ସେଆର କରନ୍ତୁ

ସପୁରୀ ଚାଷ

ସପୁରୀ ଚାଷ ର ପ୍ରଣାଳୀ ଓ ଲାଭ

ଉପକ୍ରମ

ଆମ ରାଜ୍ୟରେ ହେଉଥିବା ଫଳଚାଷ ମଧ୍ୟରେ ସପୁରୀ ଚାଷ ଏବେ ବହୁଳ ଭାବରେ କଲେଣି । ଏହାର ସ୍ଵାଦ ଓ ବାସନା ଅତି ଆକର୍ଷଣୀୟ । ସଦ୍ୟ ଫଳ ଅପେକ୍ଷା ଟିଣ ସାଇତା ଫଳ ଓ ଫଳ ରସର ଯଥେଷ୍ଟ ଆଦର,କାରଣ ବେଳେ ବେଳେ ତଟକା ଫଳ ଉପଯୁକ୍ତ ପାଚିଲା ଅବସ୍ଥାକୁ ଆସିବା ପୂର୍ବରୁ ଅମଳ କରାଯାଉଥିବାରୁ ଏହାର ସ୍ଵାଦ ଓ ଗୁଣର ପୂର୍ଣ୍ଣ ବିକାଶ ଘଟି ନଥାଏ । କିନ୍ତୁ ଟିଣ ସାଇତା ଫଳ ପାଇଁ ପୂରାପୂରି ପାଚିଲା ସପୁରୀ ବ୍ୟବହାର କରାଯାଏ । ଆମ ରାଜ୍ୟରେ ଫଳ ସଂରକ୍ଷଣ ସଂସ୍ଥା ବଢିଗଲା ପରେ,ସପୁରୀ ଚାଷର ଚାହିଦା ବଢିଯାଇଛି । ଆମ ରାଜ୍ୟରେ ସପୁରୀ ଚାଷ ବୃଦ୍ଧି ପାଉଥିଲେ ମଧ୍ୟ ବ୍ୟବସାୟିକ ଦୃଷ୍ଟି କୋଣରୁ ଏହାର ପ୍ରସାର ଅତ୍ୟନ୍ତ ପ୍ରୟୋଜନ ।

ସପୁରୀରେ ଜୀବସାର ‘କ’, ‘ଖ’ ଓ ‘ଗ’ ପର୍ଯ୍ୟାପ୍ତ ପରିମାଣରେ ଥାଏ । ଏହି ଫଳରେ କ୍ୟାଲସିୟମ,ମ୍ୟାଗ୍ନେସିୟମ ଓ ଲୌହ ମଧ୍ୟ ସନ୍ତୋଷ ଜନକ ଭାବରେ ଅଛି ।

ଜଳବାୟୁ

ଅତି ଗରମ ଓ ଅତି ଥଣ୍ଡା ଜଳବାୟୁରେ ସପୁରୀ ଭଲ ହୁଏ ନାହିଁ । ବିଶେଷତଃ ଆର୍ଦ୍ର ଗ୍ରୀଷ୍ମ ମଣ୍ଡଳୀୟ ଅଞ୍ଚଳରେ ମଧ୍ୟ ଏହାର ଚାଷ କରାଯାଏ । ୨୨ଡିଗ୍ରୀ ସେଣ୍ଟିଗ୍ରେଡରୁ ୩୨ଡିଗ୍ରୀ ସେଣ୍ଟିଗ୍ରେଡ ତାପମାତ୍ରା ସପୁରୀ ଚାଷ ପାଇଁ ଅନୁକୂଳ । ସମୁଦ୍ର ପତନ ଠାରୁ ୧୦୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ଏହାର ଚାଷ କରାଯାଇ ପାରେ । କିନ୍ତୁ ଏହା ବରଫପାତ,କୁହୁଡି ଓ କାରକାପାତ ସହି ପାରେନି । ବାର୍ଷିକ ବୃଷ୍ଟିପାତ ୧୦୦ ରୁ ୧୫୦ ସେମି ହେଉଥିବା ସ୍ଥାନ ମାନଙ୍କରେ ଏହା ଭଲ ହୁଏ । ପ୍ରଖର ଓ ସଳଖ ସୂର୍ଯ୍ୟ କିରଣ ଏହି ଚାଷ ପାଇଁ ଅନୁକୂଳ ନୁହେଁ, ସେହିପରି ଖୁବ ଛାୟାଯୁକ୍ତ ସ୍ଥାନରେ ମଧ୍ୟ ଭଲ ହୁଏନି । ସପୁରୀ ଚାଷ ସାମାନ୍ୟରୁ ମଧ୍ୟମ ଧରଣର ଛାଇ ସ୍ଥାନରେ ଭଲ ହୁଏ ।

ମୃତ୍ତିକା

ଦୋରସା, ନାଲିଦୋରସା ମାଟି ଓ ବାଲିଆସିଆ ମାଟିରେ ସପୁରୀ ଭଲ ହୁଏ । ସପୁରୀ ମୂଳରେ ପାଣି ଜମି ରହିଲେ ଗଛ ଭଲ ବଢେ ନାହିଁ । କାଦୁଆ,ସନ୍ତସନ୍ତିଆ ଓ ପଥୁରିଆ ଜାଗା ସପୁରୀ ପାଇଁ ଅନୁପଯୁକ୍ତ । ଅନ୍ତତଃ ପକ୍ଷେ ମାଟିର ଗଭୀରତା ୨ଫୁଟ ହୋଇଥିବା ଦରକାର । ଅତି ଚିକିଟା ମଟାଳ ମାଟିକୁ ଛାଡି ଦେଲେ ଅନ୍ୟ ସବୁ ମାଟିରେ ଊଣା ଅଧିକେ ଏହାର ଚାଷ କରାଯାଇ ପାରିବ । ଏହି ଚାଷ ପାଇଁ ମାଟି ସାମାନ୍ୟ ଅମ୍ଳଯୁକ୍ତ ହେଲେ ଭଲ । ସେଥିପାଇଁ ଯେଉଁ ମାଟିର ପି.ଏଚ – ୫.୫ ରୁ ୬ପର୍ଯ୍ୟନ୍ତ ଥାଏ ସେଥିରେ ଏ ଚାଷ ଖୁବ ଭଲ ହୁଏ ।

ସପୁରୀର କିସମ

ସାଧାରଣତଃ ଆମ ରାଜ୍ୟରେ ଚାଷ ହେଉଥିବା ସପୁରୀକୁ ୩ଶ୍ରେଣୀରେ ବିଭକ୍ତ କରାଯାଏ ଯଥା :- କେୟେନେ,କୁଇନ ଓ ସ୍ପାନିଶ । କେୟେନେ ଶ୍ରେଣୀରେ କିଉ ବା ଯାଏଣ୍ଟ କିଉ,କୁଇନ ଏବଂ ଲାଲ ଓ ହଳଦିଆ ମରିସସ ଭେରାଇଟିକୁ ସ୍ପାନିଶ ଶ୍ରେଣୀରେ ନିଆଯାଏ ।

ଜ୍ୟାଣ୍ଟଜିଉ :

ଆମ ରାଜ୍ୟର ଏହା ଏକ ପ୍ରଧାନ କିସମ । ଏହି କିସମର ପତ୍ରର ଧାରରେ କଣ୍ଟା ନଥାଏ ବରଂ ସାମାନ୍ୟ ଚିକଣ ହୋଇଥାଏ । ପତ୍ର ସାମାନ୍ୟ ପାଉଁଶିଆ ଦେଖାଯାଏ । ପତ୍ରର ମୂଳରେ ସାମାନ୍ୟ କଣ୍ଟା ଥାଏ ଏବଂ ପତ୍ରର ଅଗ୍ରଭାଗର ଠିକ ପଛକୁ ମଧ୍ୟ ଅଳ୍ପ କଣ୍ଟା ଥାଏ । ଏହାର ଫଳ ମଧ୍ୟମରୁ ବଡ,ହଳଦିଆ,ମୁକୁଟ ଆଡକୁ କ୍ରମଶଃ ଗୋଜିଆ ହୋଇଥାଏ । ଏହାର ଆଖି ସବୁ ପ୍ରଶସ୍ତ ଏବଂ ଫଳର ଉପରି ଭାଗ ଚୋପା ଅଞ୍ଚଳରେ ଅବସ୍ଥିତ ହୋଇ ଥିବାରୁ,ସହଜରେ ଏହାକୁ ଫଳ ଠାରୁ ଅଲଗା କରାଯାଇ ପାରେ । ତେଣୁ ଏ ଭେରାଇଟି ଟିଣ ସାଇତା ପାଇଁ ବେଶ ଉପଯୁକ୍ତ । ସବୁ ଭେରାଇଟ ମଧ୍ୟରେ ଏହାର ଫଳ ସାଇଜ ବଡ ଏବଂ ଅଧିକ ଓଜନ । ଅନ୍ୟ ମାନଙ୍କ ତୁଳନାରେ ଏହାର ଫଳ ଡେରିରେ ପାଚେ । ରଜ ସଂଙ୍କ୍ରାନ୍ତି ସୁଦ୍ଧା ଏ ସପୁରୀ ବଜାରରେ ସୁବିଧାରେ ମିଳେ । ଏହି ଭେରାଇଟି ଫଳର ହାରାହାରି ଓଜନ ୨ ରୁ ୩ କେଜି । ଏ ଭେରାଇଟିରେ ଖୁବ କମ ପୁଆ ବାହାରେ ।

କୁଇନ :

ଏ କିସମର ଗଛ,ଫଳ ଓ ଡାଳ ଜ୍ୟାଣ୍ଟଜିଉ ଅପେକ୍ଷା ଛୋଟ କିନ୍ତୁ ଏହାର ବାସନା ଓ ସ୍ଵାଦ ଅତି ଚମତ୍କାର ହୋଇଥିବାରୁ ଏହା ଖାଉଟିମାନଙ୍କ ମଧ୍ୟରେ ଅତି ଆଦରଣୀୟ ହୋଇଅଛି । ସାବିତ୍ରୀ ଅମାବାସ୍ୟା ସୁଦ୍ଧା ଏହା ଅମଳ ହେଉଥିବାରୁ ଏହାର ଉପାଦେୟତା ମଧ୍ୟ ଆହୁରି ବେଶି ବଢି ଯାଇଛି ।

ଏ ଫଳ ପାଚିବା ସମୟରେ ପୂରାପୂରି ହଳଦିଆ ଦିଶେ । ଫଳ ଗୋଲ ସ୍ତମ୍ଭାକାର ଓ ଏହାର ଆଖି ବେଶ ଗଭୀର ଓ ସ୍ପଷ୍ଟ । ତେଣୁ ଟିଣ ସାଇତା ପାଇଁ ଏହା ଉପଯୁକ୍ତ ନୁହେଁ । ଏହାର ଶସ ରସାଳ,ସୁମିଷ୍ଟ,ସୁବାସିତ ଓ ସର୍ବୋପରି ସ୍ଵାଦ ଦୃଷ୍ଟିରୁ ଏହା ଅଦ୍ଵିତୀୟ । କିନ୍ତୁ ଫଳର ସାଇଜ ଛୋଟ । ଏହାର ଓଜନ ହାରାହାରି ୯୦୦ଗ୍ରାମରୁ ୧୩୦୦ ଗ୍ରାମ ପର୍ଯ୍ୟନ୍ତ ହୋଇଥାଏ । ଏହାର ପତ୍ରର ରଙ୍ଗ ବିଶେଷ କରି ଅଗ୍ରଭାଗ ବାଦାମୀ ନାଲି ଓ ପତ୍ରର ଧାରରେ କଣ୍ଟା ଥାଏ ଓ କିସମ ଗଛରୁ ବହୁତ ପୁଆ ବାହାରେ ।

