ହୋମ / କୃଷି / କୃଷି ଉଦ୍ୟୋଗ / ବିଲାତିବାଇଗଣ
ସେଆର କରନ୍ତୁ

ବିଲାତିବାଇଗଣ

ବିଲାତିବାଇଗଣ ଚାଷ ସମ୍ବନ୍ଧରେ ସୂଚନା ।

ବିଲାତିବାଇଗଣ  ପୃଥିବୀର ପ୍ରାୟ ସବୁ ଅଞ୍ଚଳରେ ଏକ ମୁଖ୍ୟ ପରିବା ରୂପେ ଚାଷ କରାଯାଇଥାଏ । ଆଳୁ ଓ କନ୍ଦମୂଳକୁ ଛାଡ଼ିଦେଲେ ପରିବା ହିସାବରେ ଏହାର ସ୍ଥାନ ତୃତୀୟ । ବିଭିନ୍ନ ପ୍ରକାର ଖାଦ୍ୟ ପାଇଁ ଏହି ବ୍ୟବହୃତ ହୁଏ । ଆଜି କାଲି ବିଲାତିବାଇଗଣରୁ ରସ ବାହାର କରାଯାଇ ବ୍ୟବସାୟିକ ଭିତ୍ତିରେ ବିକ୍ରୟ କରାଯାଉଅଛି ।

ବୈଜ୍ଞାନିକମାନଙ୍କ ମତରେ ଏହି ଫସଲ ମେକସିକୋ ଓ ଦକ୍ଷିଣ ଆମେରିକାର ମେରୁ ଅଞ୍ଚଳରେ ଚାଷ ହେଉଥିଲା । ସେଠାରୁ ଏହା ସ୍ପେନ୍‌ର ନାବିକମାନଙ୍କ ଦ୍ଵାରା ଇଉରୋପକୁ ଆସିଥିଲା । ପର୍ତ୍ତୁଗୀଜ ବଣିକମାନଙ୍କ ଦ୍ଵାରା ବିଲାତିବାଇଗଣ ଭାରତକୁ ଆସିଥିଲା ବୋଲି ଜଣାଯାଏ ।

ଖାଦ୍ୟ ମୂଲ୍ୟ

ବିଲାତିବାଇଗଣ ଏକ ସୁସ୍ଵାଦୁ ଓ ପୁଷ୍ଟିକର ଖାଦ୍ୟ । ଏଥିରେ ଶତକଡ଼ା ୧.୯ ଭାଗ ପୁଷ୍ଟିସାର, ୩.୬ ଭାଗ ଶ୍ୱେତସାର ଥାଏ । ଏହାଛଡ଼ା କାଲସିଅମ, ମ୍ୟାଗ୍ନେସିଅମ, ଲୌହ, ଫସ୍‌ଫରସ୍ ଆଦି ଧାତବ ଲବଣ ମଧ୍ୟ ରହିଥାଏ । ଏଥିସହିତ ଭିଟାମିନ୍ ଏ, ବି, ସି ମଧ୍ୟ ବିଲାତିବାଇଗଣରେ ରହିଥାଏ ।

କିସମ

ଅନେକ କିସମର ବିଲାତି ବାଇଗଣ ଆମ ଦେଶରେ ଚାଷ କରାଯାଇଥାଏ । କିନ୍ତୁ ଗଛର ବଢ଼ିବା ଅନୁସାରେ ସେମାନଙ୍କୁ ମୁଖ୍ୟତଃ ଦୁଇଟି ଭାଗରେ ବିଭକ୍ତ କରାଯାଇଅଛି । ପ୍ରଥମଟି ହେଲା ଡିଟରମିନେଟ୍ (Determinate )ବା ନିର୍ଦ୍ଧାରଣ ପ୍ରକାର । ଏହି କିସମଗୁଡ଼ିକର ଉଚ୍ଚତା କମ୍ । ଫୁଲ ଗୁଡ଼ିକ ପେନ୍ଥା ପେନ୍ଥା ଫୁଟେ ଓ ଡାଳର ଶେଷ ମୁଣ୍ଡରେ ଫୁଲ ଫୁଟୁଥିବାରୁ ଡାଳ ଆଉ ବଢ଼େ ନାହିଁ । ତେଣୁ ଏହିସବୁ କିସମରେ ଫଳ ଏକାଥରକେ ଧରିଥାଏ । ଏହି କିସମଗୁଡ଼ିକ ସାଧାରଣତଃ ଅଳ୍ପ ଦିନରେ ଅମଳ ହୋଇଥାଏ।

ଦ୍ଵିତୀୟ ପ୍ରକାର କିସମକୁ ଇନଡିଟରମିନେଟ୍ (Indeterminate)ବା ଅନିର୍ଦ୍ଧାରକ କୁହାଯାଏ । ଏହି ଗଛର ଉଚ୍ଚତା ଅଧିକ । ଗଛ ବଢ଼ିବା ସଙ୍ଗେ ସଙ୍ଗେ ଫୁଲ ଓ ଫଳ ଧରିଥାଏ । ଏଗୁଡ଼ିକ ବିଳମ୍ବରେ ପାରେ । ଏଥିରେ ଥର ଥର କରି ଅନେକ ଦିନ ଫଳ ଆସିଥାଏ ।

