ସେଆର କରନ୍ତୁ

ବାଇଗଣ ଚାଷ

ବାଇଗଣ ଏକ ଲାଭଜନକ ପରିବା । ଚାଷ ସମ୍ବନ୍ଧରେ ସୂଚନା ।

ବାଇଗଣ ଏକ ଲାଭଜନକ ପରିବା । ଆମ ରାଜ୍ୟରେ ଏହା ସବୁ ଅଞ୍ଚଳରେ ଓ ସବୁ ଋତୁରେ ଚାଷ ହୋଇଥାଏ । ଗରିବ ଠାରୁ ଧନୀ ପର୍ଯ୍ୟନ୍ତ ସମସ୍ତେ ବାଇଗଣକୁ ଆଦର କରିଥାନ୍ତି । ଏଥିରେ ଶତକଡ଼ା ୬.୪ ଭାଗ ଶ୍ୱେତସାର, ୧.୩ ଭାଗ ପୃଷ୍ଟିସାର, ୦.୩ ଭାଗ ସ୍ନେହ ସାର ଓ ୦.୫ ଭାଗ ଧାତବ ଲବଣ ରହିଅଛି ।

ବାଇଗଣର ବିଭିନ୍ନ କିସମ

ଆମ ଦେଶରେ ଅନେକ ପ୍ରକାରର ବାଇଗଣ ଚାଷ କରାଯାଏ । ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଯେତେ ପ୍ରକାରର ବାଇଗଣ ଚାଷ କରାଯାଏ, ସେ ସବୁ ସଂଗ୍ରହ କରି ଦେଖିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼େ । ଅନେକ ବାଇଗଣ ଖୁବ୍ ଛୋଟ ଥିବାବେଳେ କେତେକ ଜାତିର ବାଇଗଣ ଖୁବ୍ ବଡ଼ ହୋଇଥାଏ । ଆମ ରାଜ୍ୟପାଇଁ ଉପଯୁକ୍ତ କେତୋଟି ବାଇଗଣ କିସମ ବିଷୟରେ ଏଠାରେ ପ୍ରଦାନ କରାଗଲା ।

କ୍ରମ ନଂ

କିସମ

ଫଳର ରଙ୍ଗ ଓ ଆକାର

ପ୍ରଥମ ଅମଳ ସମୟ (ଦିନ)

ଅନ୍ୟାନ୍ୟ ଗୁଣ

ପୁଷାକ୍ରାନ୍ତି

ଗାଢ଼ ବାଇଗଣି, ଲମ୍ବା ଓ ମଧ୍ୟମ ଆକାର ଫଳ

୯୫ ରୁ ୧୦୦

-

ପୁଷା ପରପଲ୍ ଲଙ୍ଗ

ବାଇଗଣି, ଲମ୍ବା ଓ ମଧ୍ୟମ ଆକାର ଫଳ

୯୦ ରୁ ୯୫

-

ପୁଷା ପରପଲ୍ କୁଷ୍ଟର

ବାଇଗଣି, ଲମ୍ବା ଓ ଛୋଟ ଫଳ

୯୦ ରୁ ୯୫

ଝାଉଁଳା ରୋଗ ସହଣୀ ଶକ୍ତି ଅଛି ଓ ଏହା ପେନ୍ଥା ପେନ୍ଥା ଫଳେ ।

ଉତ୍କଳ ତାରିଣୀ

ମଧ୍ୟମ ଆକାରର ଫଳ, ଗାଢ଼ ବାଇଗଣି ରଙ୍ଗ

୯୦ ରୁ ୯୫

ବୀଜାଣୁ ଜନିତ ଝାଉଁଳା ରୋଗ ପ୍ରତିରୋଧ କ୍ଷମତା ରହିଛି ।

ଉତ୍କଳ କେଶରୀ

ଗାଢ଼ ବାଇଗଣି ରଙ୍ଗର ମଧ୍ୟମ ଆକାର ଫଳ

୧୦୦ ରୁ ୧୦୫

ବୀଜାଣୁ ଜନିତ ଝାଉଁଳା ରୋଗ ସହନଶୀଳ କ୍ଷମତା ରହିଛି ।

ଉତ୍କଳ ମାଧୁରୀ

ଫଳର ରଙ୍ଗ ସବୁଜ ଆକାର ମଧ୍ୟମ

୯୦ ରୁ ୯୫

ବୀଜାଣୁ ଜନିତ ଝାଉଁଳା ରୋଗ ପ୍ରତିରୋଧୀ କ୍ଷମତା ରହିଛି ।

ଉତ୍କଳ ଜ୍ୟୋତି

ଫଳଗୁଡ଼ିକ ଲମ୍ବା, ବାଇଗଣୀ ରଙ୍ଗ, ପେନ୍ଥାପେନ୍ଥା ହୋଇ ଫଳିଥାଏ।

୯୦ ରୁ ୯୫

 

