অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବୈଜ୍ଞାନିକ ପଦ୍ଧତିରେ ରାଶି ଚାଷ

ରାଶି ଚାଷ

ତୈଳବୀଜ ଫସଲ ମଧ୍ୟରେ ରାଶି ଏକ ପ୍ରମୁଖ ଫସଲ । ଏହାକୁ ଖସା ମଧ୍ୟ କୁହାଯାଏ । ଓଡିଶାର ପ୍ରାୟ ସବୁ ଜାଗାରେ ଓ ସବୁ ଋତୁରେ ଏହା ଚାଷ କରାଯାଇଥାଏ । ଏଥିରେ ଶତକଡା ୪୭-୫୩ ଶତାଂଶ ତେଲ ଥାଏ।

ମୃତ୍ତିକା

ନିଗିଡା,ବାଲିଆ ଦୋରସା ଓ ହାଲୁକା ମାଟିରେ ରାଶି ଫସଲ ଚାଷ କରାଯାଏ । ଅତି ମଟାଳ,ଲୁଣି ଓ କ୍ଷାରିମାଟି ରାଶି ଚାଷ ପାଇଁ ଅନୁପଯୁକ୍ତ । ମାଟିର ଅମ୍ଳ ପରିମାପକ ମୂଲ୍ୟ ୫.୫ ରୁ ୮.୦ ଥିଲେ ଏହା ରାଶି ଚାଷ ପାଇଁ ଉତ୍ତମ ।

ବିହନ କିସମ ଅବଧି :

ବିନାୟକ ୮୫ ଦିନ, କାଳିକା ୮୫ଦିନ, ଉମା ୭୫ ରୁ ୮୦ ଦିନ, କନକ ୮୫ଦିନ, ନିର୍ମଲା ୮୦ଦିନ, ପ୍ରାଚୀ ୭୫ ରୁ ୮୦ଦିନ, ଉଷା ୭୫ ରୁ ୮୦ଦିନ ।

  • ବୁଣିବା ସମୟ : ବର୍ଷାଋତୁ –ଜୁନ ମଧ୍ୟ ଭାଗରୁ ଜୁଲାଇ ମଧ୍ୟଭାଗ ।
  • ଶୀତଋତୁ –ସେପ୍ଟେମ୍ବର ଠାରୁ ଅକ୍ଟୋବର
  • ଗ୍ରୀଷ୍ମଋତୁ – ଫେବୃୟାରୀ ଠାରୁ ମାର୍ଚ୍ଚ ପ୍ରଥମ ସପ୍ତାହ

ବିହନ ପରିମାଣ ଓ ବିଶୋଧନ

  • ଏକର ପ୍ରତି ୩-୪ କିଗ୍ରା ବିହନ ଆବଶ୍ୟକ ହୋଇଥାଏ । ଏକ କିଗ୍ରା ବିହନ ପ୍ରତି ୨ଗ୍ରାମ କାର୍ବେଣ୍ଡାଜିମ କିମ୍ବା ୩ ଗ୍ରାମ ।
  • ଥିରାମ ଗୋଳାଇ ବୁଣିବା ପୂର୍ବରୁ ବିହନ ବିଶୋଧନ କରାଯାଏ ।

ଜମି ପ୍ରସ୍ତୁତି ଓ ବିହନ ବୁଣା :

ମାଟି ଗୁଣ୍ଡ ଚାଷ କରି ରାଶି ବିହନ ସହିତ ସମାନ ପରିମାଣର ଗୁଣ୍ଡାମାଟି ବା ବାଲି ମିଶାଇ ଧାଡିକୁ ଧାଡି ୩୦ ସେମି ଓ ମଞ୍ଜିକୁ ମଞ୍ଜି ୧ ସେମି ବ୍ୟବଧାନରେ ୧ସେମି ଗଭୀରରେ ବିହନ ବୁଣାଯିବା ଉଚିତ ।

ଗଛ ଉଠିଗଲା ପରେ ଗଛକୁ ଗଛ ୧୦ ସେମି ବ୍ୟବଧାନ ରଖି ଅବଶିଷ୍ଟ ଗଛଗୁଡିକ ଉପାଡି ଦେବା ଆବଶ୍ୟକ ।

ଖତ ଓ ସାର ପ୍ରୟୋଗ

ଏକର ପ୍ରତି ୨ଟନ ଶଢା ଗୋବର ଖତ,୬କିଲୋଗ୍ରାମ ଯବକ୍ଷାରଜାନ, ୮କିଲୋଗ୍ରାମ ଫସଫରସ ଓ ୮କିଲୋଗ୍ରାମ ପଟାସ ସାର ବିହନ ବୁଣା ବେଳେ ସିଆରରେ ପ୍ରୟୋଗ କରିବା ଭଲ । ଆଳୁ ଅମଳ ପରେ ସେହି ଜମିରେ ରାଶି ଚାଷ କଲେ କୌଣସି ସାର ପ୍ରୟୋଗ କରିବା ଆବଶ୍ୟକ ହୁଏ ନାହିଁ । ଫସଫରସ ଉତ୍ସଭାବେ ସିଙ୍ଗଲ ସୁପର ଫସଫେଟସ ବ୍ୟବହାର କଲେ ଉଭୟ ଫସଫରସ ଓ ଗନ୍ଧକ ମିଳିଥାଏ ।

