অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସାରୁ ଚାଷ

ଆମ ରାଜ୍ୟରେ ପ୍ରାୟ ସବୁ ଅଞ୍ଚଳରେ ସାରୁ ଚାଷ କରାଯାଇଥାଏ । ଯେ  କୌଣସି ତରକାରିରେ ଏହା ମିଶି ଯାଉଥିବାରୁ ଗାଁ ମାନଙ୍କରେ ଭୋଜି ଭାତ ସମୟରେ ଏହା ବହୁଳ ଭାବରେ ହୋଇଥାଏ ।

ସାରୁକୁ ଯଦିଓ ତରକାରୀ କରି ମୁଖ୍ୟତଃ ଖିଆ ଯାଇଥାଏ, କେତେକ ଜାଗାରେ ଏହାକୁ କାଟି ଶୁଖାଇ ତେଲ ରେ ଭାଜି ମଧ୍ୟ ଖିଆଯାଏ । ପଶ୍ଚିମବଙ୍ଗରେ ସାରୁ ନାଡ଼ିକୁ ମଧ୍ୟ ଲୋକେ ତରକାରି କରି ଖାଇଥାନ୍ତି । କଞ୍ଚା ସାରୁ ସାଧାରଣତଃ ଗଲୁ ଲାଗେ । ସାରୁରେ ସାଧାରଣତଃ ଚର୍ବି, ଫସ୍‌ଫରସ୍, ସୋଡ଼ିଅମ, ଭିଟାମିନ୍ ଏ, ବି, ସି, ଲୌହ, କାଲସିୟମ, ପୋଟାସିଅମ ପ୍ରଭୃତି ଅନେକ ଧାତବ ଲବଣ ରହି ଥାଏ ।

ସାରୁ ପ୍ରଥମେ ଭାରତ ବା ଆଫ୍ରିକା ମହାଦେଶରେ ଚାଷ ହୋଇଥିଲା ବୋଲି କେତେକ ବୈଜ୍ଞାନିକ ମତ ଦେଇଥାନ୍ତି । ଆମ ଦେଶରେ ଅନେକ ପ୍ରକାରର ବଣସାରୁ ମଧ୍ୟ ଦେଖାଯାଏ, ତାହା ଖାଇଲେ ଅତି ଗଲୁ ଲାଗେ ।

ଲଗାଇବା ସମୟ

ସାରୁ ସାଧାରଣତଃ ଖରାଦିନେ ଚାଷ କରାଯାଏ । ଫ୍ରେବୃୟାରୀ ଠାରୁ ଅପ୍ରେଲ, ମେ ପର୍ଯ୍ୟନ୍ତ ମଧ୍ୟ ସାରୁ ଲଗାଯାଏ । ତେବେ ବର୍ଷା ପୂର୍ବରୁ ସାରୁ ବିଲର ସବୁ ଚାଷ କାମ ସାରିଦେବା ଭଲ ।

ମାଟି

ଯେ କୌଣସି ମାଟିରେ ସାରୁ ଚାଷ କରାଯାଇ ପାରୁଥିଲେ ମଧ୍ୟ ଦୋରସା ଓ ଉର୍ବର ମାଟିରେ ଭଲ ହୁଏ । ଅନେକ ସମୟରେ ମଝାଳିଆ ଜମିରେ ଲୋକେ ସାରୁ ଚାଷ କରି ତାହାକୁ ଜୁଲାଇ ମାସ ଶେଷ ଆଡ଼କୁ ଖୋଳି ହିଁରେ ଧାନ ମଧ୍ୟ ହୋଇଥାନ୍ତି । ତେବେ ଟିକିଏ ଢିପ ବା ମଝାଳିଆ ଜମିରେ ସାରୁ ଭଲହୁଏ ।

