ସେଆର କରନ୍ତୁ

ସପେଟା ଚାଷ

ସପେଟା ଚାଷ ର ସୁଚନା

ସପେଟା ଗୋଟିଏ ସୁସ୍ଵାଦୁ ଫଳ । ଏଥିରେ ଶ୍ଵେତସାର,ସ୍ନେହସାର,ପୃଷ୍ଟିସାର,ଅନେକ ଭିଟାମିନ ଓ ଧାତବ ଲବଣ ରହିଛି ।

ଏହାର ଫଳ ରସରୁ ଚୁଇଙ୍ଗମ ଓ ଜାମ ଇତ୍ୟାଦି ପ୍ରସ୍ତୁତ କରାଯାଏ ।

ଭାରତର ସମୁଦ୍ର କୁଳବର୍ତ୍ତୀ ରାଜ୍ୟ ମାନଙ୍କରେ ଏହାର ବହୁଳ କରାଯାଉଛି ।

ଉତ୍ପତ୍ତି

ଏହା ମେକ୍ସିକୋ ଦେଶର ଫଳ । ପର୍ତ୍ତୁଗୀଜ ମାନଙ୍କ ଦ୍ଵାରା ଏହା ଆମ ଦେଶକୁ ଆସିଥିଲା ।

ଜଳବାୟୁ :-

ସପେଟା ଗ୍ରୀଷ୍ମ ମଣ୍ଡଳୀୟ ଫଳ ଓ ସମୁଦ୍ର ଉପକୂଳବର୍ତ୍ତୀ ଆଦ୍ର ଓ ଉଷ୍ମ ଜଳବାୟୁରେ ଖୁବ ଭଲ ହୁଏ । ସମୁଦ୍ର ପତ୍ତନ ଠାରୁ ୧୨୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ଏହାର ଚାଷ କରାଯାଇପାରେ । ଏହା ୧୨୦ ରୁ ୨୫୦ ସେମି ବାର୍ଷିକ ବର୍ଷା ଦରକାର କରେ । ଅଧିକ ଉତ୍ତାପ ଯଥା ୪୫ ଡିଗ୍ରୀ ସେଣ୍ଟିଗ୍ରେଡରୁ ଅଧିକା ହେଲେ ଗଛର ଫୁଲ ଝଡିପଡେ । ସପେଟା ୧୦ ରୁ ୩୫ ସେଣ୍ଟିଗ୍ରେଡ ଉତ୍ତାପରେ ଭଲ ହୁଏ । ଓଡିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଏହାର ଚାଷ ଖୁବ ଭଲ ଭାବରେ ହୋଇଥାଏ ।

ମୃତ୍ତିକା :-

ସପେଟା ପାଇଁ ଭଲରୂପେ ଜଳ ନିଷ୍କାସିତ ହୋଇ ପାରୁଥିବା ଦୋରସା, ଦୋରସା ବାଲିଆ,ପଟୁମାଟି ଓ ସମୁଦ୍ର ଉପକୂଳବର୍ତ୍ତୀ ଦୋରସା,ବାଲିଆ ଓ ନାଲି ଲାଟେରାଇଟ ମାଟି ବେଶ ଉପଯୁକ୍ତ । ବେଶି ପଥୁରିଆ ଓ କ୍ଷାରୀ, କୃଷ୍ଣ କାର୍ପାସ ମୃତ୍ତିକାରେ ଏହା ଭଲ ବଢେନି । ସପେଟା ଗଛର ଚେର ଗୁଡିକ ବେଶି ଗଭୀରକୁ ଯାଏ ନାହିଁ ତେଣୁ ମାଟିର ଗଭୀରତା ଅତି କମରେ ୧ମିଟର ହେବା ଆବଶ୍ୟକ ।

କିସମ:-

ସପେଟାର ଅନେକ କିସମ ଅଛି । ତା’ଭିତରେ କ୍ରିକେଟ ବଲ, କାଳିପତି,ବାରମାସି,ଛତ୍ରୀ,ଦ୍ଵାର ପୁଡି,ବାଙ୍ଗାଲୋର,କିର୍ତ୍ତିକାର୍ତ୍ତି,ପାଲା,ସିଓ ୧,ସିଓ୨,ଓ ପିକେଏମ -୧ ଇତ୍ୟାଦି ।

