଇ ଭଲ ଭାବରେ ମାଟିରେ ମିଶାଇ ଦିଅନ୍ତୁ । ବଉଁ ମାନ ପିଆଜ ମଞ୍ଜିକୁ ଧାଡ଼ି ଧାଡ଼ି କରି ଏହି ପଟି ରେ ବୁଣି ଖତ ଓ ମାଟି ଘୋଡ଼ାଇ ଦିଅନ୍ତୁ । ତା ପରେ ମାଟିର ପାଗ ଦେଖୁ ଝରାରେ ପାଣି ଦିଅନ୍ତୁ ।
ଓଲି ପିଆଜକୁ ରୋଇବା ଦରକାର । ତଳି ପ୍ରାୟ ଦେଢ଼ ମାସରୁ ଦୁଇମାସର ହୋଇଗଲା ପରେ ରୋଇବା ପାଇଁ ଉପଯୁକ୍ତ ହୋଇଥାଏ । ପିଆଜ ରୋଇବା ପାଇଁ ବିଲକୁ ଭଲ ଭାବରେ ଚାଷ କରି ମାଟିକୁ ଗୁଣ୍ଡ କରି ଦିଅନ୍ତୁ । ଏକର ପିଛା ୧୫-୨୦ ଗାଡ଼ି ଭଲ ଖତ ଦିଅନ୍ତୁ । ଏହା ସହିତ ପିଆଜ ପାଇଁ ଏକର ପିଛା ୨୪ କି.ଗ୍ରା. ଯବକ୍ଷାରଜାନ , ୨୫ କି.ଗ୍ରା. ଫସ୍ଫରସ୍ ଓ ୨୦ କି.ଗ୍ରା. ପଟାସକୁ ମୂଳସାର ହିସାବରେ ପ୍ରୟୋଗ କରିବାକୁ ହେବ । ପିଆଜ ଲଗାଇବାର ତିନି ସପ୍ତାହ ଓ ୬ ସପ୍ତାହ ପରେ ଏକର ପ୍ରତି ୧୨ କି.ଗ୍ରା. ଲେଖାଏଁ ଯବକ୍ଷାରଜାନ ପ୍ରୟୋଗ କରନ୍ତୁ ।
ଛଅ ସପ୍ତାହ ପରେ ଏକର ପ୍ରତି ୨୦ କି.ଗ୍ରା. ପଟାସ୍ ପ୍ରୟୋଗ କରିବାକୁ ହେବ । ପିଆଜ ଲଗାଇବା ବିଲକୁ ୫୦ ଫୁଟ ଲମ୍ବା ଓ ୨୫ ଫୁଟ ଚଉଡ଼ା ବା ସେହିପରି ସୁବିଧାଜନକ ଆକାରରେ ପଟି କରି ଲଗାଇଲେ ପାଣି ଦେବା ଓ ଅନ୍ୟାନ୍ୟ ଚାଷ କାମ କରିବା । ସୁବିଧା ଜନକ ହୋଇଥାଏ । ଧାଡିକୁ ଧାଡ଼ି ୬ ଇଞ୍ଚ ଓ ଗଛକୁ ଗଛ ୩ ଇଞ୍ଚ ବ୍ୟବଧାନରେ ତଳି ରୁଅନ୍ତୁ । ହୋଇ ସାରିଲା ପରେ ହାଲୁକା ଭାବରେ ପାଣି ଦିଅନ୍ତୁ । ଅଥବା ଆଗରୁ ପାଣି ଦେଇ ପାଗ କରି ତଳି ରୁଅନ୍ତୁ ।
ପିଆଜ ଚେର ମାଟିର ଅଳ୍ପ ଗଭୀରତାକୁ ଯାଉଥିବାରୁ ବିଲରୁ ଘାସ ଇତ୍ୟାଦି ବାଛି ଦେବା ଉଚିତ୍ । କୋଡ଼ା ଖୁସା ଦ୍ଵାରା ଗଛର ଚେର ଯେପରି ନ ଛିଣ୍ଡ ସେଥିପ୍ରତି ଦୃଷ୍ଟିଦେବା ଉଚିତ ।
ଓଲି ପିଆଜ ପାଇଁ ମାଟିର ପାଗ ଦେଖୁ ପାଣି ଦେବାକୁ ପଡ଼ିଥାଏ । ତେବେ ବିଲରେ କେତେବେଳେ ହେଲେ ଅଧିକ ପାଣି ଦେବା ଉଚିତ ନୁହେଁ ବା ବିଲକୁ ଏକାବେଳ ଶୁଖାଇ ଦେବା ଉଚିତ୍ ନୁହେଁ । ଏହି ଫସଲରେ ପିଆଜ ପ୍ରସ୍ତୁତ ଓ ପିଆଜ ସମୟ ବଢ଼ିବା ସମୟ ଅତି ସଙ୍କଟ ଅବସ୍ଥା ପାଣି ପାଇଁ, ତେଣୁ ସେହି ସମୟରେ ଠିକ୍ ଭାବରେ ପାଣି ଦେବା ଦରକାର ।
ପିଆଜ ଦୁଇ ପ୍ରକାର ଅବସ୍ଥାରେ ଅମଳ କରାଯାଇଥାଏ । ସାଧାରଣତଃ ସାଲାଡ଼ ଇତ୍ୟାଦି ପାଇଁ ଗଛ ଆଙ୍ଗୁଠି ମୋଟାର ହେବା ପରେ ଓପାଡ଼ି ବିକ୍ରି କରାଯାଏ । କିନ୍ତୁ ଅଧୁକାଂଶ ଚାଷୀ ପାକଳ ହେଲାପରେ ପିଆଜ ଅମଳ କରିଥାନ୍ତି । ଗଛର ଉପର ଅଂଶ ଶୁଖ ଭାଙ୍ଗି ପଡ଼ିଲେ ପିଆଜ ଅମଳ ପାଇଁ ଉପଯୁକ୍ତ ହୋଇଥାଏ । ମାଟି ହାଲୁକା ହୋଇଥିଲେ ହାତରେ ଓପାଡ଼ି ପିଆଜ ଅମଳ କରାଯାଇପାରେ । ଏକ ଏକରରୁ ପ୍ରାୟ ୧୦୦ ରୁ ୧୨୦ କ୍ଵିଣ୍ଟାଲ ପର୍ଯ୍ୟନ୍ତ ପିଆଜ ଅମଳ ମିଳିଥାଏ । ପିଆଜ ଅମଳ ସରି ବା ପରେ ତାହାକୁ ବିକ୍ରୟ ପାଇଁ ପ୍ରସ୍ତୁତ କରିବାକୁ ପଡ଼େ । ତେବେ ଅମଳ ପରେ ତିନି ଚାରି ସପ୍ତାହ ରଖୁଲେ ତାହା ବିକ୍ରୟ ଉପଯୋଗୀ ହୋଇଥାଏ ।
ପିଆଜକୁ ସାଧାରଣତଃ ଭଲ ଭାବରେ ବାୟୁ ଚଳାଚଳ କରୁଥିବା ଘରେ ସାଇତି ରଖିବା ଉଚିତ୍ । ଅବଶ୍ୟ ଭଲ ଭାବରେ ପାକଳ ହୋଇଥିବା ପିଆଜ କୁ ହିଁ କେବଳ ସାଇତି ରଖିବା ଉଚିତ୍ । ସାଇତିବା ଘରେ ଯେପରି ଉତ୍ତାପ ଓ ଜଳୀୟ ଅଂଶ ଅଧିକ ନହୁଏ ସେଥିପାଇଁ ମଧ୍ୟ ଦୃଷ୍ଟି ଦେବା ଦରକାର । ଜଳୀୟ ଅଂଶ ଅଧିକ ହେଲେ ପିଆଜରେ ଫିମ୍ପି ଲାଗି ତାହା ନଷ୍ଟ ହୋଇଯାଏ । ପିଆଜ ସାଇତି ରଖିବା ଘରେ ୪ ରୁ ୧ ଡିଗ୍ରୀ ସେଲସିୟସ ତାପମାତ୍ରା ଓ ୬୪% ଆପେକ୍ଷିକ ଆର୍ଦ୍ରତା ରହିବା ଦରକାର ।
ଆମ ରାଜ୍ୟରେ ଓଲି ପିଆଜରେ ମୂଳ ସଢ଼ା, ପିଆଜ ସଢ଼ା ରୋଗ ଓ ପିଆଜ ନଷ୍ଟ କରୁଥିବା ଲାଙ୍ଗୁଡ଼ା ପୋକ ଇତ୍ୟାଦି କ୍ଷତି କରିଥାନ୍ତି । ତଳି ପକାଇବା ପୂର୍ବରୁ ମଞ୍ଜିକୁ ବାରିଷ୍ଟିନ୍ ବା ଥୁରାମ ଗୁଣ୍ଡରେ ବିଶୋଧନ କରି ଲଗାଇଲେ ରୋଗରୁ ରକ୍ଷା ମିଳିଥାଏ । ସେହିପରି ତଳି ପଟାଳିରେ ପ୍ରତି ୧ ଲିଟର ପାଣିରେ ଦେଢ଼ ଗ୍ରାମ୍ ହିସାବରେ ବାଭିଷ୍ଟିନ୍ ମିଶାଇ ସ୍ପ୍ରେ କଲେ ମଧ୍ୟ ରୋଗରୁ ରକ୍ଷା ମିଳିଥାଏ । ପିଆଜରେ ସାଧାରଣତଃ ପତ୍ର ଉଙ୍କୁଣୀ ଓ କାଣ୍ଡିବନ୍ଧା ମାଗଟ୍ ଦେଖାଯାଇଥାଏ । ପତ୍ର ଉଙ୍କୁଣୀ ପତ୍ରକୁ ଚିରି ତାର ରସ ଚାଟି ଚାଟି ଖାଇଥାଏ । ଫଳରେ ଆକ୍ରାନ୍ତ ପତ୍ରଟି ମୋଡ଼ିହୋଇ ଶୁଖୁଯାଏ । ଆକ୍ରାନ୍ତ ଗଛରେ ପିଆଜ ହୁଏ ନାହିଁ ଓ ଫୁଲରେ ମଞ୍ଜି ରହେନାହିଁ । ଏଥିରୁ ରକ୍ଷା ପାଇବାକୁ ହେଏ ଏକର ପ୍ରତି ୨୦୦ ଲିଟର ପାଣିରେ ୪୦୦ ମିଲିଲିଟର ମାଲାଥିଅନ୍ କିମ୍ବା ୪୦୦ ମିଲିଲିଟର ରୋଗର ଆଦି ଗୋଳାଇ ସିଞ୍ଚନ କରିବା ଆବଶ୍ୟକ । କାଣ୍ଡବିନ୍ଧା ମାଗଟ୍ ଗୁଡ଼ିକ ପତ୍ର ଆଚ୍ଛାଦ ମଧ୍ୟରେ ପ୍ରବେଶ କରି ମାଟି ତଳକୁ ଯାଇ ବଢୁଥିବା ପିଆଜକୁ କଣା କରି ପଶେ । ଏହା ଫଳରେ ମାଟିରେ ଥିବା ବାସିଲସ୍ କାରୋଟୋଭୋରସ୍ ନାମକ ଜୀବାଣୁ ପିଆଜରେ ପଶି ପିଆଜକୁ ପଚେଇ ଦେଇଥାଏ । ଏଥିପାଇଁ କାର୍ବାରିଲ ୪ ଭାଗ ବା ଫୋରେଟ୍ ୧୦ ଭାଗ ଦାନାଦାର ବିଷ ଏକର ପ୍ରତି ଯଥାକ୍ରମେ ୮ କି.ଗ୍ରା. କିମ୍ବ ୪ କି.ଗ୍ରା. ହିସାବରେ ପିଆଜ ଲଗାଇବା ପୂର୍ବରୁ ମାଟିରେ ପକାଇବା ଆବଶ୍ୟକ । ଏହା ଛଡ଼ା ଏହି କାଣ୍ଡବିନ୍ଧା ପୋକର ପୂର୍ଣ୍ଣାଙ୍ଗ ଅବସ୍ଥାକୁ ମଧ୍ୟ ମାଲାଥିଅନ କିମ୍ବା ରୋଗର ଦ୍ଵାରା ସିଞ୍ଚନ କରି ଦମନ କରାଯାଇପାରେ ।
ଆମ ରାଜ୍ୟରେ ଅନେକ ଚାଷୀ ଦେଶୀ ପିଆଜ ଚାଷ କରିଥାନ୍ତି । ଦେଶୀ ପିଆଜ ଅନେକ ଜାଗାରେ ବର୍ଷାଦିନେ ଚାଷ ହୋଇଥାଏ । ତେବେ ମୁଖ୍ୟତଃ ଏହ। ଶୀତଦିନେ ଚାଷ ହୁ ଏ । ଓଲି ପିଆଜ ପରି ବିଲକୁ ଚାଷ କରି ଖତ ଓ ସାର ଦେଇ ଦେଶୀ ପିଆଜ ଲଗାଯାଇଥାଏ । ପ୍ରାୟ ଏକ ଏକର ବିଲରେ ଲଗାଇବା ପାଇଁ ୪ କ୍ଵିଣ୍ଟାଲ ବିହନ ଲାଗିଥାଏ । ବିଲରେ ପ୍ରାୟ ୮-୯ ଇଞ୍ଚ ବ୍ୟବଧାନରେ ସିଆର କରି ସିଆରରେ ପିଆଜ ପାଖୁଡ଼ା ପୋତା ଯାଏ । ଅନ୍ୟ ସବୁ ଚାଷ ପ୍ରଣାଳୀ ପ୍ରାୟ ଓଲି ପିଆଜ ସହ ସମାନ।
ମନେରଖନ୍ତୁ
ଆଧାର - "ଓୟୁଏଟି"
Last Modified : 1/26/2020