ସାରୁ କିସମ : ମୁକ୍ତକେଶୀ, ଝାଙ୍କଡ଼ି, ପାଣିସାରୁ, ଶଙ୍ଖସାରୁ ।

ଚାଷ ପ୍ରଣାଳୀ

ଜମିକୁ ଲୁହା ଲଙ୍ଗଳ ସାହାଯ୍ୟରେ ଭଲ ଭାବରେ ଚାଷ କରି ମାଟିକୁ ଗୁଣ୍ଡ କରି ଦେବା ଉଚିତ୍ । ଚାଷ କରିବା ସମୟରେ ଏକର ପିଛା ୧୦/୧୨ ଗାଡ଼ି ଭଲ ଖତ ବିଲ ରେ ଦେଇ ମାଟିରେ ମିଶାଇ ଦେବା ଦରକାର । ଆମ ରାଜ୍ୟରେ ସାଧାରଣତଃ ସାରୁ ରେ ସୁପର ଫସ୍‌ଫେଟ୍ ସାର ଦିଅନ୍ତି ନାହିଁ । ଫଳରେ ସେମାନେ ଅମଳ କମ୍ ପାଇଥାନ୍ତି । କିନ୍ତୁ ଲଗାଇବା ସମୟରେ ଏକର ପିଛା ୧୦୦ କି.ଗ୍ରା. ସିଙ୍ଗଲ ସୁପର ଫସ୍‌ଫେଟ୍ ଓ ୮୦ କି ଲୋ ମ୍ୟୁରେଟ ଅଫ୍ ପଟାସ୍ ଦେବା ଉଚିତ୍ । ସବୁତକ ସୁପର ଫସ୍ ଫେଟ୍ ଓ ପଟାସ୍ କୁ ସିଆରରେ ଦେଇ ସାରୁ ମଞ୍ଜି ଲଗାଇ ମାଟି ଘୋଡ଼ାଇ ଦିଅନ୍ତୁ । ସାଧାରଣତଃ ଦୁଇ ସିଆର ମଧ୍ୟରେ ବ୍ୟବଧାନ ଦେଢ଼ ଫୁଟ ରଖନ୍ତୁ ଏବଂ ସିଆର ଭିତରେ ୬ ରୁ ୮ ଇଞ୍ଚ ଛାଡ଼ି ଗୋଟିଏ ଗୋଟିଏ ପୁଆ ଲଗାନ୍ତୁ । ଏକର ପିଛା ପ୍ରାୟ ୩ କ୍ରିଷ୍ଟାଲ ପର୍ଯ୍ୟନ୍ତ ପୁଆ ଆବଶ୍ୟକ ହୋଇଥାଏ । ଲଗାଇବା ପୂର୍ବରୁ ପୁଆଗୁଡ଼ିକୁ ଗଜା କରେଇ ନେବା ଦରକାର । ବିଲରେ ପାଗ ଥିଲାବେଳେ ପୁଆ ଲଗାନ୍ତୁ ଏବଂ ଗଜା ବାହାରି ଗଲା ପରେ ପାଣି ଦିଅନ୍ତୁ । ସାରୁ ଗଛ ଉଠିଗଲା ପରେ ୨୦ ରୁ ୨୫ ଦିନ ପରେ ବିଲର ଘାସ ଇତ୍ୟାଦି ବାଛି ଏକ ର ପିଛା ୪୦ କି.ଗ୍ରା. ୟୁରିଆ ଦେଇ ହୁଡା ଟେକି ଦିଅନ୍ତୁ । ସାର ଦେବା ପରେ ପରେ ପାଣି ଦିଅନ୍ତୁ । ସାରୁ ଖରାଦିନେ ଲାଗୁ ଥିବାରୁ ପ୍ରାୟ ପ୍ରତି ୭-୮ ଦିନ ଅନ୍ତରରେ ପାଣି ଦରକାର କରିଥାଏ ।

ଅମଳ

ପ୍ରାୟ ଲଗାଇବାର ୪/୫ ମାସ ପରେ ସାରୁ ଅମଳ ପାଇଁ ଉପଯୁକ୍ତ ହୋଇଥାଏ । ଏକର ପିଛା ପ୍ରାୟ ୫୦ ରୁ ୬୦ କ୍ରିଷ୍ଟାଲ ପର୍ଯ୍ୟନ୍ତ ସାରୁ ମିଳିଥାଏ ।

ସାରୁରେ ସାଧାରଣତଃ ପୋକ ରୋଗ ଖୁବ୍ କମ୍ ହୋଇଥାଏ । ତେବେ ବ୍ରାଇଟ୍ ନାମକ ରୋଗ ବର୍ଷାଦିନେ ହୋଇଥାଏ । ଏହା ହେବା ଦ୍ଵାରା ପତ୍ରରେ ନାଲି ନାଲି ଗୋଲାକାର ଚିହ୍ନ ଦେଖାଯାଏ । କ୍ରମେ ଏହା ଗଛର ସବୁ ଆଡ଼କୁ ବ୍ୟାପି ଶେଷରେ ଗଛ ମରିଯାଏ ।

ମନେରଖନ୍ତୁ

  • ବିଲକୁ ଭଲ ଭାବରେ ଚାଷ କରନ୍ତୁ ।
  • ପନିପରିବା ପାଇଁ ଯଥେଷ୍ଟ ପରିମାଣରେ ଖତ ଦିଅନ୍ତୁ ।
  • ଉନ୍ନତ କିସମର ବିହନ ଲଗାନ୍ତୁ ।
  • ଆବଶ୍ୟକ ପରିମାଣରେ ସାର ଠିକ୍ ସମୟରେ ଦିଅନ୍ତୁ ।
  • ଉପଯୁକ୍ତ ସମୟରେ କୋଡ଼ାଖୁସା କରନ୍ତୁ ।
  • ରୋଗ ଓ ପୋକ ଦାଉରୁ ରକ୍ଷା ପାଇବା ପାଇଁ ସମୟ ଅନୁସାରେ ପ୍ରତିକାର
  • ବ୍ୟବସ୍ଥା ଗ୍ରହଣ କରନ୍ତୁ ।
  • ଠିକ୍ ସମୟରେ ଅମଳ କରି ବିକ୍ରି କରନ୍ତୁ ।

ଆଧାର - "ଓୟୁଏଟି"

Last Modified : 3/2/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate