ହୋମ / କୃଷି / କୃଷି ଉଦ୍ୟୋଗ / ସବୁଦିନିଆ ଗୋ-ଖାଦ୍ୟ ଫସଲ
ସେଆର କରନ୍ତୁ

ସବୁଦିନିଆ ଗୋ-ଖାଦ୍ୟ ଫସଲ

ଯେଉଁ ଘାସକୁ ଥରେ ଚାଷ କଲେ ବର୍ଷ ବର୍ଷ ଧରି ଅମଳ ମିଳିଥାଏ ତାହାକୁ ସବୁଦିନିଆ ଘାସ କୁହାଯାଏ । ସେ ସବୁ ମଧ୍ୟରେ ସଙ୍କର ହାତିଆ , ଗିନି , ପାରା, କଙ୍ଗୋସିଗନାଲ, ଷ୍ଟାଇଲୋ, ସିରାଟ୍ରୋ ଓ ସେଣ୍ଟ୍ରୋସୀମା ପ୍ରଧାନ ।

“ସଙ୍କର ହାତିଆ“

ଯେଉଁ ଘାସକୁ ଥରେ ଚାଷ କଲେ ବର୍ଷ ବର୍ଷ ଧରି ଅମଳ ମିଳିଥାଏ ତାହାକୁ ସବୁଦିନିଆ ଘାସ କୁହାଯାଏ । ସେ ସବୁ ମଧ୍ୟରେ ସଙ୍କର ହାତିଆ , ଗିନି , ପାରା, କଙ୍ଗୋସିଗନାଲ, ଷ୍ଟାଇଲୋ, ସିରାଟ୍ରୋ ଓ ସେଣ୍ଟ୍ରୋସୀମା ପ୍ରଧାନ । ସବୁଦିନିଆ ଗୋ-ଖାଦ୍ୟ ଫସଲ ପାଇଁ ଉଚ୍ଚ , ନିଗିଡା ଜମି, ଜଳସେଚନର ସୁବିଧା, ବାଡ ଥିବା କ୍ଷେତ୍ରଟିଏ ଆବଶ୍ୟକ । ଖାଲୁଆ ପାଣି ଜମୁଥିବା ଜମି କିମ୍ବା ଗଡାଣିଆ ଜମି କିମ୍ବା ଆମ୍ବତୋଟା କି ନଡିଆ ବଗିଚାର ଛାଇ ପଡୁଥିବା ଜମି କିମ୍ବା ଗଡାଣିଆ ଜମି କିମ୍ବା ଆମ୍ବତୋଟା କି ନଡିଆ ବଗିଚାର ଛାଇ ପଡୁଥିବା ସ୍ଥାନରେ ମଧ୍ୟ ସବୁଦିନିଆ ଗୋ-ଫସଲ ଚାଷ କରାଯାଇପାରେ । ସଙ୍କର ଜାତୀୟ ଗିନି ଇତ୍ୟାଦି ନିଗିଡା ଜମିରେ ଭଲ ହେଉଥିବା ବେଳେ ପାରା ସନ୍ତସନ୍ତିଆ ଜମିରେ ଭଲ ହୋଇଥାଏ । ଅନ୍ୟାନ୍ୟ ଚାଷ ପରି ଜମି ପ୍ରସ୍ତୁତ କରି ଏକର ପ୍ରତି ୫-୧୦ ଶଗଡା ସଫା ଗୋବର ଖତ, ୧୦୦ କିଗ୍ରା ସିଙ୍ଗଲ ସୁପର ଫସଫେଟ ଓ ୨୫ କିଗ୍ରା ପଟାସ ସାର ଦେଇ ଚାଷ କରାଯାଏ । ସଙ୍କର ହାତିଆ, ଗିନି, ପାରା ଇତ୍ୟାଦିର କାଣ୍ଡ ବା ମୂଳ ଲଗାଯାଏ । ଘର ବାରିରେ ବା ଜମିରେ ଯେଉଁ ସବୁଦିନିଆ ଗୋ-ଖାଦ୍ୟ ଫସଲ ଚାଷ ହୁଏ ସେ ମଧ୍ୟରେ ସଙ୍କର ହାତିଆ ର ଯଥା କାଏମ୍ବାଟୁର-୧, କାଏମ୍ବାଟୁର-୨ ,୩,୪,ପିବିଏନ-୮୮, ବିଏନଏଚ- ୧୦ ଇତ୍ୟାଦି ପ୍ରଧାନ ।