ଏ ମଧ୍ୟରୁ ଓଡିଶାରେ କ୍ରିକେଟବଲ ,ବାରମାସୀ, କାଳିପତି, ସିଓ-୧, ପିକେମ -୧ ଇତ୍ୟାଦି ଭଲ ହେଉଛି ।

କ୍ରିକେଟ ବଲ :-

ଏହାର ପତ୍ର ଫିକା ସବୁଜ ରଙ୍ଗ ହୋଇଥାଏ ଓ ଫଳଗୁଡିକ ବଡ ଆକାର ଧାରଣ କରେ । ଏହାର ଫଳ ଗୋଲାକାର । ଏହାର ମାଂସଳ ଶସ ଖଦଡ଼ିଆ ଓ କମ ମିଠାଯୁକ୍ତ । ଏହି କିସମ ଶୁଳ୍କ ଜଳବାଯୁରେ ଭଲ ଫଳିଥାଏ ।

କାଳିପତି :-

ପତ୍ର ଗୁଡିକ ଗାଢ ସବୁଜ ରଙ୍ଗର । ଏହି କିସମର ଡାଳ ପ୍ରସାରିତ ହୋଇ ବଢିଥାଏ । ଫଳ ଗୁଡିକ ଅଣ୍ଡାକୃତି ଓ କମ୍ ମଞ୍ଜିଯୁକ୍ତ । ଫଳ ଡାଳରେ ଗୋଟିକିଆ ହୋଇ ଫଳେ ଓ ଏହାର ମାଂସଳ ଶସ ବହୁତ ମିଠା ହୋଇଥାଏ ।

ଛତ୍ରୀ :-

ଏହାର ଶାଖା ଗୁଡିକ ବ୍ୟାପକ ଭାବେ ପ୍ରସାରିତ ହୋଇ ଛତା ସଦୃଶ ଆକୃତି ସୃଷ୍ଟି କରିଥାଏ । ପତ୍ର ଗୁଡିକ ଫିକା ସବୁଜ ରଙ୍ଗର ଓ ଫଳ କାଳିପତି ପରି, କିନ୍ତୁ କାଳିପତି ଠାରୁ ନିକୃଷ୍ଟ ଧରଣର ।

ପାଲା :-

ଏହି ଫଳ ଛୋଟ ଅଣ୍ଡା ଆକୃତିର । ପେନ୍ଥା ପେନ୍ଥା ହୋଇ ବହୁତ ଫଳେ । ଫଳ ବହୁତ ମିଠା ।

ବାରମାସୀ :-

ଏହାର ଫଳ ଗୋଲ । ମଝଳା ସାଇଜର ଏବଂ ଫଳରେ ୨ ରୁ ୮ ପର୍ଯ୍ୟନ୍ତ ମଞ୍ଜି ରହେ । ଏହାର TSS ୨୦ ରୁ ୨୩ ଭାଗ ।

ସିଓ-୧ :-

ଏହା ଏକ ଶଙ୍କର ଜାତୀୟ । ଫଳ ମଝଲା ସାଇଜର ଏବଂ ଫଳର ଓଜନ ପ୍ରାୟ ୧୨୫ ଗ୍ରାମ । ଫଳ ମିଠା ଓ ଗଛ ଲଗାଇବାର ୪ବର୍ଷ ପରେ ଫଳେ ।

ପି.କେ.ଏମ – ୧ :-

ଏହି ଗଛର ଆକୃତି ଛୋଟ । ଫଳ ମିଠା ଓ ବହୁତ ଫଳେ ।

ବଂଶ ବିସ୍ତାର :-

ସାଧାରଣତଃ ଯୋଡ କଲମୀ ଦ୍ଵାରା ଏହାର ବଂଶ ବିସ୍ତାର କରାଯାଏ । କ୍ଷୀରି କୋଳିଗଛରେ ସପେଟା ଗଛ କଲମୀ କରାଯାଏ । ସପେଟାରେ ପାର୍ଶ୍ଵ କଲମୀ ଓ ବଡିଙ୍ଗ ଓ ଗୁଟି କଲମୀ ମଧ୍ୟ କରାଯାଏ ।

ଜମି ପ୍ରସ୍ତୁତି ଓ ଚାରା ରୋପଣ

ଗଛ ଲଗାଇବା ପୂର୍ବରୁ ଜମିକୁ ଭଲ ରୂପେ ହଳ କରି ମଈ ଦେଇ ସମତୁଳ କରି ଦେବା ଉଚିତ । ବଗିଚାର ଚାରିପଟେ ବାୟୁ ନିରୋଧକ ଗଛ ଲଗାଯିବା ଆବଶ୍ୟକ । ଉର୍ବରା ମାଟିରେ ୮ ରୁ ୧୦ ମିଟର ବ୍ଯବଧାନରେ ଓ ଅନୁର୍ବରା ମାଟିରେ ୭-୮ ମିଟର ବ୍ୟବଧାନରେ ୧ମିଟରx ୧ମିଟର x୧ମିଟର ଗାତ କରି ପ୍ରତି ଗାତରେ ୨ଟୋକେଇ ଖତ ସହ ୨କେଜି ଜୈବିକ ସାର ଓ ୫୦ ଗ୍ରାମ କ୍ଳୋରୋପାଇରିଫସ ଗୁଣ୍ଡ ଦେଇ ବର୍ଷା ଆରମ୍ଭରେ ଗଛ ଲଗାଇବ । ଗଛକୁ ସିଧା ଭାବରେ ପୋତି ଏହାକୁ ଖୁଣ୍ଟି ଦ୍ଵାରା ଉତ୍ତମରୂପେ ଆଶ୍ରୟ ଦେବ । ଗଛ ଲଗାଇବା ବେଳେ କଲମି ଗଛର ଯୋଡ ଯେପରି ମାଟି ଉପରେ ୨୦ସେମି ଉଚ୍ଚରେ ରହେ ତାହା ଦେଖିବ ।

ଖତସାର

ସପେଟା ଗଛକୁ ବର୍ଷା ଆରମ୍ଭରେ ବର୍ଷକୁ ଥରେ ସାର ଦେବା ଉଚିତ୍ । ପ୍ରଥମ ବର୍ଷ ଗଛକୁ ୧୦କେଜି ଖତ ଓ ୧କେଜି ଜୈବିକ ସାର ଦିଆଯାଏ । ତା’ ପର ବର୍ଷ ଠାରୁ ବର୍ଷକୁ ୫କେଜି ଲେଖାଏଁ ଅଧିକା ଖତ ଓ ଅଧ କେଜି ଲେଖାଏଁ ଜୈବିକ ସାର ବଢାଇ ବର୍ଷକୁ ୫୦କେଜି ଖତ ଓ ୫ କେଜି ଜୈବିକ ସାର ଦେଲେ ଭଲ ଅମଳ ମିଳେ । ତେବେ ଗୋଟିଏ ସପେଟା ଗଛରେ ବର୍ଷକୁ କେତେ ସାର ଦର୍କାର ତାହା ଗ୍ରାମରେ ତଳେ ଦିଆଗଲା ।

ଗଛର ବୟସ                                ଯବକ୍ଷାର ଯାନ                              ଫସଫରସ                                   ପଟାସ

୧ରୁ ୩ ବର୍ଷ ଗଛ                           ୫୦                                           ୨୦                                           ୭୫

୪ ରୁ ୬ ବର୍ଷ ଗଛ                          ୧୦୦                                        ୪୦                                           ୧୫୦

୭ ରୁ ୧୦ ବର୍ଷ ଗଛ                       ୨୦୦                                        ୮୦                                           ୩୦୦

୧୧ବର୍ଷ ଓ ପରେ                          ୪୦୦                                        ୧୬୦                                        ୪୫୦

ଏହା ଛଡା ଗଛ ପ୍ରତି ୫୦ କେଜି ଖତ ଦେବ ।

କାଟଛାଣ୍ଟ :-

ଗଛ ଲଗାଇବାର ୭ ରୁ ୮ ବର୍ଷ ମଧ୍ୟରେ କାଟଛାଣ୍ଟ କରିବାର ଆବଶ୍ୟକତା ପଡେ ନାହିଁ । ଗଛ ମୂଳରୁ ୧ମିଟର ଉଚ୍ଚଯାଏ ପରିଷ୍କାର ରଖି ୪-୫ ଗୋଟି ଶାଖା ବିଭିନ୍ନ ଦିଗକୁ ବଢିବାକୁ ଦିଅନ୍ତୁ । କେବଳ କଲମି ଯୋଡର ତଳଭାଗ ମୂଳ ଗଛରେ ଡାଳ ବଢିବାକୁ ଦେବେନି ।

ଜଳସେଚନ :-

ଭଲ ଫଳ ପାଇବା ପାଇଁ ଜଳସେଚନର ଆବଶ୍ୟକତା ଅଛି । ଖରାଦିନେ ୭/୮ ଦିନ ଅନ୍ତରରେ ଓ ଶୀତ ଦିନେ ୧୦/୧୨ ଦିନ ଅନ୍ତରରେ ଜଳସେଚନ କରାଯାଏ । ଗୋଟିଏ ଗଛ ଦିନକୁ ପ୍ରାୟ ୭୦ ଲିଟର ପାଣି ଦରକାର କରିଥାଏ । ବର୍ଷା ଋତୁରେ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରିବ ।

ରୋଗ ପୋକ ଓ ତା’ର ପ୍ରତିକାର

ଅନ୍ୟ ଫଳଗଛ ତୁଳନାରେ ସପେଟାରେ ରୋଗ ପୋକ କମ ।

ପତ୍ରଦାଗ :-

ପତ୍ରରେ ମାଟିଆ ରଙ୍ଗର ଗୋଲାକାର ଚିହ୍ନ ଓ ଚିହ୍ନି ମଝିରେ ଧଳା ଅଂଶ ଦେଖାଯାଏ । ପତ୍ର ଦାଗ ପାଇଁ ଗଛକୁ ଡିଥେନ –ଏମ-୪୫ ଔଷଧକୁ ଏକ ଲିଟର ପାଣିରେ ୩ଗ୍ରାମ ମିଶାଇ ପକାନ୍ତୁ । ସହନଶୀଳ କିସମ ଯଥା କ୍ରିକେଟ ବଲ ଓ ସିଓ-୧ ବ୍ୟବହାର କରନ୍ତୁ ।

ଲିଫମାଇନର :-

ଏହା କଞ୍ଚାଳିଆ ପତ୍ରକୁ ମୋଡି ଦିଏ । ମାଲାଥିଆନ ଏକ ଲିଟର ପାଣିରେ ୨ମିଲି ମିଶାଇ ସ୍ପ୍ରେ କଲେ ଭଲ ହେବ ।

କାଣ୍ଡବିନ୍ଧା ପୋକ :-

ଏ ପୋକ କାଣ୍ଡରେ କଣା କରି ଭିତର ଶସ ଖାଆନ୍ତି । କଣାରେ ସରୁ ଲୁହା ତାର ଭର୍ତ୍ତିକରି ପୋକକୁ ମାରନ୍ତୁ । କାଣ୍ଡରେ ହୋଇଥିବା କଣାରେ ତୁଳାକୁ କିରୋସିନରେ ଭିଜାଇ ଭର୍ତ୍ତିକରି କାଦୁଅ ଦେଇ ବନ୍ଦ କରି ଦିଅନ୍ତୁ ।

ମିଲି ବଗ୍ :-

ଏକ ଲିଟର ପାଣିରେ ୨ମିଲି ମାଲାଥିଆନ ମିଶାଇ ସ୍ପ୍ରେ କରାଯାଏ ।

ଅନ୍ତଃ ଫସଲ

ସପେଟା ବଗିଚାରେ ୮/୧୦ ବର୍ଷ ପର୍ଯ୍ୟନ୍ତ ଅନ୍ତଃ ଫସଲ କରାଯାଇ ପାରିବ । ସାଧାରଣତଃ ସପେଟା ବଗିଚାରେ କଦଳୀ,ଅଦା,ହଳଦୀ,ଓଲୁଅ ଇତ୍ୟାଦି କରାଯାଏ । ଜଳ ସେଚନର ସୁବିଧା ଥିଲେ ଏହା ମଧ୍ୟରେ ପନିପରିବା ଫସଲ କରାଯାଇ ପାରିବ ।

ଅମଳ

ଲଗାଇବାର ୪/୫ ବର୍ଷ ପରେ ଫଳ ଧରେ । ବର୍ଷଯାକ ଫଳ ମିଳୁଥିଲେ ମଧ୍ୟ ସେପ୍ଟେମ୍ବର-ଅକ୍ଟୋବର ମାସରେ ଓ ଫ୍ରେବୁୟାରୀ-ମାର୍ଚ୍ଚ ମାସରେ ବେଶି ଫଳ ମିଳେ । ଗଛରେ ଫୁଲ ଫୁଟିବା ପୂର୍ବରୁ ଓ ଫଳ ଧାରଣ ପରେ ଏନ.ଏ.ଏ ସ୍ପ୍ରେ କଲେ ଅମଳ ବୃଦ୍ଧି ପାଇଥାଏ । ଭଲ ଯତ୍ନ ନେଲେ ଗୋଟିଏ ଗଛରୁ ୧୫୦୦ ରୁ ୨୫୦୦ ଯାକେ ଫଳ ମିଳେ । ହେକ୍ଟର ପିଛା ବର୍ଷକୁ ୧୫-୨୦ ଟନ ଫଳ ମିଳେ ଏବଂ ଆୟ ୩୦ ରୁ ୪୦ ହଜାର ଟଙ୍କା ମିଳେ । ୪୦ ବର୍ଷ ପରେ ଫଳ କମିଯାଏ ।

ଆଧାର - Dr. Surjya Narayan Behera

2.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top