ବିଲାତିବାଇଗଣର ଫୁଲ ପେନ୍ଥା ପେନ୍ଥା ହୋଇ ଧରେ ଓ ପ୍ରତି ପେନ୍ଥାରେ ୨ ରୁ ୨୬ଟି ପର୍ଯ୍ୟନ୍ତ ଫୁଲ ଫୁଟିଥାଏ । ସେହିପରି ଗୋଟିଏ ପେନ୍ଥାରେ ୨ ରୁ ୨୦ଟି ପର୍ଯ୍ୟନ୍ତ ଫଳ ମଧ୍ୟ ଧରିବାର ଦେଖାଯାଏ । ପରୀକ୍ଷାରୁ ଜଣାଯାଇଅଛି ଯେ, କେତେକ ବିଲାତିବାଇଗଣ ଗଛରେ ପ୍ରାୟ ୭୦୦ ରୁ ୮୦୦ ପର୍ଯ୍ୟନ୍ତ ଫଳ ଧରିଥାଏ ।

ଆମ ରାଜ୍ୟ ପାଇଁ ଉପଯୁକ୍ତ କିସମ ଗୁଡ଼ିକର ନାମ ତଳେ ଦିଆଗଲା ।

କିସମ

ଫଳର ଆକାର

କେତେ ଦିନରେ ଅମଳ ହୁଏ

ଅନ୍ୟାନ୍ୟ ଗୁଣ

ନିର୍ଦ୍ଧାରଣ ପ୍ରକାର (Determinate type)

୧। ଉତ୍କଳ ପଲ୍ଲବୀ

ଛୋଟରୁ ମଧ୍ୟମ

୮୫ରୁ ୯୦ ଦିନ

ଝାଉଁଳା ରୋଗ ନିରୋଧକ, ସଅଳ  କିସମ, ଫଳବିନ୍ଧା ପୋକର ସହଣୀ ଶକ୍ତି ଅଛି । ମାଂସାଳ, ଫଳ ପାଚିଗଲେ ଫାଟିଯାଏ ନାହିଁ, ଫଳ ପାଚିଗଲା ପରେ ବହୁତ ଦିନ ପର୍ଯ୍ୟନ୍ତ ରଖାଯାଇ ପାରେ ।

୨ । ପଞ୍ଜାବ ଛୁଆର

ଛୋଟରୁ ମଧ୍ୟମ

୯୦ ରୁ ୯୫ ଦିନ

ଫଳ ପାଚିଗଲା ପରେ ମଧ୍ୟ ବହୁତ ଦିନ  ପର୍ଯ୍ୟନ୍ତ ରଖାଯାଇପାରେ । ଦୂର ସ୍ଥାନକୁ ପଠାଇଲେ ନଷ୍ଟ ହୁଏ ନାହିଁ ।

୩। ଉତ୍କଳଦୀପ୍ତି

ଛୋଟରୁ ମଧ୍ୟମ

୮୦ ରୁ ୯୫ ଦିନ

ଝାଉଁଳା ରୋଗ ନିରେ ଧକ, ସଅଳ କିସମ, ମାଂସାଳ, ଗୋଲ, ସଅଳ ଓ ବିଳମ୍ବରେ ଚାଷ କଲେ ମଧ୍ୟ ଭଲ ଅମଳ  ମିଳେ ।

ଅନିର୍ଦ୍ଧାରଣ ପ୍ରକାର (Indeterminate type)

୧। ଶକ୍ତି

ମଧ୍ୟମ

୧୦୦ ରୁ ୧୦୫ ଦିନ

ଝାଉଁଳା ରୋଗ ପ୍ରତିରୋଧକ କିସମ ।

୨। ଅର୍କ ସୌରଇ

ମଧ୍ୟମ

୧୦୦ ରୁ ୧୦୫ ଦିନ

ମାଂସାଳ, ପାଚିଗଲେ ଫଳ ଫାଟେ ନାହିଁ ।

୩। ଅର୍କ ବିକାଶ

ମଧ୍ୟମରୁ ବଡ଼

୧୦୦ ରୁ ୧୦୫ ଦିନ

ମାଂସଳ, ପାଚିଗଲେ ଫଳ ଫାଟେନାହିଁ ।

୪। ପୁଷାରୁବି

ଛୋଟରୁ ମଧ୍ୟମ

୯୦ ରୁ ୯୫ ଦିନ

ରସାଳିଆ, ସଅଳ କିସମ ।

୫। ଉତ୍କଳ କୁମାରୀ

ମଧ୍ୟମରୁ ବଡ଼

୯୦ ରୁ ୯୫ ଦିନ

ଝାଉଁଳା ରୋଗ ନିରୋଧକ, ଗୋଲ,ଅଧିକ ଅମଳକ୍ଷମ ।

୬। ଉତ୍କଳ ଉର୍ବଶୀ

ମଧ୍ୟମ ଆକାର

୧୦୦ ରୁ ୧୦୫ ଦିନ

ଝାଉଁଳା ରୋଗ ନିରୋଧକ କିସମ,ଲମ୍ବାଳିଆ, ମାଂସଳ, ଫଳ ପାଚିଗଲା ପରେ ମଧ୍ୟ ଅଧିକ ଦିନ ପର୍ଯ୍ୟନ୍ତ ରଖାଯାଇପାରେ । ଅଧିକ ଅମଳକ୍ଷମ ।