ଅନ୍ତଃଚାଷ

୧୫ ରୁ ୨୦ ଦିନର ହୋଇଗଲେ ଜମିରେ ୬କିଲୋଗ୍ରାମ ଯବକ୍ଷାରଜାନ ସାର ପକାଇ କୋଡା ଖୁସା କରି ଘାସ ବାଛିଦେବା ଉଚିତ । ଧାଡିରେ ବହଳିଆ ଗଛଥିଲେ ୧୦ସେମି ବ୍ୟବଧାନରେ ଗୋଟିଏ ସୁସ୍ଥ ଗଛ ରଖି ଅବଶିଷ୍ଟ ଗଛ ଉପାଡିଦେବା ଉଚିତ । ରାସାୟନୀକ ତୃଣ ନାଶକ ଭାବେ ଫ୍ଲୁକ୍ଲୋରାଲିନ, ଆଲାକ୍ଲୋର ,କୁଇଯାଲୋଫସ, ଇଥାଇଲ ହେକ୍ଟର ପ୍ରତି ଯଥାକ୍ରମେ ୦.୫,୧.୦,୦.୦୫ କିଲୋଗ୍ରାମ କ୍ରିୟାଶୀଳ ଉତ୍ପଦାନ ପ୍ରୟୋଗ କରାଯାଇ ପାରିବ ।

ଫସଲ ସୁରକ୍ଷା (ଲକ୍ଷଣ ଓ ତାର ପ୍ରତିକାର)

ପତ୍ରମୋଡା ଓ ଫଳବିନ୍ଧା ପୋକ ଏହାର ଶୁକ ଗଛର କଅଁଳ ପତ୍ରକୁ ରେଶମୀ ସୂତା ଦ୍ଵାରା ଗୁଡାଇ ବିଣ୍ଡା ତିଆରି କରି ତା ମଧ୍ୟରେ ରହି ସବୁଜ ଅଂଶକୁ କୋରି ଖାଇଯାଏ । ପରେ ଫଳକଣା କରି ମଞ୍ଜି ଖାଇଯାଇଥାଏ ।

ଏହାର ଦମନ ପାଇଁ ଗଯା ହେବାର ୨୫ ଦିନ ପରେ ଥରେ ଓ ଫଳ ଆସିବା ସମୟରେ ଆଉ ଥରେ ଏକର ପ୍ରତି ୮୦୦ଗ୍ରାମ କାର୍ବାରିଲ କୁ ୨୦୦ଲିଟର ପାଣିରେ ମିଶାଇ ସିଂଚନ କଲେ ପୋକ ନିୟନ୍ତ୍ରଣ ହୋଇଥାଏ ।

କାହାଳିଆ ପୋକ

ପୋକ ରାଶିର ଫୁଲ ଗୁଡିକ ମାଛିର ସାବକ ଖାଇବା ଦ୍ଵାରା ଗଛରେ ଫୁଲ ନଧରି ସେହି ସ୍ଥାନ ଆବୁପରି ଦେଖାଯାଏ । ସଂକ୍ରମିତ ବୁକୁଳ ଗୁଡିକୁ ବାହାର କରି ନଷ୍ଟ କରିଦେବା ସହିତ ଏକର ପ୍ରତି ୪୦୦ମିଲି ଟ୍ରାଏଜୋଫସ ୨୦୦ ଲିଟର ପାଣିରେ ମିଶାଇ ସିଂଚନ କରିବା ଉଚିତ ।

ବନ୍ଧ୍ୟା ରୋଗ

ରୋଗାକ୍ରାନ୍ତ ଗଛର ଆଗପତ୍ର ଗୁଡିକ ଛୋଟ ଛୋଟ ହୋଇ ଗୁଛ ହୋଇଥାଏ । ଏ ରୋଗର ବାହକ ମାନଙ୍କୁ ଦମନ କରିବା ପାଇଁ ଏକର ପ୍ରତି ୮୦୦ଗ୍ରାମ କାର୍ବାରିଲ ସେଚିତ ଗୁଣ୍ଡକୁ ୨୦୦ଲିଟର ପାଣିରେ ମିଶାଇ ସିଂଚନ କରାଯାଏ ।