ମରିସିଅସ :

ଏ ଭେରାଇଟ ମଝିଲା କିସମର । ଏହା କୁଇନ ଠାରୁ ବିଳମ୍ବରେ ଓ ଜ୍ୟାଣ୍ଟଜିଉ ଠାରୁ ସହଳରେ ପାଚେ । ହଳଦିଆ ମରିସିଅସର ଫଳ ପାକଳ ହେବା ପର୍ଯ୍ୟନ୍ତ ସବୁଜ ରହିଥାଏ । ପାଚିଲେ ହଳଦିଆ ରଙ୍ଗ ହୋଇଥାଏ । ଫଳ ଦେଖିବାକୁ ଲମ୍ବାଳିଆ ଆୟତାକାର,କିନ୍ତୁ ମୁକୁଟ ଆଡକୁ କ୍ରମଶଃ ସାରୁ ହୋଇଥାଏ । ନାଲି ମରିସିଅସର ଫଳ ମୂଳ ଭାଗରେ ବେଶ ପ୍ରଶସ୍ତ ଓ ମୁକୁଟ ଦିଗକୁ ତୀକ୍ଷଣ ଭାବରେ ଗଡାଣିଆ ହୋଇଥାଏ । ଫଳ ପାଚିଗଲେ ଏହାର ଉପର ଚୋପାର ରଙ୍ଗ ଗାଢା ଲାଲ ଏବଂ ଶସର ରଙ୍ଗ ମଧ୍ୟ ଈଷତ ଲାଲ ହୋଇଥାଏ । ଏହି ଦୁଇ କିସମର ସପୁରୀରେ ପତ୍ରର ଧାରାରେ ଓ ମୁକୁଟରେ ବହୁତ କଣ୍ଟା ଥାଏ । ନାଲି ମରିସିଅସ ହଳଦିଆ ମରିସିଅସ ଠାରୁ ମିଠା ଓ ଏହାର ମୁକୁଟ ମଧ୍ୟ ଛୋଟ ।

ଏହା ଛଡା କେତେକ ଦେଶୀ ଜାତୀୟ ସପୁରୀ ମଧ୍ୟ ଚାଷ କରା ହେବାର ଦେଖାଯାଏ । ସେମାନଙ୍କ ମଧ୍ୟରେ ଆସାମର ଜଳଧୂପ,ଲଖାଟ ଓ ଆନ୍ଧ୍ରର ସୀମାଚଳ ଭେରାଇଟ ପ୍ରଧାନ ।

ବଂଶ ବିସ୍ତାର :

ସପୁରୀ ଚାଷ ପାଇଁ ପୁଆ ଲଗାଇବାକୁ ହୋଇଥାଏ । ସପୁରୀ ଫଳ ଉପରେ ଯେଉଁ ପତୁରିଆ ଅଂଶ ଥାଏ ତାକୁ ମୁକୁଟ ପୁଆ କହନ୍ତି । ସପୁରୀ ଗଛର ମୂଳ ଓ ପତ୍ର ସନ୍ଧିରୁ ଯେଉଁ ପୁଆ ବାହାରେ ତାକୁ ମୂଳ ଓ କନ୍ଦା ପୁଆ କହନ୍ତି । ସପୁରୀ ପଣସ ଫଳର ଠିକ ମୂଳରେ ଏବଂ ଫଳ ଶେଷରେ ଛୋଟ ଛୋଟ ପୁଆ ବାହାରେ ତାକୁ ଡାଳିପୁଆ କହନ୍ତି । ସପୁରୀର ବଂଶ ବିସ୍ତାର ପାଇଁ ୩ପ୍ରକାରର ପୁଆ ବ୍ୟବହାର କରାଯାଏ । ଯଥା- ମୂଳ ପୁଆ ଓ କନ୍ଦାପୁଆ,ଡାଳିପୁଆ ଓ ମୁକୁଟ ପୁଆ । ତେବେ ଏମାନଙ୍କ ଭିତରେ ମୂଳ ଓ କନ୍ଦାପୁଆ ସର୍ବୋତ୍କୃଷ୍ଟ । ଏହା ଲଗାଇବାର ଖୁବ ଅଳ୍ପ ସମୟ ମଧ୍ୟରେ ମାନେ ୧୫ ରୁ ୧୮ ମାସ ଭିତରେ ଫଳେ ଓ ଫଳ ସାଇଜ ମଧ୍ୟ ବଡ ହୁଏ । ଡାଳିଆପୁଆ ୧୮ ରୁ ୨୨ ମାସ ମଧ୍ୟରେ ଫଳେ । କିଉ ଭେରାଇଟରେ ଅଳ୍ପ ସଂଖ୍ୟକ ମୂଳ ଓ କନ୍ଦା ପୁଆ ହେଉଥିବାରୁ ଡାଳିପୁଆ ଦ୍ଵାରା ସାଧାରଣତଃ ବଂଶ ବିସ୍ତାର କରାଯାଏ । ଏହା ମୂଳ ଓ କନ୍ଦାପୁଆ ଠାରୁ ନିକୃଷ୍ଟ ଧରଣର । ସାଧାରଣତଃ ମୁକୁଟ ପୁଆ ଦ୍ଵାରା ବଂଶ ବିସ୍ତାର କରାଯାଏ ନାହିଁ । ତେବେ ପୁଆ ଣ ମିଳିଲା ଯାଗାରେ ନର୍ସରୀରେ ଏ ପୁଆକୁ କେତେ ଦିନ ରଖି ଜମିରେ ଲଗାଯାଏ । ଏଥିରୁ ଫଳ ଆସିବାକୁ ୨୪ ମାସ ଲାଗେ ।

ଜମି ପ୍ରସ୍ତୁତି ଓ ପୁଆ ଲଗା

ଜମିକୁ ୨/୩ ଓଡ ଚାଷ କରି ଭଲ ଭାବରେ ଖରା ଖୁଆଇ ଦେବ । ହେକ୍ଟର ପିଛା ୧୦ଟନ ହିସାବରେ ଗୋବରଖତ ମାଟିରେ ମିଶାଇ ଜମିକୁ ଚୌରଷ କରିବେ । ବର୍ଷାଦିନ ଆରମ୍ଭରେ ପୁଆ ଲଗାଯାଏ । ଅଧିକ ବର୍ଷା ହେଉଥିବା ଅଞ୍ଚଳରେ ବର୍ଷାରୁତୁ ଶେଷରେ ଅର୍ଥାତ ସେପ୍ଟେମ୍ବର ମାସର ଶେଷ ବେଳକୁ ପୁଆ ଲଗାଯାଏ । ଲଗାଇବା ପୂର୍ବରୁ ପୁଆକୁ କିଛି ଦିନ ସାଇତି ରଖି ତା’ପରେ ଲଗାଇଲେ ଚେର ସାଙ୍ଗେ ସାଙ୍ଗେ ଧରିଥାଏ । ଜୁଲାଇ ଅଗଷ୍ଟ ମାସରେ ଫଳ ଅମଳ ପରେ ଗଛରୁ ପୁଆ ସଂଗ୍ରହ କରି ଜମିରେ ଲଗାଇଲେ ଜମିରେ ବତର ଥିବା ଯୋଗୁ ପୁଆ ଗୁଡିକ ପଚି ନଷ୍ଟ ହୋଇଯିବାରୁ ଆଶଙ୍କା ଥାଏ । ତେଣୁ ଏହାକୁ କିଛି ଦିନ ରଖି ସାମାନ୍ୟ ଶୁଖିଗଲା ପରେ ଲଗାଇଲେ ଚେର ଶୀଘ୍ର ଧରେ । ପୁଆର ମୂଳପଟୁ କେତୋଟି ପତ୍ର ବାହାର କରି ଦେଲେ ଭଲ । ଫଳରେ ମୂଳରୁ ସୁବିଧାରେ ଚେର ବାହାରି ପଡେ । ଆଉ ମଧ୍ୟ ମୂଳ ପତ୍ର କାଢିଦେଲା ପରେ ,ଯଦି ଚୂର୍ଣ୍ଣପୃଷ୍ଠ ପୋକମାନେ ଥାନ୍ତି ତାହା ହେଲେ ମରିଯାନ୍ତି । ପୁଆକୁ ଲଗାଇବା ସମୟରେ ଏହାର ମୂଳକୁ ୪:୪:୫୦ ବୋର୍ଡୋ ମିକଶ୍ଚର ଦ୍ରବଣ କିମ୍ବା ୦.୪% ଡାଇଫୋଲାଟନ ଏବଂ ୦.୦୫% ଏକାଟକସ ଦ୍ରବଣରେ ବୁଡାଇ ଲଗାଇବା ଉଚିତ । ଏହା ଦ୍ଵାରା ସପୁରୀ ଗଛକୁ ମୂଳସଢା ରୋଗ ଓ ଚୂର୍ଣ୍ଣପୃଷ୍ଠ ପୋକ ଦାଉରୁ ରକ୍ଷା କରି ପାରିବେ ।

ପୁଆ ଲଗାଇବା ପୂର୍ବରୁ ଟ୍ରେଞ୍ଜ ବା ନାଳୀ କରି ପୁଆକୁ ସିଧା ଭାବରେ ରଖି ମୂଳକୁ ୮-୧୦ ସେମି ଗଭୀରରେ ପୋତାଯାଏ ଓ ଚାରିପାଖର ମାଟିକୁ ଦବାଇ ଦିଆଯାଏ । ଫଳରେ ପୁଆ ଟାଣ ଓ ଶକ୍ତ ହୋଇ ଭଲ ଭାବରେ ବଢି ପାରେ । ଧାଡି ମଧ୍ୟରେ ଅଳ୍ପ ବ୍ୟବଧାନ ରହିବା ଦରକାର କାରଣ ଦୂରତା ବେଶି ରହିଲେ ପୁଆ ସହଜରେ ଉପୁଡି ପଡିବାର ସମ୍ଭାବନା ଥାଏ । ଲଗାଇବା ବେଳେ ଦୃଷ୍ଟି ଦେବା ଉଚିତ୍ ଯେପରି ପୁଆର ମଞ୍ଜି ମାଟି ଭିତରେ ନ ରୁହେ । ତେଣୁ ଉଚ୍ଚ ପୁଆ ଲଗାଇବା ଭଲ । ଆଉ ଦେଖିବେ ପୁଆର କନ୍ଦରେ ଯେପରି ମାଟି ପଶି ନଯାଏ ।

ପୁଆ ଲଗାଇବା ପ୍ରଣାଳୀ

ସପୁରୀ ଚାଷରେ ଭିନ୍ନ ଭିନ୍ନ ପ୍ରଣାଳୀରେ ପୁଆ ଲଗାଯାଇଥାଏ ଯଥା :- ହୁଡା ଓ ନାଳୀ ପ୍ରଣାଳୀ,ସମତଳ ପଟି ପ୍ରଣାଳୀ ଓ ଏକ,ଦୁଇ ଓ ତିନି ଧାଡି ପ୍ରଣାଳୀ । ଧାଡି ପ୍ରଣାଳୀରେ ଧାଡି ମଧ୍ୟରେ ଦୂରତା ୧୨୦ ରୁ ୧୫୦ ସେମି ଓ ଧାଡିରେ ଥିବା ଗଛ ମଧ୍ୟରେ ଦୂରତା ୯୦ ରୁ ୧୦୦ ସେମି ରହିବା ଉଚିତ । ସମତଳ ପଟିରେ ନ ଲଗାଇ ନାଳୀରେ ଲଗାଇଲେ ଗଛ ଲାଗି ଲାଗି ବଢେ ଓ ଭଲ ଫଳ ଦେଇଥାଏ । ନାଳୀର ଗଭୀର ୩୦ ସେମି ରୁ ଅଧିକ ହେବା ଉଚିତ ନୁହେଁ । ନାଳୀର ଦୁଇ ପାଖରେ ୩୦ସେମି ବ୍ୟବଧାନ ରଖି ତ୍ରିଭୁଜାକାରରେ ପୁଆ ସବୁ ଲଗାଯାଏ । ଏ ପ୍ରଣାଳୀରେ ପୁଆ ଟାଣ ହୋଇ ବଢେ ଓ ଫସଲକୁ ୪/୫ ବର୍ଷ ପର୍ଯ୍ୟନ୍ତ ରଖାଯାଇ ପାରେ । ନାଳୀ ପ୍ରଣାଳୀରେ ଲଗାଇଲେ ଜଳସେଚନ ସୁବିଧାରେ କରାଯାଇ ପାରେ ।

ଏକ ଦୁଇ ଓ ତିନି ଧାଡି ଲଗାଇବା ପ୍ରଣାଳୀ ମଧ୍ୟରୁ ଦୁଇ ଧାଡି ପ୍ରଣାଳୀରେ ଗଛ ଲଗାଇବା ସବୁଠାରୁ ଭଲ । ଦୁଇ ଧାଡି ପ୍ରଣାଳୀରେ ଧାଡି ଭିତରେ ଗଛର ବ୍ୟବଧାନ ୩୦ସେମି ରଖି ଲଗାଲଗି ଦୁଇ ଧାଡିର ବ୍ୟବଧାନ ୬୦ସେମି ଓ ଦୁଇ ଧାଡି ମଧ୍ୟରେ ୧୦୦ ରୁ ୧୨୦ ସେମି ବ୍ୟବଧାନ ଦେଇ ଗଛ ଲଗାଇବେ । ଏ ପ୍ରଣାଳୀରେ ଗଛ ଲଗାଇଲେ ହେକ୍ଟର ପିଛା ପ୍ରାୟ ୬୦ ରୁ ୬୫ ହଜାର ପୁଆ ଲାଗେ ଓ ଅମଳ ସାଧାରଣ ଚାଷ ଅପେକ୍ଷା ୪ ଗୁଣା ଅଧିକା ମିଳେ ।

ଖତ ସାର ପ୍ରୟୋଗ

ସପୁରୀ ମାଟି ଯଥେଷ୍ଟ ପରିମାଣରେ ଯବକ୍ଷାରଜାନ ଓ ପଟାସ ସାର ଗ୍ରହଣ କରିଥାଏ । ପରୀକ୍ଷା କରି ଦେଖାଯାଇଛି ଯେ ହେକ୍ଟର ଜମିରୁ ୪୦ ଟନ ସପୁରୀ ଅମଳ ହେଲେ ଜମିରୁ ୧୨୩ କେଜି ଯବକ୍ଷାରଜାନ ସାର,୩୩କେଜି ଫସଫରସ ସାର ଓ ୩୦୮ କେଜି ପଟାସ ସାର ସାରିଥାଏ । ତେଣୁ ସପୁରୀ ଚାଷରେ ଅଧିକ ପରିମାଣରେ ଯବକ୍ଷାରଜାନ ସାର ଓ ପଟାସ ସାର ଦେବା କଥା । ଯଦି ହେକ୍ଟର ପିଛା ବେଶି ଗଛ ଲଗାଉଥାନ୍ତି ତେବେ ବେଶି ସାର ଦେବା କଥା । ସାଧାରଣତଃ ଗୋଟିଏ ଗଛକୁ ମାଟି ଅନୁଯାୟୀ ୮/୧୦ ଗ୍ରାମ ଯବକ୍ଷାରଜାନ, ୩/୪ ଗ୍ରାମ ଫସଫରସ ଓ ୧୦/୧୨ ଗ୍ରାମ ପଟାସ ସାର ଦେବା ଉଚିତ୍ । ଯବକ୍ଷାରଜାନ ଓ ପଟାସ ସାରକୁ ଦୁଇ ଭାଗ କରି ଗଛ ଲଗାଇବାର ଦୁଇ ମାସ ଓ ୬ମାସ ପରେ ଦେଲେ ଭଲ । ସପୁରୀ ପଣସରେ ଯବକ୍ଷାରଜାନ ପାଇଁ ଆମୋନିୟମ ସଲଫେଟ ସାର ଦେଲେ ଭଲ କାମ ଦିଏ । ଦୁଇ ଧାଡି ପ୍ରଣାଳୀରେ ଗଛ ଲଗାଇଲେ ହାରାହାରି ହେକ୍ଟର ପିଛା ୩୦ କୁଇଣ୍ଟାଲ ଆମୋନିୟମ ସଲଫେଟ, ୧୦ କୁଇଣ୍ଟାଲ ମ୍ୟୁରିଏଟ ଅଫ ପଟାସ ସାର ଓ ୧୨ କୁଇଣ୍ଟାଲ ସିଙ୍ଗଲ ସୁପର ଫସଫେଟ ସାର ଲାଗେ ।