୭। ଉତ୍କଳ ରାଜା

ମଧ୍ୟମରୁ ବଡ଼

୯୫ ରୁ ୧୦୦ ଦିନ

ଝାଉଁଳା ରୋଗ ନିରୋଧକ କିସମ, ଗୋଲ, ଗାଢ଼ ଲାଲ, ଅଧିକ ଅମଳକ୍ଷମ ।

ଏକ ଏକର ଜମିରେ ବିଲାତିବାଇଗଣ ଚାଷ କରିବା ପାଇଁ ଆବଶ୍ୟକ ସାମଗ୍ରୀ ।

  1. ମଞ୍ଜି – ୨୦୦ ଗ୍ରାମ୍ (ପ୍ରାୟ ୧ ଏକର ଜମି ପାଇଁ : ୧୨୫୦୦ ରୁ ୧୫୦୦୦ ପର୍ଯ୍ୟନ୍ତ ତଳି ଆବଶ୍ୟକ ହୋଇଥାଏ ।)
  2. ଖତ – ୧୦ ଗାଡ଼ି
  3. ସାର – ଯବକ୍ଷାର ଜାତୀୟ ସାର – ୟୁରିଆ ୮୭ କିଲୋଗ୍ରାମ୍ ବା କାଲସିୟମ
    • ଆମୋନିଅମ ନାଇଟ୍ରେଟ୍ ୧୬୦ କିଲୋଗ୍ରାମ୍
    • ଫସ୍‌ଫରସ୍ ଜାତୀୟ ସାର - ସିଙ୍ଗଲ ସୁପର ଫସ୍‌ଫେଟ୍ – ୧୨୫ କିଲୋଗ୍ରାମ୍
    • ପଟାସ୍ ଜାତୀୟ ସାର – ମ୍ୟୁରେଟ୍ ଅଫ୍ ପଟାସ୍ – ୭୦ କିଲୋଗ୍ରାମ୍
  4. ମଞ୍ଜି ବିଶୋଧନ ପାଇଁ ଥିରାମ, କ୍ୟାପଟାନ୍ ବା ଏମିସାନରୁ ୩ ଗ୍ରାମ୍, ଆଗ୍ରୋମାଇସିନ୍ ବା ପ୍ଲାଣ୍ଟୋମାଇସିନ୍ ୧ ଗ୍ରାମ୍ ।
  5. ରୋଗ ଓ ପୋକ ଦେଖାଦେଲେ ସେଥିପାଇଁ ଆବଶ୍ୟକୀୟ ଔଷଧ ।

ଚାଷ ପ୍ରଣାଳୀ

ବିଲାତିବାଇଗଣ ଏକ ଶୀତଦିନିଆ ଫସଲ । କିନ୍ତୁ ଆମର ପାହାଡ଼ିଆ ଅଞ୍ଚଳରେ ବର୍ଷାଦିନେ ମଧ୍ୟ ଏହା ଚାଷ କରାଯାଇପାରେ । ପୁରୀ, ଗଞ୍ଜାମ, ବାଲେଶ୍ୱର, କଟକ ପ୍ରଭୃତି ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷାଦିନେ ଲଗାଇଲେ ଏଥିରେ ଫୁଲ ଧରେ । କିନ୍ତୁ ଦିନବେଳା ଗରମ ହେଉଥିବାରୁ ଫଳ ନଧରି ଫୁଲ ଝଡ଼ିଯାଏ । ତେଣୁ ଏହି ସବୁ ଜିଲ୍ଲାମାନଙ୍କରେ ସେପ୍ଟେମ୍ବର ଅକ୍ଟୋବର ମାସରେ ବିଲାତିବାଇଗଣ ଲଗାଇବା ଉଚିତ୍ ।

ବାଲିଆ, ଦୋରସା ବା ପଟୁମାଟିରେ ବିଲାତିବାଇଗଣ ଭଲ ହୁଏ । ପାଣି ଜମି ରହୁଥିବା ଜମିରେ ବିଲାତି ବାଇଗଣ ଚାଷ କରିବା ଉଚିତ୍ ନୁହେଁ । ଛାଇ ଜାଗା ମାନଙ୍କରେ ବିଲାତି ବାଇଗଣ ଲଗାଇଲେ ଗଛ ଡେଙ୍ଗା ହୁଏ, କିନ୍ତୁ ଅମଳ ଭଲ ହୁଏନାହିଁ ।

ତଳି ପ୍ରସ୍ତୁତି

  • ବିଲାତିବାଇଗଣ ପାଇଁ ପ୍ରଥମେ ତଳି ପ୍ରସ୍ତୁତି କରିବା ଉଚିତ୍ । ମଞ୍ଜିକୁ ପ୍ରଥମେ କାପଟାନ, ଥିରାମ ବା ଏମିସାନ୍ ପ୍ରଭୃତି ଔଷଧ ଗୋଳାଇ ବିଶୋଧନ କରନ୍ତୁ । ଉଚ୍ଚା ଜାଗାରେ ତଳି ପକାନ୍ତୁ । ଜମିକୁ ଭଲ ଭାବରେ ଚାଷ କରି ମାଟିଗୁଣ୍ଡ କରନ୍ତୁ । ୧୦ ଫୁଟ ଲମ୍ବା ଓ ୩ ଫୁଟ ଚଉଡ଼ାର ୧୦ଟି ପଟି ତିଆରି କରନ୍ତୁ । ପଟିଗୁଡ଼ିକ ସାଧାରଣତଃ ଜମିଠାରୁ ୪ ରୁ ୬ ଇଞ୍ଚ ଉଚ୍ଚା କରନ୍ତୁ । ପ୍ରତି ପଟିରେ ଖତ ଦୁଇ ଝୁଡ଼ି, ୩୫ ଗ୍ରାମ୍ ୟୁରିଆ, ୧୦୦ ଗ୍ରାମ୍ ସିଙ୍ଗଲ ସୁପର ଫସ୍‌ଫେଟ୍ ଓ ୨୦ ଗ୍ରାମ୍ ମ୍ୟୁରେଟ ଅଫ୍ ପଟାସ୍ ଦେଇ ଭଲ ଭାବରେ ମିଶାଇ ଦିଅନ୍ତୁ । ପ୍ରତି ପଟିରେ ୩ ଇଞ୍ଚ ବ୍ୟବଧାନରେ ସିଆର ଟାଣି ସେଥିରେ ମଞ୍ଜି ପକାଇ ଖତ ଓ ମାଟି ଦେଇ ଘୋଡ଼େଇ ଦିଅନ୍ତୁ ।
  • ବର୍ତ୍ତମାନ ପଟିଗୁଡ଼ିକୁ ଛଣ ଦ୍ଵାରା ଘୋଡ଼ାଇ ଝରାରେ ଅଳ୍ପ ପାଣି ଦିଅନ୍ତୁ । ତଳି ଘରା ଚାରିପଟେ ଗାମାକ୍ସିନ୍ ପକାଇ ଦେଲେ ପିମ୍ପୁଡ଼ି ମଞ୍ଜିକୁ ନଷ୍ଟ କରିବେ ନାହିଁ । ମଞ୍ଜିରୁ ଗଜା ହେଲାପରେ ନଡ଼ା ଗୁଡ଼ିକୁ କାଢ଼ିନେବା ଉଚିତ୍ ।
  • ଗୋଟିଏ ପଟିରୁ ବାହାରୁଥିବା ତଳିକୁ ପ୍ରାୟ ଅଢ଼େଇଗୁଣ୍ଠ ବା ୧୦ ଡେସିମିଲି ଜମିରେ ରୁଆଯାଇ ପାରିବ । ଆଗରୁ କୁହାଯାଇଅଛି ଯେ ନିଗିଡ଼ା ଜମିରେ ବିଲାତିବାଇଗଣ କରିବା ଉଚିତ୍ । ପ୍ରଥମେ ଜମିକୁ ଭଲ ଭାବରେ ଚାଷ କରି ମାଟି ଗୁଣ୍ଡ କରି ଦିଅନ୍ତୁ । ମଇ ଦେଇ ଜମିକୁ ସମତଳ କରନ୍ତୁ ଏବଂ ଜମିରୁ ଅଧିକ ପାଣି ଚାଲିଯିବା ପାଇଁ ନାଳର ବ୍ୟବସ୍ଥା କରନ୍ତୁ ।
  • ଏକ ଏକର ଜମି ପାଇଁ ୧୦ ଗାଡ଼ି ହିସାବରେ ଖତ ଦେଇ ମାଟିରେ ମିଶାଇ ଦିଅନ୍ତୁ । ତଳି ରୋଇବା ପୂର୍ବରୁ ଏକର ପିଛା ୨୨ କିଲୋଗ୍ରାମ୍ ୟୁରିଆ, ୧୨୫ କିଲୋଗ୍ରାମ୍ ସିଙ୍ଗଲ ସୁପର ଫସ୍‌ଫେଟ୍ ଓ ୧୬ କିଲୋଗ୍ରାମ୍ ମ୍ୟୁରେଟ୍ ଅଫ୍ ପଟାସ୍ ସିଆରରେ ଦେଇ ମାଟି ମିଶାଇ ଦିଅନ୍ତୁ । ମନେ ରଖନ୍ତୁ ସିଆରରେ ସାର ଭଲ ଭାବରେ ନ ମିଶିଲେ ତଳି ମରିଯିବାର ସମ୍ଭାବନା ଥାଏ।
  • ତଳିକୁ ରୋଇବା ପାଇଁ ଉପାଡ଼ିବାର ୫/୬ ଦିନ ଆଗରୁ ଖୁବ୍ କମ୍ ପାଣି ଦେବା ଉଚିତ୍ । ସାଧାରଣତଃ ୩ ଇଞ୍ଚରୁ ୪ ଇଞ୍ଚ ଉଚ୍ଚତାର ତଳି ରୋଇବା ପାଇଁ ଉପରୋକ୍ତ ହୋଇଥାଏ ।
  • ଧାଡିକୁ ଧାଡ଼ଇ ବ୍ୟବଧାନ ୨ ଫୁଟ (୬୦ ସେ.ମି.) ଓ ଧାଡ଼ି ଭିତରେ ବ୍ୟବଧାନ ଏକରୁ ଦେଢ଼ ଫୁଟ (୪୫ ସେ.ମି.) ରଖି ତଳି ରୁଅନ୍ତୁ । ତଳି ରୋଇବାର ୧୫ ଦିନପରେ ଜମିକୁ ହାଲୁକା ଭାବେ କୋଡ଼ାଖୁସା କରି ୩୩ କିଲୋଗ୍ରାମ୍ ୟୁରିଆ ଓ ୧୬ କିଲୋଗ୍ରାମ୍ ମ୍ୟୁରେଟ ଅଫ୍ ପଟାସ୍ ଦେଇ ହୁଡ଼ଶ ଟେକି ଦିଅନ୍ତୁ । ତଳି ରୋଇବାର ୩୦ ରୁ ୩୫ ଦିନ ପରେ ଆହୁରି ୩୩ କିଲୋଗ୍ରାମ୍ ୟୁରିଆ ଦିଅନ୍ତୁ । ମନେରଖନ୍ତୁ ପ୍ରତିଥର ସାର ଦେଇ ସାରିବା ପରେ ପାଣି ଦେବା ଏକାନ୍ତ ଆବଶ୍ୟକ ।
  • ସବୁବେଳେ ଉପରବେଳା ଚାରା ଉପାଡ଼ି ଲଗାଇବା ଉଚିତ୍ । ଯଦି ଝାଉଁଳା ରୋଗ ଲାଗିବାର ସମ୍ଭାବନା ଥାଏ, ତେବେ ୧୦ ଲିଟର (ପ୍ରାୟ ଏକ ବାଲତି) ପାଣି ରେ ୬ ଗ୍ରାମ୍ ଆଗ୍ରୋମାଇସିନ୍ କିମ୍ବା ୧୦ ଗ୍ରାମ୍ ପ୍ଲାଣ୍ଟୋମାଇସିନ୍ ମିଶାଇ ତଳି ର ଚେ ର ଅଂଶକୁ ଔଷଧ ମିଶା ପାଣିରେ ୧୫ ମିନିଟ୍ ବୁଡ଼ାଇ ରୋଇବା ଉଚିତ୍ । ତଳି ରୋଇ ସାରିବା ପରେ ଝରାରେ ପାଣି ଦେବା ଦରକାର ।
  • ରୋଇବାର ୧୫ ଦିନ ପରେ କୋଡ଼ା ଖୁସା କରି ଘାସ ବାଛି ହୁଡ଼ା ଦିଅନ୍ତୁ । ଏହି ହୁଡ଼ା ଦେବା ସମୟରେ ଗଛ ମୂଳରୁ ୨/୩ ଇଞ୍ଚ ଛାଡ଼ି ସାର ଦେବା ଦରକାର । ଦ୍ଵିତୀୟ ଥର ସାର ଦେଲାବେଳେ ମଧ୍ୟ ସେହି ପରି ଜମିକୁ ଖୁସାଇ ହୁଡ଼ା ଦେବା ଉଚିତ୍ ।

ଜଳସେଚନ

ବିଲାତିବାଇଗଣ ପାଇଁ ପାଣି ଦରକାର ହୋଇଥାଏ । କିନ୍ତୁ ଅଧିକ ପରିମାଣରେ ପାଣି ଦେଲେ ଗଛ ମରିଯିବାର ସମ୍ଭାବନା ଥାଏ । ଫୁଲ ଫୁଟିଲା ବେଳେ ଓ ଫଳ ପାଚିଲା ବେଳେ ମାଟିରେ ପାଗ ରହିବା ଉଚିତ୍ । ଏହି ସମୟରେ ମାଟି ଶୁଖୁଗଲେ ଅମଳ କମିଯାଏ । ଯେଉଁ ସ୍ଥାନରେ ଝାଉଁଳା ରୋଗ ହେବାର ସମ୍ଭାବନା ବେଶି, ସେଠାରେ ନିୟନ୍ତ୍ରିତ ଭାବେ ପାଣିଦେବା ଉଚିତ୍ । ଏକାବେଳକେ ଗୁଡ଼ାଏ ପାଣି ନ ଦେଇ ଅଳ୍ପ ଅଳ୍ପ ପାଣି ଦେଲେ ଫସଲର ଉପକାର ହୋଇଥାଏ ।

ରଞ୍ଜାଦେବା

ସାଧାରଣତଃ ବିଲାତିବାଇଗଣ ଗଛରେ ଫଳ ଧରିବା ପରେ ଡାଳଗୁଡ଼ିକ ତଳକୁ ଝୁଲିପଡ଼େ । ଫଳଗୁଡ଼ିକ ମାଟିରେ ଲାଗି ସଢ଼ିଯିବାର ଆଶଙ୍କା ଥାଏ । ତେଣୁ ଫଳ ଧରିବା ସମୟରେ ପ୍ରତି ଗଛ ମୂଳରେ ବତା ବା ଡାଳ ପୋତି ଗଛକୁ ସେଥିରେ ବାନ୍ଧି ଦେଲେ ଡାଳ ଗୁଡ଼ିକ ତଳକୁ ଓହଳେ ନାହିଁ । ହାୱାଇ ଦେଶରେ ଚାଷୀମାନେ ପ୍ରତି ଧାଡ଼ିର ଦୁଇ ମୁଣ୍ଡରେ ଖୁଣ୍ଟ ପୋତି ତାର ବାନ୍ଧି ଦିଅନ୍ତି । ଗଛ ଗୁଡ଼ିକୁ ଏହି ତାର ଦ୍ଵାରା ବାନ୍ଧିଦେବା ଫଳରେ ସେଗୁଡ଼ିକ ତଳକୁ ଓହଳି ପଡ଼େ ନାହିଁ । ତେବେ ଆମ ଦେଶରେ ଅଧିକ ପରିମାଣରେ ବିଲାତିବାଇଗଣ ଚାଷ କରୁଥିବା ଚାଷୀମାନଙ୍କ ପକ୍ଷରେ ଏହା କରିବା ସୁବିଧାଜନକ ନୁହେଁ ।

ରୋଗ ଓ ପୋକ

ବିଲାତିବାଇଗଣ ଫସଲର ଫଳବିନ୍ଧା ପୋକ ବହୁତ କ୍ଷତି କରିଥାନ୍ତି । ଏମାନଙ୍କୁ ମାରିବା ପାଇଁ ଏକର ପିଛା ୧୫୦ ମିଲିଲିଟର ଡାଇକ୍ଲୋରୋଭାସ ବା ମାରଭେକସ ବା ନୁଭାନ୍ ବ୍ୟବହାର କରିବା ଉଚିତ୍ । ଏକର ପ୍ରତି ୨୦୦ ଲିଟର ପାଣିରେ ଏହି ଔଷଧ ଗୋଳାଇ ସ୍ପ୍ରେ କରିବା ଉଚିତ୍ ।

ଯଦି ଫଳ ଧରିବା ସମୟରେ ଏହି ପୋକ ଲାଗୁଥାନ୍ତି ତେବେ ପ୍ରତି ୧ ଲିଟର ପାଣିରେ ଅଢ଼େଇ ମିଲିଲିଟର ହିସାବରେ ମାଲାଥିଅନ ବା ୩ ଗ୍ରାମ୍ ହିସାବରେ କାର୍ବାରିଲ ଭଲ ଭାବରେ ମିଶାଇ ପ୍ରତି ୧୫ ଦିନ ଛଡ଼ାରେ ୪/୫ ଥର ସ୍ପ୍ରେ କଲେ ପୋକ ଦାଉରୁ ରକ୍ଷା ମିଳେ ।