ପତ୍ରଚିତା ରୋଗ

ଛୋଟ ଛୋଟ ବାଦାମି ରଙ୍ଗର ଚିହ୍ନ ପତ୍ରର ଉଭୟ ପାର୍ଶ୍ଵରେ ରଖାଯାଇ ଧୀରେ ଧୀରେ ପତ୍ର ପୋଡାଳିଆ ଦେଖାଯାଇ ଝଡିପଡେ । ଏହାର ଦମନ ପାଇଁ ଏକର ପ୍ରତି ୧କିଲୋଗ୍ରାମ କପର ଅକ୍ୱି କ୍ଳୋରାଇଡ ବା ୭୫୦ଗ୍ରାମ ମାନକୋଜେବ କୁ ୨୦୦ଲିଟର ପାଣିରେ ମିଶାଇ ସିଂଚନ କରାଯାଏ । ଉମା,କନକ ଓ କାଳିକା ଆଦି କିସମ ଗୁଡିକ ଏ ରୋଗ ପାଇଁ ସହନଶୀଳ ।

ଅମଳ

ଏକର ପ୍ରତି ବର୍ଷାଋତୁ ଏବଂ ଶୀତଋତୁରେ ପ୍ରାୟ ୩କ୍ଵିଣ୍ଟାଲ ଓ ଗ୍ରୀଷ୍ମ ଋତୁରେ ୪କ୍ଵିଣ୍ଟାଲ ପର୍ଯ୍ୟନ୍ତ ଅମଳ ହୋଇଥାଏ ।

ସମନ୍ଵିତ ପ୍ରଣାଳୀରେ ରାଶି ଫସଲରେ ରୋଗପରିଚାଳନା

ରାଶି ଫସଲରେ ଦେଖାଯାଉଥିବା ରୋଗ ଗୁଡିକ ନିୟନ୍ତ୍ରଣ ପାଇଁ ନିମ୍ନଲିଖିତ କେତେକ ପଦକ୍ଷେପ ନେବା ନିହାତି ଜରୁରୀ ।

ଫସଲ ପରିବର୍ତ୍ତନ କରିବା । ରାଶି ଫସଲ ପରେ ପନିପରିବା କିମ୍ବା ମୁଗ ବିରି ଚାଷ କରିବା । ଉନ୍ନତ ଅଧିକ ଅମଳକ୍ଷମ ଏବଂ ବିଭିନ୍ନ ରୋଗ ସହଣି ଶକ୍ତି ଥିବା କିସମ ବ୍ୟବହାର କରିବା । ଜମିକୁ ୩ରୁ ୪ଥର ଖରାଟିଆ ଚାଷ କରିବା ନିରୋଳା, ନିରୋଗ ତଥା ବିଶୋଧିତ ବିହନ ବ୍ୟବହାର କରିବା । ରୋଗାକ୍ରାନ୍ତ କିଆରୀରୁ ବିହନ ସଂଗ୍ରହ ନକରିବା । କିଆରୀରେ ଥିବା ଅନାବନା ଘାସ ସଫା କରିବା । ଉପଯୁକ୍ତ ଭାବେ ଜଳ ପରିଚାଳନା କରିବା । ଅଧିକ ଆକ୍ରାନ୍ତ ଗଛ ଗୁଡିକ ଜମିରୁ ଉପାଡି ଫୋଫାଡି ଦେବା । ରୋଗର ମାତ୍ରା ଅଧିକ ହେଲେ ଫସଲରେ ୧୦-୧୫ଦିନ ଅନ୍ତରରେ ଉପଯୁକ୍ତ ଔଷଧକୁ ୨-୩ ଥର ପ୍ରୟୋଗ କରିବା । ସାଧାରଣତଃ ମୃତ୍ତିକା ଓ ବିହନ ଜନିତ ସଂକ୍ରମିତ ରୋଗଗୁଡିକ ଦମନ କରିବା ପାଇଁ ଶେଷ ଓଡ ଚାଷରେ ହେକ୍ଟର ପିଛା ୨-୫ କିଲୋଗ୍ରାମ ଟ୍ରାଇକୋଡର୍ମା ଭିରିଡି (ସଞ୍ଜିବନୀ ଗରୁଡ)ନାମକ ଔଷଧକୁ ୨୫୦କିଲୋଗ୍ରାମ ଖତରେ ମିଶାଇ ମାଟିରେ ପ୍ରୟୋଗ କରିବା । ବିହନ ଉପଚାରରେ ୧କିଲୋଗ୍ରାମ ବିହନକୁ ୭.୫କିଲୋଗ୍ରାମ ଇମିଡାକ୍ଳୋପିଡ଼ +ଭିଟାଭାକ୍ସ ପାଉଡର ୨ଗ୍ରାମ+ପ୍ଲାଣ୍ଟୋମାଇସିନ ୧ଗ୍ରାମ ଜାତୀୟ ଔଷଧ ଦ୍ଵାରା ଭଲ ଭାବରେ ମିଶାଇ ବୁଣିବାର ଦିନକ ପୂର୍ବରୁ ଉପଚାର କଲେ ସୁଫଳ ପାଇ ପାରିବା ।

ଆଧାର : ଏସପି ମୋନାଲିସା,ଡଃ ଶାନ୍ତନୁକୁମାର ସ୍ଵାଇଁ ,ବୀଜ ବିଜ୍ଞାନ ବିଭାଗ,ଓୟୁଏଟି

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate