ସେଆର କରନ୍ତୁ

ଲିଚୁ ଚାଷ

ଲିଚୁ ଚାଷ ର ପ୍ରଣାଳୀ ଓ ଲାଭ

ଲିଚୁ ସମସ୍ତଙ୍କର ଏକ ଆଦରଣୀୟ ଫଳ । ଏହାର ରଙ୍ଗ ଓ ସ୍ଵାଦ ଯୋଗୁଁ ଏହାକୁ ଫଳର ରାଣୀ ବୋଲି କହନ୍ତି । ଲିଚୁ ଗଛ ମଧ୍ୟ ଦେଖିବାକୁ ଖୁବ ସୁନ୍ଦର । ଏହାର ଖଟା ମିଠା ସ୍ଵାଦ ସମସ୍ତଙ୍କୁ ଖୁସି କରିଥାଏ । ଏଥିରୁ ସ୍କ୍ୱାସ ତିଆରି ହୁଏ ଏବଂ ଯେତେ କିସମର ସ୍କ୍ୱାସ ଅଛି ସବୁଠାରୁ ଲିଚି ସ୍କ୍ୱାସର ଆଦର ବେଶି ଓ ଦାମ ମଧ୍ୟ ଅନ୍ୟ ମାନଙ୍କ ଠାରୁ ଅଧିକ । ଳିଚିରେ ଭିଟାମିନ ସି ଅଧିକ ଅଛି । ଆମ ରାଜ୍ୟରେ ଅନୁଗୁଳ,ସମ୍ବଲପୁର,ଦେବଗଡ,ସୁନ୍ଦରଗଡ,ଫୁଲବାଣି ଓ କୋରାଫୁଟ କେତେକ ଅଞ୍ଚଳରେ ଲିଚୁ ଚାଷ ଖୁବ ଭଲ ହେଉଛି ।

ଉତ୍ପତ୍ତି

ଲିଚୁର ଉତ୍ପତ୍ତି ଦକ୍ଷିଣ ପୂର୍ବ ଏସିଆ ମାନେ ଦକ୍ଷିଣ ପୂର୍ବ ଚୀନ ଦେଶ । ୧୭ ଶତାବ୍ଦୀର ଶେଷ ବେଳକୁ ଏହା ଭାରତକୁ ଆସିଲା । ପୃଥିବୀରେ ଲିଚୁ ଉତ୍ପାଦନରେ ଚୀନ ପଛକୁ ଭାରତ ।

ଜଳବାୟୁ

ଲିଚୁ ଉପଗ୍ରୀଷ୍ମ ମଣ୍ଡଳୀୟ ଜଳବାୟୁରେ ଭଲ ବଢେ । ଏହାର ବୃଦ୍ଧି ପାଇଁ ତୁଷାର ବିହୀନ ଶୀତକାଳ ଓ ଅଧିକ ଆଦ୍ରତାଯୁକ୍ତ ଗ୍ରୀଷ୍ମକାଳ ଦରକାର କରିଥାଏ । ବିଭିନ୍ନ ଋତୁରେ ଉତ୍ତାପର ପରିବର୍ତ୍ତନ ଫଳ ଫଳିବାରେ ସାହାଯ୍ୟ କରିଥାଏ । ଏହି ପରିବର୍ତ୍ତନ ୨୧ଡିଗ୍ରୀ ରୁ ୩୮ଡିଗ୍ରୀ ସେଣ୍ଟିଗ୍ରେଡ ମଧ୍ୟରେ ରହିବା ଦରକାର । ଏହା ଟାଣ ଖରା ଓ ତୁଷାର ପାତ ମୂଳରୁ ସାହି ପାରେନି । ଜଳବାୟୁର ସାମାନ୍ୟ ବ୍ୟତିକ୍ରମ ହେଲେ ଏହାର ବୃଦ୍ଧି ଫଳନ ଶକ୍ତି ଓ ଫଳର ଉତ୍କର୍ଷତା କମିଯାଏ । ସେଥିପାଇଁ ଓଡିଶାର ସବୁ ଜାଗାରେ ଲିଚୁ ଚାଷ ଭଲ ହୁଏନି । ବାର୍ଷିକ ୬୦ଇଞ୍ଚରୁ ଅଧିକ ବର୍ଷା ଦରକାର କରିଥାଏ । କିନ୍ତୁ ଫୁଲ ଧରିବା ସମୟରେ ଲଗାତର ବର୍ଷା ବହୁତ କ୍ଷତି ଘଟାଇଥାଏ । ଫୁଲ ହେବାର ୨ମାସ ପୂର୍ବରୁ ବୃଷ୍ଟିପାତ ନହେଉଥିବା ଅଞ୍ଚଳରେ ଏହା ଭଲ ହୁଏ । ଫଳ ପାଚିବା ବେଳେ ଟାଣ ଖରା ହେଲେ ଫଳ ଫାଟିଯାଏ ।

ମୃତ୍ତିକା

ଅଧିକାଂଶ ମାଟିରେ ଏହା ହୁଏ , କିନ୍ତୁ ଗଭୀର ଦୋରସା ମାଟି ସବୁଠୁ ଭଲ । ମାଟିରେ ଜୈବିକ ପଦାର୍ଥ ଥିଲେ ଖୁବ ଭଲ । ନଦୀ ପଠାର ପଟୁମାଟି ଓ ଜଳ ନିଷ୍କାସନ ହୋଇ ପାରୁଥିବା ଦୋରସା ବାଲିଆ ମାଟିରେ ଭଲ ଭାବରେ ଚାଷ କରାଯାଇ ପାରିବ । ଜମିରେ ଜଳ ପତ୍ତନ ୪ଫୁଟ ତଳେ ରହିବା ଉଚିତ । ପାଣି ଜମି ରହୁଥିବା ସ୍ଥାନରେ ଏହାର ଚାଷ ଭଲ ହୁଏନି । କାରଣ ଏହା ଲିଚୁର ଚେରକୁ ସଢାଇ ଦିଏ । ଯେଉଁ ମାଟିରେ ଚୂନ ପରିମାଣ କମ ସେ ମାଟିରେ ଚୂନ ଦେଲେ ଭଲ କାମ ଦିଏ । ମାଟିର ଅମ୍ଳତା ୫.୫ ରୁ ୬.୫ ଭିତରେ ଲିଚୁ ଭଲ ହୁଏ ।

କିସମ

ଭାରତରେ ବହୁତ କିସମର ଲିଚୁ ଚାଷ ହୁଏ । ପାଚିବା ସମୟକୁ ନେଇ ସେମାନଙ୍କୁ ୩ଭାଗରେ ବିଭକ୍ତ କରାଯାଏ ।

ସହଳ କିସମ

ମୁଜାଫରପୁର ,କଲିକତିଆ,ଦେଶୀ,ଗ୍ରୀନ,ସାହି,ତ୍ରିକୋଲିଆ,ଆଝାଭଳି,ଆର୍ଲି ଲାର୍ଜ ରୋଡ ।

ମଧ୍ୟମ କିସମ

ରୋଜସେଣ୍ଟେଡ, ଆର୍ଲି ବେଦନା,ବମ୍ବେଇ ।

ବିଳମ୍ବ କିସମ

ସି.ଏଚ.ଇ.ଏସ-୨,ସ୍ଵର୍ଣ୍ଣରୂପା,ପୂର୍ବ,ଲେଟ ବେଦନା,ଚାଇନା,ଲେଟ ସିଡଲେସ ।

ମୁଜାଫରପୁର , ସାହାରାନ ପୁର ଓ ଡେରାଡୁନ ହେଉଛି ମୁଖ୍ୟ କିସମ ।

ତା ଉପରେ ସମ୍ୟକ ଧାରଣା ଦିଆଗଲା

ମୁଜାଫରପୁର

ଏହି କିସମ ଲିଚୁ ମୁଖ୍ୟତଃ ବିହାର ରାଜ୍ୟ ଓ ଏହାର ଆଖପାଖ ଅଞ୍ଚଳ ଗୁଡିକରେ ଚାଷ କରାଯାଇଥାଏ । ଏହା ବହୁତ ଫଳିଥାଏ । କୋଳି ଗୁଡିକ ଗାଢ କମଳାରଙ୍ଗର ହୁଏ ଓ ବହୁତ କମ ଫାଟିଥାଏ । ଏହି କିସମର ଗଛରେ ୮୦-୧୦୦କିଲୋଗ୍ରାମ ପର୍ଯ୍ୟନ୍ତ କୋଳି ଫଳିଥାଏ । ଏହାର ମାଂସଳ ଶସ ରସ ଓ ମିଠାଯୁକ୍ତ ହୋଇଥାଏ । ଶସ ଓ ମଞ୍ଜିର ଅନୁପାତ ହେଉଛି ୪.୭୮:୧ ।

ସାହାରାନପୁର

ଏହି କିସମର ଗଛରେ ଶୀଘ୍ର ଫଳ ଧରିଥାଏ ଓ ବହୁତ ମଧ୍ୟ ଫଳେ । କୋଳି ଗୁଡିକ ଆକାରରେ ବଡ,ହୃତପିଣ୍ଡ ଆକୃତି ଓ ଗାଢ କମଳାରଙ୍ଗ ଯୁକ୍ତ ।

ଡେରାଡୁନ

ଉତ୍ତରପ୍ରଦେଶ ଓ ଏହାର ଆଖପାଖ ଅଞ୍ଚଳ ଗୁଡିକରେ ଏହି କିସମର ଫଳ ଚାଷ କରାଯାଏ । ଏହି କିସମ ମଧ୍ୟମରୁ ବହୁ ପରିମାଣର ଫଳ ଦେଇଥାଏ । ଫଳଗୁଡିକ କୋଣ ଆକୃତି,କୋମଳ,ରସ ଓ ମିଠାଯୁକ୍ତ ଅଟେ ।

ବଂଶ ବିସ୍ତାର

ଲିଚୁ ମଞ୍ଜି ଓ ଅଙ୍ଗଜ ପ୍ରଣାଳୀରେ ବଂଶ ବିସ୍ତାର କରିଥାଏ । ମଞ୍ଜିରୁ ହେଉଥିବା ଚେର ବ୍ୟାପକଭାବେ ବଢେ ; କିନ୍ତୁ ଅଙ୍ଗଜ ପ୍ରଣାଳୀରେ ଗଛର ଚେର ସେତେ ବଢେନି । ମଞ୍ଜିରୁ ଗଛ ଫଳିବା ପାଇଁ ୭ ରୁ ୧୨ ବର୍ଷ ପର୍ଯ୍ୟନ୍ତ ଲାଗେ । ମଞ୍ଜି ଫଳରୁ ବାହାରିବାର ୪-୫ ଦିନ ଭିତରେ ଗଜା ହେବା ଶକ୍ତି ନଷ୍ଟ ହୋଇଯାଏ । ସେଥିପାଇଁ ଲିଚୁର ବଂଶବିସ୍ତାର କଲମି ଦ୍ଵାରା ହୁଏ । ସାଧାରଣତଃ ଲିଚୁର ଗୁଟି କଲମି ହୁଏ ଓ ବର୍ଷା ଆରମ୍ଭରେ କଲମି ତିଆରି କରାଯାଏ । ମିଷ୍ଟ ଚେମ୍ବର ସହାୟତାରେ ଡାଳକଲମୀ କରାଯାଇ ପାରୁଛି । ସେଥିପାଇଁ ଦୁଇ ବର୍ଷିଆ ଡାଳକୁ ୧୦୦ ପି.ପି.ଏମ ଇଣ୍ଡଲ ବ୍ୟୁଟ୍ରିକ ଏସିଡ ଦ୍ରବଣରେ ବୁଡାଇ ଲଗାଇଲେ ଚେର ଶୀଘ୍ର ବାହାରେ । ଏହା ଛଡା ଯୋଡା କଲମୀ ଦ୍ଵାରା ମଧ୍ୟ ବଂଶ ବିସ୍ତାର କରାଯାଇ ପାରେ ।

ଜମି ପ୍ରସ୍ତୁତି ଓ ଚାରା ରୋପଣ

ଜମିକୁ ୩/୪ ଓଡ ହଳ କରିବ । ଉର୍ବରା ମାଟିରେ ୯ ରୁ ୯ ମିଟର ବ୍ୟବଧାନରେ ଓ ଅନୁର୍ବରା ମାଟିରେ ୬ ରୁ ୭ ମିଟର ବ୍ୟବଧାନରେ ୧ମିଟର x ୧ ମିଟର x ୧ମିଟର ଗାତ କରିବ । ପ୍ରତି ଗାତରେ ୨ ଟୋକେଇ ଖତ ସହ ୨ କେଜି ଜୈବିକ ସାର ଓ ୧୦୦ ଗ୍ରାମ କ୍ଲୋରପାଇରସ ଗୁଣ୍ଡ ଦେଇ ଜୁନ-ଜୁଲାଇ ମାସରେ ଗଛ ଲଗାଇବ । ଗଛ ଲଗାଇବା ବେଳେ ପୁରୁଣା ଲିଚୁ ବଗିଚାର ମାଟି ଆଣି ଗତରେ ବ୍ୟବହାର କଲେ ଗଛର ଉପକାର ହୋଇଥାଏ । କାରଣ ଲିଚୁ ଚେରରେ ଥିବା ମାଈକୋରାଇଜା କବକ ନୂଆ ବଗିଚାରେ ପ୍ରତିଷ୍ଠିତ ହୋଇ ଗଛ ଗୁଡିକ ଭଲ ଭାବରେ ବଢିବା ଲାଗି ସହାୟକ ହୁଏ ।

ଖତ ସାର

ବଡ ଗଛ ପାଇଁ ବର୍ଷକୁ ୫୦ କେଜି ଖତସହ ୩କେଜି କାଲସିୟମ ଆମୋନିୟମ ନାଇଟ୍ରେଟ ବା ଦେଢ କେଜି ଇଉରିଆ, ୧କେଜି ସିଙ୍ଗଲ ସୁପର ଫସଫେଟ ଓ ୧ କେଜି ପଟାସ ସାର ଦେବ । ଲିଚୁ ଗଛରେ ଜିଙ୍କ ଧାତୁର ଅଭାବ ପରିଲକ୍ଷିତ ହୁଏ । ଏଥିପାଇଁ ୪ କେଜି ଜିଙ୍କ ସଲଫେଟ ଓ ୨ କେଜି କଲି ଚୂନକୁ ୫୦୦ ଲିଟର ପାଣିରେ ମିଶାଇ ପତ୍ରରେ ସ୍ପ୍ରେ କରିବ । ଆଜିକାଲି ବଜାରରେ ମିଶ୍ରିତ ଅଣୁସାର ବିଭିନ୍ନ କମ୍ପାନୀ ମାନେ ଯୋଗାଉଛନ୍ତି । ଟ୍ରେସେଲ,ମଲ୍ଟିଫ୍ଲେକ୍ସ ଇତ୍ୟାଦି ଭଲ କାମ ଦେଉଛି । ଅଣୁସାର ପ୍ୟାକେଟରେ ଯେପରି ନିର୍ଦ୍ଦେଶ ଥିବ ସେପରି ବ୍ୟବହାର କରିବ ।

କାଟଛାଣ୍ଟ

ଲିଚୁଗଛ କାଟଛାଣ୍ଟ ଦରକାର କରି ନଥାଏ । କେବଳ ଫଳ ତୋଳିବା ସମୟରେ ଯେଉଁ ଡାଳ ଫଳ ଡେମ୍ଫ ସହ କଟାଯାଏ ତାହାହିଁ ଠିକ । ତେବେ ଶୁଖିଲା ରୋଗା ଓ ପୋକଖିଆ ଡାଳକୁ କାଟି ଦେବ । ଲିଚୁ ସଦାବେଳେ ନୂଆ ଡାଳରେ ଫଳେ । ତେଣୁ ଯେଉଁ ଡାଳରେ ଫଳ ଆସୁଛି ସେହି ଡାଳରୁ ଛୋଟ ଛୋଟ ଡାଳ ଭାଙ୍ଗି ଦେବା ଉଚିତ । ନୂଆ ଡାଳ କଅଁଳି ଫଳ ଆସିବା । ଗଛର ମୂଳ ଠାରୁ ୬୦-୭୦ ସେମି ପର୍ଯ୍ୟନ୍ତ ସିଧା ବଢିବାକୁ ଦେବ ।

ଜଳସେଚନ

ଖରାଦିନେ ୩-୪ ଦିନ ଅନ୍ତରରେ ଓ ଶୀତଦିନେ ୭-୧୦ ଦିନ ଅନ୍ତରରେ ଛୋଟ ଗଛ ଜଳସେଚନ ଦରକାର କରିଥାଏ । ବର୍ଷା ପରେ ଫଳନ୍ତି ଗଛରେ ଫୁଲ ଧରିବା ପର୍ଯ୍ୟନ୍ତ ଜଳସେଚନ ନ କରି ଫଳ ଧରିବା ଠାରୁ ପାଚିବା ଯାଏ ୫-୬ ଦିନ ବ୍ୟବଧାନରେ ଜଳସେଚନ କଲେ ଫଳ ଫାଟେ ନାହିଁ । ବୁନ୍ଦା ଜଳସେଚନ ଲିଚୁ ପାଇଁ ଖୁବ ଭଲ । ଏହା ଦ୍ଵାରା ଫଳ ଫାଟେ ନାହିଁ  ଓ ଫଳର ମାନ ଓ ଅମଳ ବଢିଥାଏ ।

ଲିଚୁର ରୋଗ ପୋକ ଓ ତା’ର ପ୍ରତିକାର

ଲିଚୁ ଗଛରେ ସାଧାରଣତଃ କମ ରୋଗ ପୋକ ଦେଖାଯାଏ । ତେବେ ପୋକ ଭିତରେ ଶୋଷକ ପୋକ ଓ ଲିଚୁ ମାଇଟ ପ୍ରଧାନ ।

ଶୋଷକ ପୋକ

ପୂର୍ଣ୍ଣାଙ୍ଗ ଛୁଆ ଶୋଷକ ପୋକ ଗୁଡିକ ଶୁଣ୍ଢ ଦ୍ଵାରା କଣା କରି ଗଛର ଫୁଲ,ଫଳ ନରମ ଶାଖା ଓ ପତ୍ର ଗୁଡିକରୁ ରସ ଶୋଷି ଖାଆନ୍ତି । ଆକ୍ରାନ୍ତ ଗଛ ରୁଗଣ ହୋଇଯାଏ ଓ ଫୁଲ କଷି ଗୁଡିକ ଝଡିଯାଏ । ଗଛର ଡାଳ ଓ ଫଳ ଗୁଡିକ ଶକ୍ତ ହୋଇଯିବା ପରେ ମଧ୍ୟ ଏହି ପୋକମାନେ ନିଜର ଶକ୍ତ ଶୁଣ୍ଢ ଦ୍ଵାରା ସେଗୁଡିକ ସହଜରେ କଣାକରି ଦେଇ ପାରନ୍ତି ।

ପ୍ରତିକାର

ବଗିଚାକୁ ସଫା ରଖନ୍ତୁ । ତଳେ ପଡିଥିବା ଫଳ ଗୁଡିକୁ ସଂଗ୍ରହ କରି ନଷ୍ଟ କରି ଦିଅନ୍ତୁ । ସାଧାରଣତଃ ଫଳ ଅମଳର ୪୦ଦିନ ପୂର୍ବରୁ ୧୫ ଦିନ ବ୍ୟବଧାନରେ ୨ଥର ଫେନଭାଲେରେଟ କିମ୍ବା ଫାସାଲୋନ ସ୍ପ୍ରେ କରନ୍ତୁ ।

ଲିଚୁ ମାଇଟ

ବହୁ ସଂଖ୍ୟକ ମାଇଟ ଲିଚୁ ପତ୍ର ଲୋମ ଗୁଡିକର ମୂଳରେ ରହିଥାନ୍ତି । ଏମାନେ ପତ୍ରକୁ ଆଞ୍ଚୁଡି ରସ ଖାଆନ୍ତି । ଆକ୍ରାନ୍ତ ପତ୍ର ତଳ ପାଖରେ ଏକ ପ୍ରକାର ମାଟିଆ ରେଶମୀ ଆବରଣ ଦେଖାଯାଏ ଓ ପତ୍ର ସବୁ ଉପରକୁ ମୋଡି ହୋଇଯାଏ । ଫଳ ବଡ ହେଲା ବେଳକୁ ଯଦି ସେଠିକାର ଉତ୍ତାପ ୩୮ ଡିଗ୍ରୀ ସେଣ୍ଟିଗ୍ରେଡରୁ ଅଧିକ ରହେ ଓ ଆଦ୍ରତା ଯାହାକୁ ହିମୁଡିଟି କୁହାଯାଏ ଶତକଡା ୬୦ଭାଗରୁ କମିଯାଏ ଓ ମାଟିର ଜଳୀୟ ଅଂଶ କମ ରହେ ତାହାହେଲେ ଲିଚୁର ଚୋପା ଟାଣ ହୋଇ ପୋଡିଗଲା ପରି ଦେଖାଯାଏ ।

ପ୍ରତିକାର

  • ଯେଉଁ କିସମର ଲିଚି ଫାଟେ ନାହିଁ ତାକୁ ଲଗାନ୍ତୁ । ସ୍ଵର୍ଣ୍ଣରୂପା ଓ ସି.ଏଚ.ଇ.ଏସ-୨ କିସମର ଲିଚୁ ଫାଟେ ନାହିଁ ।
  • ଗରମ ପବନ ରୋକିବାକୁ ବଗିଚାରେ ପବନ ପ୍ରତିରୋଧକାରୀ ଗଛ ଲଗାନ୍ତୁ ।
  • ଫଳ ଧାରଣା ଠାରୁ ପାକଳା ହେବା ପର୍ଯ୍ୟନ୍ତ ୪-୫ ଦିନ ଅନ୍ତରରେ ଜଳସେଚନ କରନ୍ତୁ ।
  • ପ୍ଳାନୋଫିକ୍ସ – ଏକଲିଟର ପାଣିରେ ୨ସିସି ମିଶାଇ ସ୍ପ୍ରେ କରନ୍ତୁ ।

ଅମଳ

ଗଛ ଲଗାଇବାର ୪-୫ ବର୍ଷ ପରେ ଫଳ ଅମଳ କରାଯାଇଥାଏ । ଫଳ ଧାରଣ ଠାରୁ ପାଚିବା ଯାଏ ପ୍ରାୟ ୫୦-୬୦ ଦିନ ଲାଗିଥାଏ । ଫଳ ଗୁଡିକ ଡେମ୍ଫ ସହ ହାତରେ ତୋଳାଯାଏ ହାରହାରି ଗୋଟିଏ ଗଛକୁ ୮୦କେଜିରୁ ୧୫୦ କେଜି ପର୍ଯ୍ୟନ୍ତ ଅମଳ ମିଳେ । ତୋଳିବା ପରେ ଲିଚୁ ୫-୬ ଦିନ ପର୍ଯ୍ୟନ୍ତ ଭଲ ରହେ । ଶୀତଳ ଭଣ୍ଡାରରେ ୩-୪ ସପ୍ତାହ ରଖା ଯାଇ ପାରେ । ହେକ୍ଟର ପିଛା ଆୟ ପ୍ରାୟ ଟ ୫୦,୦୦୦ ମିଳେ ।

ଆଧାର : ଡାକ୍ତର ସୂର୍ଯ୍ୟ ନାରାୟଣ ବେହେରା

3.25
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top