ରେଟୁନ ଚାଷରେ ମଧ୍ୟ ବର୍ଷକୁ ଉପରୋକ୍ତ ସାରକୁ ଦୁଇ ଥରରେ ବର୍ଷା ଆରମ୍ଭରେ ଓ ବର୍ଷା ପରେ ଦେବା କଥା । ସପୁରୀର ଚେର ବହୁତ ଦୁର୍ବଳ ଓ ୫/୧୦ ସେମି ଭିତରେ ଥାଏ । ତେଣୁ ଯବକ୍ଷାର ସାରକୁ ଥର ଥର କରି ଦେଲେ ଭଲ କାମ ଦିଏ । ସେଥି ପାଇଁ ଶତକଡା ୫ଭାଗ ୟୁରିୟା ଦ୍ରବଣ ପତ୍ରରେ ଛିଞ୍ଚିଲେ ବହୁତ ଉପକାର ମିଳେ ।

ଜଳ ସେଚନ

ସପୁରୀର ଚେର ବେଶୀ ଦୂରକୁ ମାଡି ପାରେ ନାହିଁ । ତେଣୁ ଜଳ ଅଭାବ ଓ ଅନାବନା ଘାସଗଛ ଫସଲର କ୍ଷତି କରେ । ସପୁରୀ ଗଛ ଏକକାଳୀନ ଅଧିକ ପରିମାଣରେ ଜଳ ଦରକାର କରି ନଥାଏ । ବରଂ ଅଳ୍ପ ଦିନ ଅନ୍ତରରେ କ୍ରମାଗତ ଭାବରେ ଅଳ୍ପ ଅଳ୍ପ ପାଣି ଦିଆ ଗଲେ ସପୁରୀ ଗଛ ଭଲ ଫଳ ଦିଏ । ସାଧାରଣତଃ ଖରା ଦିନେ ଜଳ ସେଚନର ଗୁରୁତ୍ଵ ଦେବା କଥା । ସ୍ପ୍ରିଙ୍କଲର ମାଧ୍ୟମରେ ସପୁରୀରେ ଜଳସେଚନ ସର୍ବୋତ୍କୃଷ୍ଟ ।

କୋଡାଖୁସା ଓ ଘାସବଛା

ସପୁରୀ ବଗିଚାରେ ଅନାବନା ଘାସକୁ ଆୟତ କରିବା ବଡ କଷ୍ଟ । ଲୋକ ଲଗାଇ ଘାସ ବାଛିବାରେ ମଧ୍ୟ ବହୁତ ଖର୍ଚ୍ଚ ହୁଏ । ଖର୍ଚ୍ଚ ହେଲେ ମଧ୍ୟ କୋଡା ଖୁସା କରି ଘାସ ବାଛିବା କଥା । ସାର ଦେଇ ସାରିଲା ପରେ ଗଛ ମୂଳକୁ ମାଟି ଦେବେ ଓ ଫଳ ତୋଳି ସାରିଲା ପରେ ମଧ୍ୟ ଦେବେ । ଘାସ ମାରିବା ପାଇଁ ଘାସ ମରା ଔଷଧ ମଧ୍ୟ ବ୍ୟବହାର କରାଯାଇ ପାରେ । ସମସ୍ତ ଦ୍ଵୀବିକ ପତ୍ରୀ ଅନାବନା ଘାସକୁ ହେକ୍ଟର ପ୍ରତି ୩କେଜି ବ୍ରୋମାସିଲ ନାମକ ଏକ ଘାସ ଔଷଧ ଦ୍ଵାରା ଆୟତ କରାଯାଇ ପାରେ । ଦୁବ ଇତ୍ୟାଦି ଏକବୀଜ ପତ୍ରୀ ଘାସ ବଗିଚାରେ ଦେଖା ଗଲେ ହେକ୍ଟର ପ୍ରତି ୨କେଜି ବ୍ରୋମାସିଲ ସହ ଏକ କେଜି ଡାଇୟୁରନ ମିଶାଇ ପ୍ରୟୋଗ କଲେ ଉଭୟ ଶ୍ରେଣୀର ଘାସକୁ ଦମନ କରାଯାଇ ପାରିବ ।

ଫୁଲ ଓ ଫଳ ଧାରଣା

ସପୁରୀ ଚାଷରେ ଫୁଲ ଓ ଫଳ ଧାରଣରେ ବହୁତ ଅନିୟମିତତା ଦେଖାଯାଏ । ଠିକ ଭାବରେ ଫୁଲ ଆସିବା ପାଇଁ ଆଜିକାଲି ବଜାରରେ ବହୁତ ପ୍ରକାରର ଔଷଧ ମିଳିଲାଣି । ଇଥ୍ରେଲ ବା ଇଥେଫେନ ହରମୋନ ଶତକଡା ୦.୦୧ ଦ୍ରବଣରେ ଗଛରେ ୪୦ ପତ୍ର ହେଲା ପରେ ବ୍ୟବହାର କଲେ ଫୁଲ ସବୁ ୨ ମାସରେ ଆସିଯାଏ । ବଜାରରେ ପ୍ଲାନୋଫିକସ ନାମରେ ହରମୋହନ ମିଳୁଛି । ୧୦ ଲିଟର ପାଣିରେ ୫ସିସି ପ୍ଲାନୋଫିକସ ମିଶାଇ ପ୍ରତି ଗଛର କନ୍ଦାରେ ଡିସେମ୍ବର ଓ ଜାନୁୟାରୀ ମାସରେ ୫ସିସି କରି ଦେଲେ ୨ମାସ ପରେ ଏକାବେଳେକେ ଫୁଲ ଆସିଥାଏ । ଫଳ ପାଚିବାକୁ ମଧ୍ୟ ହରମୋହନ ପକାଇ ନିୟନ୍ତ୍ରିତ କରାଯାଏ । ଏଥିପାଇଁ ନାପଥାଲିନ ଏସିଟିକ ଏସିଡ ଫୁଲ ହେବାର ୩ମାସ ପରେ ପ୍ରୟୋଗ କଲେ ଫଳ ପାଚିବାକୁ ୩/୪ ସପ୍ତାହ ଡେରି ହୋଇଯାଏ । ଫଳ ଗଛରେ ଅଧିକ ଦିନ ରହି ବଡ ହୁଏ ।