-

ଉତ୍କଳ ଅନୁଶ୍ରୀ

ଫଳଗୁଡ଼ିକ ସବୁଜ ରଙ୍ଗର ପେନ୍ଥା ହେଇ ଫଳିଥାଏ ।

୮୦ ରୁ ୮୫ ଦିନ

-

ଜଳବାୟୁ ଓ ମାଟି

ବାଇଗଣ ପ୍ରାୟ ସବୁ ଋତୁରେ ଚାଷ କରାଯାଇଥାଏ । ବର୍ଷାଦିନେ ଅଧିକ ବର୍ଷା ହେଲେ ଗଛରୁ ଫୁଲ ଝଡ଼ି ପଡ଼ିବାର ସମ୍ଭାବନା ଥାଏ । ଜଳସେଚନର ସୁବିଧା ଥିବା ଜମିରେ ଅଗଷ୍ଟ–ସେପ୍ଟେମ୍ବର ମାସରେ ଚାରା ଲଗାଇଲେ, ନଭେମ୍ବର ଆଡ଼କୁ ଫୁଲ ଧରି ପ୍ରଚୁର ଫଳେ । ସେହିପରି ଜୁନ୍‌ ମାସରେ ମଧ୍ୟ ବାଇଗଣ ଲଗାଇଲେ ଅଗଷ୍ଟ ମାସ ଆଡ଼କୁ ଫଳ ଆରମ୍ଭ ହୋଇଥାଏ । ବାଇଗଣ ବିଲରେ ପାଣି ଜମିଲେ ଗଛ ମରିଯାଏ । ନିଗିଡ଼ା ଦୋରସା ମାଟି ବାଇଗଣ ଚାଷ ପାଇଁ ଉକୃଷ୍ଟ । ନଦୀ ପଠା ମାନଙ୍କରେ ମଧ୍ୟ ଶୀତଦିନେ ବାଇଗଣ ଚାଷ କରାଯାଇପାରେ ।

ତଳି ପ୍ରସ୍ତୁତି

ବାଇଗଣ ଚାଷ ପାଇଁ ପ୍ରଥମେ ତଳି ଉତାରିବାକୁ ହୋଇଥାଏ । ପାଣି ସୁବିଧା ଥିବା ଉଚ୍ଚ ନିଗିଡ଼ା ଜମିରେ ତଳି ପଟାଳି କରିବା ଦରକାର । ବିଲକୁ ଭଲ ଭାବରେ ଚାଷ କରି ହେଁରୁ ଅନାବନା ଗଛ କାଢ଼ି ପରିଷ୍କାର କରି ଦିଆଯିବା ଉଚିତ । ପରେ ପ୍ରାୟ ୩ ଫୁଟ ଚଉଡ଼ା ଓ ୧୦ ଫୁଟ ଲମ୍ବର ପଟି ତିଆରି କରନ୍ତୁ । ଦୁଇ ପଟି ମଧ୍ୟରେ ଯିବା ଆସିବା ପାଇଁ ପ୍ରାୟ ୨ ଫୁଟ ଜାଗା ଛାଡ଼ନ୍ତୁ । ପଟିର ଚାରିପଟୁ ମାଟି ନେଇ ପଟି ଉପରେ ପକାଇଲେ ତାହା ବିଲଠାରୁ ଉଚ୍ଚ ହୋଇଯିବ । ପ୍ରତି ପଟିରେ ୨ ରୁ ୩ ଝୁଡ଼ି ଭଲ ଖତ ଦେଇ ମାଟିରେ ମିଶାଇ ଦିଅନ୍ତୁ । ତା'ପରେ ପ୍ରତି ପଟିରେ ପ୍ରାୟ ୭୫ ଗ୍ରାମ୍ ୟୁରିଆ, ୧୦୦ ଗ୍ରାମ୍ ସିଙ୍ଗଲ ସୁପର ଫସ୍‌ଫେଟ୍ ଓ ୨୫ ଗ୍ରାମ୍ ମ୍ୟୁରେଟ ଅଫ୍ ପଟାସ୍ ଦେଇ ଭଲ ଭାବରେ ମାଟିରେ ମିଶାଇ ଦିଅନ୍ତୁ । ତଳି ପଟିରେ ମଞ୍ଜିଗୁଡ଼ିକୁ ଅଧ ଇଞ୍ଚ ଗହୀରରେ ଧାଡ଼ି ଧାଡ଼ି କରି ବୁଣନ୍ତୁ । ମଞ୍ଜି ବୁଣିବା ପୂର୍ବରୁ ତାହାକୁ ବିଶୋଧନ କରି ବୁଣିବା ଉଚିତ । ସାଧାରଣତଃ ଏକ ଏକର ବିଲ ପାଇଁ ପ୍ରାୟ ୨୦୦ ଗ୍ରାମ୍ ବିହନ ଆବଶ୍ୟକ ହୋଇଥାଏ । ଏହାକୁ ବିଶୋଧନ କରିବା ପାଇଁ ମାତ୍ର ୧ ଗ୍ରାମ୍ ଥିରାମ ଆବଶ୍ୟକ ହୋଇଥାଏ । ଗୋଟିଏ ଛୋଟ ଡବାରେ ମଞ୍ଜି ଓ ଔଷଧକୁ ରଖି ଡବା ମୁହଁ ବନ୍ଦ କରି ଭଲ ଭାବରେ ହଲାଇ ଦେଲେ ବିଶୋଧନ ହୋଇଥାଏ ।

ମଞ୍ଜି ବୁଣି ସାରିବା ପରେ ତଳି ପଟିକୁ ଛଣ ବା ନଡ଼ା ଦ୍ଵାରା ପତଳା ଭାବରେ ଘୋଡ଼ାଇ ତା ଉପରେ ଅଳ୍ପ ପାଣି ସିଞ୍ଚି ଦିଅନ୍ତୁ । ତଳି ପଟି ଚାରି ପଟେ କ୍ଲୋରୋପାଇରିଫସ୍ ଗୁଣ୍ଡ ପକାଇ ଦେଲେ ପିମ୍ପୁଡ଼ିମାନେ ମଞ୍ଜିକୁ ନଷ୍ଟ କରି ପାରନ୍ତି ନାହିଁ । ଚାରିରୁ ପାଞ୍ଚ ଦିନ ପରେ ମଞ୍ଜି ଗଜା ହେଲେ ନଡ଼ାଗୁଡ଼ିକୁ କାଢ଼ିଦେବା ଦରକାର । ମନେ ରଖନ୍ତୁ, ତଳି ପଟିରେ ମଞ୍ଜି ବୁଣିଲା ବେଳେ ଅତି ବହଳ କରି ବୁଣିବା ଉଚିତ୍ ନୁହେଁ । ମଞ୍ଜି ବହଳରେ ବୁଣାଗଲେ ତଳିଗୁଡ଼ିକ ସରୁ ଓ ଡେଙ୍ଗା ହୋଇଯାଏ ଏବଂ ଚାରା ସଢ଼ା ରୋଗ ହେବାର ଆଶଙ୍କା ରହେ । ତଳି ଉଠିବାର ୭ ରୁ ୮ ଦିନ ପରେ ପଟିରୁ ଘାସ ଇତ୍ୟାଦି ବାଛି ଦେବା ଉଚିତ । ପ୍ରାୟ ୨୫ ରୁ ୩୦ ଦିନ ଭିତରେ ତଳି ରୋଇବା ପାଇଁ ଉପଯୁକ୍ତ ହୋଇଥାଏ ।

ହିସାବ କରି ଦେଖାଯାଇଅଛି ଯେ, ଏକ ଏକର ଜମିରେ ରୋଇବା ପାଇଁ ପ୍ରାୟ ୧୫୦୦୦ ତଳି ଆବଶ୍ୟକ ହୋଇଥାଏ । ସେହି ହିସାବରେ ପ୍ରତି ଡେସିମିଲି ପାଇଁ ୧୫୦ଟି ତଳି ଲାଗିଥାଏ । ଏକ ଏକର ବିଲ ପାଇଁ ତଳି ଉତାରିବା ସକାଶେ ୧୦ ଫୁଟ ଲମ୍ବା ଓ ୩ ଫୁଟ ଚଉଡ଼ାରେ ପ୍ରାୟ ୯ଟି ତଳିପଟି ଆବଶ୍ୟକ ହୋଇଥାଏ ।

ଚାଷ ପ୍ରଣାଳୀ

ବିଲକୁ ପ୍ରଥମେ ଲୁହା ଲଙ୍ଗଳରେ ଏକ ବା ଦୁଇ ଓଡ଼ ଚାଷ କରି ପରେ ଚକ୍ରବିଦା ବା ମଇ ଚଳାଇ ମାଟିକୁ ଭଲ ଭାବରେ ଗୁଣ୍ଡ କରି ବିଲକୁ ସମତଳ କରି ଦିଅନ୍ତୁ । ଚାଷ କରୁଥିବା ସମୟରେ ଏକ ଏକର ଜମିରେ ୧୦ ଗାଡ଼ି ଗୋବର ବା କନୋଷ୍ଟ ଖତ ଦିଅନ୍ତୁ । ତଳି ରୋଇବା ବେଳେ ଏକର ପ୍ରତି ୧୦ କି.ଗ୍ରା. ଯବକ୍ଷାର, ୨୦ କି.ଗ୍ରା. ଫସ୍‌ଫରସ୍ ଓ ୬ କି.ଗ୍ରା. ପଟାସ୍ ସାର ପ୍ରୟୋଗ କରନ୍ତୁ ।

ତଳି ରୋଇବାର ୨୦-୨୫ ଦିନ ପରେ ଜମିରୁ ଘାସ ବାଛି ଗଛମୂଳକୁ କୋଡ଼ାଖୁସା କରି ଏକର ପିଛା ୨୦ କି.ଗ୍ରା. ଯବକ୍ଷାର ଓ ୧୨ କି.ଗ୍ରା. ପଟାସ୍ ସାର ଦେଇ ହୁଡ଼ା ଟେକି ଦିଅନ୍ତୁ । ଗଛ ୪୦ ଦିନର ହୋଇଗଲା ପରେ ଏକର ପିଛା ୨୦ କି.ଗ୍ରା. ଯବକ୍ଷାର ଓ ୧୨ କି.ଗ୍ରା. ପଟାସ ସାର ପ୍ରୟୋଗ କରନ୍ତୁ ।