ରୋଗ

  • ବିଲାତି ବାଇଗଣରେ ସଅଳ ପତ୍ର ପୋଡ଼ା, ଉଚ୍ଛୁର ପତ୍ରପୋଡ଼ା ରୋଗ ହୋଇଥାଏ । ଏହି ରୋଗ ହେଲେ ପତ୍ର ଉପରେ ବାଦାମୀ କିମ୍ବା କଳା ରଙ୍ଗର ଦାଗ ସବୁ ଦେଖାଯାଏ  ଓ ଡାଳ ଭାଙ୍ଗି ପଡ଼େ ।
  • ପ୍ରତି ୧ ଲିଟର ପାଣିରେ ୩ ଗ୍ରାମ୍ ହିସାବରେ ବ୍ଲାଇଟକସ ମିଶାଇ ୧୫ ଦିନ ଅନ୍ତରରେ ୨– ୩ ଥର ସ୍ପ୍ରେ କଲେ ସଅଳ ପତ୍ରପୋଡ଼ା ରୋଗ ଆୟତ୍ତ ହୋଇଥାଏ ।
  • ଉଚ୍ଛୁର ପତ୍ରପୋଡ଼ା ରୋଗ ମେଘୁଆ ବା କୁହୁଡ଼ିଆ ପାଗରେ ବେଶି ହୁଏ । ଏହି ରୋଗ ଦେଖାଯିବା ମାତ୍ରେ ପ୍ରତି ୧ ଲିଟର ପାଣିରେ ତିନି ଗ୍ରାମ୍ ହିସାବରେ ଡିଥେନ୍ ଏମ୍ – ୪୫ ଔଷଧ ଗୁଣ୍ଡ ମିଶାଇ ସ୍ପ୍ରେ କରିବା ଉଚିତ୍ । ପ୍ରତି ୭ ଦିନ ଅନ୍ତରରେ ୨– ୩ ଥର ସ୍ପ୍ରେ କଲେ ରୋଗ ଆୟତ୍ତ ହୋଇଥାଏ ।
  • ଏସବୁ ବ୍ୟତୀତ ବିଲାତିବାଇଗଣରେ ତଳି ସଢ଼ା, ମୂଳସଢ଼ା, ଝାଉଁଳା ଓ ଫଳସଢ଼ା ରୋଗ ହୋଇଥାଏ ।
  • ଏହାଛଡ଼ା ନେମାଟୋଡ଼ ବା ସୂତ୍ରଜୀବମାନେ ମଧ୍ୟ ବିଲାତିବାଇଗଣର କ୍ଷତି କରିଥାନ୍ତି । ଏହାଦ୍ଵାରା ଗଛ ହଳଦିଆ ପଡ଼ି ଖଉଁଳି ମରିଯାଏ । ବିଲାତିବାଇଗଣର ତଳି କିଆରୀରେ ଗଛ ମରିବାର ଦେଖାଦେଲେ ପାଣି କମେଇ ଦେବା ଉଚିତ୍ । ପ୍ରତି ଏକ ଲିଟର ପାଣିରେ ଅଢ଼େଇ ଗ୍ରାମ୍ ହିସାବରେ ଡିଥେନ୍ ଏମ୍-୪୫ ମିଶାଇ ମୂଳରେ ସ୍ରା କରିବା ଉଚିତ୍ । ଅବଶ୍ୟ ତଳି ପକାଇବା ପୂର୍ବରୁ ମଞ୍ଜିକୁ କାପଟାନ୍, ଥିରାମ୍, ମନୋସାନ ବା ଏମିଶାନ ପ୍ରଭୃତି ଯେ କୌଣସି ଗୋଟିଏ ଔଷଧ ସହିତ ଗୋଳାଇ ବୁଣିଲେ ଏହି ରୋଗ ହୁଏନାହିଁ । ଏକ ଏକର ବିଲ ପାଇଁ ପ୍ରାୟ ୨୦୦ ଗ୍ରାମ୍ ମଞ୍ଜି ଆବଶ୍ୟକ ହୁଏ ଓ ସେଥିପାଇଁ ପ୍ରାୟ ୨ ଗ୍ରାମ୍ ଔଷଧ ଯଥେଷ୍ଟ ହୋଇଥାଏ ।
  • ଝାଉଁଳା ରୋଗ ନ ହେବା ପାଇଁ ମଞ୍ଜିକୁ ବିଶୋଧନ କରି ତଳି ପକାଇବା ଉଚିତ୍ । ଝାଉଁଳା ରୋଗ ଦେଖାଦେଲେ ବିଲରେ ପାଣି ଦେବା ବନ୍ଦ କରିଦେବା ଉଚିତ୍ ।

ଅମଳ

ମଞ୍ଜି ଲଗାଇବାର ୮୫ ରୁ ୯୫ ଦିନ ଭିତରେ ଫଳ ଅମଳ ହୁଏ । ଭଲ ଭାବରେ ଚାଷ କଲେ ଏକ ଏକରରୁ ୧୦୦ ରୁ ୧୫୦ କ୍ରିଷ୍ଟାଲ ପର୍ଯ୍ୟନ୍ତ ଅମଳ ମିଳିପାରେ । ଯଦି ୧୦ଟି ଗଛରୁ ହାରାହାରି ୧୦ କେଜି ଅମଳ ମିଳେ ତାହାହେଲେ ଫସଲ ଲାଭଜନକ ହୋଇଥାଏ । ଫଳଗୁଡ଼ିକ ନାଲି ହେବାକୁ ଆରମ୍ଭ କଲେ ତୋଳିଦେବା ଦରକାର । ବେଶି ପାଚିଗଲେ ବଜାରକୁ ନେବାରେ ଅସୁବିଧା ହୋଇଥାଏ ।

ଖର୍ଚ୍ଚ ଓ ଲାଭ

ଆଗରୁ କୁହାଯାଇଅଛି ଯେ ବିଲାତିବାଇଗଣ ଫସଲରୁ ଏକର ପ୍ରତି ୧୦୦ ରୁ ୧୫୦ କ୍ଵିଣ୍ଟାଲ ପର୍ଯ୍ୟନ୍ତ ଅମଳ ହୋଇଥାଏ । ଚାଷ ଖର୍ଚ୍ଚ ଖୁବ୍ ବେଶି ହେଲେ ପ୍ରାୟ ୧୫୦୦୦ ଟଙ୍କା ପର୍ଯ୍ୟନ୍ତ ହୁ ଏ । ବିଲାତି ବାଇଗଣ କିଲୋ ପ୍ରତି ଖୁବ କମରେ ୩ ଟଙ୍କା ହିସାବରେ ବିକ୍ରି କଲେ ପ୍ରାୟ ୩୦,୦୦୦ ରୁ ୪୫,୦୦୦ ଟଙ୍କା ପର୍ଯ୍ୟନ୍ତ ମିଳିଥାଏ । ଚାଷଖର୍ଚ୍ଚ ବାଦ ଦେଲେ ଏକର ପିଛା ୧୫, ୦୦୦ ରୁ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ଲାଭ ମିଳିଥାଏ । ମଞ୍ଜି ଉତ୍ପାଦନ କଲେ ଏକର ପିଛା ଲାଭ ଅଧିକ ହୋଇଥାଏ ।

