ହୋମ / କୃଷି / କୃଷି ଉଦ୍ୟୋଗ / ଲାଭପ୍ରଦ ଅଏଲ୍ ପାମ୍ ଚାଷ
ସେଆର କରନ୍ତୁ

ଲାଭପ୍ରଦ ଅଏଲ୍ ପାମ୍ ଚାଷ

ଲାଭପ୍ରଦ ଅଏଲ୍ ପାମ୍ ଚାଷ କିପରି କରିବେ ସେ ସମ୍ବନ୍ଧରେ ଆଲୋଚନା କରାଯାଇଛି ।

ଅଏଲ୍ ପାମ୍ ଗଛର ଉତ୍ପତ୍ତି ସ୍ଥଳ ହେଉଛି ଦକ୍ଷିଣ ଆଫ୍ରିକାର ଗିନି ଉପକୂଳବର୍ତ୍ତୀ ଅଞ୍ଚଳ। ଏହା ପାମୀ ପରିବାରର ଉଦ୍ଭିଦ ଓ ଆମ ରାଜ୍ୟରେ ଜଳବାୟୁରେ ମଧ୍ୟ ବ୍ୟବସାୟିକ ଭିତ୍ତିରେ ଏହା ଚାଷ କରାଯାଇ ପାରୁଛି। ଅନ୍ୟାନ୍ୟ ତୈଳବୀଜ ଫସଲ ତୁଳନାରେ ପାମ୍ ତେଲ ଚାଷରୁ ହେକ୍ଟର ପ୍ରତି ସର୍ବାଧିକ ଅମଳ ମିଳିଥାଏ। ପାମ୍ ତେଲ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଭଲ ଓ ଏଥିରେ ବିଭିନ୍ନ ଔଷଧିୟ ଗୁଣ ମଧ୍ୟ ରହଛି। ଏଥିରେ ଭିଟାମିନ୍ ‘ଏ’ ଓ ଭିଟାମିନ୍ ‘ଇ’ ପ୍ରଚୁର ପରିମାଣରେ ରହିବା ସାଙ୍ଗକୁ ଏହା କୋଲୋଷ୍ଟ୍ରଲ୍ ମୁକ୍ତ। ଏହି ତେଲରେ ଥିବା ଟ୍ରୋକୋଟ୍ରିଏନଲସ୍ ସ୍ତନ କର୍କଟ ରୋଗର ପ୍ରତିରୋଧକ। ଏହାଛଡ଼ା ବିସ୍କୁଟ, ଆଇସ୍କ୍ରିମ୍, ସାବୁନ, ଡିଟରଜେଣ୍ଟ ଓ ଶାମ୍ପୁ ଆଦି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତି ବେଳେ ମଧ୍ୟ ଏହି ତେଲର ବ୍ୟବହାର ହୋଇଥାଏ।

ତେବେ ଏହି ପାମ୍ ତେଲର ବଜାର ଚାହିଦା ଥିବାରୁ ଚାଷୀଭାଇଙ୍କ ପାଇଁ ଏହା ଲାଭ ଓ ନିଯୁକ୍ତିର ସୁଯୋଗ ସୃଷ୍ଟି କରିଛି। ଓଡ଼ିଶାର ରାୟଗଡ଼ା, ମୟୁରଭଞ୍ଜ ଓ ବରଗଡ଼ ଆଦି ଜିଲ୍ଲା ମାନଙ୍କରେ ପାମ୍ ଚାଷ ଏବେ ବହୁଳ ମାତ୍ରାରେ କରାଯାଉଛି। ତେବେ ବୈଜ୍ଞାନିକ ପଦ୍ଧତିକୁ ଅବଲମ୍ବନ କରି ସଫଳ ଧାରାରେ କିପରି ଚାଷ କରାଯାଇପାରିବ ସେ ବିଷୟରେ ଚାଷୀ ଜାଣିବା ନିହାତି ଆବାଶ୍ୟକ।

ଜଳବାୟୁ ଓ ମୃତ୍ତିକା

ସାଧାରଣତଃ ଉଷ୍ଣ ଆର୍ଦ୍ର ଜଳବାୟୁ ପାମ୍ ତେଲ ଚାଷ ପାଇଁ ବେଶ ଉପଯୋଗୀ। ରାଜ୍ୟରେ ହେଉଥିବା ବର୍ଷାର ପରିମାଣ ଅଏଲ୍ ପାମ୍ ଚାଷ ପାଇଁ ଯଥେଷ୍ଟ ହୋଇନଥାଏ। ଏହା ସାଧାରଣତଃ ୨୫୦୦ ମିଲିମିଟର ରୁ ୪୦୦୦ ମିଲିମିଟିର ବାର୍ଷିକ ବୃଷ୍ଟିପାତ ଆବଶ୍ୟକ କରିଥାଏ। ତେଣୁ ବର୍ଷାବହୁଳ ଅଞ୍ଚଳ କିମ୍ବା ନିଶ୍ଚିତ ଜଳସେଚନର ସୁବିଧା ଥିବା ଜମିରେ ହିଁ ଚାଷ କରାଯାଇ ପାରିବ। ଜଳ ସୁବିଧା ସାଙ୍ଗକୁ ଶତକଡ଼ା ୮୦ ଭାଗରୁ ଅଧିକ ଆର୍ଦ୍ରତା ଏହି ଚାଷ ପାଇଁ ବେଶ ଉପଯୁକ୍ତ। ସର୍ବାଧିକ ୨୯ ରୁ ୩୬ ଡିଗ୍ରୀ ସେଲସିୟସ୍ ଓ ସର୍ବନିମ୍ନ ୧୮ ରୁ ୨୪ ଡିଗ୍ରୀ ସେଲସିୟସ୍ ତାପମାତ୍ରା ଏହି ଚାଷ ପାଇଁ ଉପଯୋଗୀ। ଅଏଲ୍ ପାମ୍ ଗଛ ସବୁପ୍ରକାର ମାଟିରେ ଭଲ ଭାବରେ ବଢ଼ିପାରେ। କିନ୍ତୁ ଏଥିପାଇଁ ସବୁଠାରୁ ଉପଯୁକ୍ତ ହେଉଛି ଆର୍ଦ୍ର, ପାଣି ଜମି ରହୁନଥିବା ଓ ଗଭୀର ବାଲିଆ ମଟାଳି ମାଟି। ଯେଉଁଥିରେ ପର୍ଯ୍ୟାପ୍ତ ପରିମାଣରେ ଜୈବିକ ପଦାର୍ଥ ରହିଥିବ ଏବଂ ସହଜରେ ଜଳ ଭେଦି ପାରୁଥିବ। ଅତ୍ୟଧିକ କ୍ଷାରଯୁକ୍ତ, ଲବଣାକ୍ତ ଏବଂ ଉପକୂଳବର୍ତ୍ତୀ ବାଲିଆ ମାଟି ଏହି ଚାଷ ପାଇଁ ଆଦୌ ଉପଯୁକ୍ତ ନୁହେଁ।

କିସମ

ଅଏଲ୍ ପାମ୍ ଗଛ ମଧ୍ୟରୁ ଟେନେରା ଜାତୀୟ ସଙ୍କର କିସମଟି ସବୁଠାରୁ ଭଲ ଓ ଅଧିକ ଲାଭପ୍ରଦ। ଏହି କିସମ ମୋଟା ଚୋପାଯୁକ୍ତ ଡିୟୁରା ଏବଂ ଚୋପା ବିହୀନ ପ୍ରଜାତି ପିସିଫେରାର ସଙ୍କର। ଟେନେରା କିସମର ଫଳରେ ଏକ ସରୁ ଚୋପା ଥାଏ ଓ ଏଥିରୁ ଅଧିକ ତୈଳ ବାହାରିଥାଏ। ଏହି କିସମଟି ଚାଷ ପାଇଁ ବେଶ ଫଳପ୍ରଦ।

ଚାରା ରୋପଣର ଉପଯୁକ୍ତ ସମୟ ଓ ତାର ପଦ୍ଧତି ଉତ୍ତମ ମାନର ଚାରା କିପରି ଜାଣିବେ?

