ସେଆର କରନ୍ତୁ

ବଢିଆଳ ଚାଷ

ସୀତାଫଳ ବା ବଢିଆଳ ଗୋଟିଏ ସୁସ୍ଵାଦୁ ଫଳ । ସୀତାଫଳକୁ ପାଚିଲା ଖିଆଯାଏ ।

ସୀତାଫଳ ବା ବଢିଆଳ ଗୋଟିଏ ସୁସ୍ଵାଦୁ ଫଳ । ସୀତାଫଳକୁ ପାଚିଲା ଖିଆଯାଏ । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ପ୍ରିୟ ଫଳ । ଏଥିରେ ପ୍ରଚୁର ପରିମାଣରେ ଶର୍କରା,ପୃଷ୍ଟିସାର,ଫସଫରସ ଓ ଲୌହ ଥାଏ ।

ଉତ୍ପତ୍ତି

ଦାକ୍ଷିଣାତ୍ୟ ମାଳଭୂମି ଏବଂ ମଧ୍ୟ ଭାରତ । ଗ୍ରୀଷ୍ମମଣ୍ଡଳୀୟ ଆମେରିକା ।

ଜଳବାୟୁ

ଗ୍ରୀଷ୍ମମଣ୍ଡଳୀୟ ଜଳବାୟୁରେ ଏହା ଭଲ ହୁଏ । ଶୁଷ୍କ ଜଳବାୟୁ ତଥା ଶିତ ପଡୁଥିବା ସ୍ଥାନରେ ଖୁବ ଭଲ ହୁଏ । ଏହା ତୁଷାର ପାତ ସହିପାରେନା, କିନ୍ତୁ ମରୁଡି ସହିପାରେ । ବାର୍ଷିକ ବୃଷ୍ଟିପାତ ୬୦ ରୁ ୮୦ ସେଣ୍ଟିମିଟର ବଢିଆଳ ପାଇଁ ଉପଯୋଗୀ । ସମୁଦ୍ର ପତ୍ତନ ଠାରୁ ଆରମ୍ଭ କରି ୧୦୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ଏହାର ଚାଷ କରାଯାଇ ପାରିବ ।

ମୃତ୍ତିକା

ଯେ କୌଣସି ମାଟିରେ ଏହାର ଚାଷ କରାଯାଇ ପାରିବ । ତେଣୁ ନାଲି ବାଲିଆ,ଟାଙ୍ଗରା ଓ ତଇଲା ଜମିରେ ସାଧାରଣତଃ ଯେଉଁ ଯାଗାରେ ଅନ୍ୟ ଫଳସବୁ ଚାଷ ହୁଏନି, ସେ ଜମିରେ ବହୁଳ ଭାବରେ ଚାଷ କରାଯାଏ । ନିଗିଡା ବାଲିଆ ଦୋରସା ମାଟିରେ ଏହା ସବୁଠାରୁ ଭଲ ହୁଏ । ଏପରିକି ପୁରା ବାଲିଆ ଓ ଚିକିଟା ମାଟିରେ ଏହାର ଚାଷ ହୁଏ । କିନ୍ତୁ କ୍ଷାରୀ ଓ ସନ୍ତସନ୍ତିଆ ମାଟିରେ ଏହା ଉଧାଏ ନାହିଁ ।

କିସମ

ମାମାଥ, ବାରବାଡସ, ଆଇଲାଣ୍ଡର ବୁଲକ୍ସ ହାର୍ଟ , ବାଳନଗର, ଆତିମୋୟା, ବ୍ରିଟିଶ ଗୁଏନ, ପିଙ୍କସ ମାମଥ, ଇସାରାଏଲ ସିଲେକ୍ସନ, ଈସାରାଏଲହାଇବ୍ରୀଡ,ୱାସିଙ୍ଗଟନ, ସାହାରଙ୍ଗପୁର ଲୋକାଲ, ଅର୍କ ସାହାନ, ନାଲି ସିତାଫଳ ।

ବଂଶବିସ୍ତାର

ବଢିଆଳର ବଂଶ ବିସ୍ତାର ସାଧାରଣତଃ ମଞ୍ଜିରୁ ହୁଏ । ଚାରା ଲଗାଇବା ଅପେକ୍ଷା ମଞ୍ଜି ସିଧା ଗାତରେ ଲଗାଇଲେ ଭଲ । ଡାଳ କଲମୀ, ଆଖି କଲମୀ, ସିଲ୍ଡ ବଡିଙ୍ଗ ଓ ଯୋଡ କଲମୀ ଦ୍ଵାରା ମଧ୍ୟ ବଂଶ ବିସ୍ତାର ହୋଇଥାଏ । ଡାଳ କଲମୀ ପାଇଁ ଶତକଡା ୦.୨ ଭାଗ । B.A ବ୍ୟବହାର କରାଯାଏ । ଭଲ ବଢିଆଳ ଗଛର ଡାଳକୁ ଆନୋନା ରେଟିକୁଲାଟା ଜାତୀୟ ବଢିଆଳ ଗଛ ଉପରେ କଲମୀ କଲେ ଫଳ ଶୀଘ୍ର ଆସେ ଓ ବେଶି ଫଳ ଦିଏ ।

ଚାଷ ପ୍ରଣାଳୀ

ସାଧାରଣତଃ ବଢିଆଳକୁ କେହି ବ୍ୟବସାୟିକ ଭିତ୍ତିରେ ଚାଷ କରିବାର ଓଡିଶାରେ ଦେଖାଯାଏନି । ଅଧିକାଂଶ ଲୋକ ବାଡ଼ କଡରେ ଲଗାଇଥାନ୍ତି । କିନ୍ତୁ ବଢିଆଳର ଯେତେ ଆଦର ବ୍ୟବସାୟିକ ଭିତ୍ତିରେ ଚାଷ କଲେ ବହୁତ ଲାଭ ମିଳିବ । ୫ମିଟର ବ୍ୟବଧାନରେ ଅଧ ମିଟର ଗୋଳେଇ ଓ ଅଧ ମିଟର ଗଭୀରର ଗାତ କରିବା କଥା । ପ୍ରତି ଗାତରେ ଏକ ଝୁଡି ଗୋବର ଖତ ବା କମ୍ପୋଷ୍ଟ ସହ ୫୦୦ ଗ୍ରାମ ଜୈବିକ ସାର ଦେଇ ମଞ୍ଜି ବା ଗଛ ଲଗାଇବା କଥା । ଜୁନ୍ ଜୁଲାଇ ମାସ ଗଛ ଲଗାଇବାର ପ୍ରକୃଷ୍ଟ ସମୟ ।

ଖତ ଓ ସାର

ସାଧାରଣତଃ ବଢିଆଳରେ ଖତ ସାର କେହି ଦିଅନ୍ତିନି । କିନ୍ତୁ ଗଛ ପିଛା ବର୍ଷକୁ ୧୫୦ଗ୍ରାମ ଯବକ୍ଷାରଜାନ ସାର,୧୨୫ ଗ୍ରାମ ସୁପର ସାର ଓ ୧୨୫ଗ୍ରାମ ପଟାସ ସାର ଦେଲେ ବେଶି ଫଳେ ଓ ଫଳ ବଡ ହୁଏ ।

କାଟଛାଣ୍ଟ

ସାଧାରଣତଃ ବଢିଆଳ ଗଛରେ କାଟଛାଣ୍ଟ କରାଯାଏନି । ଶୀତଦିନେ ଗଛ ପତ୍ରଝଡା ଦିଏ । ଛୋଟ, ଦୁର୍ବଳ ଓ ଶୁଖିଲା ଡାଳ କାଟି ଦେଲେ ଗଛ ହୃଷ୍ଟପୁଷ୍ଟ ହୋଇ ବଢେ ।