ହାଇବ୍ରୀଡ ନେପିଅରର ଚାଷ ପଦ୍ଧତି

• ହାଇବ୍ରୀଡ ନେପିଅରର ଘାସକୁ ମଞ୍ଜି ଦ୍ଵାରା ଚାଷ ନକରି ମୂଳଖଣ୍ଡ ବା କାଣ୍ଡ ଦ୍ଵାରା ବିସ୍ତାରିତ କରାଯାଇଥାଏ । ମୂଳଖଣ୍ଡ ଓ କାଣ୍ଡଗୁଡିକ ଧାଡି କରି ଉଚିତ ବ୍ୟବଧାନରେ ଲଗାଯାଏ ।

• ମୂଳଖଣ୍ଡ ବା କାଣ୍ଡ ଲଗାଇବାର ଉପଯୁକ୍ତ ସମୟ ଫେବୃୟାରୀ ତୃତୀୟ ସପ୍ତାହରୁ ଆରମ୍ଭ ହୋଇ ଅପ୍ରେଲ ଦ୍ଵିତୀୟ ସପ୍ତାହ ପର୍ଯ୍ୟନ୍ତ ହୋଇଥାଏ । ଆବଶ୍ୟକ ସ୍ଥଳେ ଏହାକୁ ମଧ୍ୟ ଜୁନ ମାସ ଠାରୁ ଅକ୍ଟୋବର ମାସ ମଧ୍ୟରେ ଲଗାଯାଇପାରିବ ।

• ଜମି ପ୍ରସ୍ତୁତି ସମୟରେ ବିଶେଷ ଧ୍ୟାନ ଦେବା ଦରକାର ଯେ, ଏହା ଉଚ୍ଚ ନୀଚ୍ଚ ନହୋଇ ସମତୁଲ ହେବା ଦରକାର ।

• ଜମି ପ୍ରସ୍ତୁତି ପରେ ଏହି ଜମିରେ ଧାଡିକୁ ଧାଡି ୩ ଫୁଟ ଓ ପ୍ରତ୍ୟେକ ଧାଡିରେ ୨ଫୁଟ ଦୂରତାରେ ଗାତ ଖୋଲିବାର ଆବଶ୍ୟକତା ରହିଥାଏ । ଗାତଗୁଡ଼ିକର ଗଭୀରତା ୮ରୁ ୧୦ ଇଞ୍ଚ ମଧ୍ୟରେ ରହିବା ଉଚିତ । ଆଖୁ ଲଗାଇବା ପରି ମଧ୍ୟ ନାପିଅର ଖଣ୍ଡମାନଙ୍କୁ ଲମ୍ବ ଭାବରେ ଶୁଖାଇ ତାଉପରେ ମାଟି ଘୋଡାଇ ଲଗାଯାଇପାରିବ ।

• ପ୍ରତ୍ୟେକ ଗାତ ମଧ୍ୟରେ ୧୦୦ଗ୍ରାମ (ଆଞ୍ଜୁଳାଏ) ଲେଖାଏଁ ଗୋବର ଖତ ଦେଇ ମାଟିରୁ କିଛି ସେଥିରେ ଗୋଳାଇ ଦେଇ ସେଥିରେ ୧୦ଗ୍ରାମ ୟୁରିୟା, ୫ଗ୍ରାମ ପଟାସ ଓ ୨୦ଗ୍ରାମ ଲେଖାଏଁ ସିଙ୍ଗଲ ସୁପର ଫସଫେଟ ସାର ଦେବା ବିଧେୟ ।( ଗୋଟିଏ ଡିଆସିଲ ଖୋଳରେ ପୂର୍ଣ୍ଣ କରି ସାର ନେଲେ ତାର ଓଜନ ପ୍ରାୟ ୫ଗ୍ରାମ ହୋଇଥାଏ । )

• ଜମି ପ୍ରସ୍ତୁତି କରିବା ପରେ ମୂଳ ସଂଗ୍ରହ କରିବା ଉଚିତ କାରଣ ମୂଳଗୁଡିକ ସଂଗ୍ରହ କରିବାର ୨୪ ରୁ ୪୮ଘଣ୍ଟା ମଧ୍ୟରେ ରୋପଣ କରିଲେ ସେଗୁଡିକ ଭଲ ଭାବରେ ବଞ୍ଚି ରହିଥାନ୍ତି ।

• ମୂଳ ଖଣ୍ଡାଗୁଡିକ ସଂଗ୍ରହ କରିବା ସମୟରେ ନିମ୍ନ ବିଷୟଗୁଡିକ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ ।

• ମୂଳ ଖଣ୍ଡଗୁଡିକ ଯେଉଁ ବୁଦାରୁ ଅଣାଯିବ ସେ ବୁଦାଗୁଡିକ ଅନ୍ତତଃ ପକ୍ଷେ ଏକ ବର୍ଷ ପୁରୁଣା ହୋଇଥିବା ବାଞ୍ଛନୀୟ । ମାତ୍ର ୨ବର୍ଷରୁ ଅଧିକ ବେଶୀ ହୋଇ ନଥିବା ଦରକାର ।

• ମୂଳଖଣ୍ଡ ଗୁଡିକୁ ବୁଦାର ଭୂମି ପାଖରୁ ହିଁ ସଂଗ୍ରହ କରିବା ଉଚିତ ।

• ମୂଳ ଖଣ୍ଡଗୁଡିକୁ ଧାରୁଆ/ତୀକ୍ଷ୍ନ ଛୁରୀ କିମ୍ବା ଦା’ ଦ୍ଵାରା କାଟିବା ଦରକାର । ଯାହାଦ୍ୱାରା ମୂଳଖଣ୍ଡଗୁଡିକର ଉପର ଚୋପା ଫାଟି ନଥାଏ ।

• ମୂଳଖଣ୍ଡ ସଂଗ୍ରହ ସମୟରେ ପ୍ରତ୍ୟେକ ଖଣ୍ଡରେ ଅନ୍ୟୁନ ୨ ବା ୩ଟି ଗଣ୍ଠି ରହିବା ଜରୁରୀ ଅଟେ ।

• ମୂଳ ଖଣ୍ଡ ମାଟିରେ ପୋତିବା ସମୟରେ ଗୋଟିଏ ଗଣ୍ଠି ମାଟି ଭିତରେ ଓ ଅନ୍ୟ ଗୋଟିଏ ବା ଦୁଇଟି ମାଟି ଉପରେ ରହିବା ଦରକାର ।

• ମୂଳକୁ କାଟିଲା ବେଳେ ଖଣ୍ଡର ନିମ୍ନ ଅଂଶଟି ଗୋଜିଆ ଓ ଉପର ଅଂଶଟି ସିଧା ଭାବରେ କାଟିବା ଦରକାର ।

• ମୂଳଖଣ୍ଡ ଗୁଡିକ ଖଣ୍ଡ ଖଣ୍ଡ କାଟିବା ପରେ ସେଥିରୁ ମାଟି ଓ ଶୁଖିଲା ପତ୍ରଗୁଡିକ ଛିଡାଇ ଦେଇ ବାନ୍ଧି ଯେଉଁ ଜମିରେ ଲଗାଯିବା କଥା ସେଠାରେ ପହଞ୍ଚାଇବା ଦରକାର ।

• ପ୍ରତି ଗାତ ପିଛା ଗୋଟିଏ ବା ଦୁଇଟି ଖଣ୍ଡ ମୂଳକୁ ଭୂମି ଉପରେ ସିଧା ଭାବରେ ନପୋତି ଗୋଟିଏ ଦିଗକୁ ଢଳାଇ (ପ୍ରାୟ ୪୫ )କରି ପୋତିବା ଉଚିତ ।