ଧାଡ଼ି ଧାଡ଼ି ଭିତରେ ବ୍ୟବଧାନ ୬୦ ସେ.ମି. ବା ୨ ଫୁଟ ଓ ଗଛକୁ ଗଛ ମଧ୍ୟରେ ବ୍ୟବଧାନ ୪୫ ସେ.ମି. ବା ଦେଢ଼ ଫୁଟ ରଖିବା ଦରକାର । ତେବେ ଖରାଦିନେ ଟିକିଏ ପାଖାପାଖି ଲଗାଇଲେ ଅମଳ ଭଲ ହୋଇଥାଏ । ମେଘୁଆ ପାଗ ଦେଖି ତଳି ରୋଇବା ଉଚିତ୍ । ନଚେତ୍ ଉପର ବେଳା ତଳି ରୋଇବା ଦରକାର । ରୋଇ ସାରିବା ପରେ ସାଙ୍ଗେ ସାଙ୍ଗେ ଗଛ ମୂଳରେ ପାଣି ଦେବା ଆବଶ୍ୟକ । ରୋଇବାର ୮ ରୁ ୧୦ ଦିନ ପରେ ଯଦି ଧାଡ଼ି ଭିତରେ କୌଣସି ଗଛ ମରି ଯାଇଥାଏ, ତେବେ ସେହି ସ୍ଥାନରେ ତଳି କିଆରୀରୁ ଗଛ ଆଣି ପୋତି ଦେବା ଉଚିତ୍ ।

ରୋଇବାର ୨୦ ରୁ ୨୫ ଦିନ ପରେ ଯବକ୍ଷାର ଓ ପଟାସ ଜାତୀୟ ସାରକୁ ଗଛ ମୂଳରୁ ୨ ଇଞ୍ଚ ଛାଡ଼ି ପ୍ରୟୋଗ କରିବା ଉଚିତ୍ । କାରଣ ଗଛ ମୂଳରେ ସାର ଲାଗିଗଲେ ଗଛ ମରିଯିବାର ଆଶଙ୍କା ଥାଏ । ଗଛ ମୂଳରେ ହୁଡ଼ା ଦେଲେ ଗଛ ହୃଷ୍ଟପୁଷ୍ଟ ହୁଏ, ଅଧିକ ଶାଖା ବାହାରେ ଓ ଅମଳ ଅଧିକ ହୋଇଥାଏ ।

ପାଣି ମଡ଼ା

ବର୍ଷାଦିନେ ସାଧାରଣତଃ ପାଣି ଦରକାର ହୁଏ ନାହିଁ । କିନ୍ତୁ ବର୍ଷା ଛାଡ଼ିଗଲା ପରେ ପ୍ରତି ୧୦ ରୁ ୧୨ ଦିନରେ ଥରେ ଲେଖାଏଁ ସନ୍ଧ୍ୟାରେ ପାଣି ଦେବା ଆବଶ୍ୟକ ହୋଇଥାଏ । ପାଣି ଅଭାବରେ ଫୁଲ ଝଡ଼ିଯାଏ ଓ ପତ୍ର ମଧ୍ୟ ହଳଦିଆ ପଡ଼ିଯାଏ । ଶୀତ ଓ ଖରାଦିନେ ମଧ୍ୟ ପ୍ରତି ସପ୍ତାହରେ ଥରେ ଲେଖାଏଁ ପାଣି ଦେବା ଆବଶ୍ୟକ ହୋଇଥାଏ ।

ଅମଳ

ତଳି ରୁଆ ହେବାର ପ୍ରାୟ ୬୦ ଦିନ ପରେ ଗଛରେ ଫୁଲ ଫଳ ଧରିଥାଏ । ସାଧାରଣତଃ ଏକ ଏକରରୁ ୮୦ ରୁ ୧୦୦ କ୍ଵିଣ୍ଟାଲ ପର୍ଯ୍ୟନ୍ତ ବାଇଗଣ ମିଳିଥାଏ ।

ରୋଗ ଓ ପୋକ

ବାଇଗଣ ଫସଲରେ କାଣ୍ଡ ଓ ଫଳ ବିନ୍ଧା ପୋକ ଏବଂ କାଙ୍କଡ଼ିଆ ପୋକ ବହୁତ କ୍ଷତି କରିଥାନ୍ତି । କାଣ୍ଡ ଓ ଫଳବିନ୍ଧା ପୋକ କାଣ୍ଡର ଉପରି ଭାଗରେ କଣା କରି ତା ଭିତରେ ପଶିଥାଏ ।

କାଣ୍ଡଗୁଡ଼ିକୁ ପୋକ ବିନ୍ଧିଥିବା ସ୍ଥାନର ଟିକିଏ ତଳକୁ କାଟି ଫୋପାଡ଼ି ଦିଅନ୍ତୁ । ପୋକା ଫଳଗୁଡ଼ିକୁ ତୋଳି ସାରି ଏକର ପିଛା ୧୫୦ ମିଲିଲିଟର ହିସାବରେ ଡାଇକ୍ଲୋରୋଭାସ କିମ୍ବା ନୁଭାନ କିମ୍ବା ମାରଭେକସ କିମ୍ବା ଭେପନା ପ୍ରଭୃତି ଯେ କୌଣସି ଗୋଟିଏ ଔଷଧକୁ ସ୍ତେ କରନ୍ତୁ । ଏକ ଏକର ବିଲ ପାଇଁ ଏହି ପରିମାଣ ଔଷଧକୁ ୨୦୦ ଲିଟର ପାଣିରେ ମିଶାଇ ସ୍ପ୍ରେ କରାଯାଏ ।

ଗଛରେ ଫୁଲ ଧରିବା ପୂର୍ବରୁ ଏଣ୍ଡାସନ ଔଷଧକୁ ପ୍ରତି ଏକ ଲିଟର ପାଣିରେ ୨ ମିଲିଲିଟର ହିସାବରେ ପକାଇ ବିଲରେ ସ୍ପ୍ରେ କରନ୍ତୁ । ଏକ ଏକର ପାଇଁ ୨୦୦ ଲିଟର ପାଣିରେ ୪୦୦ ମିଲିଲିଟର ଔଷଧ ମିଶାଇବା ଦରକାର । କିନ୍ତୁ ଫୁଲ ଫଳ ଧରିଲା ପରେ ଏହି ଔଷଧ ପକାଇବା ଉଚିତ ନୁହେଁ । କାରଣ ଏହି ଔଷଧର ବିଷ ପ୍ରଭାବ ଫଳରେ ରହିଯାଏ ।

ଫଳ ଧରିବା ସମୟରେ ପ୍ରତି ଏକ ଲିଟର ପାଣିରେ ଅଢ଼େଇ ମିଲିଲିଟର ହିସାବରେ ମାଲାଥିଅନ ବା ୧ ଲି. ପାଣିରେ ୨ ଗ୍ରାମ୍ ହିସାବରେ କାର୍ବାରିଲକୁ ପ୍ରତି ୧୫ ଦିନ ଛଡ଼ାରେ ସ୍ପ୍ରେ କଲେ ଏହି ପୋକକୁ ଦମନ କରାଯାଇପାରିବ ।

କାଙ୍କଡିଆ ପୋକ

ଏହି ପୋକ ପତ୍ରକୁ କଣାକରି ତା’ର ସବୁଜ ଅଂଶ ଖାଇଯାଆନ୍ତି । ଫଳରେ ପତ୍ର ଜାଲି ଜାଲି ହୋଇଯାଏ । ଏହି ପୋକକୁ ଆୟତ୍ତ କରିବା ପାଇଁ ଫୁଲ ଧରିବା ପୂର୍ବରୁ ଏଣ୍ଡୋସଲଫାନ୍ ଏବଂ ଫୁଲ ଧରିବା ପରେ ମାଲାଥିଅନ ସ୍ପ୍ରେ କରିବା ଦରକାର । ପ୍ରତି ଏକ ଲିଟର ପାଣିରେ ୨ ରୁ ୩ ମିଲିଲିଟର ହିସାବରେ ଏଥିରୁ ଯେ କୌଣସି ଗୋଟିଏ ଔଷଧ ମିଶାଇ ସ୍ପ୍ରେ କରନ୍ତୁ । ଏକ ଏକର ପାଇଁ ୨୦୦ ଲିଟର ପାଣି ଦରକାର ହୋଇଥାଏ ।

ରୋଗ

ସାଧାରଣତଃ ତଳିପଟିରେ ଗଛ ବହଳିଆ ହୋଇ ଉଠିଲେ ମୂଳ ସଢ଼ା ରୋଗ ଦେଖାଯାଏ । ତଳି ବଡ଼ ହୋଇଗଲେ ଏହି ରୋଗ ପ୍ରାୟ ହୁଏ ନାହିଁ । ମଞ୍ଜି ବିଶୋଧନ କରି ତଳି ପକାଇଥିଲେ ମଧ୍ୟ ଏହି ରୋଗ ହୋଇ ନଥାଏ ।

ଯଦି ରୋଗ ଦେଖାଯାଏ ତେବେ ପ୍ରତି ୧ ଲିଟର ପାଣିରେ ୨-୨.୫ ଗ୍ରାମ୍ । ହିସାବରେ ମାଙ୍କାଜେବ ଔଷଧକୁ ମିଶାଇ ଗଛ ମୂଳରେ ଭଲଭାବରେ ସ୍ପ୍ରେ କରନ୍ତୁ ।  ପୁନଶ୍ଚ ତଳି ମୂଳସଢ଼ା ରୋଗ ଦେଖାଦେଲେ ତଳି ପଟାଳିରେ କମ୍ ପାଣି ଦିଅନ୍ତୁ ।