ଜଳସେଚନ

ବଢିଆଳ ଜଳସେଚନ ଦର୍କାର କରେନି । ଓଡିଶାରେ ଯେତିକି ବର୍ଷା ହୁଏ,ସେଥିରେ ବଢିଆଳ ଭଲ ଫଳେ । ତେବେ ଯଦି ସୁବିଧା ଅଛି ଖରାଦିନେ ୨ଥର ଜଳସେଚନ କଲେ ଗଛ ଅଧିକା ଫଳଦିଏ ।

ଫୁଲ ଓ ଫଳ

ବଢିଆଳ ଗଛରେ ମାର୍ଚ୍ଚ ମାସ ଠାରୁ ମେ ମାସ ପର୍ଯ୍ୟନ୍ତ ଫୁଲ ଆସେ । ଏପରିକି ଜୁଲାଇ ମାସ ପର୍ଯ୍ୟନ୍ତ କେତେକ ଜାଗାରେ ଫୁଲ ଆସିବାର ଦେଖାଯାଏ । ଜୁନ ଜୁଲାଇ ମାସରେ ଫଳ ଧରିବା ଆରମ୍ଭ କରେ । ପରାଗ ସଙ୍ଗମ ସାଧାରଣତଃ ପୋକ ମାଛି ଦ୍ଵାରା ହୁଏନି । କୃତ୍ରିମ ଉପାୟରେ ପରାଗ ସଙ୍ଗମ କଲେ ବହୁତ ଫଳ ରହେ । ସେପ୍ଟେମ୍ବର ମାସ ଠାରୁ ଡିସେମ୍ବର ମାସ ମଧ୍ୟରେ ଫଳ ପାଚେ ।

ରୋଗ ଓ ପୋକ

ବଢିଆଳରେ ସେପରି ବିଶେଷ ରୋଗ ପୋକ ଦେଖାଯାଏନି ।

ଆନ୍ଥ୍ରାକନୋଜ – ରୋଗକୁ ବେନଲେଟ (୦.୦୫%) ଡିଥେନ-ଏମ ୪୫ (୦.୦୨%) ବା ବେଭିଷ୍ଟିନ (୦.୫%) ଦ୍ଵାରା ଆୟତ କରାଯାଇ ପାରେ ।

ଚୂର୍ଣ୍ଣପୃଷ୍ଠ ପୋକ – ଫଳ ଉପରେ ଧଳା ଧଳା ହୋଇ ଚୂର୍ଣ୍ଣ ପୃଷ୍ଠ ପୋକ ଦେଖାଯାଏ । ଫଳର କୋଷା ସନ୍ଧିରେ ଏ ପୋକ ସବୁ ଲାଗିଥାଏ । ନିକୋଟିନ ସଲଫେଟ ବା ମାଲାଥିଅନ ସ୍ପ୍ରେ କଲେ ଏହା କମିଯାଏ । ରୋଗର ମଧ୍ୟ ବ୍ୟବହାର କରାଯାଇ ପାରେ ।

ଅମଳ

ଲଗାଇବାର ୪/୫ ବର୍ଷ ପରେ ଫଳ ଆସେ ଓ ୮/୧୦ ବର୍ଷ ପରେ ପୁରା ମାତ୍ରାରେ ଫଳ ଆସେ । ଗୋଟିଏ ଗଛରୁ ୫୦ ରୁ ୨୦୦ ପର୍ଯ୍ୟନ୍ତ ଫଳ ମିଳିଥାଏ । ଗଛରେ ପୁରା ପାକଳ ହେବା ପର୍ଯ୍ୟନ୍ତ ରଖିବା ଅନୁଚିତ । କାରଣ ଗଛରେ ପାକଳ ଫଳ ସବୁ ଫାଟିଯାଏ । ସେହିପରି କଷି ଫଳ ତୋଳିବା ଉଚିତ୍ ନୁହେଁ । ହେକ୍ଟର ପିଛା ଆୟ ଟ ୨୦,୦୦୦ ।

ଆଧାର : ଡାକ୍ତର ସୂର୍ଯ୍ୟ ନାରାୟଣ ବେହେରା

2.77777777778
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top