ମଞ୍ଜି ଉତ୍ପାଦନ

ଚାଷୀମାନେ ଟିକିଏ ଯତ୍ନ ନେଲେ ନିଜପାଇଁ ମଞ୍ଜି ସଂଗ୍ରହ କରିପାରିବେ । ମଞ୍ଜି ପାଇଁ ନିରୋଗ ଓ ବଡ଼ବଡ଼ ଫଳ ସଂଗ୍ରହ କରିବା ଉଚିତ୍ । ଗଛର ପ୍ରଥମ ଫଳର ମଞ୍ଜି ସଂଗ୍ରହ ନକରି ପରେ ଫଳୁଥିବା ଫଳରୁ ମଞ୍ଜି ସଂଗ୍ରହ କରିବା ଉଚିତ୍ ।

ମଞ୍ଜି ସଂଗ୍ରହ ପ୍ରଣାଳୀ

ପାଚିଲା ଫଳକୁ ଦୁଇଫାଳ କରି କାଟି ତାହା ଭିତରୁ ମଞ୍ଜି ବାହାର କରି ଦିଅନ୍ତୁ । ମଞ୍ଜି ବାହାରି ସାରିବା ପରେ ଫଳର ଅବଶିଷ୍ଟାଂଶରୁ ଖଟା, ସସ୍ ବା କେଚଅପ ପ୍ରଭୃତି ତିଆରି କରାଯାଇପାରିବ । ମଞ୍ଜି ଗୁଡ଼ିକୁ ଗୋଟିଏ ଆଲୁମିନିଅମ ଡେକ୍‌ଚିରେ ବା ମାଟି ହାଣ୍ଡିରେ ରଖି ଅଳ୍ପ ପାଣି ମିଶାଇ ଭଲ ଭାବରେ ଘାଣ୍ଟି ଦିଅନ୍ତୁ ବା ୨ ଦିନ ଛାଡ଼ି ଦିଅନ୍ତୁ । ସେ ମଞ୍ଜି ସହିତ ଖଟା ଦହି ପାଣି ଦଶ କିଲୋଗ୍ରାମ୍ ବିଲାତିବାଇଗଣ ପ୍ରତି ୧୦୦ ସିସି ମିଶାଇ ଗୋଟିଏ ଦିନ ପରେ ମଞ୍ଜିକୁ ଧୋଇ ଶୁଖାଇଲେ ମଞ୍ଜିର ଅଙ୍କୁରୋଦଗମ କ୍ଷମତା ଦୁଇବର୍ଷ ପର୍ଯ୍ୟନ୍ତ ରହେ । ଏହାଦ୍ୱାରା ମଞ୍ଜି ସହିତ ଲାଗିଥିବା ରସ ପଚିଯିବ । ବର୍ତ୍ତମାନ ହାତରେ ଚକଟି ପାଣିଦ୍ଵାରା ଧୋଇ ଦେଲେ ମଞ୍ଜି ପରିଷ୍କାର ହୋଇଯିବ । ତାପରେ ଖରାରେ ଭଲ ଭାବରେ ଶୁଖାଇ ରଖିଲେ ମଞ୍ଜି ବହୁତ ଦିନ ପର୍ଯ୍ୟନ୍ତ ରହିପାରେ । ମଞ୍ଜିକୁ ମଝିରେ ମଝିରେ ଖରାରେ ଶୁଖାଇଲେ ମଞ୍ଜିର ଅଙ୍କୁରୋଦଗମ କ୍ଷମତା ୨ ବର୍ଷ ପର୍ଯ୍ୟନ୍ତ ରହେ ।

କେତେକ ଜାଣିବା କଥା

  1. ସବୁବେଳେ ଉନ୍ନତ ଓ ରୋଗ ପ୍ରତିରୋଧୀ କିସମ ଚାଷ କରନ୍ତୁ ।
  2. ଅନୁମୋଦିତ ପରିମାଣରେ ଖତ ଓ ସାର ବ୍ୟବହାର କରନ୍ତୁ ।
  3. ତଳି ପକାଇବା ପୂର୍ବରୁ ବିହନ ବିଶୋଧନ କରନ୍ତୁ ।
  4. ଗୋଟିଏ ଜମିରେ ସବୁବର୍ଷ ବିଲାତିବାଇଗଣ ଫସଲ କରନ୍ତୁ ନାହିଁ ।
  5. ରୋଗ ଦେଖାଦେଲେ ସଙ୍ଗେ ସଙ୍ଗେ ପ୍ରତିକାର ବ୍ୟବସ୍ଥା କରନ୍ତୁ ।

ଆଧାର - "ଓୟୁଏଟି"

2.88888888889
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top