ଛୋଟ ପତ୍ରଦାଗ

ଏହି ରୋଗ ହେଲେ ଗଛର ପତ୍ରଗୁଡ଼ିକ ଛୋଟ ଛୋଟ ହୋଇଯାଏ ଓ ଗୋଟିଏ ଜାଗାରୁ ଅନେକ ପତ୍ର ବାହାରେ । ଗଛରେ ଫୁଲ ଫଳ ଧରେ ନାହିଁ । ରୋଗାକ୍ରାନ୍ତ ଗଛକୁ ଉପାଡ଼ି ଫୋପାଡ଼ି ଦେଲେ ଏହି ରୋଗ ଅନ୍ୟ ଗଛକୁ ବ୍ୟାପିପାରେ ନାହିଁ । କାରଣ ରୋଗା ଗଛ ରହିଲେ ଏକ ପ୍ରକାରର ଧଳା ମାଛିମାନଙ୍କ ସାହାଯ୍ୟରେ ଏହି ରୋଗ ଅନ୍ୟ ଗଛମାନଙ୍କୁ ବ୍ୟାପିବାର ସମ୍ଭାବନା ଥାଏ । ଏହି ଗଛଗୁଡ଼ିକରୁ ଆଉ ମଞ୍ଜି ସଂଗ୍ରହ ନକରି ନୂଆ କରି ମଞ୍ଜି ଆଣି ଆଉଥରେ ଚାଷ କରିବା ଉଚିତ୍ ।

ମୂଳସଢା ରୋଗ

ମୂଳସଢ଼ା ରୋଗ ହେଲେ ପତ୍ର ହଳଦିଆ ପଡ଼ିଯାଏ, ଫୁଲ ଝଡ଼ିପଡ଼େ ଓ ରୋଗ ଗୁରୁତର ହେଲେ ଗଛ ଝାଉଁଳି ଶୁଖିଯାଏ ।

ମଞ୍ଜିକୁ ବିଶୋଧନ କରି ତଳି ପକାଇଲେ ଏହି ରୋଗ ପ୍ରାୟ ହୁଏ ନାହିଁ । ରୋଗ ହେଲେ ପ୍ରତି ଏକର ପାଇଁ ଏକ କି.ଗ୍ରା. ହିସାବରେ ଜିନେବ । ୭୫୦ ଗ୍ରାମ୍ ମାଝୋଜେକୁ ୨୦୦ ଲିଟର ପାଣିରେ ମିଶାଇ ଗଛ ମୂଳରେ ସ୍ପ୍ରେ କରିବା ଦରକାର । ଗୋଟିଏ ବିଲରେ ସବୁବେଳେ ବାଇଗଣ ନ କରି ୨/୩ ବର୍ଷରେ ଥରେ ଲେଖାଏଁ ଚାଷ କଲେ ଏହି ରୋଗକୁ ନିୟନ୍ତ୍ରଣ କରାଯାଇପାରିବ ।

ଝାଉଁଳା ରୋଗ

ଏହି ରୋଗ ଏକ ପ୍ରକାର ଜୀବାଣୁ ଦ୍ଵାରା ହୋଇଥାଏ । ସାଧାରଣତଃ ଗଛରେ ଫୁଲ ଆସିଲା ବେଳକୁ ଏହି ରୋଗ ଦେଖାଦିଏ । ଫଳରେ ଗଛ ଝାଉଁଳି ମରିଯାଏ । ଏହି ରୋଗ ଦ୍ଵାରା ବହୁତ କ୍ଷତି ହୋଇଥାଏ ।

ପ୍ରତିକାର

  • ଝାଉଁଳା ରୋଗ ପ୍ରତିରୋଧକ ଶକ୍ତି ଥିବା କିସମ ଯଥା – ପୁଷା ପର୍ପଲ କ୍ଲଷ୍ଟର, ଉତ୍କଳ ତାରିଣୀ ବା ଉତ୍କଳ ମାଧୁରୀ କିସମ ଚାଷ କରନ୍ତୁ ।
  • ତଳି ପକାଇବା ପୂର୍ବରୁ ମଞ୍ଜି କୁ ବିଶୋଧନ କରନ୍ତୁ । ୧ ଗ୍ରାମ୍ ଆଗ୍ରାମାଇସିନ୍ କିମ୍ବା ପ୍ଲାଣ୍ଟୋମାଇସିନ୍ ସହି ତ ୧ ଗ୍ରାମ୍ କାପଟାନ୍ କୁ ମିଶାଇ ତାହାକୁ ଅଧଲିଟର ପାଣିରେ ଗୋଳାଇ ଦିଅନ୍ତୁ । ସେହି ପାଣିରେ ମଞ୍ଜିକୁ ପ୍ରାୟ ୧୦ ମିନିଟ ପର୍ଯ୍ୟନ୍ତ ରଖି ପାଣି ରୁ ଛାଣି ଶୁଖାଇ ତଳି ପକାଇଲେ ରୋଗକୁ ଆୟତ୍ତ କରାଯାଇପାରେ ।
  • ଦଶ ଲିଟର ପାଣି ରେ ୬ ଗ୍ରାମ୍ ଆକ୍ରୋମାଇସିନ୍ କିମ୍ବା ୧୦ ଗ୍ରାମ୍  ପ୍ଲାଣ୍ଟୋମାଇସିନକୁ  ଗୋଳାଇ ତଳିକୁ ଉପାଡ଼ି ତାହାର ଚେରକୁ ସେହି ପାଣିରେ ୨୫ ମିନିଟ ବୁଡ଼ାଇ ରୋଇଲେ ରୋଗ ହେବାର ଆଶଙ୍କା କମିଯାଇଥାଏ ।

ଫଳ ସଢ଼ା ରୋଗ

ସାଧାରଣତଃ ଏହି ରୋଗ ହେଲେ ଫଳର ଉପର ଅଂଶ ଗୋଲ ଗୋଲ ହୋଇ ଶିଝିଗଲା ପରି ଦେଖାଯାଏ ଓ ଫଳଟି ପଚି ଝଡ଼ିପଡ଼େ । ରୋଗରୁ ରକ୍ଷା ପାଇବା ପାଇଁ ବିହନ ବିଶୋଧନ କରିବା ଉଚିତ୍ । ପୁନଶ୍ଚ ତଳି ଲଗାଇବା ପୂର୍ବରୁ ୧ ଲିଟର ପାଣିରେ ଅଧଗ୍ରାମ୍ ହିସାବରେ ବାରିଷ୍ଟିନ୍ ମିଶାଇ ତଳିକୁ ତା ମଧ୍ୟରେ ଅଧଘଣ୍ଟାଏ ବୁଡ଼ାଇ ରୋଇଲେ ରୋଗରୁ ରକ୍ଷା ମିଳିଥାଏ ।

ଏକ ଲିଟର ପାଣିରେ ୩ ଗ୍ରାମ୍ ହିସାବରେ କପର ଅକସିକ୍ଲୋରାଇଡ଼୍ ମିଶାଇ ଗଛରେ ସ୍ପ୍ରେ କଲେ ଏହି ରୋଗ ଦମନ ହୋଇଥାଏ ।

ଏସବୁ ଛଡ଼ା ନେମାଟୋଡ଼ ବା ସୂତ୍ରଜୀବମାନଙ୍କ ଦ୍ଵାରା ମଧ୍ୟ ବାଇଗଣ ଫସଲର କ୍ଷତି ହୋଇଥାଏ । ଏହାଦ୍ଵାର ଚେର ଗଣ୍ଡି ହୋଇଥାଏ । ଗଛ ବଢ଼େନାହିଁ ଓ ବେଳେବେଳେ ହଳଦିଆ ପଡ଼ି ମରିଯାଏ । ସାଧାରଣତଃ ଗୋଟିଏ ଜମିରେ ସବୁବେଳେ ବାଇଗଣ ଫସଲ ନକରି ଦୁଇ ତିନି ବର୍ଷରେ ଥରେ କଲେ ଏହି ରୋଗ ହୁଏ ନାହିଁ ।

ଦାନାଦାର ଔଷଧ ଦ୍ଵାରା ମଧ୍ୟ ସୂତ୍ରଜୀବକୁ ନିୟନ୍ତ୍ରଣ କରାଯାଇ ପାରିବ । ତଳି ରୋଇବାର ୧୫ ଦିନ ପରେ ପ୍ରଥମ ଥର ସାର ଦେବାବେଳେ ଏକର ପିଛା ୬ କି.ଗ୍ରା. ହିସାବରେ ଫୁରାଡନ୍ ନାମକ ଦାନାଦାର ଔଷଧ ଗଛମୂଳରେ ଦେଲେ ଏହି ରୋଗ ପ୍ରାୟ ହୁଏ ନାହିଁ । ଫୁରାଡନ୍ ପ୍ରୟୋଗ ଦ୍ୱାରା ଅନେକ ପୋକ ଦାଉରୁ ମଧ୍ୟ ରକ୍ଷା ମିଳିଥାଏ ।

ବାଇଗଣ ଫସଲରୁ ଲାଭ

ସାଧାରଣତଃ ଉନ୍ନତ ପ୍ରଣାଳୀରେ ବାଇଗଣ ଚାଷକଲେ ଏକର ପିଛା ୧୦୦୦୦ ରୁ ୧୨୦୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ । ସେହି ପରି ଫସଲ ଭଲ ରହି ଲେ ଏକର ପିଛା ହାରାହାରି ୮୦ ଦ୍ବିଣ୍ଟାଲ ପର୍ଯ୍ୟନ୍ତ ଅମଳ ମିଳିଥାଏ । ବାଇଗଣ କିଲୋ ପ୍ରତି ହାରାହାରି ଚାରିଟଙ୍କା ହିସାବରେ ବିକ୍ରି କଲେ ୩ ୨୦୦୦ ଟଙ୍କା ମିଳିଥାଏ । ଚାଷଖର୍ଚ୍ଚ ବାଦ ଦେଲେ ପ୍ରାୟ ୨୦୦୦୦ ରୁ ୨୨୦୦୦ ଟଙ୍କା ଲାଭ ହୋଇଥାଏ । ଶୀତଦିନେ ବାଇଗଣ ଶସ୍ତା ହୋଇଥାଏ । କିନ୍ତୁ ଅନ୍ୟ ଋତୁରେ ବାଇଗଣ ଦାମ୍ ଚଢ଼ା ରହିଥିବାରୁ ଲାଭ ଅଧିକ ହୋଇଥାଏ।

ମଞ୍ଜି ଉତ୍ପାଦନ

ଅନେକ ଚାଷୀ ନିଜ ଫସଲରୁ ମଞ୍ଜି ରଖିବା ପାଇଁ ଆଗ୍ରହ ପ୍ରକାଶ କରନ୍ତି । ଏଥିପାଇଁ ୨ ରୁ ୩ ଥର ବାଇଗଣ ତୋଳିସାରିଲା ପରେ କେତେକ ନିର୍ଦ୍ଦିଷ୍ଟ ଗଛରେ । ଫଳଗୁଡ଼ିକୁ ନତୋଳି ପାଚି ବାକୁ ଛାଡ଼ି ଦେବା ଦରକାର । ପ୍ରଥମ ଫଳକୁ ମଞ୍ଜି ପାଇଁ ଛାଡ଼ିଦେଲେ ଗଛର ଅମଳ କମିଯାଏ ଓ ସେହି ଫଳରେ ମଞ୍ଜିର ପରିମାଣ ମଧ୍ୟ କମ୍ ଥାଏ । ସାଧାରଣତଃ ୧୦ କି.ଗ୍ରା. ବାଇଗଣରୁ ପ୍ରାୟ ୨୦୦ ରୁ ୨୫୦ ଗ୍ରାମ୍ ମଞ୍ଜି କି.ଗ୍ରା. ମିଳିଥାଏ ।

ଫଳଗୁଡ଼ିକ ଗଛରେ ପାଚିଗଲେ ସେଗୁଡ଼ିକୁ ତୋଳିଆଣି ଫଳକୁ ଛୁରୀ ସାହାଯ୍ୟରେ ୮ ଫାଳ କରି କାଟି ହେଁ ରୁ ମଞ୍ଜି ବାହାର କରି ଗୋଟିଏ ପାତ୍ରରେ ରଖନ୍ତୁ । ଭଲ ମଞ୍ଜି ଗୁଡ଼ିକ ପାଣିତଳେ ବସିଯାଏ । ମଞ୍ଜିଗୁଡ଼ିକ ହାତରେ ଭଲ ଭାବରେ ଗୋଳାଇ କିଛି ସମୟ ଛାଡ଼ିଦେଲେ ମଞ୍ଜି ଗୁଡ଼ିକ ତଳେ ବସି ଯାଏ ଓ ଅନ୍ୟାନ୍ୟ ଫଳର ଅଂଶ । ପାଣି ଉପର ଭାଗରେ ଭାସେ । ପ୍ରାୟ ୩ ରୁ ୪ ଥର ଏହି ପରି ମଞ୍ଜିକୁ ଧୋଇ ୪-୫ ଦିନ ଟାଣ ଖରାରେ ଶୁଖାଇ ପଲିଥିନ୍ ବା ଜରି ପ୍ୟାକେଟରେ ବନ୍ଦକରି ରଖିଲେ ମଞ୍ଜି ୨ ରୁ ୩ ବର୍ଷ ପର୍ଯ୍ୟନ୍ତ ରଖାଯାଇପାରେ ।

କେବଳ ମଞ୍ଜି ପାଇଁ ବାଇଗଣ ଚାଷକଲେ ଏକର ପ୍ରତି ପ୍ରାୟ ୧୫୦ ରୁ ୧୮୦ କି.ଗ୍ରା. ପର୍ଯ୍ୟନ୍ତ ମଞ୍ଜି ମିଳିଥାଏ ।

ମନେରଖନ୍ତୁ

  • ଉନ୍ନତ କିସମର ବାଇଗଣ ଚାଷ କରନ୍ତୁ ଓ ଠିକ୍ ସମୟରେ ତଳି ପକାଇ ରୁଅନ୍ତୁ ।
  • ବିଲରେ ଅନୁମୋଦିତ ପରିମାଣରେ ଖତ ଓ ସାର ଠିକ୍ ସମୟରେ ପ୍ରୟୋଗ କରନ୍ତୁ ।
  • ଠିକ୍ ସମୟରେ ବିଲରୁ ଘାସ ବାଛି କୋଡ଼ାଖୁସା କରନ୍ତୁ ।
  • ପୋକ ଓ ରୋଗ ଦାଉରୁ ରକ୍ଷା କରିବା ପାଇଁ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରନ୍ତୁ ।

ଆଧାର -"ଓୟୁଏଟି"

2.94444444444
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top