ହୋମ / କୃଷି / କୃଷି ଉଦ୍ୟୋଗ / ଲେମ୍ବୁ ଚାଷ
ସେଆର କରନ୍ତୁ

ଲେମ୍ବୁ ଚାଷ

ଲେମ୍ବୁ ଚାଷ ର ସୁଚନା

ଉପକ୍ରମ

ଓଡିଶାରେ କଦଳୀ ପରେ ବାରମାସରେ ମିଳୁଥିବା ଫଳ ଭିତରେ ଲେମ୍ବୁ ହେଉଛି ଅନ୍ୟତମ । କଦଳୀପରି ଏହା ମଧ୍ୟ ଗରିବ ଲୋକଙ୍କ ଫଳ । ଧନୀ ଓ ଗରିବ ସମସ୍ତଙ୍କ ପାଖରେ ଲେମ୍ବୁ ଅତି ଆଦରର ଫଳ । ଲେମ୍ବୁକୁ ଭଲ ପାଉନଥିବା ଲୋକ ବୋଧହୁଏ ଏ ସଂସାରରେ କେହି ନଥିବେ । ଲେମ୍ବୁର ବ୍ୟବହାର ଆମ ସମାଜରେ ଏତେ ବେଶି ଯେ,ଏହାକୁ ପରିବା ସାଙ୍ଗରେ ପ୍ରତିଦିନ ମଧ୍ୟ କିଣାଯାଏ । ବହୁ ପୁରାତନ କାଳରୁ ଲେମ୍ବୁର ଉପକାରିତା ବିଷୟରେ ମୁନି ଋଷିମାନେ ଉପଲବ୍ଧି କରିଛନ୍ତି ଏବଂ ଏହାକୁ ଖାଦ୍ୟ ଓ ଔଷଧ ରୂପେ ଗ୍ରହଣ କରିଛନ୍ତି । ଲେମ୍ବୁ ଖାଦ୍ୟ ସହିତ ଖାଇବା ନିମନ୍ତେ ହିତକାରୀ, ସ୍ଵାଦିଷ୍ଟ ଓ ଔଷଧ ଦିଗରେ ମଧ୍ୟ ଯାବତୀୟ ରୋଗ ବିନାଶକ ଅଟେ । ଏହାର ରସରେ ବିଭିନ୍ନ ଯିବନିକା ବିଶେଷକରି ଜୀବନିକା-ଗ ଓ ଧାତବ ଲବଣ ଅଛି । ଏହାର ଚାଷ ଏକ ଲାଭଜନକ ବ୍ୟବସାୟ ।

ପ୍ରକାର ଭେଦ

ସାଧାରଣତଃ ଲେମ୍ବୁ ଦୁଇ ପ୍ରକାରର । ଗୋଟିଏ ହେଉଛି କାଗେଜି ଲେମ୍ବୁ ବା ପାତି ଲେମ୍ବୁ ଯାହାକୁ କି ଏସିଡ ଲାଇମ କହନ୍ତି ଓ ଅନ୍ୟଟି ହେଉଛି ଗଙ୍ଗାକୋଳିଆ ଲେମ୍ବୁ ଯାହାକୁ ଲେମନ କହନ୍ତି । କାଗେଜି ଲେମ୍ବୁର ବଟାନିକାଲ ନାମ ହେଲା (Cirtus aurantifolia) ଓ ଗଙ୍ଗାକୋଳିଆ ଲେମ୍ବୁରା ନାମ ହେଲା (Citrus Lemon) ।

ଲେମ୍ବୁ କହିଲେ ଆମେ କାଗେଜି ଲେମ୍ବୁ ବା ପାତି ଲେମ୍ବୁକୁ ବୁଝାଉ । ଏଗୁଡ଼ିକ ଦେଖିବାକୁ ଗୋଲ, ଚୋପା ପତଳା, ଫଳର ରସ ସ୍ଵଚ୍ଛ ଓ ଅଳ୍ପ ମଞ୍ଜି ଥାଏ । ଏହାର ଫୁଲକୁ ପାଖୁଡା ଧଳା,ଗଛ ଝଙ୍କା ହୋଇ ବଢେ । ଗଛରେ ପତ୍ର ଗୁଡିକ ଅପେକ୍ଷାକୃତ ପତଳା ଓ ଛୋଟ । ଏଥିରେ ଛୋଟ ଛୋଟ ମୁନିଆ କଣ୍ଟା ଥାଏ । କିନ୍ତୁ ସ୍ଵାଦ ଓ ସୁବାସରେ ଏହା ଗଙ୍ଗାକୋଳିଆ ଠାରୁ ବହୁତ ଉଚ୍ଚାରେ ।

ଲାଇମ କିସମ ଭିତରେ ତାହିତ ଲେମ୍ବୁ ରଙ୍ଗପୁର ଲାଇମ ଓ ସୁଇଟ ଲାଇମ ମଧ୍ୟ ଅନ୍ୟତମ । ତାହିତ ଲେମ୍ବୁ ଆଚାର ପାଇଁ ଖୁବ ଭଲ । ଫଳ ବଡ ଓ ମଞ୍ଜି ସଂଖ୍ୟା କମ । ରଙ୍ଗପୁର ଲାଇମ ଫଳରୁ ଆଚାର କରାଯାଏ ଓ କମଳା ଗଛର ମୂଳପିଣ୍ଡ ରୂପେ ବ୍ୟବହାର କରାଯାଏ । ସୁଇଟ ଲାଇମ ଦେଖିବାକୁ ଛୋଟ କମଳା ପରି । ମଞ୍ଜି କମ ଥାଏ । ରସ ମିଠା ଓ ୩/୪ ଟି ସୁଇଟ ଲାଇମରୁ ଗୋଟିଏ ଗ୍ଳାସ ରସ ବାହାରେ ।

ଲେମନ ଦୁଇ ପ୍ରକାରର ମିଳେ । ଖଟା ଓ ମିଠା । କିନ୍ତୁ କାଗେଜିପରି ଖଟା ଲେମନର ଆଦର ବେଶି । ଏ ଗଛ ଗୁଡିକ କାଗେଜି ଲେମ୍ବୁଠାରୁ ବଡ ଓ ଶକ୍ତି । ଏ ଗଛ ଗୁଡିକ କାଗେଜି ଲେମ୍ବୁଠାରୁ ବଡ ଓ ଶକ୍ତି । ଏ ଗଛ ଶୀଘ୍ର ବଢେ । ଏହାର ପତ୍ର କାଗେଜି ଲେମ୍ବୁଠାରୁ ବଡ ଓ ଗାଢ ସବୁଜ ରଙ୍ଗର । ଫଳ ମଧ୍ୟ ବଡ, ଚୋପା ମୋଟା ଓ ମଞ୍ଜି ମଧ୍ୟ ବେସିଥାଏ । ଏ ଗଛର ଫୁଲ ପାଖୁଡାର ରଙ୍ଗ ଗୋଲାପି ଓ ଫଳରେ ଭୁଣ୍ଡି ଥାଏ । ଲେମନର ବିଭିନ୍ନ କିସମ ଭିତରେ ସେଲଭି ନେପାଳୀ ରାଉଣ୍ଡ, ନେପାଳୀ ଅବଲଙ୍ଗ,ଲିସବନ, ଇରେକା ଭିଲ୍ଲ ପ୍ରାନ୍ସ , ମାଲଟା, ସିଡଲେସ, ରାଜମେହେନ୍ଦ୍ରି ,ମେୟର ଲେମନ ଓ ହୀଲ ଲେମନ ପ୍ରଧାନ । ଲେମନ ଆଚାର ସ୍କାସ ଓ କର୍ଡି ଆଲ ପାଇଁ ଖୁବ ଭଲ ।

ଜଳବାୟୁ

ଲେମ୍ବୁ ଚାଷ ଗ୍ରୀଷ୍ମ ମଣ୍ଡଳୀୟ ଓ ସମଶୀତୋଷ୍ମ ଜଳବାୟୁରେ ଭଲ ହୁଏ । କାଗେଜି ଲେମ୍ବୁ ବେଶି ଟାଣ ଖରା ଓ ତୁଷାରପାତ ସାହି ପାରେନା । ଯେଉଁଠାରେ ଉତ୍ତାପ ୧୦୦ ଡିଗ୍ରୀ ଫ୍ୟାରେନହାଇଟରୁ ଅଧିକ ଓ ୫୦ ଡିଗ୍ରୀ ରୁ କମ ହୁଏ ସେ ଜାଗାରେ ଭଲହୁଏନି । ଜଳବାୟୁରେ ବେଶି ଆଦ୍ରତା ଥିଲେ ଲେମ୍ବୁର ଜାଦୂଆ ରୋଗ ବେଶିହୁଏ । ସମୁଦ୍ର ପତନଠାରୁ ୯୦୦ମିଟର ଉଚ୍ଚତା ପର୍ଯ୍ୟନ୍ତ ଏହାର ଚାଷ କରାଯାଇ ପାରିବ । କିନ୍ତୁ ଲେମନ ଜାତୀୟ ଲେମ୍ବୁଗଛ କାଗେଜି ଲେମ୍ବୁ ଗଛ ଠାରୁ ଟାଣୁଆ ଗଛ । ଏହା କେତେକାଂଶରେ ଟାଣ ଖରା ଓ ତୁଷାରପାତ ସହିପାରେ । ଏହା ୧୨୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ଚାଷ କରାଯାଇ ପାରେ । ଲେମନ ଲେମ୍ବୁରେ ଯାଦୁଆ ରୋଗ ବେଶି ହୁଏନି । ତେଣୁ ଆମର ଉପକୂଳବର୍ତ୍ତୀ ଅଞ୍ଚଳରେ ଏହାର ଚାଷ ବେଶି ପରିମାଣରେ ହୋଇ ପାରିବ ।