ରୋଗ ପୋକ ଓ ତାର ପ୍ରତିକାର

  1. ମୂଳ ପଚା ରୋଗ
  2. ପତ୍ର ଉପରେ ଧୂସର ରଙ୍ଗର ଦାଗ ଓ ପତ୍ର କର କଳା ଦେଖାଯାଏ । ପରେ ଏହି ଦାଗ ବାଦାମି ରଙ୍ଗ ବା ଧଳା ଦେଖାଯାଏ  ।  ସେହି ସ୍ଥାନ ଶୁଖିଯାଏ  ।  ପତ୍ର ଲୋଚା କୋଚା ହୁଏ   । ଫଳ ଉପରେ ଆକ୍ରାନ୍ତ ସ୍ଥାନ ହଳଦିଆ ହୋଇ ପରେ କଳା ପଡିଯାଏ   ।

    ପ୍ରତିକାର :

    1. ରୋଗ ଲାଗି ନଥିବା ଜମିରୁ ପୁଆ ସଂଗ୍ରହ କରନ୍ତୁ   ।
    2. ତଳିପଟିକୁ ବ୍ରାସିକଲ ବା ଭାପସ ଔଷଧରେ ବିଶୋଧିତ କରି ପୁଆକୁ ବେର୍ଡୋ ମିଶ୍ରଣ ରେ ବୁଡାଇ ଲଗାନ୍ତୁ   ।
  3. ମଞ୍ଜପଚା ରୋଗ
  4. ଏହି ରୋଗ ର ପ୍ରାଥମିକ ଅବସ୍ଥାରେ ଗଛର ପତ୍ର ପତଳା ହୋଇଯାଏ ଏବଂ ମଝି ପତ୍ର ମୋଚି ହୋଇଯାଏ ଓ ତାର ପରେ ଏହି ପତ୍ର ଶୁଖିଯାଏ ହଳଦିଆ ଓ ବାଦାମି ରଙ୍ଗ ହୁଏ ଓ ସହଜରେ ଟାଣି ଦେଲେ ଏହା ବାହାରି ଆସେ । ଗଛର ମୂଳ ଧୂସର ଓ ହଳଦିଆ ରଙ୍ଗ ଦେଖାଯାଏ   । ଏହା phytophthora parasitice  ନାମରେ ଫଙ୍ଗସ ଦ୍ଵାରା ହୋଇଥାଏ   । ଭଲ ରୂପେ ନିଷ୍କାସନ ହୋଇ ପାରୁ ନଥିବା ଯମନୀରେ ଏହା ବେସୀ ଦେଖାଯାଏ  ।

    ପ୍ରତିକାର :

    ଲଗାଇବା ପୂର୍ବରୁ ପୁଆକୁ ବୋର୍ଡମିଶ୍ରଣ (1:1:30) ରେ ବା ଡାଇଫୋଲତାନ 0.4 % ଦ୍ରବଣରେ ବୁଡାଇ ଲଗାଯାଏ ସାଧାରଣତଃ ଏ ରୋଗ ହୁଏନି  ।

  5. ଆନାଥ୍ରୋକନୋଜ ରୋଗ
  6. ପତ୍ର ଅଗ ଓ ଧାରରେ ବିଭିନ୍ନ ଆକାରର ଦାଗ ଓ କଳା ଚିହ୍ନମାନ ଦେଖାଯାଏ । ପରେ ପରେ ପତ୍ର ମଉଳି ପଡେ ଓ ନଇଁ ପଡେ । ଗଛର ମଞ୍ଜ ଆକ୍ରାନ୍ତ ହୁଏ ଓ ଫଳ ବଢି ପାରିନି  । ଅଧିକ ଆର୍ଦ୍ରତା ଅଞ୍ଚଳ ଏ ରୋଗ ଅଧିକ ହୁଏ   । କଅଁଳିଆ ପତ୍ରରେ ଏ ରୋଗ ଧରିବାକୁ ପ୍ରାୟ 15 ଦିନ ସମୟ ଲାଗେ   ।

    ପ୍ରତିକାର :

    ବାଭିଷ୍ଟିନ ବା ଜେଜେଷ୍ଟିନ ବା ଟପସିନ-ଏମ ୧୫ ଦିନ ବ୍ୟବଧାନରେ ପ୍ରୟୋଗ କରନ୍ତୁ ।

  7. ସପୁରୀର ଭାଇରସ ଜନିତ ଝାଉଁଳା ରୋଗ
  8. ଏହି ରୋଗ ଆକ୍ରମଣ କଲେ ପତ୍ର ବ୍ରୋଞ୍ଚ ରଙ୍ଗ ଓ ଗୋଲାପି ରଙ୍ଗ ହୋଇ ତଳକୁ ମୋଡି ମୋଡି ହୋଇଯାଏ । ଏହି ରୋଗ ଦହିଆ ପୋକ ଦ୍ଵାରା ବ୍ୟାପିଥାଏ ।

    ପ୍ରତିକାର :

    • ସଂକ୍ରମିତ ପୁଆ ବ୍ୟବହାର କରନ୍ତୁ ନାହିଁ । ସୁସ୍ଥ,ନିରୋଗ ପୁଆ ଲଗାନ୍ତୁ ।
    • ଦହିଆ ପୋକକୁ ନିୟନ୍ତ୍ରଣ କରିବା ପାଇଁ ମାଟିରେ ଥିମେଟ-୧୦ କିଗ୍ରା ପ୍ରୟୋଗ କରନ୍ତୁ ।
    • ଅଧିକ ପରିମାଣରେ ଯବକ୍ଷାରଜାନ ସାର,ଫସଫରସ ସାର ଓ ପଟାସ ସାର ଦେଲେ ଏ ରୋଗ କମିଯାଏ ।
    • ପୁଆକୁ ମିଥାଇଲ ପାରାଥିଅନ (୦.୧%) ବା ଫେନଥୋଏଟ (୦.୫%) ଦ୍ରବଣରେ ବିଶୋଧନ କରନ୍ତୁ । ଏହାଦ୍ୱାରା ଦହିଆ ପୋକ ଦମନ ହୁଏ ।

ଫଳ ଅମଳ

ପୁଆର କିସମ ନେଇ ସପୁରୀ ଗଛ ଲଗାଇବାର ୧୮ ରୁ ୨୪ ମାସ ମଧ୍ୟରେ ଫୁଲ ଫଳ ଆସେ ଓ ଫଳ ୩/୪ ମାସ ମଧ୍ୟରେ ପାକଳ ହୁଏ । ସପୁରୀ କଞ୍ଚା ଅବସ୍ଥାରେ ଗାଢ ଶାଗୁଆ ରଙ୍ଗ ଥାଏ । କିନ୍ତୁ ପାକଳ ହୋଇଗଲେ ରଙ୍ଗ ଫିକା ଦେଖାଯାଏ । ସପୁରୀ ଆଖିର ରଙ୍ଗ ଦେଖି ଓ ତା’ଉପରେ ଥିବା ପତ୍ରର ଅବସ୍ଥା ଦେଖି ଫଳ ପାକଳ ହେଲାଣି ବୋଲି ଜାଣିବାକୁ ପଡିବ । ରଙ୍ଗ ବଦଳିବା ପରେ ଫଳ ତୋଳିବା ଉଚିତ ।

ଫଳ ତୋଳି ସାରିବା ପରେ ଗଛରେ ଗୋଟିଏ କରି ପୁଆ ରଖି ଅନ୍ୟ ଗୁଡିକ ଭାଙ୍ଗି ଦେବା ଦରକାର । ଉପରୁ ଫଳ ଡେମ୍ଫକୁ କାଟି ଦେବେ ଓ ତଳିଆ ଶୁଖିଲା ଶଢାପତ୍ର ସଫା କରିଦେବେ । ସପୁରୀ ବଗିଚାରୁ ୪/୫ ଟି ଫସଲ ଅମଳ ପରେ ସପୁରୀ ବଗିଚା ବଦଳାଇ ଦେବା ଉଚିତ୍ ।

ସପୁରୀ ଫସଲରେ ଲାଭ

ଏକ ହେକ୍ଟର ଜମିରେ ପ୍ରାୟ ୩୫ହଜାର ଓ ଦୁଇ ଧାଡି ପ୍ରଣାଳୀରେ ୬୦ ରୁ ୬୫ ହଜାର ପୁଆ ଲାଗେ । ୨ୟ ବର୍ଷରେ ୩୫ ହଜାର ପୁଆ ଲାଗିଥିବା ଜାଗାରୁ ପ୍ରାୟ ୧୫ହଜାର ଗଛରେ ଫଳ ଧରେ । ତୃତୀୟ ବର୍ଷଠାରୁ ଏହା ଦୁଇଗୁଣ ହୋଇଯାଏ । ସାଧାରଣତଃ ୨ୟ ବର୍ଷରେ ୧୫ଟନ ଓ ୬ଷ୍ଠ ବର୍ଷରେ ୧୫ଟନ୍ ଫଳ ଆଶା କରାଯାଏ ।

ଗୋଟିଏ ସପୁରୀ ପୁଆର ମୂଲ୍ୟ ୭୫ ପଇସା । ଖତ ସାର ଓ ଅନ୍ୟାନ୍ୟ ବ୍ୟବସ୍ଥା ସହିତ ପ୍ରଥମ ବର୍ଷ ଏଥିପାଇଁ ଆହୁରି ୭୫ ପଇସା ଖର୍ଚ୍ଚ ହେବ । ତେଣୁ ପ୍ରଥମ ବର୍ଷ ହେକ୍ଟର ପିଛା ୫୨ ହଜାର ୫୦୦ଟଙ୍କା ଖର୍ଚ୍ଚ ହେବ । ପରବର୍ତ୍ତୀ ବର୍ଷ ମାନଙ୍କରେ ଟ ୧୦,୦୦୦ ହିସାବରେ ଖର୍ଚ୍ଚ ହେବ । ଏହି ପରି ୬ବର୍ଷ ମଧ୍ୟରେ ମୋଟ ଏକ ଲକ୍ଷ ଦୁଇ ହଜାର ପାଞ୍ଚସହ ଟଙ୍କା ଖର୍ଚ୍ଚ ହେବ । ସପୁରୀ କିଲେ ପ୍ରତି ୨-୦୦ ହିସାବରେ ଧରିଲେ ୨ୟ ବର୍ଷ ୩୦,୦୦୦ ,୩ୟ ବର୍ଷ ୬୦,୦୦୦ ୪ର୍ଥ ବର୍ଷ ୬୦,୦୦୦,୫ମ ବର୍ଷ ୫୦,୦୦୦ ୦ ୬ଷ୍ଠ ବର୍ଷ ୩୦,୦୦୦ ଟଙ୍କାର ଫଳ ବିକ୍ରି ହେବ । କିଲୋ ଯଦି ଟଙ୍କାଏ ହିସାବରେ ମଧ୍ୟ ଧରାଯାଏ ଏହାର ଅଧା ମିଳିବ । ଏହା ଛଡା ସପୁରୀ ପୁଆ ବିକି ମଧ୍ୟ ଲାଭବାନ ହୋଇ ପାରିବେ ।

ଆଧାର : ଡାକ୍ତର ସୂର୍ଯ୍ୟ ନାରାୟଣ ବେହେରା

3.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top