• ମୂଳଖଣ୍ଡ ଗୁଡିକୁ ପୋତିବା ପରେ ମାଟି ଦେଇ ମୂଳର ଚାରିପଟକୁ ଭଲ ଭାବରେ ଚାପ ଦେବା ଉଚିତ ।

• ପୋତା/ରୋପଣ କାମ ସରିବା ପରେ ଏହି ଗଛ ମୂଳରେ ପାଣି ଦେବା ବିଧେୟ । ଗଛରୁ ନୂଆ ପତ୍ର ବାହାରିବା ପର୍ଯ୍ୟନ୍ତ ପାଣି ଦେଇ ମାଟିକୁ ବତର ରଖିବା ବାଞ୍ଛନୀୟ , ଏପରି ନକଲେ ନୂଆ କରି ବାହାରୁଥିବା ଚେରକୁ ପିମ୍ପୁଡି ବା ଉଈ ଖାଇ ନଷ୍ଟ କରିଦିଅନ୍ତି ।

• ବୁଦାଟିକୁ ଅଧିକ ସଂଖ୍ୟାରେ ନୂଆ ପିଲ ପକାଇବା ପାଇଁ ମୂଳ ଲଗାଇବାର ୨୫-୩୦ ଦିନ ମଧ୍ୟରେ ନୂଆ କରି କଅଁଳୁଥିବା ପତ୍ରଗୁଡ଼ିକ କାଟିଦେବା ଉଚିତ ।

• ଉପର ପତ୍ର କାଟି ସାରିବା ପରେ ବୁଦା ମୂଳରେ ଏକର ପ୍ରତି ୩୦ କିଗ୍ରା ୟୁରିୟା ସାର ଦେଇ ମାଟି ଟେକିଲେ ସେଗୁଡିକ ଶୀଘ୍ର ପିଲ ପକାଏ ଓ ଗଛଟି ମଧ୍ୟ ହୃଷ୍ଟପୃଷ୍ଟ ହୋଇ ବଢିଥାଏ ।

• ମୂଳ ଲଗାଇବାର ୫୦-୫୫ ଦିନପରେ ପ୍ରଥମ ଅମଳ କରାଯାଇଥାଏ । ଧ୍ୟାନ ଦେବା କଥା ଯେ, ମୂଳଠାରୁ ୪-୬ ଇଞ୍ଚ ବ୍ୟବଧାନରେ କାଟିବା ଉଚିତ । ପୁଣି ଘାସ ବୁଦାରେ ପାଣି ମଡେଇ ପ୍ରଥମ ଅମଳର ୩୦-୩୫ ଦିନ ବ୍ୟବଧାନ ମଧ୍ୟରେ ପରବର୍ତ୍ତୀ ଅମଳ କରାଯାଇପାରିବ ।

• ଏହିପରି ଭାବରେ ବର୍ଷକୁ ୯-୧୦ ଥର ଘାସ କଟାଯାଇପାରେ । ଯେଉଁଠାରେ ଶୀତର ପ୍ରଭାବ ଟିକିଏ ଅଧିକ ସେଠାରେ ଶୀତ ଦିନରେ ଅମଳ କମିଥାଏ । କିନ୍ତୁ ଫେବୃୟାରୀ ମାସରେ ପୁଣି ଖତ ଦେଇ ହୁଡା ଟେକିଲେ ଅମଳ ମିଳିଥାଏ ।

• କୋଏମ୍ବାଟୁର-୩,୪ର ମୂଳଖଣ୍ଡ ଲଗାଇଲେ ବାର୍ଷିକ ଏକର ପ୍ରତି ୧୦୦୦-୧୨୦୦ କ୍ଵିଣ୍ଟାଲ ଅମଳ ମିଳିଥାଏ ।

• (୧୦ ଡେସିମିଲ ଜମିରୁ ୧୦୦-୨୦୦ କ୍ଵିଣ୍ଟାଲ ଅମଳ ମିଳିଥାଏ । ଯାହାକି ବର୍ଷକ ପାଇଁ ଗୋଟିଏ ସଂକର ଜାତୀୟ ଗାଈ ପାଇଁ ଯଥେଷ୍ଟ ହୋଇଥାଏ । )

• ତିନିବର୍ଷ ଅମଳ କରିବା ପରେ ଗଛ ବୁଢା ହୋଇଯାଏ ଏବଂ ଏହାକୁ ଓପାଡି ଜମିରେ ହଳ କରି, ପୁଣି ନୂଆ ମୂଳଖଣ୍ଡ ରୋପଣ କରାଯାଏ ।

ଆଧାର – ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟ, କଟକ

2.75
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top