ମୃତ୍ତିକା

ଲେମ୍ବୁ ଚାଷ ଉର୍ବର, ଦେରସା ଓ ନିଗିଡା ମାଟିରେ ଖୁବ ଭଲ ହୁଏ । ମାଟିର ଅମ୍ଳତା ୫.୫ ରୁ ୭.୫ ଭିତରେ ଭଲ ହୁଏ । କୃଷ୍ଣ କାର୍ପାସ ମୃତ୍ତିକା ଓ ମଟାଳ ମାଟିରେ ମଧ୍ୟ ଲେମନ ଜାତୀୟ ଲେମ୍ବୁ ଚାଷ ଭଲ ହୁଏ । ଓଡିଶାର ନଦୀକୂଳିଆ ମାଟିରେ ଲେମ୍ବୁ ଚାଷ ଖୁବ ଭଲ ହୁଏ ।

ଲେମ୍ବୁ ଚାଷ ପାଇଁ ଚାରା ପ୍ରସ୍ତୁତି

ସାଧାରଣତଃ ଲେମ୍ବୁ ଚାଷ ପାଇଁ ଦୁଇ ପ୍ରକାରର ଗଛ ବ୍ୟବହାର କରାଯାଏ । ଗୋଟିଏ ମଞ୍ଜିରୁ ଉତ୍ତରାଯାଏ ଓ ଅନ୍ୟଟି ଲେମ୍ବୁ ଗଛରୁ ଡାଳ କଲମୀ ବା ଗୁଟି କଲମୀ କରି ଗଛ ଉତ୍ତରାଯାଏ । ଲେମ୍ବୁ କଲମୀ ଗଛ ପାଇଁ କମଳା ପରି ଆଖି କଲମୀ କରାଯାଏନି । ସାଧାରଣତଃ ଲେମ୍ବୁ ଚାରା ମଞ୍ଜିରୁ ଉତ୍ତରା ଯାଇଥାଏ କାରଣ ମଞ୍ଜି ଗଛର ଫଳ ମଧ୍ୟ ମା’ ଗଛର ଫଳପରି ହୁଏ ।

ମଞ୍ଜି ବାହାର କରିବା ପାଇଁ ପାଚିଲା ଫଳକୁ ଦୁଇ ଫାଳକରି କାଟିବ । ଫଳଟିକୁ ଏକ ଥରକେ କାଟି ଦେଲେ ମଞ୍ଜି କାଟି ଯିବାର ଆଶଙ୍କା ଥାଏ । ତେଣୁ ଚୋପାଟିକୁ କାଟି ଦୁଇ ହାତରେ ମୋଡି ଦେଲେ ସହଜରେ ଦୁଇଫାଳ ହୋଇଯାଏ । ତା’ପରେ ମଞ୍ଜିକୁ ଗୋଟି ଗୋଟି କରି କାଢି ପାଣିରେ ଧୋଇ ଦିଆଯାଏ ଓ ଛାଇରେ ଏକ ପରସ୍ତ କରି ସୁଖାଯାଏ । ମଞ୍ଜି ଶୁଖିଗଲା ପରେ ସେଥିରେ ସେରେସାନ ଗୁଣ୍ଡା ଓ କିଛି ଭଲ କାଠପାଉଁଶ ଗୋଳାଇ ଛାଇ ଯାଗାରେ ରଖାଯାଏ । ଫଳରୁ ମଞ୍ଜି ବାହାର କରିବାର ୨/୩ ସପ୍ତାହ ମଧ୍ୟରେ ମଞ୍ଜି ଗୁଡିକୁ ପଟାଳିରେ ବୁଣାଯାଏ ।

ତଳିଘେରା ପାଇଁ ଉର୍ବରା ଓ ନିଗିଡା ମାଟି ଦେଖି ଜାଗା ବାଛିବ । ମାଟିକୁ  ୨/୩ ଥର ଭଲ ଭାବରେ ହାଣି ଗୁଣ୍ଡକରି ୧୦/୧୫ ସେମି ଉଚ୍ଚାରେ ଏକ ମିଟର ଚଉଡା ଓ ୩ ମିଟର ଲମ୍ବର ପଟାଳିମାନ କରିବ । ପ୍ରତି ପଟାଳିରେ ୨ ଟୋକେଇ ଗୋବର ଖତ ସହ ୨୦୦ଗ୍ରାମ ସୁପର ଫସଫେଟ ସାର ଭଲ ଭାବରେ ମିଶାଇବ । ମଞ୍ଜି ଲଗାଇବା ପରେ ତା’ଉପରେ ଖତ, ଗୁଣ୍ଡ ମାଟି ଇତ୍ୟାଦି ଦେଇ ନଡା ଘୋଡାଇ ପାଣିଦେବ । ୧୫ ରୁ ୨୦ ଦିନ ଭିତରେ ଲେମ୍ବୁ ଗଛ ସବୁ ଗଜା ହୋଇ ବାହାରିବ । ଗଛ ୫/୧୦ ସେମି ହୋଇଗଲା ପରେ ଅନ୍ୟ ପଟାଳିରେ ୨୦ ରୁ ୩୦ ସେମି ବ୍ୟବଧାନରେ ବା କୁଣ୍ଡରେ ବା ପଲିଥିନରେ ଲଗାଇବେ । ଚାରା ପଟାଳିରେ ଥିବା ବେଳେ ଏକ ଲିଟର ପାଣିରେ ୨ଗ୍ରାମ ବେଭିଷ୍ଟିନ ମିଶାଇ ପଟାଳିରେ ଢାଳିବେ । ଫଳରେ ତଳି ଘେରାରେ ଗଛ ମରେନି । ଗଛ ଗୁଡିକୁ ୩୦ ରୁ ୪୫ ସେମି ଉଚ୍ଚତା ପର୍ଯ୍ୟନ୍ତ ନର୍ସରୀ ବେଡ଼ରେ କୁଣ୍ଡରେ ବା ପଲିଥିନ୍ ରେ ରଖା ଯାଇପାରେ ଓ ଗଛ ଗୁଡିକୁ ୩୦ ସେମି ଉଚ୍ଚତା ହୋଇଗଲା ପରେ ବଗିଚାରେ ଲଗାଯାଇ ପାରେ ।

ସାଧାରଣତଃ କଲମୀ ଚାଷ ପାଇଁ ଲେମ୍ବୁରେ ଗୁଟି କଲମୀ କରାଯାଏ । ଗୁଟି କଲମୀ ପାଇଁ ବର୍ଷିକିଆ ବା ୨ ବର୍ଷିଆ ପୁରୁଣା ଡାଳ ନିଆଯାଏ । ବଛା ବଛା ଡାଳର ୩୦ ରୁ ୪୦ ସେମି ତଳକୁ ୩ସେମି ର ଡାଳର ଉପରୁ ଚୋପାକୁ ବାହାର କରି ଦିଆଯାଏ । ତା’ପରେ ଗୁଟି ପାଇଁ ତିଆରି ହୋଇଥିବା ମାଟି ବା ମସ ଦେଇ ନଡା ବା ପ୍ଲାଷ୍ଟିକରେ ବାନ୍ଧି ଦିଆଯାଏ । ସାଧାରଣତଃ ବର୍ଷା ଦିନେ ଗୁଟି କଲମୀ କରାଯାଏ ଓ ଗୁଟି କଲମୀ କରିବାର ୨ମାସ ପରେ ମାଟି ବା ମସ ବନ୍ଧା ହେବା ଜାଗାରୁ ଚେର ବାହାରେ । ତାକୁ ମା’ଗଛରୁ କାଟିନେଇ କୁଣ୍ଡରେ ବା ପଲିଥିନ ମୁଣାରେ ଖତମାଟି ଦେଇ ରଖାଯାଏ । ଗଛ କଟା ହେବାର ୫/୬ ମାସ ପରେ ଲଗାଇବା ପାଇଁ ପ୍ରସ୍ତୁତ ହୋଇଯାଏ ।

ଗଛ ଲଗାଇବା ପ୍ରଣାଳୀ

ସମତଳ ଅଞ୍ଚଳରେ ବର୍ଗାକାର ପ୍ରଣାଳୀରେ ଓ ପାହାଡିଆ ଅଞ୍ଚଳ ମାନଙ୍କରେ କଣ୍ଟୁର ପ୍ରଣାଳୀରେ ଲେମ୍ବୁ ଗଛ ଲଗାଯାଏ । ଗଛକୁ ଗଛ ଓ ଧାଡିକୁ ଧାଡି ୫ମିଟର ବ୍ୟବଧାନ ଦେବା ଉଚିତ୍ । ମାଟିକୁ ନେଇ ଗାତର ଗୋଳେଇ ଓ ଗଭୀର ୬୦ସେମି ରୁ ଏକ ମିଟର ପର୍ଯ୍ୟନ୍ତ ହେବା ଉଚିତ୍ । ସମତଳ ଅଞ୍ଚଳ ମାନଙ୍କରେ ଯେଉଁଠି ମାଟି ଉର୍ବର ସେଠାରେ ୬୦ସେମି*୬୦ସେମି*୬୦ସେମିର ଗାତ କରନ୍ତି କିନ୍ତୁ ଅନୁର୍ବର ଜାଗାରେ ଏକ ମିଟରରେ ଏକ ମିଟର ଗାତ କରନ୍ତି । ପ୍ରତି ଗାତରେ ୨/୩ ଟୋକେଇ ସଢା ଗୋବରଖତ ୨କେଜି ସୁପର ଫସଫେଟ ବା ହାଡ ଗୁଣ୍ଡ ଓ ୫୦୦ ଗ୍ରାମ ପଟାସ ଓ ୨୫୦ ଗ୍ରାମ ସୋନା ସାର ଦେଇ ମାଟି ସଙ୍ଗେ ଭଲ ଭାବରେ ମିଶାଇ ପ୍ରଥମେ ଉପର ମାଟିଦେଇ ଗାତ ଭର୍ତ୍ତି କରି ଦିଆଯାଏ । ଖତସାର କେବଳ ୨/୩ କେଜି ଜୈବିକସାର ଦେଲେ ଚଳିବ । ଗାତ ଭର୍ତ୍ତି କରିବା ପୂର୍ବରୁ ଗାତରେ ୫୦ ଗ୍ରାମ କ୍ଲୋରପାରିପସ ଗୁଣ୍ଡ ଦେଲେ ଗଛରେ ଉଈ ଲାଗନ୍ତିନି । ଖତସାର ମାଟିରେ ଭଲ ଭାବରେ ମିସିଗଲା ପରେ ଜୁଲାଇ ମାସ ପ୍ରଥମ ସପ୍ତାହରେ ଗଛ ଲଗାଇବା କଥା । କଲମୀ ଗଛ ହେଉ ବା ମଞ୍ଜୀ ଗଛ ହେଉ ଗଛ ଲଗାଇବା ପରେ ଗଛର ଚାରିପଟେ ମାଟିକୁ ଭଲ ଭାବରେ ଦାବି ଦେଇ ଗଛ ମୂଳରେ ମାଟି ଦେଇ ମଳାକରି ପାଣି ଦେବାର ବନ୍ଦୋବସ୍ତ କରିବ । ସାଧାରଣତଃ ଉପରବେଳା ଗଛ ଲଗାଇବା ଭଲ । କୋହଲା ଓ ମେଘୁଆ ପାଗରେ ମଧ୍ୟ ସକାଳବେଳା ଗଛ ଲଗାଯାଇ ପାରିବ ।

ଖତସାର

ଗୋଟିଏ ବଡ ଲେମ୍ବୁଗଛ ପାଇଁ ମୂଳସାର ହିସାବରେ ୬୦୦ଗ୍ରାମ ଯବକ୍ଷାରଜାନ,୨୦୦ ଗ୍ରାମ ଫସଫରସ ଓ ୫୦୦ ଗ୍ରାମ ପଟାସ ସାର ଦରକାର କରେ । ଏହି ସାର ପାଇବା ପାଇଁ ଆମକୁ ୩କେଜି ସୋନୋ ସାର,୧୨୫୦ ଗ୍ରାମ ସୁପର ଫସଫେଟ ସାର ଓ ଏକ କେଜି ପଟାସ ସାର ଦେବା କଥା । ବର୍ଷିକିଆ ଗଛରେ ୨୦୦ଗ୍ରାମ ଯବକ୍ଷାରଜାନ ,୧୦୦ ଗ୍ରାମ ଫସଫରସ ଓ ୨୦୦ଗ୍ରାମ ପଟାସ ମୂଳସାର ହିସାବରେ ଦେଇ ଏବଂ ବୟସ ବୃଦ୍ଧି ସାଙ୍ଗରେ ଏହାର ପରିମାଣ ଏବଂ ବୟସ ବୃଦ୍ଧି ସାଙ୍ଗରେ ଏହାର ପରିମାଣ ବଢାଇ ୫ବର୍ଷ ସୁଦ୍ଧା ଉପରୋକ୍ତ ବଡ ଲେମ୍ବୁଗଛ ପାଇଁ ଯାହା ସାର ଦରକାର ତାହା ଦେବ । ଏହା ଛଡା ପ୍ରତି ବର୍ଷ ଗଛ ପ୍ରତି ୨ଟୋକେଇ ଖତ ଦେବ । ଯଦି କେବଳ ଜୈବିକସାର ଦେବ ତେବେ ଏକ କିଲୋରୁ ଆରମ୍ଭ କରି ୫ ବର୍ଷ ପରେ ପ୍ରତି ଗଛରେ ୫କିଲୋ କରି ଦେବ । ପହିଲି ବର୍ଷା ଆରମ୍ଭରେ ସାର ପ୍ରୟୋଗ କରିବା ଉଚିତ । ୨ ଥରରେ ଦେଲେ ଭଲ । ଥରେ ବର୍ଷା ଆରମ୍ଭରେ ଓ ଥରେ ବର୍ଷା ଛାଡି ଆସିଲା ବେଳକୁ । ଗଛ ମୂଳରୁ ଅଧେ ମିଟର ଛାଡି ଖତସାର ପ୍ରୟୋଗ କରି ମାଟି ଖୁସାଇ ଦେବା ଉଚିତ । ସାର ଦେବା ପରେ ବର୍ଷା ନ ହେଲେ ପାଣି ଦେବ । ଗଛ ଛୋଟ ଥିବା ସମୟରେ ଗଛଠାରୁ ୧ମିଟର ମଧ୍ୟରେ ସାର ପ୍ରୟୋଗ କରିବା ଉଚିତ । ଗଛ ବଡ ହେଲା ପରେ ମୂଳ ପାଖରୁ ଅଧା ମିଟର ଛାଡି ଗଛର ଡାଳ ଯେଉଁ ପର୍ଯ୍ୟନ୍ତ ଅଛି ସେ ପର୍ଯ୍ୟନ୍ତ ଯାଗାରେ ସାରା ପ୍ରୟୋଗ କଲେ ଭଲ କାମ ଦିଏ ।

ଲେମ୍ବୁ ଗଛ ବଢିବା ଭଲ ଓ ଫୁଲ ଫଳ ଆସିବା ପାଇଁ ଉପଯୁକ୍ତ ପରିମାଣରେ ଅଣୁସାର ଦରକାର କରେ । ଅଣୁସାର ଭିତରେ ଜିଙ୍କ,ମାଙ୍ଗାନିଜ,ମ୍ୟାଗ୍ନେସିୟମ ଓ ବୋରନ ଇତ୍ୟାଦିର ଅଭାବ ହୁଏ । ଏଥିପାଇଁ ହେକ୍ଟର ପିଛା ୫୦୦ ଲିଟର ପାଣିରେ ୨କେଜି ଜିଙ୍କ ସଲଫେଟ ଓ ୧କେଜି ମାଙ୍ଗାନିଜ ସଲଫେଟ ଓ ଏକ କେଜି ମ୍ୟାଗ୍ନେସିୟମ ସଲଫେଟ ଓ ୪କେଜି ଚୂନ ପାଣିରେ ମିଶାଇ ପକାଇଲେ ଭଲ କାମ ଦିଏ । ଏ ସବୁ ଜିନିଷ ବଜାରରେ ନ ମିଳିଲେ ଆଜିକାଲି ବଜାରରେ ଟ୍ରେସେଲ-୨,ଆଗ୍ରୋମିନ, ମଲ୍ଟିପ୍ଲେକସର, ଅଣୁସାର ବଜାରରେ ମିଳୁଛି । ପତ୍ର କଅଁଳିଆ ଅବସ୍ଥାରେ ୨/୪ ଥର ପକାଇଲେ ଭଲ କାମ ଦିଏ ।

ଜଳସେଚନ :-

ଲେମ୍ବୁ ଗଛରେ ଜଳସେଚନ କଲେ ଭଲ ଅମଳଦିଏ । ପ୍ରଥମେ ବର୍ଷେ ଦିବର୍ଷ ପ୍ରତି ସପ୍ତାହରେ ଜଳସେଚନ ଦରକାର କରେ । ଗଛ ବଡ ହୋଇଗଲେ ଦରକାର ଅନୁଯାୟୀ ୧୫ ଦିନରେ ଥରେ ଜଳସେଚନ କରିବ ।

କାଟଛାଣ୍ଟ :-

ଲେମ୍ବୁ ଗଛରେ କାଟଛାଣ୍ଡ କେତେକ ପରିମାଣରେ ଦରକାର ପଡିଥାଏ । ଗଛ ପ୍ରଥମେ ବଢିଲା ଅବସ୍ଥାରେ ମୂଳରୁ ୪୫ସେମି ପର୍ଯ୍ୟନ୍ତ ସିଧା ବଢିବାକୁ ଦେବ । ଲେମ୍ବୁ ଗଛରେ କମଳାପରି ପାଣି ପୁଆ ମଧ୍ୟ ବାହାରେ । ସେଗୁଡିକରେ ଭଲ ଫଳ ହୁଏନି । ତାକୁ କାଟି ଦେବା ଉଚିତ୍ । ଲେମ୍ବୁ ଗଛରେ ପ୍ରତିବର୍ଷ କେତେ ଡାଳ ମରିଯାଏ । ଶୁଖିଲା ଓ ମଲା ଡାଳକୁ ମଝିରେ ମଝିରେ କାଟି ଦେବା ଉଚିତ୍ ।

ଲେମ୍ବୁଗଛର ରୋଗ ପୋକ ଓ ତା’ର ପ୍ରତିକାର

ଲେମ୍ବୁ ଗଛରେ ନାନା ପ୍ରକାରର ରୋଗ ପୋକ ଲାଗେ । ପୋକ ମଧ୍ୟରେ ଲେମ୍ବୁ ପ୍ରଜାପତି, ଲେମ୍ବୁ ଡାଳ ବକଳବିନ୍ଧା ପୋକ, ଲେମ୍ବୁରା ପତ୍ର ସୁଢଙ୍ଗକାରି ପୋକ ଓ ଲେମ୍ବୁ ଉକୁଣି ପ୍ରଧାନ । ଏହି ପୋକମାନଙ୍କ ଦାଉରୁ ଗଛକୁ ରକ୍ଷା କରିବା ପାଇଁ ନିୟମିତ ଭାବରେ ମାସକ ଅନ୍ତରରେ ଶତକଡା ୦.୦୩ ଭାଗ ମାଲାଥିଅନ,ରୋଗର,ଫସଫମିଡନ,ମିଥାଇଲ ପାରାଥିଆନ ଇତ୍ୟାଦି କୀଟନାଶକ ଔଷଧ ବ୍ୟବହାର କରାଯାଇ ପାରେ । ସାଧାରଣତଃ ଲେମ୍ବୁରେ ନୂଆ ପତ୍ର ଆସିଲା ବେଳେ ବେଶି ପୋକ ଲାଗନ୍ତି । ସେତେବେଳେ ଔଷଧ ପକାଇବ ।

ରୋଗ ଭିତରେ ଯାଦୁଆରୋଗ ଅଗ ଝାଉଁଳା ରୋଗ,ମୂଳ ସଢା ରୋଗ ଓ ଅଗମରା ରୋଗ ପ୍ରଧାନ । ଗଛକୁ ରୋଗମୁକ୍ତ ରଖିବା ପାଇଁ ଗଛର ମୂଳକୁ ସଫା ରଖିବ । ଗଛର ଗଣ୍ଡିରେ ୪୫ସେମି ପର୍ଯ୍ୟନ୍ତ ବୋର୍ଡ଼ୋପେଷ୍ଟ ଦେବ । ମଝିରେ ମଝିରେ ବୋର୍ଡ଼ୋ ମିଶ୍ରଣ ଡିଥେନ ଏମ-୪୫ ବା ବେଭିଷ୍ଟିନ ଇତ୍ୟାଦି ପକାଇଲେ ବହୁତ ରୋଗକୁ ଆୟତ କରାଯାଇ ପାରିବ । ଲେମ୍ବୁରେ ଯାଦୁଆ ରୋଗ ବେଶି ପରିମାଣରେ ଦେଖାଯାଏ । ଏହା ବ୍ୟାକ୍ଟେରିଆ ଜନିତ ରୋଗ ।

ଲେମ୍ବୁର ଯାଦୁରା ରୋଗ :-

ଏହା ଏକ ପ୍ରକାର ବ୍ୟାକ୍ଟେରିଆ ଜନିତ ରୋଗ । ଏହି ରୋଗରେ ପତ୍ର,ଡାଳ,ଛୋଟ ଛୋଟ ଶାଖା ଓ ଫଳ ଆକ୍ରାନ୍ତ ହୋଇଥାଏ । ଏହି ରୋଗରେ ପତ୍ରର ଉଭୟ ପାର୍ଶ୍ଵରେ ବାଦାମି ରଙ୍ଗର ନାନା ଆକୃତିର ଚିହ୍ନ ମାନ ଦେଖାଯାଏ । ଏହି ବାଦାମି,ଜଳସିକ୍ତ ଦାଗଗୁଡିକ ବଢି ଉଚ୍ଚା ଫୋଟକା ଭଳି ହୋଇ ଆବରା ଖାବରା ଦେଖାଯାଏ । ଚିହ୍ନଗୁଡିକ ପୁରୁଣା ହୋଇଗଲେ ସବୁ ଫାଟି କଣା ହୋଇଯାଏ । ଡାଳର ଆକ୍ରାନ୍ତ ସ୍ଥାନରେ ଫାଟ ଓ କଣା ହେବାରୁ ଡାଳ ସେହି ସ୍ଥାନରୁ ମରିଯାଏ । ଫଳ ମଧ୍ୟ ସବୁ ଯାଦୁରା ହୋଇ ବିକୃତ ହୋଇଯାଏ ଓ ବିକ୍ରୟ ପାଇଁ ଅଯୋଗ୍ୟ ବିବେଚିତ ହୁଏ । ଅତ୍ୟଧିକ ଆଦ୍ର ଜଳବାଯୁ ତଥା ବର୍ଷାଦିନେ ଏହି ରୋଗ ବେଶି ବ୍ୟାପେ । ସାଧାରଣତଃ ଜୁଲାଇ ଠାରୁ ସେପ୍ଟେମ୍ବର ମାସ ମଧ୍ୟରେ ଏହା ବେଶି ଦେଖାଯାଏ । ଗାଗେଜି ଲେମ୍ବୁରେ ଏ ରୋଗ ବେଶି ହୁଏ । ମାତ୍ର କମଳାରେ ଏ ରୋଗ ହୁଏନି । କାରଣ କମଳାର ପ୍ରତିରୋଧ ଶକ୍ତି ଅଛି ।

ପ୍ରତିକାର

  • ଆକ୍ରାନ୍ତ ଅଂଶକୁ କାଟି ନଷ୍ଟ କରି ଦିଅନ୍ତୁ ।
  • ବଗିଚାରେ ହେକ୍ଟର ପିଛା ୨୦ କେଜି ନିମ ପିଡିଆ ପ୍ରୟୋଗ କରନ୍ତୁ ।
  • ଗଛରେ ଷ୍ଟ୍ରେପଟୋମାଇସିନ ସଲଫେଟ ସ୍ପ୍ରେ କରନ୍ତୁ । ବଜାରରେ ପ୍ଲାଣ୍ଟୋମାଇସିନ ବା ଆଗ୍ରୋମାଇସିନ ନାମକ ଔଷଧ ମିଳୁଛି, ତାକୁ ଗଛରେ ମାସକ ଅନ୍ତରରେ ସ୍ପ୍ରେ କରନ୍ତୁ ।
  • କପର ଅକସାଇଡ କିମ୍ବା ବୋର୍ଡୋମିକଶ୍ଚର ସ୍ପ୍ରେ କରନ୍ତୁ । ଫଳ ତିନି ମାସ ହେବା ପର୍ଯ୍ୟନ୍ତ ୧୫/୨୦ ଦିନ ଅନ୍ତରରେ ସ୍ପ୍ରେ କଲେ ଯାଦୁରା ରୋଗ ହୁଏନି ।

ଅମଳ

ସାଧାରଣତଃ ଲେମ୍ବୁଗଛ ଲଗାଇବାର ୩/୪ ବର୍ଷ ପରେ ଫଳ ଆସିଥାଏ । କଲମୀ ଗଛରେ ଶୀଘ୍ର ଆସେ । ଫୁଲ ଫୁଟିବାର ୬ମାସ ପରେ ଲେମ୍ବୁ ତୋଳା ହୁଏ । ବର୍ଷସାରା ଲେମ୍ବୁ ମିଳୁଥିଲେ ମଧ୍ୟ ମୁଖ୍ୟତଃ ତୁଲାଇରୁ ସେପ୍ଟେମ୍ବର ଓ ମାର୍ଚ୍ଚରୁ ଜୁନ ଭିତରେ ବେଶି ଫଳ ମିଳେ । ଯଦି ଭଲ ଭାବରେ ଖତସାର ଓ ଜଳସେଚନ କରାଯାଏ ତେବେ ଗୋଟିଏ ଲେମ୍ବୁ ଗଛରୁ ବର୍ଷକୁ ୩୦୦୦ ରୁ ୪୦୦୦ ପର୍ଯ୍ୟନ୍ତ ଲେମ୍ବୁ ମିଳେ । ଗଛ ପ୍ରାୟ ୩୦ବର୍ଷ ପର୍ଯ୍ୟନ୍ତ ଭଲ ଫଳ ଦିଏ । ହାରାହାରି ଆୟ ହେକ୍ଟର ପିଛା ୩୦,୦୦୦ ଟଙ୍କା

ଆଧାର - Dr. Surjya Narayan Behera

1.75
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top