  • ୧୦ ରୁ ୧୪ ମାସର ଚାରା ବ୍ୟବହାର କରିବା ଭଲ।
  • ଚାରାର ଉଚ୍ଚତା ୧ ମିଟର ରୁ ୧.୩ ମିଟର ହୋଇଥିବା ଆବଶ୍ୟକ।
  • ସେଥିରେ ଅତି କମରେ ୧୩ ଟି ସବୁଜ ପତ୍ର ଥିବା ଉଚିତ।
  • ଚାରାର ମୂଳ ଅଂଶଟି ଟିକେ ଅଧିକ ମୋଟେଇ ହୋଇଥିଲେ ଭଲ।

ବର୍ଷର ଯେ କୌଣସି ସମୟରେ ବା ଯେ କୌଣସି ଋତୁରେ ପାଣିର ସୁବିଧା ଥିବା ସ୍ଥାନରେ ପାମ୍ ଗଛର ଚାରା ରୋପଣ କରାଯାଇ ପାରିବ। ଉକ୍ତ ଚାରାକୁ ଜୁନ୍ ରୁ ଡିସେମ୍ବର ମାସ ମଧ୍ୟରେ ରୋପଣ କରିବାର ଉପଯୁକ୍ତ ସମୟ। ଯଦି ଖରା ଦିନେ ଚାରା ରୋପଣ କରାଯାଏ, ତେବେ ଜଳ ସେଚନର ସୁବିଧା ଓ ଓଦା ନଡ଼ାରେ ଚାରାକୁ ଘୋଡ଼ାଇ ରଖିବାର ବ୍ୟବସ୍ଥା କରିବା ଆବଶ୍ୟକ।

ଚାରା ରୋପଣର ପଦ୍ଧତି

ସାଧାରଣତଃ ତ୍ରିକୋଣୀୟ ପଦ୍ଧତିରେ ଅଏଲ୍ ପାମ୍ ଚାରା ରୋପଣ କରାଯାଇଥାଏ। ଚାରା ରୋପଣ ସମୟରେ ପ୍ରତି ଗଛରୁ ଗଛ ଦୁରତା ୯ ମିଟର ରହିବା ଆବଶ୍ୟକ ଓ ଏହା ତ୍ରିକୋଣୀୟ ଆକାରର ହେବା ନିହାତି ଜରୁରୀ। ଚାରା ପୋତିବା ବେଳେ ୬୦ ସେଣ୍ଟିମିଟର ଆକାରର ଗାତ ଖୋଳିବା ଉଚିତ୍। ଏହି ପ୍ରଣାଳୀରେ ହେକ୍ଟର ପିଛା ୧୪୩ ଟି ବା ଏକର ପିଛା ୫୭ ଟି ଚାରା ଲଗାଯାଇ ପାରିବ। ଚାରା ଲଗାଇବାର କିଛି ଦିନ ପୂର୍ବରୁ ଗାତ ଖୋଳି ତାକୁ ଖୋଲା ଛାଡ଼ି ଦେବାକୁ ହୁଏ। ସର୍ବଦା ଉନ୍ନତ ମାନର ଚାରା ହିଁ ବ୍ୟବହାର କରିବା ଆବଶ୍ୟକ। ଖୋଳିଥିବା ଗାତରେ ଚାରା ରୋପଣ କରିବା ପୂର୍ବରୁ ୨୫୦ ଗ୍ରାମ୍ ଡି.ଏ.ପି କିମ୍ବା ୨୫୦ ଗ୍ରାମ୍ ରକ୍ ଫସଫେଟ୍ ଓ ୫୦ ଗ୍ରାମ୍ ଫୋରେଟ୍ ମିଶାଇ ଦେବେ। ଏହାପରେ ଚାରା ପୋତି ସଙ୍ଗେ ସଙ୍ଗେ ଜଳ ଯୋଗାଣ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ପଡ଼ିଥାଏ।

ଜଳସେଚନ

ଅଏଲ୍ ପାମ୍ ଗଛ ଅଧିକ ଉତ୍ପାଦନକ୍ଷମ ଓ ଖୁବ୍ ଶୀଘ୍ର ବଢ଼ିପାରୁଥିବା ଫସଲ ହୋଇଥିବାରୁ ଏହା ପ୍ରଚୁର ପରିମାଣର ଜଳ ଆବଶ୍ୟକ କରିଥାଏ। ଗଛ ପିଛା ବର୍ଷକୁ ୧୩୫ ରୁ ୧୫୦ ଲିଟର ପାଣି ଯୋଗାଇବା ଆବଶ୍ୟକ। ଯଦି ଉଚିତ୍ ପରିମାଣର ଜଳ ଯୋଗାଇବା ସମ୍ଭବ ନହୁଏ ତେବେ ଗଛରେ ପତ୍ର ବାହାରିବା ହାର କମ୍ ହୋଇ, ଫୁଲରେ ପରାଗ ସଙ୍ଗମ ବାଧାପ୍ରାପ୍ତ ହୁଏ। ଫଳରେ ଉତ୍ପାଦନ କମ୍ ହୋଇଥାଏ।

ସାର ପ୍ରୟୋଗ କିପରି କରିବେ

ଅଏଲ୍ ପାମ୍ ବା ତାଳ ତେଲ ଗଛଗୁଡ଼ିକ ଶୀଘ୍ର ବଢ଼ିଥାଏ ଓ ଏଥିରୁ ବଡ଼ ବଡ଼ ପତ୍ର ବାହାରି ପ୍ରଚୁର ପରିମାଣର ଫଳ ଅମଳରେ ସହାୟକ ହୋଇଥାଏ।

ଉନ୍ନତ ମାନର ଫଳ ଓ ସେଥିରୁ ଅଧିକ ପରିମାଣର ତେଲ ପାଇବାକୁ ହେଲେ ନିର୍ଦ୍ଧିଷ୍ଟ ସମୟ ବ୍ୟବଧାନରେ ଉପଯୁକ୍ତ ପରିମାଣର ଖାଦ୍ୟ ଗଛକୁ ଯୋଗାଇବାକୁ ପଡ଼ିବ।

ମାଟିରେ ସାର ପ୍ରୟୋଗ କରିବା ପୂର୍ବରୁ ପ୍ରଥମେ ମାଟି ପରୀକ୍ଷା କରାଇନେବା ନିତାନ୍ତ ଜରୁରୀ। ଗଛ ହୃଷ୍ଟପୁଷ୍ଟ ହୋଇ ବଢ଼ିବା ତଥା ଅମଳ ବୃଦ୍ଧି ପାଇଁ ଯଥେଷ୍ଟ ପରିମାଣର ଯବକ୍ଷାରଜାନ, ଫସଫରସ ଓ ପୋଟାସିୟମ ଦରକାର ହୋଇଥାଏ।

ଖାଦ୍ୟ ସାର ପ୍ରୟୋଗ

ପ୍ରଥମ ବର୍ଷ ଗୋଟିଏ ପାମ୍ ଗଛ ଭଲ ଭାବେ ବଢ଼ିବା ପାଇଁ ୪୦୦ ଗ୍ରାମ୍ ଯବକ୍ଷାରଜାନ, ୨୦୦ ଗ୍ରାମ୍ ଫସଫରସ, ୪୦୦ ଗ୍ରାମ୍ ପୋଟାସିୟମ୍, ୧୨୫ ଗ୍ରାମ୍ ମ୍ୟାଗ୍ନେସିୟମ୍ ସଲ୍ଫେଟ୍ ଓ ବୋରାକ୍ସ ୨୫ ଗ୍ରାମ୍ ଆବଶ୍ୟକ କରିଥାଏ। ସେହିଭଳି ଦ୍ୱିତୀୟ ବର୍ଷ ପ୍ରତି ଗଛ ପିଛା ୮୦୦ ଗ୍ରାମ୍ ଯବକ୍ଷାରଜାନ, ଫସଫରସ ୪୦୦ ଗ୍ରାମ୍, ପୋଟାସିୟମ୍ ୮୦୦ ଗ୍ରାମ୍, ମ୍ୟାଗ୍ନେସିୟମ୍ ସଲଫେଟ୍ ୨୫୦ ଗ୍ରାମ ଓ ବୋରାକ୍ସ ୫୦ ଗ୍ରାମ୍ ଦରକାର ହୁଏ। ତୃତୀୟ ବର୍ଷ ମଧ୍ୟ ଏଭଳି ସମାନୁପାତରେ ଖାଦ୍ୟ ସାର ପ୍ରୟୋଗ କରିବେ। ଏମିତି ଆଗାମୀ ବର୍ଷରେ ମଧ୍ୟ ଅନୁପାତ ବଢ଼ାଇ ଖାଦ୍ୟ ସାର ପ୍ରୟୋଗ କରାଯାଏ।

ବଗିଚାର ଯତ୍ନ

ଚାଷ ଜମିକୁ ଘାସ ଓ ଅନାବନା ଗଛ ମୁକ୍ତ କରିବା ପାଇଁ ବର୍ଷରେ ଦୁଇଥର ପାରାକ୍ୱାଟ୍ ସହ ଆଟ୍ରାଜିନ୍, ମନ୍ୟୁରନ୍ ସହ ଡାଇୟୁରନ୍ ବ୍ୟବହାର କରିବାକୁ ପଡେ଼। ଏହି ତୃଣନାଶକ ବ୍ୟବହାର କଲା ବେଳେ ତାହା ଯେପରି ପାମ୍ ଗଛରେ ନପଡ଼ିବ ସେଥିପ୍ରତି ଯତ୍ନବାନ ହେବା ଆବାଶ୍ୟକ।

ହାନୀକାରକ କୀଟ ଓ ତାର ପରିଚାଳନା

ଗଣ୍ଡାପୋକ

ଗଛରେ ଗଣ୍ଡାପୋକ ଲାଗିଲେ ବାହୁଙ୍ଗାର ମଧ୍ୟ ଭାଗରୁ ଦୁଇ ପାଖକୁ ଥିବା ପତ୍ରରେ ଏକ ଇଂରାଜୀ ‘ଭି’ ଆକାରର ଫାଙ୍କା ସୃଷ୍ଟି କରିଥାଏ। ଏହି ଅବସ୍ଥାରେ କୀଟର ପ୍ରଜନନ ସ୍ଥାନକୁ ନଷ୍ଟ କରି ଉଦ୍ୟାନର ପରିଚ୍ଛନ୍ନତା ପ୍ରତି ଦୃଷ୍ଟି ଦେବା ଆବଶ୍ୟକ। କମ୍ପୋଷ୍ଟ ଖତଗୁଡ଼ିକରେ କାର୍ବାରିଲ୍ କିମ୍ବା କ୍ୱିନାଲିଫସ୍ ନିୟମିତ ବ୍ୟବହାର କଲେ ଏହି ପୋକକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରାଯାଇ ପାରିବ।

ତାଳଘୁଣି ପୋକ

ଗଛରେ ତାଳଘୁଣି ପୋକ ଲାଗିଲେ ଗଛଗୁଡ଼ିକ ଧୀରେ ଧୀରେ ଝାଉଁଳିବା ଓ ଶୁଖିବା ଆରମ୍ଭ କରେ। ଗଛ ମୂଳରେ କେତେକ ଛିଦ୍ର ହୋଇ ସେଥିରୁ ଖଇରିଆ ରଙ୍ଗର ବହଳିଆ ତରଳ ପଦାର୍ଥ ବାହାରିଥାଏ। ଏଭଳି ଅବସ୍ଥାରେ ଚାଷ ଜମିରୁ ଆକ୍ରାନ୍ତ ହୋଇଥିବା ଗଛଗୁଡ଼ିକୁ ବାହାର କରିଦେବା ଉଚିତ୍। ଗଛର ଗଣ୍ଡିରେ ହୋଇଥିବା କଟା ଦାଗଗୁଡ଼ିକରେ ଆଲକାତରା ବୋଳିଦେଲେ ସେଠାରେ କୀଟ ଆଉ ଅଣ୍ଡା ଦେବାର ସୁଯୋଗ ନଥାଏ।

ରୋଗ ଓ ତାର ପରିଚାଳନା

କାଣ୍ଡମୂଳ ସଢ଼ା ରୋଗ

କାଣ୍ଡସଢ଼ା ରୋଗ ହେଲେ ଗଛର ପତ୍ର ଓ ବାହୁଙ୍ଗାଗୁଡ଼ିକ ହଳଦିଆ ପଡ଼ିଯାଇ ଝାଉଁଳି ମରିଯାଏ। ଏହା ଧିରେ ଧିରେ ସବୁ ପତ୍ରକୁ ବ୍ୟାପିବାରେ ଲାଗେ। ଏହି ରୋଗକୁ ପ୍ରାରମ୍ଭିକ ଅବସ୍ଥାରୁ ଚିହ୍ନଟ କରି, ଗଣ୍ଡିର ଶଲ୍ୟ ଚିକିତ୍ସା କରାଇ ପାମ୍ ଗଛକୁ ରକ୍ଷା କରାଯାଇ ପାରିବ। କଢ଼ସଢ଼ା ରୋଗ ବର୍ଷା ଋତୁରେ ଅଧିକ ଦେଖାଯାଇଥାଏ। ଗଛରେ ଏହି ରୋଗ ହେଲେ ବର୍ଚ୍ଛାକୃତି ପତ୍ରଗୁଡ଼ିକ ପ୍ରଥମେ ହଳଦିଆ ରଙ୍ଗ ପଡ଼ି ବାଦାମୀ ରଙ୍ଗ ପାଲଟିଯାଏ। ଏହି ପତ୍ରଗୁଡ଼ିକ ମୂଳ ପାଖରୁ ମୋଡ଼ିହୋଇ ତଳକୁ ଝୁଲିପଡେ଼ ଓ ସହଜରେ ହାତରେ ଟାଣିଲେ ବାହାରି ଆସେ। ଏଭଳି ଭାବେ ପତ୍ର ସଢ଼ିବା ଆରମ୍ଭ ହେଲେ ଗଛ ମରିଯାଏ। ବର୍ଷାଋତୁ ଆରମ୍ଭରୁ ଓ ପରେ ଦୁଇଥର ୧ ପ୍ରତିଶତ କାର୍ବେଣ୍ଡାଜିମ ଦ୍ରବଣ ଗଛ ମୂଳରେ ଢାଳିବା ନିହାତି ଜରୁରୀ। ଏହି ରୋଗର ପ୍ରଥମ ଲକ୍ଷଣ ଦେଖିବା ମାତ୍ରେ ସଢ଼ିଯାଇଥିବା ତନ୍ତୁଗୁଡ଼ିକୁ ଅପସାରିତ କରିବା ସହିତ ଅଗ୍ରମୁକୁଳ ବା କ୍ରାଉନ ଅସ୍ତ୍ରୋପଚାର ଯେତେ ଶୀଘ୍ର ସମ୍ଭବ କରିବା ଉଚିତ୍। ସଢ଼ିଯାଇଥିବା ତନ୍ତୁ ଓ ବର୍ଛାକୃତି ପତ୍ରଗୁଡ଼ିକୁ ଅପସାରିତ କରିବା ପରେ ବଗିଚାରେ ନପକାଇ ତାକୁ ପୋଡ଼ିଦେବା ଭଲ।

କାଣ୍ଡମୂଳ ସଢ଼ା ରୋଗର ଆଶଙ୍କା ଉପକୂଳବର୍ତ୍ତୀ ଅଞ୍ଚଳରେ ଅଧିକ ଦେଖାଦିଏ। ଏହି ରୋଗର ପ୍ରାଦୁର୍ଭାବ ବଢ଼ିବାର ବିଶେଷ ଲକ୍ଷଣ ହେଉଛି ଗଛରେ ହାଲୁକା କସରା ରଙ୍ଗର ଦାଗ ଦେଖା ଦେବା କିମ୍ବା ମୂଳ ପାଖରେ ସଢ଼ିବା। ଆକ୍ରାନ୍ତ ହୋଇଥିବା ପାମ୍ ଗଛଗୁଡ଼ିକ ଖାଦ୍ୟାଭାବ ଦ୍ୱାରା ପ୍ରଭାବିତ ହେଲା ଭଳି ମନେହୁଏ। ଏହି ରୋଗରେ ଆକ୍ରାନ୍ତ ଗଛଗୁଡ଼ିକୁ ବଞ୍ଚାଇବା କଷ୍ଟକର କାରଣ ଏହି ରୋଗର ଲକ୍ଷଣ ଦୃଷ୍ଟି ଗୋଚର ହେଲା ବେଳକୁ ଗୁଚ୍ଛା ପ୍ରାୟ ଅଧାଅଧି ଗଣ୍ଡିର ମୂଳରେ ଥିବା ତନ୍ତୁ ଆକ୍ରାନ୍ତ ହୋଇସାରିଥାଏ। ଏଭଳି ପରିସ୍ଥତିରେ ରୋଗାକ୍ରାନ୍ତ ଗଛଗୁଡ଼ିକୁ ଅପସାରଣ କରିଦେବା ଉଚିତ ଯେପରି କି ଏହି ରୋଗ ସୁସ୍ଥ ଗଛକୁ ପ୍ରଭାବିତ କରିପାରିବ ନାହିଁ। ଆକ୍ରାନ୍ତ ହୋଇଥିବା ଗଛରେ ବର୍ଷକୁ ୫ କି.ଗ୍ରା ନିମ୍ବ ପିଡିଆ ଦେବା ଆବଶ୍ୟକ। ସାମାନ୍ୟ ଆକ୍ରାନ୍ତ ହୋଇଥିବା ଓ ସୁସ୍ଥ ମନେ ହେଉଥିବା ଗଛରେ ୧୦ ମି.ଲି. କ୍ୟାଲିକ୍ସିନ୍ କିମ୍ବା ୧୦୦ ମି.ଲି. ପାଣିରେ ୧୦ ଗ୍ରାମ୍ ଅରିଓଫଙ୍ଗିନ୍ ଦ୍ରବଣ ପ୍ରସ୍ତୁତ କରି ପ୍ରତ୍ୟେକ ଗଛରେ ପ୍ରୟୋଗ କରିବା ଜରୁରୀ।

ପେନ୍ଥା ସଢ଼ା ରୋଗ

ଗୁଚ୍ଛା ବା ପେନ୍ଥା ସଢ଼ା ରୋଗ ତାଜା ଫଳ ଗୁଚ୍ଛକୁ ଆକ୍ରମଣ କରୁଥିବାରୁ ଏହା ବିପଜ୍ଜନକ ପରିବେଶ ସୃଷ୍ଟି କରିଥାଏ। ରୋଗ ହେବାର ପ୍ରଥମାବସ୍ଥାରେ ପେନ୍ଥା ପୃଷ୍ଠସ୍ଥ କବକଟି ଧଳା ସୂତା ଭଳି ବିଛେଇ ହୋଇ ରହିଥାଏ। ଏହା ଫଳ ପୃଷ୍ଠରେ ଦେଖାଯିବା ସେଙ୍ଗସେଙ୍ଗ ଫଳର ମଝି ଅଂଶକୁ ପ୍ରବେଶ କରି ସଢ଼ାଇ ଦିଏ। ରୋଗାକ୍ରାନ୍ତ ପେନ୍ଥାଗୁଡ଼ିକୁ ବୃକ୍ଷରୁ ବାହାର କରାନଗଲେ ତାହା ଗୋଟିଏ ପରେ ଗୋଟିଏ ପେନ୍ଥାକୁ ସଂକ୍ରମିତ କରିଥାଏ। ଏହାଛଡ଼ା ରୋଗର ସଂକ୍ରମଣ ରୋକିବା ସହ ଏହି କବକ ଜାତୀୟ ରୋଗ ଜୀବାଣୁର ମୂଳୋତ୍ପାଟନ ପାଇଁ ସଂକ୍ରମିତ ପାମ ତେଲ ଗଛର କ୍ରାଉନଗୁଡ଼ିକୁ ସଫାକରି ଶତକଡ଼ା ୦.୧ ଭାଗ କାର୍ବେଣ୍ଡାଜିମ୍ ଦ୍ରବଣ ଛିଞ୍ଚିବା ଦରକାର।

ଅନ୍ତଃ ଫସଲ

ଅଏଲ୍ ପାମ୍ ଚାଷରେ ଗଛ ମଧ୍ୟରେ ବ୍ୟବଧାନ ଅଧିକ ରହୁଥିବାରୁ ଏହି ଖାଲି ସ୍ଥାନରେ ଅନ୍ତଃଫସଲ କରି ସେଥିରୁ ଜଣେ ଭଲ ରୋଜଗାର ପାଇପାରିବ। କଦଳୀ, ପନିପରିବା, ଫୁଲ, ଅମୃତଭଣ୍ଡା, ଲଙ୍କା, ହଳଦୀ, ଅଦା, ସପୁରୀ ଇତ୍ୟାଦିକୁ ଅନ୍ତଃଚାଷ କଲେ ସବୁଠୁ ଭଲ। ଅନ୍ତଃଫସଲ ସାଙ୍ଗକୁ ପାମ୍ ତେଲ ଚାଷରୁ ଅଧିକ ଲାଭ ମିଳିବାର ସମ୍ଭାବନା ରହିଛି।

ଅମଳ

ପାମ୍ ତେଲ ଚାଷୀମାନେ ଫସଲ ଅମଳ କରିବା ସମୟରେ କେବଳ ପାଚିଲା ଫଳ ଗୁଚ୍ଛକୁ ହିଁ ସଂଗ୍ରହ କରିବା ଉଚିତ୍। ଠିକ୍ ସମୟରେ ଅମଳ କଲେ ତେଲର ମାନ ଓ ପରିମାଣର ମାତ୍ରା କମ୍ ହୁଏ ନାହିଁ। ଗଛର ପେନ୍ଥାରେ ଫଳଗୁଡ଼ିକ ହଳଦିଆ କିମ୍ବା କମଳା ରଙ୍ଗର ହୋଇଗଲେ ତାହା ପରିପକ୍ୱ ହୋଇଯାଇଛି ବୋଲି ଜାଣିବେ। ଠିକ୍ ଭାବେ ପାଚିଥିବା ଫଳ ପେନ୍ଥାଗୁଡ଼ିକରେ ମାତ୍ର ୫ ସେଣ୍ଟିମିଟର ଲମ୍ବର ଡେମ୍ଫ ରହିଥାଏ, ଯାହା ତୋଳିବା ପାଇଁ ଉପଯୁକ୍ତ। ୭ରୁ ୧୫ ଦିନ ଭିତରେ ଫଳ ଅମଳ କରିନେଲେ ଭଲ।

ଅମଳ ସମୟରେ କିଛି ସତର୍କତା

  • ଅଧିକ ପାଚିଲା ବା କଞ୍ଚା ଥିବା ଗୁଚ୍ଛ ଅମଳ କରିବା ଅନୁଚିତ।
  • ଅମଳ କରିଥିବା ଗୁଚ୍ଛ ଉପରେ ପାଣି ଛଟାଯାଏ ନାହିଁ।
  • ଗୁଚ୍ଛରେ ଅଧିକ ଲମ୍ବର ଡେମ୍ଫ ନରଖିଲେ ଭଲ।
  • କୀଟ ବା ରୋଗ ଦ୍ୱାରା ଆକ୍ରାନ୍ତ ଗୁଚ୍ଛଗୁଡ଼ିକୁ ଅମଳ କରିବା ଉଚିତ ନୁହେଁ।

କମ୍ ଖର୍ଚ୍ଚ ଓ ଅଧିକ ଲାଭ ମିଳୁଥିବା ଏହି ଅଏଲ୍ ପାମ୍ ବା ପାମ୍ ତେଲ ଚାଷରୁ ଭଲ ରୋଜଗାର ମିଳୁଛି। ବିକ୍ରିବଟା ପାଇଁ ଚାଷୀଙ୍କୁ ହଇରାଣ ହରକତ ହେବାକୁ ପଡ଼ିବନାହିଁ। ସରକରୀ ସୁବିଧାର ଲାଭ ଉଠାଇ ଜଣେ ସଫଳ ଚାଷୀ ହେବାର ଭଲ ସୁଯୋଗ ରହିଛି। ଆଗ୍ରହୀ ଚାଷୀ ଏଥିପାଇଁ ଆଗେଇ ଆସିଲେ ସଫଳତା ପାଇବେ ନିଶ୍ଚୟ।

ଆଧାର -"ସଂକଳ୍ପ ଓଡ଼ିଶା"

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top